5/31/2020

କୋକୁଆ

  ଇଂ. ଅଜୟ କୁମାର ବେହେରା        

         

ମାଳିକା ବର୍ଣ୍ଣିତ କୋକୁଆ କି ସତେ
     ଧରାରେ ଜନମ ନେଲା !
ସାରା ବିଶ୍ୱ ଆଜି ଭୟେ ଥରହର
    ମାଳିକା କି ସତ ହେଲା !!୧

କାଳ୍ପନିକ ସେହି କୋକୁଆ ଜୀବଟି
     ବୁଲିଲାଣି ଦେଶ ଦେଶ ।
ଜନ ସମାଜରେ ମୃତ୍ୟୁ ବିଭୀଷିକା
     ମନକୁ କଲାଣି ଗ୍ରାସ ।।୨

କଳି ଶେଷ ହେବ ସତ୍ୟ କି ଆସିବ
     ପାପର ହୋଇବ ନାଶ !
ବିଜ୍ଞାନୀ  ମାନବ  ଅହଙ୍କାର  ହତେ
     ଶାନ୍ତ ହେବ ପରିବେଶ !!୩

କୋରନା ନାମରେ କୋକୁଆ ସତରେ
     ଚେତନା ବାରତା ନେଇ ।
ବିଶ୍ୱ  ଜନତାଙ୍କୁ  ଚେତାବନୀ  ଦେଇ
     କାନେ କାନେ ଯାଏ କହି ।।୪

ସୁଧୁରୀ  ଯାଅ  ହେ  ସ୍ୱାର୍ଥାନ୍ଧ ମାନବ
     ଆପଣା ସ୍ୱାର୍ଥକୁ ତେଜି ।
ଜୀବେ ନିଷ୍ଠୁରତା ଜୀବଜନ୍ତୁ ହତ୍ୟା
     କର ନାହିଁ ସାଜି ପାଜି ।।୫

ପରିବେଶ   ନଷ୍ଟ   ଜଗତକୁ  କଷ୍ଟ
     ପ୍ରଦୂଷଣ ବୃଦ୍ଧି କରି ।
ବଞ୍ଚିବା ଆଳରେ ଖାଅ ନାହିଁ କେବେ
     କୀଟ ପତଙ୍ଗକୁ ମାରି ।।୬

ସୃଷ୍ଟିର  ନିୟମ  କଲେ  ଉଲଂଘନ
     ସ ନ୍ତୁ ଳ ନ  ବି ଗି ଡି ବ ।
ପ୍ରକୃତି ମାତାର ଭୟଙ୍କରୀ  ରୂପ
     କୋକୁଆଙ୍କୁ ଜନ୍ମ ଦେବ ।।୭

କୋରନାରୁ  ବଳି ବହୁ ଶକ୍ତିଶାଳୀ
     କୋକୁଆ ଆସିବେ ମାଡି ।
ସୃଷ୍ଟିରେ   ବିଚିତ୍ର  ମାନବ  ସମାଜ
     ନାଶ ହେବେ ବଳି ପଡି ।।୮

ବେଳ ଥାଉ ଥାଉ ସତର୍କ ସୂଚନା
     କୋରନା ବିଶ୍ୱକୁ ଦେଇ ।
ମାଳିକା ବର୍ଣ୍ଣିତ କଳ୍ପିତ କୋକୁଆ
    ଦେଉଛି ମନେ ପକାଇ ।।୯

   *********--------*********
ବିଶ୍ୱାଳି , କୁଜଙ୍ଗ , ଜଗତସିଂହପୁର 
ଦୂରଭାଷ - ୮୯୧୭୩୧୪୪୮୯୧

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।