ପଞ୍ଚମ ଶ୍ରେଣୀର ଛାତ୍ର ଶୁଭଙ୍କର , ପରୀକ୍ଷା ସରୁ ସରୁ ବିଦ୍ୟାଳୟରୁ ଦୌଡି ଆସି ସିଧା ପହଞ୍ଚି ଗଲା ଜେଜେ ରାମ ଦାସଙ୍କ ପାଖରେ ; ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ ଏବଂ ସମାଜ ସଂସ୍କାରକ ମଧ୍ୟ । ତେଣୁ ପ୍ରଥମେ ନାତି ଶୁଭଙ୍କରକୁ କହିଲେ "ତୁ ପୋଷାକ ବଦଳାଇ , ହାତ-ମୁହଁ ଭଲରେ ସଫା କରି ଆସେ ; ପରେ କଥା ହେବା ଏବଂ ମିଶିକି ଖାଇବା । ନାତି ଶୁଭ ମନରେ ଆଜି ଅନେକ ପ୍ରଶ୍ନ , ସବୁ ପ୍ରଶ୍ନର ଉତ୍ତର ଯେମିତି ତା'ର ଜେଜେଙ୍କ ପାଖରେ ଅଛି । ସେ ଚଟାପଟ୍ ପୋଷାକ ବାହାର କରି ହାତଗୋଡ଼ ଧୋଇ ଜେଜେଙ୍କ ପାଖରେ ହାଜର ହେଇଗଲା । ଜେଜେ ପଚାରିଲେ - "କହ କ'ଣ କହିବାକୁ ଚାହୁଁଥିଲୁ ?" ସଙ୍ଗେ ସଙ୍ଗେ ଶୁଭ କହି ଚାଲିଲା - "ଜେଜେ ! ଆଜି ଆମ ବିଦ୍ୟାଳୟକୁ କେତେକ ପିଲା ମୁହଁରେ କ'ଣ ଗୋଟେ ପିନ୍ଧିକି ଆସିଥିଲେ , କ'ଣ କହୁଛନ୍ତି ଯେ ..ହଁ ହଁ ମନେ ପଡିଲା "ମାସ୍" ।" ଜେଜେ ହସିକି କହିଲେ "ମାସ୍ ନାହିଁ ସେଇଟା "ମାସ୍କ " ।" ଶୁଭ କହିଲା -"ହଁ ଯେ , ସେଇଟା ପ୍ରାୟ ଅଧିକାଂଶ ପିଲା ପିନ୍ଧିକି ଆସିଥିଲେ । ମୋର ମଧ୍ୟ ମାସ୍କ ଦରକାର , ମୁଁ ମଧ୍ୟ ପିନ୍ଧିକି ଯିବି "। ଜେଜେ ହସିକି କହିଲେ -"କେବଳ ତୁ ନୁହଁ , ଆମେ ସମସ୍ତେ ପିନ୍ଧିବା ଆବଶ୍ୟକ ।" "ହେଲେ କାହିଁକି ଜେଜେ ଆମେ ସମସ୍ତେ ମାସ୍କ ପିନ୍ଧିବା ?" - ଶୁଭ ପଚାରିଲା ।
ଜେଜେ କହିଲେ ଶୁଣୁ - "କରୋନା ନାମକ ଭୂତାଣୁ ସଂକ୍ରମଣ ଏବେ ବିଶ୍ବବ୍ୟାପୀ ତା'ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଏହାକୁ ଯଥା ସମ୍ଭବ ନିୟନ୍ତ୍ରଣ କରିବାରେ ଚିକିତ୍ସା ବିଜ୍ଞାନୀ , ଭୂତାଣୁ ବିଜ୍ଞାନ ଗବେଷକ , ବିଭିନ୍ନ ରାଷ୍ଟ୍ରର ସରକାର ଏବଂ ସମସ୍ତ ଚିକିତ୍ସାନୁଷ୍ଠାନ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ଏବେ ଏହାର ପ୍ରଭାବ ଦେଖା ଦେଇଥିଲେ ସୁଦ୍ଧା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆଗୁଆ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ -୧୯ ଭୂତାଣୁ ସଂକ୍ରମଣର ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ନିଦାନ ଆବିଷ୍କୃତ ହୋଇନାହିଁ । କିନ୍ତୁ ଏହା ବସନ୍ତ ମହାମାରୀ ଭଳି ଘାତକ ନୁହଁ । ସେହି ଦୃଷ୍ଟିରୁ ରାଜ୍ୟ ସରକାର ଲୋକମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି । କରୋନା ସଂକ୍ରମଣକୁ ନେଇ ନାନା ପ୍ରକାର ଗୁଜବ ପ୍ରସାର ଫଳରେ ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । କୋଭିଡ଼ -୧୯ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବାର ସବୁଠାରୁ ଶ୍ରେଷ୍ଠ ପଦକ୍ଷେପ ହେଲା ନିଜେ ସ୍ବଚ୍ଛ ରହିବା ଏବଂ ଜନଗହଳି ଠାରୁ ନିଜକୁ ଦୂରେଇ ରଖିବା । ଅତୀତକୁ ଦେଖିଲେ ଜଣାପଡେ ବସନ୍ତ , ହାଡ଼ଫୁଟି , ମିଳିମିଳା ହେଲେ ରୋଗୀକୁ ପରିବାର ଠାରୁ ସାମାଜିକ ଉତ୍ସବ ଠାରୁ ଦୂରେଇ ରଖାଯାଏ ; କରୋନା ମଧ୍ୟ ସେହିପରି ଏକ ଭୂତାଣୁ ଜନିତ ସଂକ୍ରମଣକ ରୋଗ ।"
- "ଆଚ୍ଛା ଏବେ ଜାଣିଲି , ହେଲେ କରୋନାରେ ଆକ୍ରାନ୍ତ ବୋଲି ଆମେ କିପରି ଜାଣିବା ଜେଜେ ?"
- "ଓହୋ ଏବେ ବୁଝିଲି ତୁ ସବୁ ଜାଣିବାକୁ ଚାହୁଁଛୁ ।ଖାଇ ସାରିବା ପରେ ସବୁ କହିବି , ହେଲା ? କରୋନାରେ ଆକ୍ରାନ୍ତ ହେଲେ କ'ଣ ହୁଏ ? ଆଉ ନହେବା ପାଇଁ କ'ଣ ପଦକ୍ଷେପ ନେବା ।"
ଶୁଭ ଖାଇସାରି ଜେଜେଙ୍କ ପାଖରେ ପୁଣି ହାଜର ହୋଇଗଲା । ତା'ର ଏକା ଜିଦ୍ କରୋନା କ'ଣ ଆଉ ତାକୁ କାହିଁକି ସମସ୍ତେ ଡ଼ରନ୍ତି ସେସବୁ ଜେଜେଙ୍କ ଠାରୁ ଆଜି ଯେମିତି ହେଲେ ଜାଣିବ ଆଉ ସାଙ୍ଗମାନଙ୍କୁ ଜଣେଇବ । ଜେଜେ ପୁଣି କହିବା ଆରମ୍ଭ କଲେ.....
- "କରୋନା ପ୍ରଥମେ ଶରୀର ମଧ୍ୟରେ ପ୍ରବେଶ କରେ । ଏଥି ସହ ଜ୍ବର ଓ କାଶ ଲକ୍ଷଣ ଦେଖାଦିଏ । ଏହାପରେ ଦେହ ହାତ ଘୋଳାବିନ୍ଧା ଆରମ୍ଭ ହୁଏ । ଗଳାରେ କଷ୍ଟ ଅନୁଭବ ହୁଏ । ଶରୀରର ପ୍ରତିରୋଧକ ଶକ୍ତି ଯଦି କମିଥାଏ , ତାହାହେଲେ ତା'ର ପ୍ରଭାବ ଅତିଶୀଘ୍ର ଦେଖାଇଥାଏ । ଶୁଖିଲା କାଶ ପରେ କଫ ପଡିବା ଆରମ୍ଭ କରିଦିଏ । ଏହି କଫ ମଧ୍ୟରେ ଭାଇରସ୍ ଦ୍ବାରା ମରୁଥିବା ଫୁସ୍ଫୁସ୍ କୋଷ ପରିମାଣ ସର୍ବାଧିକ ରହିଥାଏ । ସପ୍ତାହ ପର୍ଯ୍ୟନ୍ତ ଏହିପରି ଲକ୍ଷଣ ଦେଖାଯାଏ ,ପରେ ପରେ ଶରୀରରେ କିଛି ରାସାୟନିକ ପରିବର୍ତ୍ତନ ଦେଖିବାକୁ ମିଳେ । ଫଳରେ ଜଳାପୋଡା ଆରମ୍ଭହୁଏ । ଅତ୍ୟଧିକ ଜଳାପୋଡା ବା ପ୍ରଦାହ ହେବାଦ୍ବାରା ଶରୀରର ଅନ୍ୟ ଅଂଶକୁ ଏହା କବଳିତ କରିଥାଏ । ପରେ ଏହା ନିମୋନିଆର କାରଣ ସାଜିଥାଏ । ରକ୍ତରେ ଅମ୍ଳଜାନ ପ୍ରବେଶ ଦ୍ବାରରେ ପାଣି ପ୍ରବେଶ କରେ ଫଳରେ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ ହୁଏ । ତେଣୁ ରୋଗୀପାଇଁ ଭେଣ୍ଟିଲିଟର ଅତି ଜରୁରୀ ହୋଇପଡେ । ପାଖାପାଖି ୧୪℅ରୋଗୀ ଏହି ପର୍ଯ୍ୟାୟରେ ସାମ୍ନା କରୁଥିବା ଚୀନ୍ରୁ ମିଳୁଥିବା ତଥ୍ୟରୁ ଜଣାପଡିଛି । ଶେଷରେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଏ , ଶରୀରର ରକ୍ତଚାପ ବିପଦ ଜ୍ଜନକ ଭାବେ ତଳକୁ ଖସିଆସେ ଏବଂ ବିଭିନ୍ନ ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ । ପ୍ରବାହ ମାତ୍ରା ଚରମ ସୀମାକୁ ଛୁଇଁଥାଏ ଯା'ଦ୍ବାରା 'ଅକ୍ୟୁଟରେସ୍ପିରେଟୋରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ ' ଦେଖାଦିଏ । ତିଷ୍ଠି ରହିବା ପାଇଁ ଯଥେଷ୍ଟ ଅମ୍ଳଜାନ ମିଳି ନଥାଏ । କିଡ୍ନିକୁ ଏହା ରକ୍ତ ପରିଷ୍କାର କରିବାକୁ ଅନୁମତି ଦେଇନଥାଏ ଏବଂ ଅନ୍ତଃନଳୀକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ । ଶେଷରେ ରୋଗୀ ମୃତ୍ୟୁବରଣ କରେ । ଏହି ରୋଗରୁ ରକ୍ଷା ପାଇବାପାଇଁ ସଚେତନ ମୂଳକ ପଦକ୍ଷେପ ଗୁଡିକ ଗ୍ରହଣ କଲେ ଆମେ ରକ୍ଷା ପାଇଯିବା ।"
- "ତେବେ , କ'ଣ ସେ ପଦକ୍ଷେପ ଜେଜେ ?"
ଜେଜେ କହିବା ଆରମ୍ଭ କଲେ..........
💥ହାତ ସଫା ଦେଖାଗଲେ ମଧ୍ୟ ସାବୁନ୍ ଦ୍ବାରା ହାତକୁ ବାରମ୍ବାର ଧୋଇବା ।
💥ଜ୍ବର , କାଶ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କଲେ ମାସ୍କ୍ ପିନ୍ଧବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ।
💥ବ୍ୟବହୃତ ଟିସୁ ପେପରକୁ ଢାଙ୍କୁଣୀ ଥିବା ଡ଼ଷ୍ଟବିନ୍ରେ ପକାଇବା ।
💥ଘରକୁ କୀଟନାଶକ ଦ୍ରବଣରେ ସଫା କରିବା , ଆମ ପରିବେଶକୁ ମଧ୍ୟ ସଫା ରଖିବା ।
💥ଫ୍ଳୁ ଭଳି ଲକ୍ଷଣ ଥିବା ଲୋକଙ୍କ ଠାରୁ ଦୂରେଇ ରହିବା ।
💥କରମର୍ଦ୍ଦନ ଓ ଆଲିଙ୍ଗନ କରିବା ନାହିଁ । ନମସ୍କାର କରିବା ।
💥ସର୍ବ ସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ ଏବଂ ବାୟୋମେଟ୍ରିକ୍ ଉପସ୍ଥାନ ମେସିନ୍ ବ୍ୟବହାର ନ କରିବା ।
💥ସାମାକିକ ଉତ୍ସବ ଅନୁଷ୍ଠାନ ସଭାସମିତି ନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ତାହାକୁ ଆମେ ପାଳନ କରିବା ।
💥ଅତ୍ୟାବଶ୍ୟକ ପଡିଲେ ଘରୁ ବାହାରିବା କିନ୍ତୁ ଜନଗହଳି ଠାରୁ ଦୂରେଇ ରହିବା ।
💥ବାହାରକୁ ଗଲେ ନିଜର ସୁରକ୍ଷାପାଇଁ ମାସ୍କ୍ ବ୍ୟବହାର କରିବା ।ଏହି ଭଳି ପଦକ୍ଷେପ ନେଲେ କରୋନାକୁ ଆମେ ଏଡେଇ ପାରିବା ବୁଝିଲୁ ନାତିଆ ।"
ଶୁଭ କହିଲା - "ହଁ ଜେଜେ ମୁଁ ଭଲଭାବରେ ବୁଝିଗଲି , ମୋ' ସାଙ୍ଗ ମାନଙ୍କୁ ମଧ୍ୟ ମୁଁ ବୁଝେଇ ଦେବି - "କରୋନାକୁ ଏବେ ଡ଼ରନା , କରୋନା ଭୟରେ ମରନା ।" ହାଃ ହା
ବ୍ରହ୍ମପୁର - ୬
ମୋ.ନଂ 9348879798
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।