5/31/2020

କାଠଯୋଡ଼ି ଏବଂ ମୋ 'ସ୍ବପ୍ନ ନାୟକ

                                                                      ସ୍ନେହଲତା ଦାସ ଲେଙ୍କା                

ଭୁବନେଶ୍ୱର ଯିବା ରାସ୍ତାରେ ଠିକ କଟକ ସହର ପାଖ ହୋଇ ଆସିଲେ ମୋ' ହୃତ୍‌ସ୍ପନ୍ଦନର ଗତିଟା ଖୁବ ତୀବ୍ର ହୋଇଯାଏ । ନୂଆ ନୂଆ ଫଗୁଣରେ ମସ୍‌ଗୁଲ ଷୋଡ଼ଶୀର ଦେହରେ ଚୋରା ପ୍ରୀତିର ମଳୟ ବହିଗଲେ ଯେମିତି ଲାଗେ , କଟକ ସହରର ତୀବ୍ର ଉତ୍କଟ ଧୂଆଁଳିଆ ପବନ ମୋତେ ସେମିତି ରୋମାଞ୍ଚିତ କରେ । କଟକ ସହର  ମୋ ସ୍ୱପ୍ନର ସହର, ପ୍ରେମର ସହର । ଯୌବନର ପ୍ରଥମ ପାବଚ୍ଛରେ ଯେବେ ଜୀବନସାଥୀ ଚୟନ ପ୍ରକ୍ରିୟା ଆରମ୍ଭ ହେଲା , ମନ ଖୋଜିଲା ଏଇ କଟକ ସହରରେ ରହୁଥିବା କୌଣସି ସୁଯୋଗ୍ୟ ଯୁବକ ମିଳି ଯାଆନ୍ତା କି ! କେବେ ଠାକୁରଘର ଏରୁଣ୍ଡି ମାଡୁନଥିବା ଝିଅଟି ଆଜି ଲୁଚିଛପି ଠାକୁର ପାଖରେ ଦେଣନେଣ କରିବା ଆରମ୍ଭ କରି ଦେଇଥିଲା । ଦେଖ ଠାକୁରେ ;  ଗୋଟିଏ କଟକିଆ ଟୋକାଟେ ସହ ମୋର ଜାତକ ମିଳାଇ ଦିଅ ଆଉ ମୁଁ ତୁମକୁ ସବୁଦିନ ନିର୍ଧୁମ ଝୁଣା ଧୂପରେ ଅଣନିଃଶ୍ୱାସୀ କରିଦେବି । ବୋଧହୁଏ ....., ଏଇ ଅଣନିଃଶ୍ୱାସୀ ଶବ୍ଦଟି ଠାକୁରଙ୍କୁ ଖରାପ ଲାଗିଲା କି କ'ଣ ପାଞ୍ଚ ପାଞ୍ଚଟି କଟକୀ ଟୋକାଙ୍କ ଜାତକ ଭିତରେ ଥିବା ଜଣେ ମାତ୍ର  ଭୁବନେଶ୍ୱରିଆଙ୍କର ଜାତକ ସହ ମୋ' ଜାତକର ରାଜଯୋଟକ ମିଶେଇ ଦେଲେ ।


     ଯୋଉଦିନ ନିର୍ବନ୍ଧ ପାଇଁ ଲଗ୍ନ ଠିକ କରାଗଲା ସେଦିନ ଧକେଇ ଧକେଇ ଅନେକ କାନ୍ଦିଚି । ଘରେ ସମସ୍ତେ ଭାବୁଥିଲେ ଶାଶୂଘର ଯିବି ବୋଲି ମନ ଦୁଃଖରେ କାନ୍ଦୁଚି । ବୋଉ - ସାନବୋଉ - ଖୁଡୀ ଏମାନେ ତ ମୋ' ସହ ପାଳି କରି କାନ୍ଦିବା ଆରମ୍ଭ କରିଦେଲେ । ମୁଁ କାନ୍ଦୁଥିଲି - ଏଁ...ଏଁ..ଉଁ..ଉଁ , ଆଉ ଏମାନେ ଗୀତ ଗାଇ ଗାଇ ମୋତେ ଧରିକି କାନ୍ଦୁଥିଲେ । କ'ଣ ଗାଉ ଥିଲେ  କେଜାଣି ମୋର  ଏବେ ଆଉ ମନେ ନାହିଁ କିନ୍ତୁ ମୋତେ ବହୁତ ବିରକ୍ତ ଲାଗୁଥିଲା । ଜେଜେବାପା ପାଟି କରି କରି କହିଲେ ହେ...ଛାଡ଼ ହୋ ତାକୁ , ବାହାଘରକୁ ତ ଆହୁରି ଛ'ମାସ ରହିଲାଣି  ଏବେଠୁ ସେ କାନ୍ଦଫାନ୍ଦ ବନ୍ଦ କର । ଜେଜେବାପା ଡରରେ ଚୁପ ହେଇଗଲେ ସେମାନେ । ତ୍ରାହି ମିଳିଲା ମୋତେ । ଜେଜେବାପା ମୋର ବହୁତ ଭଲ । ମୋର ମନକଥା ଚଟ୍‌କିନା ବୁଝି ପାରନ୍ତି ବୋଲି ସିନା ମୋ' ବାହାଘର କଟକର ଏକ ମଣ୍ଡପରେ ଠିକ୍‌ କଲେ । ମୁଁ ତ ଖୁବ ଖୁସି ଥିଲି । ବାହା ହେଉଚି ବୋଲି ନୁହଁମ ; କଟକକୁ ଖୁବ ପାଖରୁ ଦେଖିବି ବୋଲି । ଅବଶୋଷ...! ବାହାଘର ହେଲା ସିନା କଟକରେ ହେଲେ ମୋ' ପ୍ରିୟତମ ସହରକୁ ଭଲ ରୂପେ ଜାଣିବାର ସୌଭାଗ୍ୟ ପାଇଲିନି । ଶୁଣିଚି ତ ଅନେକ ସେ ସହର ବିଷୟରେ । କଟକର ବାରବାଟୀ ଷ୍ଟାଡିୟମ , ମହାନଦୀ ପଠା , କଟକ ଦଶହରା , ବାଲିଯାତ୍ରା , କଟକ ମଶାଙ୍କ ଉପଦ୍ରବ , ନାଳ ନର୍ଦ୍ଦମା , ମାଛି ଭଣଭଣ ଖୋଲା ଡ୍ରେନ , କଟକୀ  ଝିଅଙ୍କର ଛଟକ ଛଇ , ଟାଉନ ବସ୍‌ର ଝାଳୁଆ ଗନ୍ଧ , କିଶୁ ଭାଇ ପାନ ଦୋକାନରେ ଅକ୍ଷୟ ମହାନ୍ତି ଦେବଦାସଙ୍କ ଯୋଡି , ବାଦାମବାଡ଼ି ବସଷ୍ଟାଣ୍ଡରେ ସେଇ କାଳିଆ ସେନ୍ତେରା ଟୋକା ମଃ ଯିଏ ଦିନରେ ବି ଆକାଶରେ ତାରା ଦେଖେଇ ଦିଏ ଗାଁରୁ ଆସୁଥିବା ଲୋକଙ୍କୁ ; ହାଇକୋର୍ଟ୍‌ର ଓକିଲ... କେସ୍‌ରେ ସବୁ କିଛି ହାରିଯାଇ ଦୟନୀୟ ଦିଶୁଥିବା ଗାଁର ଜମିଦାର , ମାସେ ହେଲା ବଡ଼ଡ଼ାକ୍ତରଖାନାରେ ପଡିଥିବା ରୋଗୀର ଅଣ୍ଟିରୁ ଖୁଚୁରା ଅଣ୍ଡାଳୁଥିବା ଆତ୍ମୀୟ ; ଏମିତି ଅନେକ କିଛି । ପିଲାଟି ଦିନରୁ ଜେଜେବାପାଙ୍କ ଠାରୁ କଟକ ବିଷୟରେ ଶୁଣି ଶୁଣି କଟକକୁ ମୁଁ ମୋ ଆତ୍ମାରେ ବସେଇ ଦେଇଥିଲି । କଟକକୁ ମନ ଭରି ଭଲପାଇବାର ଅନ୍ୟ ଏକ କାରଣ ହେଲା କାଠଯୋଡି । ଅନେକଙ୍କଠୁ ଶୁଣିଚି ଓ ଅନେକ କାହାଣୀରୁ ପଢିଚି ମଧ୍ୟ ।  କାଠଯୋଡ଼ି  ହେଉଚି ପ୍ରେମିକ ପ୍ରେମିକା ମାନଙ୍କର ଭେଟାଭେଟି ହେବାର ପେଣ୍ଠସ୍ଥଳୀ ।

    ପ୍ରେମରେ ଧୋକା ଖାଇ ଭାରାକ୍ରାନ୍ତ ମନକୁ ହାଲୁକା କରିବାକୁ ନାୟକଟି ଛୁଟିଆସେ ଏଇ କାଠଯୋଡି ପାଖକୁ । କେଉଁ ଏକ ଅଖ୍ୟାତ ପଲ୍ଲୀର ସମ୍ଭ୍ରାନ୍ତ ଯୁବକ ଭଡା ଘରର ଏକଲାପଣରୁ ବାହାରି ମନର ମାନସୀକୁ ଖୋଜିବା ପାଇଁ ଧାଇଁ ଆସେ ଏଇ କାଠଯୋଡି କୂଳକୁ । ମୋ' ସ୍ୱପ୍ନରେ ଛାଇଯାଏ କାଠଯୋଡି । ତା' କୂଳରେ ବସି ଧୋତି ପିନ୍ଧା ଗ୍ରାମ୍ୟ ଯୁବକର ସାନ୍ଧ୍ୟ ଅବଲୋକନର ଦୃଶ୍ୟ ମୋତେ ବାରମ୍ବାର ଆମନ୍ତ୍ରିତ କରେ ; ବ୍ୟାକୁଳିତ ହେଇପଡେ ମନ । ଅନ୍ୟମନସ୍କ ହୋଇଯାଏ । କ୍ଷୋଭ ଆସେ ଶିବାୟଙ୍କ ଉପରେ । ଡାଇନିଂ ଟେବୁଲ ରେ ଖାଦ୍ୟ ପରିବେଷଣ କରୁ କରୁ ହାତ ବାଜି ଚୁରମାର ହେଇଯାଏ କାଚଗ୍ଲାସ । ଚାକରାଣୀକୁ କାଚ ଉଠେଇବାକୁ ନ ଦେଇ ନିଜେ ଉଠାଏ । ହାତ କଟିଯାଇ ରକ୍ତ ଝରେ ।ବିବ୍ରତ ହେଇପଡନ୍ତି ଶିବାୟ । ବେଟାଡିନ ଲଗଉ ଲଗଉ କୁହନ୍ତି, କାହିଁକି ଏତେ ଅନ୍ୟମନସ୍କ ଶୁଣେ ? ଉତ୍ତରରେ ମୁଁ କହେ ; କଟକ କେବେ ବୁଲେଇ ନେବ ? ହସି ଦିଅନ୍ତି ଏଥର ଶିବାୟ । ହସି ହସି କହନ୍ତି କଟକରେ କ'ଣ ଅଛି କହିଲ..! ମୁଁ କିନ୍ତୁ ଗମ୍ଭୀର ହୋଇଯାଏ । ରୋକ୍‌ଠୋକ୍‌ କହେ, ମୋ' ସ୍ୱପ୍ନର ନାୟକ ପ୍ରତୀକ୍ଷା କରିଚି ମୋତେ କାଠଯୋଡି କୂଳରେ ।  ଧଳା ଫିନ୍‌ ଫିନ୍‌ ଧୋତୀ କୁର୍ତ୍ତା ସାଙ୍ଗକୁ ପାଦରେ ହାୱାଇ ଚପଲ । ଲମ୍ବା ବେଣ୍ଟ ଲଗା ଛତା ତଳେ ହାତରେ ଭଞ୍ଜ କି ରାଧାନାଥଙ୍କ ଗ୍ରନ୍ଥରୁ ଖଣ୍ଡେ ଧରି ମୋ' ଅପେକ୍ଷାରେ ସେ ବସିଥିବ । ଶିବାୟ ଏଥର ଠୋ ଠୋ ହସନ୍ତି । ମୋତେ ତାଙ୍କ ବଳିଷ୍ଠ ବାହୁରେ ଛନ୍ଦି ଦେଇ କହନ୍ତି ତା'ହେଲେ ତ ମୁଁ ତୁମକୁ କେବେ ବି କଟକ ନେଇକି ଯିବିନି । କିଏ ଜାଣେ ତମେ ଯଦି ସେଠାରେ ତମ ନାୟକକୁ ପାଇ ମୋତେ ଭୁଲିଗଲ । ମୁଁ ବି ଏଥର ହସିଦିଏ । ତାଙ୍କ ଛାତିରେ ମୃଦୁ ଆଘାତଟିଏ ଦେଇ କହେ - "ଧେତ୍‌ !" ହୁଗୁଳି ଦିଅନ୍ତି ଶିବାୟ ତାଙ୍କ ବାହୁ ଫାଶରୁ ଆଉ ମୁଁ ଛନ୍ଦି ହୋଇ ଚାଲିଯାଏ କାଠଯୋଡି କୂଳକୁ ।
             

     ଏଥର ସୁଯୋଗଟେ ମିଳିଲା କଟକକୁ ଦେଖିବାର । ମୋ' ମାଉସୀ ପୁଅ ଭାଇର କୁନି ଝିଅର ଦେହ ଖରାପ ହୋଇ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଥିଲା ଭାଇର ଝିଅ । ଯିବାକୁ ତ ନିଶ୍ଚୟ ପଡିବ । ଝିଅର ଦେହ ଖରାପ ଶୁଣି ଯେତିକି ଦୁଃଖ ଲାଗିଥିଲା ତା'ଠୁ ତିନି ଗୁଣା ଖୁସି ଥିଲି ଶିଶୁ ଭବନ କାଠଯୋଡି କୂଳରେ । ରବିବାର ଦିନ ଚଟାପଟ୍‌ ରେଡି ହେଇଗଲି  ଝିଅକୁ ଦେଖିବାକୁ ଯିବା ପାଇଁ । ମୋ' ପିଠିରେ ସତେ ଯେମିତି ଦୁଇଟି ଡେଣା ଲାଗି ଯାଇଥିଲା । ମଧ୍ୟାହ୍ନ ବୟସ ମୋର ଖସି ଖସି ଆସୁଥିଲା କଅଁଳ ବୟସକୁ । ଚାରିଚକ ବିଶିଷ୍ଟ ଯାନର କାଚ଼ ଗବାକ୍ଷ ସେପଟେ ନିରୀକ୍ଷଣ କରୁଥିଲି କାଠଯୋଡିକୁ । ଖୋଜି ବୁଲୁଥିଲି ମୋ' କଳ୍ପନାର ସହରକୁ । ମୋ' ସ୍ବପ୍ନରୁ  କିଛିଟା ଫରକ ବାରି ହେଉଥିଲା । ମୋତେ ଚିଡ଼େଇବା ପାଇଁ ଶିବାୟ କହୁଥିଲେ - "ମିଳିଲା , କାଠଯୋଡି କୂଳରେ ତମ ସ୍ୱପ୍ନ ନାୟକ ?" ଧୀରେ ଧୀରେ ଖସି ଆସୁଥିଲା ମୋ' ମସ୍ତିଷ୍କରୁ ଭ୍ରମ । ଏକବିଂଶ ଶତାବ୍ଦୀର ସ୍ମାର୍ଟଫୋନ ଯୁଗରେ ମୋ ସ୍ୱପ୍ନ ନାୟକ ହଜି ଯାଇଥିଲା କୋଉ ଉପାନ୍ତ ଇଲାକାରେ । ମନଉଣା ହୋଇଯାଉଥିଲା ଟିକେ  । ଗାଡି ଭିତରେ ଷ୍ଟେରିଓରୁ ଧୁମ୍‌ମିଠା ରେଡ଼ିଓ ଚକୋଲେଟରୁ ବାଜି ଉଠିଲା ଅକ୍ଷୟ ମହାନ୍ତି ଙ୍କ ଗୀତ - "ନିଶି ବିଜନେ...ଭାବେ ମନେ ମୁଁ କେମିତି ଜୀଇଁଚି.. କାହିଁକି ଜୀଇଁଚି ତୁମ ବିନେ..ତୁମ ବିନେ.."

      ନିରବୀ ଯାଇଥିବା ମନକୁ ଗୀତର  ତାଳେ ତାଳେ ଗୁଣୁଗୁଣେଇ ବାହାରକୁ ଅନେଇଲି । ଆଖିଯୋଡିକ ପହଁରି ଗଲା କାଠଯୋଡିର କୂଳ ଆଡକୁ । ବୋଧହୁଏ ଏଇ ଦେବୀଗଡା ଘାଟ ପାଖେ ବରଗଛ ଛାଇ ତଳେ ସିମେଣ୍ଟ ପାଚେରୀ ଦେହରେ ନଈ ଆଡକୁ ମୁହଁ କରି ବସିଚି ଅବିକଳ ମୋ' ସ୍ୱପ୍ନର ନାୟକ ପରି ଦିଶୁଥିବା ଯୁବକଟିଏ । ସଫେଦ ଧୋତି କୁର୍ତ୍ତା ସାଙ୍ଗକୁ ଲମ୍ବା ବେଣ୍ଟଲଗା ଛତା, ପାଦରେ ହଳେ ହାୱାଇ ଚପଲ ଆଉ ହାତରେ ଭଞ୍ଜଙ୍କର ଗ୍ରନ୍ଥ । କୁରୁଳି ଉଠିଲା ମନ । ମନ ଚାହୁଁଥିଲା ଶିବାୟକୁ କହନ୍ତି ଏଇଠି  ......ଏଇଠି ଟିକିଏ ଗାଡି ରଖ ମୁଁ ପଦେ କଥା ହୋଇ ଆସେ । ହେଲେ ଗାଡି ପଶି ସାରିଥିଲା ଶିଶୁ ଭବନର କ୍ୟାମ୍ପସ ଭିତରକୁ । ଏବେ ମୋ' ଭିତରେ କିଛି ଗୋଟେ ଦୋହଲି ଯାଉଥିଲା କାହିଁକି କେଜାଣି । ଝିଅର ଦେହ ଖରାପ ବୋଲି ??
                                                                                              🙏ଝାରପଡ଼ା , ଭୁବନେଶ୍ବର                                                                               ଜୟ ସାହିତ୍ୟ, ଜୟ ସମାଜ

1 comment:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।