ବସନ୍ତ ମଞ୍ଜରୀ ଦାସ

ପୁରୁଷ ପ୍ରଧାନ ଭାରତୀୟ ସମାଜରେ ନାରୀର ଭୂମିକା ଜାଣି ମଧ୍ୟ ଯୁଗେ ଯୁଗେ ଅବହେଳିତ କରାଯାଇଛି ସେମାନଙ୍କୁ , ସୃଷ୍ଟିର ପ୍ରାରମ୍ଭିକ ପରିକଳ୍ପନାକୁ ସାକାର କରିବାକୁ ଯାଇ ସ୍ବୟଂ ଅଖିଳପତି ନିଜର କ୍ଷମତାକୁ ଶ୍ରେୟ କରିବାର ବିଫଳତା ପରେ ହିଁ ନିଜକୁ ସୌନ୍ଦର୍ଯ୍ୟମୟୀ ନାରୀ ରୂପରେ ପରିବର୍ତ୍ତିତ କରିବାକୁ ବାଧ୍ଯ ହୋଇଥିଲେ । କ୍ଷୀର ସାଗରର ମନ୍ଥନ ପରେ ସାଗର ମଧ୍ୟରୁ ପ୍ରାପ୍ତ ଅମୃତ ତଥା ବିଷକୁ ଦିତି ସୁତ ଦୈତ୍ୟଗଣ ତଥା ଅଦିତି ସୁତ ଆଦିତ୍ୟଗଣଙ୍କ ମଧ୍ୟରେ ପରସିବାକୁ ଯାଇ ନାରୀର ବିଶେଷତ୍ୱକୁ ଉପଲବ୍ଧି କରିଥିଲେ । ସେଇଥି ପାଇଁ ବୋଧହୁଏ ନାରୀର ସ୍ଥାନ ପୁରୁଷର ଇଚ୍ଛା ମଧ୍ୟରେ ନ୍ଯସ୍ତ ହୋଇଯାଇଛି ଏକ ପାରମ୍ପରିକ ଭାବମୟତାରେ । କିନ୍ତୁ ପୁରୁଷର ସମସ୍ତ ଶକ୍ତିକୁ କ୍ଷୟ କରିବାର ଶକ୍ତି ଯେ ନାରୀ ନିକଟରେ ନିହିତ ଏହା ମର୍ମେ ମର୍ମେ ଉପଲବ୍ଧି କରନ୍ତି ପୁରୁଷଗଣ । ତଥାପି କାହିଁକି ଯେ ନାରୀ ଅବହେଳିତା ଓ ନିମ୍ନ ଦୃଷ୍ଟିର ଶିକାର ହୁଏ ତା'ର ବାସ୍ତବ କାରଣକୁ ଖୋଜି ପାଇବା ଖୁବ୍ କଷ୍ଟସାଧ୍ୟ । ଦେବତାଗଣଙ୍କର ମୁଖ ନିଃସୃତ ବଚ଼ନାବଳୀରେ ପରିପୁଷ୍ଟ 'ବେଦ' ତ ସ୍ବୀକାର କରେ ନାରୀର ଅଗ୍ର ଭୂମିକାର ଗୁରୁତ୍ବ । ସେଇଥି ପାଇଁ ଜଗତର ଗୋଚ଼ରାର୍ଥେ ଉଦ୍ଘୋଷଣ କରେ , ଯଥା :-
"ଯତ୍ର ନାର୍ଯ୍ଯସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ
ଯତ୍ର ଏତାନି ନ ପୂଜ୍ୟନ୍ତେ ବିଫଳା ସକଳା କ୍ରିୟାଃ ।"

ଯୁଗ ଯୁଗାନ୍ତରୁ ଏହି ବାଣୀ ପ୍ରତି ପ୍ରତ୍ଯେକଙ୍କର ହୃଦୟରେ ମାନ୍ଯତା ଥିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳେ ତାହାର ବିପରୀତ ଫଳଚ଼ୟ । ଯଥା ଯୁଗ ପରେ ଯୁଗ ଅତିକ୍ରମ କରି ଅନ୍ତିମ ଯୁଗ କଳିଯୁଗର ମଧ୍ୟବିନ୍ଦୁରେ ମଧ୍ୟ ଅନୁରୂପ ପ୍ରତିକ୍ରିୟାମାନ ପରିଲକ୍ଷିତ ହୁଏ । ବର୍ତ୍ତମାନର ସ୍ବାଧୀନଚ଼େତା ମାନବଗଣ ସର୍ଗେ ସର୍ଗେ ଉପଲବ୍ଧି କରନ୍ତି ନାରୀର ସୃଷ୍ଟି ବିନା ସୃଷ୍ଟିର ସ୍ଥିତି ଅସମ୍ଭବ । ତଥାପି କନ୍ୟା ଭ୍ରୁଣହତ୍ଯା ପରି ଏକ କଳଙ୍କମୟ କାହାଣୀରେ କୋଳମଣ୍ଡନ କରନ୍ତି ଦୈନିକ ସମ୍ବାଦପତ୍ର ଗୁଡ଼ିକ । ଶିକ୍ଷିତା ଓ ପ୍ରଗତିଶୀଳା ନାରୀ ପ୍ରତି ଅସମ୍ମାନ ଜନକ ବ୍ଯବହାର , ଅଶ୍ଳୀଳ ଇଙ୍ଗିତ , ଯୌନ ଶୋଷଣ , ଅପହରଣ , ବଳାତ୍କାର , ହତ୍ଯା ପ୍ରଭୃତି ସେମାନଙ୍କର କାୟା ବୃଦ୍ଧି କରନ୍ତି ଅନୁଦିନ । ପ୍ରତ୍ଯେକ କାବ୍ଯ କବିତା ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ନାରୀକୁ କ୍ଷମତାଶୀଳା ଭାବରେ ବଣ୍ଣନା କରି । ଏଇ ଯେପରି ଆଦିକବି ସାରଳା ଦାସ ଆଦିପର୍ବରେ ସମାଜରେ ନାରୀର ମହତ୍ତ୍ବ ପ୍ରଦର୍ଶନ କରିବାକୁ ଯାଇ ପତ୍ନୀକୁୁ 'ଆତ୍ମାଗୁରୁ' ଭାବରେ ଆଖ୍ୟାୟିତ କରିଛନ୍ତି । ପୁରୁଷ ଜୀବନରେ ନାରୀର ଗୁରୁତ୍ବ ଓ ସୃଷ୍ଟିି ରକ୍ଷାରେ ନାରୀଜନ୍ମର ଅପରିହାର୍ଯ୍ଯତା ସମ୍ପର୍କରେ 'ସତ୍ଯବତୀ' ମୁଖରେ ବୁଝାଇଛନ୍ତି ସାରଳା ଦାସ , ଯଥା :- "ନାରୀଲିଙ୍ଗ ଜନ୍ମ ଗୋଟି ଦୁର୍ଲଭ ଗୋ' ମାୟେ " । ଅନ୍ୟତ୍ର ହିଡ଼ିମ୍ବିକା ମୁଖରେ ମଧ୍ୟ ପ୍ରକାଶିତ କରାଇଛନ୍ତି :-"ନାରୀଲିଙ୍ଗ ଜନ୍ମ ଗୋଟି ଅଟଇ ଦୁର୍ଲଭ" ।

ବାସ୍ତବରେ ଦୁର୍ଗାଙ୍କ ଠାରୁ ଦୁର୍ଗାବତୀ ପର୍ଯ୍ଯନ୍ତ ପଦ୍ମାଳୟାଙ୍କ ଠାରୁ ପଦ୍ମାବତୀ ତଥା ଲକ୍ଷ୍ମୀଙ୍କ ଠାରୁ ଲକ୍ଷ୍ମୀବାଈ ପର୍ଯ୍ଯନ୍ତ ନାରୀଶକ୍ତିକୁ ବିଶ୍ଳେଷଣ କଲେ ଜନନୀ , ଭଗିନୀ ଓ ଜାୟା ଏହି ତ୍ରିଶକ୍ତିର ଆଧାର ହିଁ ଉପଲବ୍ଧ ହୁଏ । ଏଣୁ ନାରୀ ବ୍ରହ୍ମା ସ୍ବରୂପିଣୀ , ବିଷ୍ଣୁ ସ୍ବରୂପିଣୀ ଏବଂ ଶିବ ସ୍ବରୂପିଣୀ ମଧ୍ୟ । ସୃଷ୍ଟି କ୍ଷେତ୍ରକୁ ପ୍ରଲମ୍ବିତ କରି କ୍ଷେତ୍ରପାଳୀକା ସାଜୁ ସାଜୁ କେତେବେଳେ ଧ୍ବଂସକାରିଣୀ ଭାବରେ ସମଗ୍ର ସୃଷ୍ଟିକୁ ଜଣାଇ ଦିଏ ତା'ର ଶ୍ରେଷ୍ଠ କର୍ତ୍ତୃତ୍ବରାଜିକୁ ଝାନ୍ସୀରାଣୀ ଲକ୍ଷ୍ମୀବାଈ ରୂପରେ ଯୁଦ୍ଧକ୍ଷେତ୍ରରେ ଅବତୀଣ୍ଣା ହୁଏ ସେ କାଳୀ କରାଳୀ ରୂପ ନେଇ । ବିଜୟଲକ୍ଷ୍ମୀ ପଣ୍ଡିତ ରୂପରେ ଶାସନ ଦଣ୍ଡକୁ ଆପଣେଇ ନିଏ ରକ୍ଷାକର୍ତ୍ତ୍ରୀ ସାଜି । ଦେଶର ଦୁର୍ଦିନକୁ ହରାଇବାର ଶପଥ ନେଇ ସୁଚ଼େତା କୃପାଳିନୀର ନାମ ନିଏ ଗମ୍ଭୀର ଭାବରେ । ବିଚ଼ାରିକାର ରୂପ ନିଏ ଆନ୍ନା ଚ଼ାନ୍ଦେ ନାମରେ । କ୍ଯାପ୍ଟେନ୍ ଭାବରେ ମଥାକୁ ଉର୍ଦ୍ଧ୍ବଗାମୀ କରେ ପ୍ରେସ୍ ମାଥୁର୍ ନାମରେ ଏବଂ କଳ୍ପନା ଚ଼ାୱଲା ନାମରେ ମଧ୍ୟ । ଏଣୁ ନାରୀ ଅନନ୍ୟା । ଈନ୍ଦିରା ତଥା ମଦର ଟେରସାଙ୍କ କର୍ମପ୍ରବଣତାକୁ ଉପଲବ୍ଧି କଲା ପରେ ମଧ୍ୟ ପୁରୁଷଗଣ ନାରୀ ମାନଙ୍କୁ ଏପରି ହୀନ ଦୃଷ୍ଟିରେ ଦେଖିବାର ଅବା କ'ଣ ହୋଇପାରେ ?
ସମାହିତ ପ୍ରକ୍ରିୟାର ଆଦ୍ୟ ଭାଗରେ ନାରୀଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ଯ । ଏତଦ୍ବାରା ସେମାନଙ୍କର ଆତ୍ମଶିକ୍ଷଣ ବୃଦ୍ଧି ହୋଇ ସ୍ବୟଂସଂଚ଼ାଳନ କ୍ଷମତା ଉତ୍ତରୋତ୍ତର କ୍ଷେତ୍ରରେ ପହଞ୍ଚି ପାରିବ । ସେଥିପାଇଁ ସରକାରଙ୍କ ଦ୍ବାରା ନାରୀଶିକ୍ଷା ପ୍ରତି ପ୍ରୋତ୍ସାହନ ପ୍ରଦାନ କରାଯାଉଛି । କେବଳ ଶିକ୍ଷା କ୍ଷେତ୍ରର ପରିସର ନୁହେଁ ପରନ୍ତୁ କ୍ରୀଡ଼ା ଠାରୁ ଆରମ୍ଭ କରି ଆତ୍ମରକ୍ଷା କୌଶଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଅଛି । ଏନ ଜି ଓ (NGO) ସଂସ୍ଥା ଗୁଡ଼ିକ ମାଧ୍ୟମରେ ଗୋଷ୍ଠିଗତ ଭାବରେ କାର୍ଯ୍ୟକୁଶଳୀ ହେବା ପାଇଁ ଉତ୍ସାହିତ କରାଯାଉଅଛି । ଏହା ମାଧ୍ୟମରେ ପତିପତ୍ନୀଙ୍କ ମଧ୍ୟରେ ଆତ୍ମୀୟତା ବୃଦ୍ଧି ଘଟୁଛି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସ୍ନେହପୂଣ୍ଣ ବାତାବରଣ ପରିଲକ୍ଷିତ ହେଉଅଛି ।
ଏସବୁ ସତ୍ତ୍ୱେ ନିର୍ଭୟାଗଣ ନିର୍ଭୟରେ ବିଚ଼ରଣ କରିବାରୁ ବଞ୍ଚିତ ହେଉଛନ୍ତି କାହିଁକି ? ଧର୍ଷିତା ଫର୍ଦ୍ଦରେ ସେମାନେ ବାଧ୍ୟମୃତ୍ଯୁ ତଥା ସ୍ବେଚ୍ଛାମୃତ୍ଯୁର କାଳିମାରେ ସତ୍ତା ହରାଇ ବସୁଛନ୍ତି କାହିଁକି ? କାହିଁକି ସେମାନଙ୍କ ପାଇଁ ନ୍ଯାୟ ତରାଜୁ ତା'ର କାର୍ଯ୍ଯ କ୍ଷମତାକୁ ହରାଇ ବସୁଛି ? ଏତେସବୁ କାହିଁକିର ଏକମାତ୍ର ଉତ୍ତର ତା'ର ସ୍ଥିତି ଅନ୍ବେଷଣ କରୁଛି । ଉତ୍ତରଟି ତା'ର ସ୍ଥାନ ମଣ୍ଡନ କରିବ ସେହିଦିନ , ଯେଉଁଦିନ ନାରୀଟିଏ ଅପର ନାରୀର ମର୍ଯ୍ଯାଦା ଅକ୍ଷୁଣ୍ଣ ରଖିବା ପାଇଁ ତତ୍ପର ହୋଇଉଠିବ , ଯୌତୁକ ପରି ଏକ କଳଙ୍କିତ ଅଧ୍ୟାୟକୁ ଲୁପ୍ତ କରିବ ହୃଦୟର ଔଦର୍ଯ୍ଯମୟ ଧବଳ କାଳିକୁ ଲେପନ କରି । ଜନନୀ ରୂପରେ ପୁତ୍ରବଧୂକୁ କନ୍ୟାର ସ୍ଥାନ ଦେଇ , ନଣନ୍ଦର ଭୂମିକାକୁ ପରିବର୍ତ୍ତିତ କରିବ ଭଗିନୀ ରୂପରେ ; ଜାୟା ରୂପକୁ ସାର୍ଥକ କରିବ ଶ୍ବଶୁରାଳୟକୁ ପିତ୍ରାଳୟ ଭାବରେ ଗ୍ରହଣ କରି । ଯଦି ସ୍ବେଚ୍ଛାଚା଼ରୀତା ଭାବକୁ ନିୟନ୍ତ୍ରଣ କରିବ ତେବେ "ନ ଅରି ନାରୀ" ଜନ୍ମର ସାର୍ଥକତା ଲାଭ କରିବ ଦୁନିଆ ବୁକୁରେ ।
ସଦ୍ଭାବନାର ଅସ୍ତ୍ର ଗ୍ରହଣ କରି ପୁରୁଷର ଅବହେଳିତ ପରିପନ୍ଥିକୁ ଜୟ କରିବାକୁ ହେବ ସକ୍ଷମା , ମୁଁ ନାରୀଟିଏ କହିବାର ଯୋଗ୍ୟତା ଲାଭ କରିବ ଦୁନିଆ ବୁକୁରେ । ଆର୍ଯ୍ୟଭୂମି ଭାରତରୁ ଅପସରିଯିବ ଅନାର୍ଯ୍ଯ ପ୍ରକ୍ରିୟା । ବଳାତ୍କାର ଶବ୍ଦଟି ଆତ୍ମଗୋପନ କରିବ ଅସହାୟ ଭାବରେ । ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ
ଶାଗବାରିଆ - ତିରଣ - ଜଗତସିଂହପୁର
ଯୋଗାଯୋଗ - ୯୯୩୭୮୮୫୫୩୭
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।