ରାକେଶ ପ୍ରଧାନ
ସଭ୍ୟ ସମାଜ ଯେ ବନ୍ଦୀ ନିଜର ଘରେ,
ଶୂନ୍ୟ ଶୂନ୍ୟ ଦିଶେ ସହର ବଜାରେ l [୧]
କିଏ ଜାଣିଥିଲା କି ଭିନ୍ନ ପ୍ରକାରେ,
ସୃଷ୍ଟି ମହାମାରୀ ଭୂମଧ୍ୟ ସାଗରେ,
କବଳିତ କରି ଚାଇନା ସହରେ,
ବ୍ୟାପିଯିବ ପୁଣି ଦେଶ ବିଦେଶରେ l [୨]
ଭକ୍ଷକ ସାଜି ତୁ ମଣିଷ ରୂପରେ,
ନିରୀହ ଜୀବନ ମାରି ଖାଇଲୁରେ,
ନିର୍ଦ୍ଦୟ ହୋଇଣ ହିଂସା ଅମାପରେ,
ଭୟ ଭ୍ରାନ୍ତି ଭୁଲି ଚରମ ସୀମାରେ l [୩]

ଲେଖା ଅଛି ପରା ଭୂ ଇତିହାସରେ,
ପ୍ରଭୁ ନାରାୟଣ ଅକାତ ଜଳରେ,
ଅବତରି ହୋଇ ମତ୍ସ୍ୟ ଓ କୁର୍ମରେ,
ଧରା ଧରଣୀକୁ ରକ୍ଷା ଯେ କଲେରେ l [୪]
ଶ୍ରେଷ୍ଠ ଜୀବ ବୋଲି କହୁ ତୁ ସୃଷ୍ଟିରେ,
ତିଳେ ହେଁ ଶ୍ରେଷ୍ଠତା ନାହିଁ ଯେ ତୋ' ଠାରେ,
ବୁଦ୍ଧି ଜ୍ଞାନ ଶୂନ୍ୟ ଭରା ଶଠତାରେ,
ଚଲାକି ପଣିଆ ସବୁ ତୋ' ସ୍ୱାର୍ଥରେ l [୫]
ଅଚିହ୍ନା ବ୍ୟାଧି ଯେ ମାଡି ବସିବ ରେ,
ଅଚ୍ୟୁତ ଲେଖିଲେ ତାଙ୍କ ମାଳିକାରେ,
ସେ ଦିନ ଆସିଲା ବିଂଶ ଶତାବ୍ଦୀରେ,
ମୁହେଁ ତୁଣ୍ଡି ଦେଲୁ ହୋଇ ବଳଦ ରେ l [୬]
ସବୁ ଜାଣିଶୁଣି ଅଜଣା ହେଲୁରେ,
ରୋଗ ମହାମାରୀ ଡାକି ଆଣିଲୁ ରେ,
ଜୀବନ ପ୍ରଦୀପ ଲିଭାଇ ହାତରେ,
ବାନ୍ଧି ହେଲୁ ତୁହି ଅକାଳ ଜଞ୍ଜିରେ l [୭]
ଉପନୀତ ହୁଏ ମୃତ୍ୟୁ ସମୀପରେ,
କରୋନା ନାମକ ଭୁତାଣୁ ରୂପରେ,
ମହାମାରୀ ସେ ତ ମହାବିନାଶ ରେ,
ଖୋଜି ଖୋଜି ମାରେ ଯେତେ ବି ଲୁଚରେ l [୮]
ଦୟା କ୍ଷମା ଶାନ୍ତି ମାନବ ଧର୍ମରେ,
ଈଶ୍ୱରଙ୍କୁ ପୁଣି ଗଲୁ ଯେ ଭୁଲି ରେ,
ଦିନରାତି ସମ ନିଶା ସେବନ ରେ,
ଅନ୍ୟାୟ ରଚିଲୁ ଅଧର୍ମ ପଥ ରେ l [୯]
ସମୟ ଯେ ଆଜି ତୋ' ପାଇଁ ବିଚାରେ,
ସ୍ୱାର୍ଥକୁ ବଞ୍ଚିଲୁ ତୁ ବୀର ଦର୍ପରେ,
ପୃଥିବୀ ମାଆ'ର ଦୟା ପଣିଆ ରେ,
ଆକୁଳେ ଶରଣ ଦିଏ ତା' ବକ୍ଷରେ l [୧୦]
ଧରା ବି କମ୍ପୁଛି ତୋହରି ଦାଉରେ,
ଭୟାବହ ହେବ ମହାତାଣ୍ଡବ ରେ,
ହାରିବ ଯେବେ ତା' ସହନଶୀଳ ରେ,
ଲୀନ ହୋଇଯିବ ସେ ମହାକାଳ ରେ l [୧୧]
[]•*•[]
ବଡ଼ପାଟସୁନ୍ଦରପୁର ,
କଟକ - ୭୫୪୦୧୮
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।