5/31/2020

ପୂଜ ପୟର

ସରିତା ମହାନ୍ତି (ଶିକ୍ଷୟିତ୍ରୀ)
++++++++++++++++
ଧରମ ମାସଟି କାର୍ତ୍ତିକ ମାସ
ଘରେ ଘରେ ରନ୍ଧା ହୁଏ ହବିଷ।

ଶଙ୍ଖ ଘଣ୍ଟା ଖାଲି ବାଜି ଉଠଇ
ପ୍ରକମ୍ପିତ ହୋଇ ଉଠଇ ମହୀ।

ତୁଳସୀ ପୂଜନ ହୁଏ ବିଶେଷ
ସବୁ ଦେବାଦେବୀ ମର୍ତ୍ତ୍ୟରେ ବାସ।

ଘରର ସମୃଦ୍ଧି ତୁଳସୀ ମାତା
ତା' ପାଦ ସେବିଲେ ଜଗତ ଜିତା।

କୃଷ୍ଣଙ୍କର  ସିଏ ମଉଡ଼ ମଣି
ଆଜି ବଖାଣିବି ତାଙ୍କ କାହାଣୀ।

ତୁଳସୀ ମାତାଙ୍କୁ ପୂଜିବ ଯିଏ
ଗଙ୍ଗା ମାତାଙ୍କୁ ଭେଟିଵ ସିଏ।

ମୂଳେ ତାଙ୍କ ଗଙ୍ଗା ବାସ କରଇ
ଡାଳରେ ତାଙ୍କର ବିଷ୍ଣୁ ବସଇ।

ପତ୍ରେ ତା ଦେବତା ବାସ କରନ୍ତି
ସନ୍ତୁଷ୍ଟରେ ବର ଯାଚି ଦିଅନ୍ତି।

ନୀଳ ଚକ୍ର ବାନା ହୁଏ ଦର୍ଶନ
ଧନ୍ୟ ହୋଇବ ଆମ ଜୀବନ।

ଅଗଣାରେ ମାତା ଜଗି ବସନ୍ତି
ଖରା ବର୍ଷା ଶୀତ ସବୁ ସହନ୍ତି।

ସ୍ଵାମୀ ଭକ୍ତି ତାଙ୍କ ଦୃଷ୍ଟାନ୍ତ ଦିଏ
ସତୀତ୍ଵ ପାଇଁ କି ଜୀବନ ଯାଏ।

ଜଳନ୍ଧର ତାଙ୍କ ସ୍ଵାମୀ ଅଟନ୍ତି
ଦେବା ଦେବୀ ମଧ୍ୟ ତାଙ୍କୁ ଡରନ୍ତି।

ତପ ବଳେ ସେ ଥିଲେ ବଳିଆର
ବରୁଣ ଦେବଙ୍କ ସିଏ କୁମର।

ମାତା ଲକ୍ଷ୍ମୀଙ୍କର ଭାଇ ଅଟନ୍ତି
ଚତୁର୍ବର୍ଗ ଫଳ ସେ ପାଇଥାନ୍ତି।

ପାର୍ବତୀଙ୍କ ରୂପେ ବଶ ହୋଇଲେ
ଶିବ ରୂପ ଧରି ସେଠାକୁ ଗଲେ।

ସର୍ବ ଶକ୍ତିମାନ ମାତା ଆମର
ମନ୍ଦ ଗୁଣ ସବୁ ଜାଣିଲେ ତାର।

ନାରୀ ଅପମାନ ଯିଏ କରିବ
ଅଧଃ ପତନ ତ ତାର ହୋଇବ।

ଘମା ଘୋଟ ଯୁଦ୍ଧ ଲାଗି ରହିଲା
କେହି କାହାକୁ ଜିଣି ନ ପାରିଲା।

ମାତାଙ୍କ ସତୀତ୍ଵ ଶକ୍ତି ତାହାର
ସବୁଠି ବିଜୟ ସେ ଜଳନ୍ଧର।

ମୃତ୍ୟୁ ବାଟଟିକୁ ଖୋଜି ବୁଲିଲେ
ଶେଷରେ ଏକ ସେ ନିଷ୍ପତ୍ତି ନେଲେ।

ବୃନ୍ଦା ମାତା ଯେବେ ହେବେ ଅସତୀ
ଦୂର ହୋଇବ ତା ଦେହୁ ଶକତି।

ଛଦ୍ମ ବେଶେ ପ୍ରଭୁ ଧରିଲେ ଯେବେ
ତୁଳସୀଙ୍କ ସଙ୍ଗ ପାଇଲେ ତେବେ।

ଜଳନ୍ଧର ରୂପ ପ୍ରଭୁ ଧରିଲେ
ବୃନ୍ଦା ମାତା ସହ କ୍ରୀଡା ରଚିଲେ।

ମାତାଙ୍କୁ ଗୋଚର ହୋଇଲା ଯେବେ
ଅଗ୍ନି କୁଣ୍ଡେ ଝାସ ଦେଲେ ସେ ତେବେ।

ସେହି ଦିନୁ ପ୍ରଭୁ ଝୁରି  ବସିଲେ
ଝୁରି ଝୁରି ପୁଣି ଶିଳା ହୋଇଲେ।

ରଘୁନାଥ ନାମେ ପୂଜା ପାଇଲେ
ତୁଳସୀ ମାତାଙ୍କୁ ମୁଣ୍ଡେ ଧରିଲେ।

ଶହେ ଆଠ ଯିଏ ଦେବ ତୁଳସୀ
ପ୍ରଭୁ ତା ଉପରେ ହୁଅନ୍ତି ଖୁସି।

ସଞ୍ଜ ସକାଳରେ ପୂଜ ପୟର
ଲକ୍ଷ୍ମୀ ବିଜେ ହେବେ ତୁମରି ଘର।

ମାତାଙ୍କର ଗୁଣ ନୁହେଁ ବଖାଣି
ଅଜ୍ଞାନ ଅଧମ ମୁଁ ହୀନିମାନୀ।

ତାଙ୍କ ପାଦ ସେବି ଦିନ ମୋ ଯିବ
ଯିବାବେଳେ ମାତା ସାଙ୍ଗରେ ଥିବ।

ସ୍ଵର୍ଗଦ୍ଵାର ମୋର ଶେଷ ଠିକଣା
ତାଙ୍କ ଠାରେ ମୋ' ଏ ଶେଷ ପାଉଣା।
+++++++++++++++++++++
ବାଲିଆପାଳ - ବାଲେଶ୍ବର
++++++--+++++++++++++++++++

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।