10/19/2020

ଯୁଗ୍ମ ବିଜେତା ଶିବ ହାତି ଓ ଶିବ ପ୍ରସାଦ ସାହୁଙ୍କ 'ବର୍ଷା' କବିତା ଏକ ଆଲୋଚନା


ଯୁଗ୍ମ ବିଜେତା ଶିବ ହାତି ଓ ଶିବ ପ୍ରସାଦ ସାହୁଙ୍କ 'ବର୍ଷା' କବିତା ଏକ ଆଲୋଚନା
===============
କଣ୍ଡୁରୀ ଚରଣ ରାଉତ
     ବଡ଼ ବଡ଼ ପ୍ରତିଯୋଗିତାରେ ଯୁଗ୍ମ ବିଜେତା ହେବାର ଅନେକ ନଜିର ରହିଛି ।ବିଶେଷ କରି ବର୍ଷା ଯୋଗୁଁ ଫାଇନାଲ
ଖେଳ ହୋଇ ନ ପାରିଲେ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଏ ।ସେମିତି ଏକ ମଜାଦାର ଘଟଣା ଘଟିଛି ଉଦୟଭାନୁ ସାପ୍ତାହିକ ସାହିତ୍ୟ ପ୍ରତିଯୋଗିତାରେ ; ତାହା ପୁଣି ବର୍ଷାକୁ ନେଇ ।ବିଜୟ ମୁକୁଟ ପିନ୍ଧିଥିବା ଦୁଇ ଜଣ ସାରସ୍ବତ ସାଧକ ହେଲେ ଶିବ ହାତୀ ଓ ଶିବ ପ୍ରସାଦ ସାହୁ ।ଉଭୟଙ୍କୁ ସାରସ୍ବତ ସମ୍ମାନ ସହ ଅଭିନନ୍ଦନ ଜଣାଉଛି । 

         ଉଭୟ ସ୍ରଷ୍ଟା  ନିଜ ନିଜ ପ୍ରତିଭାର ପରାକାଷ୍ଠା  ପ୍ରଦର୍ଶନ ଦିଗରେ ଯେପରି ପ୍ରୟାସୀ ହୋଇଛନ୍ତି ତାହା ଅଭିନନ୍ଦନୀୟ । ଶିବ ହାତୀଙ୍କ ବର୍ଷା କବିତା ଚମତ୍କାର ଶବ୍ଦ ସଂଯୋଜନା ଓ ଭାଷା ବିନ୍ୟାସରେ ସମୃଦ୍ଧ ହୋଇଥିଲା ବେଳେ ଶିବ ପ୍ରସାଦ ସାହୁଙ୍କ କବିତା ନିରାଭରଣା ସରଳ ଗ୍ରାମ୍ୟ ଲଳନା ପରି ସୁନ୍ଦର ଓ କମନୀୟ । ଲାସ୍ୟମୟୀ ବର୍ଷାର ନୁପୂର ନିକ୍ବଣରେ ନିକ୍ବଣିତ ହୋଇ ଉଠିଛି ଦୁଇଟିଯାକ କବିତା । ଶିବ ହାତୀଙ୍କ ଲେଖା ବଙ୍ଗଳାଶ୍ରୀ ରାଗ ଓ ଶ୍ରୀ ସାହୁଙ୍କ ଲେଖା ଉତ୍ତର ଆଧୁନିକ ବଙ୍ଗଳାଶ୍ରୀ ରାଗ ଛାପରେ ଲିଖିତ ।

        ବର୍ଷା ଆସିଲେ ପ୍ରକୃତିର ସବୁଜ ଆତ୍ମୀୟତା ଭିତରେ ଜୀବ ଜଗତ ଉଚ୍ଚାଟିତ ହୋଇ ଉଠନ୍ତି । ପ୍ରକୃତି ଏକ ବିଚିତ୍ର ଅନୁଭବର ମହାର୍ଘ ମହକରେ ରସୋଚ୍ଛ୍ବଳ ହେଇଉଠେ ।ସେମିତି ବର୍ଷା କବିତାରେ ବର୍ଷାର ଆଗମନରେ ପ୍ରକୃତିରେ ହେଉଥିବା ପରିବର୍ତ୍ତନକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି  ଦୁଇ ଜଣ ସାରସ୍ବତ ସାଧକ ନିଜ ନିଜ ଶୈଳୀରେ । ଅବଶ୍ୟ କାଳିଦାସଙ୍କ ମେଘ ପରି ବିରହୀ ଯକ୍ଷ ପାଇଁ ଦୂତ ସାଜିନି କି ଉପେନ୍ଦ୍ର ଭଞ୍ଜ କି ମାୟାଧର ମାନସିଂହଙ୍କ ରୋମାଣ୍ଟିକ୍ ଚେତନା ସହିତ ବିରହ ପ୍ରାଣର ସନ୍ତାପକୁ ଅଶ୍ରୁ ଆକାରରେ ଅଜାଡ଼ି ଦେଇନି ଦୁଇ ସ୍ରଷ୍ଟାଙ୍କ ବର୍ଷା ।ସେମାନଙ୍କ କବିତାରେ ମଧୁସୁଦନ ଦାସ ଓ ଜଗନ୍ନାଥ ଦାସଙ୍କ ଛାପ ଦେଖିବାକୁ ମିଳେ ।
          ******

ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।