କଣ୍ଡୁରୀ ଚରଣ ରାଉତ
ପଥଭ୍ରଷ୍ଟ ସମାଜକୁ ସୁସଂସ୍କୃତ କରିବା ଓ ନିପୀଡ଼ିତ ମାନଙ୍କୁ ଆଶା ଓ ଅଭୟ ବାଣୀ ଶୁଣାଇବା ଉଦ୍ଦେଶ୍ୟରେ ମାଳିକାର ସୃଷ୍ଟି । ମାଳିକାକାରମାନେ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ଜଣେ ଜଣେ ଏକନିଷ୍ଠ ଉପାସକ ।ଶ୍ରୀଜଗନ୍ନାଥଙ୍କ କୃପାରୁ ସେମାନେ ଯେଉଁ ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇଥିଲେ, ସେହି ଆଧାରରେ ସେମାନେ ଭବିଷ୍ୟ ବାଣୀ କରି ଯାଇଛନ୍ତି , ଯାହା ଶହ ଶହ ବର୍ଷ ପରେ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି । ଏହି ଭବିଷ୍ୟ ବାଣୀ ହିଁ ମାଳିକା ।
ସେଇ 'ମାଳିକା ବିଚାର' ଉପରେ ଉଦୟ ଭାନୁ ସାହିତ୍ୟ ଅନୁଷ୍ଠାନରେ ହୋଇଥିବା ସାପ୍ତାହିକ ପ୍ରତିଯୋଗିତାରେ ଶ୍ରୀମାନ ଦେବାଶୀଷ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସର୍ବପ୍ରଥମେ ତାଙ୍କୁ ସାରସ୍ବତ ଅଭିନନ୍ଦନ ଜଣାଉଛି । ଖୁବ୍ ସୁନ୍ଦର ଆଲୋଚନା କରିଛନ୍ତି ସେ । ସେ ଲେଖିଛନ୍ତି - କୋଟି କୋଟି ଓଡ଼ିଆ ପ୍ରାଣର କେନ୍ଦ୍ରବିନ୍ଦୁ ଭାଗବତ ପରି ମାଳିକା ମଧ୍ୟ ସେମାନଙ୍କ ଆଶା ଓ ଆଶଙ୍କାର କେନ୍ଦ୍ରବିନ୍ଦୁ ।ଏହା ବ୍ୟତୀତ ଜଗନ୍ନାଥ ସଂସ୍କୃତି ଓ ମାଳିକାର ସଂପର୍କ ,ପଞ୍ଚସଖା ଯୁଗର କବି ତଥା ମାଳିକାକାର ଅଚ୍ୟୁତାନନ୍ଦଙ୍କ ଦିବ୍ୟଦୃଷ୍ଟି ସଂପର୍କରେ ଆଲୋଚନା କରିଛନ୍ତି । ଅନେକ ବ୍ୟକ୍ତି ମାଳିକାକୁ ଅବାନ୍ତର ଓ କପୋଳ-କଳ୍ପିତ ବୋଲି କହିଥା'ନ୍ତି ।କିନ୍ତୁ, ଏଥିରେ ଯେ ଐତିହାସିକ ଓ ବୈଜ୍ଞାନିକ ସତ୍ୟତା ରହିଛି , ଏ କଥାକୁ ଶ୍ରୀ ରାଉତ ସନାତନ ସଂସ୍କୃତି ଓ ସଂସ୍କୃତ ଭାଷାର ପ୍ରାମାଣିକତାକୁ ଭିତ୍ତି କରି ବର୍ଣ୍ଣନା କରିଛନ୍ତି ।
ଠିକ୍ ସେହିପରି ନିବେଦିତା ମହାପାତ୍ରଙ୍କ ଆଲୋଚନାଟି ମଧ୍ୟ ହୃଦୟକୁ ଛୁଇଁଲା । ଶାସ୍ତ୍ର ପୁରାଣ ଓ ସେଥିରେ ବର୍ଣ୍ଣିତ ସତ୍ୟ,ତ୍ରେତୟା,ଦ୍ବାପର ଓ କଳିଯୁଗରୁ ଆରମ୍ଭ କରି ରହସ୍ୟମୟ ବିଶ୍ବ ପର୍ଯ୍ୟନ୍ତ ପ୍ରଲମ୍ବିତ ତାଙ୍କର ଚିନ୍ତାଧାରା ।ଯୁଗେ ଯୁଗେ ସାମାଜିକ ଚଳଣି ଓ ପରମ୍ପରା ସହିତ ଅତୀତ ଇତିହାସ ଓ ଆଧ୍ୟାତ୍ମବାଦ ଜଡ଼ିତ । ବିଭିନ୍ନ ଯୁଗର ଚଳଣି,ଧର୍ମ ଓ ଅଧର୍ମ,ଗୀତା ବାଣୀ,କଳିର ପ୍ରବେଶ ଓ ରାଜା ପରିକ୍ଷୀତଙ୍କ ମୃତ୍ୟୁ ଆଦି ତଥ୍ୟର ଚମତ୍କାର ଉପସ୍ଥାପନା ମାଧ୍ୟମରେ ବିଷୟ ପ୍ରବେଶ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ହୋଇଛି । ତୁଳସୀ ଦାସଙ୍କ ବାଣୀର ଉଦାହରଣ ସହ ମାଳିକାକାର ଅଚ୍ୟୁତାନନ୍ଦଙ୍କ ବିଭିନ୍ନ ଉକ୍ତିର ଉଦ୍ଧୃତି ଏବଂ ସେଗୁଡ଼ିକର ଯଥାଯଥ ବିଶ୍ଳେଷଣ ପୂର୍ବକ ସାଂପ୍ରତିକ ଘଟଣା ସହିତ ତା'ର ସଂପର୍କକୁ ଅତି ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି । କଳିଯୁଗର ଅନ୍ୟାୟ ଅନୀତି ଦେଖି ସ୍ବୟଂ ଜଗନ୍ନାଥ କଳ୍କୀ ଅବତାର ନେଇ ଏ ସବୁର ବିଲୋପ ସାଧନ ତଥା ମହାମାରୀ କରୋନା ବିଷୟରେ ତାଙ୍କ ଲେଖାରେ ସୂଚନା ମିଳେ ।ଲୋକମାନେ ମୁହଁରେ ତୁଣ୍ଡି ଭିଡ଼ିବା କଥାରୁ ତାଙ୍କ ଲେଖାର ସତ୍ୟତା ପ୍ରତପାଦିତ ହୁଏ ବୋଲି ପ୍ରାମାଣିକ ତଥ୍ୟ ଦେଇଛନ୍ତି ଆଲୋଚିକା
'ମାଳିକା' ଯେ ଆମ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ସଂପଦ ଏଇ କଥାକୁ ବଳିଷ୍ଠ ଯୁକ୍ତି ମାଧ୍ୟମରେ ପ୍ରମାଣ କରିବାରେ ଦୁଇ ସାରସ୍ବତ ସ୍ରଷ୍ଟାଙ୍କ ପ୍ରୟାସ ଅଭିନନ୍ଦନୀୟ ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।