ଗୋଦାବରୀଶ ଦାସ

ଦିନ ରାତି ଖାଲି ପ୍ରତିମା ପୂଜିଲେ
ହୋଇଯାଏ ନାହିଁ ଧର୍ମ
ଧର୍ମର ସଂଜ୍ଞା ଯେ ଜାଣିବା ଗହନ
ଏହାର ଅନ୍ତର ମର୍ମ ।
ଗୀତା ଭାଗବତେ ଲେଖାଅଛି ସିନା
କର୍ମ ହିଁ ନିଜର ଧର୍ମ
ତଥାପି କାହିଁକି କରୁଅଛୁ ଆମେ
ଏତେ ସବୁ ନୀଚ୍ଚ କର୍ମ ।
ଜୀବନ ପଛକେ ଚାଲି ଯାଉ ସିନା
କରିବାନି ତୁଚ୍ଛ କର୍ମ
ପ୍ରକୃତ କର୍ମରେ ନିମଗ୍ନ ରହିବା
ଏ ତ ସନାତନ ଧର୍ମ ।
ଚୁମ୍ବକର ଧର୍ମ ଲୁହା ଆକର୍ଷଣ
ବିଧିର ବିଧାନ ନୀତି
ଜଳର ଧରମ ନିମ୍ନଗତି ସିନା
ଆତ୍ମାର ଯେ ଉର୍ଦ୍ଧଗତି ।
କୃଷକ ଭାଇଟି କୃଷି ଧ୍ଯାନ ଦେଲେ
କୃଷି ତା'ର ଭଗବାନ
ଛାତ୍ରର ଧରମ ସବୁତ୍ଯାଗ କରି
କଲେ ଭଲ ଅଧ୍ଯୟନ ।
ଶିକ୍ଷକ ଧରମ ଅଧ୍ୟାପନା କର୍ମ
ପାଉଥିବ ସନମାନ
ଛାତ୍ର ବତ୍ସଳତା ପୂତ ପବିତ୍ରତା
କେବେ ନୁହେଁ ହିନିମାନ ।
ରୋଗୀସେବାରେ ତ ହୋଇଥିଲେ ରତ
ଚିକିତ୍ସକ ପାଏ ଶାନ୍ତି
ତାଙ୍କରି ସେବାରେ ମାନବ ସମାଜ
ଯମ ଠାରୁ ପାଏ ମୁକ୍ତି ।
ଦେଶସେବା କରି ନିଜ ଜୀବନକୁ
ସଇନ ରଖଇ ବାଜି
ପ୍ରଶାସକ ହାତେ ଶାସନ ଡୋରିଟା
ଯଦି ଯାଏନାହିଁ ହଜି ।
ଜୀବହତ୍ଯା ଠାରୁ ଦୂରେଇ ରହିଲେ
ଜୀବେ କରି ଟିକେ ଦୟା
ସବୁ ମଣିଷକୁ ନିଜର କରିବା
ଛାଡିଦେଇ ମୋହ ମାୟା ।
ନିଜର କର୍ମରେ ନିଜେ ବ୍ରତୀ ହୋଇ
ନିଜେ କଲେ ନିଜ କର୍ମ
ମାନବିକତାକୁ ବଜାୟ ରଖିବା
ଏ ତ ମାନବର ଧର୍ମ ।
,,,,,,,,,,,,,,,,,,,,,,,,,,,,,,,
ଶଙ୍ଖମୂଳ , ରଣପୁର
ନୟାଗଡ଼
ଦୂରଭାଷ - ୯୩୪୮୯୦୬୮୬୨
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।