ସମ୍ପାଦକୀୟ:୨୦୨୩
କୋଟି ନମନ ଜନନୀ ଚରଣେ
ପ୍ରିୟ ଦିବ୍ୟ ଆତ୍ମନ୍ !
ସାଦର ପ୍ରଣାମ । ଆଜି ଉଦୟ ଭାନୁ ସାହିତ୍ୟ ଓ ସାମାଜିକ ସଙ୍ଗଠନ ଉଦୟ ଭାନୁ ଇ-ପତ୍ରିକା "ମାତୃକୃପା ବିଶେଷାଙ୍କ" ପ୍ରକାଶ ପାଉଛି । ଏହି ବିଶେଷାଙ୍କ ମାର୍ଚ୍ଚର ଶେଷ ଭାଗରେ ପ୍ରକାଶ ହେବାପାଇଁ ସ୍ଥିରୀକୃତ ହୋଇଥିଲେ ବି ଅନେକ ବାଧାବିଘ୍ନ ମଧ୍ୟରେ ଏହାର କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିଲା । ସତରେ ଇଛାମୟୀ ମାଆର ଇଛାରେ ସବୁ କିଛି ସମ୍ଭବ ହୋଇଥାଏ । ସାଧାରଣ ମଣିଷକୁ ସ୍ବପ୍ନ ଦେଖିବା ମନା ନାହିଁ । ଇଛା କରିବା ମନା ନାହିଁ । ଦୁଃଖ ଶୋକ ଓ କ୍ଳେଶ ଜର୍ଜରିତ ମଣିଷର ଇଛା ସୀମାହୀନ । ଏହି ଇଛା ରୂପକ ସୀମାହୀନ ଦରିଆରେ ମଣିଷ ଡୁବ ଦିଏ ସିନା, ହେଲେ ଥଳ କୂଳ ପାଏନା । ଶେଷରେ ହା ହତାଶରେ ହାତ ଟେକି ମନ ଗହନରେ ଗୁଞ୍ଜରିତ ହୁଏ "ଗତିସ୍ତ୍ୱଂ ଗତିସ୍ତ୍ୱଂ ତ୍ୱମେକ ଭବାନୀ" । ମାଆ ମରିଗଲି ବୋଲି ଲୁହ ଲହୁରେ ଆଉଟୁ ପାଉଟୁ ହୋଇ ମାଆର ପଣତ ଦରାଣ୍ଡି ପକାଏ । ମାଆ କେବେ ସୁକ୍ଷ୍ମ, ମାଆ କେବେ ସ୍ଥୁଳ । ମାଆ କେବେ ପାଗଳିନୀର ପ୍ରଳାପ, ମାଆ କେବେ ପ୍ରେୟସୀର ଆଳାପ । ଜନନୀ, ଭଗିନୀ,ଜାୟା ଓ କନ୍ୟା ରୂପରେ ଯେତେବେଳେ ମାନବର ଚକ୍ଷୁରେ ମାତୃମୟ ଜଗତ ହୋଇଯାଏ, ସେତେବେଳେ କରୁଣାମୟୀ ସନ୍ତାନ ବତ୍ସଳା ମାଆର ଦିବ୍ୟ କରୁଣା ଝରିପଡେ । ଜୀବନ ପାତ୍ର ପୂର୍ଣ୍ଣ ହୋଇଯାଏ । ଅସଜଡା ଜୀବନ ସଜାଡି ହୋଇଯାଏ । ସାଧାରଣ ମଣିଷରୁ ରୂପାନ୍ତରିତ ହୋଇ ସାଧକ ଭାବରେ କେବେ କେବେ ମାଆର ଦିବ୍ୟ କରୁଣାକୁ ସମାଜର ହିତାର୍ଥେ ସିଂଚନକରେ ।
ଏହି ପ୍ରରିପ୍ରେକ୍ଷୀରେ ଉଦୟ ଭାନୁର ମାତୃକୃପା ବିଶେଷାଙ୍କରେ ପ୍ରକାଶିତ ହୋଇଛି କିଛି ଗଳ୍ପ ଓ କବିତା । ଏହି ଗଳ୍ପ/କବିତାଗୁଡିକ ପାଠ କରିବା ସମୟରେ ଆପଣମାନେ ମାତୃମନସ୍କ ହେବେ ନିଶ୍ଚୟ । ସ୍ନେହ, ମମତା ଓ କରୁଣାରେ ଭର୍ତି ହୋଇଥିବା ଏହି ସାରସ୍ବତ ସୃଷ୍ଟିର କଳ କଳ ଛନ୍ଦରେ, ଆପଣମାନଙ୍କ ଆଖି ହୋଇଯିବ ଛଳ ଛଳ । ଏହି ସୃଷ୍ଟିଗୁଡିକରେ ମାଆର ସ୍ନେହ,ପ୍ରେମ ଓ ଆଶୀର୍ବାଦ ଟିକକ ସାଉଁଟିବା ପାଇଁ ଆପଣଙ୍କ ହୃଦୟ ଦ୍ରବିତ ହେଲେ, ଆମର ଶ୍ରମ ସାର୍ଥକ ହେବ ।
ଶେଷରେ ଆମର ଏହି ବିଳମ୍ବିତ ସଂଖ୍ୟାପାଇଁ ଜଣେ କ୍ଷମାପ୍ରାର୍ଥୀ ଭାବରେ ମୋତେ କ୍ଷମା ଦେବେ ନିଶ୍ଚୟ । କାରଣ ଏହି ବିଳମ୍ବିତ ପ୍ରକାଶନ ପାଇଁ ଅନେକ ଫୋନ୍ ଆସିଛି ଓ ବାର୍ତାଗୁଡିକ ଆସିଛି । ଆଜି ସମାଜରେ ସାହିତି୍ୟକ ହେବା ସହଜ, କିନ୍ତୁ ଜଣେ ସଚ୍ଚୋଟ ସାହିତ୍ୟ ସଙ୍ଗଠକ ହେବା ବହୁତ କଷ୍ଟକର ସତରେ । ଆର୍ଥôକ ଅନାଟନ ମଧ୍ୟରେ ପ୍ରିୟ ମଣିଷଙ୍କୁ ହରାଇବା,କଂପୁ୍ୟଟର ଖରାପ ହେବା ଓ ପ୍ରିୟ ମଣିଷମାନଙ୍କର ଶରୀର ଅସୁସ୍ଥତା ମଧ୍ୟରେ ସାହିତ୍ୟର ଯାତ୍ରା କେତେ କଷ୍ଟସାଧ୍ୟ, ତାହା କେବଳ ଅନୁଭବୀ ହିଁ ଅନୁଭବ କରିପାରେ । ଶେଷରେ କରୁଣାମୟୀ ଦିବ୍ୟ ଜନନୀ ନିକଟରେ ପ୍ରାର୍ଥନା, ଆପଣଙ୍କ ଜୀବନର ଚଲାପଥ କୁସୁମିତ ହେଉ । ମାତୃକୃପା ହି କେବଳମ୍ ।
ଜଗତ୍ ଜନନୀ ଚରଣେ ଶରଣଂ
ଶ୍ରଦ୍ଧାବାନେଷୁ ,
ଜୀବନ କେତେବେଳେ ଯନ୍ତ୍ରଣାର ଜତୁଶାଳେ ସପ୍ତଜିହ୍ବ ତ କେତେବେଳେ ସ୍ବର୍ଗର ନନ୍ଦନବନ । ଯନ୍ତ୍ରଣାରେ ଜର୍ଜରିତ ହୋଇ ମ୍ରିୟମାଣ ହୋଇ ପଡ଼ିଲେ ଜୀବନାଙ୍କ ମାନସାଙ୍କ ଜଟିଳ ହୋଇପଡ଼େ ଅଡୁଆ ସୂତାର ଖିଅ ପରି । ନନ୍ଦନବନରେ ବିହାର ବେଳେ ବି ଏତେଟା ଆତ୍ମବିଭୋର ହୋଇପଡ଼ିବା ଅନୁଚିତ । କାରଣ କିଛି ସମୟ ପାଇଁ ଖୁସି ମନେଇବା ପରେ ପୁନରାୟ ଚକ୍ରାକାର ଗତିରେ ଖେଦ ବି ଆସି ପାଖରେ ପହଞ୍ଚି ଯାଏ । କ୍ଷଣିକ ଖୁସି ପାଣି ଫୋଟକା ପରି ଦୃଶ୍ୟପଟରୁ ଦୂରକୁ ଚାଲିଯାଏ । ଓଡ଼ିଆ ପ୍ରବାଦନୁସାରେ - "ଅତି ଲେମ୍ବୁ ଚିପୁଡ଼ିଲେ ପିତା" । ଅତି ସର୍ବତ୍ର ଇତି । ତେଣୁ ଅତି ବର୍ଜନ ପୂର୍ବକ ସୁଖ-ଦୁଃଖକୁ ସମତୁଲ କରି ଜୀବନର ମେରୁପଥରେ ଅଗ୍ରସର ହେବା ମନୁଷ୍ଯର ଧର୍ମ ହେବା ଉଚିତ ।
"ଗତସ୍ଯ ଶୋଚନା ନାସ୍ତି" - ଗଲା କଥା ବା ଯାହା ଅତୀତ ତାକୁ ମନେ ନ ପକାଇ ଆଗକୁ କିଭଳି ଲକ୍ଷ୍ଯସ୍ଥଳୀରେ ଉପନୀତ ହେବେ ସେ ବିଷୟରେ ଧ୍ଯାନକୈନ୍ଦ୍ରିକ ହେବା ଉଚିତ । ସେଥିଲାଗି ବର୍ତ୍ତମାନର ସ୍ଥିତିକୁ ସୁଦୃଢ଼ କରିବା ଆବଶ୍ୟକ । ଅତଏବ , ଅତୀତ ଓ ଭବିଷ୍ଯତ ଚିନ୍ତନର ପରିତ୍ଯାଗ କରି ବର୍ତ୍ତମାନ ସ୍ଥିତି ଓ ପରିସ୍ଥିତିକୁ ଆଗ ଦୃଷ୍ଟିନିବେଶ କଲେ ଭବିଷ୍ଯତ ନିଶ୍ଚିତ ବାସ ସୁମନର ମହକ ପ୍ରଦାନ କରିବ । ସତ୍ ଚିନ୍ତନ , ଭଗବତ ପ୍ରେମ , କର୍ତ୍ତବ୍ୟପରାୟଣତା ଓ ସମୟାନୁବର୍ତ୍ତିତା ଏ ଚାରୋଟି ହେଉଛି ବୁଦ୍ଧି , ସିଦ୍ଧି , ପ୍ରସିଦ୍ଧି ଓ ଉପଲବ୍ଧି ରୂପକ ବ୍ଯଞ୍ଜନ । ନିଷ୍ଠା ଓ ଅଧ୍ଯବସାୟ ହେଉଛି ବ୍ଯଞ୍ଜନର ଚଳୁ ମନ୍ତ୍ର । ଏହି ଛଅଟି ଯାକ ଏକତ୍ର ହୋଇଗଲେ ଷଡ଼ରିପୁ ମର୍ଦ୍ଦନ କରିବାରେ ବାଧା ନାହିଁ । ତେଣୁ , ଏସବୁ ଦିଗକୁ ଦୃଷ୍ଟି ଦେଇ କାର୍ଯ୍ୟ କରିବା ବାଞ୍ଛନୀୟ ।
କହିବା ବାହୁଲ୍ୟ ଯେ , ଏଯାବତ ଘଟି ଯାଇଥିବା ସମସ୍ତ ଘଟଣାବଳୀର ସ୍ମରଣ ନ କରି ବିଗତ ଦିବସମାନକୁ ଦି' କୋଷ ଦୂରରୁ ଦଣ୍ଡବତ ଜଣାଇ ୨୦୨୩ର ସ୍ବାଗତ ସମ୍ବର୍ଦ୍ଧନା କରି ପ୍ରକୃତି , ପ୍ରତ୍ଯେକ ଜୀବଜଗତ ଆଉ ଏ ମାନବ ସମାଜକୁ ମହା ବିତ୍ପତ୍ତିରୁ ଉଦ୍ଧାର କରିବା ଆଉ ଜୀବେ ଦୟା ଭାବ ପୋଷଣ କରିବା ଏକାନ୍ତ କାମ୍ୟ ହେବା ଉଚିତ । ନବବର୍ଷ ସମସ୍ତଙ୍କୁ ଖୁସି ପ୍ରଦାନ କରୁ , ଏତିକି ଜଗନ୍ନାଥଙ୍କୁ ପ୍ରାର୍ଥନା । ବହୁଦିନର ପ୍ରତୀକ୍ଷିତ ସମୟ ପରେ ଉଦୟ ଭାନୁ ଅନ୍ତର୍ଜାଲ ପତ୍ରିକା ପୁଣି ଦଣ୍ଡାୟମାନ ହୋଇଛି । ଆଗାମୀ ଦିନରେ ନିରବଚ୍ଛିନ୍ନ ସେବା ଯୋଗାଇବାର ପ୍ରତିଶ୍ରୁତିବଦ୍ଧ । ଆପଣମାନଙ୍କ ଦିନ ସୁଖମୟ ହେଉ । ଆପଣଙ୍କ ବିନୀତ.......
ଶ୍ରଦ୍ଧାବାନେଷୁ ,
"ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହେଲେ ବି ମରଇ ।"
ଭାଗବତର ଏ ବାଣୀ ସମସ୍ତଙ୍କର ଅବଗତ ରହିଥିବ ନିଶ୍ଚୟ । ଭଗବାନ ରାମ , ଶ୍ରୀକୃଷ୍ଣ ବି ମର୍ତ୍ତ୍ୟ ମଣ୍ଡଳେ ଦେହ ଧରି ଶରୀର ତ୍ଯାଗ କରିଛନ୍ତି । ପ୍ରତ୍ଯକ୍ଷରେ କଳିଯୁଗେ ଜଗନ୍ନାଥ ବି ନବକଳେବର ହୁଅନ୍ତି । ତେଣୁ କେହି ଅମର ନୁହନ୍ତି । ଆଗ ପଛ ହୋଇ ଜଣକ ପରେ ଜଣେ ଚାଲିଯିବେ । ଶୂନ୍ଯ ହସ୍ତରେ ଆସି ଶୂନ୍ଯ ହସ୍ତରେ ବାହୁଡ଼ିବେ । ତେବେ କ'ଣ ପାଇଁ ଏତେ ଲୋଭ , ମୋହମାୟା ? କାଳ ସହ କେହି କେବେ ଯୁଝି ଜିଣାପଟ ହୋଇନାହାନ୍ତି । ଏଣୁ ଲୋଭ ସମ୍ବରଣ କରି ସମାଜରେ ସୁସ୍ଥ ବାତାବରଣ ସୃଷ୍ଟି କରି ମାନବ ଜୀବନକୁ ସାର୍ଥକ କରିବା ଉଚିତ ।
ଏହିପରି ଜଣେ ମହାନ ଆତ୍ମା ଥିଲେ ଶ୍ରୀଯୁକ୍ତ ନିବାସ ଚନ୍ଦ୍ର ଭୋଇ ସାର୍ । ନିର୍ଲୋଭ , ପରୋପକାରୀ , ସଚ୍ଚୋଟବାଦୀ , ସମାଜସେବୀ , ସାହିତ୍ୟିକ ଓ ନାଟ୍ଯକାର ଭାବରେ ବିଦିତ । ଜଣେ ସୂଚନାଧିକାର କର୍ମୀ ଓ ସୁସଙ୍ଗଠକ ଭାବରେ ପରିଚିତ ବ୍ଯକ୍ତିତ୍ବ ନିବାସ ଚନ୍ଦ୍ର ଭୋଇ ସାର୍ ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)ର ପ୍ରାଣପ୍ରତିଷ୍ଠାତା ; ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଏହି ସଂଖ୍ଯାରେ ପ୍ରକାଶିତ *କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି* ଙ୍କ ଆଲେଖ୍ୟ *ଉଦୟ ଭାନୁର ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇ :-ଏକ ଶୋକାପନ* ଶୀର୍ଷକର ଆଲେଖ୍ୟରୁ ଆପଣମାନେ ତାଙ୍କ ବିଷୟରେ ବିଶଦ ଭାବରେ ଜାଣି ପାରିବେ । ଏଭଳି ଜଣେ ମହାନ ବ୍ଯକ୍ତିତ୍ବଙ୍କୁ ହରାଇ ଉଦୟ ଭାନୁ ପରିବାର ଓ ତାଙ୍କ ସହ ଜଡ଼ିତ ବ୍ଯକ୍ତି ବିଶେଷ ଖେଦରେ ମ୍ରିୟମାଣ । ସମାଜ ହରାଇଛି ଜଣେ ଗୁଣନିଷ୍ଠଙ୍କୁ ।
ଏ ମାସର ସଂଖ୍ଯାଟି ତାଙ୍କ ଉଦ୍ଦେଶ୍ଯରେ ସମର୍ପିତ ; ମରଧାମରୁ ଅମରପୁର ନିବାସୀ ଶ୍ରୀଯୁକ୍ତ ନିବାସ ଚନ୍ଦ୍ର ଭୋଇଙ୍କୁ ସଭକ୍ତି ପ୍ରଣିପାତ । ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ପୟରପଦ୍ମ ଯୁଗଳେ ପରାର୍ଦ୍ଧ ପ୍ରାର୍ଥନ । 

ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)ର ଅନ୍ତର୍ଜାଲ ପତ୍ରିକା କୋଣେ ଅନୁକୋଣେ ପ୍ରଶଂସନୀୟ ହୋଇପାରିଛି କେବଳ ଆପଣ ମାନଙ୍କ ସ୍ନେହ , ଶ୍ରଦ୍ଧା , ଭଲପାଇବା ଓ ସହଯୋଗ ପାଇଁ । ଉଦୟ ଭାନୁ ସଦାସର୍ବଦା ନିଜର ବିଶେଷତ୍ୱ ବଜାୟ ରଖି ଆସିଛି । କେବଳ ସାହିତ୍ଯ ନୁହେଁ , ସମାଜସେବା କ୍ଷେତ୍ରରେ ବି ଅଗ୍ରଣୀ ଭୂମିକା ଆପଣେଇଛି । ସମାଜର କଳୁଷିତତାକୁ ନିବାରଣାର୍ଥେ ଆପ୍ରାଣ ଶାରୀରିକ ଓ ଲୈଖିକ ଭାବରେ ସମାଜରେ ସନ୍ତୁଳନ ରକ୍ଷା କରିବାର ପ୍ରଚେଷ୍ଟା ଆମକୁ ସର୍ବତ୍ର ପ୍ରଚାର ପ୍ରସାର ସହ ପ୍ରଶଂସନୀୟ କରିପାରିଛି । ଉପଯୁକ୍ତ ଆଲେଖ୍ୟ ସାଉଁଟି ଲୋକଲୋଚନରେ ଆବଣ୍ଟନ କରିବାରେ ଉଦୟ ଭାନୁ ଅନ୍ତର୍ଜାଲ ପତ୍ରିକା ବେଶ୍ ପାଠକ ପ୍ରାଣସ୍ପର୍ଶୀ ହୋଇପାରିଛି । ଏ ସଂଖ୍ଯାରେ ବି ଆପଣ କାଳଜୟୀ ରଚନା ସମୂହ ପାଇ ପାଠକାଦୃତି ଦେବେ ବୋଲି ଆଶା କରୁଅଛୁ । ଏ ବର୍ଷ ପ୍ରତ୍ଯେକ ମାସରେ ଅନ୍ତର୍ଜାଲ ପତ୍ରିକା ପ୍ରକାଶ ପାଇବା ପରେ ଶ୍ରେଷ୍ଠ ଲେଖକ ଜଣେ ମନୋନୀତ ହୋଇ ଉଦୟ ଭାନୁର ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କ ସ୍ମୃତି ଉଦ୍ଦେଶ୍ଯରେ "ଶ୍ରୀନିବାସ ସ୍ମୃତି ସମ୍ମାନ" ପ୍ରାପ୍ତ କରିବେ । ଆପଣ ମାନଙ୍କ ସ୍ନେହ - ଶ୍ରଦ୍ଧା - ଭଲପାଇବା ଆମ ପରିବାର ପ୍ରତି ଏଇଭଳି ଅତୁଟ ରହୁ ଏବଂ ଆମକୁ ସହଯୋଗର ହାତ ବଢ଼େଇ ସାହିତ୍ଯ ତଥା ସମାଜ କଲ୍ଯାଣ ନିମନ୍ତେ ଅଗ୍ରଗାମୀ କରାନ୍ତୁ , ଏଇ ଅନୁରୋଧ । ଆପଣଙ୍କ ସହଯୋଗ ପ୍ରାର୍ଥୀ............ ଉଦୟ ଭାନୁ ପରିବାର
ସମର୍ପଣ
ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇ ଜଣେ ସୂଚନାଧିକାର କର୍ମୀ , ଦକ୍ଷ ସମାଜସେବୀ , କବି , ନାଟ୍ଯକାର ଓ ଲେଖକ ସହିତ ଉଦୟ ଭାନୁର ପ୍ରତିଷ୍ଠାତା । ୨୦୨୨ ଜାନୁୟାରୀ ୨୭ ତାରିଖରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଇହଧାମ ତ୍ଯାଗ କଲେ , ଯାହା ଆମ ପରିବାର ତଥା ଏ ସମାଜ ପାଇଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବା ସହ ଏକ ଅପୂରଣୀୟ କ୍ଷତି ପାଇଁ ମର୍ମାହତ କରିଦେଲା । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜିର ଏ ସଂଖ୍ଯା (ଉଦୟ ଭାନୁ ଅନ୍ତର୍ଜାଲ ପତ୍ରିକା) ତାଙ୍କୁ ସମର୍ପିତ କରି ଅଶ୍ରୁ ବିଗଳିତ ନୟନ ଯୁଗଳେ ନିରବ ପ୍ରାର୍ଥନା କରୁଅଛୁ । ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କୁ ସଦାସର୍ବଦା ଚିରସ୍ମରଣୀୟ କରି ରଖିବେ ।
"ୟଦା ୟଦା ହି ଧର୍ମସ୍ଯ ଗ୍ଲାନିର୍ଭବତି ଭାରତଃ
ଅଭ୍ଯୁଥାନ ମଧର୍ମସ୍ଯ ତଦାତ୍ମାନଂ ସୃଜାମ୍ଯହମ୍
ପରିତ୍ରାଣାୟସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ ।।"
ଗୀତାରେ ଭଗବାନ କହିଛନ୍ତି - "ଯେତେବେଳେ ଧର୍ମର ହାନି ଘଟେ ଆଉ ଅଧର୍ମ - ଅତ୍ଯାଚାର ବୃଦ୍ଧି ପାଏ , ସେତେବେଳେ ମୁଁ ଜନ୍ମନିଏ ଆଉ ଅଧର୍ମୀ- ଅତ୍ଯାଚାରୀ ମାନଙ୍କୁ ବିନାଶ କରି ସାଧୁସନ୍ଥ ମାନଙ୍କର ସଂସ୍ଥାପନ କରେ ଏବଂ ଜଗତରେ ଧର୍ମ ସ୍ଥାପନ କରେ ।" ବୋଧହୁଏ ସେ ସମୟ ଉପଗତ ହେବାରେ ଲାଗିଛି । ବିଭିନ୍ନ ବିତ୍ପାତ ଆଉ ଭୟାନକ ମହାମାରୀ କବଳରେ ସାରା ଜଗତ କବଳିତ । ଚାରିଆଡ଼େ ଅନ୍ଯାୟ ଅନୀତି ବୃକ୍ଷର ଚେର ମାଡ଼ି ଚାଲିଛି । ବେଳହୁଁ ସାବଧାନ ନହେଲେ ମାଳିକା ବର୍ଣ୍ଣିତ ଆଲେଖ୍ୟ ସତ୍ଯ ହେବାଟି ସାର । ତେଣୁ ସତର୍କ ଓ ମମତ୍ୱ ପୂର୍ଣ୍ଣ ମନର ଆବଶ୍ଯକତା ରହିଛି । ଏଇ ବାଣୀ ସହିତ ଏ ବର୍ଷର ଅନ୍ତର୍ଜାଲ ପତ୍ରିକାର ଶୁଭାରମ୍ଭ ।
ଦୀର୍ଘ ଦିନ ଧରି ଆପଣ ମାନଙ୍କ ଠାରୁ ଦୃରେଇ ରହିଥିବା "ଉଦୟ ଭାନୁ" ଅନ୍ତର୍ଜାଲ ପତ୍ରିକା ଏବେ ଠାରୁ ନୂତନ ଶରୀରରେ ନୂତନ ଭାବନା ଆଉ ନୂଆ ଦିଗ୍ଦର୍ଶନ ସହିତ ଆପଣ ମାନଙ୍କ ପାଖରେ ଉପଲବ୍ଧ ହେବାକୁ ଯାଉଛି । ଘାତ ପ୍ରତିଘାତେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇପଡ଼ିଥିବା ପତ୍ରିକା ଏବେ ଠାରୁ ନିରନ୍ତର ପାଠକାଭିମୁଖୀ ହେବାର ସୁଙ୍କଳ୍ପବଦ୍ଧ । ୨୦୨୨ ସମସ୍ତଙ୍କ ମନରେ ଭରିଦେଉ ଖୁସିର ସମ୍ଭାର , ନିଳାଦ୍ରୀ ନରେଶ ପୟରପଦ୍ମରେ ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ 

ସାହିତ୍ଯ ସରଣୀ ସମୃଦ୍ଧିର ପଥେ....
----------------
ସାହିତ୍ୟ ସାଧନାରେ ମଗ୍ନ ସମସ୍ତ ସାରସ୍ବତ ସାଧକ/ସାଧିକା ମାନଙ୍କୁ ଶୁଭେଚ୍ଛା। ବିଗତ ଦିନରେ ଅନେକ ଘାତ ପ୍ରତିଘାତ ସହି ଆପଣମାନେ ନିଜର କୃତି ଉପସ୍ଥାପନା କରିବାରେ ସଦା ତତ୍ପର ରହିଛନ୍ତି। ଆପଣମାନଙ୍କ ଲେଖନୀ ସର୍ବଦା ଏହିପରି ଶାଣିତ ହୋଇ ଅନେକ ନୂଆ ନୂଆ ସୃଷ୍ଟି ସମ୍ଭାର ଭେଟି ଦେଉଥାଉ , ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା। କରୋନା କଟକଣା ସହ ଅନେକ ସାମାଜିକ ବାଧା ବିଘ୍ନ,ତଥା ବିଭିନ୍ନ ସମାଜ ସେବା ମୂଳକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବା ଯୋଗୁଁ ଉଦୟଭାନୁର ଇ- ପତ୍ରିକା ପ୍ରକାଶନରେ ବିଳମ୍ବ ଘଟିଥିଲା। ସେଥିପାଇଁ ଆମେ କ୍ଷମାପ୍ରାର୍ଥନା କରୁଛୁ।
ଉଦୟଭାନୁ ଇ - ପତ୍ରିକାର ଏଥର ସଂଖ୍ୟାରେ ଅନେକ ସ୍ରଷ୍ଟାଙ୍କ ଉଲ୍ଳେଖନୀୟ କୃତିତ୍ବ ଗୁଡିକ ଗଳ୍ପ , କବିତା,ପ୍ରବନ୍ଧ ଆକାରରେ ସ୍ଥାନିତ କରାଯାଇଛି।
ପତ୍ରିକା କହିଲେ ବିଭିନ୍ନ ପାଠ୍ଯକ୍ରମକୁ ବହି ପରି କରି (ଗୋଟିଏ ବହିରେ ସ୍ଥାନିତ କରି) ପାଠକ ପାଖରେ ପହଞ୍ଚିବାକୁ ବୁଝାଏ । ପୁରାତନ କାଳରେ ତାଳପତ୍ର ପୋଥି ଥିଲା ଏହାର ମାଧ୍ଯମ । ଏବେ ବିଜ୍ଞାନର ଅଗ୍ରଗତି ବଳରେ ତାହା କାଗଜକୁ ପରିବର୍ତ୍ତନ ହୋଇଛି । ସେତେବେଳର ଛପା ଯନ୍ତ୍ର ଏବଂ ଆଜିର ଛପା ମେସିନ୍ ଭିତରେ ଆକାଶ ପାତାଳ ତଫାତ । ସେତେବେଳେ ବହି ଖଣ୍ଡେ ଛପାଇବାକୁ ଯେତିକି କଷ୍ଟ ହେଉଥିଲା , ଏବେ କିନ୍ତୁ ସେଥିରେ ସୁଧାର ଆସିଛି । ଆଗ ପରି ଏତେ ପରିଶ୍ରମ ବା କଷ୍ଟ ଅନୁଭବ ହେଉନାହିଁ । ଏତେଟା ସମୟ ବି ବ୍ଯର୍ଥ ହେଉନି ; ଆଗ ଅପେକ୍ଷା ଏବେ ଖୁବ୍ କମ୍ ସମୟରେ ବହି ଛପା ସରି ଯାଉଛି ।
କଥାଟି ହେଉଛି ଯେ , ସମସ୍ତଙ୍କ ପାଖେ ବହି ବା ପତ୍ରିକା ଛାପିବା ଅସମ୍ଭବ । ଛପା ହେଲେ ବି ସମସ୍ତଙ୍କ ପାଖରେ ପହଞ୍ଚିବା ସମ୍ଭବପର ହୋଇ ପାରୁନାହିଁ । ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଅନ୍ତର୍ଜାଲ ପତ୍ରିକାର ସୃଷ୍ଟି । ଏହି ପତ୍ରିକା ଅନ୍ତର୍ଜାଲରେ ବିଭିନ୍ନ ସାଇଟ୍ରେ ଉପଲବ୍ଧ ; ବିଶେଷତଃ ଗୁଗୁଲ୍ ଏହାର ପ୍ରଧାନ ମାଧ୍ଯମ । ପତ୍ରିକା ହେଉଛି ଜ୍ଞାନର କୋଷ । ସେ କାଗଜ ବନ୍ଧେଇ ବହି ହେଉ ବା ଅନ୍ତର୍ଜାଲ ପତ୍ରିକା ; ଏହା ଦ୍ୱାରା ଅନେକ କିଛି ଜାଣିହୁଏ । ଇଚ୍ଛା ଥିଲେ ଯେକୌଣସି ଉପାୟରେ ଜ୍ଞାନ ଆହରଣ କରି ହେବ । ଜ୍ଞାନ ଆହରଣର ବାଟ ପିଢ଼ି ପରେ ପିଢ଼ି ବଦଳି ଚ଼ାଲିଛି । ସେତେବେଳେ କେବଳ ଗଳ୍ପ - ଉପନ୍ୟାସ - କବିତା - ରୋଷେଇ ଆଦି ଭିତରେ ବହି ବା ପତ୍ରିକାଟି ସୀମିତ ଥିଲା । ଏବେ କିନ୍ତୁ ଅନ୍ତର୍ଜାଲର ସୁବିଧା ହେତୁ ତାହା ବିଭିନ୍ନ ବିଷୟ ଭିତ୍ତିକ ପତରିକାରେ ପରିଣତ ହୋଇ ଅନ୍ତର୍ଜାଲ ମାଧ୍ୟମରେ କୋଣେ ଅନୁକୋଣେ ପହଞ୍ଚି ପାରୁଛି । ଅର୍ଥ ବ୍ଯୟ କରି ବହି କିଣି ପଢ଼ିବା ଅପେକ୍ଷା ଅନ୍ତର୍ଜାଲରେ ମାଗଣାରେ ସହଜ ଉପାୟରେ ସମସ୍ତ ଜ୍ଞାନ ଆହରଣ କରି ହେଉଛି । ସେଥିପାଇଁ ଏହି ଅନ୍ତର୍ଜାଲ ପତ୍ରିକାଟି ସମସ୍ତଙ୍କର ଆଦରଣୀୟ ହୋଇ ସବୁରି ଉପକାରରେ ଆସି ପାରୁଛି । ଏବେ ଘରେ ଘରେ ମୋବାଇଲ , କମ୍ପ୍ଯୁଟର ସହିତ ଅନ୍ତର୍ଜାଲର ସୁବିଧା ହେତୁ କାହାରିକୁ ଆଉ ହଇରାଣ ହେବାକୁ ପଡୁନାହିଁ । ସମ୍ବାଦ , ସାହିତ୍ଯ , ବିଜ୍ଞାନ , କଳା , ବାଣିଜ୍ୟ ଓ ରୋଷେଇ ଭଳି ବିଭିନ୍ନ ଉପାଦାନ ଭିତ୍ତିକ ତଥ୍ୟ ଅନ୍ତର୍ଜାଲ ପତ୍ରିକାରେ ସ୍ଥାନିତ ହୋଇ ସମାଜ କଲ୍ଯାଣ ସାଧନରେ ବ୍ରତୀ ହୋଇ ପାରିଛନ୍ତି । ଆଶା ଠାରୁ ଅଧିକ ସଫଳତା ହାସଲ କରି ପାରିଛି ଏ ମାନବ ସମାଜ କେବଳ ଏଇ ଅନ୍ତର୍ଜାଲ ପତ୍ରିକା ପାଇଁ ।
ଏହି ଅନ୍ତର୍ଜାଲ ପତ୍ରିକା କିଏ ଓ କେବେ ଆରମ୍ଭ କଲା , ତା'ର ସଠିକ ପ୍ରମାଣ ମିଳି ପାରିନି । ଆଜିକାଲି ବଜାରରୁ ବହି କିମ୍ବା ପତ୍ରିକା କିଣି ପଢ଼ିବାକୁ ସମୟ ନାହିଁ କାହାକୁ । ସବୁକିଛିର ପରିବର୍ତ୍ତନ ହୋଇ ସାରିଛି ଏବଂ ହୋଇ ଚ଼ାଲିଛି ବି । ସମସ୍ତେ ଆଧୁନିକ ଜ୍ଞାନ କୌଶଳର ବଶବର୍ତ୍ତୀ । ଯାହାକୁ ଦେଖ , ସମସ୍ତଙ୍କ ପାଖରେ କମ୍ପ୍ଯୁଟର , ଲ୍ଯପ୍ଟପ୍ କିମ୍ବା ମୋବାଇଲ୍ ଫୋନ । ଘଣ୍ଟା ଘଣ୍ଟା ଧରି ଅନ୍ତର୍ଜାଲରେ ଛନ୍ଦି ହୋଇ ରହିବେ , କିନ୍ତୁ ବହି କିଣି ପଢ଼ିବାକୁ ବେଳ ନାହିଁ । ଆଜିକାଲି ସବୁ ପ୍ରକାର ସୁବିଧା ସୁଯୋଗ ଅନ୍ତର୍ଜାଲରେ ଉପଲବ୍ଧ ଯେକୌଣସି ବିଷୟ ପଢ଼ିବାକୁ କି ଜାଣିବାକୁ ଇଚ୍ଛା କଲେ ଅନ୍ତର୍ଜାଲର ଅନ୍ତର ଫାଡ଼ି ଅନ୍ତନାଡ଼ି ଡେଇ ସବୁକିଛି ପ୍ରାପ୍ତ ହୋଇପାରୁଛି । ତେଣୁ ଅନ୍ତର୍ଜାଲ ପୁସ୍ତକ ବା ଇ ମାଗାଜିନ ପଢ଼ିବାକୁ ପ୍ରତ୍ଯେକ ବ୍ଯକ୍ତିଙ୍କର ପସନ୍ଦ ।
ଯାହା ତଥ୍ଯ ହସ୍ତଗତ ହୋଇଛି , ସେହି ତଥ୍ଯାନୁସାରେ ପ୍ରଥମ ଅନ୍ତର୍ଜାଲ ପତ୍ରିକା ୧୯୯୪ରେ ଆରମ୍ଭ ହୋଇଥିଲା ବ୍ଲଗ୍ ଜରିଆରେ । ମାଗଣା ୱେବ୍ ପେଜ୍ 'ବ୍ଲଗ୍'ରେ ପ୍ରଥମେ ଦେଖିବାକୁ ମିଳୁଥିଲା Hilary Rowlandଙ୍କର ଆଲେଖ୍ୟ । ଶରୀରତତ୍ତ୍ୱର ଛବି ସହିତ ବିଭିନ୍ନ ପ୍ରକାର ଚିତ୍ର ଓ କିଛି ଜାଣିବା ଲେଖା ଏଥିରେ ସ୍ଥାନିତ ହୋଇଥିଲା । "ୟାହୁ" ଦ୍ବାରା ଏହା ପରିଚ଼ାଳିତ ଥିଲା ଏବଂ ତାହା ବନ୍ଦ ହୋଇଗଲା ।
ପୁନରାୟ ୧୯୯୫ରେ ନିଜ ନାମରେ Hilary Rowland ପ୍ରକାଶ କରିଲେ ଏବଂ ଧାରାବାହିକ ଭାବରେ ପ୍ରକାଶିତ ହେଲା । ମୁଦ୍ରିତ ପୁସ୍ତକ ପରି ସେହି ଇ ପତ୍ରିକାଟି ଦେଖିବାକୁ ମିଳିଲା । ତେବେ କହି ରଖିବାକୁ ହେବ ଯେ Hilary ପ୍ରଥମ ବ୍ଯକ୍ତି ଇ ପତ୍ରିକା ପ୍ରକାଶନର ; ଯେହେତୁ ତା'ରପୂର୍ବରୁ ଆଉ କିଛି ତଥ୍ଯ ମିଳି ପାରିନି । କିନ୍ତୁ ୧୯୯୫ରେ କାନାଡାରେ ୧୬ ବର୍ଷର ଝିଅ ବି ଏପରି ଇ ପତ୍ରିକା ପ୍ରକାଶ କରିଥିବାର ଜଣାଯାଏ । ଏହାପରେ ଧିରେ ଧିରେ ଏହା ବିଭିନ୍ନ ଭାଷାକୁ ଆସିଛି । ଏବେ ଓଡ଼ିଆ ଅନ୍ତର୍ଜାଲ ପତ୍ରିକା ଅନେକ ପ୍ରକାଶ ହେଉଛି ।
ଓଡ଼ିଶାର ପ୍ରଥମ ଓଡ଼ିଆ ଇ ପତ୍ରିକା ହେଉଛି "ଆହ୍ୱାନ" । ଅଦ୍ଯାବଧି ବି ବିରାଜମାନ ସେ । ସେ ଯାହା ବି ହେଉ , ବହି କିଣି ପଢ଼ିବା ଅର୍ଥ ଓ ସମୟର ଅଭାବ ବୋଲି ଇ ପତ୍ରିକାର ଚାହିଦା ଏବେ ବଢ଼ି ଯାଇଛି । ଏହି ଅନ୍ତର୍ଜାଲ ପତ୍ରିକା ଲୋକ ମାନଙ୍କୁ ଆକୃଷ୍ଟ କରିବା ସହ ପାଠକ ମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଚାଲିଛି ; ବହୁ ଅଭାବ ପୂରଣ କରିପାରିଛି । ତେଣୁ ଏହି ଅନ୍ତର୍ଜାଲ ପତ୍ରିକା ସ୍ବାଗତ ଯୋଗ୍ଯ ନିଶ୍ଚିତ ।
ସାଦର ପ୍ରଣାମ ଓ ଶାରଦୀୟ ଶୁଭ କାମନା । ଆପଣ ମାନେ ସପରିବାର ନିରାମୟ ଜୀବନ ଯାପନ କରନ୍ତୁ । ଚଲାପଥ ପୁଷ୍ପିତ ହେଉ । ମାଆ ଜଗତ୍ ଜନନୀ, କଲ୍ୟାଣମୟୀଙ୍କ ନିକଟରେ ଉଦୟ ଭାନୁ ପରିବାର ପ୍ରାର୍ଥନା କରୁଅଛି ।
ମାଆ ଆସିଛନ୍ତି । ପ୍ରକୃତି ନିଜକୁ ସଜାଇ ଦେଇଛି ମାଆର ଆଗମନ ପାଇଁ । କାଶତଣ୍ଡୀ ପବନ ଦୋଳିରେ ଝୁଲି ଝୁଲି, ହୃଦୟରେ ଜଗାଉଛି ନବ ଜାଗରଣ । ଧାନ କ୍ଷେତର ଶ୍ୟାମଳିମା ମିଶି ଯାଉଛି କାହିଁ କେତେ ଦୂର ଯାଏ, ନୀଳ ଆକାଶର ନିଳୀମାରେ । ସବୁ ସ୍ଥାନରେ ଖୁସିର ମାହୋଲ । ହୃଦୟରେ ନବ ଉନ୍ମାଦନା । ସତରେ ମାଆ ଆସିଛନ୍ତି ?
ମାଆ । ଏହି ପଦ କେବେ କେବେ ହୃଦୟକୁ ଭାବ ପ୍ରବଣତାରେ ମାତୃମନସ୍କ କରିଦିଏ । ସଂସାରର ଅଳି ଅଝଟ ସବୁ ସାଉଁଟି ହୋଇ ଯାଏ ମାଆର ପଣତରେ । ବୟସ ଯେତିକି ଅଧିକ ହୁଏ, ମାଆର ସେନେହ ସେତିକି ଅଭାବବୋଧ ହୁଏ । ମନ କିଲ୍ ବିଲ୍ ହୋଇଉଠେ । କାହିଁ ଗଲା ସେ ପୁରୁଣା ଦିନ ? ଥୁରୁ ଥୁରୁ ଶୀତରେ ନାନାବାୟା ଗୀତ ଶୁଣୁ ଶୁଣୁ, ହେଁସ ଘୋରି ହୋଇ ବୋଉର ଛାତିରେ ମୁହଁ ଲୁଚି ଯାଏ । କେତେ ବେଳେ ନିଦ ହୋଇଯାଏ ଜାଣି ହୁଏନା ।
ମାଆ । ବାଦାମବାଡି ବସ୍ ଷ୍ଟାଣ୍ଡରେ ଫୁଲ ଝରି କିମ୍ବା ଦଶ ଟଙ୍କିଆ ବଲ୍ ପେନ ବିକୁଥାଏ । ନତୁବା ଟ୍ରାଫିକର ଷ୍ଟପ୍ ସିଗନାଲ ହେତୁ କେଉଁ ଗାଡି ପାଖରେ ଭିକ ମାଗୁଥାଏ । ଛିଣ୍ଡା ଦରବା(ଚିରାଶାଢୀର ଅଂଶ ବିଶେଷ)ରେ ଗୁରା ହୋଇ ଝୁଲୁଥାଏ ପୁଷ୍ଟି ହୀନତା ଆଉ ରକ୍ତ ହୀନତାରେ ସଢୁଥିବା କେଇ ମାସର ଛୁଆ । ତା ପଛରେ ଧାଉଁଥାନ୍ତି କେତେ ଜଣ ଲଙ୍ଗୁଳୀ ଛୁଆ । ହେଲେ ମାଆ ପାଇଁ ଆଜି ଲକ୍ଷ ଲକ୍ଷ ଟଙ୍କାର ତୋରଣ ସଜ୍ଜା ହୁଏ । ଲକ୍ଷ ଲକ୍ଷ ଟଙ୍କାର ଆତସବାଜି ଆଉ ରାବଣ ପୋଡି ନାମରେ ଧୁଳିସାତ୍ କରାଯାଏ ।ଏହା କଣ ମାତୃମନସ୍କ ସମାଜର ପରିଚୟ ?
ଅଧୁନା ପୁଂଜିବାଦ ସମାଜ ନିଜର ମନୋରଂଜନ ପାଇଁ ସଂସ୍କୃତି ପରମ୍ପରା ନାମରେ ପ୍ରହେଳିକା ସୃଷ୍ଟି କରୁ ନାହିଁ ତ ? ଆମେ କେବେ ଏକ ଦୁଷ୍କର୍ମ ପିଡୀତାର କଥା ଚିନ୍ତା କରିଛୁ? ଶିକ୍ଷାନୁଷ୍ଠାନରୁ ଫେରୁଥିବା ସମୟରେ,ଅଶ୍ଳୀଳ ଇଙ୍ଗିତର ଶିକାର ହୋଇ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଏକ ଝିଅର ମନ କଥା କେବେ ବୁଝିବା ପାଇଁ ଚେଷ୍ଟା କରିଛୁ ? ସେମାନେ ଅଭିଯୋଗ କଲା ପରେ ନ୍ୟାୟ ପାଇଛନ୍ତି କି ନାହିଁ ବୁଝିଛୁ ? ସତରେ ସବୁ କିଛି ଶୂନ ହୋଇ ଯାଇଛି । “ବସୁଧୈବ କୁଟୁମ୍ବକମ୍” ନାମରେ ସମସ୍ତେ ଭଲରେ ରହିବେ, ଖୁସିରେ ରହିବେ । ବସୁଧା ମାଆର କୋଳରେ ଏକ ପରିବାର ଭାବେ ରହିବା ସବୁ କିଛି ଆଜି ସ୍ବପ୍ନ ହୋଇଯାଇଛି । ସାମ୍ୟବାଦ ସମାଜ ଭୁଷୁଡି ଯାଇଛି ।
ସମସ୍ତେ ଭଲରେ ରୁହନ୍ତୁ । ସୁସ୍ଥ ସମାଜ ଗଠନ ହେଉ । ଗରିବ ଆଖିରୁ ଲୁହ ହଜିଯାଉ । ସମାଜ ମାତୃ ମନସ୍କ ହେଉ । ସହନା ବବତୁ । ସହନୌ ଭୁନକ୍ତୁ । ସହବୀର୍ଯ୍ୟଂ କରବା ବହେ । ତେଜସ୍ବୀନା ବଧିତମସ୍ତୁ । ମା ବିଦ୍ୱିଷା ବହେ । ଶେଷରେ ଅନେକ ଅନେକ ଶୁଭ କାମନା ( ଉଦୟ ଭାନୁ ପରିବାର)
ସମ୍ମାନନୀୟ ସାହିତ୍ଯଚ଼ର !
ଆପଣ ମାନଙ୍କ ଆନ୍ତରିକ ଭଲପାଇବା ଉଦୟ ଭାନୁ ପରିବାରର ସୁଦୃଢ ମେଳିଖୁଣ୍ଟି କହିଲେ ଅତ୍ୟୁକ୍ତି ନାହିଁ । ଆପଣ ମାନଙ୍କ ପାଇଁ , ଆପଣ ମାନଙ୍କ ଦ୍ବାରା ଆମର ଏ ଉଦୟ ଭାନୁର ପ୍ରୟାସ ସର୍ବଦା ସାଫଲ୍ୟ ମଣ୍ଡିତ । ଅଳ୍ପରେ କହିବାକୁ ଗଲେ ଏ ଉଦୟ ଭାନୁ ଆପଣ ମାନଙ୍କର । ଆପଣ ମାନଙ୍କ ସ୍ନେହ - ଶ୍ରଦ୍ଧା ପାଇଁ ଏବଂ ବଳିଷ୍ଠ ରଚନା ପାଇଁ ଏ ଉଦୟ ଭାନୁ ଉତ୍ତମତାର ପରିଚୟ ପ୍ରାପ୍ତ କରି ପାରିଛି ।
ଆପଣ ମାନଙ୍କର ବହୁମୂଲ୍ୟ ସମୟ ବ୍ଯୟର ବଳିଷ୍ଠ ରଚନା ପରିପୁଷ୍ଟ କରି ପାରିଛି ଆମ ଇ-ପତ୍ରିକାକୁ । ଏହି ସଂଖ୍ଯାରେ ପ୍ରକାଶିତ ଲେଖା ସମୂହ ନିଶ୍ଚିତ ଭାବରେ ପାଠକ ପ୍ରାଣସ୍ପର୍ଶୀ ହୋଇ ପାରିବ । ଏହି ଆଶା ସଞ୍ଚରିତ ମାନସ ନିଳୟରୁ ସମସ୍ତ ସାରସ୍ବତ ସ୍ରଷ୍ଟା ଓ ପାଠକ ମାନଙ୍କୁ ଭକ୍ତିପୂତ ପ୍ରଣାମ ଓ ଶୁଭେଚ୍ଛା ଜଣାଇ ଏହି ସଂଖ୍ଯାକୁ ଆପଣ ମାନଙ୍କୁ ଉତ୍ସର୍ଗ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛୁ । ଏହି ଉଦିତ ବାଳଭାନୁର ଦର୍ଶନରେ ଆପଣମାନେ ପ୍ରୀତତା ପ୍ରାପ୍ତ କରିବେ ବୋଲି ଆମର ଅନେକ ଆଶା ଓ ବିଶ୍ବାସ ।
ପ୍ରଣାମ ସ୍ବୀକାର କରିବା ହେବେ । ଆପଣ ମାନଙ୍କ ସ୍ନେହ -ଶ୍ରଦ୍ଧା -ଭଲପାଇବାର ବୀଜ ବପନ ପର ଠାରୁ ଆମର ଏ ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)ର ଗଛ ମାଟି କାମୁଡ଼ି ଛିଡ଼ା ହୋଇ ପାରିଛି ଦୃଢ଼ ଭାବରେ । ସବୁ କିଛି ଠିକ୍ଠାକ୍ ଚାଲିଥିଲା, ହଠାତ୍ କାଳର କରାଳ ଯାତନା ସମ ପୁତନା ରାକ୍ଷସୀ ସମତୁଲ ଫନୀ ସବୁ କିଛି ବିଗାଡ଼ି ଦେଲା । ଓଡ଼ିଶାର କୋଣନୁକୋଣ ଭ୍ରମଣ କରି ତା'ର ଦୁଷ୍ଟ ଶକ୍ତିର ପ୍ରୟୋଗ କରି ସବୁକିଛିରେ ପରିବର୍ତ୍ତନର ଟିପ ଚିହ୍ନ ଆଙ୍କିଦେଇ ଚାଲିଗଲା । ଓଡ଼ିଶାର କୌଣସି ସ୍ଥାନ ଏମିତି ନାହିଁ ଯାହା ଉପରେ ଫନୀର ନଜର ପଡ଼ିନି । ବ୍ୟବସ୍ଥା ବଦଳି ଗଲା ଅବ୍ଯବସ୍ଥାରେ । ସୌନ୍ଦର୍ଯ୍ୟମୟ ଓଡ଼ିଶାର କୁରୂପ ଦର୍ଶନରେ ମ୍ରିୟମାଣ ସମସ୍ତ ଜନତା । କିଛି କରିବାର ଯୁ' ନ ଜୁଟାଇ ପାରି ଅକର୍ମଣ୍ୟ ପରି ସ୍ଥାଣୁ ପାଲଟି ଇଶ୍ବର ଶରଣାପନ୍ନ । ଉଦୟ ଭାନୁ ବି ବାଦ୍ ଯିବ କିପରି ?
ବହୁ କଷ୍ଟରେ ପଡ଼ି ଉଠି ଉଡ଼ି ଯାଇଥିବା ଭଙ୍ଗା ଦଦରା ଚାଳଛପରରେ ଲଥା ପକାଇ ପୁଣି ସମାଜ ଓ ସାହିତ୍ୟ ସେବାର ପଥରେ ଅଗ୍ରସର ହେବାକୁ ଯାଉଛି । ବିଳମ୍ବ ହେଲେ ବି ଆମେ ଆପଣ ମାନଙ୍କ ସହିତ ଅଛୁ ବୋଲି ଏ ସଂସ୍କରଣ ଆରମ୍ଭ କରିବାକୁ ଆଗଭର । ଆପଣ ମାନେ ବି ଆମ ସହିତ ଅଛନ୍ତି ଜାଣି ଆମେ ପ୍ରୀତ । ବହୁ ଘାତ ପ୍ରତିଘାତ ଦେଇ ଏ ସଂସ୍କରଣର ଅୟମାରମ୍ଭ ; ବିଳମ୍ବ ପାଇଁ କ୍ଷମା ପ୍ରାର୍ଥୀ ।
ଏହି ସ୍ନେହ -ଶ୍ରଦ୍ଧା -ଭଲପାଇବା ଅତୁଟ ରଖିବାକୁ ବିନମ୍ର ପ୍ରାର୍ଥନା କରୁଛୁ.....
"ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ) ପରିବାର"

ଆସିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ଗଣତାନ୍ତ୍ରିକ ପଦ୍ଧତିରେ ହେବ ଶାସକ ଚୟନ । ଲୋକମାନଙ୍କର,ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବେ ଶାସକ । ଲମ୍ବି ଯାଇଛି ନିର୍ବାଚନର ଇସ୍ତାହାର । ହାତୀ ନେ,ଘୋଡା ନେ, ମୋ ପେଁକାଳୀ ବଜେଇ ଦେ । ଦେଶର ସେବକ ହେବି ମୁଁ । ସୁଖରେ,ଦୁଃଖରେ ଭାଗୀ ହେବି । ସରଗକୁ ନିଶୁଣୀ ତିଆରି କରିଦେବି । ହେଲେ ପାଂଚ ବର୍ଷ ଚାଲି ଯାଏ । ଫମ୍ପା ପ୍ରତିଶ୍ରୁତି ନେଇ, କାକରକୁ ଧରିଲେ କଣ ଘଡା ଭର୍ତି ହୁଏ ? ବରଂ ଜନ ସାଧାରଣମାନଙ୍କୁ ଶୋଷଣ କରି ଭର୍ତି ହୋଇ ଯାଏ ଘର ଦୁଆର ଆଉ ବ୍ୟାଙ୍କ ବାଲାନ୍ସ,କାଲି ସକାଳେ ଭିକାରୀ ପରି ବୁଲୁଥିବା ଦଲାରୀ ଜନ ପ୍ରତିନିଧିମାନଙ୍କର । ପୁଣି ଆସୁଥିବା ନିର୍ବାଚନରେ କେତେ ଭୋଟ କିଣା ଯାଇ ପାରିବ ? ନିର୍ବାଚନର ଘୋଡା ବେପାର ମଇଦାନରେ କେତେ ଟଙ୍କା ବାଜି ଲାଗି ପାରିବ ? ପୁଣି ପିଲା ଛୁଆଙ୍କ ଚିନ୍ତା ଅଛି । କିଛି ନ ହେଲେ ଥରୁଟିଏ ନେତା ହୋଇଗଲେ, ଚଉଦ ପୁରୁଷ ଚିନ୍ତା ନାହିଁ । ତେଣୁ ସବୁଠାରୁ ଶସ୍ତା ବ୍ୟବସାୟ ରାଜନୀତିକୁ ଛାଡିଦେଲେ କଣ ବା ଅଛି ? ବର୍ତମାନ ରାଜନୀତି ଆଜି ଏକ ବ୍ୟବସାୟ ନୁହେଁ, ଏହା ବିଳାସ ବ୍ୟସନର ଫୁଲ ଶେଯ ପାଲଟିଛି । ସୁରା ସାକିର ଅଭାବ ନାହିଁ, ପଇସାର ବି ଅଭାବ ନାହିଁ ।
ସତରେ ଏହା ହେଉଛି, ଆମର ଗଣତନ୍ତ୍ର । ଯେଉଁଠି ନାବାଳିକାର ଇଜ୍ଜତକୁ ନିଲାମ କରାଯାଇ, ମାନବିକତାକୁ ଦଲାରୀ ନେତାମାନଙ୍କ କଫିନ୍ ଭିତରକୁ ଫିଙ୍ଗି ଦିଆ ଯାଏ । ଶେଷରେ ନ୍ୟାୟ ପାଳିକା ବି ଶୋଇଯାଏ । କେତେ ଦିନ ଆମେ ଏମିତି ଚୁପ୍ ରହିବା ? କେତେ ଦିନ ଆମର ମୂଲ୍ୟବାନ୍ ଭୋଟକୁ ଅପାରଗ ଜନ ପ୍ରତିନିଧିମାନଙ୍କୁ ଦେଇ ଚାଲିଥିବା ? ଆସନ୍ତୁ ଏହି ନିର୍ବାଚନର ମହାପର୍ବ ପୂର୍ବରୁ ଶପଥ ନେବା । ରାଷ୍ଟ୍ର ନିର୍ମାଣ ପାଇଁ, ଉପଯୁକ୍ତ ନେତା ବାଛିବା । କୟ ସାହିତ୍ୟ. ଜୟ ସମାଜ ।
ଶହୀଦର ରକ୍ତରେ ସିକ୍ତ ଭାରତ ମାଟି । ଦେଶ ପ୍ରେମ ପାଇଁ କିଏ ଗର୍ବ ଅନୁଭବ କରୁଥିବା ସମୟରେ, କିଏ ହଜାଇଛି ଜୀବନର ଶଙ୍ଖା ସିନ୍ଦୁର ଆଉ ମାଆର ପଣତ ଲମ୍ବି ଆସୁନାହିଁ ପୁଅର ନୁଖୁରା ମୁହଁକୁ ସାଉଁଟି ନେବା ପାଇଁ ଛାତି ଭିତରକୁ । ସତରେ ଜୀବନ ତ ଏମିତି । ଅନ୍ୟ ପାଇଁ ଜୀଇଁବାରେ ସାର୍ଥକତା ଅଛି । ସାର୍ଥକତା ଅଛି ମାଟି ମାଆର ସେବା କରିବା ପାଇଁ । ରାଷ୍ଟ୍ରର ଯଜ୍ଞ ବେଦୀରେ କ୍ଷୁଦ୍ର ସମୀଧଟେ ହୋଇ ଭସ୍ମ ହୋଇ ପଂଚ ଭୂତରେ ବିଲୀନ ହୋଇ ଯିବାରେ ଜୀବନର ସାର୍ଥକତା ଥାଏ ନା? ସେମିତି ମାତୃଭୂମିର ଚରଣରେ ପୂଜା ଫୁଲ ପରି ଝରି ଯିବାରେ ଜୀବନର ସାର୍ଥକତା ଥାଏ । ହେଲେ ସ୍ବାର୍ଥ ସର୍ବସ୍ବ ଦୁନିଆଁରେ କିଏ ବା କାହାର ? କିଏ ନିଜ ପାଇଁ ବଂଚୁଛି ତ କିଏ ସୁଖର ପସରାରେ ସୁଖକୁ ସାଉଁଟିବାରେ ହଜି ଯାଇଛି । ହେଲେ ଏମିତି ଜୀବନ ଜୀଇଁବାରେ କି ଲାଭ ଅଛି । ଆସନ୍ତୁ ନା ଆମେ ଅନ୍ୟ ପାଇଁ ବଂଚିବା । ସମାଜ ପାଇଁ ଜୀଇଁବା । ଜୀବନର ତନ ମନ ଧନ ସମର୍ପଣ କରି, ମାଆ, ମାଟି ଆଉ ମାତୃଭାଷାର ସେବା କରିବା ଆଉ ସୁନ୍ଦର ଭାରତ ଗଢିବା ପାଇଁ ଶପଥ ନେବା, ଏହା ହିଁ ଆମ ଜୀବନର ଧ୍ୟେୟ ହେଉ ।
ନୂଆ ଘର ଖଣ୍ଡି ଦିନେ ପୂରୁଣା ହେବ ।
ମାରିବ ଶୂନ୍ୟ ଲହଡି ଥୟ ନୋହିବ ।
ପ୍ରିୟ ଆତ୍ମନ୍,
ମନୁଷ୍ୟ ମରଣଶୀଳ । ଜୀବନ ଚକ୍ରରେ ପାହାଚ ପରେ ପାହାଚ ଚଢିଲା ପରେ ପୁନଃ ପାହାଚରେ ଓହ୍ଲାଇବା ପାଇଁ ହୋଇଥାଏ । ସତରେ କାହଁ ଗଲା ଜୀବନର ସେ ସୁନ୍ଦର ସମୟ ? ପୁଣି ଫେରି ଆସନ୍ତା ନି ପିଲା ବେଳର ଧୂଳି ଖେଳ ଆଉ ଯୌବନର ଉଦ୍ଦାମତା ? ହେଲେ ସବୁ କିଛି ଶୁନ୍ ଶାନ୍ ଆଉ ଖାଲି ଖାଲି । ଏହା ହିଁ ଜୀବନର ବାସ୍ତବତା । ପଂଚ ଭୂତର ଶରୀର ଆଜି ଚକ୍ ଚକ୍ ଅଛି । କାଲି କି ପୁରୁଣା ହେବ । ପୁରୁଣା ଚାଳ ଘରର ଛାଉଁଣ ପରି, ଅସ୍ଥିମଜ୍ଜା ଆଉ ଗଳିତ ଦନ୍ତ ପଙ୍କ୍ତିରେ ଜୀବନର ଯୁ କଣ ବା ଥାଏ । ଜାତସ୍ୟ ହି ଧ୍ରୁବ ମୃତୁ୍ୟ ପରି ସମସ୍ତେ ଚାଲିଯିବେ, ଯେଝା ବାଟରେ ରେଳ ଗାଡିର ଯାତ୍ରା ପରି । ତେବେ ଜୀବନରେ ଏତେ ଅହମିକା ଆଉ ଲୋଭ କଣ ପାଇଁ । ଆସନ୍ତୁ ନା, ଆମେ ପରସ୍ପରକୁ ଭଲ ପାଇବା, ଛାତିରେ ଛାତିରେ ମିଶାଇ, ହୃଦୟକୁ ଯୋଡି ଦେଇ ଜୀବନ ତମାମ୍ ପ୍ରଚୁର ଭଲ ପାଇବା ସହିତ ବଂଚିବା । ଏକ ନୂଆ ଦୁନିଆଁ ଗଢିବା । ହୃଦୟର କାନଭାସରେ ଖାଲି ପ୍ରେମ ଚିତ୍ର ଆଙ୍କିବା । ଦୁଃଖୀର ଆଖି ଲୁହ, ସିଏ ପିଇବ ପୂର୍ବରୁ ଆମେ ତାର ଲୁହକୁ ଶୋଷି ନେଇଥିବା ଆତ୍ମୀୟତା ଚୌହଦି ମଧ୍ୟରେ । ତେବେ ଡେରି କାହିଁକି ? ଆସନ୍ତୁ, ଆମେ ସମାଜ ପାଇଁ ଜୀଇଁବା, ନୂଆ ସମାଜ ଗଢିବା ।
ଜୟ ସାହିତ୍ୟ, ଜୟ ସମାଜ ।
ଆକାଶରୁ ବର୍ଷା ଝରେ।ସେ ବର୍ଷାକୁ କଣ ସାଇତି ରଖିପାରେ ପାର୍ବତ୍ୟଭୂମି ?ସେ ବର୍ଷାକୁ ଧରି ରଖେ ସମତଳ ଭୂମି।କାରଣ ସେ ସେଥିପାଇଁ ନିଜକୁ ପ୍ରସ୍ତୁତ କରି ଥାଏ।ସେହି ଭଳି ଏକ ନୂତନ ସମ୍ଭାବନା ନେଇ ନିଶବ୍ଦରେ ଝରି ଯାଉଥିବା ସାରସ୍ୱତ ସାଧକମାନଙ୍କ ଅନାଲୋଚିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସହିଁ ଉଦୟ ଭାନୁ। ସାହିତ୍ୟ ପାଇଁ ଏକ ସମର୍ପିତ ପରିବାର।ତେବେ ଆସନ୍ତୁ ନା ହାତରେ ହାତ ମିଳାଇ କାନ୍ଧରେ କାନ୍ଧ ମିଶାଇ ଆମେ ଆଗେଇ ଯିବା ସେଇ ମହତ୍ୱର ଲକ୍ଷ ସାଧନ ଦିଗରେ।

ଥିରି ଥିରି ଶୀତ ଆସିଛି ମିତ ପରି । ମାଟି ମାଆ ସୁନା କ୍ଷେତରେ ହସି ଉଠୁଛି । ହଳଦୀ ଗୁରୁ ଗୁରୁ ପାଟରେ ନୂଆ ଷୋଡଶୀ ପରି ସ୍ବାଗତ କରୁଛି ସକାଳର ପହିଲି ସୂର୍ୟ୍ୟକୁ । ସ୍ୱର୍ଣ୍ଣଗଭା ଧରଣୀ ପୂର୍ଣ୍ଣଗଭା ହୋଇଛି । ସତରେ ସବୁରି କାମରେ ପୂର୍ଣ୍ଣତା ହିଁ ଆବଶ୍ୟକ । ଅଧୁରା ରହିଲେ ବୁଝି ହୁଏନା ମନ ନା ମଣିଷ । ତେବେ ନୂଆ ସ୍ବପ୍ନ ଆଉ ନୂଆ ଢଙ୍ଗରେ ଉଦୟଭାନୁ ଆସୁଛି ଇଂରାଜୀ ବର୍ଷର ଶେଷରେ । ଜୀବନ ଜୀଉଁଣାର ମାପକାଠିରେ ଆପଣ ମାନଙ୍କର ଭଲ ପାଇବା, ରାଗ ଋଷା ଭିତରେ ଉଦୟ ଭାନୁ ପରିବାର ସାଉଁଟୁଛି ବିଗତ ଦିନର ସ୍ମୃତି ସବୁ । ନୂଆ ସମ୍ଭାବନା ଆଉ ନୂଆ ଆଶା ନେଇ ଆସୁଛି ଭିନ୍ନ ଏକ ଲେଖନୀର ପାଠାଶାଳା ଭାବରେ । ଆପଣ ମାନେ ହିଁ ଏହାର ଭବିଷ୍ୟତ । ଆଗକୁ ଅନେକ ବାଟ ଯିବାର ଅଛି । ଆପଣମାନଙ୍କ ରଙ୍ଗରେ ଏହା ହେବ ବିଚିତ୍ର ବର୍ଣ୍ଣା । ହେବ ପୂର୍ଣ୍ଣଗଭା । ଆଉ କିଛି କହିବାର ନାହିଁ । ଅନେକ ଅନେକ ଶୁଭ କାମନା ଏବଂ ଭଲ ପାଇବା ସହିତ ଆମେ.....




No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।