"ଯା ଦେବୀ ସର୍ବ ଭୁତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ।"
ଧରାର ମୂଳ କେନ୍ଦ୍ରବିନ୍ଦୁରେ ନାରୀ, ଶକ୍ତି ରୂପରେ ଅଧିଷ୍ଠିତା । ନାରୀର ବିନା ହସ୍ତକ୍ଷେପରେ କୌଣସି କାର୍ଯ୍ୟ ସାଧିତ ହେବା ସମ୍ଭବ ନୁହେଁ । ନାରୀ ପୁରୁଷର ସହଧର୍ମିଣୀ ଓ ସହକର୍ମିଣୀ । ତା'ର ବିନା ସାହଚର୍ଯ୍ୟରେ ପୁରୁଷର ଉନ୍ନତି ଅସମ୍ଭବ । ନାରୀ ସର୍ବଂସହା ଧରିତ୍ରୀ । କେତେବେଳେ ଜନନୀ ରୂପ ଧାରଣ କରି ଜଠରରେ ତା'ର ସନ୍ତାନକୁ ସୁରକ୍ଷିତ ରଖେ ; କେତେବେଳେ ସ୍ନେହମୟୀ, ମମତାମୟୀ ଜନନୀ ଭାବରେ ନିଜର ସନ୍ତାନମାନଙ୍କୁ ଉଚିତ୍ ମାର୍ଗରେ ପରିଚାଳିତ କରେ ; ପୁଣି କେତେବେଳେ ତା'କୁ ଉଗ୍ର ତଥା ଚଣ୍ଡୀ ରୂପ ଧାରଣ କରିବାକୁ ପଡ଼ିଥାଏ । ନାରୀ ହିଁ ପ୍ରକୃତରେ ଧର୍ମ,ଅର୍ଥ,କାମ ଓ ମୋକ୍ଷ ଫଳଦାୟିନୀ । ପୁରୁଷକୁ ସଠିକ୍ ମାର୍ଗ ଦର୍ଶନ କରାଇବାରେ ନାରୀର ଭୂମିକା ମହତ୍ତ୍ବପୂର୍ଣ୍ଣ । ସେଇ ପ୍ରସଙ୍ଗରେ ପ୍ରାବନ୍ଧିକା ଅନୁପମା ଦାସଙ୍କ ଆଲୋଚନା ବାସ୍ତବରେ ସୁନ୍ଦର ହେଇଛି ।
ତା'ଙ୍କ ମତରେ :-"ମାନବ ସମାଜରେ ସ୍ତ୍ରୀ ଓ ପୁରୁଷ ଦୁଇଟି ଶ୍ରେଣୀ ରହିଲେ ମଧ୍ୟ ଆଦର୍ଶ ସମାଜ ଗଠନ ଓ ବର୍ଦ୍ଧନଶୀଳ କରିବାରେ ସ୍ତ୍ରୀର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ ।ସଂସାରରେ ସ୍ତ୍ରୀ ସ୍ବାମୀର ଧର୍ମ,କର୍ମରେ ସାହାଯ୍ୟ କରେ ବୋଲି ତା'ର ଅନ୍ୟ ନାମ ସହଧର୍ମିଣୀ, ସହକର୍ମିଣୀ । ଏହି ଯେଉଁ ଧର୍ମ,ଅର୍ଥ,କାମ,ମୋକ୍ଷ ପ୍ରଦାନ କରିବା କଥା କୁହାଯାଉଛି,ବାସ୍ତବରେ ସ୍ତ୍ରୀ ଭିତରେ ଏହି ଶକ୍ତି ବିଧାତା ପ୍ରଦତ୍ତ ।"
ପ୍ରତ୍ୟେକ ପ୍ରସଙ୍ଗକୁ ବିଭିନ୍ନ ଉଦାହରଣ ଦେଇ ନାରୀର ମହନୀୟତାକୁ ପ୍ରତିପାଦନ କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ । ନାରୀ ବିଷୟକ ଲେଖାରେ ଜଣେ ଲେଖିକା ପ୍ରଥମ ସ୍ଥାନ ଅଧିକାର କରିବାକୁ ଏକ ସଂଯୋଗ ବି କୁହାଯାଇପାରେ ।ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସାରସ୍ବତ ସମ୍ମାନ ସହିତ ଶୁଭ କାମନା ଜଣାଉଛି ।
ନିବେଦିତା ମହାପାତ୍ରଙ୍କ ଲେଖା ମଧ୍ୟ ମୋର ହସ୍ତଗତ ହେଇଛି । ତା'ଙ୍କ ଲେଖାଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି । ବିଭିନ୍ନ ଶାସ୍ତ୍ର ପୁରାଣରୁ ପୌରାଣିକ ଉପାଖ୍ୟାନ ମାଧ୍ୟମରେ ଚତୁଃବର୍ଗରେ ନାରୀର ଭୂମିକା ସଂପର୍କରେ ସେ ଯେପରି ଆଲୋଚନା କରିଛନ୍ତି ବାସ୍ତବରେ ପ୍ରଶଂସନୀୟ ।କାର୍ଯ୍ୟକାରୀ ପରିଷଦର ସଦସ୍ୟ ଥିବାରୁ ତାଙ୍କ ଲେଖାକୁ ବୋଧହୁଏ ବିଚାରକୁ ନିଆଯାଇନାହିଁ । ସେ ଯାହା ବି ହେଉ ଉଦୟଭାନୁର ଏପରି ସାଧୁତା ଓ ନିରପେକ୍ଷତା ପ୍ରକୃତରେ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିବ ନିଶ୍ଚୟ । ଅଂଶ ଗ୍ରହଣ କରିଥିବା ସମସ୍ତ ସାରସ୍ବତ ସ୍ରଷ୍ଟାଙ୍କୁ ଶୁଭ କାମନା ଜଣାଉଛି ।ସମସ୍ତଙ୍କୁ ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭ କାମନା ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।