ରଙ୍କନିଧି ସେଠୀ
ଘୋର କଳିକାଳ ଆସିଲା କାଳିଆଦେଲୁ କି ତା'ରସଙ୍କେତ
ଏକାଦଶୀ ତିଥେ ନୀଳଚକ୍ର ପାଶେ
ଜଳାଇ ଦେଇ କି ନେତ ll
ଭକ୍ତ ଶୂନ୍ୟ କଲୁ ତୋ' ବଡ଼ ଦାଣ୍ଡକୁ
ଦେଲୁ ନାହିଁ ଦରଶନ
କିବାରେ କାଳିଆ କରିଲୁ କି ମାୟା
ଛାଡ଼ି ଦେଇ ସିଂହାସନ llବାଛିଲୁ ଛତିଆ ତୋ' ଘର ଠିକଣା
ନେବୁ କଳ୍କୀ ଅବତାର
ବାର ହାତ ଖଣ୍ଡା ଧରିବୁରେ ଜଗା
ଦୁଷ୍ଟ କରିବୁ ସଂହାର ll
ଆଗରୁ ସୂଚନା ଦେଇଛୁ କେତେରେ
ଏବେ ପୁଣି ସାରା ମାନବ ଜାତିକୁ
କରୋନାରେ କଲୁ ହତ୍ୟା ll
ଜୀବେ ଦୟା ଭାବ ହୋଇଲା ଅଭାବ
ନିରୀହ ଜୀବେ ଭକ୍ଷିଲେ
କରିଲୁ ସଂହାର ପାପୀ ଥରହର
କଲବଲ ହୋଇ ମଲେ ll
ତ୍ରାହି ତ୍ରାହି ଡାକ ଶୁଣି ପଦ୍ମମୁଖ
ପ୍ରେରଣ କଲ ଭୁତାଣୁ
ସାରା ଜଗତକୁ ବୁଲି ବୁଲି ଧ୍ବଂସ
ଭୀତି ଜଗାଇଲ ମନୁ ll
କରୁଛି ମିନତି ଆହେ ରମାପତି
ଏତିକିରେ ହେଉ ଇତି
ମାନବ ସମାଜ ବୁଝି ସେ ଗଲାଣି
ଦେଖି ତା'ର ଦୁରଗତି ll
କରୋନା ଯଦିରେ ସବୁ ନାଶି ଯିବ
ତୋ' ପାଇଁ ରହିବ କିସ
ବାର ହାତ ଖଣ୍ଡା ଚଢି କଳା ଘୋଡା
କେ' କରିବ କଳି ଶେଷ ll
ଦୟା କର ପ୍ରଭୁ ଆହେ ଦୟାମୟ
ପୂର୍ଣ୍ଣଛେଦ କର ଏବେ
ଯଦି ବି ମାନବ କିଛି ନ ଶିଖିବେ
କଳ୍କୀ ରୂପରେ ନାଶିବେ ll
ସେତେବେଳେ କେହି ବାଧା ଦେବେ ନାହିଁ
ସଂସାର କରିବ ରକ୍ଷା
ଧରଣୀ ମାତାର ଦୁଃଖ ହେବ ଦୂର
ଏତିକି ଚରଣେ ଭିକ୍ଷା ll
ରାଉରକେଲା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।