10/24/2020

ଚତୁଃବର୍ଗ

 ଡଃ ଲକ୍ଷ୍ମଣ ସାହୁ
ଉଦୟ ଭାନୁ ସାହିତ୍ଯ ସଂସଦ' ପ୍ରତିଯୋଗିତାରେ ବିଷୟବସ୍ତୁ ଥିଲା - "ଚତୁଃବର୍ଗ(ଧର୍ମ - ଅର୍ଥ - କାମ - ମୋକ୍ଷ) ଫଳଦାୟିନୀ : "ସ୍ତ୍ରୀ" "। ସ୍ୱଳ୍ପ ସଂଖ୍ୟକ ଲେଖା ଆସିଥିବା ବେଳେ କେତେକ ବିଷୟ ବସ୍ତୁକୁ ବୁଝି ନପାରି କେବଳ ଚତୁଃବର୍ଗ (ଧର୍ମ, ଅର୍ଥ ,କାମ ଓ ମୋକ୍ଷ) ଉପରେ ଗୁରୁତ୍ଵ ଦେଇଛନ୍ତି । ସ୍ତ୍ରୀ ଶବ୍ଦ ଯୋଗ ହୋଇନାହିଁ କି ସ୍ତ୍ରୀ ପାଖରେ ଥିବା ଚତୁଃବର୍ଗ ଫଳକୁ ବ୍ୟାଖ୍ୟା କରାଯାଇ ନାହିଁ । କେତେକ ପ୍ରଶ୍ନ କରିଛନ୍ତି ସ୍ତ୍ରୀ' କିପରି ଚତୁଃବର୍ଗ ଫଳ ପ୍ରଦାତ୍ରୀ ? କିଛି ବି କହିଛନ୍ତି ସ୍ତ୍ରୀ ଜାଗାରେ ନାରୀ ହୋଇଥିଲେ ଠିକ୍‌ ହୋଇଥା'ନ୍ତା । ନାରୀ ଆଉ ସ୍ତ୍ରୀ ଭିତରେ ଆକାଶ ପାତାଳ ତଫାତ୍ । ସେ ସବୁ ବୁଝାଇବାକୁ ସମୟ ଲାଗିବା ସହ ବୈଚାରିକଧାରାଟି ଦୀର୍ଘ ରୂପ ଧାରଣ କରିବ । 

         ନାରୀର ଚତୁଃବର୍ଗ ଧର୍ମ, ଅର୍ଥ, କାମ ଓ ମୋକ୍ଷ ନୁହେଁ..!!! ନାରୀର ଚତୁଃବର୍ଗ ହେଉଛି ସତ୍ଯ , ଶାନ୍ତି , ଦୟା , କ୍ଷମା ଏବଂ ଚାରୋଟି ରୂପ - କନ୍ଯା, ଭଗିନୀ, ଜାୟା ଓ ଜନନୀ । ଏ ଚାରୋଟିରୁ ଗୋଟିଏ ହେଉଛି ଜାୟା , ଯାହାର ଅର୍ଥ ସ୍ତ୍ରୀ । ଗୋଟିଏ ସ୍ତ୍ରୀ ତା'ର ସ୍ବାମୀକୁ ଧର୍ମ, ଅର୍ଥ, ଅର୍ଥ, କାମ ଓ ମୋକ୍ଷ ନାମ୍ନୀ ଚତୁଃବର୍ଗ ଫଳ ଦେଇପାରେ । ସ୍ବାମୀଙ୍କ ମଙ୍ଗଳ ମନାସି ସ୍ତ୍ରୀ ବାରମାସରେ ତେର ଓଷା କରେ । ସାବିତ୍ରୀ ବ୍ରତ ପରି ଅନେକ ଉପବାସ ରଖେ । ହିନ୍ଦୁ ବିଶ୍ୱାସ ଅନୁସାରେ ହାତର ଶଙ୍ଖା ଓ ମଥାର ସିନ୍ଦୂରର ସୁରକ୍ଷା ପାଇଁ ପଥରକୁ ଠାକୁର ଭାବି ପୂଜାର୍ଚ୍ଚନା କରେ। ସ୍ତ୍ରୀ'ର ଏ ଧର୍ମାଚରଣ ସ୍ବାମୀକୁ ପ୍ରାପ୍ତ ହୁଏ ଯେହେତୁ ସେ ଅର୍ଦ୍ଧାଙ୍ଗିନୀ । ସ୍ବାମୀ-ସ୍ତ୍ରୀ'ଙ୍କର ପ୍ରତ୍ଯେକ ଦୁଃଖ-ସୁଖ ସମ ପରିମାଣରେ ଆବଣ୍ଟନ ପରସ୍ପର ବୁଝାମଣା ମଧ୍ୟରେ ଥାଏ । 
          ସ୍ତ୍ରୀ' ହେଉଛି ଲକ୍ଷ୍ମୀ ସ୍ବରୂପା । ଅର୍ଥର ଗନ୍ତାଘର, ଲକ୍ଷ୍ମୀଙ୍କ ଅବସ୍ଥାନରେ ଅର୍ଥରେ ଅଭାବ ନଥାଏ । ଲକ୍ଷ୍ମୀ ସନ୍ତୋଷ ରହିଲେ ଅର୍ଥ ଅଜାଡ଼ି ହୋଇପଡ଼େ ବୋଲି ଧର୍ମ ବିଶ୍ବାସ ଅଛି । ଆଉ ଏକ ଅର୍ଥରେ ସ୍ତ୍ରୀ ସ୍ବୟଂ ରତିରୂପା । କାମ ପ୍ରଦାନରେ କୁଣ୍ଠିତ ନୁହେଁ । ଶେଷରେ ସ୍ତ୍ରୀ'ର ଧର୍ମାଚରଣ, ଈଶ୍ୱର ବିଶ୍ବାସ ଓ ଭକ୍ତି ଭାବ ସହିତ ସ୍ବାମୀ ଅନୁରକ୍ତା ହେତୁ ସେ ସତୀ ସାଧ୍ବୀ ପାଲଟି ଯାଏ । ସତୀ ସାଧ୍ବୀ ନାରୀର ଏତାଦୃଶ କାର୍ଯ୍ୟକଳାପ ଦ୍ବାରା ସ୍ବାମୀ ଅହେତୁକ ପ୍ରୀତତା ପ୍ରାପ୍ତ କରେ ଏବଂ ସମସ୍ତ ଦୁଃଖ କ୍ଳେଶ ଆପେ ଅପସରି ଯାଏ, ଏହା ହିଁ ହେଉଛି ମୋକ୍ଷ । 
          ଏଭଳି ଯଥାର୍ଥ ଭାବନାର ପରିସ୍ଫୁଟନ କରିଛନ୍ତି ଅନୁପମା ଦାସ ଓ ନିବେଦିତା ମହାପାତ୍ର । ଉଭୟଙ୍କ ଲେଖା ସମସାମୟିକ ହେଲେ ବି ନିବେଦିତା ମହାପାତ୍ରଙ୍କ ଲେଖା ଅନେକ ଉଦାହରଣ ପ୍ରଦାନ କରିଛି । କିନ୍ତୁ ସେ ମହାଶୟା ଆମ ସଂସଦର ଉଚ୍ଚାସନରେ ଆସୀନ ଓ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ କାର୍ଯ୍ୟ ସଂପାଦନା କରୁଛନ୍ତି । ତେଣୁ ନିଜେ ସଂପାଦନା ଦାୟିତ୍ଵ ବହନ କରି ଅନୁଷ୍ଠାନରୁ ନିଜେ ସମ୍ମାନିତ ହେବା ଅନୁଚିତ ମନେକରି ତାଙ୍କ ସହ ସମ ତାଳ ଦେଇଥିବା ସ୍ରଷ୍ଟା ଅନୁପମା ଦାସଙ୍କୁ ବିଜେତା ଘୋଷଣା କରିଛୁ । 
      ଆଶା କରେ ପ୍ରତିଯୋଗୀମାନେ ସହୃଦୟତାର ସହ ଆମ ମାନଙ୍କ ବିଚାର ଧାରାକୁ ଗ୍ରହଣ କରିବେ । ସାହିତ୍ୟ ସମାଜ ପାଇଁ ପ୍ରେରିତ । ସମାଜକୁ ନୂଆ ଦିଶା ଦେଉ । ତଥ୍ୟପୂର୍ଣ୍ଣ ବା ଆଲୋଚନା ଭିତ୍ତିକ ପ୍ରବନ୍ଧ ଲେଖିବା ବେଳେ ଶୀର୍ଷକ ପ୍ରତି ଅଧିକ ଧ୍ୟାନ ଦେବାକୁ ତଥା ସାଧାରଣ ଜନତାଙ୍କ ବୋଧଗମ୍ୟ ହେବା ଭଳି ଶବ୍ଦ ଚୟନ କରିବାକୁ ଅନୁରୋଧ । ପ୍ରବନ୍ଧ ଯେତେ ସରଳ ସାବଲୀଳ ହେବ ତାହା ସେତେ ଜନାଦୃତ ଲାଭ କରିବ ।  
     ==================
® ତାରା ନିଳୟ, ପ୍ଳଟ୍-୮୫୪/ଏ
    ଚାଚରା ଶବରସାହି, ମୁକୁନ୍ଦ ପ୍ରସାଦ
     ଖୋର୍ଦ୍ଧା -୫୫, 
     ଦୂରଭାଷ-୯୦୪୦ ୧୫୧୪୭୫
=========================
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।