
📌📌ରଶ୍ମିତା ପାତ୍ର📌
ସତରେ ଭୂତାଣୁ କୋରୋନା ଆମ
ଅବା ନେଇ ଯିବ ପ୍ରାଣ
ଭାରି ଭୟ ଲାଗେ ଏ ମାନବ ସତ୍ତା
ଯିବ ହୋଇ ଲୋପ ପୁଣ ।।
ବିଶ୍ବବ୍ୟାପୀ ଆଜି ପଡେ ହା'ହା'କାର
ତ୍ରାହି ତ୍ରାହି ବୋଲି ବୋଲି
କେତେବେଳେ ଏଇ କୋରୋନା କବଳେ
ଜୀବନଟା ଯିବ ଚ଼ାଲି ।।
କେତେକାଳୁ ଏଇ ମାନବ ଜାତିକୁ
ଗଢିଛି ବିହି ସାଦରେ
ହେଲେ ଏ ମାନବ ବୁଝେ ନାହିଁ ମୂଲ
ମାନବ ଜନମ ଥରେ ।।
ଭଲ ଥିଲା ଆମ ପୂରୁବ ସଂସ୍କୃତି
ଭଲ ଥିଲା ଆମ କଥା
ବଣ ଜଙ୍ଗଲରେ ଥିଲୁ ବୁଲି ହେଲେ
ଥିଲୁ ମାନବରେ ଗୁନ୍ଥା ।।
ହେବୁ ବଡ ଆଉ ଜିଣିବୁ ଜଗତବୋଲି ଧାଇଁ ଗଲୁ ଆଗେ
ନ ଥିଲାଟି ଜଣା କେତେବେଳେ ଆସି
ବିରାଜିଲୁ ଯମ ସଙ୍ଗେ ।।
ପ୍ରକୃତି ସାଙ୍ଗରେ ଖେଳିଲୁ ଖେଳ
ସବୁ ମାଟିରେ ମିଶାଇ
ହସି କଂସ ସମ ବଢୁଥିଲେ ଯେବେ
କୃଷ୍ଣ ଗୋପପୁରେ ଯାଇ ।।
ବଳିଆର ଭୁଜ ଦେଖାଇ ସଗର୍ବେ
ତ୍ରିଭୁବନେ ମାରି ହାତ
ନ ଥିଲାଟି ଜଣା ଭିତରେ ଭିତରେ
ଖୋଳୁଥିଲୁ ନିଜ ଗାତ ।।
ଲୋଡା ନାହିଁ ଆମ ଶିଳ୍ପ ରାସାୟନ
ମଙ୍ଗଳ କି ଚନ୍ଦ୍ର ନାହିଁ
ଆମ ଏ ପୃଥିବୀ ଏ ଜୀବ ଜଗତ
ଥାଉ ଚିର ଦିନ ପାଇଁ ।।
ଆଉ ବେଳ ନାହିଁ ଭାବିବାର କଥା
ସମୟ ଯାଇଛି ଗଡି
ଭାସି ଯିବା ବେଳେ କୁଟା ଖିଏ ଅବା
ସମ୍ବଳ ତା' ଥାଏ ଯୋଡି ।।
ଚିକିତ୍ସା ବିଜ୍ଞାନେ ହଜିଲାଣି ବୁଦ୍ଧି
ଚକ୍କର ଖାଏ ଯେ ମଥା
କୋଉ ଟେକ୍ନୋଲୋଜି ବାକି ଅବା ଅଛି
ଅଛି ଅବା କେ' ବ୍ଯବସ୍ଥା ।।
ବାକି ଅବା ଅଛି ଶେଷ ଆଶା ଏଇ
ମହୋଦଧି ମହାଦାରୁ
ଦେବ ଘଉଡାଇ ସର୍ବଗ୍ରାସି ବ୍ୟାଧି
ଦେଶୀ ବଇଦଙ୍କ ଠାରୁ ।।
ଅଦା ,ତେଜପତ୍ର,ଗୋଲମରିଚ,ମିଶିରି
ଫୁଟାଇ ଗରମ ପାଣି
ତୁଳସୀ ପତର ମହୁ ଅଦା ରସ
ଖାଇବା ସକାଳେ ପୁଣି ।।
ଧୂପ ଦୀପ ଝୁଣା କର୍ପୁର ଆଳତୀ
ଘୃତ ଯଜ୍ଞ ନିତି କରି
ଲିମ୍ବପତ୍ର ସଙ୍ଗେ ତେଜପତ୍ର ଧୁଆଁ
ନିତି ସନ୍ଧ୍ୟାରେ ପାରି ।।
ସତ୍ୟ ଘଟେ ଯାହା କରି ବିବେଚନା
ଆସହେ ସଭିଁଏ ମିଶି
ଦୂରେ ମହାମାରୀ କୋରୋନା ରହିଯା'
ଡରାନା ତୁ ପାଖେ ଆସି ।।
ଆହେ ଦୟାମୟ ଆହେ କୃପାମୟ
ବିନାଶର ପଥେ ଏହି
ତୁମେ ତ ରଚିଛ ଏ ମହୀ ମଣ୍ଡଳ
କେମିତି ପାରୁଛ ସହି ।।
ଭାରତୀୟ ଆମେ ଆର୍ଯ୍ୟାବର୍ତ୍ତ ନାମେ
ଏଇ ଆମ ଦେବ ଭୂଇଁ
ରଖ ଜନାର୍ଦ୍ଦନ ଏ ଘୋର କାଳରେ
ଚକ୍ର ଅଡ଼ୁଆଳେ ନେଇ ।।
ଯେତେ ବା ବିଜ୍ଞାନ ହେଉ ଯେତେ ବଡ
ଅଛି ଗୋଟେ ସୀମାରେଖା
ନିଜକୁ ସବୁଠୁ ଶ୍ରେଷ୍ଠ ବୋଲି ଭାବି
ଖାଉ ଅଛି ନିଜେ ଧୋକ୍କା ।।
ଓଁ କାର ଶବଦେ ଧରାକୁ କମ୍ପାଇ
ସର୍ବେ ଏକାକାର ହୋଇ
ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି
ମହା ମନ୍ତ୍ର ସ୍ତୁତି ଗାଇ...
*********
ବାରିପଦା
*********
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।