5/31/2020

ରାଗ

ନରେନ୍ଦ୍ର ପ୍ରସାଦ ବେହେରା 

ରାଗ ବୋଲି ଯେଉଁ  ଦୁଇଟା ଅକ୍ଷର
      ମାରାତ୍ମକ ଆମ ପାଇଁ
ରାଗି ଗଲେ ଆମେ  ହେଉ ନିଆଁବାଣ
      କେବଳ କାହାରି ପାଇଁ ।

ସେ ସମୟେ ଯିଏ  ପଡଇ ସାମନେ
       ଭୁଲି ଯାଉଁ ଚିହ୍ନା ମୁହଁ
ଭଲ ଲୋକ ହୁଏ  ଶତ୍ରୁ ଆମ ପାଇଁ
      ନ ଦେଖଇ ତା'ର ମୁହଁ ।

ରାଗ ଅଟେ ପରା  ପରମ ଚାଣ୍ଡାଳ
      ସମସ୍ତେ ଵୁଝିବା ଆଜି
ରାଗିବାନି କେବେ  କାହାରି ଉପରେ
       କରିବା ଏକାଠି ଭୋଜି ।

ରାଗର ସମୟେ  କହିଥିବା କଥା
     ମନରେ ଥିବ ସାଇତା
ରାଗ ଶାନ୍ତି ହେଲେ  ମନେ ପଡି ଯିବ
      କହିଥିବା କଥା ପିତା ।

ରାଗ କରେ ଶତ୍ରୁ  ରାଗ କରେ ମିତ୍ର
       ମଣିଷକୁ ହା'ହା'କାର
ମନର ବେଦନା  କହି ପାରିବନି
      କାହିଁକି ହେବ ନିଜର ।

ଏହି ରାଗ ଯୋଗୁଁ  ଲଙ୍କାକାଣ୍ଡ ହେଲା
        ମରିଲା ଜ୍ଞାନୀ ରାବଣ
ସେତୁ ବନ୍ଧ ବାନ୍ଧି  ଲଙ୍କାରେ ପଶିଲେ
        ଶ୍ରୀରାମ ମାରିଲେ ବାଣ ।

ରକ୍ତ ମାଂସଧାରୀ  ସାମାନ୍ୟ ମଣିଷ
       ଜନମ ହୋଇଛି ଜାଣ
ଗର୍ବ ଅହଙ୍କାରେ  ବୁଡିକି ମରୁଛି
     ମୁହଁକୁ କରି ସେ ଟାଣ ।

ଧରାଶାୟୀ ଦିନେ  ହେବ ତା'ର ଗର୍ବ
       ସମସ୍ତେ କହିବେ ଛିଡା
ଦୁନିଆଁ ଜାଣିବ  ତା ଘର ଠିକଣା
     ହୋଇବ ସେ ଲକ୍ଷ୍ମୀଛଡା ।

ରାଗ ପାଇଁ ଯଦି  ମଣିଷ ସାଜୁଛି
       ସମାଜରେ ଅମଣିଷ
କେମିତି ବଞ୍ଚିବା  କେମିତି ଚଳିବା
     ଭାବିଲେ ଲାଗଇ ବିଷ ।

ମନର ମଧ୍ଯରେ  ରାଗ ରଖି ଆମେ
       ଦେବାନାହିଁ ଅପମାନ
କା' କଥାରେ ପଡି କେହିକେବେ ଯଦି
        କରୁଥାଏ ଅଭିମାନ ।

ଅଳ୍ପ ଦିନ ମଧ୍ଯେ   ଭାଙ୍ଗି ଯିବ ତା'ର
       ଗର୍ବ ଆଉ ଅଭିମାନ
ସହିବନି ଧର୍ମ   ବୁଡି ଯିବ କୁଳ
      କହିଛନ୍ତି ଭଗବାନ ।

ରାଗ ରଖି ଯଦି   ଦିଅ ଅପମାନ
      ହେବନି କ୍ଷତି କାହାର
ଜଗତେ ଜାଣିବେ  ତୁମ୍ଭ ନୀତି ଗତି
      ଭାବିବେ ତୁମକୁ ଚୋର ।

ରାଗ ରଖି ଯିଏ   କ୍ଷତି କରି ବସେ
       ପାଇବନି କିଛି ଲାଭ
ସୁନାମ ଅର୍ଜିଲେ   ଶତ୍ରୁତା ବଢ଼ଇ
     ମୋ ପାଇଁ ହୋଇବ ଶୁଭ ।

କରିଥାଏ ଯଦି  ଦୋଷ କାହା ପାଖେ
       ନିଜ ଗୁଣେ ଦେବ କ୍ଷମା
କ୍ଷମା ଦେବା ଲୋକ  ମହତ ଅଟଇ
         ଆଉ ରାଗିବିନି ଜମା ।

ରାଗ ବୋଲି ଶବ୍ଦ  ମନରୁ କାଢିଲେ
       ଜଗତ ହୋଇବ ସୁନା
ମୁଁ ଅଟେ ସାମାନ୍ୟ  ଛୋଟିଆ ମଣିଷ
         ପାରିବିନି ଦେଇ ଦାନା ।

ଆସ ଆମେ ଆଜି  ଏକାଠି ହୋଇବା
        ଜଗତ ମଙ୍ଗଳ ପାଇଁ
ନଧରିବା କେହି  କାହାରି ଦୋଷକୁ
     ସାକ୍ଷୀ ଜଗତ ଗୋସାଇଁ  ।।

ଆଳଦା-ଖଇରା -ବାଲେଶ୍ବର 
ମୋ- ୯୮୫୩୧୪୨୫୧୦

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।