12/06/2020

ବର୍ଷା ଏକ ସୁନ୍ଦର ଅନୁଭବ ।

 ସଂଗ୍ରାମ କେଶରୀ ରାଉତରାୟ 
    ସଭାପତି - ଉଦୟ ଭାନୁ
                 ବର୍ଷା ଏକ ସୁନ୍ଦର ଅନୁଭବ । ସୃଷ୍ଟିର ମୂଳାଧାର , କବିର କଳ୍ପନା , ମନର ମିତ । ତାକୁ ନେଇ ରଚନା ଏକ ଆଚମ୍ବିତ ସୃଷ୍ଟି । ସମସ୍ତ ଲେଖା ଗୁଡିକ ମର୍ମସ୍ପର୍ଶୀ । ପ୍ରତ୍ୟେକ ଲେଖା ପଢି ସର୍ବଶ୍ରେଷ୍ଠ ଲେଖାଟିଏ  ଚୟନ କରିବା କଷ୍ଟକର ... ତଥାପି ବିଚାରକ ମଣ୍ଡଳୀ ଦ୍ୱାରା ଚୟନ ହୋଇଛି ଶୁଭ୍ରଜିତା ଶୁଭଦର୍ଶୀନୀ ଙ୍କ ଗଳ୍ପଟି ଯାହା ମାନପତ୍ରର ମାନ୍ୟ ପ୍ରାପ୍ତ କରିଛି ।ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଁ ସାଧୁବାଦ ଜଣାଉଛି। ଆଶା କରୁଛି କେବେ ବି ଜୀବନରେ ହତୋତ୍ସାହିତ ନହୋଇ ସଦା ସର୍ବଦା ପ୍ରତିଯୋଗୀ ମନବୃତି ନେଇ ଆଗାମୀ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବେ। ଆପଣଙ୍କ ଅଂଶଗ୍ରହଣ ଆମ ପାଇଁ ପ୍ରେରଣା।
ଜୟ ସାହିତ୍ୟ, ଜୟ ସମାଜ

ଏକ ଟିପ୍ପଣୀ

ଦେବଯାନୀ ଦାସ
                      ଥିମ୍‌ 'ବର୍ଷା' କୁ ନେଇ ଏଥର ଗଳ୍ପ ପ୍ରତିଯୋଗିତାରେ ଯେଉଁ ଗଳ୍ପ ସବୁ ଆସିଥିଲା ସେ ମଧ୍ୟରୁ ଅନେକଙ୍କ ପ୍ରୟାସ ଅଭିନନ୍ଦନୀୟ। କେତେଟି  ଗଳ୍ପ ସମାନ୍ତର ମାନ୍ୟତା ରଖୁଥିଲେ। ଏଥି ମଧ୍ୟରୁ ଶୁଭ୍ରଜିତା ଶୁଭଦର୍ଶିନୀଙ୍କର ଗଳ୍ପ "ଶ୍ରାବଣର ଧାରା"କୁ ଶ୍ରେଷ୍ଠ ଗଳ୍ପ ରୂପେ ନିର୍ବାଚିତ କରିଛୁ। ଗଳ୍ପଟିର ବିଷୟବସ୍ତୁ , ଲେଖାର ଶୈଳୀ, ଓ ଗତିଶୀଳତା ବେଶ୍ ଭଲ। ଅଭିନନ୍ଦନ ଶୁଭ୍ରଜିତା ଶୁଭଦର୍ଶିନୀ। ଏବେ ଗୋଟିଏ କଥା ଉଲ୍ଲେଖ ନ କଲେ ବୈଚାରିକ ଧାରା ଅସମାପ୍ତ ହେବ। ଆସିଥିବା ଗଳ୍ପ ମାନଙ୍କ ମଧ୍ୟରୁ "ବର୍ଷା, ମୌସୁମୀ, ଆକାଶ" ଏକ ଉଦ୍ଧାର ଆଣିଥିବା ଗଳ୍ପ। ଏ ଗଳ୍ପଟିର ଲେଖକ Guyde Maupassant , ଗଳ୍ପଟିର ନାମ "The necklace"। ଏ ଗଳ୍ପଟି ନବମ ଶ୍ରେଣୀରେ ୯୮ ବ୍ୟାଚରେ ପଢା ହେଉଥିଲା ଏବଂ +୩ରେ ୨୦୦୧ ରୁ ୨୦୧୦ ପର୍ଯ୍ୟନ୍ତ ଇଂରାଜୀ ବହିରେ ଥାଇ ପିଲାମାନେ ପଢୁଥିଲେ। ବର୍ଷାକୁ ନେଇ ଦୁଇ ଚାରୋଟି ଶଦ୍ଦ ଏଥିରେ ଯୋଡ଼ି ଲେଖକ ଚତୁରତାର ପରିଚୟ ଦେଇଛନ୍ତି। ତେଣୁ ଏ ଗଳ୍ପଟିକୁ ଆମେ ବିଚାରର ପରିସରଭୁକ୍ତ କଲୁ ନାହିଁ। ଏସବୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ସାରସ୍ବତ ସାଧକଙ୍କୁ ଅନୁରୋଧ ଦୟାକରି କାହାରି ଲେଖାକୁ କପି କରନ୍ତୁ ନାହିଁ। ମୌଳିକ ଲେଖା ଲେଖିବାକୁ ଚେଷ୍ଟା କରନ୍ତୁ। କାହାରି ଲେଖା କପି କରି ନିଜ ନାମ ଦେବା ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ନୁହେଁ, ବରଂ ଅପମାନ। ଏଥିପ୍ରତି ସଚେତନ ରୁ‌ହନ୍ତୁ ନଚେତ୍ ଆପଣଙ୍କ ପ୍ରୟାସ ବୃଥା ପ୍ରତିପାଦିତ ହେବ। ସମସ୍ତ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ। ଲେଖନୀ ସମୃଦ୍ଧ ଓ ଶାଣିତ ହେଉ। ସମସ୍ତେ ସୁସ୍ଥ ଓ ନିରାପଦ ଥାଆ
 ଜୟ ସାହିତ୍ୟ, ଜୟ ସମାଜ

12/04/2020

ପ୍ରିୟଦର୍ଶିନୀ ଓ ଜ୍ୟୋତ୍ସ୍ନା ସିଂହଙ୍କ ବ୍ୟଙ୍ଗ କବିତା ଏକ ଆଲୋଚନା

କଣ୍ଡୁରୀ ଚରଣ ରାଉତ
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ସଂପ୍ରତି ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ତଥା ସାହିତ୍ୟିକମାନଙ୍କୁ ଏ ଦିଗରେ ଅନୁପ୍ରେରିତ କରିବାପାଇଁ "ଉଦୟଭାନୁ ସାହିତ୍ୟ ପରିବାର" ପକ୍ଷରୁ ଆୟୋଜିତ ସାପ୍ତାହିକ ସାହିତ୍ୟ ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ ।ସେଇ କ୍ରମରେ ଏ ସପ୍ତାହର ବିଷୟବସ୍ତୁ ଥିଲା 'ସାଂପ୍ରତିକ ପରିସ୍ଥିତିରେ ରାଜନେତାଙ୍କ ଭୂମିକା'କୁ ନେଇ ବ୍ୟଙ୍ଗ କବିତା । ବ୍ୟଙ୍ଗ କବିତା ମୁଖ୍ୟତଃ ହାସ୍ୟରସଧର୍ମୀ ଓ ଉପହାସମୂଳକ ।ସେଥିପାଇଁ ତାହା ପାଠକମାନଙ୍କୁ ଆକୃଷ୍ଟ କରେ ।ତାହାକୁ ହସେଇ,ରସେଇ,ବାଗେଇ,ଚୁନେଇ ବ୍ୟଞ୍ଜନାମୟ ବାକ୍ୟରେ ଏମିତି ପରିବେଷଣ କରାଯାଏ ଯେ ପାଠକ ନ ହସି ରହିପାରେନି  ।ଏଥିରେ ବ୍ୟକ୍ତି ଓ ସମାଜକୁ ସୁଧାରିବାପାଇଁ ବାର୍ତ୍ତା ବି ରହିଥାଏ ।ପ୍ରତିଯୋଗିତାରେ  ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାଦର ଶୁଭ କାମନା ଓ ଯୁଗ୍ମଭାବେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରିୟଦର୍ଶିନୀ ସାମନ୍ତରାୟ ଓ ଜ୍ୟୋତ୍ସ୍ନା ସିଂହଙ୍କୁ  ଶୁଭ ଅଭିନନ୍ଦନ ।
 ସାଂପ୍ରତିକ ରାଜନେତାମାନେ ନିଜକୁ ଜନତାର ସେବକ ବୋଲି ଯେତେ କୁହାଗଲେ ବି ସେମାନେ ଯେ କେବଳ ନିଜର ବ୍ୟକ୍ତିଗତ ଓ ଦଳୀୟ ସ୍ବାର୍ଥ ସାଧନରେ ବ୍ରତୀ ଏକଥା ଊଣା ଅଧିକେ ସମସ୍ତେ ଅବଗତ । ସାଂପ୍ରତିକ ରାଜନୀତି ଓ ରାଜନେତାଙ୍କ ସଂପର୍କରେ ଜଣେ ପ୍ରାବନ୍ଧିକ ତାଙ୍କ  ପୁସ୍ତକରେ ଲେଖିଛନ୍ତି- "ରାଜନୀତି ଏବେ ଗଳାକଟା ପ୍ରତିଯୋଗିତା ଓ ଶଠତାର ଖେଳ ।ରାଜନୀତି କରିବାକୁ ହେଲେ ମୋଟା ଚମଡ଼ା ଓ ଆପାତ ବୁଦ୍ଧି ଦରକାର ।ସବୁ ମିଥ୍ୟାକୁ ସତ୍ୟରେ, ସବୁ ସତ୍ୟକୁ ମିଥ୍ୟାରେ ପରିଣତ କରିପାରିବାର ଅସାଧାରଣ କ୍ଷମତା ଦରକାର ।ସମସ୍ତ ଜଟିଳ ପରିସ୍ଥିତି ଓ ସମସ୍ୟାକୁ ଅତି ସରଳ ଏବଂ ସରଳ ପରିସ୍ଥିତିକୁ ଅନ୍ୟପାଇଁ ଜଟିଳ କରିପାରିବାର ବ୍ୟୁହ ରଚନା କ୍ଷମତା ନ ଥିଲେ କେହି ବାସ୍ତବରେ ସାର୍ଥକ ନେତା ହୋଇପାରିବ ନାହିଁ ।"ଖୁବ୍ ସୁନ୍ଦର କଟାକ୍ଷ କରିଛନ୍ତି ସେ ରାଜନେତାମାନଙ୍କୁ ତାଙ୍କ ଲେଖାରେ ।
 ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଦୁଇଟିଯାକ କବିତା ସାଂପ୍ରତିକ ରାଜନୈତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟକୁ ନେଇ ରଚିତ ।କବୀ ପ୍ରିୟଦର୍ଶିନୀ ସାମନ୍ତରାୟ ତାଙ୍କ  'ଜୟ ଜୟ ଜୟ ନେତା ହେ' କବିତାରେ ସଂପ୍ରତି ନେତାଙ୍କ ଚରିତ୍ର ଚିତ୍ରଣ କରିଛନ୍ତି ।ରାଜନୀତି ଆଜି ଅସାଧୁ ଓ ଖଳ ଲୋକଙ୍କ ଚରାଭୂଇଁ ପାଲଟିବା ସହିତ ସେମାନଙ୍କ ସ୍ବାର୍ଥାନ୍ବେଷୀ ମନୋଭାବ କବୀଙ୍କୁ ବ୍ୟଥିତ କରିଛି ।ସଚ୍ଚୋଟ ଓ ସାଧୁ ଲୋକ ରାଜନୀତିକୁ ଆସିଲେ ଏ ଅବସ୍ଥାରେ ପରିବର୍ତ୍ତନ ହେବା ସହିତ ସମାଜର କଲ୍ୟାଣ ସାଧିତ ହୋଇପାରନ୍ତା ବୋଲି ସେ  ଆଶାବ୍ୟକ୍ତ କରିଛନ୍ତି ।କବୀ ଜ୍ୟୋତ୍ସ୍ନା ସିଂହ କିନ୍ତୁ ସାଂପ୍ରତିକ କୁଟିଳ ରାଜନୀତି ଉପରେ ଆଲୋକପାତ କରିଛନ୍ତି ।ସେଥିରେ ଦଳୀୟ କର୍ମୀ,ନେତାଙ୍କ ବଚସ୍କର,ଅନୁଗତ,ସମର୍ଥକ ଓ ପ୍ରଶଂସକ ବ୍ୟକ୍ତିଗତ ତଥା ଦଳୀୟ ସ୍ବାର୍ଥ ସାଧନରେ  ବ୍ରତୀ।କଳେବଳେ କୌଶଳେ କୁଚକ୍ରୀ ଦୁର୍ଯ୍ୟୋଧନମାନେ ଶାସନ ଗାଦି ଅକ୍ତିଆର କରିବାରେ ବ୍ୟସ୍ତ ।ଏବେବି ପାଞ୍ଚାଳୀ ରାଜରାସ୍ତାରେ ବିବସନା ହୁଏ ।ଅନ୍ୟାୟ,ଅନୀତି,ଦୁର୍ନୀତି,ଭ୍ରଷ୍ଟାଚାର,ଦାଦାଗିରି,ଲାଞ୍ଛନା,ବଳାତ୍କାର ଆଦିରେ ସାଧାରଣ ଜନତା ତଳିତଳାନ୍ତ । ଦଳୀୟ ରାଜନୀତିରେ ନିର୍ବାଚନ ବୈତରଣୀ ପାରି ହେବାପାଇଁ ନେତା କିଭଳି କଳା କୌଶଳ ଅବଲମ୍ବନ କରନ୍ତି ଓ ଜନତାଙ୍କୁ ଯୋଡ଼ହସ୍ତ ହୋଇ ଭୋଟ୍ ଭିକ୍ଷା କରନ୍ତି ,ସେ କଥା ଦୁଇଟିଯାକ କବିତାରେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣିତ ।ସାଂପ୍ରତିକ ରାଜନୀତିରେ ଥିବା ଦୋଷଦୁର୍ବଳତାକୁ ଦର୍ଶାଇବାରେ ଭରପୂର ପ୍ରୟାସ କରିଛନ୍ତି ଦୁଇ ସାରସ୍ବତ ସ୍ରଷ୍ଟା ।
ଅବଶ୍ୟ କବିତାକୁ ଆଉ ଟିକେ ରସସିକ୍ତ କରାଯାଇ ପାରିଥାଆନ୍ତା । ଶବ୍ଦ ସଂଯୋଜନା ଓ ଯତିପାତ ଉପରେ ଦୃଷ୍ଟି ଦେଇଥିଲେ କବିତା ଅଧିକ ଶ୍ରୁତିମଧୁର ହୋଇଥାନ୍ତା ।କେତେକ ପାଦର ଅକ୍ଷର ସଂଖ୍ୟା ବି ସମାନ ନୁହେଁ । ତା' ଛଡ଼ା ମୋବାଇଲରେ ଲେଖିଲାବେଳେ କେତେକ ବନାନଗତ ଅଶୁଦ୍ଧି ରହୁଛି ।ପୋଷ୍ଟ କରିବା ପୂର୍ବରୁ ସେ ସବୁକୁ ଭଲ ଭାବେ ଯାଞ୍ଚ କରିନେବା ନିହାତି ଆବଶ୍ୟକ ।ଆଶା କରେ ଏଥିପ୍ରତି ଆଗକୁ ନିଶ୍ଚୟ ସଚେତନ ହେବେ ।ପରିଶେଷରେ ଦୀପାବଳିର ଶୁଭେଚ୍ଛା ସହିତ ପୁଣି ଥରେ କୃତଜ୍ଞତାପୂର୍ଣ୍ଣ  ଅଭିନନ୍ଦନ ଜଣାଇବା ସହିତ ଉଭୟଙ୍କର ସାରସ୍ବତ ଜୀବନର ସମୃଦ୍ଧି କାମନା କରୁଛି ।
ଜୟ ସାହିତ୍ୟ, ଜୟ ସମାଜ

12/03/2020

ବିଚାରଧାରା

ଡକ୍ଟର ଲକ୍ଷ୍ମଣ ସାହୁ 
ଉଦୟ ଭାନୁର ବ୍ଯଙ୍ଗକବିତା ରଚନା ପ୍ରତିଯେଗିତାରେ ଆସିଥିବା ସମସ୍ତ ଆଲେଖ୍ଯ ହୃଦୟଗ୍ରାହୀ ;। କିନ୍ତୁ ବିଷୟକୁ ମେଳ ଖାଇଲା ପରି ଲେଖା ପ୍ରାୟ କମ୍‌ ଆସିଥିଲା । ଥିମ୍‌ ଥିଲା - "ସାମ୍ପ୍ରତିକ ପରିସ୍ଥିତିରେ ରାଜନେତାଙ୍କୁ ଭିତ୍ତି କରି ବ୍ଯଙ୍ଗକବିତା ରଚନା" , କିନ୍ତୁ ପ୍ରାୟ ସମସ୍ତ ଲେଖା ବଳିଷ୍ଠ ଥିଲେ ବି ବ୍ଯଙ୍ଗ ଅଭାବ । ଯେଉଁ କେତୋଟି ଲେଖା ହାତଗଣତିରେ ବ୍ଯଙ୍ଗକବିତା ଭାବେ ଥିଲା ତାହା ଏତେ ଆକୃଷ୍ଟ କରିପାରି ନଥିଲା ଆମମାନଙ୍କୁ । ସେଥିରୁ ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଆଲେଖ୍ଯ "ଜୟ ଜୟ ଜୟ ନେତା ହେ'" ଏବଂ ଜ୍ଯୋତ୍ସ୍ନା ସିଂହଙ୍କ ଆଲେଖ୍ଯ - "ସାମ୍ପ୍ରତିକ ରାଜନୀତି" କିଛି ପରିମାଣରେ ଆକୃଷ୍ଟ କରିପାରିଲା । ଜ୍ଯୋତ୍ସ୍ନା ସିଂହଙ୍କ ଲେଖା ବ୍ଯଙ୍ଗର ସାମାନ୍ୟ ଝଲକ ଥିଲା ହେଲେ ରାଜନୀତି ପାଇଁ ଏକ ସୁନ୍ଦର ଆଲେଖ୍ଯ । ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଆଲେଖ୍ଯ ଶାଣିତ ବ୍ଯଙ୍ଗ ପ୍ରହାର ଆଜିର କୂଟନୈତିକ ରାଜନୀତିର ପ୍ରକୃତ ପ୍ରମାଣ ଦେଉଥିଲା । ତେଣୁ ଉଭୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା । 
  ଆଜିକାର ରାଜନୀତି ରଣନୀତି ସଦୃଶ , ସେଇ ରଣନୀତିରେ ବଳି ପଡ଼ିଯା'ନ୍ତି ସାଧାରଣ ଜନତା । ରାଜନେତାଙ୍କ କଥା ପାଣିର ଗାର , ନିର୍ବାଚନ ବେଳର କଥା ସିଂହାସନ ଗାଦି ଚଢ଼ା ପରେ ସଂହାର । ମାଛ ତେଲରେ ମାଛ ଭାଜି ବାଃ ବାଃ ପ୍ରଶଂସା , ଅର୍ଥ ପିପାସୁ ସର୍ବଦା । ଏସବୁର ନିଚ୍ଛକ ଚିତ୍ରଣ ପ୍ରତ୍ଯେକ ଲେଖାର ଶିରିପା ଥିବା ବେଳେ ବିଜୟ ତିଳକ ମଣ୍ଡିତ ଆଲେଖ୍ଯ ଦୁଇଟି କିନ୍ତୁ ବେଶ୍‌ ଦାଢୁଆ । ସବୁ ଦୃଷ୍ଟିରୁ ଉଭୟଙ୍କୁ ବିଜେତା ଘୋଷଣା କରାଯାଇଛି 
ଓଡ଼ିଆ ଭାଷା ସାହିତ୍ଯ ବିଭାଗ ମୁଖ୍ୟ 
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ 
କଟକ-୪
ଦୂରଭାଷ- ୯୪୩୭୭୪୦୨୮୦
ଜୟ ସାହିତ୍ୟ, ଜୟ ସମାଜ

ମୋ କଥା......

ଦେବଯାନୀ ଦାସ 
  (ବିଚାରକ]
ରାଜନେତାଙ୍କ ଉପରେ ବ୍ୟଙ୍ଗ କବିତା ଲେଖିବା ଥିଲା ଏଥରର ଥିମ୍ । ଖୁବ୍ ଆଶା ଜନକ ଭାବେ କବିତା ସବୁ ଆସିଥିଲା । ଅଧିକାଂଶ କବିତାରେ ରାଜନେତାଙ୍କ ଚରିତ୍ର ଉପରେ criticism ଥିଲା । ମାତ୍ର କେତୋଟି କବିତାରେ ବ୍ୟଙ୍ଗ ଥିଲା। ଯେହେତୁ ଆମର ଥିମ୍ ବ୍ୟଙ୍ଗ ଉପରେ ଥିଲା ଆମେ ବ୍ୟଙ୍ଗକୁ ପ୍ରାଧାନ୍ୟ ଦେଇ କବିତା ବାଛିଥିଲୁ। ସେ ମଧ୍ୟରୁ ବିଜେତା ଘୋଷଣା କରାଯାଇଛି।
        ଯେତେବେଳେ ବ୍ୟଙ୍ଗ ରଚନା ପାଇଁ କୁହାଯାଇଛି ସେତେବେଳେ ଵ୍ୟଙ୍ଗାତ୍ମକ ଲେଖା ଲେଖନ୍ତୁ। ଏଥରର କବିତାରେ ପ୍ରାୟ ସମସ୍ତେ ଭଲ ଲେଖିଥିଲେ। ଜଗଦୀଶ ସାହୁ , ସଂଯୁକ୍ତା ସାହୁ, ସଦାନନ୍ଦ ସାହୁ,ଗୀତାଞ୍ଜଳି ପୃଷ୍ଟି , ରଞ୍ଜନ କୁମାର ମହାନ୍ତି, ପ୍ରତାପ କିଶୋର ରାଉତ, ଜ୍ୟୋସ୍ନା ସିଂହ,ଚିନ୍ମୟୀ ମହାପାତ୍ର,ଶିବ ହାତୀ,ପ୍ରତାପ ଚନ୍ଦ୍ର ମିଶ୍ର, କାଙ୍ଗାଳି ଚରଣ ସେଠୀ,ଅଜିତ କୁମାର ତ୍ରିପାଠୀ, ରବିନ୍ଦ୍ର ବେହେରା,ଶିବ ପ୍ରସାଦ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପ୍ରିୟଦର୍ଶିନୀ ସାମନ୍ତରାୟ, ନିବେଦିତା ମହାପାତ୍ର,ଛବିରାଣୀ ପତି,ବିକି ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମସ୍ତେ ପ୍ରଶଂସନୀୟ ଓ ସମସ୍ତଙ୍କୁ ଅଭିନନ୍ଦନ।
     ପ୍ରଥମ କବିତାରେ ଜଗଦୀଶ ସାହୁଙ୍କ ବ୍ୟଙ୍ଗ ,ଚିନ୍ମୟୀ ମହାପାତ୍ରଙ୍କ ସଙ୍ଗୀତ ସମ୍ବୋଧନ ଭିତରେ ବ୍ୟଙ୍ଗ ଖୁବ୍ ଭଲ ଥିଲା। ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ବ୍ୟଙ୍ଗ ଖୁବ୍ ସୁଖପାଠ୍ୟ ଓ ସାବଲୀଳ। ଜ୍ୟୋସ୍ନା ସିଂହ କବିତା ଶାଣିତ। କେତେ ଗୁଡିଏ ପାରାମିଟର ମଧ୍ୟରେ ଆମେ ବିଜେତା ଘୋଷଣା କରିଛୁ। ଅନ୍ୟମାନଙ୍କୁ ମୁଁ ପ୍ରଶଂସା କରୁଛି ।
        ଆସନ୍ତା ପ୍ରତିଯୋଗିତାରେ ସମସ୍ତେ ଆଗ୍ରହର ସହ ଅଂଶଗ୍ରହଣ କରନ୍ତୁ। ପ୍ରତିଯୋଗିତା ନିଜ ଭିତରର ସାହିତ୍ୟାନୁରାଗୀ ମଣିଷକୁ ଜୀବନ୍ତ କରେ । ତାକୁ ସର୍ବଦା ଜୀବନ୍ତ ରଖନ୍ତୁ ।
ଧନ୍ୟବାଦ ସମସ୍ତେ ସୁସ୍ଥ ଓ ନିରାପଦ ଥାଆନ୍ତୁ। 
ଜୟ ସାହିତ୍ୟ, ଜୟ ସମାଜ

କିଛି କଥା କିଛି ବ୍ଯଥା

ଦେବଯାନୀ ଦାସ
(ବିଚାରକ- ଉଦୟ ଭାନୁ)

     ଏଥରର ପ୍ରବନ୍ଧ ପ୍ରତିଯୋଗୀତାର ବିଷୟବସ୍ତୁ "ମାଳିକା ବିଚାର" ସାମ୍ପ୍ରତିକ ପରିସ୍ଥିତି ପାଇଁ ଏକ ଉପାଦେୟ ବିଷୟ ଥିଲା। ବହୁ ସଂଖ୍ୟକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଭାବୁଥିଲୁ ; ହେଲେ ଏତେ ନିରୁତ୍ସାହଜନକ ଥିଲା ପ୍ରତିଯୋଗିତା ଯେ ମାତ୍ର ଦୁଇ ଜଣ ଅଂଶଗ୍ରହଣ କରିଥିଲେ। ଦୁଇ ଜଣ ଯାକଙ୍କର ସୁନ୍ଦର ପ୍ରୟାସ , ଉପାଦେୟ ତଥ୍ୟରେ ପୂର୍ଣ୍ଣ ପ୍ରବନ୍ଧ ଖୁସି ପ୍ରଦାନ କଲା।ସତ କହିବାକୁ ଗଲେ ପ୍ରବନ୍ଧ ଦୁଇଟିରୁ ମୁଁ ବି କିଛି ଜାଣିବାକୁ ପାଇଛି।ତଥ୍ୟ ସଂଗ୍ରହ କରି ସାବଲୀଳତା ଭିତରେ ପ୍ରବନ୍ଧକୁ ସଜେଇଛନ୍ତି ଦୁଇ ପ୍ରବନ୍ଧକାର। ସେମାନଙ୍କ ମଧ୍ୟରୁ ଆମେ ଦେବାଶିଷ ରାଉତଙ୍କୁ ବିଜେତା ଘୋଷଣା କରିଛୁ। ଅଭିନନ୍ଦନ ଦେବାଶିଷ ବାବୁ।
                ତାଙ୍କ ପ୍ରବନ୍ଧଟିରେ ପର୍ଯ୍ୟବେସିତ ପ୍ରତ୍ୟେକ ଧାଡ଼ି ସୁଖପାଠ୍ୟ ଅଟେ। "ମାଳିକା"କୁ ଓଲଟାଇ ଦେଲେ କାଳିମା ଏବଂ "ଜୀବନର ପ୍ରତିଟି କାଳିମା ଅନ୍ଧାର ଅର୍ଥାତ୍ ବିପଦର ପୂର୍ବାଭାଷ ହିଁ ମାଳିକା" ଖୁବ୍ ଭଲ ଲାଗିଲା ଏ ବାକ୍ୟ ଦୁଇଟି। ତାପରେ ସେ ଯେମିତି ବିଜ୍ଞାନ ଓ ମାଳିକାର ସମନ୍ବୟତା ରକ୍ଷା କରିଛନ୍ତି ବେଶ ସୁନ୍ଦର ହୋଇଛି ପ୍ରବନ୍ଧଟି।
                  ସେହିପରି ଅନ୍ୟତମ ପ୍ରତିଯୋଗୀ ପ୍ରତାପ କିଶୋର ରାଉତ ଅଚ୍ୟୁତାନନ୍ଦଙ୍କ ସହିତ ଅନ୍ୟ ମାଳିକାକାରଙ୍କର ତଥ୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି। କାବିକ୍ୟ ଶୈଳୀରେ ତାଙ୍କ ପ୍ରବନ୍ଧ ମଧ୍ୟ ଅନେକ ତଥ୍ୟ ଉନ୍ମୋଚନ କରେ। ତାଙ୍କୁ ମଧ୍ୟ ଧନ୍ୟବାଦ ଓ ଅଭିନନ୍ଦନ।
               ଏଥରର ହତୋତ୍ସାହ ସଂଖ୍ୟାକୁ ଦେଖି ସଭାପତି କିଛି ନିୟମ ପ୍ରଣୟନ କରିଛନ୍ତି। ଆଶା କରୁଛି ଉଦୟଭାନୁର ପ୍ରତିଯୋଗୀମାନେ ଏହାକୁ ଧ୍ୟାନ ଦେବେ। ସମସ୍ତଙ୍କ ସୁସ୍ଥତା କାମନା କରି ରହୁଛି।
ଜୟ ସାହିତ୍ୟ, ଜୟ ସମାଜ

12/02/2020

ଧାରା ବିବରଣୀ

ଡକ୍ଟର ଲକ୍ଷ୍ମଣ ସାହୁ 
କଳିଯୁଗର କଥା ଓ ମଣିଷ ମାନଙ୍କ ଚଳଣି ସହିତ ଧର୍ମ ଓ ମୋକ୍ଷ ମାର୍ଗର ବାର୍ତ୍ତାବହ ହେଲା ମାଳିକା , ଯାହା ପଞ୍ଚସଖା ସମୟର ଆଲେଖ୍ଯ । ଆଜିର ବିଜ୍ଞାନ ଯୁଗରେ କିଛି ବିଶ୍ବାସଯୋଗ୍ଯ ତ କିଛି ଲୋକଙ୍କ ଅବିଶ୍ବାସର ମଞ୍ଜି । ମଣିଷ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ବି ପୂର୍ବର ସେ ଆଲେଖ୍ଯ ଏବେ ବି କିଛି ଲୋକଙ୍କ ମନରେ ଛାପ ହୋଇ ରହିଛି । ମାଳିକାରେ ଲେଖା ଥିବା କଥା ସବୁ କିଛିକାଂଶରେ ସତ୍ଯ ହୋଇଛି ଆଉ ହେଉଛି । କିନ୍ତୁ ଏହା କେବଳ ସଂସାରରେ ଧର୍ମ ବଜାୟ ରଖି ସୁସ୍ଥତାର ସହ ଜୀବନ ଜିଇଁବାର ବାର୍ତ୍ତାବହ । ଯା' ଲିଖିତ ତା' ହିତୋପଦେଶ ବୋଲି ମନେ କରି ସତର୍କତାର ସହ ଚଳମାନ ହେବା ହିଁ ମୂଖ୍ୟାଂଶ । 
   ଉଦୟ ଭାନୁର ପ୍ରବନ୍ଧ ପ୍ରତିଯୋଗିତା ଏଥରକ ନୈରାଶ୍ୟ ପ୍ରଦାନ କଲା । ଏତେ ସୁନ୍ଦର ବିଷୟ ଥାଇ ବି ପ୍ରତିଯୋଗିତା ମନୋଭାବର ଉଦ୍ରେକ କାହାର ବି ହୋଇପାରିଲା ନାହିଁ । ମାତ୍ର ଦୁଇଗୋଟି ଲେଖା ପ୍ରତିଯୋଗିତାର ପଡ଼ିଆରେ ଭଲିବଲ୍‌ ଖେଳି ଚାଲିଥିଲେ , ଯାହା ପ୍ରତିଯୋଗିତାର ରୂପକୁ କଦର୍ଥନ କରିଲା । ଦୁଇଟି ଲେଖାରେ ପ୍ରତିଯୋଗିତା ଉଚିତ ମନେ ନହେଲେ ବି ଆମେ ଗୋଟିଏ ଲେଖାକୁ ବିଜେତା ଘୋଷଣା କରିଲୁ । ଘୋଷିତ ଲେଖାଟି ଏକପ୍ରକାର ସୁନ୍ଦର ତତ୍ତ୍ବ ସମ୍ବଳିତ ଥିଲା , ତେଣୁ ଦେବାଶୀଷ ରାଉତଙ୍କର ସେହି ଆଲେଖ୍ଯ ମାନପତ୍ରର ମାନ୍ୟତା ପାଇବାକୁ ଯୋଗ୍ଯ ବୋଲି ମନେ କରାଗଲା ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ 
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ - ୪
ଦୂରଭାଷ- ୯୪୩୭୭୪୦୨୮୦
ଜୟ ସାହିତ୍ୟ, ଜୟ ସମାଜ

12/01/2020

ଦେବାଶିଷ ରାଉତ ଓ ନିବେଦିତା ମହାପାତ୍ରଙ୍କ "ମାଳିକା ବିଚାର": ଏକ ଆଲୋଚନାମୂଳକ ଆଲେଖ୍ୟ

କଣ୍ଡୁରୀ ଚରଣ ରାଉତ
 ପଥଭ୍ରଷ୍ଟ ସମାଜକୁ ସୁସଂସ୍କୃତ କରିବା ଓ ନିପୀଡ଼ିତ ମାନଙ୍କୁ ଆଶା ଓ ଅଭୟ ବାଣୀ ଶୁଣାଇବା ଉଦ୍ଦେଶ୍ୟରେ ମାଳିକାର ସୃଷ୍ଟି । ମାଳିକାକାରମାନେ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ଜଣେ ଜଣେ ଏକନିଷ୍ଠ ଉପାସକ ।ଶ୍ରୀଜଗନ୍ନାଥଙ୍କ କୃପାରୁ ସେମାନେ ଯେଉଁ ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇଥିଲେ, ସେହି ଆଧାରରେ ସେମାନେ ଭବିଷ୍ୟ ବାଣୀ କରି ଯାଇଛନ୍ତି , ଯାହା ଶହ ଶହ ବର୍ଷ ପରେ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି । ଏହି ଭବିଷ୍ୟ ବାଣୀ ହିଁ ମାଳିକା ।
       ସେଇ 'ମାଳିକା ବିଚାର' ଉପରେ ଉଦୟ ଭାନୁ ସାହିତ୍ୟ ଅନୁଷ୍ଠାନରେ  ହୋଇଥିବା ସାପ୍ତାହିକ ପ୍ରତିଯୋଗିତାରେ ଶ୍ରୀମାନ ଦେବାଶୀଷ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସର୍ବପ୍ରଥମେ ତାଙ୍କୁ ସାରସ୍ବତ  ଅଭିନନ୍ଦନ ଜଣାଉଛି । ଖୁବ୍ ସୁନ୍ଦର ଆଲୋଚନା କରିଛନ୍ତି ସେ । ସେ ଲେଖିଛନ୍ତି - କୋଟି କୋଟି ଓଡ଼ିଆ ପ୍ରାଣର କେନ୍ଦ୍ରବିନ୍ଦୁ ଭାଗବତ ପରି ମାଳିକା ମଧ୍ୟ ସେମାନଙ୍କ ଆଶା ଓ ଆଶଙ୍କାର କେନ୍ଦ୍ରବିନ୍ଦୁ ।ଏହା ବ୍ୟତୀତ ଜଗନ୍ନାଥ ସଂସ୍କୃତି ଓ ମାଳିକାର ସଂପର୍କ ,ପଞ୍ଚସଖା ଯୁଗର କବି ତଥା ମାଳିକାକାର ଅଚ୍ୟୁତାନନ୍ଦଙ୍କ ଦିବ୍ୟଦୃଷ୍ଟି ସଂପର୍କରେ ଆଲୋଚନା କରିଛନ୍ତି । ଅନେକ ବ୍ୟକ୍ତି ମାଳିକାକୁ ଅବାନ୍ତର ଓ କପୋଳ-କଳ୍ପିତ  ବୋଲି କହିଥା'ନ୍ତି ।କିନ୍ତୁ, ଏଥିରେ ଯେ ଐତିହାସିକ ଓ ବୈଜ୍ଞାନିକ ସତ୍ୟତା ରହିଛି , ଏ କଥାକୁ ଶ୍ରୀ ରାଉତ ସନାତନ ସଂସ୍କୃତି ଓ ସଂସ୍କୃତ ଭାଷାର ପ୍ରାମାଣିକତାକୁ ଭିତ୍ତି କରି ବର୍ଣ୍ଣନା କରିଛନ୍ତି ।
       ଠିକ୍ ସେହିପରି ନିବେଦିତା ମହାପାତ୍ରଙ୍କ ଆଲୋଚନାଟି ମଧ୍ୟ ହୃଦୟକୁ ଛୁଇଁଲା । ଶାସ୍ତ୍ର ପୁରାଣ ଓ ସେଥିରେ ବର୍ଣ୍ଣିତ ସତ୍ୟ,ତ୍ରେତୟା,ଦ୍ବାପର ଓ କଳିଯୁଗରୁ ଆରମ୍ଭ କରି ରହସ୍ୟମୟ ବିଶ୍ବ ପର୍ଯ୍ୟନ୍ତ ପ୍ରଲମ୍ବିତ ତାଙ୍କର ଚିନ୍ତାଧାରା ।ଯୁଗେ ଯୁଗେ ସାମାଜିକ ଚଳଣି ଓ ପରମ୍ପରା ସହିତ ଅତୀତ ଇତିହାସ ଓ ଆଧ୍ୟାତ୍ମବାଦ ଜଡ଼ିତ । ବିଭିନ୍ନ ଯୁଗର ଚଳଣି,ଧର୍ମ ଓ ଅଧର୍ମ,ଗୀତା ବାଣୀ,କଳିର ପ୍ରବେଶ ଓ ରାଜା ପରିକ୍ଷୀତଙ୍କ ମୃତ୍ୟୁ ଆଦି ତଥ୍ୟର ଚମତ୍କାର ଉପସ୍ଥାପନା ମାଧ୍ୟମରେ ବିଷୟ ପ୍ରବେଶ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ହୋଇଛି । ତୁଳସୀ ଦାସଙ୍କ ବାଣୀର ଉଦାହରଣ ସହ ମାଳିକାକାର ଅଚ୍ୟୁତାନନ୍ଦଙ୍କ ବିଭିନ୍ନ ଉକ୍ତିର ଉଦ୍ଧୃତି ଏବଂ ସେଗୁଡ଼ିକର ଯଥାଯଥ ବିଶ୍ଳେଷଣ ପୂର୍ବକ ସାଂପ୍ରତିକ ଘଟଣା ସହିତ ତା'ର ସଂପର୍କକୁ ଅତି ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି । କଳିଯୁଗର ଅନ୍ୟାୟ ଅନୀତି ଦେଖି ସ୍ବୟଂ ଜଗନ୍ନାଥ କଳ୍କୀ ଅବତାର ନେଇ ଏ ସବୁର ବିଲୋପ ସାଧନ ତଥା ମହାମାରୀ କରୋନା ବିଷୟରେ ତାଙ୍କ ଲେଖାରେ ସୂଚନା ମିଳେ ।ଲୋକମାନେ ମୁହଁରେ ତୁଣ୍ଡି ଭିଡ଼ିବା କଥାରୁ ତାଙ୍କ ଲେଖାର ସତ୍ୟତା ପ୍ରତପାଦିତ ହୁଏ ବୋଲି ପ୍ରାମାଣିକ ତଥ୍ୟ ଦେଇଛନ୍ତି ଆଲୋଚିକା 
       'ମାଳିକା' ଯେ ଆମ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ସଂପଦ ଏଇ କଥାକୁ  ବଳିଷ୍ଠ ଯୁକ୍ତି ମାଧ୍ୟମରେ ପ୍ରମାଣ କରିବାରେ ଦୁଇ ସାରସ୍ବତ ସ୍ରଷ୍ଟାଙ୍କ ପ୍ରୟାସ ଅଭିନନ୍ଦନୀୟ ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

ପ୍ରତିକ୍ରିୟା

ଡକ୍ଟର ଲକ୍ଷ୍ମଣ ସାହୁ
  ଉଦୟ ଭାନୁ ସାହିତ୍ୟ ସଂସଦ ସଂଗୋଷ୍ଠୀର ରମ୍ଯରଚନା ପ୍ରତିଯୋଗିତା "ସାରୁ ଭିତରେ ମାରୁ"ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା । ଏଥରର ପ୍ରତିଯୋଗିତାକୁ ନିରସ କି ସରସ କୁହାଯିବନି । ଲେଖା ଗୁଡ଼ିକ ବେଶ୍ ମାର୍ଜିତ ଥିଲା , କିନ୍ତୁ ସୂଚନା ମୁତାବକ ଲେଖାର ଅଭାବତ୍ବ ପରିଲକ୍ଷିତ ହେଉଥିଲା । ଦିଆଯାଇଥିବା ବିଷୟବସ୍ତୁ ଅନୁଯାୟୀ ଲେଖା କିଛି ମିଳି ପାରିନାହିଁ । ଯାହା ବି ଲେଖା ଆସିଥିଲା ସେସବୁ ଥିଲା ରମ୍ଯ ଗଳ୍ପ , ରମ୍ଯରଚନା ମୂଳକ ଲଳିତ ପ୍ରବନ୍ଧ ନୁହେଁ । ଅନ୍ଯର୍ଥରେ କହିବାକୁ ଗଲେ ଏସବୁ ହାସ୍ଯରସାତ୍ମକ କାହାଣୀ । ପ୍ରକୃତ ରମ୍ଯରଚନା ବିଷୟରେ ପ୍ରତିଯୋଗୀ ମାନେ ବୋଧହୁଏ ଅବଗତ ନାହାନ୍ତି । ଆଗରୁ ବୈଚାରିକ ଧାରାରେ କହିଥିଲି ରମ୍ଯରଚନା ବିଷୟରେ । ସାମାଜିକ ବାର୍ତ୍ତା , ମୃଦୁମନ୍ଦ ହାସ୍ୟ ଓ କଟାକ୍ଷରେ ପରିପୂର୍ଣ୍ଣ ଆଲେଖ୍ଯ ହିଁ ରମ୍ଯରଚନା , ଯାହା ଗପ ଓ ନିବନ୍ଧର ପ୍ରତୀକାତ୍ମକ । 
          'ସାରୁ' ଏକ ପ୍ରତୀକାତ୍ମକ ଶବ୍ଦ, ଓଡ଼ିଆ ରୁଢ଼ିଟିଏ । 'ସାରୁ'କୁ ପ୍ରତୀକାତ୍ମକ ଭାବରେ ନେଇ ରଚନା କରିବା ଦରକାର । ଏଥର ଏହାକୁ ଆମେ ରମ୍ଯ ଗଳ୍ପ ଓ ହାସ୍ୟରସାତ୍ମକ ଆଲେଖ୍ଯ ଭାବରେ ବିବେଚନା କରି ବିଚାର ପୂର୍ବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ ବିଜେତା ଘୋଷଣା କରିଛୁ । 
        ଖୁବ୍‌ କମ୍‌ ଲେଖା ଉପସ୍ଥାପନ ହୋଇଛି । ପ୍ରତିଯୋଗିତା ଅନେକ ଗୁଡ଼ିଏ ଲେଖାର ସମାହାରରେ ହେଲେ ପ୍ରତିଯୋଗିତା ପରି ଲାଗେ । ଗୋଟିଏ-ଦୁଇଟି କି ପାଞ୍ଚଟି ଲେଖାରେ ପ୍ରତିଯୋଗିତା କରି ଫଳାଫଳ ଘୋଷଣା କରିବା ହାସ୍ଯାସ୍ପଦ । ଜଣେ ପ୍ରତିଯୋଗୀ ବାରମ୍ବାର ବିଜେତା ହେବା ସାହିତ୍ଯ ପାଇଁ ଏକ କ୍ରୀଡ଼ା ସଦୃଶ । ନୂଆ କିଛି ପ୍ରତିଭାଧାରି ପ୍ରତିଯୋଗୀ ଅଂଶଗ୍ରହଣ କଲେ ତାହା ପ୍ରତିଯୋଗିତା ଭଳି ଲାଗନ୍ତା ଓ ଉତ୍ସାହ ବଢନ୍ତା । ପରିବାରର ନିୟମ ଅନୁସାରେ ଜଣେ ପ୍ରତିଯୋଗୀ ଥରେ ବିଜେତା ହେବା ପରେ ଦୁଇମାସ ପର୍ଯ୍ଯନ୍ତ ପୁନରାୟ ବିଜେତା ହେବାର ପ୍ରତୀକ୍ଷା କରିବାକୁ ହେବ । ନୂଆ କେହି ସେଭଳି କିମ୍ୱା ସମସାମୟିକ ଲେଖା ଲେଖିଥିବା ପ୍ରତିଯୋଗୀଙ୍କୁ ଦିଆଯିବ । କିନ୍ତୁ ବିଜେତା ଅଂଶଗ୍ରହଣ କରିପାରିବେ ଏବଂ ବିଚାରକ ମଣ୍ଡଳୀ ସଂଙ୍ଘକୁ ତାଙ୍କ ଲେଖା ଆସିବ । 
          ସ୍ମିତା ମହାନ୍ତି , ପଦ୍ମାଳୟା ମିଶ୍ର , ନିବେଦିତା ମହାପାତ୍ର , ପ୍ରିୟଦର୍ଶିନୀ ସାମନ୍ତରାୟ , ଅନୁପମା ଦାସ , ଜ୍ଯୋତ୍ସ୍ନା ସିଂହ , ଗୀତାଞ୍ଜଳୀ ପୃଷ୍ଟି , ପ୍ରତାପ କିଶୋର ରାଉତ , ପ୍ରତାପ ଚନ୍ଦ୍ର ମିଶ୍ର ଏ ସଂଖ୍ଯାରେ  ଥିଲେ ପ୍ରତିଯୋଗୀ । ସମସ୍ତଙ୍କର ଲେଖା ଏକପ୍ରକାର ହାସ୍ୟରସାତ୍ମକ ଆଲେଖ୍ଯ ଥିଲା । ସମ୍ଯକ ରମ୍ଯ ରଚିତ ଜ୍ଯୋତ୍ସ୍ନା ସିଂହ , ପ୍ରିୟଦର୍ଶିନୀ ସାମନ୍ତରାୟ ଓ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଲେଖାରେ ଦେଖିବାକୁ ମିଳେ । କିନ୍ତୁ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଲେଖା ଏକ ନିଆରା ଭିତ୍ତିଭୂମି ଉପରେ ପର୍ଯ୍ଯବେସିତ । ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଲେଖା ହୃଦୟସ୍ପର୍ଶୀ ହେଲେ ବି ରମ୍ଯରଚନା ଭାବରେ ଏତେଟା ଗ୍ରହଣୀୟ ନୁହେଁ । ଜ୍ଯୋତ୍ସ୍ନା ସିଂହଙ୍କ ଅନୁଭୂତିର ଆଲେଖ୍ଯ ମୃଦୁ କଟାକ୍ଷରେ ପୂର୍ଣ୍ଣ । ଯଥାର୍ଥ ରମ୍ୟ ରଚନାର ଭାବାର୍ଥ ଖୁବ ସୁନ୍ଦର ଭାବରେ ସେ ଉପସ୍ଥାପିତ କରି ସା଼ଂପ୍ରତିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ବାସ୍ତବତାକୁ ଚିତ୍ରଣ କରିବାରେ ସଫଳ ହୋଇଛନ୍ତି । ନିବେଦିତା ମହାପାତ୍ରଙ୍କ ଲେଖା ରମ୍ଯରଚନାର ସମ୍ଯକ ରୂପ ନେଇଥିଲେ ବି ସେ ଉଦୟ ଭାନୁର କାର୍ଯ୍ଯକାରିଣୀ ସଦସ୍ଯା ଭାବରେ ଏକ ଆସନରେ ଅଳଂକୃତ । ତେଣୁ ତାଙ୍କୁ ଦେବା ନିୟମ ବହିର୍ଭୁତ । ନିଜ ପରିବାରରୁ ନିଜେ ସମ୍ମାନୀତ ହେବା ପରି ମନେ ହେବ । ତେଣୁ ସବୁ ଦିଗରୁ ଚିନ୍ତା କରି ଆମେ ବିଜେତା ଘୋଷଣା କରିଛୁ । 
        ଏଥର ବିଚାର କରିବା ଜଟିଳ ଥିଲା । ପ୍ରକୃତରେ ଲେଖାର ଅଭାବ ଥିବାରୁ ଏପରି ଅବସ୍ଥା । ଆଶା କରେ ଆଗକୁ ପ୍ରତିଯୋଗୀ ବିଷୟଟି ଭଲଭାବରେ ବୁଝି ଉପସ୍ଥାପନ କରିବା ହେବେ । କିଛି ନୂଆ ମୁହଁ ଯଦି ଅଂଶଗ୍ରହଣ କରନ୍ତେ ତେବେ ଆମ ପରିବାରର ପ୍ରତିଯୋଗିତାଟି ବେଶ୍‌ ସମୃଦ୍ଧଶୀଳ ହୋଇପାରନ୍ତା । ଆଗକୁ ଆମେ ରମ୍ଯରଚନା ବିଭାଗଟିକୁ ଭିନ୍ନ ଢ଼ଙ୍ଗରେ ରମ୍ୟମୂଳକ କାହାଣୀ ଭାବେ ସଂରକ୍ଷଣ କରିବାକୁ ବଦ୍ଧପରିକର । କାରଣ ରମ୍ଯରଚନାର ସମ୍ବନ୍ଧରେ ଯେଉଁ ସୂଚନା ଦିଆଯାଇଥିଲା , ବୋଧହୁଏ ମୋର ବୁଝାଇବାରେ ତ୍ରୁଟି ବା ମୋ ଅପାରଗ ଦୃଷ୍ଟିରୁ ତାହା କୈାଣସି ପ୍ରତିଯୋଗୀଙ୍କ ହୃଦୟକୁ ସ୍ପର୍ଶ କରିପାରି ନାହିଁ, ସେଥିପାଇଁ ଦୁଃଖିତ । ତଥାପି ଆଶାବାଦୀ, ଚଳିତ ଘଟଣାକୁ ନେଇ ରମ୍ଯମୂଳକ ଲଳିତ କ୍ଷୁଦ୍ର ପ୍ରବନ୍ଧ ଆକାରରେ ଲେଖିବାକୁ ପ୍ରୟାସ ଜାରି ରଖନ୍ତୁ । ପ୍ରତିଯୋଗୀଙ୍କିଯୋଗୀ ମନୋଭାବ ରଖି ଆଗାମୀ ଗଳ୍ପ ବିଭାଗ ପାଇଁ ଲେଖା ପ୍ରସ୍ତୁତିରେ ଲାଗି ପଡ଼ନ୍ତୁ । ସାରସ୍ବତ ସରଣୀ ପରିବୃଦ୍ଧିଲ ଲକ୍ଷ୍ୟ ରଖି ଓଡ଼ିଆ ଭାଷା ସାହିତ୍ଯର ସମୃଦ୍ଧି ପାଇଁ ପ୍ରଚେଷ୍ଟିତ ହେବାକୁ ଉଦୟ ଭାନୁର ଅନୁରୋଧ । ସମସ୍ତଙ୍କୁ ସାଧୁବାଦ ।
      " ତାରା  ନିଳୟ "
     ପ୍ଳଟ ନଂ - ୮୫୪/ ଏ , ଚାଚରା  ଶବରସାହି
     ମୁକୁନ୍ଦ ପ୍ରସାଦ ,  ଖୋର୍ଦ୍ଧା  :୭୫୩୦୦୫୫
     ଦୂରଭାଷ  : ୯୦୪୦  ୧୫୧୪  ୭୫
================================
ଜୟ ସାହିତ୍ୟ, ଜୟ ସମାଜ

ବିଚାର ବିମର୍ଷ


ଦେବଯାନୀ ଦାସ
   (ବିଚାରକ)
    'ସାରୁ ଭିତରେ ମାରୁ' ଥିଲା ଏଥର ପ୍ରତିଯୋଗିତାର ଥିମ୍‌ । ଏ ଥିମ୍‌କୁ ନେଇ ରମ୍ଯରଚନା କରିବାକୁ ଦିଆଯାଇଥିଲା । ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନେ ଉତ୍ସାହ ଜନକ ଭାବେ ପ୍ରୟାସ କରିଛନ୍ତି । 
   ମୁଁ ପୂର୍ବଥର ରମ୍ଯରଚନାର ବୈଚାରିକ ଧାରାରେ କହିଥିଲି ଦିଆଯାଇଥିବା ଥିମ୍‌ ଏକ ପ୍ରତୀକାତ୍ମକ ଅର୍ଥ ବହନ କରେ । ଏ ଥିମ୍‌କୁ ବୁଝନ୍ତୁ , ତା'ପରେ ରମ୍ଯରଚନା କରନ୍ତୁ । ଅବଶ୍ଯ ଅନେକ ଏ ଥିମ୍‌କୁ ସଠିକ୍‌ ବୁଝି ରମ୍ଯ ଗଳ୍ପର ଉପସ୍ଥାପନା କରିଛନ୍ତି ଓ ଆଉ କିଏ ଏହାକୁ ସିଧାସଳଖ ଗ୍ରହଣ କରି ବୁଝିବାରେ ଭ୍ରମ କରିଛନ୍ତି । 
ସଠିକ୍‌ ଧାରା , ଅର୍ଥ , ଭାବମୟତା , ଉପସ୍ଥାପନା ସବୁ ଦୃଷ୍ଟିରୁ ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଗଳ୍ପ ଅଭିନନ୍ଦନୀୟ ଓ ଧନ୍ଯବାଦାହ । ମହାଶୟାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ପୂର୍ବଥର ସେ ବିଜେତା ଥିବାରୁ ଏଥର ତାଙ୍କ ଗଳ୍ପକୁ ଆମେ ବିଜେତା ଘୋଷଣା କରିପାରିଲୁ ନାହିଁ ଉଦୟ ଭାନୁର ନିୟମାବଳୀକୁ ଅନୁସରଣ କରି । ମାତ୍ର ଏ ନିୟମକୁ ଆମେ ପ୍ରତ୍ଯାହାର କରିବାକୁ ଚିନ୍ତା କରୁଛୁ । ଉପଯୁକ୍ତ ଲେଖାକୁ ବାରମ୍ବାର ମାନ୍ଯତା ମିଳୁ ଅବା ପୂର୍ବଥର ପାଇଥିଲେ ଏଥର ଯଦି ତାଙ୍କ ଲେଖା ସର୍ବୋତ୍କୃଷ୍ଟ ହେଲା ତା'ହେଲେ ସେ ଲେଖାକୁ ଆମେ କୌଣସି ପ୍ରକାରେ ମାନ୍ୟତା ଦେବାର ଚିନ୍ତା କରୁଛୁ । "ସାରୁ ଭିତରେ ମାରୁ"ର ସଠିକ୍‌ ଅର୍ଥ ବହନ କରି ସୁନ୍ଦର ଗଳ୍ପଟିଏ ଭେଟି ଦେଇଥିବାରୁ ଉଦୟ ଭାନୁ ପରିବାର ତରଫରୁ ମୁଁ ତାଙ୍କୁ  ଅଭିନନ୍ଦନ ଜଣାଉଛି । 
    ତା'ପରେ ଆସିବି ଗୀତାଞ୍ଜଳୀ ପୃଷ୍ଟିଙ୍କ ଗଳ୍ପକୁ । ତାଙ୍କ ଗଳ୍ପରେ ମଧ୍ଯ ରହିଛି ରମ୍ଯ ଓ ସଠିକ୍‌ ଅର୍ଥର ପରିପ୍ରକାଶ । ଚରିତ୍ର ମାନଙ୍କର ନାମକରଣକୁ ସେ ରମ୍ଯ ମୁତାବକ କରିଛନ୍ତି । ଧନ୍ୟବାଦ ଓ ଅଭିନନ୍ଦନ । ତାଙ୍କ ଗଳ୍ପଟି ସୁନ୍ଦର ସାମାଜିକ ସନ୍ଦେଶ ବହନ କରେ । 
    ଏବେ ଆସିବି ଅନୁପମାଙ୍କ ଗଳ୍ପକୁ । ମୁଁ ଆଉଥରେ କହୁଛି  ଓଡ଼ିଆ ସାହିତ୍ଯରେ ରୁଢ଼ିର ଅର୍ଥ କେବେ ସିଧାସଳଖ ନଥାଏ । ପ୍ରତ୍ଯେକର ଅର୍ଥ ପ୍ରତୀକାତ୍ମକ । "ସାରୁ ଭିତରେ ମାରୁ" - ଏଠି ସାରୁ ଶବ୍ଦର ଅର୍ଥ ଆମେ ଖାଉଥିବା ସାରୁ ନୁହେଁ । ସେ ତାଙ୍କର ଗଳ୍ପର ଆରମ୍ଭ ଭୁଲ୍‌ ସମୀକରଣରୁ ହିଁ କରିଛନ୍ତି । ସାରୁକୁ ଇଂରାଜୀରେ , ହିନ୍ଦୀରେ , ବଙ୍ଗଳାରେ କ'ଣ କୁହାଯାଏ ଠାରୁ  ଗଳ୍ପ ମଧ୍ଯରେ ମଧ୍ଯ ସେ ଆମେ ଖାଉଥିବା ସାରୁକୁ ହିଁ ଉପସ୍ଥାପନ କରିଛନ୍ତି । କିନ୍ତୁ ପ୍ରକୃତରେ ଦିଆଯାଇଥିବା ଥିମ୍‌ର ଅର୍ଥ ସେଇଆ ନୁହେଁ । ଯଦିଓ ଗଳ୍ପରେ କୌତୁକ ରହିଛି କିନ୍ତୁ ପ୍ରତିଯୋଗିତାରେ ଦିଆ ଯାଇଥିବା ଥିମ୍‌କୁ ସ୍ପର୍ଶ କରିପାରି ନାହିଁ । 
    ଏଥର ପ୍ରତିଯୋଗିତା କେବଳ ଯେହେତୁ ଗଳ୍ପ ନଥିଲା , ରମ୍ଯ ଗଳ୍ପ ଥିଲା । ତେଣୁ ରମ୍ଯକୁ ପ୍ରାଧାନ୍ୟ ଦେଇ ପ୍ରତାପ ମିଶ୍ରଙ୍କୁ ବିଜେତା ଘୋଷଣା କରାଯାଇଛି । ମହାଶୟଙ୍କୁ ଅଭିନନ୍ଦନ ।
   ଅନ୍ଯ ପ୍ରତିଯୋଗୀ ସ୍ମିତା ମହାନ୍ତି , ପଦ୍ମାଳୟା ମିଶ୍ର , ନିବେଦିତା ମହାପାତ୍ର , ଜ୍ଯୋତ୍ସ୍ନା ସିଂହ , ପ୍ରତାପ କିଶୋର ରାଉତ ଏମାନଙ୍କର ରହିଛି ସୁନ୍ଦର ପ୍ରୟାସ ।ସମସ୍ତ ଗଳ୍ପ ସୁଖପାଠ୍ଯ ।
 ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଭିତରେ ଥିବା ସାହିତ୍ୟିକ ପ୍ରତିଭାକୁ ଉତ୍ସାହିତ ଓ ପରିମାର୍ଜିତ କରନ୍ତୁ । 
ଧନ୍ଯବାଦ , ସମସ୍ତଙ୍କର ସୁସ୍ଥତା ଓ ମଙ୍ଗଳ କାମନା ସହ............
ଜୟ ସାହିତ୍ୟ, ଜୟ ସମାଜ

"ସାରୁ ଭିତରେ ମାରୁ" ; ଲେଖକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସଚେତନତାଧର୍ମୀ ରମ୍ୟ ଗଳ୍ପ

"ସାରୁ ଭିତରେ ମାରୁ" ; ଲେଖକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ  ସଚେତନତାଧର୍ମୀ ରମ୍ୟ ଗଳ୍ପ ================
କଣ୍ଡୁରୀ ଚରଣ ରାଉତ
          'ସାରୁ ଭିତରେ ମାରୁ' ରମ୍ୟ ଗଳ୍ପ ପାଇଁ ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ବିଚାରକ ମଣ୍ଡଳୀଙ୍କଦ୍ବାରା ବିଜୟୀ ଘୋଷିତ ହୋଇଥିବାରୁ ସର୍ବ ପ୍ରଥମେ ତାଙ୍କୁ ସାରସ୍ବତ ଅଭିନନ୍ଦନ ଜଣାଉଛି ।ଅପ୍ରତିହତ ଦୈହିକ କାମନା,ମାତ୍ରାଧିକ ବସ୍ତୁ ସଂପଦ ପ୍ରତି ଲୋଭ ଓ ଅସନ୍ତୁଳିତ ଜୀବନଚର୍ଯ୍ୟାକୁ ନୀଳ ମଉସା ଓ ତନ୍ଦ୍ରା ଚରିତ୍ର ମାଧ୍ୟମରେ ନିଖୁଣ ଅଥଚ ମଜାଦାର ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଲେଖକ ।
        ପୁରୁଷ ପ୍ରଭାବିତ ପରିବାରରେ ପତ୍ନୀରୂପକ ନାରୀଟି ଅବହେଳା  ଓ ଅଣହେଳାର ଶିକାର ହେବା କଥାକୁ ଅତ୍ୟନ୍ତ ରୋଚକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି ଶ୍ରୀ ମିଶ୍ର ।ଗଳ୍ପର ମୁଖ୍ୟ ଚରିତ୍ର ନୀଳ ମଉସା ।ନିଜ ଝିଅ ବିବାହିତ ।ପୁଅ ବିଦେଶରେ ଚାକିରୀ କରେ ।ନିଜେ ଚାକିରୀରୁ ଅବସର ନେଲା ପରେ ବୟସର ସାୟାହ୍ନରେ ଉପନୀତ ହୋଇ  ନିଜ ଅଫିସ୍‌ର ତରୁଣୀ କର୍ମଚାରୀ ତନ୍ଦ୍ରା ପ୍ରତି ତାଙ୍କର କ୍ରମବର୍ଦ୍ଧିଷ୍ଣ ପ୍ରେମନିଶାକୁ ଏମିତି ହାସ୍ୟରସାତ୍ମକ ଢଙ୍ଗରେ ଦର୍ଶେଇଛନ୍ତି ଯେ ପାଠକ ନ ହସି ରହିପାରିବେ ନାହିଁ ।ଅବସର ପରବର୍ତ୍ତୀ ନିଯୁକ୍ତିରେ କାର୍ଯ୍ୟାଳୟ ଯାଇ ସେଠାରେ ତନ୍ଦ୍ରା ସହିତ ଯେଉଁ ରାସଲୀଳା ଚଳେଇଥିଲେ ନୀଳ ମଉସା ତାହା ଯେତିକି ଅରୁଚିକର ସେତିକି ହାସ୍ୟାସ୍ପଦ । ତନ୍ଦ୍ରା ପରି ଅର୍ଥଲୋଭୀ ତରୁଣୀମାନେ ପଇସାବାଲାଙ୍କ ପଇସାରେ ଫୁର୍ତ୍ତି କରିବାରେ ପଶ୍ଚାତପଦ ହୁଅନ୍ତିନି । ଘରେ ନିଜର ପତ୍ନୀକୁ ଜୀବନକାଳ ଭିତରେ ସୁନା ଅଳଙ୍କାରଟିଏ ଦେଇ ପାରି ନଥିବା ନୀଳ ମଉସା ତନ୍ଦ୍ରା ପଛରେ ଟଙ୍କା ଉଡେଇବାରେ ବ୍ୟସ୍ତ ।ବାହାରେ ହୋଟେଲରେ ଖାଇବାଠାରୁ ଆରମ୍ଭ କରି ଘରେ ପତ୍ନୀଙ୍କ ହାତରନ୍ଧାର ନିନ୍ଦା କରିବା ତାଙ୍କୁ ପ୍ରତ୍ୟହ  ଗାଳିଦେବା ଆଦି ଘଟଣାରୁ ପୁରୁଷର ଖାମଖିଆଲୀ ସ୍ବଭାବ ଓ ଅହଙ୍କାରର ସ୍ପଷ୍ଟ ସୂଚନା ମିଳେ । ଅଫିସ୍‌ର ବାର୍ଷିକୋତ୍ସବକୁ ନିଜ ପତ୍ନୀକୁ ନ ଆଣିବା ଓ ତନ୍ଦ୍ରା ପଛରେ ନୁଙ୍ଗୁରୁପୁଙ୍ଗୁରୁ ହେବା ନୀଳ ମଉସାଙ୍କ ପରି ନାରୀ ମାଂସଲୋଭୀ ଆଇଁଷିଆ ବୃଦ୍ଧଙ୍କ ପ୍ରେମ ନିଶା ଯେ ସାରୁ ଭିତରେ ମାରୁ ଏ କଥା କହିବା ନିଷ୍ପ୍ରୟୋଜନ । ଶେଷରେ ନିଜ ପତ୍ନୀ ସମ୍ମୁଖରେ ଧରାପଡ଼ିଯିବା ଘଟଣାକୁ ଏମିତି ନାଟକୀୟ ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଲେଖକ ଯେ ତାଙ୍କୁ ପ୍ରଶଂସା ନ କରି ରହି ହେବନି । ରମ୍ୟରଚନାର ଆଦର୍ଶରୁ ବିଚ୍ୟୁତ ହେଲେ ବି ଲେଖାଟିରେ  ଯେ କିଛି ସାମାଜିକ ବାର୍ତ୍ତା ରହିଛି ତାହା ହିଁ ଆଶ୍ବାସନାର ବିଷୟ ।ଲେଖକଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

11/01/2020

ପ୍ରତାପ କିଶୋର ରାଉତଙ୍କ ରମ୍ୟ ରଚନା "ନଖି ନାନୀ ପୁଅ ଭଗିଆ" ; ଏକ ବିଶ୍ଳେଷଣ

କଣ୍ଡୁରୀ ଚରଣ ରାଉତ 


        ରମ୍ୟ ରଚନା ଦୃଷ୍ଟିରୁ ଆମ ଓଡ଼ିଆ ସାହିତ୍ୟର ପରିସର ସେତେଟା ବ୍ୟାପକ ନୁହେଁ । ତଥାପି କବିତା,ଗଳ୍ପ,ପ୍ରବନ୍ଧ,ରମ୍ୟ ରଚନାକୁ ନେଇ ଉଦୟଭାନୁ ପରିବାରର ଆୟୋଜିତ ସାପ୍ତାହୀକ ସାହିତ୍ୟ ପ୍ରତିଯୋଗିତା ଏ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ । ମାତ୍ର ରମ୍ୟ ରଚନା କ୍ଷେତ୍ରରେ ସାରସ୍ବତ ସାଧକଙ୍କ ଅଂଶଗ୍ରହଣରେ ଆଗ୍ରହ ଓ ନିଷ୍ଠା ସେପରି ଆଶାଜନକ ନୁହେଁ ।
       ଏଥର ରମ୍ୟ ରଚନାର ବିଷୟବସ୍ତୁ ଥିଲା 'ନଖି ନାନୀ ପୁଅ ଭଗିଆ' । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝରର ପ୍ରତାପ କିଶୋର ରାଉତ ନିଜର ପ୍ରତାପ ଦେଖାଇବାରେ କିଛି ପରିମାଣରେ ସଫଳ ହୋଇଛନ୍ତି । ଉଦୟଭାନୁ ପରିବାର ତରଫରୁ ତା'ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
          ଶ୍ରୀ ରାଉତଙ୍କ ଲେଖା ପୂର୍ବରୁ ଡକ୍ଟର ନିଖିଳାନନ୍ଦ ପାଣିଗ୍ରାହୀଙ୍କ ରମ୍ୟ ରଚନା ''ଶୋଇଲା ପୁଅର ଭାଗ୍ୟ" ସଂପର୍କରେ ସମ୍ୟକ୍ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଛି । ଉଦ୍ଦେଶ୍ୟ ରମ୍ୟ ରଚନା ସଂପର୍କରେ ଟିକିଏ ପରିଚିତ କରେଇବା ।ଶୋଇଲା ପୁଅର ଭାଗ୍ୟ ସବୁ କ୍ଷେତ୍ରରେ ଶୋଇ ନ ଥାଏ । ସେ ଲେଖିଛନ୍ତି - " ଚର୍ଚ୍ଚିଲ୍  ଜଣେ ବିଶାଳ ବପୁଧାରୀ ନିଦ୍ରାସକ୍ତ ବ୍ୟକ୍ତି ହୋଇ ମଧ୍ୟ ତତ୍-କାଳୀନ ଅଖଣ୍ଡ  ବ୍ରିଟିଶ୍ ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ଏବଂ ଭୟଙ୍କର ଦ୍ବିତୀୟ ବିଶ୍ବଯୁଦ୍ଧରେ ବ୍ରିଟେନକୁ ବିଜୟୀ କରିପାରିଥିଲେ - ତାହା ଆମ ପାଇଁ ବେଶ୍ ଆକର୍ଷଣୀୟ ମନେ ହେଉଛି ।"
    କେବଳ ଚର୍ଚ୍ଚିଲ୍ ନୁହେଁ,ତାଙ୍କ ପରି ଅନେକ ଶାୟିତ ପ୍ରତିଭା ବିଷୟରେ ଆଲୋଚନା କରି ନିଦ୍ରା ଓ କର୍ମ ଦକ୍ଷତା ମଧ୍ୟରେ ଥିବା କ୍ଷିର-ନୀର ସଂପର୍କର ତର୍ଜମା କରିଛନ୍ତି । ଆଧୁନିକ ଜଞ୍ଜାଳମୟ ଯୁଗରେ ଉତ୍ତମ ନିଦ୍ରାର ଅଭାବ, ନିଦ୍ରା ପରୀକ୍ଷାଗାର, ନିଦ୍ରାର ସ୍ବରୂପ,ନିଦ୍ରା ଯୋଗୁଁ ଅକାଳରେ ପ୍ରାଣ ହରାଇଥିବା  ଅନେକ ଉଦାହରଣ ଦେଇ ରଚନାଟିକୁ ସୁଖପାଠ୍ୟ କରାଇଛନ୍ତି । ଜଣେ ବଙ୍ଗୀୟ ରେଳଯାତ୍ରୀ  ରେଳରେ ପୁରୀ ଆସୁଥିବା ସମୟରେ ପାଇଖାନା କବାଟ ଭାବି ରେଳ ଡବାର କବାଟ ଖୋଲି ନିଦ ବାଉଳାରେ ତଳକୁ ଖସି ପଡ଼ିବା କଥା ବି କହିଛନ୍ତି । ଡକ୍ଟର ପାଣିଗ୍ରାହୀ ଆଉ ଏକ ସୁନ୍ଦର ଉଦାହରଣ ଦେଇଛନ୍ତି । ସେ ଲେଖିଛନ୍ତି - " ନିଦ୍ରାଦେବୀ ଯେ କେବଳ ଦଣ୍ଡ ବିଧାନ କରନ୍ତି,ଏମିତି ଧାରଣା ଆମ ମନରେ ନ ରହିବା ଉଚିତ୍ । ଅନ୍ୟ ଦେବାଦେବୀଙ୍କ ପରି ନିଜ ଭକ୍ତ ଓ ବିଶ୍ବସ୍ତମାନଙ୍କୁ ସ୍ନେହ,ଆଦର ଓ ପୁରସ୍କାର ଢାଳି ଦିଅନ୍ତି ।ବାଜ ମାଝି ନାମକ ପାରାଦୀପ ବନ୍ଦରର ଜଣେ ଡକ୍ ଶ୍ରମିକ ପଣ୍ୟ ଖଲାସ କରିବା ପରେ ସେଇ ଜାହାଜରେ ଶୋଇ ପଡିଥିଲେ ।ଜାହାଜ ବନ୍ଦରରୁ ଛାଡ଼ି ଦେଇଥିଲା ।ଜାହାଜର କର୍ମଚାରୀମାନେ ଯେତେବେଳେ ଜାଣିଲେ ନିଦ୍ରାବଶତଃ ଭୁଲରେ ସେ ରହିଯାଇଛନ୍ତି ଓ ତାଙ୍କର ପରିଚୟ ପତ୍ର ସେମାନେ ଦେଖିଲେ ,ସେତେବେଳେ ତାଙ୍କ ସହିତ ଭଲ ବ୍ୟବହାର କରିବା ସହିତ ଖାଦ୍ୟ ଓ ପାନୀୟ ଦେଇ ତାଙ୍କର ଚର୍ଚ୍ଚା କରିଥିଲେ । ପରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରି ଇଣ୍ଡୋନେସିଆରୁ ବିମାନ ଯୋଗେ ମୁମ୍ବାଇ,ସେଠାରୁ ବିମାନରେ କୋଲକାତା ଓ ପରେ ଟ୍ରେନରେ ପାରାଦୀପ ଫେରିଥିଲେ । ସେ ଫେରିବା ଦିନ ତାଙ୍କୁ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏମିତି ଅପ୍ରତ୍ୟାଶିତ ଜଳ,ସ୍ଥଳ ଓ ଆକାଶପଥରେ ବ୍ୟୟବହୁଳ ଯାତ୍ରା ଉପଭୋଗ କରିବାର ସୁବର୍ଣ୍ଣ ସୁଯୋଗ କେବଳ ନିଦ୍ରାଦେବୀଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇ ପାରିଥିଲା ।" ଏମିତି ରସାଳ ଭାବରେ ରମ୍ୟରଚନାକୁ ପରିବେଷଣ କରାଯାଇପାରେ ।
     ଏବେ ମୂଳ ବିଷୟକୁ ଫେରିବା । ଶ୍ରୀ ରାଉତ ରମ୍ୟ ରଚନାଟିକୁ ସୁନ୍ଦର ଭାବେ ଆରମ୍ଭ କରିଛନ୍ତି । ନଖି ନାନୀ ପୁଅ ଭଗିଆ ପରି ପିଲାମାନେ ଯେ ବେଳେବେଳେ  ଅସମ୍ଭବକୁ ସମ୍ଭବ କରିପାରନ୍ତି ତା'ର ଅନେକ ଉଦାହରଣ ଦେଇଛନ୍ତି ସେ । ଖତ ଗଦାରେ  ପଦ୍ମ ଫୁଟିପାରେ ଓ ବିଭିନ୍ନ ପ୍ରତିକୂଳତା ସତ୍ତ୍ବେ  ଅନେକ ବ୍ୟକ୍ତି କିପରି ସାଧାରଣରୁ ଅସାଧାରଣ ହୋଇପାରିଛନ୍ତି ତା'ର ବହୁତ ଉଦାହରଣ ବି ଦେଇଛନ୍ତି । ସମାଜବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ଶ୍ରେଣୀହୀନ ସମାଜ ଗଠନର ସ୍ବପ୍ନ ଦେଖିଛନ୍ତି ସେ ।
      ପ୍ରାରମ୍ଭଟା ଚମତ୍କାର ହେଇଥିଲେ ବି ସେଇ ଧାରାକୁ  ଲେଖକ ମହାଶୟ ଶେଷ ପର୍ଯ୍ୟନ୍ତ ବଜାୟ ରଖି ପାରିନାହାଁନ୍ତି । ଯେଉଁ ହାସ୍ୟବ୍ୟଙ୍ଗର ପ୍ରତିଫଳନରେ ରମ୍ୟରଚନାଟି ସମୃଦ୍ଧ ହେବା କଥା, ଲେଖକଙ୍କ ଦୃଷ୍ଟି  ଓ ଦର୍ଶନର ନିର୍ଯାସ ଆଲୋଚିତ ହେବା କଥା ସେଥିରୁ କ୍ରମଶଃ ଦୂରେଇ ଯାଇଛନ୍ତି ସେ । ଆଉ ଟିକେ ଚେଷ୍ଟା କରିଥିଲେ ରମ୍ୟରଚନାର ବିଭିନ୍ନ ଦିଗ ସଂପର୍କୀୟ ତତ୍ତ୍ବ ସହିତ ତଥ୍ୟର ସୁଷମ ସମନ୍ବୟ କରି ସନ୍ଦର୍ଭଟିକୁ ଅଧିକ ସୁଖପାଠ୍ୟ କରାଯାଇ ପାରିଥାଆନ୍ତା ବୋଲି ମୋର ବିଶ୍ବାସ ।ତଥାପି ଲେଖକଙ୍କ ପ୍ରୟାସକୁ ସାଧୁବାଦ ଜଣାଉଛି ।ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ବହୁତ ବହୁତ ଶୁଭ କାମନା ।
           ****

ଶିକ୍ଷକ, ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

ରମ୍ୟ ବନାମ ତୀର୍ଯ୍ୟକ ଦୃଷ୍ଟି

 ଡକ୍ଟର ଲକ୍ଷ୍ମଣ ସାହୁ

 
       ଉଦୟ ଭାନୁ ସାହିତ୍ୟ ସଂସଦ ପକ୍ଷରୁ ଗତ ସପ୍ତାହରେ କରାଯାଇଥିବା ରମ୍ୟରଚନାରେ ସଂଖ୍ୟା ଲଘୁ ପ୍ରତିଯୋଗୀଙ୍କୁ ପାଇ ନିରାଶ ହୋଇଛି । ତଥାପି ଯେଉଁମାନେ ଅଂଶ ଗ୍ରହଣ କରିଛନ୍ତି, ସେମାନଙ୍କୁ ମୋର ସାଦର ପ୍ରଣାମ ଓ ଅଭିନନ୍ଦନ ।  ରମ୍ୟରଚନା ପ୍ରତି ଏତେ ବିମୁଖ କାହିଁକି (?), ଜାଣିବାରେ ସାହିତ୍ୟର ବିଭିନ୍ନ ବିଭାଗ ଠାରୁ ଏ ବିଭାଗଟି ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବିଭାଗ । ସାମାନ୍ୟ ଟିକିଏ ଦୃଷ୍ଟି ଦେଲେ ଆପଣ ମାନଙ୍କ କଲମ ଚାଳନାରେ ବିଭାଗଟି ଅଧିକ ରସମୟ ଓ ରୁଦ୍ଧିମନ୍ତ ହୋଇପାରନ୍ତା । ହୁଏତ ଗତ ସପ୍ତାହରେ ପ୍ରଦତ୍ତ ଶୀର୍ଷକ ରୁଚିହୀନ ହୋଇଥାଇ ପାରେ । ତା' ସତ୍ତ୍ୱେ ଶୀର୍ଷକ ପ୍ରତି ବିମୁଖ ହେବା ପ୍ରତିଯୋଗୀ ମାନଙ୍କ ପକ୍ଷରେ ଆଦୌ ଶୋଭନୀୟ ନୁହେଁ । 

       ରମ୍ୟରଚନା କଣ (?), ଏ ସଂପର୍କରେ ସଂକ୍ଷିପ୍ତ ସୂଚନା ଦେବାକୁ ଇଚ୍ଛା କରୁଛି । ମୋ' ଦୃଷ୍ଟିରେ ରମ୍ୟରଚନା ପ୍ରବନ୍ଧ ସାହିତ୍ୟର ଏକ ଲୋକପ୍ରିୟ କଳାରୂପ । ଆଭିଧାନିକ ଅର୍ଥରେ ରମଣୀୟ ରଚନାକୁ ରମ୍ୟରଚନା କୁହାଯାଏ । ଗଳ୍ପ ଓ ଉପନ୍ୟାସକୁ ମଧ୍ୟ ରମ୍ୟ ରଚନା କୁହାଯାଇପାରେ ବୋଲି ଅନେକଙ୍କ ଧାରଣା । କିନ୍ତୁ ଗଳ୍ପ ଓ ଉପନ୍ୟାସ ରମ୍ୟ ରଚନା ନୁହେଁ । କାରଣ ଏହା କାହାଣୀ କୈନ୍ଦ୍ରିକ ରଚନା, କାଳ୍ପନିକ କଥା ବସ୍ତୁର ବିସ୍ତାର ଓ ବିନ୍ଯାସ ଗଳ୍ପ, ଉପନ୍ୟାସ ପ୍ରଧାନ ଲକ୍ଷ୍ୟ ହୋଇଥାଏ । କିନ୍ତୁ ରମ୍ୟ ରଚନାର ବିଷୟ ବସ୍ତୁ ଗଳ୍ପ ଉପନ୍ୟାସର କଥାବସ୍ତୁ ଅପେକ୍ଷା ପ୍ରବନ୍ଧର ଅଧିକ ନିକଟବର୍ତ୍ତୀ ହୋଇଥାଏ । ଏହି ଦୃଷ୍ଟିରୁ ଏହାକୁ ଲଳିତ ନିବନ୍ଧ / ମନ୍ମୟ ପ୍ରବନ୍ଧ ନାମରେ ମଧ୍ୟ ନାମିତ କରାଯାଏ । ରମ୍ୟ ରଚନାରେ ଗୁରୁ ଗମ୍ଭୀର ବିଷୟ ବସ୍ତୁଟି ଆକର୍ଷଣୀୟ ଭଙ୍ଗୀରେ, ତୀର୍ଯ୍ୟକ ଦୃଷ୍ଟିକୋଣରେ ରଚିତ ହେବା ଆବଶ୍ୟକ । ଲଘୁ ବିଷୟ ବସ୍ତୁକୁ ଶ୍ଳେଷାତ୍ମକ ଶୈଳୀରେ ପ୍ରକାଶ କରିବା ଉଚିତ୍ । ପୈାରାଣିକ, ଐତିହାସିକ, ଦାର୍ଶନିକ ତତ୍ତ୍ଵ ଠାରୁ ଆରମ୍ଭ କରି ସାମାଜିକ ସ୍ତରରେ ଘଟୁଥିବା ଘଟଣା, ସମସ୍ୟା ଏପରିକି ଜାତୀୟ ଖେଳର ବିଚାର ବିଶ୍ଳେଷଣ ମଧ୍ୟ ରମ୍ୟରଚନାର ବିଷୟବସ୍ତୁ ଭାବେ ନିଆଯାଇପାରିବ ।
   
   ଉଦାହରଣ ସ୍ୱରୂପ ରାଧାନାଥ ରାୟଙ୍କ 'ବିବେକୀ', ଫକିରମୋହନଙ୍କ 'ନନାଙ୍କ ପାଞ୍ଜି', ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ 'ଭାଗବତ ଟୁଙ୍ଗିରେ ସନ୍ଧ୍ୟା', ଗୋବିନ୍ଦ ତ୍ରିପାଠୀଙ୍କ 'ଛୋଟ କଥାଟିଏ', 'ବଟୁଆ', 'କଖାରୁ ଫୁଲ', ହରେକୃଷ୍ଣ ମହତାବଙ୍କ 'ଗାଁ ମଜଲିସ୍', ରାଧାନାଥ ରଥଙ୍କ 'ଝିଟିପିଟି କହେ', କୃଷ୍ଣ ପ୍ରସାଦ ବସ୍ତୁଙ୍କ 'ଆଖଡା ଘରେ ବୈଠକ', ଚିତ୍ତରଞ୍ଜନ ଦାସ 'ରୋହିତର ଡାଏରୀ', ଚନ୍ଦ୍ର ଶେଖର ରଥଙ୍କ 'ମୁଁ ସତ୍ୟଧର୍ମା କହୁଛି' ଆଦିକୁ ରମ୍ୟରଚନା ଭାବରେ ଗ୍ରହଣ କରାଯାଏ ।  

   ସଂକ୍ଷେପରେ କହିବି କେବଳ ଥଟ୍ଟା କି ମଜାଳିଆ କଥାରେ ରମ୍ୟରଚନା ଲେଖାଯାଏ ନାହିଁ । ସମସାମୟିକ ରାଜନୀତି, ସମାଜ ଜୀବନ, ବ୍ୟକ୍ତି ଚରିତ୍ରର ଆତ୍ମବଡିମା, ଅହଂକାର, ଦୁର୍ନୀତି ପ୍ରଭୃତିକୁ ବିଶେଷ ଢଙ୍ଗରେ, ଉନ୍ନତ କଳାତ୍ମକ ଶୈଳୀରେ, ରୁଚିକର ଶବ୍ଦ ବିନ୍ୟାସ ସହିତ ବିଷୟବସ୍ତୁର ଅନୁଶୀଳନ ଓ ଅନୁବିକ୍ଷଣ କରିପାରିଲେ ତାହା ସାର୍ଥକ ରମ୍ୟରଚନା ହୋଇପାରିବ । ଏଥିରେ ଥାଏ ସମସ୍ୟାର ସମାଧାନ, ବାଟ ହୁଡି ଯାଉଥିବା ବ୍ୟକ୍ତି ପାଇଁ ନୂତନ ଦିଶା । ତେବେ ସୂଚେଇ ଦେବାକୁ ଚାହୁଁଛି, ଏଥିରେ ଯଦି କାହାର ଦ୍ୱି-ମତ ଥାଏ, ବାଦ-ବିବାଦ ଘେରକୁ ଆସିବାକୁ ମୁଁ ଚାହୁଁ ନାହିଁ, ବରଂ ସ୍ୱାଗତ କରିବି ଆପଣମାନଙ୍କ ଅଭିମତକୁ । ରମ୍ୟରଚନା ସଂପର୍କରେ ଯାହା ମୋର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ଓ କିଛି ପୂର୍ବଜ ସମାଲୋଚକଙ୍କ ମତକୁ ଆଧାର କରି ସଂକ୍ଷେପରେ ଉଲ୍ଲେଖ କରିଛି । ଉନ୍ନତ ସାହିତ୍ୟ ସର୍ଜନା ଆମର ଲକ୍ଷ୍ୟ ହେଉ..!!!

====================
 ● " ତାରା  ନିଳୟ "
     ପ୍ଳଟ ନଂ - ୮୫୪/ ଏ , ଚାଚରା  ଶବରସାହି
     ମୁକୁନ୍ଦ ପ୍ରସାଦ ,  ଖୋର୍ଦ୍ଧା  :୭୫୩୦୦୫୫
     ଦୂରଭାଷ  : ୯୦୪୦  ୧୫୧୪  ୭୫
=========================
ଜୟ ସାହିତ୍ୟ, ଜୟ ସମାଜ

ଏଥରର ପ୍ରତିଯୋଗିତା ଓ ପ୍ରତିଯୋଗୀ ଉଦ୍ଦେଶ୍ଯରେ :"ନଖୀ ନାନୀ ପୁଅ ଭଗିଆ"

ଦେବଯାନୀ ଦାସ 


ଏଥରର ପ୍ରତିଯୋଗିତା ଓ ପ୍ରତିଯୋଗୀ ଉଦ୍ଦେଶ୍ଯରେ :
    ଏଥର ପ୍ରତିଯୋଗିତା ଥିଲା  ରମ୍ଯରଚନା "ନଖୀ ନାନୀ ପୁଅ ଭଗିଆ" । ଏ ଥିମ୍‌ ସମ୍ପୂର୍ଣ୍ଣ ପ୍ରତୀକାତ୍ମକ । ଏହାର ସିଧାସଳଖ ଅର୍ଥ ନାହିଁ ଯେହେତୁ ଏହା ଏକ ରୁଢ଼ିର ନାମ । ଏହାକୁ ବୁଝି ସେଇ ପ୍ରତୀକାତ୍ମକ ଅର୍ଥ ରଖି ରମ୍ୟରଚନା କରିବା ହିଁ ଥିଲା ପ୍ରତିଯୋଗିତାର ଉଦ୍ଦେଶ୍ୟ ।
   ମାତ୍ର ଏଥର ପ୍ରତିଯୋଗୀ ମାତ୍ର ଚାରିଜଣ । ସେଥି ମଧ୍ୟରୁ ଦିଆଯାଇଥିବା ଥିମ୍‌କୁ ଠିକ୍‌ ଭାବେ ଉପସ୍ଥାପନ କରିବାରେ ଯାହା ଯେତିକି ସମର୍ଥ ହୋଇଛନ୍ତି ଯିଏ ସେଇ ଜଣଙ୍କୁ ଆମେ ନିର୍ବାଚିତ କରିଛୁ । 
    ସାହିତ୍ଯରେ ପ୍ରବନ୍ଧ , ଗଳ୍ପ , କବିତା ଭଳି ରମ୍ଯ ଏକ ବିଭାଗ ସେଥିପାଇଁ ଉଦୟ ଭାନୁ ତରଫରୁ ହେଉଥିବା ପ୍ରତିଯୋଗିତାରେ ସେ ବିଭାଗଟିକୁ ମଧ୍ୟ ଦେବାକୁ ଆମେ ଇଚ୍ଛା କରି ଆସୁଥିଲୁ । creativityର ଏହା ମଧ୍ୟ ଏକ ଅଂଶ । କିନ୍ତୁ ଜଣା ପଡୁଛି ସାମ୍ପ୍ରତିକ ସ୍ଥିତିରେ ରମ୍ଯ ଅଦୃଶ୍ୟ । ଏ ବିଭାଗଟିକୁ ପ୍ରତିଯୋଗିତାରେ ଆଉ ସାମିଲ ନ କରିବାର ନିଷ୍ପତ୍ତି ନିଆଯାଇପାରେ । 
     ବିଜେତାଙ୍କୁ ହୃଦୟର ସହ ଧନ୍ଯବାଦ । ଯାହାହେଉ ସାହିତ୍ଯରେ ଅଭାବୀ ରମ୍ଯ ମଧ୍ଯରେ ସେ ରମ୍ଯର ସ୍ଥିତି ଧରିଥିବାର ପ୍ରୟାସ କରି ସଫଳ ହୋଇଛନ୍ତି । ଅନ୍ଯ ସମସ୍ତଙ୍କୁ ଶୁଭକାମନା ; ସମସ୍ତେ ସୁସ୍ଥ ଓ ନିରାପଦ ଥାଆନ୍ତୁ ।
                                         ଦେବଯାନୀ ଦାସ 
                                     ବିଚାରକ - ଉଦୟ ଭାନୁ
ଜୟ ସାହିତ୍ୟ, ଜୟ ସମାଜ

10/24/2020

କମ୍‌ କମ୍‌ କଥା:ଅନୁପମା ଦାସଙ୍କ ଚତୁଃବର୍ଗ (ଧର୍ମ-ଅର୍ଥ-କାମ-ମୋକ୍ଷ) ଫଳଦାୟିନୀ:-"ସ୍ତ୍ରୀ


      "ଯା ଦେବୀ ସର୍ବ ଭୁତେଷୁ ଶକ୍ତି ରୂପେଣ ସଂସ୍ଥିତା
      ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ।"


    ଧରାର ମୂଳ କେନ୍ଦ୍ରବିନ୍ଦୁରେ ନାରୀ, ଶକ୍ତି ରୂପରେ ଅଧିଷ୍ଠିତା । ନାରୀର ବିନା ହସ୍ତକ୍ଷେପରେ କୌଣସି କାର୍ଯ୍ୟ ସାଧିତ ହେବା ସମ୍ଭବ ନୁହେଁ । ନାରୀ ପୁରୁଷର ସହଧର୍ମିଣୀ ଓ ସହକର୍ମିଣୀ । ତା'ର ବିନା ସାହଚର୍ଯ୍ୟରେ ପୁରୁଷର ଉନ୍ନତି ଅସମ୍ଭବ । ନାରୀ ସର୍ବଂସହା ଧରିତ୍ରୀ । କେତେବେଳେ ଜନନୀ ରୂପ ଧାରଣ କରି ଜଠରରେ ତା'ର ସନ୍ତାନକୁ ସୁରକ୍ଷିତ ରଖେ ; କେତେବେଳେ ସ୍ନେହମୟୀ, ମମତାମୟୀ ଜନନୀ ଭାବରେ ନିଜର ସନ୍ତାନମାନଙ୍କୁ ଉଚିତ୍ ମାର୍ଗରେ ପରିଚାଳିତ କରେ ; ପୁଣି କେତେବେଳେ ତା'କୁ ଉଗ୍ର ତଥା ଚଣ୍ଡୀ ରୂପ ଧାରଣ କରିବାକୁ ପଡ଼ିଥାଏ । ନାରୀ ହିଁ ପ୍ରକୃତରେ ଧର୍ମ,ଅର୍ଥ,କାମ ଓ ମୋକ୍ଷ ଫଳଦାୟିନୀ । ପୁରୁଷକୁ ସଠିକ୍ ମାର୍ଗ ଦର୍ଶନ କରାଇବାରେ ନାରୀର ଭୂମିକା ମହତ୍ତ୍ବପୂର୍ଣ୍ଣ । ସେଇ ପ୍ରସଙ୍ଗରେ ପ୍ରାବନ୍ଧିକା  ଅନୁପମା ଦାସଙ୍କ ଆଲୋଚନା ବାସ୍ତବରେ ସୁନ୍ଦର ହେଇଛି । 
      ତା'ଙ୍କ ମତରେ :-"ମାନବ ସମାଜରେ ସ୍ତ୍ରୀ ଓ ପୁରୁଷ ଦୁଇଟି ଶ୍ରେଣୀ ରହିଲେ ମଧ୍ୟ ଆଦର୍ଶ ସମାଜ ଗଠନ ଓ ବର୍ଦ୍ଧନଶୀଳ କରିବାରେ ସ୍ତ୍ରୀର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ ।ସଂସାରରେ ସ୍ତ୍ରୀ ସ୍ବାମୀର ଧର୍ମ,କର୍ମରେ ସାହାଯ୍ୟ କରେ ବୋଲି ତା'ର ଅନ୍ୟ ନାମ ସହଧର୍ମିଣୀ, ସହକର୍ମିଣୀ । ଏହି ଯେଉଁ ଧର୍ମ,ଅର୍ଥ,କାମ,ମୋକ୍ଷ ପ୍ରଦାନ କରିବା କଥା କୁହାଯାଉଛି,ବାସ୍ତବରେ ସ୍ତ୍ରୀ ଭିତରେ ଏହି ଶକ୍ତି ବିଧାତା ପ୍ରଦତ୍ତ ।"
      ପ୍ରତ୍ୟେକ ପ୍ରସଙ୍ଗକୁ ବିଭିନ୍ନ ଉଦାହରଣ ଦେଇ ନାରୀର ମହନୀୟତାକୁ ପ୍ରତିପାଦନ କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ । ନାରୀ ବିଷୟକ ଲେଖାରେ ଜଣେ ଲେଖିକା ପ୍ରଥମ ସ୍ଥାନ ଅଧିକାର କରିବାକୁ ଏକ ସଂଯୋଗ ବି କୁହାଯାଇପାରେ  ।ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସାରସ୍ବତ ସମ୍ମାନ ସହିତ ଶୁଭ କାମନା ଜଣାଉଛି ।
    ନିବେଦିତା ମହାପାତ୍ରଙ୍କ ଲେଖା ମଧ୍ୟ ମୋର ହସ୍ତଗତ ହେଇଛି । ତା'ଙ୍କ ଲେଖାଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି । ବିଭିନ୍ନ ଶାସ୍ତ୍ର ପୁରାଣରୁ ପୌରାଣିକ ଉପାଖ୍ୟାନ ମାଧ୍ୟମରେ ଚତୁଃବର୍ଗରେ ନାରୀର ଭୂମିକା ସଂପର୍କରେ ସେ ଯେପରି ଆଲୋଚନା କରିଛନ୍ତି ବାସ୍ତବରେ ପ୍ରଶଂସନୀୟ ।କାର୍ଯ୍ୟକାରୀ ପରିଷଦର ସଦସ୍ୟ ଥିବାରୁ ତାଙ୍କ ଲେଖାକୁ ବୋଧହୁଏ ବିଚାରକୁ ନିଆଯାଇନାହିଁ । ସେ ଯାହା ବି ହେଉ ଉଦୟଭାନୁର ଏପରି ସାଧୁତା ଓ ନିରପେକ୍ଷତା ପ୍ରକୃତରେ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିବ ନିଶ୍ଚୟ । ଅଂଶ ଗ୍ରହଣ କରିଥିବା ସମସ୍ତ ସାରସ୍ବତ ସ୍ରଷ୍ଟାଙ୍କୁ ଶୁଭ କାମନା ଜଣାଉଛି ।ସମସ୍ତଙ୍କୁ ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭ କାମନା ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

ଚତୁଃବର୍ଗ

 ଡଃ ଲକ୍ଷ୍ମଣ ସାହୁ
ଉଦୟ ଭାନୁ ସାହିତ୍ଯ ସଂସଦ' ପ୍ରତିଯୋଗିତାରେ ବିଷୟବସ୍ତୁ ଥିଲା - "ଚତୁଃବର୍ଗ(ଧର୍ମ - ଅର୍ଥ - କାମ - ମୋକ୍ଷ) ଫଳଦାୟିନୀ : "ସ୍ତ୍ରୀ" "। ସ୍ୱଳ୍ପ ସଂଖ୍ୟକ ଲେଖା ଆସିଥିବା ବେଳେ କେତେକ ବିଷୟ ବସ୍ତୁକୁ ବୁଝି ନପାରି କେବଳ ଚତୁଃବର୍ଗ (ଧର୍ମ, ଅର୍ଥ ,କାମ ଓ ମୋକ୍ଷ) ଉପରେ ଗୁରୁତ୍ଵ ଦେଇଛନ୍ତି । ସ୍ତ୍ରୀ ଶବ୍ଦ ଯୋଗ ହୋଇନାହିଁ କି ସ୍ତ୍ରୀ ପାଖରେ ଥିବା ଚତୁଃବର୍ଗ ଫଳକୁ ବ୍ୟାଖ୍ୟା କରାଯାଇ ନାହିଁ । କେତେକ ପ୍ରଶ୍ନ କରିଛନ୍ତି ସ୍ତ୍ରୀ' କିପରି ଚତୁଃବର୍ଗ ଫଳ ପ୍ରଦାତ୍ରୀ ? କିଛି ବି କହିଛନ୍ତି ସ୍ତ୍ରୀ ଜାଗାରେ ନାରୀ ହୋଇଥିଲେ ଠିକ୍‌ ହୋଇଥା'ନ୍ତା । ନାରୀ ଆଉ ସ୍ତ୍ରୀ ଭିତରେ ଆକାଶ ପାତାଳ ତଫାତ୍ । ସେ ସବୁ ବୁଝାଇବାକୁ ସମୟ ଲାଗିବା ସହ ବୈଚାରିକଧାରାଟି ଦୀର୍ଘ ରୂପ ଧାରଣ କରିବ । 

         ନାରୀର ଚତୁଃବର୍ଗ ଧର୍ମ, ଅର୍ଥ, କାମ ଓ ମୋକ୍ଷ ନୁହେଁ..!!! ନାରୀର ଚତୁଃବର୍ଗ ହେଉଛି ସତ୍ଯ , ଶାନ୍ତି , ଦୟା , କ୍ଷମା ଏବଂ ଚାରୋଟି ରୂପ - କନ୍ଯା, ଭଗିନୀ, ଜାୟା ଓ ଜନନୀ । ଏ ଚାରୋଟିରୁ ଗୋଟିଏ ହେଉଛି ଜାୟା , ଯାହାର ଅର୍ଥ ସ୍ତ୍ରୀ । ଗୋଟିଏ ସ୍ତ୍ରୀ ତା'ର ସ୍ବାମୀକୁ ଧର୍ମ, ଅର୍ଥ, ଅର୍ଥ, କାମ ଓ ମୋକ୍ଷ ନାମ୍ନୀ ଚତୁଃବର୍ଗ ଫଳ ଦେଇପାରେ । ସ୍ବାମୀଙ୍କ ମଙ୍ଗଳ ମନାସି ସ୍ତ୍ରୀ ବାରମାସରେ ତେର ଓଷା କରେ । ସାବିତ୍ରୀ ବ୍ରତ ପରି ଅନେକ ଉପବାସ ରଖେ । ହିନ୍ଦୁ ବିଶ୍ୱାସ ଅନୁସାରେ ହାତର ଶଙ୍ଖା ଓ ମଥାର ସିନ୍ଦୂରର ସୁରକ୍ଷା ପାଇଁ ପଥରକୁ ଠାକୁର ଭାବି ପୂଜାର୍ଚ୍ଚନା କରେ। ସ୍ତ୍ରୀ'ର ଏ ଧର୍ମାଚରଣ ସ୍ବାମୀକୁ ପ୍ରାପ୍ତ ହୁଏ ଯେହେତୁ ସେ ଅର୍ଦ୍ଧାଙ୍ଗିନୀ । ସ୍ବାମୀ-ସ୍ତ୍ରୀ'ଙ୍କର ପ୍ରତ୍ଯେକ ଦୁଃଖ-ସୁଖ ସମ ପରିମାଣରେ ଆବଣ୍ଟନ ପରସ୍ପର ବୁଝାମଣା ମଧ୍ୟରେ ଥାଏ । 
          ସ୍ତ୍ରୀ' ହେଉଛି ଲକ୍ଷ୍ମୀ ସ୍ବରୂପା । ଅର୍ଥର ଗନ୍ତାଘର, ଲକ୍ଷ୍ମୀଙ୍କ ଅବସ୍ଥାନରେ ଅର୍ଥରେ ଅଭାବ ନଥାଏ । ଲକ୍ଷ୍ମୀ ସନ୍ତୋଷ ରହିଲେ ଅର୍ଥ ଅଜାଡ଼ି ହୋଇପଡ଼େ ବୋଲି ଧର୍ମ ବିଶ୍ବାସ ଅଛି । ଆଉ ଏକ ଅର୍ଥରେ ସ୍ତ୍ରୀ ସ୍ବୟଂ ରତିରୂପା । କାମ ପ୍ରଦାନରେ କୁଣ୍ଠିତ ନୁହେଁ । ଶେଷରେ ସ୍ତ୍ରୀ'ର ଧର୍ମାଚରଣ, ଈଶ୍ୱର ବିଶ୍ବାସ ଓ ଭକ୍ତି ଭାବ ସହିତ ସ୍ବାମୀ ଅନୁରକ୍ତା ହେତୁ ସେ ସତୀ ସାଧ୍ବୀ ପାଲଟି ଯାଏ । ସତୀ ସାଧ୍ବୀ ନାରୀର ଏତାଦୃଶ କାର୍ଯ୍ୟକଳାପ ଦ୍ବାରା ସ୍ବାମୀ ଅହେତୁକ ପ୍ରୀତତା ପ୍ରାପ୍ତ କରେ ଏବଂ ସମସ୍ତ ଦୁଃଖ କ୍ଳେଶ ଆପେ ଅପସରି ଯାଏ, ଏହା ହିଁ ହେଉଛି ମୋକ୍ଷ । 
          ଏଭଳି ଯଥାର୍ଥ ଭାବନାର ପରିସ୍ଫୁଟନ କରିଛନ୍ତି ଅନୁପମା ଦାସ ଓ ନିବେଦିତା ମହାପାତ୍ର । ଉଭୟଙ୍କ ଲେଖା ସମସାମୟିକ ହେଲେ ବି ନିବେଦିତା ମହାପାତ୍ରଙ୍କ ଲେଖା ଅନେକ ଉଦାହରଣ ପ୍ରଦାନ କରିଛି । କିନ୍ତୁ ସେ ମହାଶୟା ଆମ ସଂସଦର ଉଚ୍ଚାସନରେ ଆସୀନ ଓ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ କାର୍ଯ୍ୟ ସଂପାଦନା କରୁଛନ୍ତି । ତେଣୁ ନିଜେ ସଂପାଦନା ଦାୟିତ୍ଵ ବହନ କରି ଅନୁଷ୍ଠାନରୁ ନିଜେ ସମ୍ମାନିତ ହେବା ଅନୁଚିତ ମନେକରି ତାଙ୍କ ସହ ସମ ତାଳ ଦେଇଥିବା ସ୍ରଷ୍ଟା ଅନୁପମା ଦାସଙ୍କୁ ବିଜେତା ଘୋଷଣା କରିଛୁ । 
      ଆଶା କରେ ପ୍ରତିଯୋଗୀମାନେ ସହୃଦୟତାର ସହ ଆମ ମାନଙ୍କ ବିଚାର ଧାରାକୁ ଗ୍ରହଣ କରିବେ । ସାହିତ୍ୟ ସମାଜ ପାଇଁ ପ୍ରେରିତ । ସମାଜକୁ ନୂଆ ଦିଶା ଦେଉ । ତଥ୍ୟପୂର୍ଣ୍ଣ ବା ଆଲୋଚନା ଭିତ୍ତିକ ପ୍ରବନ୍ଧ ଲେଖିବା ବେଳେ ଶୀର୍ଷକ ପ୍ରତି ଅଧିକ ଧ୍ୟାନ ଦେବାକୁ ତଥା ସାଧାରଣ ଜନତାଙ୍କ ବୋଧଗମ୍ୟ ହେବା ଭଳି ଶବ୍ଦ ଚୟନ କରିବାକୁ ଅନୁରୋଧ । ପ୍ରବନ୍ଧ ଯେତେ ସରଳ ସାବଲୀଳ ହେବ ତାହା ସେତେ ଜନାଦୃତ ଲାଭ କରିବ ।  
     ==================
® ତାରା ନିଳୟ, ପ୍ଳଟ୍-୮୫୪/ଏ
    ଚାଚରା ଶବରସାହି, ମୁକୁନ୍ଦ ପ୍ରସାଦ
     ଖୋର୍ଦ୍ଧା -୫୫, 
     ଦୂରଭାଷ-୯୦୪୦ ୧୫୧୪୭୫
=========================
ଜୟ ସାହିତ୍ୟ, ଜୟ ସମାଜ

ଆମ ବିଚାରରେ ଏଥରର ପ୍ରତିଯୋଗିତା

ଦେବଯାନୀ ଦାସ 

ଉଦୟ ଭାନୁ ତରଫରୁ ହେଉଥିବା ପ୍ରବନ୍ଧ ପ୍ରତିଯୋଗିତା ହିଁ ଲାଗେ ପ୍ରତିଯୋଗିତା ଭଳି । ପ୍ରତ୍ଯେକ ପ୍ରତିଯୋଗୀ ସୁନ୍ଦର ପ୍ରୟାସ କରନ୍ତି , ଆଉ ସେ ସବୁ ପଢ଼ିବା ବେଳେ ଭଲ ଲେଖା କିଛି ପଢ଼ିବାର ଆତ୍ମସନ୍ତୋଷ ଆସେ । 
     ଏଥରର ପ୍ରବନ୍ଧର ବିଷୟବସ୍ତୁ ଖୁବ୍‌ ଭଲ ଥିଲା । ଆଉ ସମସ୍ତ ପ୍ରତିଯୋଗୀ ବିଭିନ୍ନ ଉଦାହରଣ ମାଧ୍ୟମରେ ଏସବୁ ବର୍ଣ୍ଣନା କରିଛନ୍ତି । କହିବାକୁ ଗଲେ ମୋତେ ଅନେକ କିଛି ନୂଆ ଉପାଦାନ ବି ମିଳୁଛି ଏସବୁ ପ୍ରବନ୍ଧରୁ । ତଥ୍ୟ ସଂଗ୍ରହ ପ୍ରୟାସ ସମସ୍ତଙ୍କର ଅଭିନନ୍ଦନୀୟ । 
     କାଙ୍ଗାଳୀ ଚରଣ ସେଠୀ , ନିବେଦିତା ମହାପାତ୍ର , ସଦାନନ୍ଦ ସାହୁ , ସଂଯୁକ୍ତା ସାହୁ , ପ୍ରତାପ ମିଶ୍ର , କେଶବ ଚନ୍ଦ୍ର ବେହେରା , ପ୍ରତାପ କିଶୋର ରାଉତ , ଅନୁପମା ଦାସ ସମସ୍ତେ ନିଜ ନିଜ ପ୍ରବନ୍ଧକୁ ତଥ୍ୟ ଓ ଉଦାହରଣ ମାଧ୍ୟମରେ ସୁନ୍ଦର ଭାବେ ସଜାଇ ଉପସ୍ଥାପନ କରିଛନ୍ତି । 
      ଏମାନଙ୍କ ମଧ୍ୟରୁ ଅନୁପମା ଦାସଙ୍କ ଲେଖାକୁ ଶ୍ରେଷ୍ଠ ବିବେଚିତ କରିଛୁ । ସୀମିତ ଶବ୍ଦ ମଧ୍ଯରେ ବିଷୟବସ୍ତୁର ସାରକଥାକୁ ସେ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି । ଯୋଉଟିକୁ ମୁଁ ସର୍ବଦା ପ୍ରାଧାନ୍ୟ ଦେଇଥାଏ ।
      ଧର୍ମ , ଅର୍ଥ , କାମ , ମୋକ୍ଷର ସଂଜ୍ଞା ସହ ଉଦାହରଣ ଓ ତଥ୍ଯ ପୃଥକ ପୃଥକ ବର୍ଣ୍ଣନା କରି ପୁଣି ବିଷୟବସ୍ତୁ ସହ ସଂଯୋଗ କରିବାର ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ସେ । ଅଭିନନ୍ଦନ ଅନୁପମା ଦାସ । 
    ଅନ୍ୟ  ସମସ୍ତଙ୍କ ପାଇଁ ଅସରନ୍ତି ଶୁଭେଚ୍ଛା ଓ ଶୁଭକାମନା । କରୋନାର ଭୟାବହତା ମଧ୍ଯରେ ଦୁର୍ଗାପୂଜାର ବାହ୍ୟ ଆଡ଼ମ୍ବରତା ହ୍ରାସ ପାଇପାରେ । ମାତ୍ର ନିଜ ଭିତରର ଭକ୍ତି ଓ ଦୁର୍ଗା ଆବାହନର ପ୍ରକୃତ ଅର୍ଥର ଉପଲବ୍ଧି ଆପଣ ମାନଙ୍କ ମଧ୍ୟରେ ରହୁ । ଏ କାମନା ସହ ସମସ୍ତେ ସୁସ୍ଥ ଓ ନିରାପଦରେ ଥାଆନ୍ତୁ । 

                                     ବିଚାରକ - ଉଦୟ ଭାନୁ
ଜୟ ସାହିତ୍ୟ, ଜୟ ସମାଜ

10/19/2020

ବର୍ଷା



== ବର୍ଷା ==


           "ବରଷା କାଳ ଅଟେ ମଙ୍ଗଳକାରୀ
           ପାଳଇ ପରଜାଙ୍କୁ ବରଷି ବାରି"
                                          ~ମଧୁସୁଦନ ରାଓ~ 
  
    "ବର୍ଷା"  ଏକ ଋତୁ, ଯାହା ଜୀବଜଗତ ପାଇଁ ଅନିର୍ବାର୍ଯ୍ଯ । ବର୍ଷା ବିନା ସମଗ୍ର ସୃଷ୍ଟିର ସ୍ଥିତି ଅସମ୍ଭବ । ରୌଦ୍ରତାପକୁ ଉପସମ କରି ବର୍ଷା ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସେ । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଦିବସରେ ମଧ୍ୟ ସଂଧ୍ୟାର ଭ୍ରାନ୍ତି ସୃଷ୍ଟି କରେ । ଚଷା ପୁଅର କର୍ମମୟ ଜୀବନରେ ଚଞ୍ଚଳତା ସୃଷ୍ଟି ହୁଏ ।  ବର୍ଷା ଋତୁ ଫସଲର ଋତୁ ।  ଜଳ ସ୍ପର୍ଶରେ ଶସ୍ୟରାଜି ଅଙ୍କୁରି ଉଠେ । ନୂଆ ତେଜ, ନୂଆ ଉନ୍ମଦନା ନେଇ ଆତ୍ମପ୍ରକାଶ କରି ବସେ, କଅଁଳ ସବୁଜ ପତ୍ର ମେଲି ନୂଆ ସୂର୍ଯ୍ୟକୁ ଉପଭୋଗ କରେ । ଚଷା ପୁଅର ପ୍ରାଣରେ ଖେଳିଯାଏ ଅଫୁରନ୍ତ ଆନନ୍ଦ, ଦୀର୍ଘ ଦିନର ଶ୍ରମ ତା'ର ସଫଳ ହୁଏ ।  ଆକାଶରେ ଇନ୍ଦ୍ରଧନୁ, ବାଡି ବଗିଚାରେ ନାଲି ଟୁକୁ ଟୁକୁ ସାଧବ ବୋହୂର ସଲ୍ଲଜ ଚାଲି, ଚାରିଆଡ଼େ ତରୁଣ ବୃକ୍ଷରାଜିର ସୁଷମାର ଶୋଭାମୟ ମନଛୁଆଁ ଦୃଶ୍ୟ । ପଲ୍ଲୀ ବାଳକର ଦରୋଟି ଓଠରୁ 'ମେଘ ବରଷିଲା ଟପର ଟପଟ କେଶର ମାଇଲା ଗଜା..'ମଧୁର ମୂର୍ଚ୍ଛନା, ବର୍ଷା ଝଡ଼ରେ ତାଳ ବୃକ୍ଷ ଡାଳେ ବାୟା ଚଢ଼େଇର ନିର୍ଭୟତା, ଘଡ ଘଡିର ତାଳେ ତାଳେ ଶସ୍ୟରାଜି ଅଙ୍କୁରି ଉଠୁଥିବା ବେଳେ ନନ୍ଦ କିଶୋର ବଳଙ୍କର ପଂକ୍ତି ମନେପଡେ- 

" ଘଡଘଡି ଶୁଣି କାଙ୍କଣ ହାଣ୍ତିରୁ     କାଙ୍କଣ ମାରଇ ଗଜା
   ସଲରା ବାଡ଼କୁ ମଡ଼ାଏ କୃଷକ   ଘରଣୀ ଦେଇଣ ରଞ୍ଜା -"

ସତରେ ବର୍ଷା ଆଗମନରେ ଫଳ ଫୁଲର ସମାବେଶ, ପିଢ଼ା ବାଡ଼ିରେ ଜହ୍ନି ଫୁଲର ଅପୂର୍ବ କାନ୍ତି, କିଆବଣରେ କିଆଫୁଲର ଅପୂର୍ବ ସୁଗନ୍ଧି ପଲ୍ଲୀ ପରିବେଶକୁ ମନୋରମ କରୁଥିବା ବେଳେ ଦୂର ବିଦେଶୀ ପଥିକ ପ୍ରାଣରେ ଚଞ୍ଚଳତା, ବୃନ୍ଦାବତୀଙ୍କ ମୂଳେ ସଂଧ୍ୟା ଦୀପଜାଳି ପଲ୍ଲୀ ବଧୂ ସୁଖ ମନାସିବା, ଜନନୀ କୋଳରେ ଅଝଟ ଶିଶୁର ନିଦ୍ରା, ସନ୍ଧ୍ୟା କାଳୀନ ମନ୍ଦିର ମଥାନରୁ ଅସ୍ପଷ୍ଟ ବେଦମନ୍ତ୍ର ଉଚ୍ଚାରଣ, ଗାଁ ଗୋହିରୀ ବୃକ୍ଷ ଆଢୁଆଳରେ ବିଲୁଆର ହୁକେ ହୋ ରବ ଛନକା ସୃଷ୍ଟି କରେ । ବର୍ଷା ଉପରେ ବର୍ଣ୍ଣନା କଲେ କେତେ ଯେ କାଗଜର ଫର୍ଦ୍ଦ ସରିଯିବ ତା'ର କଳନା ନାହିଁ । ଦୁଇ ଅକ୍ଷର ବିଶିଷ୍ଟ ଏ ଛୋଟ ଶବ୍ଦଟିର ବ୍ଯାଖ୍ଯା ଅତି ବ୍ଯାପକ । ବିଷ୍ଣୁପଦରୁ ସ୍ଖଳିତ ବାରିଧାରାର ଦୃଶ୍ଯ ସହର ଅପେକ୍ଷା ପଲ୍ଲୀରେ ବେଶ୍‌ ମନମୁଗ୍ଧକର । ତେବେ "ବର୍ଷା"କୁ ନେଇ ଉଦୟ ଭାନୁର ଫେସ୍‌ବୁକ ସଂଗୋଷ୍ଠୀରେ ଆୟୋଜିତ କବିତା ପ୍ରତିଯୋଗିତାରେ ସବୁଥର ଅପେକ୍ଷା ଏଥର କିନ୍ତୁ ବହୁ ପ୍ରତିଯୋଗୀଙ୍କର ଭିଡ଼ ଜମିଥିଲା । ବହୁତ ଖୁସି ଲାଗିଲା ପ୍ରତିଯୋଗୀ ମାନଙ୍କର ସାହିତ୍ଯ ପ୍ରତି ଏଭଳି ଉତ୍ସାହିତ ମନୋଭାବ ଦେଖି । 

     ଏଥରକ ପ୍ରାୟ ୪୫ଟି କବିତା ଉପସ୍ଥାପିତ ହୋଇଥିଲା । ସମସ୍ତଙ୍କ ଲେଖା ବେଶ୍‌ ରୁଚ଼ିଶୀଳ ଓ ମନ ମୁଗ୍ଧକର ହୋଇଥିଲା । ସମସ୍ତ ଲେଖାକୁ ପଢ଼ିବା ଓ ତାକୁ ବିଶ୍ଳେଷଣ କରିବା ପରେ ଜଣକୁ ବିଜେତା ଘୋଷଣା କରିବା କଷ୍ଟକର ହୋଇ ପଡ଼ିଥିଲେ ବି ନିୟମ ଦୃଷ୍ଟିରୁ ଆମକୁ ଆମ ବିଚାରଧାରା ଶୁଣାଇବାକୁ ପଡ଼ିବ । ସମସ୍ତ ଲେଖାକୁ ପଢ଼ି ଭାଷାଗତ, ଭାବଗତ ଏବଂ ଲେଖାର ଶୈଳୀ ସହ ଶ୍ରୁତିମଧୁର ଓ ନିର୍ଭୁଲ ମୁଦ୍ରଣକୁ ଦୃଷ୍ଟିପାତ କରି ଯୁଗ୍ମ ବିଜେତା ଭାବରେ ଶିବ ପ୍ରସାଦ ସାହୁ ଓ ଶିବ ପ୍ରସାଦ ହାତୀଙ୍କୁ ଘୋଷଣା କରିଛୁ ।

     ଶିବ ପ୍ରସାଦ ହାତୀଙ୍କ କବିତାଟି ରାଧାନାଥ ରାୟଙ୍କ ଭାଷା ପରି ପ୍ରତିପାଦିତ ହୋଇଥିବା ବେଳେ ଶିବ ପ୍ରସାଦ ସାହୁଙ୍କ ଲେଖାଟି ମଧୁସୁଦନ ରାଓଙ୍କ ଭାଷା ପରି ଉଲ୍ଲେଖ କରାଯାଇଛି । ଶିବ ପ୍ରସାଦ ହାତୀଙ୍କ ଲେଖା ସାହିତ୍ଯିକ ଶବ୍ଦ ଖଞ୍ଜିତ ଓ ଶିବ ପ୍ରସାଦ ସାହୁଙ୍କ ଲେଖା ପଲ୍ଲୀ ଭାଷାରେ ରଞ୍ଜିତ । ଉଭୟଙ୍କ ଲେଖାର ଶୈଳୀ ଭିନ୍ନ କିନ୍ତୁ ଅର୍ଥ ଏକ । ବର୍ଷାର ଆଗମନରେ ଗ୍ରୀଷ୍ମ ତାପର ଅପସାରଣ ଏବଂ ବର୍ଷା ଜଳ ପଡ଼ି ଜଳୀଶୟର ଜଳ ଗୋଳିଆ ଦେଖାଯିବା ସହ ମଣ୍ତୁକ ମାନଙ୍କ ରଡ଼ି , କୃଷକଙ୍କ କଥା ଆଦି ବେଶ୍‌ ଚମତ୍କାର ଶବ୍ଦର ସମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀ ସାହୁଙ୍କ ଲେଖାରେ ପଲ୍ଲୀ ପ୍ରକୃତି , କାଗଜ ଡଙ୍ଗା , ଗାଁ ଦାଣ୍ଡରେ ପାଣି ସୁଅରେ ଜଳକଣା ଓ ମାଧବୀ , ଜୁଇ , ଜାଇ ଆଦି ଫୁଲର ଶୋଭା ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି । ଉଭୟଙ୍କ ଲେଖାର ଭାବ ଏକ । 

    ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ , ଉଭୟଙ୍କ ଲେଖା ବିଜୟର ଅଧିକାରୀ । ତେଣୁ ଯୁଗ୍ମ ବିଜେତା ଭାବରେ ଉଭୟଙ୍କୁ ଘୋଷଣା କରାଯାଇଛି । ସବୁବେଳେ ସାରସ୍ବତ ସୃଷ୍ଟିକୁ ଆଖି ଆଗରେ ରଖି ବିଚାରକୁ ନିଆଯାଏ । ହୁଏତ ଏଭଳି ବିଚାର ଧାରା ସମସ୍ତଙ୍କୁ ସନ୍ତୁଷ୍ଟ କରି ନପାରେ । ପ୍ରତିଯୋଗିତାରେ ବିଜୟୀ ହେବା ଅପେକ୍ଷା ଅଂଶ ଗ୍ରହଣ କରି ଆନନ୍ଦିତ ହେବା କମ୍ ଗୈାରବ ନୁହେଁ । ପ୍ରତିଯୋଗିତା ମନୋବଳ ସୃଷ୍ଟି ସହ ଅନ୍ୟ ପ୍ରତିଯୋଗିଙ୍କ ଠାରୁ ଅନେକ ଶିଖିବାର ସୁଯୋଗ ଆସେ, ହୁଏତ କେତେ ବେଳେ ଯେ ଅଜଣା ଅଦୃଶ୍ୟ ଭାବେ ବିଜୟର ଟୀକା ନିଜ ପାଖକୁ ନଆସିଯିବ କହିହେବ ନାହିଁ । ସବୁ ଜାଣିଥିବା ବ୍ୟକ୍ତି ସବୁ ବେଳେ ଭୁଲ୍, କିଛି ଜାଣିନଥିବା ବ୍ୟକ୍ତି ସବୁ ବେଳେ ଠିକ୍- ଏ ଭାବ ଆମ ପାଖରେ ଉଦୟ ହେଉ । ସଦାସର୍ବଦା ସାଧକର ସୃଷ୍ଟିକୁ ଦେଖି ବିଚାର କଲେ ସାହିତ୍ଯ କାଳଜୟୀ ହୋଇପାରିବ । ଏଣୁ ଆଗାମୀ ଦିନରେ ଆପଣମାନେ ଏହିପରି ରଚନା ଜାରି ରଖନ୍ତୁ । ଯଦି  ଏହିପରି ଉଭୟ ଲେଖା ଉପଯୁକ୍ତ ଭାବ , ଭାଷା , ଶ୍ରୁତିମଧୁର ସହିତ ନିର୍ଭୁଲ ଥିବ ତେବେ ଆଗକୁ ବି ଆପଣ ମାନଙ୍କ ମଧ୍ୟରୁ କେହି ଯୁଗ୍ମ ବିଜେତା ହୋଇପାରନ୍ତି ।
  ତାରା ନିଳୟ, ପ୍ଳଟ ନମ୍ବର-୮୫୪/ଏ
  ଚାଚରାଶବର ସାହି, ମୁକୁନ୍ଦ ପ୍ରସାଦ
  ଖୋର୍ଦ୍ଧା-୫୫, ଦୂରଭାଷ- ୯୦୪୦୧୫୧୪୭୫
ଜୟ ସାହିତ୍ୟ, ଜୟ ସମାଜ

ଥିମ୍‌ - 'ବର୍ଷା' ଉପରେ..... ପ୍ରତିଯୋଗିତା ପାଇଁ ପଦେ.....

ଥିମ୍‌ - 'ବର୍ଷା' ଉପରେ..... ପ୍ରତିଯୋଗିତା ପାଇଁ ପଦେ.....
ଡଃ ଦେବଜାନୀ ଦାସ
     'ବର୍ଷା' - ଏ ଶବ୍ଦର ଅର୍ଥ ବ୍ଯାପକ । ବର୍ଷା କ'ଣ କେବଳ ପ୍ରକୃତିରେ ଆସେ ??? ଆସେନି ମଣିଷର ଦୁଃଖରେ ! କାହାର ବିଭୁ ପ୍ରେମରେ ଅବା ବହୁ ଅନୁଭବରେ ? ବର୍ଷା ଥିମ୍‌କୁ ନେଇ କ'ଣ କେବଳ ପ୍ରକୃତି ବର୍ଣ୍ଣନା ସମ୍ଭବ ? ମଣିଷ ଜୀବନରେ ଏ ଶବ୍ଦର ବ୍ଯାପକତାକୁ କ'ଣ ଏକ ସୃଜନଶୀଳ ଲେଖନୀ ପ୍ରକାଶ କରି ପାରନ୍ତାନି ?
    ସେଇ ଭାବନା କାହିଁ ? ସେଇ ଅନୁଭବ କାହିଁ ? ଏକ ସୃଜନଶୀଳ ଲେଖନୀରୁ ମୁଁ ସେଇ ସୃଜନଶୀଳତା ଚାହେଁ ଯାହା ଲେଖକ ବା ଲେଖିକାର ସ୍ବକୀୟ ଆବିଷ୍କାର । ତା'ର ଏକ ନିଜସ୍ବ ସତ୍ତାକୁ ପରିପ୍ରକାଶ କରିବ । ଯାହା ଅଛି , ଯାହା ସମସ୍ତେ ଜାଣନ୍ତି ସେଇ କଥାକୁ ହିଁ ଆପଣମାନେ ଆପଣଙ୍କ ଲେଖା ମାଧ୍ଯମରେ ଏପଟ ସେପଟ କରି କହିବେ ; ଏକଥା ପାଠକ ପାଇଁ ନୂଆ କ'ଣ ? ଏ କୌଣସି text syllabus ହୋଇନି ଯେ ଏଥିରେ ଆମେ data ଦେବା । data based ଲେଖା ନଲେଖି creativity ଉପରେ ଧ୍ଯାନ ଦେଇଥିଲେ ଭଲ ହୋଇଥା'ନ୍ତା । 
     ଏଥର ଆସିଥିବା ସମସ୍ତ ଲେଖା ପ୍ରାୟ ଗୋଟେ ପ୍ରକାରର । ସମସ୍ତେ ସେଇ ବର୍ଷା ଋତୁର ପ୍ରକୃତି ବର୍ଣ୍ଣନା କରିଛନ୍ତି । data based.... Creative କାହିଁ !
      ମୋର ଲେଖାର ଅର୍ଥକୁ ପ୍ରତିଯୋଗୀ ମାନେ ଆଗାମୀ ପ୍ରତିଯୋଗୀତାରେ ଆପଣେଇଲେ ଅନ୍ତତଃ ବିଚାରକୁ ଆସିଥିବା ଲେଖା ପଢ଼ିବା ବେଳେ ବିଚାର ସହଜ ହୁଅନ୍ତା ।
     ଆସନ୍ତା ଗଳ୍ପ ପ୍ରତିଯୋଗିତାରେ ପୁଣିଥରେ ଗଳ୍ପର ଥିମ୍‌ 'ବର୍ଷା' ରହିବ । ସୃଜନ କର୍ମରେ ସୃଜନଶୀଳତାକୁ ସ୍ଫୁଟନ କରିବାକୁ ପ୍ରାୟାସ ହୁଅନ୍ତୁ । 
:- ଏକ ଛୋଟ ଉଦାହରଣ ପାଇଁ ଗଳ୍ପାଂଶଟିଏ ଉଦ୍ଧୃତ କରିବାକୁ ସମୀଚୀନ ମନେ କରୁଛି । 
     [ ଅମରର କୋହ ତା' ଆଖିରେ ଶ୍ରାବଣ ହୋଇ ଝରୁଥିଲା । ଭିତରର କୋହ , ଘର୍ମାକ୍ତ ସ୍ଥିତି ଓ ବାହାରେ ବର୍ଷାର ତୀବ୍ରତାର ଆଲିଙ୍ଗନ ଭିତରେ ସେ ଆକ୍ତାମାକ୍ତା । 
             ତଥାପି ବାହାରେ ବର୍ଷାର ତାଣ୍ଡବ ।
    ତା' ଭିତରର ଶ୍ରାବଣର କୋହ ଓ ବାହାରେ ବର୍ଷାର ନୃତ୍ଯ ଏକାକାର । ଆଖିରୁ ଝରୁଥିବା ଲୁହ ଆଉ ଆଖିପତାରୁ ଟପ୍‌ ଟପ୍‌ ଖସୁଥିବା ପାଣି ଏକାକାର । 
        ମାନସୀ ଦେଖିଲା ଅମର ମୁହଁରେ ହସ । ବର୍ଷାରେ ତିନ୍ତିବାକୁ ଉପଭୋଗ କରିବାର ପ୍ରବଣତା । 
         ଭିତରଟାକୁ ଲୁଚେଇ ଦେବାରେ , ଛପେଇ ଦେବାରେ ବର୍ଷା ମାହିର୍‌ । ମାନସୀ ଚାଲିଯାଉଥିଲା । ତା' ଯିବା ବାଟକୁ ଅନେଇ ବର୍ଷାକୁ ଧନ୍ଯବାଦ ଦେଉଥିଲା ଅମର । 
    ସମସ୍ତ ସାରସ୍ବତ ସ୍ରଷ୍ଟାଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ ।

                                           ବିଚାରକ
                                         ଉଦୟ ଭାନୁ
ଜୟ ସାହିତ୍ୟ, ଜୟ ସମାଜ

ଯୁଗ୍ମ ବିଜେତା ଶିବ ହାତି ଓ ଶିବ ପ୍ରସାଦ ସାହୁଙ୍କ 'ବର୍ଷା' କବିତା ଏକ ଆଲୋଚନା


ଯୁଗ୍ମ ବିଜେତା ଶିବ ହାତି ଓ ଶିବ ପ୍ରସାଦ ସାହୁଙ୍କ 'ବର୍ଷା' କବିତା ଏକ ଆଲୋଚନା
===============
କଣ୍ଡୁରୀ ଚରଣ ରାଉତ
     ବଡ଼ ବଡ଼ ପ୍ରତିଯୋଗିତାରେ ଯୁଗ୍ମ ବିଜେତା ହେବାର ଅନେକ ନଜିର ରହିଛି ।ବିଶେଷ କରି ବର୍ଷା ଯୋଗୁଁ ଫାଇନାଲ
ଖେଳ ହୋଇ ନ ପାରିଲେ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଏ ।ସେମିତି ଏକ ମଜାଦାର ଘଟଣା ଘଟିଛି ଉଦୟଭାନୁ ସାପ୍ତାହିକ ସାହିତ୍ୟ ପ୍ରତିଯୋଗିତାରେ ; ତାହା ପୁଣି ବର୍ଷାକୁ ନେଇ ।ବିଜୟ ମୁକୁଟ ପିନ୍ଧିଥିବା ଦୁଇ ଜଣ ସାରସ୍ବତ ସାଧକ ହେଲେ ଶିବ ହାତୀ ଓ ଶିବ ପ୍ରସାଦ ସାହୁ ।ଉଭୟଙ୍କୁ ସାରସ୍ବତ ସମ୍ମାନ ସହ ଅଭିନନ୍ଦନ ଜଣାଉଛି । 

         ଉଭୟ ସ୍ରଷ୍ଟା  ନିଜ ନିଜ ପ୍ରତିଭାର ପରାକାଷ୍ଠା  ପ୍ରଦର୍ଶନ ଦିଗରେ ଯେପରି ପ୍ରୟାସୀ ହୋଇଛନ୍ତି ତାହା ଅଭିନନ୍ଦନୀୟ । ଶିବ ହାତୀଙ୍କ ବର୍ଷା କବିତା ଚମତ୍କାର ଶବ୍ଦ ସଂଯୋଜନା ଓ ଭାଷା ବିନ୍ୟାସରେ ସମୃଦ୍ଧ ହୋଇଥିଲା ବେଳେ ଶିବ ପ୍ରସାଦ ସାହୁଙ୍କ କବିତା ନିରାଭରଣା ସରଳ ଗ୍ରାମ୍ୟ ଲଳନା ପରି ସୁନ୍ଦର ଓ କମନୀୟ । ଲାସ୍ୟମୟୀ ବର୍ଷାର ନୁପୂର ନିକ୍ବଣରେ ନିକ୍ବଣିତ ହୋଇ ଉଠିଛି ଦୁଇଟିଯାକ କବିତା । ଶିବ ହାତୀଙ୍କ ଲେଖା ବଙ୍ଗଳାଶ୍ରୀ ରାଗ ଓ ଶ୍ରୀ ସାହୁଙ୍କ ଲେଖା ଉତ୍ତର ଆଧୁନିକ ବଙ୍ଗଳାଶ୍ରୀ ରାଗ ଛାପରେ ଲିଖିତ ।

        ବର୍ଷା ଆସିଲେ ପ୍ରକୃତିର ସବୁଜ ଆତ୍ମୀୟତା ଭିତରେ ଜୀବ ଜଗତ ଉଚ୍ଚାଟିତ ହୋଇ ଉଠନ୍ତି । ପ୍ରକୃତି ଏକ ବିଚିତ୍ର ଅନୁଭବର ମହାର୍ଘ ମହକରେ ରସୋଚ୍ଛ୍ବଳ ହେଇଉଠେ ।ସେମିତି ବର୍ଷା କବିତାରେ ବର୍ଷାର ଆଗମନରେ ପ୍ରକୃତିରେ ହେଉଥିବା ପରିବର୍ତ୍ତନକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି  ଦୁଇ ଜଣ ସାରସ୍ବତ ସାଧକ ନିଜ ନିଜ ଶୈଳୀରେ । ଅବଶ୍ୟ କାଳିଦାସଙ୍କ ମେଘ ପରି ବିରହୀ ଯକ୍ଷ ପାଇଁ ଦୂତ ସାଜିନି କି ଉପେନ୍ଦ୍ର ଭଞ୍ଜ କି ମାୟାଧର ମାନସିଂହଙ୍କ ରୋମାଣ୍ଟିକ୍ ଚେତନା ସହିତ ବିରହ ପ୍ରାଣର ସନ୍ତାପକୁ ଅଶ୍ରୁ ଆକାରରେ ଅଜାଡ଼ି ଦେଇନି ଦୁଇ ସ୍ରଷ୍ଟାଙ୍କ ବର୍ଷା ।ସେମାନଙ୍କ କବିତାରେ ମଧୁସୁଦନ ଦାସ ଓ ଜଗନ୍ନାଥ ଦାସଙ୍କ ଛାପ ଦେଖିବାକୁ ମିଳେ ।
          ******

ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

5/31/2020

ମହାବିନାଶକାରୀ ମହୀ

ରାକେଶ ପ୍ରଧାନ 
ଆର୍ତ୍ତନାଦ ଶୁଭେ ମହୀ ମଣ୍ଡଳରେ,                                                           ହା ହା କାର ପୁଣି ଭୟ କାତରରେ,
ସଭ୍ୟ ସମାଜ ଯେ ବନ୍ଦୀ ନିଜର ଘରେ,
ଶୂନ୍ୟ ଶୂନ୍ୟ ଦିଶେ ସହର ବଜାରେ l  [୧]

କିଏ ଜାଣିଥିଲା କି ଭିନ୍ନ ପ୍ରକାରେ,
ସୃଷ୍ଟି ମହାମାରୀ ଭୂମଧ୍ୟ ସାଗରେ,
କବଳିତ କରି ଚାଇନା ସହରେ,
ବ୍ୟାପିଯିବ ପୁଣି ଦେଶ ବିଦେଶରେ l  [୨]

ଭକ୍ଷକ ସାଜି ତୁ ମଣିଷ ରୂପରେ,
ନିରୀହ ଜୀବନ ମାରି ଖାଇଲୁରେ,
ନିର୍ଦ୍ଦୟ ହୋଇଣ ହିଂସା ଅମାପରେ,
ଭୟ ଭ୍ରାନ୍ତି ଭୁଲି ଚରମ ସୀମାରେ l  [୩]

ଲେଖା ଅଛି ପରା ଭୂ ଇତିହାସରେ,
ପ୍ରଭୁ ନାରାୟଣ ଅକାତ ଜଳରେ,
ଅବତରି ହୋଇ ମତ୍ସ୍ୟ ଓ କୁର୍ମରେ,
ଧରା ଧରଣୀକୁ ରକ୍ଷା ଯେ କଲେରେ l  [୪]

ଶ୍ରେଷ୍ଠ ଜୀବ ବୋଲି କହୁ ତୁ ସୃଷ୍ଟିରେ,
ତିଳେ ହେଁ ଶ୍ରେଷ୍ଠତା ନାହିଁ ଯେ ତୋ' ଠାରେ,
ବୁଦ୍ଧି ଜ୍ଞାନ ଶୂନ୍ୟ ଭରା ଶଠତାରେ,
ଚଲାକି ପଣିଆ ସବୁ ତୋ' ସ୍ୱାର୍ଥରେ l  [୫]

ଅଚିହ୍ନା ବ୍ୟାଧି ଯେ ମାଡି ବସିବ ରେ,
ଅଚ୍ୟୁତ ଲେଖିଲେ ତାଙ୍କ ମାଳିକାରେ,
ସେ ଦିନ ଆସିଲା ବିଂଶ ଶତାବ୍ଦୀରେ,
ମୁହେଁ ତୁଣ୍ଡି ଦେଲୁ ହୋଇ ବଳଦ ରେ l  [୬]

ସବୁ ଜାଣିଶୁଣି ଅଜଣା ହେଲୁରେ,
ରୋଗ ମହାମାରୀ ଡାକି ଆଣିଲୁ ରେ,
ଜୀବନ ପ୍ରଦୀପ ଲିଭାଇ ହାତରେ,
ବାନ୍ଧି ହେଲୁ ତୁହି ଅକାଳ ଜଞ୍ଜିରେ l  [୭]

ଉପନୀତ ହୁଏ ମୃତ୍ୟୁ ସମୀପରେ,
କରୋନା ନାମକ ଭୁତାଣୁ ରୂପରେ,
ମହାମାରୀ ସେ ତ ମହାବିନାଶ ରେ,
ଖୋଜି ଖୋଜି ମାରେ ଯେତେ ବି ଲୁଚରେ l  [୮]

ଦୟା କ୍ଷମା ଶାନ୍ତି ମାନବ ଧର୍ମରେ,
ଈଶ୍ୱରଙ୍କୁ ପୁଣି ଗଲୁ ଯେ ଭୁଲି ରେ,
ଦିନରାତି ସମ ନିଶା ସେବନ ରେ,
ଅନ୍ୟାୟ ରଚିଲୁ ଅଧର୍ମ ପଥ ରେ l  [୯]

ସମୟ ଯେ ଆଜି ତୋ' ପାଇଁ ବିଚାରେ,
ସ୍ୱାର୍ଥକୁ ବଞ୍ଚିଲୁ ତୁ ବୀର ଦର୍ପରେ,
ପୃଥିବୀ ମାଆ'ର ଦୟା ପଣିଆ ରେ,
ଆକୁଳେ ଶରଣ ଦିଏ ତା' ବକ୍ଷରେ l  [୧୦]

ଧରା ବି କମ୍ପୁଛି ତୋହରି ଦାଉରେ,
ଭୟାବହ ହେବ ମହାତାଣ୍ଡବ ରେ,
ହାରିବ ଯେବେ ତା' ସହନଶୀଳ ରେ,
ଲୀନ ହୋଇଯିବ ସେ ମହାକାଳ ରେ l  [୧୧]
                        []•*•[]


ବଡ଼ପାଟସୁନ୍ଦରପୁର , 
କଟକ - ୭୫୪୦୧୮
ଜୟ ସାହିତ୍ୟ, ଜୟ ସମାଜ

କେବଳ କରୋନା କାହିଁକି ?

ଯାଜ୍ଞସେନୀ ସାହୁ

       କିଛିଦିନ ହେବ କରୋନା ସାରା ଦେଶ ଓ ଦେଶବାହାରେ ହଇଚଇ ସୃଷ୍ଟି କରିଛି । ପିଲାଠୁ ବୁଢା ,ଗାଆଁରୁ ସହର ସବୁ ଡରରେ ଥରହର । ଏଣେ ଗଣମାଧ୍ୟମର ତୁହାକୁ ତୁହା ଖବର ଆତଙ୍କ ସୃଷ୍ଟି କଲାଣି । କେତେ ବଡବଡିଆ ଲୋକ,ମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଛୁଟି ଆସୁଛି । କବି ଲେଖକଙ୍କ ଲେଖା ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି । ମେଡିକାଲ ଷ୍ଟୋର୍‌ର କଥା ତ କହିଲେ ନସରେ । ସାନିଟାଇଜର୍ ଓ ଫେସ୍ ମାସ୍କର ଦର ଆକାଶ ଛୁଆଁ । ସକ୍ଷମତା ଦେଖି କିଏ କିଣୁଛି ନହେଲେ କିଏ ରୁମାଲ ଗୁଡେଇ ହୋଇ ରହୁଛି । କେଉଁଠି ୧୪୪ ଧାରା  ଲାଗୁ ହେଲାଣି ତ କେଉଁଠି ଲକ୍ ଡାଉନ୍ ଚାଲିଛି । ପରିବହନ , ଯୋଗାଯୋଗ ଦିଗ ମଧ୍ୟ ସବୁ ଠପ୍ ।ନାହିଁ ନଥିବା ଅସୁବିଧାର ହେଉଛି ସତ , କିନ୍ତୁ ମୁକାବିଲା ପାଇଁ ଏଇଟା ହିଁ ସର୍ବୋତ୍ତମ ପନ୍ଥା । ମୋଟାମୋଟି ଭାବେ କହିବାକୁ ଗଲେ ପୂରା ମାନବ ଜାତି ଓ ତା'ର ଜୀବନଶୈଳୀଟା ପ୍ରକୃତିର କରାଳ ରୂପ ଆଗରେ ହାର ମାନିଛି । ତାକୁ ତାଳ ଦେଇ ଜନତା , ସରକାର , ନାନାଦି ନୀତିନିୟମ ବି କରି ଚାଲିଛନ୍ତି । ଲଢେଇ ଉପରେ ଲଢେଇ । ହେଲେ ଏ ସବୁ କେବଳ କରୋନା ପାଇଁ କାହିଁକି ?

      ଦିନେ ସାନ୍ଧ୍ୟ ଭ୍ରମଣରେ ମୁଁ ଆଉ ମୋ ବାନ୍ଧବୀ ବାହାରି ଥାଉ ।କରୋନା ସ୍ଥିତି ସେତେବେଳେ ଅତ୍ୟନ୍ତ ଅସମ୍ଭାଳ ନହେଲେ ମଧ୍ୟ ଗଣମାଧ୍ୟମର ଖବର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରି ସାରିଲାଣି । ଏସବୁ ଜଣା ପଡୁଥିଲା ଲୋକଙ୍କ ବେଶ ପୋଷାକରୁ । ରାସ୍ତାକୁ ଓହ୍ଲାଇ ଗଲା ବେଳକୁ ଆଖିରେ ଗୋଟିଏ ନଜିର । ଲୋକଙ୍କ ହାତରେ ଗ୍ଲୋବ୍‌ସ ଆଉ ମୁହଁରେ ମାସ୍କ୍ । ଭାବିଲି ସତରେ ଆମ ଲୋକେ କେତେ ସଚେତନ ହେଲେଣି । ବୁଲୁବୁଲୁ ଭାରି ଶୋଷ ଲାଗିଲା ; ଖରାଦିନକୁ ଝାଞ୍ଜି ପିଟୁଛି । ପାଣି ବୋତଲ ବି ନଥାଏ ଢୋକେ ପିଇ ଦେବାକୁ । ବାଧ୍ୟ ହୋଇ ଗୋଟେ ଦୋକାନ ଦେଖି ପାଖକୁ ଗଲୁ । ପାଣି ଟିକେ ପିଇ ଛାଇରେ ବସିଥାଉ । ଦୁଇଜଣ ବ୍ୟକ୍ତି ବାଇକ୍‌ରୁ ଓହ୍ଲାଇ  ଦୋକାନ ଭିତରକୁ ଆସି ଗୁଟ୍‌ଖା(ପୁଡିଆ) ପାଇଁ ବରାଦ କଲେ । ଦୋକାନୀ ବି ଗୋଟିଏ ଗୁପ୍ତ ଥଳୀ ପ୍ରାୟ ମୁଣିରୁ ପେନ୍ଥାଏ ଗୁଟ୍‌ଖା କାଢି ସେମାନଙ୍କୁ ଦେଲା । ଥଳୀଟି ଏପରି ଭାବେ କାଢିବା ମନେ ହେଉଥିଲା ନିଶ୍ଚିତ ଭାବେ ଦୋକାନୀ ବି ଜାଣେ ଗୁଟ୍‌ଖା ବିକ୍ରୟ ନିଷେଧ ହେବା କଥା ।ନହେଲେ ଏ ସଙ୍କୋଚଭାବ କାହିଁକି  ! ମୁହଁରୁ ମାସ୍କଟିକୁ ଖୋଲି ଦିହେଁ ଗୁଟ୍‌ଖା ହାତରେ ଦଳି ଧୂଳି ଝାଡି ଦେଇ ସଗର୍ବରେ ପାଟିରେ ପକାଇ ଦେଇ ପୁଣି ମାସ୍କଟିକୁ ଭିଡିଦେଲେ । କେବଳ କ'ଣ ସେତିକି ? କେତେ ଲୋକ ବିଡ଼ି ,ସିଗାରେଟ୍ ଟାଣି ପରିବେଶ ବାଷ୍ପରୁଦ୍ଧ କରିବାରେ ଲାଗି ପଡିଥିଲେ ।ଏସବୁ ଦେଖି କିଛି ପ୍ରଶ୍ନ ମନକୁ ଘାଣ୍ଟି ଚକଟି ପକଉଥାନ୍ତି - ଲୋକେ କେବଳ କ'ଣ କରୋନାକୁ ଡରୁଛନ୍ତି କର୍କଟ ପରି ରୋଗକୁ ନୁହେଁ କି ?
    ଆଜି ଏ ଘନଘନ ସଚେତନତା ଯଦିବା ମୃତ୍ୟୁହାରକୁ ଲକ୍ଷ୍ୟ କରି ସୃଷ୍ଟି କରାଯାଉଛି , ନିଶାସେବନ ଓ ପରିବେଶ ଦୂଷିତୀକରଣରୁ ହେଉଥିବା ମୃତ୍ୟୁସଂଖ୍ୟା ମଧ୍ୟ କମ୍ ନୁହେଁ । ସଂଖ୍ୟା ଯାହା ବି ହେଉନା କାହିଁକି ଜୀବନ ତ ଜୀବନ । କିଛି ବର୍ଷ ତଳେ ମାଦକ ଦ୍ରବ୍ଯ ତଥା ନିଶାଦ୍ରବ୍ଯ ବିକ୍ରୟରେ ସରକାର ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ଚୋରା ବେପାର ଜାରି ରହିଛି । ଏବେ ବି ଲୋକ ନିଶାଦ୍ରବ୍ଯ ସେବନ ସହ ମଦ୍ୟପାନରେ ଲିପ୍ତ ରହୁଛନ୍ତି । ଆଜି ବି ବହୁ ରୋଗୀଙ୍କ ଅବସ୍ଥା ଏସବୁ ଯୋଗୁଁ ସଂକଟାପନ୍ନ ; କେହି ଯକୃତ ରୋଗରେ ପୀଡିତ ତ କେହି ନିଶା ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ହୋଇ । କେବଳ ସେତିକି ନୁହେଁ , ପରିବାର ମଧ୍ୟରେ କଳିଝଗଡା , ହଣାମରା , ବଳତ୍କାର , ଦୁଷ୍କର୍ମ ଆଦି ବିପଦ ମଧ୍ୟ ସୃଷ୍ଟି ହେଉଛି । ନା ଲୋକେ ଏଥିପ୍ରତି ସଜାଗ ନା ସରକାର ଏଥିପ୍ରତି କଠୋର ହେଉଛନ୍ତି । "ନିଜେ ନ ମଲେ ସ୍ୱର୍ଗ ଦେଖିବ କେମିତି?" ପରି ଅନ୍ୟାନ୍ୟ ଦେଶକୁ ଦେଖି ଯେପରି ରାଜ୍ୟରେ ଆତଙ୍କ ଖେଳୁଛି ଅବା ସୁରକ୍ଷା ନିୟମ କଡାକଡି କରାଯାଇଛି , ଏହି ଦିଗ ପ୍ରତି ସେପରି ଦୃଷ୍ଟି ନିକ୍ଷେପ କରାଯାଉନାହିଁ । 
     ନିଶା ସେବନ ବନ୍ଦ କରିବା ଦିଗରେ ଏବେ କେବଳ ଖବରକାଗଜ ଓ ଦୂରଦର୍ଶନରେ ବିଜ୍ଞାପନ ବ୍ୟତୀତ ଅନ୍ୟ ଦିଗ ପ୍ରତି ଦୃଷ୍ଟି ଦିଆ ଯାଉନାହିଁ  ।ବର୍ଷ ବର୍ଷ ଧରି ନାନା ଯୋଜନାମାନ ହୋଇ ଆସୁଅଛି । ଗାଆଁ ଗହଳି ଲୋକେ ତଥା ଗୃହିଣୀମାନେ ପଦାକୁ ଆସି ରାସ୍ତାରୋକ କରୁଛନ୍ତି , ସଚେତନତା ଶିବିର ହେଉଛି ; କିନ୍ତୁ "ମୋତେ ଯେତେ ମାଠିବୁ ମାଠ" ପରି ପୁଣି ଯେଉଁ କଥାକୁ ସେଇ କଥା । କାରଣ କରୋନା ପରି ଏସବୁ ପରିସ୍ଥିତିକୁ ଗମ୍ଭୀର ଭାବେ ନିଆ ଯାଉନାହିଁ । ଛୋଟ ଛୋଟ ପିଲାମାନେ ନିଶାଗ୍ରସ୍ତ ମଣିଷ ପରି ଢଳଢଳ ହୋଇ ଅଭିନୟ କରିବା ବି ଭବିଷ୍ୟତ ପିଢି ପାଇଁ ଏକ ସତର୍କ ସୂଚନା ନୁହେଁ କି ? ତେବେ ଆମେ ଏହି ଘଟଣାକୁ ଯଦି ଜଟିଳ ଭାବେ ଗ୍ରହଣ କରିପାରିବା , ତେବେ କରୋନା ସମ ନହେଲେ ମଧ୍ୟ , ନିଶ୍ଚିତ ଭାବେ କିଛି ସଂଖ୍ୟାରେ ମଣିଷ ମରଣ ମୁଖରୁ ବର୍ତ୍ତି ଯାଇପାରିବେ
ସେମିଳିଗୁଡା - କୋରାପୁଟ 
ଜୟ ସାହିତ୍ୟ, ଜୟ ସମାଜ