5/31/2020

ଭେରି ଇଣ୍ଟରେଷ୍ଟେଡ୍

ମନୋରମା ହାତୀ 
  ରିମା ଅଫିସ୍‌ରୁ ଫେରି ସବୁଦିନ ବାଲକୋନୀରେ କଫି ପିଇ ସାରିବା ପରେ ଅନେକ ସମୟ ଯାଏଁ ବସି ରହେ ; ପ୍ରାୟ ସାଢେ ଏଗାର ପର୍ଯ୍ୟନ୍ତ। ମୁମ୍ବାଇର ସେ ବ୍ୟସ୍ତ ବିବ୍ରତ ଦୀର୍ଘ ରାସ୍ତାରେ ଆତଯାତ କରୁଥିବା ବିଭିନ୍ନ ପ୍ରକାରର ଲୋକଙ୍କୁ ଚାହିଁ ରହେ। ଗାଡିର ଗର୍ଜନରେ ରାସ୍ତାଘାଟ କମ୍ପି ଉଠୁଥିଲେ ମଧ୍ୟ ତା' ପାଖକୁ ଶବ୍ଦ ପହଞ୍ଚି ପାରେନା । ଯଦିବା ପହଞ୍ଚେ ଏତେ ଅସହ୍ୟ ମନେ ହୁଏନା । ନହେଲେ ଅଫିସରୁ ଟାୟାର୍ଡ ହେଇ ଫେରିବା ପରେ ଏତେ ସମୟ କୋଳାହଳ ମଧ୍ୟରେ ବସି ରହିବା ଝିଅ ସିଏ ନ ଥିଲା । ବାଲକୋନୀର କିଛି ଦୂରକୁ ରାସ୍ତା ଅତିକ୍ରମ କରି ଗଲେ ଲେଫଟ୍ ସାଇଡ୍‌ରେ ଗୋଟେ ବଡ ବାର୍ ଥାଏ । ଯେଉଁଠି ଲୋକମାନେ ଆଭିଜାତ୍ୟ ସମ୍ପନ୍ନରେ ଆସନ୍ତି ଆଉ ଗଲା ବେଳକୁ ଲାଗେ ଯେମିତି ସବୁ ଆଭିଜାତ୍ୟ ତାଙ୍କ ଦେହରୁ କିଏ କାଢି ନେଇଛି । ଢଳି ଢଳି ଅବସ୍ଥାରେ କିଏ ରୋଡ୍ ସାଇଡ୍‌ରେ ତ କିଏ ସାରା ରାତି ସେଇଠି ଗାଡି ଭିତରେ ବସି ରହେ । ଏ ଦୃଶ୍ୟ ଦେଖିବା ତା' ପାଇଁ ନିତିଦିନିଆରେ ପରିଣତ ହୋଇଯାଇଥିଲା ।

       ଏମାନଙ୍କ ପାଇଁ କେତେ ଘୃଣା ଆସେ ତା' ମନରେ । ସାରା ଦିନ କାମ କରି ଅର୍ଜନ କରିଥିବା ଧନକୁ ଏମାନେ ନାଲି ପାଣି ପଛରେ ଉଡାଇ ଏମାନେ କି ସୁଖ ପାଆନ୍ତି କେଜାଣି ? ଇଏତ କେବଳ ସେମାନେ ହିଁ ବୁଝି ପାରୁଥିବେ । ବାହାରକୁ ଭଦ୍ର ସୁରୁଚି ସମ୍ପନ୍ନ ଦେଖା ଯାଉଥିଲେ ମଧ୍ୟ ଏମିତି ଗୋଟେ ଖରାପ ଅଭ୍ୟାସ ର ବଶବର୍ତ୍ତୀ ହେବା ପାଇଁ ଏମାନେ ତିଳେ ମାତ୍ର ସଂକୋଚବୋଧ କରନ୍ତି ନାହିଁ ।

     ଯିବା ପୂର୍ବରୁ ମଣିଷ ଦେଖା ଯାଉଥିବା ଲୋକ ମାନେ ଆସିବା ପରେ ତାକୁ ଜିଅନ୍ତା ରାକ୍ଷସ ପରି ମନେହୁଅନ୍ତି । ପୁଅ ତ ପୁଅ ଏଠିକାର ଝିଅ ମାନେ ବି ସେମାନଙ୍କଠୁ ବଳିକି। ବଡ ବିଚିତ୍ର ଏଇ ମାୟାନଗରୀ । ସଭ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଥିବା ଏଇ ମୁମ୍ବାଇ ଯେ ଆଦର୍ଶ ନାମରେ ଲୋକଙ୍କଠାରୁ ନୈତିକତା ହରଣ କରି ଚାଲିଛି ଆଉ ଆଧୁନିକତା ନାମରେ ଲୋକଙ୍କୁ ନେଇ ଯାଉଛି ନର୍କର ଆଉ ଏକ ଦୁନିଆକୁ।

    ସବୁଠୁ ବଡ ବିଚିତ୍ର କଥା ତାକୁ ଲାଗେ ଯେ ବାର୍‌ର ଫ୍ରଣ୍ଟ ବୋର୍ଡରେ ଲେଖା ଯାଇଛି - "ଆଲକହଲ ଲାଇକ୍ ଆଜ୍ ପଏଜନ୍"। ସେଠାକୁ ଯାଉଥିବା ଆଉ ଫେରୁଥିବା ଲୋକମାନେ ଏଇ ଧାଡିଟିକୁ ପଢନ୍ତି ଅଥଚ ବୁଝିବାର ସାମର୍ଥ୍ୟ ବୋଧେ ସେମାନଙ୍କ ପାଖରେ ନ ଥାଏ । ନହେଲେ ସେମାନେ ଏମିତି କରନ୍ତେ କାହିଁକି ?

  ବାର୍‌ର ଏତେ ସବୁ ଅଜଣା ଲୋକ ଭିତରେ ସେ ଜଣକୁ ଜାଣିଥାଏ । ସେ ହେଉଛି ଆହ୍ୱାନ । ସେ ତା' ଅଫିସ୍‌ରେ କାମ କରେ। ଭାରି ଚୁପ୍‌ଚାପ୍‌ ପିଲା। ଅଫିସ୍‌ରେ କାହା ସାଙ୍ଗରେ କଥା ହେବାର କେବେ ସେ ଦେଖିନି । ଛଅ ବର୍ଷ କାମ କଲା ଭିତରେ ବି ନିଜେ ରିମା ବି କେବେ ତା' ସହ କଥା ହୋଇପାରିନି । ଅନେକ ମିଟିଙ୍ଗ ଅନେକ ପାର୍ଟି ବର୍ଷକ ଭିତରେ ଆରେଞ୍ଜ୍ ହେଉଥିଲେ ବି କେବେ ତା' ସହ ପଦେ କଥା ହେବାର ସୁଯୋଗ ସୃଷ୍ଟି ହୋଇନି । ଝିଅ ମାନଙ୍କୁ ବି ଆଡ ଆଖିରେ ଚାହେଁନି । ହେଲେ ଅଫିସର ସବୁ ଷ୍ଟାଫ୍‌ଙ୍କୁ ସେ ଭଲ ଭାବରେ ଜାଣେ । ଅଫିସରେ ଯଦି କେବେ କାହା ସହ କଥା ହେବାର ଦେଖିଥାଏ ତାହେଲେ ସେ ହେଉଛି ସମର। ବୋଧେ ସମର ଇନଫରମେସନର ଭାବରେ ତା' ପାଖରେ ସବୁ ଡାଟା ଲୋଡ୍ କରେ ।

    ଆହ୍ୱାନ ସବୁଦିନ ଅଫିସରୁ ଫେରିକି ଏଇ ଖ୍ୟାତି ସମ୍ପନ୍ନ ବାର୍‌କୁ ଯାଏ । ତା' ଭିତରେ ସେ କେତେ ଖ୍ୟାତି ଅର୍ଜନ କରେ ଏକଥା ସେ ଜାଣେନା । କାହିଁକି ନା ସେ ଫେରିବା ବେଳକୁ ରିମା ଚାଲି ଯାଇଥାଏ ବେଡ୍‌କୁ । ସକାଳେ ଅଫିସରେ ରିମା ତାକୁ କଟମଟ କରି ଚାହେଁ । କେତେ ସୁନ୍ଦର ଚେହେରା , କେତେ ସୁନ୍ଦର ଭଏସ୍ , କେତେ ସୁନ୍ଦର ବିହେଭିଅର , ଆଟିଚ୍ୟୁଡ୍ ଅଥଚ ଏସବୁ ପରେ ସେ ଗୋଟେ ପୋଖତ ଡ୍ରିଙ୍କର ଏକଥା ଭାବିଲା ବେଳକୁ ତା' ମୁଣ୍ଡ ଘୂରାଇଲା ପରି ମନେ ହୁଏ । ତାକୁ ବିଶ୍ୱାସ ହୁଏନା ଏପରି ଗୋଟେ ପୁଅ କେବେ ବାର୍ ରେ ଡ୍ରିଙ୍କର ମାନଙ୍କ ସାଥିରେ ବସି ଡ୍ରିଙ୍କ କରି ପାରୁଥିବ ବୋଲି। ପୁଣି ଏମିତି ଗୋଟେ ଦିନ ନ ଥାଏ ଯୋଉ ଦିନ ସେ ବାର୍ ରେ ପ୍ରେଜେଣ୍ଟ ଆଟେଣ୍ଡ୍ କରିବାକୁ ଯାଏନି। ଯଦି କିଏ ତାକୁ ଗୋଟେ ଦିନ ପାଇଁ ପ୍ରଧାନମନ୍ତ୍ରୀ କରି ଦିଅନ୍ତି ତାହେଲେ ପ୍ରଥମେ ସେ ଯେତେ ସବୁ ବାର୍ ଅଛି ରାତାରାତି ଧ୍ୱଂସ କରି ଦିଅନ୍ତା।କେତେ ସବୁ ସୁନ୍ଦର ପୁଅ ଝିଅ ଙ୍କର ଜୀବନ ତ ବଞ୍ଚି ଯାଉଥା'ନ୍ତା ।

   ଗୋଟେ କଥା ତାକୁ ଆଶ୍ଚର୍ଯ୍ୟ ଲାଗେ। ଅଫିସ୍ ରେ ଏତେ ପାର୍ଟି ଆରେଞ୍ଜ୍ ହୁଏ। ଯେବେ ଅଫିସ ର ବସ୍ କି ଅନ୍ୟ ଷ୍ଟାଫ୍ ମାନେ ଆହ୍ୱାନ କୁ ଡ୍ରିଙ୍କ ଗ୍ଲାସ୍ ଦିଅନ୍ତି "ନୋ ଥ୍ୟାଙ୍କସ୍, ଆଇ ଆମ୍ ନଟ୍ ଡ୍ରିଙ୍କ୍" ଏମିତି ଏକ ସୁନ୍ଦର ଇଂରାଜୀ ଧାଡିଟେ କହି ନିଜ ଭଦ୍ରତାର ପରିଚୟ ଦେଇ ଏଡାଇ ଦିଏ। ରିମା ଖାଲି ରାଗରେ ଗରଗର ହୁଏ। ତା'ର ସାହସ ଥାଆନ୍ତା କି ସମସ୍ତଙ୍କ ଆଗରେ ତାକୁ ପଚାରି ପାରନ୍ତା ଯେ ତମେ ସତ କହୁଛ? ତମେ ଡ୍ରିଙ୍କ କରନି? ଆଉ ଘଣ୍ଟା ଘଣ୍ଟା ଧରି ସେ ରାଜନଗର ବିଚ୍ ବଜାର ଉପରେ ଥିବା ବାର୍ ଭିତରେ କଣ କର ? କ'ଣ ଅନ୍ୟମାନଙ୍କ ନିଶା ଛଡେଇବାକୁ ଯାଅ ?

      ପ୍ରକୃତରେ ସେ ବାର୍ କୁ ଯାଏ। କିନ୍ତୁ ଡ୍ରିଙ୍କ କରେନା। ଯାଏ ଖାଲି ନିଶା ପାଇଁ।ଇଏ ନାଲି ପାଣିର ନିଶା ନୁହେଁ। ନିଶା ତା ଫ୍ଲାଟ୍ ରେ ରହୁଥିବା ଝିଅ । ଏପର୍ଯ୍ୟନ୍ତ ତାଙ୍କ ଭିତରେ ଯେଉଁ ସମ୍ପର୍କ ଗଢି ଉଠିଛି ସିଏ ତ ଖାଲି ବନ୍ଧୁତା ହିଁ ଧରାଯିବ । ନିଶା ଗୋଟେ ନିଶାସକ୍ତ ଝିଅ। ଯିଏ ଦିନ ସାରା ଶାନ୍ତ ସରଳ ଝିଅ ଭାବରେ କୋଉ ଗୋଟେ ଖ୍ୟାତି ସମ୍ପନ୍ନ କମ୍ପାନୀ ରେ କାମ କରେ ଆଉ ରାତି ନଅଟାରୁ ବାରଟା ପର୍ଯ୍ୟନ୍ତ ଏଇ ବାରରେ କଟାଏ। ଡ୍ରିଙ୍କ କରେ ମନ ଭରିବା ଯାଏ। ପ୍ରକୃତରେ ନିଶାର ଏମିତି ବ୍ୟବହାର ପାଇଁ ତା ଏକୁଟିଆ ଜୀବନ ଅନେକାଂଶରେ ଦାୟୀ। ମା' ଚାଲିଗଲା ପରେ ବାପା ଙ୍କର ଦ୍ୱିତୀୟ ବିବାହ ଆଉ ଦ୍ୱିତୀୟ ପତ୍ନୀ ଙ୍କର ସନ୍ତାନ ପ୍ରୀତି ନିଶା ପାଇଁ ଅବହେଳା ତାକୁ ଏସବୁ ପରିସ୍ଥିତି ଭିତରକୁ ଟାଣି ନେଇଛି। ନା ଘର ଲୋକ କେହି ତା ପାଖକୁ ଆସନ୍ତି ନା ସେ କେବେ ଘରକୁ ଯାଏ। ଆସିବା ତ ଦୂରର କଥା କେହି କେବେ ଥରେ କଲ୍ କରି ପଚାରନ୍ତି ନାହିଁ ନିଶା କେମିତି ଅଛୁ? ଏତେ ବଡ ମୁମ୍ବାଇ ସହରରେ କେହି ଯଦି ତାକୁ ଏ ପଦେ କଥା ପଚାରେ ତାହେଲେ ସେ ହେଉଛି ଆହ୍ୱାନ। ତା' ସହ ବେଶୀ ଦିନର ସମ୍ପର୍କ ନାହିଁ। ଏଇ ଦି' ବର୍ଷ ହେବ ସେମାନଙ୍କର ପରିଚୟ ।

     ଦିନେ ନିଶା ନିଶାର ଆୟତ୍ତ ରେ ନିୟନ୍ତ୍ରଣ ହରେଇ ଆହ୍ୱାନର କଲିଂ ବେଲ୍ ମାରିଥିଲା। ରାତି ଦିଟାରେ କଲିଂ ବେଲ୍ ବାଜିବା ଆଶ୍ଚର୍ଯ୍ୟକର ଥିଲା । ତଥାପି ଆହ୍ୱାନ ଡୋର ଖୋଲି ଦେଖିଲା । ନିଶା ଠିଆ ହୋଇଛି। ତାକୁ କିଛି ପଚାରିବା ପୂର୍ବରୁ ସେ ତା କାନ୍ଧରେ ଢଳି ଯାଇଥିଲା।ନିଶା ବିଷୟରେ କିଛି ଜାଣି ନ ଥିବାରୁ ସେଦିନ ସାରା ରାତି ତାକୁ ରୁମ୍ ରେ ରଖିବାକୁ ପଡିଥିଲା। କେତେ କଣ ସାରା ରାତି ଭାବି ଚାଲିଥିଲା ସେ ନିଶା ବିଷୟରେ । ମୁମ୍ବାଇର ଝିଅମାନେ ଏମିତି ନିଶାସକ୍ତ ଅବସ୍ଥାରେ ରାତି ଅଧରେ କାହା କଲିଂ ବେଲ୍ ମାରନ୍ତି। ଆଉ କାହା ଡୋର ମିଳିଲାନି। ମୋରି ଡୋର ଦେଖାଗଲା। ଏଗୁଡାତ ଝିଅ ନୁହନ୍ତି। ନିଶାରାତିରେ ଏମାନେ ବୁଲୁଥିବା ଗୋଟେ ଗୋଟେ ନିଶାଚରୀ। ଆରେ ଏମିତି ଯଦି କାହା ଘର ଭିତରେ ନିଶାଖାଇ ପଶିଯିବାର ଆଦତ ଅଛି ସାଙ୍ଗରେ ଆଇଡେନଟିଟି କାର୍ଡ଼ ଧରି ବୁଲିବା କଥା। କମସେ କମ ବିଚରା ଘରବାଲା ତାକୁ ନେଇ ତା' ଘରେ ଛାଡି ଆସି ପାରିବ ।

     ହୁଏତ ସେ ନିଶାକୁ ସେଇ ବାହାରେ ଛାଡି ଡୋର ଦେଇ ପାରିଥାନ୍ତା । କାହିଁକି କେଜାଣି ନିଶାକୁ ସେମିତି ଅବସ୍ଥାରେ ଛାଡିବାକୁ ମନ ହେଲାନି। ଝିଅ ପିଲା। କାଳେ ତା ବେପରୱା ଯୋଗୁଁ ତା ସହିତ କିଛି ହେଇଯାଏ ! ଏଇ ଡରରେ ସେ ନିଶାକୁ ରୁମ୍ ରେ ଜାଗା ଦେଇଥିଲା। ନହେଲେ ଅନ୍ୟ କିଛି କାରଣ ନ ଥିଲା ତା ପାଇଁ। ସିଏତ ଶୁଣିଥିଲା ଝିଅ ମାନେ ଘରର ଦେବୀ, ଲକ୍ଷ୍ମୀ ପ୍ରତିମା। ଆଉ ଇଏ ଝିଅ ମାନଙ୍କ ର କେଉଁ ରୂପ? ଅବଶ୍ୟ ମୁମ୍ବାଇ ର ରାସ୍ତା ଘାଟରେ ଯିବା ଆସିବା ବେଳେ ଏମିତି ଝିଅ ଙ୍କୁ ଦେଖେ। ହେଲେ କେବେ ପାଖରୁ ସାମନା କରି ନ ଥିଲା । ଏଇ ସବୁ କଥା ଭାବି ଭାବି ରାତି ଚାରିଟା ବାଜି ଯାଇଥିଲା । ନିଶା କିନ୍ତୁ ଆରାମସେ ବେଡ୍ ରେ ଶୋଇ ରହିଥିଲା ।

ସକାଳେ ନିଦରୁ ଉଠିବା ପରେ ଆହ୍ୱାନ ତା ପାଇଁ କଫି ନେଇ ଆସିଥିଲା। ତା' ହାତରୁ କଫି କପ୍ ଧରିବା ପରେ କହିଲା - "କାଲି ରାତିରେ ଯାହା ସବୁ ହେଲା , ସରି ।" ଆହ୍ୱାନ ପ୍ରତିକ୍ରିୟା ପ୍ରକାଶ କରି କହିଲା - "ଯାହା ସବୁ ହେଲାନି ଯାହା ସବୁ ତମେ କଲ ସେଥିପାଇଁ ସରି କୁହ ।"

- ତମ କଥା କହିବା ଷ୍ଟାଇଲ୍ ଭେରି ଇଣ୍ଟରେଷ୍ଟେଡ୍। ଆଇ ଲାଇକ୍ ଦିସ୍ ।
- ତମେ କୋଉଟା ଲାଇକ୍ କର କୋଉଟା ଡିସ୍ ଲାଇକ୍ ସେ କଥା ମୁଁ ଜାଣିନି। ତମେ ଏତିକି ଜାଣିବା ଦରକାର ଏବେ ତୁମର ଏଠୁ ଯିବା ଦରକାର ।
-ଯିବା ଦରକାର ମାନେ ? ମୁଁ ତ ଏଠି ରହିବା ପାଇଁ ତୁମ ଆଗରେ ରିକ୍ୟୁୁଏଷ୍ଟ କରିନି କି ମୋ' ଅଧିକାର ସାବ୍ୟସ୍ତ କରିନି। କାଲି ରାତିର ହେଲପ ପାଇଁ ଥ୍ୟାଙ୍କସ୍। କଫି ପିଇ ଆଉ ତମର କରଜଦାର ହେବାକୁ ଚାହୁଁନି ; ଆସୁଛି ।

ଏତିକି କହି ଚାଲିଗଲା ନିଶା।

(ଆହ୍ୱାନର ମନେ ମନେ)
-ବଡ ଅଜବ ଝିଅ । ତା'ର ଏମିତି କହିବା ବି ଠିକ୍ ନ ଥିଲା। ନହେଲେ ସେ ଆଉ କ'ଣ କହିଥାନ୍ତା ? ଘରେ ଛାଡି ଆସିବା ପାଇଁ କହିଥାନ୍ତା ! ଏମିତିଆ ଝିଅଙ୍କୁ ସେ ଭଲଭାବରେ ଜାଣେ । ଏମିତି ନିଶାରେ ଘରେ ପଶି ଫ୍ରେଣ୍ଡସିପ୍ କରି ନିଶା ପାଇଁ ଆକାଉଣ୍ଟ ଜମା ରିବାର ପ୍ଲାନିଂ କରନ୍ତି । ନିଶା ଖାଉଥିବା ଲୋକଙ୍କୁ ଭରସା କରିବା ଠିକ୍ ନୁହେଁ ।

     ତଥାପି ନିଶା ଯିବାର ପାଞ୍ଚ ମିନିଟ ପରେ ଡୋର ଖୋଲି ବାଲକୋନୀରୁ ଦେଖିବା ପାଇଁ ଆସିଥିଲା କୁଆଡ଼େ ଗଲା ସେ ? ଅଥଚ ସେ ଦେଖିବାକୁ ପାଇ ନଥିଲା ।ଏତେ ଜଲ୍ଦି ଝିଅଟା କୁଆଡ଼େ ଯାଇପାରେ ! ବୋଧେ ଆଗରୁ ପ୍ରୋପୋଜାଲ୍ ଥିଲା । ପାର୍ଟନର ଆସି ନେଇ ଯାଇଥିବ। ରୁମ୍ କୁ ଫେରି ଆସିଥିଲା ।

     ୟା'ପରେ ଅନେକ ଦିନ ବିତି ଯାଇଥିଲା । ମନେ ମନେ ସେ ନିଶାକୁ ଖୋଜୁଥାଏ । କେବେ କେମିତି ଆଉଥରେ ଅଚାନକ ଦେଖା ହେବାର ଇଚ୍ଛା ମନରେ ଢେଉ ପରି ଉଠିଥାଏ । ନିଶାକୁ ଦେଖା କରିବା ବାହାନାରେ ମୁମ୍ବାଇର ବାରଟା ବାର୍ ବୁଲି ସାରିଥିଲା। ଆଉ ଖୋଜିବନି ବୋଲି ଭାବିଥିଲା। ହେଲେ ଘର ଠାରୁ ଅଳ୍ପ ଦୂରରେ ଥିବା ବାର୍ କୁ କେବେ ଯାଇ ନଥିଲା। ଭାବିଲା ସେଠି ଥରେ ଟ୍ରାଏ କରି ଦେଖିବ। ସତକୁ ସତ ଦିନେ ସେହି ବାର୍ କୁ ଯିବା ପରେ ନିଶାକୁ ବାର୍ ର ଗୋଟେ କୋଣରେ ବସିଥିବାର ଆବିଷ୍କାର କଲା। ତା' ପାଖରେ କେହି ନ ଥିଲେ। ତଥାପି ତା'ଠୁ ଦୂରରେ ବସିଲା ଗୋଟେ ଫାଙ୍କା ଟେବୁଲ ପାଖରେ । ଅଚାନକ ନିଶା ଉଠି ଆସି ତା' ପାଖରେ ବସିଲା ।

- ଆରେ ! ତମେ ! ତମେ ବି ଡ୍ରିଙ୍କ କର ? ହେଲେ ତମକୁ ଆଗରୁ ତ ଏଠି ଦେଖିନି। ଏମିତି ହୋଇପାରେ, ଅଲଗା ଆଡେ ଯାଉଥିବ। ନା କ'ଣ ଷ୍ଟ୍ରେଞ୍ଜର ?  ଏ ପର୍ଯ୍ୟନ୍ତ ଅର୍ଡର କରିନ ? ପାର୍ଟନରକୁ ଅପେକ୍ଷା କରିଛ ବୋଧେ ! ସେମିତିରେ ସାଙ୍ଗ ହୋଇ ଡ୍ରିଙ୍କ କରିବାର ମଜା କିଛି ନିଆରା । ଯେତେବେଳେ ସାଙ୍ଗ ହୋଇ ଡ୍ରିଙ୍କ କରୁ ବାର୍ ଟା ସେତେବେଳେ ସ୍ୱର୍ଗ ପରି ଲାଗେ। ଷ୍ଟ୍ରେଞ୍ଜର ! ଡ୍ରିଙ୍କ ଗ୍ଲାସ୍ ଟା କେତେବେଳୁ ତମ ପାଖରେ ରଖି ସାରିଲାଣି । ତମେ ପିଇଲନି ଯେ ?

- ନୋ ଥ୍ୟାଙ୍କସ୍ । ଆଇ ଆମ୍ ନଟ୍ ଡ୍ରିଙ୍କ । ଆଉ ମୋ ନାଁ ଷ୍ଟ୍ରେଞ୍ଜର ନୁହେଁ ଆହ୍ୱାନ ।
- ଆହ୍ୱାନ ! ଭେରି କ୍ୟୁଟ୍ ନେମ୍ । ଆଚ୍ଛା ତମେ ଡ୍ରିଙ୍କ କରନି ଆଉ ଏ ବାର୍ ରେ କ'ଣ ଡ୍ରିଙ୍କର ମାନଙ୍କ ବିଷୟରେ ରିସର୍ଚ୍ଚ କରିବାକୁ ଆସିଛ ?
- ଡ୍ରିଙ୍କର ମାନଙ୍କ ବିଷୟରେ ତ ନୁହେଁ ହୁଏତ ତମ ବିଷୟରେ ହୋଇପାରେ ।
- ମୋ' ବିଷୟରେ ! ଭେରି ଇଣ୍ଟରେଷ୍ଟେଡ୍ ! ମୋ' ବିଷୟରେ ଏମିତି ତ କିଛି ନାହିଁ ଯେ ତାକୁ ରିସର୍ଚ୍ଚ କରିବାକୁ ପଡିବ। ମୁମ୍ବାଇର ଆୱାରା ବେପରୱା ଝିଅ ମାନଙ୍କ ଲିଷ୍ଟ ମଧ୍ୟରେ ବୋଧେ ମୋ' ନାଁ ପ୍ରଥମେ ଆସିବ । ଏତିକି ମୋର ଆଇଡେନଟି। ଆଉ ବେଶୀ କିଛି ନୁହେଁ ।

ଆହ୍ୱାନ ଚାହିଁଲା ତାକୁ। ସେ ନିଜକୁ ଯେତେ ଆୱାରା ଭାବୁଛି ସେତେ ତ ସିଏ ନ ଥିଲା।

-ତମ ନାଁ ଟା ?

-ନିଶା ।

ଆହ୍ୱାନ ମନେ ମନେ ଭାବିଲା ଯାହା ହ ଉ ନାଁ ସହିତ ଝିଅ ର ଆଚରଣରେ ସାମଞ୍ଜସ୍ୟ ଅଛି।

- କୋଉଠି ରହୁଛ ?

  ଏଇ ଆଗରେ ରହୁଛି କହି ନିଶା ଶେଷ ଗ୍ଲାସ୍ ଟା ଶେଷ କଲା।

-  ଆସୁଛି ଷ୍ଟ୍ରେଞ୍ଜର। ଓଃ ସରି। ଆହ୍ୱାନ ବାଏ ।

ଚାଲି ଯାଉଥିଲା।ଆହ୍ୱାନ ପଛେ ପଛେ ଆସିଲା।

-ତମ ସହ ଘର ଯାଏଁ ଯାଇ ପାରିବି ? ମୋ' ଫ୍ଲାଟ୍ ବି ଏଇ ପାଖରେ।

-ଓଃ ! ଭେରି ଇଣ୍ଟରେଷ୍ଟେଡ୍। ଏଥର ତୁମ ସହ ଦେଖା କରିବାରେ ଅସୁବିଧା ହେବନି। ଠିକ୍ ଅଛି। ଆସିପାର, କମ୍ ।

  ରାତି ବାରଟା ବାଜିଲାଣି । ମୁମ୍ବାଇର ଅନ୍ୟ ରୋଡ୍ ବ୍ୟସ୍ତ ବିବ୍ରତରେ ଥିବା ବେଳେ ସେଇ ରୋଡ୍ ଟି ଜନଶୂନ୍ଯ ହୋଇଯାଏ। ଏତେବେଳକୁ କେବଳ ବାର୍ ରୁ ଫେରୁଥିବା କେଇଟି ହାତଗଣତି ଲୋକଙ୍କର ଆତଯାତ ନଜର କୁ ଆସେ। ନିଶାର ପାଦରେ ପାଦ ମିଶେଇ ଆସୁଥିବା ବେଳେ ନିଶା ପାଖରୁ ଆସୁଥିବା ନିଶାର ବାସ୍ନାରେ ଆହ୍ୱାନ ନିଜକୁ ଅସହଜ ମନେ କରୁଥିଲା। ସେଥିପାଇଁ ତାଠୁ ଟିକେ ଦୂରରେ ଚାଲୁଥାଏ ।

   ନିଶା ଏସବୁ ଲକ୍ଷ୍ୟ କରି କହିଲା - "ଆରେ ମୁମ୍ବାଇରେ ଷ୍ଟ୍ରେଞ୍ଜର ମାନେ ଏତେ ଦୂରରେ ଚାଲନ୍ତିନି ଆଉ ଆମେତ ଫ୍ରେଣ୍ଡସ୍। ଯେତେବେଳେ ଆମର ଦି' ଥର ଦେଖା ହୋଇ ସାରିଲାଣି ଅଲରେଡି ଆମେ ଫ୍ରେଣ୍ଡସ୍  ହୋଇ ସାରିଲୁଣି । ଏବେ ଏତେ ଡିଷ୍ଟାନସ୍ ମେଣ୍ଟେନ୍ କରିବା କଣ ଦରକାର ?"

ୟା' ପୂର୍ବରୁ ଆହ୍ୱାନ କିଛି କହିଥାନ୍ତା ନିଶା ତା' ଫ୍ଲାଟ୍ କୁ ଦେଖେଇ କହିଲା-ବାଏ। ମୋ ଘର ଆସିଗଲା ଆଉ ତମର ବି ।

ଆହ୍ୱାନ ଆଶ୍ଚର୍ଯ୍ୟ ହେଉଥିଲା। ନିଶା ଏଇ ଫ୍ଲାଟ୍ ରେ ରହୁଛି ଆଉ ସିଏ ତାକୁ ସାରା ସହର ଖୋଜୁଛି । ନିଶା ତା' ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇବା ଭଳି କହିଲା - "ଏଇ! କଣ ଭାବୁଛ ? ସେଦିନ ମୋ' ରୁମ୍ ଭାବିକି ତମ ରୁମକୁ ଅଜାଣତରେ ଚାଲି ଯାଇଥିଲି।ସାଙ୍ଗ ମାନଙ୍କ ସହ ଟିକେ ଓଭର ଡ୍ରିଙ୍କ ହେଇଯାଇଥିଲା। ସେଥିପାଇଁ ସରି ଷ୍ଟ୍ରେଞ୍ଜର। ଗୁଡ୍ ନାଇଟ୍।"

   ଆହ୍ୱାନ ଏଥର ପ୍ରତିବାଦ କଲାନି ତାକୁ ଷ୍ଟ୍ରେଞ୍ଜର ଡାକିବା ପରେ। ମନେ ମନେ ବହୁତ ଖୁସି ହେଲା।ଏବେ ସିଏ ଯେତେବେଳେ ଚାହିଁବ ଦେଖା କରି ପାରିବ। ହେଲେ ସେ ଏତେ ଖୁସି କାହିଁକି ହଉଛି ? ଡ୍ରିଙ୍କ ସେ ନିଜେ କରେନି ଅଥଚ ଡ୍ରିଙ୍କ କରୁଥିବା ଝିଅଟି ପ୍ରତି ଏତେ ଆକର୍ଷଣ କାହିଁକି ?

   ପ୍ରକୃତରେ ନିଶା ଡ୍ରିଙ୍କ କରୁଥିଲେ ବି ସ୍ୱଭାବରେ ଭଲ ଝିଅ ଥିଲା। ଯାହା ତା' ପ୍ରତି ତାକୁ ଆକର୍ଷିତ କରୁଥିଲା।ସକାଳୁ ଯେବେ ରେଡି ହେଇକି ନିଶାର ଡୋର୍ ପାଖକୁ ଯାଏ ତା'ର ଡୋର ଲକ୍ ଥିଲା। ବୋଧେ ସେ ଚାଲି ଯାଇଥିଲା।ସେଦିନ ସାରା ଦିନ ଅଫିସ୍ କାମରେ ବ୍ୟସ୍ତ ଥିଲା। ଅଫିସ୍ କାମ ସାରିବା ପରେ ସିଧା ବାର୍ କୁ ଯାଇଥିଲା।ନିଶା ସହ ଦେଖା ବି ହେଲା। ନିଶା ତା ପାଇଁ ଖାଇବା ମଗେଇଥିଲା। ନନ୍ ଭେଜ୍ ଫୁଡ୍। ଆହ୍ୱାନ ମନାକଲା।
- ନା, ମୁଁ ନନ୍ ଭେଜ୍ ଖାଏନି।
- ଭେରି ଇଣ୍ଟରେଷ୍ଟେଡ୍ ! ଡ୍ରିଙ୍କ କରନି। ନନ୍ ଭେଜ୍ ଖାଅନି। ଫାଷ୍ଟ ଟାଇମ ତମ ପରି ପୁଅ ସହିତ ଦେଖା ହେଲା। ଗୋଟେ କଥା ପଚାରିବି ? ଟାଇମ ନଅଟା ବାଜିଛି। ବୋଧେ ଡିନର କରି ନଥିବ। ଡିନର ନ କରି ମୋ' ସହିତ ଦେଖା କରିବାକୁ ଆସିଛ ! ଏମିତି କିଛି ମୋ' ପାଖରେ ଖାସ୍ ପର୍ସନାଲିଟି ତ ନାହିଁ। ତଥାପି ଭେରି ଇଣ୍ଟରେଷ୍ଟେଡ୍ !

ଆହ୍ୱାନ ଉଠିଗଲା।
- ଦେଖ ନିଶା ! କଥା କଥାକେ ଏମିତି ବ୍ଲାକ୍ ମେଲିଂ କରିବ ଠିକ୍ ଅଛି। ମୁଁ ତମ ସହ ଆଉ କେବେ ଦେଖା କରିବିନି ।
- ସରି ! ଏମିତି କହି ଦେଲି। ଆରେ ବସନା। ଆମ ଭିତରେ ଏମିତି ସେମିତି କିଛି ବି ନାହିଁ। ଆଉ ମୁଁ କହିଲି ତମେ ଏତେ ସିରିୟସ୍ ହେଇଗଲ ! ତାହେଲେ କିଛି ତ ନିଶ୍ଚୟ ଅଛି । ଭେରି ଇଣ୍ଟରେଷ୍ଟେଡ୍।
- କିଛି ବି ଇଣ୍ଟରେଷ୍ଟେଡ୍ ନାହିଁ ଖାଲି ତମେ ହିଁ ଏମିତି ଭାବୁଛ। ଏଥର ଯିବା ?
- ନିଶା ତା' ହାତ ଘଣ୍ଟାକୁ ଚାହିଁଲା। ଦଶଟା ତିରିଶ ବାଜିଛି। ଏତେ ଜଲଦି ମୁଁ କେବେ ଘର କୁ ଯାଇନି। ଠିକ୍ ଅଛି, ତମେ କହୁଛ ତ ମାନି ଯାଉଛି।
- ଓଃ ! ରିଏଲି ! ମୁଁ କହିଲି ଆଉ ତମେ ମାନିଗଲ ? ଭେରି ଇଣ୍ଟରେଷ୍ଟେଡ୍। ନିଶାସକ୍ତ ମାନଙ୍କ ଆଗରେ କାହା ଜୋର ଚାଲେନି। ଆଜି ମୋର ଜୋର ତମ ଉପରେ, କଥା କଣ ନିଶା ?

ନିଶା ହସିଲା ।
-ଭେରି ଇଣ୍ଟରେଷ୍ଟେଡ୍। ଏତେ ଜଲଦି ମୋ' ପରି କଥା କହିବା ଶିଖିଗଲ।

   ଏମିତି ସେମାନଙ୍କ ଭିତରେ ବନ୍ଧୁତା ବଢି ଚାଲିଥିଲା। ନିଶାର ଏମିତି ନିଶାସକ୍ତ ହେବାର କାରଣ, ତା'ର ବ୍ୟକ୍ତିଗତ ଜୀବନ ର ଏମିତି ଗୋଟେ କଥା ନ ଥିଲା ଯାହା ତାକୁ ଅଜଣା ଥିଲା। ନିଶା ଏମ୍. ବିଏ କୋର୍ସ ଶେଷ କରି ପାଖ କମ୍ପାନୀ ରେ ଜବ୍ କରୁଛି। ମାସକୁ ସାଲାରି ପ୍ରାୟ ପଚିଶ-ତିରିଶ ହଜାର ମିଳୁଥିଲେ ବି ଗୋଟେ ବି ଟଙ୍କା ତା ଆକାଉଣ୍ଟ ରେ ଡିପୋଜିଟ୍ ହୋଇ ପାରୁ ନଥିଲା। ବରଂ ଡିପୋଜିଟ୍ ଥିବା ଟଙ୍କା କେବେ ଉଠେଇ ରେଡ୍ ୱାଟର ପଛରେ ଉଡଉଥିଲା । କିନ୍ତୁ ସେ କେବେ ଏ ରେଡ୍ ୱାଟର ପାଇଁ ଆହ୍ବାନ ପାଖରେ ଜାହିର କରେନି। ଏକଥା ଆହ୍ୱାନ କୁ ଭଲ ଲାଗେ । ଏଇଟା ନିଶାର ସ୍ବାଭିମାନର ବି ପରିଚୟ ଦିଏ ।

    ସେମାନଙ୍କର ଦେଖା କେବଳ ରାତି ନଅଟା ପରେ ହିଁ ହୁଏ । ସକାଳେ ଦେଖା ହେବା ଅସମ୍ଭବ । ଦି' ଜଣ ଦି' ଜଣଙ୍କ କାମରେ ବ୍ୟସ୍ତ ଥାନ୍ତି। ଅଫିସ୍ ଯିବା ପାଇଁ ତରତରରେ ବେଳେ ବେଳେ କେହି କାହାକୁ ଗୁଡ୍ ମର୍ଣ୍ଣିଂ ବି କହି ପାରନ୍ତିନି। ବାସ୍ ଫେରିବା ବେଳେ ବାର୍ ରେ ତିନି ଘଣ୍ଟା ଯାଏଁ ଯାହା କଥା ବାର୍ତ୍ତା। ଆଉ ତା' ପରେ ନିଜ ନିଜ ରୁମ୍ ରେ। କେବେ କେବେ ନିଶାର ଇଚ୍ଛା ହେଲେ ଆହ୍ୱାନ ରୁମ୍ ରେ ରହିଯାଏ। ମାତ୍ର ଆହ୍ୱାନ କେବେ ତା ରୁମ୍ ରେ ରହେନା। ତାକୁ ଖରାପ ଲାଗେ।ଦିନେ ତା'ର ଅଫିସ୍ ତରଫରୁ ପାର୍ଟି ଥାଏ । ସେଦିନ ଆସିବାକୁ ଡେରି ହେଲା। ଡୋର ଖୋଲୁ ଖୋଲୁ ନିଶାକୁ ସୋଫାରେ ବସି ଡ୍ରିଙ୍କ କରୁଥିବାର ଦେଖି ରାଗିଗଲା ।

- ନିଶା ! ତମର ସାହସ କେମିତି ହେଲା ମୋ' ରୁମ୍ ରେ ବସି ଏମିତି ଡ୍ରିଙ୍କ କରିବା ପାଇଁ ?

ନିଶାର ଓଲଟା ପ୍ରଶ୍ନ ।

- ବଡ ଅଜବ ପୁଅ ତମେ ! ଡ୍ରିଙ୍କ କରି ତମ ରୁମ୍ ରେ ପଶି ପାରିବି ଅଥଚ ରୁମ୍ ରେ ବସି ଡ୍ରିଙ୍କ କରି ପାରିବିନି ?
- ମୁଁ ତମଠୁ ଗୋଟେ ପଦ ବି ଶୁଣିବାକୁ ଚାହୁଁନି। ଗେଟ୍ ଆଉଟ୍ ଫ୍ରମ୍ ହିଅର ।

ଆହ୍ୱାନ ଯେମିତି ନିଶାକୁ ଆହ୍ୱାନ ଦଉଛି ସେମିତି ଲାଗିଲା ।

- ଆଚ୍ଛା ! କାହା ରାଗ ମୋ' ଉପରେ ଅଜାଡି ଚାଲିଛ ? ମୁଁ ଟିକେ ଜାଣେ ! କିଏ ସେ ବିଉଟିଫୁଲ ଲେଡି ? କ'ଣ ଝଗଡା ହେଇଗଲା ତା' ସାଥିରେ ? ଆରେ ତମର କାହା ସାଥିରେ ଚକ୍କର ଚାଲିଛି ଆଉ ଆଜିଯାଏଁ ଏକଥା ମୋତେ କହିନ ? ଭେରି ଇଣ୍ଟରେଷ୍ଟେଡ୍ ।

- ନିଶା! ତମେ ଯିବ ନା ମୁଁ ବାଧ୍ୟ ହେଇ ତମ ହାତ ଧରି ବାହାର କରି ଦେବି।

- ତମ ପାଇଁ ମୁଁ ଦି' ଘଣ୍ଟା ହେଲାଣି ୱେଟ୍ କରିଛି ଆଉ ତମେ ଘରୁ ବାହାରି ଯିବା କଥା କହୁଛ ? ଭେରି ଇଣ୍ଟରେଷ୍ଟେଡ୍।

- ନଟ୍ ଇଣ୍ଟରେଷ୍ଟେଡ୍। ହଁ କହି ଦଉଛି ମୋ ପାଇଁ ଆଉ କେବେ ୱେଟ୍ କରିବା ଦରକାର ନାହିଁ କହି ଆହ୍ୱାନ ତାକୁ ବାହାରକୁ ବାହାର କରି ଡୋର ଦେଇ ଦେଲା ।

    ସାରା ରାତି ସେଦିନ ସେ ଶୋଇ ପାରି ନଥିଲା। ଏଥିପାଇଁ ନୁହେଁ ଯେ ନିଶା ତା' ରୁମ୍ ରେ ବସି ଡ୍ରିଙ୍କ କରୁଥିଲା ବୋଲି । ବରଂ ଏଥିପାଇଁ ତାକୁ ସେ ପ୍ରଥମଥର ଏମିତି କଠୋର ବ୍ୟବହାର ଦେଖେଇ ଥିଲା । ତା' ଆରଦିନ ସେମାନଙ୍କ ମଧ୍ୟରେ ନା ଫୋନକଲ୍ ନା ମେସେଜ୍। କିଛି ବି ହୋଇ ନ ଥିଲା। ଆହ୍ୱାନ ଶେଷ ରେ ନିଶାକୁ ଦେଖା କରିବାକୁ ଯାଇଥିଲା ବାର୍ କୁ। ନିଶା ସେଦିନ ଓଭର ଡ୍ରିଙ୍କ କରି ଏମିତି ଅବସ୍ଥା କରି ଥିଲା ଯେ ଘରକୁ ଆସିବା ବି ତା ପକ୍ଷେ କଷ୍ଟକର ଥିଲା। ଆହ୍ୱାନ ହିଁ ତାକୁ ଘରକୁ ଆଣି ବେଡ୍ ରେ ଶୁଆଇଯିବା ବେଳେ ନିଶା ତା ହାତ ଧରି କହିଲା - "ଆଇ ଆମ ସରି। ରିଏଲି ଆଇ ଆମ୍ ଭେରି ସରି। ଗତକାଲି ପାଇଁ। ତମ ରୁମ୍ ରେ ଡ୍ରିଙ୍କ କରିବା ଆଗରୁ ଥରଟେ ତମ ପରମିଶନ ନେବା ଦରକାର ଥିଲା। ଆଉ ଆଜି ଓଭର ଡ୍ରିଙ୍କ କରି ଥିବାରୁ ସରି। କାଲିର ଘଟଣାକୁ ଭୁଲିବା ପାଇଁ ଯେତେ ଚାହିଁଲେ ବି ଭୁଲି ପାରୁ ନ ଥିଲି। ସେଥିପାଇଁ......।ତମକୁ କେବେ ରାଗିବାର ଦେଖି ନ ଥିଲି। ଆଉ ଫାଷ୍ଟ ଟାଇମ ମୋ ଉପରେ ଏତେ ରାଗିକି କଥା କହିବା ମୋ' ଦ୍ଵାରା ସହ୍ୟ ହେଲାନି ।ପ୍ଲିଜ୍..... ମୋତେ କ୍ଷମା କରି ଦିଅ ।" ୟା' ପରେ ନିଶା ଶୋଇ ଯାଇଥିଲା । ହଜି ଯାଇଥିଲା ଏ ଦୁନିଆରୁ ଆଉ ଗୋଟେ ଦୁନିଆରେ। ଯୋଉ ଦୁନିଆ ବିଷୟରେ ସେ ଅଜଣା ଥିଲା।ଯୋଉ ଦୁନିଆ ତା' ବିଷୟରେ ବି ଅଜଣା ଥିଲା। ଯୋଉଠି ନିଶା ଗୋଟେ ନିଶାସକ୍ତ ନୁହେଁ, ରାତିର ପରୀ ରାଣୀ ସାଜି ଘୂରି ଵୁଲୂଥିଲା। ଆହ୍ୱାନ ତା' ଉପରେ ବେରସିଡ୍ ପକେଇ ଚାଲିଗଲା।

ଆରଦିନ ଅଫିସରେ ଥିବା ବେଳେ ନିଶାକୁ ମେସେଜ୍ କଲା।
- "ଏବେ ଅଫିସ୍ ଛାଡି କିଛି ସମୟ ପାଇଁ ରାନୀ ରେଷ୍ଟୁରାଣ୍ଟକୁ ଆସି ପାରିବ ? "

ନିଶାର ରିପ୍ଲାଏ :-
- "ଭେରି ଇଣ୍ଟରେଷ୍ଟେଡ୍। କାମ ଭିତରେ ବି ମୋତେ ମନେ ପକଉଛ। ଏମିତି କି ଦେଖା କରିବାକୁ ଚାହୁଁଛ।"

ଆହ୍ୱାନର ରିପ୍ଲାଏ :-
- "ଏତେ କଥା କହିବା ଦରକାର ନାହିଁ। ହଁ କି ନା କୁହ।"

ନିଶା ଟାଇପ କଲା ମୋବାଇଲରେ :-
- "ମୋ ନାଁ ଆଜି ଯାଏଁ ଜାଣିନ ? ନିଶା ! ଦୁନିଆର ସବୁଠୁ ସୁନ୍ଦର ନାଁ। "

ଆହ୍ୱାନ ବ୍ୟସ୍ତ ହେଇ ରିପ୍ଲାଏ ଦେଲା :-
- "ମୁଁ ଏବେ ଅଫିସ୍ ରେ କାମ କରୁଛି। ଘରେ କି କୋଉ ପାର୍କରେ ନାହିଁ। ତମ ମେସେଜର ରିପ୍ଲାଏ ଦେବାକୁ ବସି ରହିଥିବି ।

ନିଶା ମେସେଜ ଲେଖିଲା :-
- "ସରି ବାବା। ଏଥିରେ ପଚାରିବାର କଣ ଥିଲା ? ମେସେଜ୍ କରି ଚାଲି ଆସିଥାନ୍ତ ରେଷ୍ଟୁରାଣ୍ଟକୁ। ଡ୍ରିଙ୍କରମାନଙ୍କ ଉପରେ ଏତିକି ଭରସା ନାହିଁ। "

ଆହ୍ୱାନ ର ରିପ୍ଲାଏ :-
-  "ଷ୍ଟପିଡ୍। ବାଏ। ମୁଁ ଯାଉଛି।"

ସେ ଆସିବା ବେଳେ ରିମା ତା' ସାଙ୍ଗ ରିନାକୁ କହିଲା-
- ଏଇ! ଆଜି ୟା'ର ଏମିତି ଅରଜେଣ୍ଟ କଣ ପଡିଗଲା ? କୋଉ ଗାର୍ଲଫ୍ରେଣ୍ଡକୁ ଦେଖା କରିବାକୁ ଯାଉଛି ନା କଣ ?
- ସେ ଯୁଆଡେ ଯାଉ। ତୋ' ହାର୍ଟ କାଇଁ ଧକ୍ ଧକ୍ ହଉଛି ?

ରିମା ଗାଳି କଲା :-
- ଇଏ ବିଚ୍ ବଜାରର ରୋମିଓ । ଆଇ ଡୋଣ୍ଟ କେୟାର।
- ସେଥିପାଇଁ ତା'ର ଯିବା ନ ଯିବାରେ ତୋର ଏତେ ରିୟାକ୍ସନ୍ !

 ରିନା ତା ଗାଲ ଭିଡି କହିଲା। ୟା'ପରେ ଦୁହେଁ କାମରେ ଲାଗିଗଲେ ।

    ଆହ୍ୱାନ ପହଞ୍ଚି ଗଲା ରେଷ୍ଟୁରାଣ୍ଟ ପାଖରେ । ମୁମ୍ବାଇ ସହରର ଏ ରେଷ୍ଟୁରାଣ୍ଟରେ ବସି କଫି କୋଲଡ୍ରିଙ୍କ୍ସ ପିଇବାର ମଜା ନିଆରା । ଆଗରେ ସିସୋର । ସମୁଦ୍ରକୂଳ। ସମୁଦ୍ରରେ ଖେଳି ଖେଳି ଆସୁଥିବା ଅସଂଖ୍ୟ ଲହରୀର ଉପରେ ଡେଣା ଝାଡି ଉଡି ଯାଉଥିବା ଅସଂଖ୍ୟ ରଙ୍ଗ ବେରଙ୍ଗର ପକ୍ଷୀମାନଙ୍କ ଗହଣରେ ସୂର୍ଯ୍ୟାସ୍ତର ଦୃଶ୍ୟରେ ଆହୁରି ରୋମାଞ୍ଚିତ ହୋଇ ଉଠେ ମନ ପ୍ରାଣ। ସେଥିପାଇଁ ଏଠି ପ୍ରତିଦିନ ହଜାର ହଜାର ଲୋକଙ୍କର ଭିଡ। ରେଷ୍ଟୁରାଣ୍ଟର ଭିତରେ ଯେମିତି ରେଷ୍ଟୁରାଣ୍ଟ ବାହାରେ ତାହା ଠାରୁ ଆହୁରି ଅଧିକ। ସାମନାରେ ଅନେକ ଆଧୁନିକ  ରାଧା କ୍ରିଷ୍ଣା ଙ୍କର ଯୋଡି କେବେ ପାଦରେ ପାଦ ମିଶେଇ ଚାଲିବାରେ ଆଉ କେବେ ସମୁଦ୍ର ର ଅସଂଖ୍ୟ ଲହରୀ ଛୁଇଁବାରେ ବ୍ୟସ୍ତ । ସେହି ସବୁ ଦୃଶ୍ୟ ଉପରେ ଆଖି ଲାଖି ଯାଇଥିବା ବେଳେ ଆହ୍ୱାନ ବସିଲା ଟେବୁଲ ପାଖରେ ।

- କ'ଣ ଅର୍ଡର କରିବି ?

ନିଶା ଚମକି ପଡ଼ିଲା ।

-ଆରେ ! ତମେ କେତେବେଳେ ଆସିଲ ?

- "ସମୁଦ୍ର ପରି ଯେତେବେଳେ ଅସଂଖ୍ୟ ଭାବନା ରେ ହଜିଯାଇଥିଲ ସେତେବେଳେ" କହି ଆହ୍ୱାନ କଫି ବଢେଇ ଦେଲା ତା ହାତକୁ।

ଗୋଟେ ଭବିଷ୍ୟତ ନ ଥିବା ଝିଅ ର ମନରେ ଭାବନା କଣ ସୃଷ୍ଟି ହୁଏ ନିଶା ପଚାରିଲା । ଏ ପ୍ରଶ୍ନ ର ଉତ୍ତର ଆହ୍ୱାନ ପାଖରେ ନ ଥିଲା। ସେଥିପାଇଁ ସେ କଥାର ମୋଡ ବଦଳେଇବାକୁ ଚେଷ୍ଟା କଲା।

-ଦେଖ ! ସେଦିନ ରାତିରେ  ତମକୁ ଯେମିତି ବ୍ୟବହାର କଲି ସରି। ପିଲାଦିନୁ ଆଜି ଯାଏଁ ବାପା ମାଆଙ୍କ ଠାରୁ ଗୋଟେ କଥା ଶୁଣି ଆସିଛି। ଆମେ ଯୋଉ ଘରେ ରହି ଆସିଛୁ ସେଠି ଖରାପ କଥା ଭାବିବା ଖରାପ କାମ କରିବା ଉଚିତ ନୁହେଁ। ସେଥିପାଇଁ ତମ ଉପରେ ସେଦିନ ଏମିତି ହଠାତ୍ ରାଗିଗଲା । ଆଉ ଗୋଟେ କଥା କଣ କହିଲ ? କୋଉ ବିୟୁଟିଫୁଲ ଲେଡି ସାଥିରେ ମୋର ଚକ୍କର ଚାଲିଛି। ସକାଳ ନଅଟାରୁ ରାତି ନଅଟା ଯାଏଁ ଅଫିସ୍ ରେ ଆଉ ରାତି ନଅଟାରୁ ବାରଟା ଯାଏଁ ତମ ସହିତ ବାରରେ ରହିବା ପରେ ଆଉ କଣ ସମୟ ଥାଏ ନା ଧୈର୍ଯ୍ୟ ଥାଏ କାହା ସହ ଦେଖା କରିବାକୁ। ସେଦିନ ଅଫିସ୍ ରେ ପାର୍ଟି ଥିଲା। ତମକୁ ମେସେଜ କରିଥିଲି। କଲ୍ ଟ୍ରାଏ ବି କରିଥିଲି। ସୁଇଚ୍ ଅଫ ଦେଖଉଥିଲା।

ନିଶା ହସିଲା ।
-ମୁଁ ତ ସେମିତି କହି ଦେଇଥିଲି। ଆଉ ଥରେ ଏକ୍ସଟ୍ରେମଲି ସରି। ୟୁ ଆର୍ ସୋ ଲକି ଯେହେତୁ ଏମିତି ବାପା-ମା'ଙ୍କୁ ପାଇଛ। ମା' - ବାପା ଯାହା ବି କହିଛନ୍ତି ଠିକ୍ କଥା। ତମ ପରି ବାପା-ମା'ଙ୍କୁ ଯଦି ପାଇଥାନ୍ତି ହୁଏତ ଆଜି ଏ ଭୁଲ୍ ମୋ ଦ୍ଵାରା ହୋଇନଥାନ୍ତା। ତମ ପରି ଗୋଟେ ସୁନ୍ଦର ଜୀବନ କମସେ କମ ମୋ ପାଖରେ ଥାନ୍ତା ଭଲ ହୋଇ ବଞ୍ଚିବାର କାହାକୁ ଭଲପାଇ ବଞ୍ଚିବାର। କାସ୍ ! ମୋ' ପାଖରେ ବି ସେମିତି ଗୋଟିଏ ସୁଯୋଗ କି ବାହାନା ଥାନ୍ତା ! ଆହ୍ୱାନ ର ଧୀର ସ୍ୱରରେ :-
- ନିଶା ! ଏବେ ବି ବେଶୀ ଡେରି ହୋଇନି ଏସବୁ ବଦଳିବାକୁ। ଜାଣି ଶୁଣି ଖରାପ ବାଟରେ ଯାଇ ନିଜ ଜୀବନ କୁ ନଷ୍ଟ କରିବାର ଅନେକ ବାହାନା ଥାଇପାରେ ହେଲେ ବଞ୍ଚିବା ପାଇଁ ଭଲ ରାସ୍ତାରେ ଯିବା ପାଇଁ ଗୋଟିଏ ବାହାନା ଯଥେଷ୍ଟ ।

ନିଶାର ପ୍ରଶ୍ନ ଭରା ଚାହାଣୀ।
-କାହା ପାଇଁ ବଞ୍ଚିବି ଆହ୍ୱାନ ?

- କାହା ପାଇଁ ନୁହେଁ। ତମେ ତମ ପାଇଁ ବଞ୍ଚିବ। ଏ ଦୁନିଆ ରେ ସବୁ ପରିସ୍ଥିତିରେ ବଞ୍ଚି ରହିବାକୁ ହୁଏ। କେବଳ ନିଜ ପାଇଁ। ପ୍ରତ୍ୟେକ ମଣିଷ ଦୁଇଟି ଜିନିଷ ପାଇଁ ବଞ୍ଚି ରହିଥାଏ। ଭଲପାଉଥିବା ମଣିଷ ପାଇଁ ନହେଲେ ଭଲପାଉଥିବା ଜୀବନ ଟି ପାଇଁ। ତାହେଲେ ତମେ କାହିଁକି ନୁହେଁ ?

 ଏତେ ସବୁ ବାକ୍ୟ କହି ଆହ୍ୱାନ ନିଶା ହାତ ଉପରେ ହାତ ରଖିଦେଲା।

- ତମେ କଣ କହିଲ ଭଲପାଉଥିବା ଜୀବନ! ଆଙ୍କାକ୍ଷିତ ଜୀବନ ପାଇଁ ମୋ ହୃଦୟ ରେ କୌଣସି ଭଲପାଇବା ନାହିଁ। କିଏ କହିଲା ଏ ଜୀବନ ମୋତେ କଷ୍ଟ ଦଉଛି ବୋଲି ! ବେଶ୍ ଖୁସି ରେ ଅଛି ମୁଁ। ଯୋଉଠି ଆଶା ନାହିଁ। ଭରସା ନାହିଁ। କାହାର ବିଶ୍ୱାସ କୁ ଭାଙ୍ଗି ଯିବାର ଭୟ ନାହିଁ ।କାହା ସମ୍ପର୍କ ର ପ୍ରୀତିବନ୍ଧକ ନାହିଁ। ବାସ୍! ଯେତେବେଳେ ଯେମିତି ଇଚ୍ଛା ହେଲା ସେମିତି ବଞ୍ଚିବି। କେବେ ଦେଖିଛ ଏଇ ସମୁଦ୍ର କୂଳର ଶାମୁକା ଗୁଡିକୁ। ସେମାନେ କାହିଁ କେତେ ଗଭୀରରୁ ଢେଉ ସାଥିରେ ଠେଲି ହୋଇ ଆସନ୍ତି। ସେମାନଙ୍କର ଇଚ୍ଛା ଥାଏ ସବୁଦିନ ପାଇଁ ଏଇ କୂଳରେ ରହିଯିବା ପାଇଁ। ହେଲେ ଦିଟା ଯାକ ସେମାନଙ୍କ ପାଇଁ ବିପଦ। କୂଳରେ ରହିଲେ ସେମାନଙ୍କୁ ବାହାରର ଲୋକ ଆୟତ୍ତ କରି ନେବେ ଆଉ ଗଭୀରତାକୁ ଗଲେ ଅନ୍ଧାର ଦୁନିଆ ପରି ଲାଗେ। ମୋ ଜୀବନ ଆଜି ସେମିତି ଅବସ୍ଥାରେ ପହଞ୍ଚି ସାରିଲାଣି। ନା ବଞ୍ଚୁଥିବା ଜୀବନ କୁ ଛାଡି ପାରିବି ନା ସେ ଭଲପାଉଥିବା ଜୀବନ କୁ ଯାଇ ପାରିବି।

ଆହ୍ୱାନ ବିରକ୍ତ ହେଲା ।
- ନିଶା! ତମକୁ ଏତେ କଥା କହି ଥିବାରୁ ସରି। କହିବା ପୂର୍ବରୁ ମୋର ଥରେ ଭାବିବାର ଥିଲା। କଥା ସେଇ ମାନଙ୍କୁ କୁହାଯାଏ ଯେଉଁମାନେ କଥା ବୁଝି ପାରନ୍ତି ରଖିପାରନ୍ତି ।

-ଆଜି ଅଚାନକ ମୋ ଲାଇଫ୍ ପାଇଁ ଏତେ ବ୍ୟସ୍ତ! ଭେରି ଇଣ୍ଟରେଷ୍ଟେଡ୍।

ଆହ୍ୱାନ ଯିବା ପାଇଁ ବାହାରିଲା। ନିଶା ତା ହାତ ଧରି ନେଲା।

-ଏବେ ଅଫିସ୍ କୁ ନଯାଇ ରାତି ନ ଅଟା ଯାଏଁ ଏଠି ପ୍ରେଜେଣ୍ଟ ରହିବାରେ ତମର କୌଣସି ଆପତ୍ତି ଅଛି?

-ମୋ ସହିତ ଏତେ ସମୟ! ସେ ବି ଅଫିସ୍ ଛୁଟି କରିକି। ଭେରି ଇଣ୍ଟରେଷ୍ଟେଡ୍

ସେଦିନ ସମୁଦ୍ରକୂଳରେ ବୁଲୁବୁଲୁ କେତେବେଳେ ସମୟ ବିତି ଯାଇଥିଲା ଯେ ଜଣା ହିଁ ପଡିଲାନି ନିଶାକୁ। ବାର୍ କୂ ଯିବାର ପ୍ରଶ୍ନ ହିଁ ଉଠେଇନି।

ନିଶାକୁ ରୁମ୍ ପାଖରେ ଛାଡିକି ଗଲା ବେଳେ ଆହ୍ୱାନ କହିଲା-ଆଜି ତମେ ବାର୍ କୁ ଯାଇନ। ଡ୍ରିଙ୍କ ବି କଲନି। ଯଦି ଗୋଟେ ଦିନ ରହିପାରୁଛ ଏମିତି ସବୁଦିନେ ରହିପାରିବନି କଣ?

-ଏ ଜୀବନ ରେ ତ ଏସବୁ ମୋ ପକ୍ଷେ ସମ୍ଭବ ହେବନି।

-ମୋ ପାଇଁ ଛାଡିପାରିବ?

-ଭେରି ଇଣ୍ଟରେଷ୍ଟେଡ୍,ତମପାଇଁ! ତମେ ମୋର କିଏକି? ତମ ପାଇଁ ନୁହେଁ କି କାହା ପାଇଁ ନୁହେଁ କହି ନିଶା ଫ୍ରିଜ୍ ରୁ ବଟଲ ବାହାର କରି ଗ୍ଲାସ୍ ରେ ମଦ ଢାଳିବାକୁ ଲାଗିଲା।

ଗୁଡ୍ ନାଇଟ୍ ନ କହି ଆହ୍ୱାନ ଚାଲି ଆସିଲା।କିଛି ଦିନ ପରେ ଦିନେ ଅଚାନକ୍ ନିଶା ତା ରୁମ୍ ରେ ବେହୋସ ହୋଇଗଲା। ତାକୁ ସିଟି ହସପିଟାଲ ନେଇକି ଗଲା। ଦି -ତିନି ଘଣ୍ଟା ପରେ ତା'ର ସେନସ ଫେରିଲା।

ଆହ୍ୱାନ ପଚାରିଲା-ଏବେ କେମିତି ଅଛ?

-ଭଲ ଅଛି।

ତମେ ତ ସବୁବେଳେ ଭଲ ଥାଅ ଅଲ୍ ଟାଇମ୍ ଅଲୱେଜ୍ ୱେଲ୍। ମୁଁ ଖାଲି ଯାହା ଭାବେ ୟୁ ଆର୍ ନଟ୍ ୱେଲ୍। ଅଭିମାନ ରେ ଆହ୍ୱାନ ର କେତୋଟି ଶବ୍ଦ।

-କହିଲି ନା ମୁଁ ଠିକ୍ ଅଛି। ଚାଲ ଘର କୁ ଯିବା।

ଫେରି ଆସିଲେ ସେମାନେ। ଏବେ ରୁମ୍ ରେ ।
ଆହ୍ୱାନ ରାଗରେ କହିଲା-ଦେଖ ନିଶା! ଆଜିଠୁ ତମେ ନା ବାର୍ ଯିବ ନା ଡ୍ରିଙ୍କ କରିବ। ବହୁତ ମନ ଇଚ୍ଛା କଲ।ଏବେ କିନ୍ତୁ ଆଉ ନୁହେଁ।

-ଭେରି ଇଣ୍ଟରେଷ୍ଟେଡ୍। ତମେ କିଏ ମୋତେ ମନା କରିବାକୁ? ତମେ କିଏ ମୋ ପର୍ସନାଲ ଲାଇଫ୍ ରେ ଏଣ୍ଟରଫାଏ କରିବାକୁ?

-ମୁଁ ଜାଣିନି ମୁଁ କିଏ ତମର? ହେଲେ ତମ ଜୀବନ ଏମିତି ମୋ ଆଖି ସାମନାରେ ନଷ୍ଟ ହେଉଥିବାର ଦେଖି ପାରିବିନି। ଆଜି ଜାଣିଛ, ଡକ୍ଟର ମୋତେ କଣ କହିଲେ?

କହିବା ପାଇଁ ସାହସ ହେଲାନି। ରିପୋର୍ଟ ସବୁ ତା ଉପରକୁ ଫୋପାଡ଼ି ଦେଲା। ନିଅ ପଢ। ପଢିଲେ ବେଶ୍ ଭଲ ଭାବରେ ବୁଝି ପାରିବ।

ନିଶା ଗୋଟି ଗୋଟି ପେପର ପଢି ଚାଲିଥିଲା। ରିପୋର୍ଟ ରେ ଲେଖା ଥିଲା-ଯଦି ଗୋଟେ ବର୍ଷ ଭିତରେ ସେ ଡ୍ରିଙ୍କିଙ୍ଗ୍ ନ ଛାଡେ ଜୀବନରେ ସେ କେବେ ମା ହେଇ ପାରିବନି। ଗୋଟେ ଝିଅ ଜୀବନରେ ୟାଠାରୁ ବଡ କଥା ଆଉ କିଛି ହୋଇପାରେନା। ତଥାପି ତା'ର ପ୍ରତିକ୍ରିୟା ନ ଥିଲା। ଆହ୍ୱାନ ପୁଣି କହିବା ଆରମ୍ଭ କଲା।

-ଆଜି ସିନା ତମକୁ ହସପିଟାଲ ରୁ ନେଇ ଆସିଲି। ହୁଏତ ଆଉ କିଛି ଦିନ ପରେ ତମକୁ ଫେରେଇ ଆଣିବା ସମ୍ଭବ ହେବନି। ତମେ ଏସବୁ କଣ ସେଦିନ ବରଦାସ୍ତ କରିପାରିବ?

-କୌଣସି ରାସ୍ତା ରେ କେହି ଚାଲିବା ପୂର୍ବରୁ ସେ ଜାଣି ସାରିଥାଏ ସେ ରାସ୍ତା ର ଅନ୍ତିମ ପରିଣାମ କଣ ହେବ। ଏକଥା କୁ ନେଇ ତ ମୁଁ ଅଜଣା ନଥିଲି। ହଁ ତମେ କାହିଁ ଏତେ ବ୍ୟସ୍ତ ହେଉଛି? ଭବିଷ୍ୟତରେ ମୁଁ ତମର ସ୍ତ୍ରୀ ହେବାକୁ ଚାହୁଁନି କି ସାରା ଜୀବନ ତମ ପାଖରେ ରହିବାକୁ ଚାହୁଁନି।

ନିଶାର ଦୁଇ ହାତକୁ ଧରି କାନ୍ଦିବାକୁ ଲାଗିଲା ଆହ୍ୱାନ।
-ହେଲେ ମୁଁ ଚାହେଁ। ଥରେ ଚେଷ୍ଟା କରି ଦେଖ। ତମେ କରି ପାରିବ।ସବୁକିଛି ଭଲପାଇବା ରେ ସମ୍ଭବ। ମୁଁ ତୁମକୁ ନେଇ ଅନେକ ଆଶା ର ଘର ତୋଳିଛି। ତମ ସହ ସାରା ଜୀବନ ସାଥି ହୋଇ ବାଟ ଚାଲିବାର ସ୍ୱପ୍ନ ଦେଖିଛି। ମୋ ସ୍ୱପ୍ନ ମୋ ଭଲପାଇବା ସବୁକିଛି ତମ ବିନା ଅଧାଗଢା। ସ୍ୱପ୍ନ ଯେବେ ଭାଙ୍ଗିଯାଏ ଭଲପାଇବା ଯେବେ ଅଧା ରହେ କେତେ ଆଘାତ ହୃଦୟରେ ଲାଗେ ତମେ କଣ ଏତିକି କଥା ବି ବୁଝି ନାହଁ?

ନିଶା ତା ହାତ କୁ କାଢିଦେଲା।

-ତମେ ହିଁ କହିଥିଲ ନା, ମଣିଷ ତା ନିଜ ପାଇଁ ବଞ୍ଚେ। ଅନ୍ୟ କାହା ପାଇଁ ନୁହେଁ।ଆଜି କେମିତି ତମେ ତମ ପାଇଁ ବଞ୍ଚିବା କଥା କହୁଛ। ତମ ପାଇଁ ମୁଁ ମୋ ଦୁନିଆ କୁ ଛାଡି ପାରିବିନି। ମୁଁ ଯେଉଁଠି ଅଛି ଭଲ ଅଛି। ଅନେକ ଭରସା କରିଛି। ଅନେକ ଥର ଭାଙ୍ଗିଛି ମୋ ଭରସାର କାଚଘରଟା। ଆଉ ମୋ ଭରସା କୁ କାହା ପାଖରେ ଆବେଦନ କରିବା ପାଇଁ ପ୍ରୋତ୍ସାହନ ଦେଇ ପାରିବିନି। ଆଉ କିଛି କହିବ?

-ଆଉ କିଛି ଶୁଣେଇବାକୁ ବାକି ରଖିଥିଲେ ହୁଏତ କହି ପାରିଥାନ୍ତି। ଆରମାସରେ ସବୁଦିନ ପାଇଁ ମୁମ୍ବାଇ ଛାଡି ଯାଉଛି। ଆଉ ତମେ? ତମେ ଖାଲି ଡ୍ରିଙ୍କ କର ଆଉ ତମ ନାଁ କୁ ସାର୍ଥକ କର। ଯେତେ ପାରୁଛ ସେତେ କର। କେହି ଆଉ  ତମ ଲାଇଫ ରେ ଏଣ୍ଟରଫାଏ କରିବେନି। କି ତମ ଲାଇଫ୍ କୁ ନେଇ କେହି ଆଉ ବ୍ୟସ୍ତ ହେବେନି। ଆସୁଛି।

ନିଶାକୁ କିନ୍ତୁ ସେଦିନ ସାରା ରାତି ନିଦ ହେଲାନି। ଯେତେ ଡ୍ରିଙ୍କ କଲେ ବି କଣ ହେଲା କେଜାଣି ତା'ର? ଯେବେଠୁ ଆହ୍ୱାନ ତାକୁ ଭଲପାଉଛି ବୋଲି କହିଲା ମନରେ ଯେମିତି ଏକ ଅଜବ ପ୍ରକାରର ହଲଚଲ ସୃଷ୍ଟି ହୋଇଛି।

ସକାଳ ହେବା ପରେ ଫ୍ରେସ୍ ହେଇକି ତା ରୁମ୍ କୁ ଗଲା। ସାତଟା ବାଜି ଥିଲା। ହେଲେ ଆହ୍ୱାନ ର ରୁମ୍ ଲକ୍ ଥିଲା। ବୋଧେ ରାଗରେ ଚାଲି ଯାଇଛି ଅଫିସକୁ। କେତେଟା ରେଷ୍ଟୁରାଣ୍ଟ ରେ ଚକ୍କର ଲଗେଇଲା। କୋଉଠି ବି ପାଇଲିନି। ତା ଅଫିସ ପାଖକୁ ଗଲା। ତା ଗାଡି ବି ନ ଥିଲା। ଶେଷରେ ସମର କୁ ଆସୁଥିବାର ଦେଖିକି ପଚାରିଲା- ଆପଣ ଆହ୍ୱାନ କୁ ଜାଣନ୍ତି?

ସମର କହିଲା-ହଁ ଭଲ ଭାବରେ ଜାଣେ। ଦେଖା କରିବାର ଥିଲା?ସେ ତ କିଛି ଦିନ ପାଇଁ ଘର କୁ ଯାଇଛି। ତା ମା ଙ୍କର ଅରଜେଣ୍ଟ କଲ୍ ଆସିଥିଲା।

ନିଶା ଖାଲି ଥ୍ୟାଙ୍କସ୍ କହି ଫେରି ଆସିଲା। ତା'ର କଲ୍ ଟ୍ରାଏ କଲା। ସେ ରିସିଭ୍ କରୁ ନ ଥିଲା। ମେସେଜ୍ କଲା। ପ୍ଲିଜ୍ ଥରଟେ ପାଇଁ ରିସିଭ୍ କର। ଯେତେ ଲେଖିକି ପଠେଇଲେ ବି କିଛି ଲାଭ ହେଲାନି। ତଥାପି କଲ୍ ଟ୍ରାଏ କରିବା ଛାଡିଲାନି।

ଏପଟେ ଆହ୍ୱାନ କୁ ଘରକୁ ଆସିବାର ଦେଖି ମା ବହୁତ ଖୁସି ହୋଇ ଯାଇଥିଲେ ।ଏମିତି ଅରଜେଣ୍ଟ ଡକେଇବାର କାରଣ ମା ତା ପାଇଁ ଝିଅ ପସନ୍ଦ କରିଥିଲେ। ସେମାନେ ଦେଖିବାକୁ ଆସୁଛନ୍ତି। ତା ଆରଦିନ ଝିଅ ତା ବାପା ଙ୍କ ସାଥିରେ ଆସିଥିଲା। ଆହ୍ୱାନ ବାହାରକୁ ଯାଇଥିଲା। ମା ଝିଅ ର ବାପା ମା ଙ୍କ ସାଙ୍ଗରେ କଥା ହେବାରେ ବ୍ୟସ୍ତ ଥିଲେ। ସେ ଝିଅ ଆଉ କେହି ନ ଥିଲା। ସେ ଥିଲା ତାରି କମ୍ପାନୀ ରେ କାମ କରୁଥିବା ଝିଅ ରିମା। ରିମା ବାଲକୋନୀ ରେ ଅପେକ୍ଷା କରିଛି। ଏତିକିବେଳେ ଆହ୍ୱାନ ବାଇକ୍ ଧରି ଗେଟ୍ ଭିତରକୁ ଆସିଲା।

ମା ପଛରୁ ଯାଇ କହିଲେ -ଆ ମା ତଳକୁ ଆସ୍।
ରିମାର ପ୍ରଶ୍ନ ।
-ଆଣ୍ଟି ଇଏ ଆପଣଙ୍କ ପୁଅ?

-ହଁ, ଇଏ ମୋ ପୁଅ। ତୁ ଚିହ୍ନିଛୁ ଆଗରୁ?

ମନାକରି ରିମା କ୍ଷୀପ୍ର ବେଗରେ ଆସି ବାପାମା ଙ୍କ ଆଗରେ କଣ କହିଲା କେଜାଣି ସେମାନେ ନନ୍ଦା ଦେବୀ ଙ୍କୁ ଆଉ କେବେ ଆସିବା କହିକି ଚାଲିଗଲେ।ତାଙ୍କର ଏମିତି ଚାଲିଯିବା କଥାଟା ତାଙ୍କୁ ଆଦୌ ଭଲ ଲାଗିଲାନି।
ଆହ୍ୱାନ ଘର ଭିତରକୁ ଆସିଲା।
-ମା ସେମାନେ କିଏ ଥିଲେ?

-ତତେ ଦେଖିବାକୁ ଆସିଥିଲେ। ହେଲେ ଏମିତି ଅଚାନକ ଚାଲିଗଲେ।
ପଛପଟରୁ ସୁରେଶ ବାବୁ ଆସିକି କହିଲେ -ନନ୍ଦା ତମେ ଖାଲି ଟାରେ ବ୍ୟସ୍ତ ହେଉଛ। ତାଙ୍କର କଣ କାମ ଥିବ। ନହେଲେ ମୋ ପୁଅକୁ କାହାର ମନା କରିବାର ସାହସ ଅଛି।

ଆହ୍ୱାନ ହସିଲା।
-ବାପା, ତମେ ବି ନା।

ସେଦିନ ନନ୍ଦା ଦେବୀ ଆଉ ସୁରେଶ ବାବୁ ଚା ପିଉଥିବା ବେଳେ ରିମା ବାପାଙ୍କ ର କଲ୍ ଆସିଲା। ନନ୍ଦା ଦେବୀ ରିସିଭ୍ କଲେ। ଅଥଚ ଯାହା ସବୁ ସେ ଶୁଣିଲେ ତାଙ୍କୁ ବିଶ୍ୱାସ ହେଲାନି। ସେମାନଙ୍କର ହଠାତ୍ ଏମିତି ଚାଲିଯିବାର କାରଣ ଜାଣିପାରିଲେ। ସିଧା ଆହ୍ୱାନ ରୁମ୍ କୁ ଗଲେ। ଆହ୍ୱାନ ତା ପୁରୁଣା ନୋଭେଲ ଥାକରେ ଏକ ବହି ବାହାର କରୁଥିଲା ପଢିବା ପାଇଁ।

ନନ୍ଦା ଙ୍କର ସିଧା ପ୍ରଶ୍ନ।
-ସେଠି ବି ମୁମ୍ବାଇ ରେ ପଢାପଢି କରୁ ନା ଆଉ କଣ କରୁ?

-ମା! ଆଉ କଣ କରିବାକୁ କେତେବେଳେ ସମୟ ମିଳେ ଯେ?
ହଁ ତମକୁ ବହୁତ ମିସ୍ କରେ।

-ଆଉ ବାର୍ କୁ କେତେବେଳେ ଯାଉ?
ମାଙ୍କର ଏମିତି ପ୍ରଶ୍ନ ରେ ଆହ୍ୱାନ ଆଶ୍ଚର୍ଯ୍ୟ ହେଇଗଲା।

-ମା ଏକଥା ତମକୁ କିଏ କହିଲା?

-ତୁ ଯାଉ ନା ନାହିଁ? ମୋତେ ଖାଲି ଏତିକି କହ।
ମାଙ୍କର ଜୋର ଦେଖିକି ଆହ୍ୱାନ ହଁ ଭରିଦେଲା। ମା ଙ୍କର ଏକ ଶକ୍ତ ଜାବଡା ତା ଗାଲରେ ପଡିଲା।

-କଣ ଭାବୁଛୁ? ତୁ ନ କହିଲେ ଆମେ ଜାଣିବୁନି। ଏତେ ପାଠ ପଢେଇ ବାହାରେ ରଖିଲୁ ବୋଲି ଆମର ଦୋଷ! ମୁମ୍ବାଇର ହାୱା ଲାଗିଗଲା ତତେ। ଆଉ ଯିବା ପୂର୍ବରୁ ଯାହା ଯାହା ସବୁ କହିଥିଲି ସେସବୁ ଟିକେ ବି ମନେ ପଡିଲାନି। କାହିଁକି ଆସିଛୁ ଏଠିକି? କାଲି ଚାଲିଯିବୁ।

ଆହ୍ୱାନ ର ରହି ରହି।
-ମା.... ତ.. ମେ।

ସୁରେଶ ବାବୁ ପଛରୁ ବିରକ୍ତ ହେଲେ।
-ନନ୍ଦା! କିଛି ନ ବୁଝି ପିଲାଟା ଉପରେ ଏମିତି ହାତ ଉଠଉଛ ଯେ? କିଏ କଣ କହିଲା। ବାହାର ଲୋକଙ୍କ କଥାକୁ ବିଶ୍ୱାସ କରିବା ପୂର୍ବରୁ ନିଜ ପୁଅକୁ ଥରେ ପଚାରି ଦେଖ।

-ତମେ ପଚାର। ମୋର ପଚାରିବାକୁ ବାକି ନାହିଁ।
ଏକଥା ନନ୍ଦା ଦେବୀ ଙ୍କ ଠୁ ଶୁଣିବା ସାରିବା ପରେ ସେ ନିଜେ ପଚାରିଲେ।
-ଆରେ ଆହ୍ୱାନ ତୋ ମା କଣ ପଚାରୁଛି। କହୁନୁ ତୁ ସେଠି ଡ୍ରିଙ୍କ କରୁଛୁ?

-ବାପା !ତମେ ଭାବି ପାରୁଛ ,ତମ ପୁଅ ହେଇ ମୁଁ ଡ୍ରିଙ୍କ କରି ପାରିବି ବୋଲି?

ଏତିକିବେଳେ ଆହ୍ୱାନ ର କଲ୍ ଆସିଲା। ମା ଗଲେ ଆଣିବାକୁ। କଲ୍ କାଟିଦେଲା। ତା'ପରେ ପୁଣି ଆସିଲା। ପୁଣି କାଟି ଦେଲେ। ବାରମ୍ବାର କଲ୍ ଆସିବାରୁ ରିସିଭ୍ କଲେ।

ସେପଟୁ ନିଶାର ଆୱାଜ୍।
-ଆହ୍ୱାନ! ଏବେ ମନେ ପଡିଲା ରିସିଭ୍ କରିବାକୁ। ଦି ଦିନରେ ତମ କଲ୍ ଚାରି ଶହ ଥର ଟ୍ରାଏ କରି ସାରିଲାଣି। ଥରେ ବି ରିସିଭ୍ କରୁନ! ଯିବା ପୂର୍ବରୁ ଥରଟେ ବି କହିକି ଯାଇ ପାରିଲନି। ଆଇ ମିସ୍ ୟୁ। ରିଏଲି ଆଇ ଭେରି ଭେରି ମିସ୍ ୟୁ। ଜଲଦି ଆସିବ। ତମ ବିନା ଏ ମୁମ୍ବାଇ ର ଭିଡ ଜମା ଭଲ ଲାଗୁନି। କିଛି ତ କୁହ। ଏମିତି ଅରଜେଣ୍ଟ ଚାଲି ଗଲ ଯେ! ମା କୋଉଥିପାଇଁ  ଡାକୁଛନ୍ତି?

ନନ୍ଦା ଚୁପ୍ ନ ରହି ଶୁଣେଇ ଦେଲେ।
-ଗୋଟେ ଛବିଶ ବର୍ଷ ର ପୁଅକୁ ତା ମା କାହିଁକି ଅଚାନକ ଡାକେ ଜାଣିନ? ଆହ୍ୱାନ ର ମ୍ୟାରେଜ ଠିକ୍ ହୋଇ ଯାଇଛି। ଏଥର ଫୋନ୍ କାଟି ଦେଲେ। ୟା ପରେ ସେ ଯେତେବେଳେ ଏ ଝିଅ ବିଷୟରେ ପଚାରିଲେ ଆହ୍ୱାନ ସବୁ ସତ ସତ କହିଦେଲା।

ତା'ପରେ ପୁଣି ଫେରି ଆସିଲା ଦିଲ୍ଲୀ କୁ ପାଞ୍ଚଦିନ ପରେ। ଅଫିସରୁ ଫେରି ବା ପରେ ବାର୍ କୁ ଯାଇଥିଲା।ବାର୍ ରେ ନ ଥିଲା ନିଶା। ସେ ଜାଣିଥିଲା କେଉଁଠି ଥିବ। ନିଶା ଥିଲା ସମୁଦ୍ର କୂଳରେ। ଆହ୍ୱାନ ତା ପାଖରେ ବସିଗଲା।

କିନ୍ତୁ ଦୀର୍ଘ ପାଞ୍ଚ ଘଣ୍ଟା ବସିବା ପରେ ପାଖାପାଖି ସେମାନଙ୍କ ଭିତରେ କୌଣସି କଥା ହେଲାନି। ଆରଦିନ କେହି ବି ଅଫିସ ଗଲେନି। ନିଶା ଆହ୍ୱାନ ର ରୁମ୍ ରେ ସକାଳୁ ରାତି ପର୍ଯ୍ୟନ୍ତ ଥିଲା। ଦୁହେଁ ସାରା ଦିନ ଟି. ଭି.  ଦେଖୁଥିଲେ। ଏମିତି ପାଞ୍ଚଦିନ ଯାଏଁ ଦୁହେଁ ଗୋଟେ ରୁମ୍ ରେ ଥିଲେ ବି କେହି କାହା ସହ କଥା ହେଉନଥିଲେ।

ଆଜି ନିଶା ସକାଳୁ ଉଠି ଆହ୍ୱାନ ପାଇଁ କଫି ନେଇ ଆସିବା ବେଳେ କହିଲା -ଝିଅ ପସନ୍ଦ ହେଲା ତମର?

-ଝିଅ ଜବ୍ କରୁଛି। ଭଲ ଷ୍ଟାଟସ୍, ଭଲ ଜବ୍, ଦେଖିବାକୁ ଷ୍ଟାଇଲିସ୍। ଏମିତି ଝିଅ କାହାର ପସନ୍ଦ ହେବନି। ସବୁ ପୁଅ ଏମିତି ହିଁ ଝିଅ ଖୋଜନ୍ତି। ମୋର ଗୁଡ୍ ଲକ୍ ଖୋଜିବା ପୂର୍ବରୁ ମିଳି ଯାଇଛି।

-ଭେରି ଇଣ୍ଟରେଷ୍ଟେଡ୍! ସେଥିପାଇଁ ମୋ କଲ୍ ଗୋଟେ ଥର ବି ରିସିଭ୍ କଲନି ?

-ଆମ ଭିତରେ ଆଉ କଣ ରହିଯାଇଥିଲା ଯେ ତମ କଲ୍ ରିସିଭ୍ କରିବି।ଆରମାସରେ ମା ଡେଟ୍ ଫିକ୍ସ କରି ସାରିଛନ୍ତି। ଆଉ ଦଶଦିନ ପରେ ସବୁଦିନ ପାଇଁ ତମର ଏ ସହର ଛାଡିକି ଯାଉଛି।ଆଉ କେବେ ତମ ସହ ଦେଖା ହେବ କି ନାହିଁ ଜାଣେନା। ଗୋଟେ ସପ୍ତାହ ହେଲାଣି ନୋଟିସ୍ କରୁଛି ନା ବାର୍ ଯାଉଛ ନା ଡ୍ରିଙ୍କ କରୁଛ। ହ୍ୱାଟ୍ସ ହାପେନ୍? ଭେରି ଇଣ୍ଟରେଷ୍ଟେଡ୍।

ନିଶା ର ଅଭିମାନ ଭରା ସ୍ୱରରେ।
-ଆମ ଭିତରେ ଆଉ କଣ ରହିଗଲା ଯେ ସେ ବିଷୟରେ ମୁଁ ତୁମକୁ କହିବି?
ଆଖିରେ କେତେ ଟୋପା ଲୁହ ଆଖିଧାର ଟପି ଚାଲି ଆସିଥିଲେ। ନିଶା ଉଠି ଚାଲି ଆସୁଥିଲା। ଆହ୍ୱାନ ପଛରୁ ଆୱାଜ୍ ଦେଲା।
-ନିଶା! ସେ ଝିଅ ମୋତେ ରିଜେକ୍ଟ କରି ଦେଲା। ହେଲେ ମା ମୋ ପାଇଁ ଆଉ କାହାକୁ ସିଲେକ୍ଟ କରିଛି। ଭେରି ଇଣ୍ଟରେଷ୍ଟେଡ୍। ସେ ଜଣକ ତମେ।

ନିଶାର ଆଖିରୁ ଅଜସ୍ର ଲୁହଧାର ଝରି ଆସିଲା। ଦଶଦିନ ପୂର୍ବରୁ ଆହ୍ୱାନ କୁ ସବୁ ଦିନ ପାଇଁ ହରେଇବାର ଯନ୍ତ୍ରଣା ଡରରେ ସେ ତା ଦୁନିଆ ସବୁ କିଛି ଛାଡି ଦେଲା। ହୋସ୍ ଥିଲା ନା ଠିକଣା ଥିଲା। ଗୋଟିଏ ଜାଗାରେ ପଡି ରହୁଥିଲା। ମୁମ୍ବାଇ ପରି ଏତେ ଭିଡ ସହରରେ ରହି ଭାବୁଥିଲା ଏ ଦୁନିଆ ଯେମିତି ତା'ର ଆହ୍ୱାନ ଠାରେ ସରି ଯାଇଛି। ତାବିନା ଏ ଦୁନିଆ ର ମାନେ କିଛି ନାହିଁ। ଆହ୍ୱାନ  ସେଦିନ ଠିକ୍ କହିଥିଲା। ବଞ୍ଚିବା ପାଇଁ ଗୋଟିଏ ବାହାନା ଯଥେଷ୍ଟ। ଆଉ ସେ ବାହାନା ଥିଲା ଆହ୍ୱାନ। ଯୋଉକଥା ସେ ଦୀର୍ଘ ଦି ବର୍ଷ ଭିତରେ ତା'ର ଅସଂଖ୍ୟ ଥର କହିବା ପରେ ଛାଡି ନଥିଲା ଆଜି କେମିତି ଦି ଦିନ ବି ଲାଗିଲାନି ସେ ସବୁ ଭୁଲିବାକୁ। ସେ ତା'ର ଅତୀତ ସବୁ କିଛି କୁ ଭୁଲି କେମିତି ଆହ୍ୱାନ ସହ ଏକ ସୁନ୍ଦର ଦୁନିଆର ସ୍ୱପ୍ନ ଦେଖି ବସିଛି। ତାକୁ ଆଶ୍ଚର୍ଯ୍ୟ ବି କରୁଥିଲା ଆଉ ରୋମାଞ୍ଚିତ ବି। ପଛକୁ ଚାହିଁଲା। ଆହ୍ୱାନ ଚାହିଁଥିଲା। ଦୌଡୁକି ଆସି ତାକୁ ଜୋରରେ ଧରିଲା।

-ମୋତେ ଲଭ୍ ହେଇଗଲା ଆହ୍ୱାନ। ତମ ଭଲପାଇବା ପାଇଁ ମୁଁ ତମର ସବୁ ସର୍ତ୍ତରେ ରାଜି। ମୁଁ ତମ ସ୍ତ୍ରୀ ହେବାକୁ ଚାହେଁ। ଆଜି ବଞ୍ଚିବା ପାଇଁ ଅନେକ ଆଶା। ଅନେକ ସ୍ୱପ୍ନ। ତୁମର କେଇଟା ମୁହୂର୍ତ୍ତ ର ଭଲପାଇବା ରେ ଏମିତି ସବୁ ବଦଳିଯିବ ମୁଁ ଭାବି ନ ଥିଲି।

ଆହ୍ୱାନ ଟିକେ ହସିକି କହିଲା। ଭେରି ଇଣ୍ଟରେଷ୍ଟେଡ୍।

ପାଞ୍ଚ ବର୍ଷ ପରେ।
ଘରେ ପାର୍ଟି ଚାଲି ଥାଏ।
ଆର୍ଯ୍ୟନ୍ ସୋଫାରେ ବସିଛି। ଅଲ୍କା ଆସି ତା ପାଖରେ ବସିବାରୁ କହିଲା-ଏଇ! ତମେ ତମର ଏତେ ଝିଅ ପିଲା ସାଙ୍ଗ ପାଖରେ ସିଟ୍ ଛାଡି ମୋ ସହିତ କୋଲଡ୍ରିଙ୍କ୍ସ ସେୟାର କରିବା ପାଇଁ ଆସିଲ। ଭେରି ଇଣ୍ଟରେଷ୍ଟେଡ୍।

ଏତିକିବେଳେ ଆହ୍ୱାନ ନିଶାକୁ କିସ୍ କରି ଦେଲା। ଆଲିସା ଟିକେ ଦୂରରୁ ସ୍ମାଇଲ କରି କହିଲା-ଭେରି ଇଣ୍ଟରେଷ୍ଟେଡ୍।

ଆହ୍ୱାନ ର ରାଗରେ ନିଶାକୁ ଚାହିଁ।
ସବୁ ଛୁଆ ତମ ପରି। ମୋ ପରି କେହିବି ନୁହଁନ୍ତି। ନନ୍ଦା ଦେବୀ, ସୁରେଶ ବାବୁ ପହଞ୍ଚି ଗଲେ। ଆଉ ଏକା ସାଙ୍ଗରେ କହି ଉଠିଲେ-ଓଃ! ଭେରି ଇଣ୍ଟରେଷ୍ଟେଡ୍।

ନିଶା ଲାଜରେ ମୁହଁ ପଛକୁ କରି ଦେଲା।

💏କହ୍ନେଇପୁର, କଟକ💑

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।