5/31/2020

ଗୁରୁ

ଚ଼ିନ୍ମୟୀ ପଣ୍ଡା (ପ୍ରାଚୀଲେଖା)  

    ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ଯିଏ ଜ୍ଞାନ ରୂପକ ଅଞ୍ଜନ ଦାନ କରି ଦିବ୍ୟ ଚକ୍ଷୁର ଅଧିକାରୀ କରାଇଥା'ନ୍ତି ସେ ହିଁ ଗୁରୁ । ମାତା ଜନ୍ମ ଦିଅନ୍ତି ,ପୃଥିବୀର ଆଲୋକ ଦେଖାନ୍ତି। ସ୍ତନ୍ଯ ପାନ କରାଇ ପ୍ରାଣ ରଖନ୍ତି । ପିତା ଅନ୍ନ ଦାନ କରି ଶରୀରକୁ ପୋଷଣ କରନ୍ତି। ବୃଦ୍ଧି ଓ ବିକାଶରେ ସହାୟକ ହୁଅନ୍ତି । ପୃଥିବୀ ମାତା ପାଣି ପବନ ପରି ପଞ୍ଚ ମହାତତ୍ତ୍ବ ଦାନରେ ସଂପୂର୍ଣ୍ଣ ଶରୀର ଓ ଆତ୍ମାକୁ ପ୍ରଭାବିତ କରିଥା'ନ୍ତି। କିନ୍ତୁ ଗୁରୁଙ୍କର ଦାନର ମହିମା ଅବର୍ଣ୍ଣନୀୟ । ଗୁରୁ ସ୍ବୟଂ ବ୍ରହ୍ମା,ବିଷ୍ଣୁ ଓ ମହେଶଙ୍କର ପ୍ରତିରୂପ । ସେ ଶିକ୍ଷା ଦାନ ଦ୍ବାରା ବୁଦ୍ଧି ଓ ବିବେକକୁ ଜାଗ୍ରତ କରାଇ ଜଣେ ପ୍ରକୃତ ମଣିଷ ସୃଷ୍ଟି କରିଥା'ନ୍ତି ,ତେଣୁ ସେ ବ୍ରହ୍ମା, ସାଂସାରିକ ଦୀକ୍ଷାରେ ଦୀକ୍ଷିତ କରାଇବା ପାଇଁ ନାନା ପ୍ରକାର ଶାସନ ଓ ଅନୁଶାସନ ମଧ୍ୟରେ ରଖି ଗଢନ୍ତି ଜଣେ ସୁମାନବ ; ତେଣୁ ସେ ପାଳନ କର୍ତ୍ତା ବିଷ୍ଣୁ , ପୁଣି ସେହି ଗୁରୁ ଶିଷ୍ୟ ମଧ୍ୟରେ ଥିବା ଅଜ୍ଞାନ ରୂପକ ଦାନବକୁ ସଂହାର କରି ଉଚିତ୍ ପଥ ପ୍ରଦର୍ଶନ ପାଇଁ ସଂହାରକର୍ତ୍ତା ଶିବଙ୍କର ରୂପ ଧାରଣ କରି ଥାଆନ୍ତି । ଗୁରୁ ଏକାଧାରାରେ ଶିଷ୍ୟର ମାର୍ଗଦର୍ଶକ, ସଂସ୍କାରକ, ଶିକ୍ଷକ, ସେବକ ,ବନ୍ଧୁ,ସଖା,ପାଳନ କର୍ତ୍ତା ମଧ୍ୟ । ସେ ଶାସ୍ତ୍ର ବର୍ଣ୍ଣିତ ପଞ୍ଚପିତାଙ୍କର ମଧ୍ୟରୁ ଅନ୍ୟତମ ।


   ଭାରତୀୟ ସଂସ୍କୃତିରେ ଗୁରୁଙ୍କର ସ୍ଥାନ ଖୁବ୍ ଉଚ୍ଚରେ । ଯୁଗେ ଯୁଗେ ଗୁରୁ ଶିଷ୍ୟଙ୍କର ମହାନ ପରମ୍ପରାକୁ ବର୍ଣ୍ଣନା କରେ ପୁରାଣ ଓ ଐତିହ୍ୟ । ବୈଦିକ ଯୁଗରେ ଶିଷ୍ୟ ମାନେ ଶିକ୍ଷା ଗ୍ରହଣ ପାଇଁ ଗୃହତ୍ଯାଗ କରି ଗୁରୁ ଆଶ୍ରମକୁ ଯାଉଥିଲେ।ଗୁରୁଙ୍କ ଦୃଷ୍ଟିରେ ଶିଷ୍ୟ ରାଜପୁତ୍ର ହେଉ ଅବା ଦୀନ ଦରିଦ୍ରର ପୁତ୍ର ସମସ୍ତେ ସମାନ । ସମସ୍ତଙ୍କ ପାଇଁ ସମାନ ସ୍ନେହ ଶ୍ରଦ୍ଧା ଜଣେ ଉତ୍ତମ ଗୁରୁଙ୍କର ପରିଚୟ ହୋଇଥାଏ । ଶିଷ୍ୟମାନେ ଗୁରୁ ଆଶ୍ରମରେ ବେଦ ଅଧ୍ୟୟନ ସହିତ ଯଜ୍ଞ ପାଇଁ ସମିଧ ସଂଗ୍ରହ ଠାରୁ ଆରମ୍ଭ କରି ଗୋପାଳନ ଓ କୃଷି କାର୍ଯ୍ୟ ମଧ୍ୟ କରୁଥିଲେ । ଏହିଠାରେ ତାଙ୍କର ମୂଳଦୁଆ ଶୋଧ ହେଉଥିଲା । ଗୁରୁଙ୍କର ଆଶିଷ ବିନା କୌଣସି ବିଦ୍ଯାକୁ ଆୟତ୍ତ କରିବା ସମ୍ଭବ ନୁହେଁ । ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶିକ୍ଷା ଲାଭ ପାଇଁ ଗୁରୁ ସନ୍ଦୀପନିଙ୍କ ଆଶ୍ରମକୁ ଯାତ୍ରା କରିଥିଲେ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଗୁରୁ ବଶିଷ୍ଠଙ୍କ ଠାରୁ ବିଦ୍ଯା ଲାଭ କରିଥିଲେ । ଗୁରୁଭକ୍ତି ସକଳ ସାଧନାର ମୂଳ ଏକଥା ଉପମନ୍ଯୁ ଓ ଆରୁଣି ଉପାଖ୍ଯାନରୁ ଜଣାପଡେ । ଗୁରୁଙ୍କର ଚରିତ୍ର ସର୍ବଦା ନାରୀକେଳର ପ୍ରକୃତି ସଦୃଶ ହୋଇଥାଏ । ଉପର ଅତ୍ଯନ୍ତ ଟାଣ ଓ ଅନ୍ତର ସ୍ବଚ୍ଛ ଓ କୋମଳ । ଗୁରୁ ସର୍ବଦା ଏକ ଆଦର୍ଶମୟ ଦୃଷ୍ଟାନ୍ତ।
 
    ଶିକ୍ଷା ଏକ ସ୍ବତଃ ଓ ନିରବିଚ୍ଛିନ୍ନ ପ୍ରକ୍ରିୟା ହୋଇ ଥିବାରୁ ମଣିଷ ପ୍ରତି ମୁହୁର୍ତ୍ତରେ କେଉଁଠୁ ନା କେଉଁଠୁ ଶିକ୍ଷା ଗ୍ରହଣ କରୁଥାଏ । ଜନ୍ମଦାତ୍ରୀ ମାଆ ହେଉଛନ୍ତି ଶିଶୁର ଆଦ୍ଯ ଗୁରୁ । ପିତା ମଧ୍ୟ ସଂସାର ବିଧି ବ୍ଯବସ୍ଥାର ଦୀକ୍ଷା ଦାନ କରି ଗୁରୁ ପଦବାଚ୍ଯ ହୋଇଥା'ନ୍ତି । ସେହିପରି ଶିକ୍ଷାଗୁରୁ ଏବଂ ଧର୍ମ ଗୁରୁଙ୍କର ସ୍ଥାନ ମଧ୍ୟ ଅନନ୍ଯ । ଭାବଗତରେ ବର୍ଣ୍ଣିତ ହୋଇଛି ଦତ୍ତାତ୍ରୟ ଚବିଶି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ ।ତାଙ୍କର ଏହି ଚବିଶ ଗୁରୁଙ୍କ ମଧ୍ୟେ ପୃଥିବୀ ମାତାଠାରୁ ଆରମ୍ଭ କ୍ଷୁଦ୍ରାତିକ୍ଷୁଦ୍ର ପିପିଲିକା ପର୍ଯ୍ୟନ୍ତ ଥିଲେ । ବର୍ତ୍ତମାନ ଯୁଗରେ କିନ୍ତୁ ଏହି ଗୁରୁ ଶବ୍ଦର ସଂଜ୍ଞା ବଦଳି ଯାଇଛି । ଆଉ ଆଗର ଗୁରୁକୁଳ ଶିକ୍ଷା ନାହିଁ କି ସେ ମହନୀୟ ପରମ୍ପରା ମଧ୍ୟ ନାହିଁ ।ଏବେ ଗୁରୁ ଶିକ୍ଷକ ନାମରେ ଖ୍ଯାତ । ଶିକ୍ଷାଦାନର ପରିସର ବିଦ୍ୟାଳୟରେ ସୀମିତ । ତଥାପି କର୍ପୂର ଉଡିଯାଇ କନା ପଡି ରହିବା ପରି ଗୁରୁ ଶିଷ୍ୟର ସେ ମଧୁର ସଂପର୍କ ଏବେ ବି କିଛି ପରିମାଣରେ ରହିଛି । ଏବେ ବି ଅନେକ ଗୁରୁ ଅଛନ୍ତି ଯେଉଁମାନେ ଶିକ୍ଷାଦାନକୁ ଜୀବିକା ଭାବରେ ଗ୍ରହଣ ନକରି ଜୀବନର ବ୍ରତ ଭାବରେ ଗ୍ରହଣ କରିଛନ୍ତି। ଗୁରୁ ହେଉଛନ୍ତି ସମାଜ ଓ ରାଷ୍ଟ୍ରର ନିର୍ମାତା । ସେ ସଦା ସର୍ବଦା ନମସ୍ଯ, ପୂଜନୀୟ, ବନ୍ଦନୀୟ । ଗୁରୁଙ୍କର ଆଶ୍ରୟ ବିନା କିଛି ବି ସାଧ୍ଯ ହୋଇ ପାରେ ନାହିଁ । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ଆମର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ । ତେଣୁ ଗୁରୁ ମାନଙ୍କର ସମ୍ମାନାର୍ଥେ ନିଜର ଜନ୍ମ ତିଥିକୁ ଗୁରୁ ଦିବସ ରୂପେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେପରି ପୁରାଣରେ ବ୍ଯାସ ପୂର୍ଣ୍ଣିମାକୁ ମଧ୍ୟ ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ ।

ତେଣୁ ଯଥାର୍ଥରେ କୁହାଯାଇଛି----

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।।

ଫକୀରପୁର - କେନ୍ଦୁଝର 
ପିନ୍‌ - ୭୫୮୦୨୨

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।