5/31/2020

କାଚରା ପୋକ ଓ ସନ୍ଧ୍ୟା

ଚ଼ିଣ୍ଟୁ ସେଠୀ

-ବୋଉ..ବୋଉ..ବୋଉ..
(ଧୀର ସ୍ୱର ରେ) ଏ ବୁଢ଼ୀ କୋଉଠି ମରିଗଲା ବା । ନମରି ମତେ ଏତେ ହଇରାଣ କରୁଚି...ମରି ଯାଆନ୍ତା ମତେ ଛୁଟି ମିଳନ୍ତା ଟିକେ...
-ହଁ ମା'
-କୁଆଡେ ଯାଇଥିଲ କି.. ଏତେ ଡାକୁଛି ଶୁଭା ଯାଉନି କି.??
-ଟିକେ ଶୋଇ ପଡ଼ିଥିଲି ମା' ।
-ନିଅ ଖାଇକି ଶୋଇବ ।
-ହଁ , ହଁ..

    ବୋହୂ ଆସିଥିଲା ଖାଇବାକୁ ଦେବାକୁ । ବୟସର ସୂର୍ଯ୍ୟ ବୁଡି ଆସିଲାଣି ;  ଅପେକ୍ଷା କେବଳ ସୂର୍ଯ୍ୟାସ୍ତକୁ । ଆଖିକୁ ଭଲରେ ଦେଖା ଯାଉନି । କାନକୁ ଯାହା ବି କିଛି ଶୁଭୁଚି ସେତିକିରେ ବୋହୂ କଥା ତାକୁ ଭଲରେ ଶୁଭିଛି । ହେଲେ ସେ ବା କ'ଣ କରିପାରିବେ... ? ସେଇ ପୁଅ ବୋହୂଙ୍କ ଦୟାରୁ ତ ଆଜି ଯାଏଁ ଏ ପିଣ୍ଡଟା ପଡିରହିଛି..। ଆଶା ନାହିଁ ଆଉ ବଞ୍ଚିବାକୁ ହେଲେ ବିଧି ତ ଯାହା ଲେଖିଛି....

     ଦୁଆର ପାଖରେ ଠିଆ ହୋଇ ଭାତ ଥାଳିଟାକୁ ପେଲି ଦେଇ ଚାଲିଗଲା ବୋହୂ । ଥାଳିଟା ସେମିତି କେତେ ବେଳୁ ଥୁଆ ହେଲାଣି ସେ କଥା ତାକୁ ଜଣା ନାହିଁ । ଏବେ ଦିନ କି ରାତି ବି ସେ ଜାଣି ପାରୁନାହିଁ । ଥାଳି ପାଖକୁ ଚାହିଁ ଦେଖେ ତ ଦୁଇ ତିନିଟା କାଚରା ପୋକ ଚାଲି ଆସିଲେଣି ।  ମୁହଁରେ ଟିକେ ବିରକ୍ତି ଭାବ ଆଉ ପୁଣି କିଛି ସମୟ ପରେ ପାକୁଆ ପାଟିରୁ ଚେନାଏ ହସ ଝରି ପଡିଲା । ବସିବା ଜାଗାରୁ ନିଜକୁ ଘୋଷାଡି ଭାତ ଥାଳି ପାଖକୁ ଆସିଲା ସେ କାଚରା ପୋକ ଗୁଡ଼ାକୁ ଘଉଡାଇବା ପାଇଁ....। ନୂଆ ବାହା ହେଇ ଆସିଥାଏ ସେ..। ବାପ ଘରେ ବୋଉ , ଭାଉଜ , ପିଉସୀ ଯେତେ ପ୍ରକାରର ଶିକ୍ଷା ଦେଇ ଶାଶୁ ଘର ବିଦା କରିଥା'ନ୍ତି...। କେମିତି ଚାଲିବୁ , କେମିତି ବସିବୁ , କେମିତି ହସିବୁ , କେମିତି କଥା ହେବୁ ଏମିତି କେତେ ସବୁ କଥା...

            ପୋକଟାକୁ ଦେଖି ଚିଲେଇ ଉଠିଲା ସେ । ସାଙ୍ଗେସାଙ୍ଗେ ଶାଶୁ , ଶଶୁର , ସ୍ୱାମୀ , ନଣନ୍ଦ କ'ଣ ହେଲା କ'ଣ ହେଲା କହି ଘେରିଗଲେ ତାକୁ ...। କୁମାରୀ ସୁଲଭ ଭଙ୍ଗୀରେ ସେ କହିଲା 'ବିଛା' ।
ଶାଶୁ - କାଇଁ ବିଛା କୋଉଠି..??
ଶଶୁର - ଏ ବାବୁ ଦେଖିଲୁ ଦେଖିଲୁ ବିଛା କୋଉଠୁ ଆସିଲା..ଛୁଆଟା ଡରୁଛି । ହାଁଟା କରି କ'ଣ ଚାହିଁଚୁ ମତେ ? ତା' ପାଖକୁ ଯାଇ ଦେଖୁନୁ...
ନଣନ୍ଦ - କ'ଣ ହେଲା ନୂଆଉ ?
- ବିଛା ଦେଖିଲି ଗୋଟେ । ସେଇ ଦୁଆର ଚୁଲି ପାଖରେ...

     ଶାଶୁ ଚୁଲି ପାଖ ଖୋଜିଗଲେ ହେଲେ ଗୋଟେ ଯୋଡ଼ାଏ କାଚରା ପୋକକୁ ଛାଡି ଆଉ କିଛି ଦେଖିବାକୁ ପାଇଲେନି ସେ । ହସି ହସି ଆସି ଶାଶୁ କୁଣ୍ଢେଇ ପକେଇଲେ ତାକୁ..।
- "ମୋ ବାୟାଣୀଟା.. ସେ କ'ଣ ବିଛା.? କାଚରା ପୋକଟାକୁ ଦେଖି ବିଛା କହି ହାଉଳି ଖାଉଛୁ ?"

ସେଦିନ ପରିବାରର ହସରେ କମ୍ପି ଉଠିଥିଲା ଘର ଗୋଟାକ...। ସନ୍ଧ୍ୟା ବେଳେ ନଣନ୍ଦକୁ ପଚାରି ବୁଝିଲା ସେ ।
- ଏଇ କାଚରା ପୋକଟା କ'ଣ .? ସେଇଟା ତ ଗୁଡ଼ିଆଣି ପୋକ ।

ନଣନ୍ଦ ରାଣୀ ହସି ହସି ଗଡ଼ିଗଲା ଆଉ ଚିଡ଼େଇବା ଭଙ୍ଗୀରେ କହିଲା - "ନୂଆଉ ! କି ପୋକ କି ପୋକ'' କହି ଦୁଇ ଘେରା ବୁଲି ଆସିଲା ଭାଉଜ ଚାରି ପଟେ । ସେଦିନ ନଣନ୍ଦ ରାଣୀ ତାକୁ ବୁଝେଇ ଦେଲା କି ଯେଉଁ ପୋକକୁ ସେ ଛୋଟ ବେଳୁ ଗୁଡ଼ିଆଣି କହି ଆସୁଥିଲା ଆଉ ବେଳେବେଳେ ବିଛା ଭାବି ଡରି ଯାଉଥିଲା ସେଇଟା ପ୍ରକୃତରେ କାଚରା ପୋକ । ହଁ କିଛି ଦିନ ଯାଏ ନଣନ୍ଦ ତାକୁ ମଜାରେ କାଚରା ପୋକ କହି ଚିଡାଉଥିଲା ଆଉ ସେ ଚୁପଚାପ ହସି ଦେଉଥିଲା କିଛି ନ କହି...।

          ପୁରୁଣା କଥା ମନେ ପଡିଗଲା ବୋଲି ଆଜି ଏ ବୟସରେ ବି ତା' ଓଠରୁ ହସ ଝରି ପଡିଲା । ଅଜାଣତରେ ତା' ଆଖି କୋଣରୁ ଧାରେ ଲୁହ ବି ଝରି ଆସିଲା । ଭାତ ଥାଳି ପାଖକୁ ଆଣି କିଛି ଭାତ ପାଟିରେ ଦେଲା ସେ । ସନ୍ଧ୍ୟା ଘଣ୍ଟା-ଘଣ୍ଟି ବାଜିବାର ଶବ୍ଦ ଶୁଭୁଛି ତାକୁ । ତା' ହାତ ଅଟକି ଗଲା,ପାଟି ବି ଚୁପ ହେଇଗଲା ଆଉ ସେ ସେଇଠି ଶୋଇପଡ଼ିଲା । ବୋଧହୁଏ ସନ୍ଧ୍ୟା ହେଇଯାଇଥିଲା...

🙏କେନ୍ଦ୍ରାପଡା🙏

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।