5/31/2020

ବ୍ୟାକୁଳତା



ଆଲୋକ ଚନ୍ଦ୍ର ନାୟକ 
 ମୋ' କର୍ମକୁ ନେଇ ମୁଁ ବର୍ତ୍ତମାନ ଭାରି ଅସନ୍ତୁଷ୍ଟ । ମୋ' କର୍ମକୁ ସମ୍ପାଦନ କରିବା ପାଇଁ ମୁଁ ଅତ୍ୟନ୍ତ ବ୍ୟାକୁଳ । ପୂର୍ବରୁ ବି ଅନେକ ନଜିର୍ ରହିଛି ମୁଁ ମୋ' କର୍ମ ସମ୍ପାଦନ ଠିକ୍ ଭାବରେ କରି ପାରିନାହିଁ ; କରି ପାରିନାହିଁ ନୁହେଁ , ମୋ' କର୍ମକୁ ଠିକ୍ ସମୟରେ ସମ୍ପାଦନ କରିବା ପାଇଁ ଉଚିତ ସମୟ ଦିଆଯାଉ ନାହିଁ । କେଜାଣି ମୁଁ କାହାର କ'ଣ ଅପରାଧ କରୁଛି ? ସତକଥା ଏଇଆ ଯେ  ବେଳେବେଳେ ମୁଁ ମୋ' ନିଜକୁ ବି ପଚ଼ାରୁଛି ; ଥରେ ନୁହେଁ କି ଦୁଇଥର ନୁହେଁ , ପ୍ରତ୍ୟେକ ସମୟରେ । ପଚ଼ାରୁଛି ଯେ , ମୁଁ ଭାରତରେ ରହିଛି କାହିଁକି ? ଏଠି କ'ଣ ମୁଁ ମୋ' କାମକୁ ଠିକ୍ ଭାବରେ ସମ୍ପାଦନ କରିପାରୁଛି ନା କରିପାରିବି ? ଏଠି ଅପରାଧୀ ତା' ଅପରାଧର ସାମ୍ରାଜ୍ୟ ଖୁବ୍ ଶିଘ୍ର ବିସ୍ତାର କରିବାରେ ଲାଗି ଯାଉଛି । କିନ୍ତୁ ଠିକଣା ସମୟରେ ମୁଁ ଦଣ୍ଡ ଦେଇ ମୋ' କର୍ମକୁ ସମ୍ପାଦନ କରିବାକୁ ବାହାରିବା ବେଳେ ଏଠିକାର ବିଧି ବ୍ୟବସ୍ଥାର ଗଳାବାଟରେ ଗଳି ଅପରାଧୀ ନିଜକୁ ବେଶ୍ ସୁରକ୍ଷିତ ଭାବୁଛି । ସେଥିପାଇଁ ମୁଁ ଭଗବାନଙ୍କୁ ପଚାରୁଛି , ଆଉ ଭାରତର ବିଧି ବ୍ୟବସ୍ଥାର ମୁରବୀ ସମ୍ବିଧାନକୁ ବି ପଚାରୁଛି ; ମୋତେ ଏଠି ରଖିଛ କାହିଁକି ? କାହିଁକି ବୃଦ୍ଧି ଘଟୁଛି ମୋ' ବ୍ୟାକୁଳତାର ? କାହିଁକି ମୋ' ସହିତ ଛିଣ୍ଡେଇ ଦିଆ ଯାଉନାହିଁ ସବୁ ସମ୍ପର୍କର ସୁତାଖିଅ ? ଆଉ କାହିଁକି , କ'ଣ ପାଇଁ ମୋର ଏ ଜନ୍ମ ?  


   ମୋତେ ଲାଗୁଛି ସମସ୍ତେ ବୁଝି ପାରୁଥିବେ ମୁଁ କିଏ ବୋଲି । ତଥାପି ବି ମୁଁ ମୋର ପରିଚ଼ୟ ଦଉଛି । ଆଉ ମୋ' ବ୍ୟାକୁଳତା ବିଷୟରେ ଅଳ୍ପ ବହୁତ କରି ଜନତା ଜନାର୍ଦ୍ଦନଙ୍କୁ ଅବଗତ କରାଉଛି । ଆଉ ଆପଣ ମାନେ ବିଚାର କରାନ୍ତୁ ଯେ ମୋର ଏ ବ୍ୟାକୁଳତା ଆଉ କେତେ ଦିନ ରହିବ । ମୁଁ , ମୁଁ କହୁଛି ; ମୁଁ ମାନେ ଅପରାଧୀଙ୍କ ଯମ କହୁଛି । ମୁଁ ମାନେ ଅପରାଧୀଙ୍କ କର୍ମର ଫଳ କହୁଛି । ମୁଁ ଏତିକି ଜୋର୍‌ ଦେଇ କହିପାରେ , ମୁଁ ଅପରାଧୀ ମାନଙ୍କ ଆୟୁଷ ଆଗରୁ ଆସୁଥିବା ମୃତ୍ୟୁ କହୁଛି । ଏବେ ଜାଣିଲେ ତ ମୁଁ କିଏ ? ମୁଁ ଫାଶି କହୁଛି , ଫାଶି । ମୋର ଜନ୍ମ ବିହାରର ବକ୍ଷର୍ ଜେଲ୍‌ର କଏଦୀ ମାନଙ୍କ ଦ୍ୱାରା । ସେମାନେ ପ୍ରତ୍ୟେକ ବର୍ଷ ମୋ' ଭଳି ଏମିତି ଅନେକଙ୍କୁ ଜନ୍ମ ଦିଅନ୍ତି । ମୋର ଜନ୍ମ କେବଳ ଭାରତବର୍ଷରୁ ଅପରାଧୀ ମାନଙ୍କୁ ସମ୍ପୂଣ୍ଣ ନଷ୍ଟ କରିବା ପାଇଁ । ମୋର ଉଦେଶ୍ଯକେବଳ ପାପୀଙ୍କୁ ଦଣ୍ଡ ଦେବା । ଯେଉଁମାନେ ମଣିଷ ହୋଇ ବି ଅମଣିଷ ଆଉ ପଶୁ ପାଲଟି ଯାଉଛନ୍ତି , ଯେଉଁମାନେ କେବେ ଦେଶର ଭବିଷ୍ୟତ କଥା ଚିନ୍ତା କରନ୍ତି ନାହିଁ ସେମାନଙ୍କ ଗଳା ଚିପି ଶ୍ବାସରୁଦ୍ଧ କରି ମାରିବାକୁ ମୋତେ ଭାରି ଭଲ ଲାଗେ । କିନ୍ତୁ ଅପରାଧୀ ଆଉ ମୋ' ମଝିରେ ଏକ କେଁ ରହିଛି । ସେ କେଁଟା ହେଉଛି ଅଦାଲତ । ତା'ର ବିନା ନିର୍ଦ୍ଦେଶରେ ମୁଁ କିଛି ବି କରିବା ପାଇଁ ଅସମର୍ଥ । ଏହିଭଳି ଏକ କାର୍ଯ୍ୟ ପାଇଁ ଅନେକ ଦିନ ହେଲା ମୁଁ ଡେରା ପକେଇଛି ତିହାର ଜେଲ୍‌ରେ । ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ମୋର ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ଜଣା । ବିଭିନ୍ନ ସମୟରେ ମୁଁ ବିଭିନ୍ନ ଅପରାଧୀ ମାନଙ୍କୁ ତାଙ୍କ ଅନ୍ତିମ ଯାତ୍ରାରେ ପହଞ୍ଚେଇବା ପାଇଁ ଜନ୍ମ ନେଇଛି । ଏବେ କିନ୍ତୁ ମୋର ଜନ୍ମ ଚର୍ଚ୍ଚିତା ଝିଅ ନିର୍ଭୟାର ଅପରାଧୀ ମାନଙ୍କୁ ତାଙ୍କ ଅନ୍ତିମ ସ୍ଥାନରେ ପହଞ୍ଚେଇବା ପାଇଁ । ସତରେ ଏ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ବହୁତ ଉତ୍‌ଫୁଲିତ ମୁଁ ହେଉଛି । କାରଣ ପ୍ରଥମ ଥର ପାଇଁ ମୁଁ ଚ଼ାରି ଚ଼ାରି ଜଣ ନାରୀ ପିପାସୁଙ୍କୁ ତାଙ୍କ ଅନ୍ତିମ ସ୍ଥାନରେ ପହଞ୍ଚେଇବା ପାଇଁ ଯାଉଛି । ମୁଁ କିଭଳି ଅତି ସହଜ ଭାବରେ ମୋର କାର୍ଯ୍ୟକୁ ତୁଲେଇ ପାରିବି ସେଥିପାଇଁ ମୋ' ଦେହରେ ପାଚିଲା କଦଳୀ ଓ ଲହୁଣୀ ଘଷାଯାଏ । କିଛି କିଛି ଜାଗାରେ ସାବୁନ୍‌କୁ ବି ମୋ' ଦେହରେ ବ୍ୟବହାର କରାଯାଏ । ମୁଁ ଦୋଷୀଙ୍କୁ ଶାସ୍ତି ଦେବି ; ହଁ , ହଁ ମୁଁ ଶାସ୍ତି ଦେବି । ମୁଁ ସେଇ ଦୋଷୀଙ୍କୁ ଶାସ୍ତି ଦେବି ଯିଏ ହେଲେ ନିର୍ଭୟାର ଦୋଷୀ । ଅକ୍ଷୟ , ମୁକେଶ , ବିନୟ , ପବନ ଓ ଅନ୍ୟ ଦୁଇଜଣଙ୍କ ସହ ମିଶି ନିର୍ଭୟା ସହ ଘଟାଇଥିଲେ ଅତି ଅମାନବୀୟ ଘଟଣା । କ'ଣ ଭୁଲ୍ ଥିଲା ନିରିହା ନିର୍ଭୟାର ? ପୁରୁଷ ବନ୍ଧୁଙ୍କ ସହ ସିନେମା ଦେଖି କ'ଣ ରାତିରେ ଫେରିବା ଥିଲା ତା'ର ଅପରାଧ କି ନା ରାତ୍ରି କାଳରେ ଗୋଟେ ନାରୀକୁ ସୁରକ୍ଷା ଦେଇ ପାରୁ ନ ଥିବା ଦେଶରେ ଜନ୍ମ ହେବା ଥିଲା ତା'ର ଭୁଲ୍ ? ଭାଗ୍ଯର ବିଡମ୍ବନା ; ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ହେଉଛି , ଏତେ ପରେ ବି ସୁରକ୍ଷିତ ନୁହନ୍ତି ନାରୀ । ଗୋଟେ ନାରୀ ରାତି ଅଧରେ ରାସ୍ତାକୁ ବାହାରି ଆସୁ ଦେଖିବେ ଏ ରୁଗ୍ଣ ମାନସିକତା ଧାରୀ ଏ ଦେଶର ମଣିଷ ରୂପୀ ଡ଼ାହଳ କୁକୁର ମାନେ , ଏ ମଣିଷ ରୂପୀ ଲମ୍ପଟ ମାନେ କେମିତି ଝାମ୍ପି ପଡୁଛନ୍ତି ତା' ଉପେରେ । ମଦ ପିଇ ମାତାଲ ହେବା ପରେ ଏ କାମୁକ ଓ ଲମ୍ପଟ ପୁରୁଷ ମାନେ ହୋଇଯାଆନ୍ତି କାମନାରେ ଅନ୍ଧ । ଆଉ ଠିକ୍ ସେହି ସମୟରେ ଏ ଲମ୍ପଟ ମାନଙ୍କର ନଜର ପଡ଼େ ରାସ୍ତାରେ ଯାଉଥିବା ନାରୀଟି ଉପରେ । କାମନାରେ ଅନ୍ଧ ହୋଇଥିବା ଏ କାମୁକ ପୁରୁଷ ମାନେ ଭୁଲିଯାଆନ୍ତି ଯେ ନାରୀ ଟିଏ ଏ ସୃଷ୍ଟି ପାଇଁ କେତେ ଯେ ଆବଶ୍ୟକ । ତା'ର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ଆଘାତ ପରେ ଆଘାତ ଦେଇ ଚାଲନ୍ତି । ସେଦିନ ବି ଠିକ୍ ଏହିଭଳି ଅମାନବୀୟ କର୍ମ କରିଥିଲେ ନିର୍ଭୟା ସହ ।  





    ମୁଁ ବି ଖୁବ୍ ନିଷ୍ଠୁର ଓ ନିର୍ଦ୍ଦୟ ବି । କଡ଼ା ଗଣ୍ଡା କରି ନିର୍ଭୟାର ଦୋଷୀଙ୍କ ଠାରୁ ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ଯେଉଁଭଳି ଭାବେ ସେମାନେ ନିର୍ଭୟାକୁ କଲବଲ କରି ଶ୍ବାସରୁଦ୍ଧ କରି ମାରିଥିଲେ , ମୋର ବି ବ୍ୟାକୁଳତା ବଢ଼ି ଚ଼ାଲୁଛି ସେମାନଙ୍କୁ ଠିକ୍ ସେହିଭଳି ଶ୍ବାସରୁଦ୍ଧ ଓ କଲବଲ କରି ମାରିବା ପାଇଁ । ମୁଁ ମୌକା ଖୋଜୁଛି ; ହଁ ହଁ ମୁଁ ମଉକା ଖୋଜୁଛି , ସେମାନଙ୍କ ଗଳାକୁ ଜୋର୍‌ରେ ଚ଼ାପିଧରି ସେମାନଙ୍କୁ ତାଙ୍କ କର୍ମର ଉଚିତ ଦଣ୍ଡ ଦେବା ପାଇଁ । କାରଣ ମୋର ଜନ୍ମ ତ କେବଳ ଏଇ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ । ହେଲେ ଲାଗୁଛି ଆଉ କିଛିଦିନ ମୋତେ ମୋ' ଜାଗାରେ ସ୍ଥିର ରହିବାକୁ ପଡ଼ିବ । ଏ ଦେଶର ଦେବାଳିଆ ନ୍ୟାୟିକ ପ୍ରକ୍ରିୟା ହୁଏତ ସେମାନଙ୍କୁ ମୋ' କବଳରୁ ଆଉ କିଛିଦିନ ଦୂରେଇ ରଖିପାରେ ; ରଖିପାରେ ନୁହେଁ ରଖିଛି । ନହେଲେ କ'ଣ ତିନି - ତିନି ଥର ମୋର ବ୍ୟାକୁଳତାକୁ ବ୍ୟାକୁଳତାରେ ରହିବାକୁ ଦିଆ ଯାଇଥାଆନ୍ତା ! କିନ୍ତୁ ଆଉ କେତେଦିନ ? ଆଉ କେତେଦିନ ସେମାନଙ୍କୁ ମୋ' ପାଖରୁ ଦୂରେଇ ରଖାଯିବ ? ମାସେ , ଦି'ମାସ କିମ୍ବା ଅତି ଜୋର୍‌ରେ ତିନିମାସ ; ତାପରେ କ'ଣ ହେବ ସେମାନଙ୍କ ସ୍ଥିତି ? ଏ ଦେବାଳିଆ ଆଇନ୍‌ ଚ଼ାହିଁଲେ ବି ସେମାନଙ୍କୁ ରକ୍ଷା କରି ପାରିବନି ମୋ' କବଳରୁ ।  



    ରେ ଦେବାଳିଆ ଆଇନି ! ମୁଁ ଦେଇଥିବା ସମୟ ଭିତରେ ଯଦି ମୋତେ ମୋ' କାର୍ଯ୍ୟ କରିବାକୁ ସୁଯୋଗ ଦିଆଗଲା ତ ଭଲ  ; ମୋ' ସମୟ ପରେ ତୁ ବି ଏ ପାପୀ ମାନଙ୍କୁ ଅଟକେଇ ପାରିବୁନି । କାରଣ ଏ ଘଟଣାକୁ ନେଇ ତୁ ବହୁତ ମୋ' ସହିତ ଖେଳି ସାରିଲୁଣି । କିନ୍ତୁ ଆଉ ନୁହେଁ , ମନେରଖ ଏ ଘଟଣା ଏବେ ଆଉ ତୋ' ପାଖରେ ସୀମିତ ହୋଇ ନାହିଁ । ଏହା ଏକ ଜନ ଜାଗରଣର ପ୍ରକ୍ରିୟା ହୋଇ ସାରିଛି । ମନେରଖ ମୁଁ ମୁକ୍ତି ପାଇବା ନିଶ୍ଚିତ । ଆଉ ସେମାନେ ମୋ' ଠାରୁ ବି ଦଣ୍ଡ ପାଇବା ସୁନିଶ୍ଚିତ । ରେ ଦେବାଳିଆ ଆଇନି ! ତୋର ଯେତେ ଗଳାବାଟ ରହିବା କଥା ରହୁ , କିନ୍ତୁ ଆଉ ପାରିବୁନି । ତୁ ଏବେ ଅପେକ୍ଷା କର ; ଖୁବ୍ ଶିଘ୍ର ମୁଁ ରଚିବାକୁ ଯାଉଛି ଏକ ନୂଆ ଇତିହାସ , ଆଉ ପୂରା ହେବାକୁ ଯାଉଛି ମୋର ବ୍ୟାକୁଳତା ।


     ତିହିଡି - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।