10/19/2020

ଥିମ୍‌ - 'ବର୍ଷା' ଉପରେ..... ପ୍ରତିଯୋଗିତା ପାଇଁ ପଦେ.....

ଥିମ୍‌ - 'ବର୍ଷା' ଉପରେ..... ପ୍ରତିଯୋଗିତା ପାଇଁ ପଦେ.....
ଡଃ ଦେବଜାନୀ ଦାସ
     'ବର୍ଷା' - ଏ ଶବ୍ଦର ଅର୍ଥ ବ୍ଯାପକ । ବର୍ଷା କ'ଣ କେବଳ ପ୍ରକୃତିରେ ଆସେ ??? ଆସେନି ମଣିଷର ଦୁଃଖରେ ! କାହାର ବିଭୁ ପ୍ରେମରେ ଅବା ବହୁ ଅନୁଭବରେ ? ବର୍ଷା ଥିମ୍‌କୁ ନେଇ କ'ଣ କେବଳ ପ୍ରକୃତି ବର୍ଣ୍ଣନା ସମ୍ଭବ ? ମଣିଷ ଜୀବନରେ ଏ ଶବ୍ଦର ବ୍ଯାପକତାକୁ କ'ଣ ଏକ ସୃଜନଶୀଳ ଲେଖନୀ ପ୍ରକାଶ କରି ପାରନ୍ତାନି ?
    ସେଇ ଭାବନା କାହିଁ ? ସେଇ ଅନୁଭବ କାହିଁ ? ଏକ ସୃଜନଶୀଳ ଲେଖନୀରୁ ମୁଁ ସେଇ ସୃଜନଶୀଳତା ଚାହେଁ ଯାହା ଲେଖକ ବା ଲେଖିକାର ସ୍ବକୀୟ ଆବିଷ୍କାର । ତା'ର ଏକ ନିଜସ୍ବ ସତ୍ତାକୁ ପରିପ୍ରକାଶ କରିବ । ଯାହା ଅଛି , ଯାହା ସମସ୍ତେ ଜାଣନ୍ତି ସେଇ କଥାକୁ ହିଁ ଆପଣମାନେ ଆପଣଙ୍କ ଲେଖା ମାଧ୍ଯମରେ ଏପଟ ସେପଟ କରି କହିବେ ; ଏକଥା ପାଠକ ପାଇଁ ନୂଆ କ'ଣ ? ଏ କୌଣସି text syllabus ହୋଇନି ଯେ ଏଥିରେ ଆମେ data ଦେବା । data based ଲେଖା ନଲେଖି creativity ଉପରେ ଧ୍ଯାନ ଦେଇଥିଲେ ଭଲ ହୋଇଥା'ନ୍ତା । 
     ଏଥର ଆସିଥିବା ସମସ୍ତ ଲେଖା ପ୍ରାୟ ଗୋଟେ ପ୍ରକାରର । ସମସ୍ତେ ସେଇ ବର୍ଷା ଋତୁର ପ୍ରକୃତି ବର୍ଣ୍ଣନା କରିଛନ୍ତି । data based.... Creative କାହିଁ !
      ମୋର ଲେଖାର ଅର୍ଥକୁ ପ୍ରତିଯୋଗୀ ମାନେ ଆଗାମୀ ପ୍ରତିଯୋଗୀତାରେ ଆପଣେଇଲେ ଅନ୍ତତଃ ବିଚାରକୁ ଆସିଥିବା ଲେଖା ପଢ଼ିବା ବେଳେ ବିଚାର ସହଜ ହୁଅନ୍ତା ।
     ଆସନ୍ତା ଗଳ୍ପ ପ୍ରତିଯୋଗିତାରେ ପୁଣିଥରେ ଗଳ୍ପର ଥିମ୍‌ 'ବର୍ଷା' ରହିବ । ସୃଜନ କର୍ମରେ ସୃଜନଶୀଳତାକୁ ସ୍ଫୁଟନ କରିବାକୁ ପ୍ରାୟାସ ହୁଅନ୍ତୁ । 
:- ଏକ ଛୋଟ ଉଦାହରଣ ପାଇଁ ଗଳ୍ପାଂଶଟିଏ ଉଦ୍ଧୃତ କରିବାକୁ ସମୀଚୀନ ମନେ କରୁଛି । 
     [ ଅମରର କୋହ ତା' ଆଖିରେ ଶ୍ରାବଣ ହୋଇ ଝରୁଥିଲା । ଭିତରର କୋହ , ଘର୍ମାକ୍ତ ସ୍ଥିତି ଓ ବାହାରେ ବର୍ଷାର ତୀବ୍ରତାର ଆଲିଙ୍ଗନ ଭିତରେ ସେ ଆକ୍ତାମାକ୍ତା । 
             ତଥାପି ବାହାରେ ବର୍ଷାର ତାଣ୍ଡବ ।
    ତା' ଭିତରର ଶ୍ରାବଣର କୋହ ଓ ବାହାରେ ବର୍ଷାର ନୃତ୍ଯ ଏକାକାର । ଆଖିରୁ ଝରୁଥିବା ଲୁହ ଆଉ ଆଖିପତାରୁ ଟପ୍‌ ଟପ୍‌ ଖସୁଥିବା ପାଣି ଏକାକାର । 
        ମାନସୀ ଦେଖିଲା ଅମର ମୁହଁରେ ହସ । ବର୍ଷାରେ ତିନ୍ତିବାକୁ ଉପଭୋଗ କରିବାର ପ୍ରବଣତା । 
         ଭିତରଟାକୁ ଲୁଚେଇ ଦେବାରେ , ଛପେଇ ଦେବାରେ ବର୍ଷା ମାହିର୍‌ । ମାନସୀ ଚାଲିଯାଉଥିଲା । ତା' ଯିବା ବାଟକୁ ଅନେଇ ବର୍ଷାକୁ ଧନ୍ଯବାଦ ଦେଉଥିଲା ଅମର । 
    ସମସ୍ତ ସାରସ୍ବତ ସ୍ରଷ୍ଟାଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ ।

                                           ବିଚାରକ
                                         ଉଦୟ ଭାନୁ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।