କଳ୍ପନା ମିଶ୍ର

ଦିନ ସାରାର ଖଟଣି ପରେ ନିଜର ଅବଶ ଦେହଟାକୁ ସୋଫା ଉପରେ ମେଲେଇ ଦେଲେ ଡକ୍ଟର ସୁତପା । ଓଃ..... ଏଇ କରୋନା ଆତଙ୍କ ଖେଳିଯିବାଠୁ ମଣିଷକୁ ବିଶ୍ରାମ ଟିକିଏ ନାହିଁ । କ'ଣ ସବୁ ଭାବୁଛନ୍ତି କେଜାଣି....। ଡାକ୍ତର ହେଲା ବୋଲି ତା' ଦେହ କ'ଣ ପଥର ? ବିଶ୍ରାମ ଖୋଜେନି ? ଖାଲି କ'ଣ ସେତିକି ...ଘରକୁ ଆସିଲେ ବି ନିସ୍ତାର ନାହିଁ ।ଅଧ୍ୟାପକ ସ୍ୱାମୀ ପାଣି ଗିଲାସଟେ ବି ନେଇ ପିଇବେନି ସେ ଘରେ ପହଞ୍ଚିବା ପରେ । ସେଥିକୁ ସ୍କୁଲ କଲେଜ ବି ବନ୍ଦ । ପିଲାମାନେ ଘରେ। ଦୁନିଆ ଯାକର ଜିନିଷ ଫିଙ୍ଗି ଫୋପାଡ଼ି ଘରକୁ ଘର ତ ନୁହେଁ ରଣକ୍ଷେତ୍ର କରି ଛାଡ଼ୁଛନ୍ତି.....
ସକାଳ ପହରୁ ହସ୍ପିଟାଲ ଯାଇ ମଝିରେ ଟିକିଏ ଆସି ପୁଣି ଯାଇଥିଲେ ସୁତପା । ଏଇ ସନ୍ଧ୍ୟାବେଳେ ଫେରିଛନ୍ତି ସେ । ଦୁଇଦିନ ହେଲା ମାଳତୀର ବି ଦେଖା ନାହିଁ । ଅଇଁଠା ବାସନ ସବୁ sinkରେ ପଡିଛି । ଅନିକେ ତ ବି ଚାହା ପାଇଁ ଚିଲେଇଲେଣି । ନା...ଆଉ ହେବନି କହି ସୋଫାରୁ ଉଠିଗଲେ ସୁତପା । କବାଟରେ କାହାର ବାଡ଼େଇବାର ଶବ୍ଦ ଶୁଣି ବିରକ୍ତ ହୋଇ କବାଟ ଖୋଲିଲେ ସେ । ଏତିକି ବି ସ୍ୱାମୀଦେବତା କରିପାରିବେନି । ...........କବାଟ ଖୋଲି ଦେଖିଲେ ମାଳତୀ ଠିଆ ହୋଇଛି । ଆଖିରୁ ଝରିଯାଉଛି ଲୁହ । ଏ କାମବାଲୀ ମାନେ ବି ଏମିତି । ନାନା କଥା କହି advance ପଇସା ମାଗିନେବେ । ତା'ପରେ ନାନା ବାହାନା କରି ମାସର ପାଞ୍ଚ ଦିନ ବନ୍ଦ । ରାଗି ଆସୁଥିବା ସୁତପାଙ୍କର ଗୋଡ଼ ଧରି ବସି ପଡ଼ିଲା ମାଳତୀ । ଦିଦି..... ରକ୍ଷା କର ମୋତେ । କୁନି ବାପା ଦି'ଦିନ ହେଲାଣି ଗୋଡ଼ ଭାଙ୍ଗି ଘରେ ପଡିଛି । ପୁଅଟାକୁ ଭୀଷଣ ଜ୍ୱର । ସୁତପା ଜାଣି ପାରିଲେ ମାଳତୀର ଏ ନୂଆ ଚାଲ୍ । ପୁଣି ମାଗିବ ଟଙ୍କା । ବିରକ୍ତ ହୋଇ କହିଲେ ଆଗ ପଇସା ଶୁଝିଛୁ ନା ପୁଣି ଚାଲି ଆସିଲୁ । ଗୋଡ଼ ଛଡେଇ ଘର ଭିତରକୁ ପଶି ଆସିଲେ ସେ । ତାଙ୍କ ପଛେ ପଛେ ମାଳତୀ ବି ପଶି ଆସିଲା।କହିଲା ମା , ମୋ' କଥା ତ ଜାଣ ତୁମେ । ଭଲ ପାଇ ପଳାଇ ଆସିଛି ବୋଲି ବଡ଼ ଅଫିସର ବାପା ମୋ' ମୁହଁକୁ ଚାହୁଁ ନାହାନ୍ତି । ଚାକିରୀ ଖଣ୍ଡିଏ ନାହିଁ ବୋଲି ଗ୍ରାଜୁଏଟ କୁନି ବାପା ରିକ୍ସା ଭଡ଼ାରେ ଆଣି ଚଲାଉଛି ।ତୁମରି ମାନଙ୍କ ଦୟା ଯୋଗୁଁ ଆମେ ଖାଇବାକୁ ଗଣ୍ଡେ ପାଉଛୁ । ହେଲେ , ଆଉ ପାରୁନି ମୁଁ .....କିଛି ଟଙ୍କା ଲାଞ୍ଚ ଦେଲେ କାଳେ କୁନି ବାପାକୁ ପିଅନ ଚାକିରୀ ମିଳି ଯିବ ।
ସୁତପା ଜାଣି ପାରିଲେ ମାଳତୀର ଅସଲ ଉଦ୍ଦେଶ୍ୟ । ବଡ଼ ଅଙ୍କ କିଛି ମାଗିନେବାର ଇଛା କରି ସେ ଆସିଛି । ମନ ଭିତରେ ଅସନ୍ତୋଷ ଭରି ରୁକ୍ଷ ଗଳାରେ କହିଲେ ସେ , ହଉ ମୁଁ କ'ଣ କରିବି ? ମୁଁ କ'ଣ ଟଙ୍କା ଗଛ ପୋତିକି ରଖିଛି କି ? ମାଳତୀ ମନା କଲା । ତା'ପରେ ସିଏ ଯାହା କହିଲା ସୁତପାଙ୍କ ଆଖିରୁ ପାଣି ଝରେଇ ଦେବାକୁ ଯଥେଷ୍ଟ ଥିଲା । କାରଣ ମାଳତୀ ଅଳି କରୁଥିଲା ଅବୈତନିକ ଭାବେ ତାଙ୍କ ହସ୍ପିଟାଲରେ ସେବା କରିବାକୁ କରୋନା ରୋଗୀଙ୍କର । କାରଣ ତା'ଦ୍ୱାରା ଯଦି ତାକୁ ରୋଗ ହୋଇଯାଏ ଓ ସେ ମରିଯାଏ ସରକାରଙ୍କ ଠାରୁ କୁନି ବାପା ଚାରି ଲକ୍ଷ ଟଙ୍କା ପାଇବ ଆଉ ତା' ଅବସ୍ଥା ସୁଧୁରି ଯିବ ।
ଅବାକ ହୋଇ ଶୁଣୁଥିଲେ ସୁତପା । ନାରୀର ଏ କି ଭିନ୍ନ ରୂପ ? ତାଙ୍କୁ ହଲାଇ ଦେଇ ମାଳତୀ ପଚାରୁଥିଲା , କୁହ ତ ମାଆ , ଏତିକି ମୋ' ପାଇଁ ବୁଝି ପାରିବନି ? ସୁତପାଙ୍କ ଦୁଇ ଆଖି ଭେଦ କରି ବୋହି ଯାଉଥିଲା ଅଶ୍ରୁର ଧାରା.... କ'ଣ ପାଇଁ...... ନାରୀର ଅସହାୟତା ପାଇଁ ନା ତା'ର ମହନୀୟତା ପାଇଁ ।ନିଜେ ନିଜକୁ ବି ସେ ବୁଝାଇ ପାରୁ ନ ଥିଲେ ।
ମାର୍କୋଣା
:::::::::::::
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।