11/01/2020

ରମ୍ୟ ବନାମ ତୀର୍ଯ୍ୟକ ଦୃଷ୍ଟି

 ଡକ୍ଟର ଲକ୍ଷ୍ମଣ ସାହୁ

 
       ଉଦୟ ଭାନୁ ସାହିତ୍ୟ ସଂସଦ ପକ୍ଷରୁ ଗତ ସପ୍ତାହରେ କରାଯାଇଥିବା ରମ୍ୟରଚନାରେ ସଂଖ୍ୟା ଲଘୁ ପ୍ରତିଯୋଗୀଙ୍କୁ ପାଇ ନିରାଶ ହୋଇଛି । ତଥାପି ଯେଉଁମାନେ ଅଂଶ ଗ୍ରହଣ କରିଛନ୍ତି, ସେମାନଙ୍କୁ ମୋର ସାଦର ପ୍ରଣାମ ଓ ଅଭିନନ୍ଦନ ।  ରମ୍ୟରଚନା ପ୍ରତି ଏତେ ବିମୁଖ କାହିଁକି (?), ଜାଣିବାରେ ସାହିତ୍ୟର ବିଭିନ୍ନ ବିଭାଗ ଠାରୁ ଏ ବିଭାଗଟି ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବିଭାଗ । ସାମାନ୍ୟ ଟିକିଏ ଦୃଷ୍ଟି ଦେଲେ ଆପଣ ମାନଙ୍କ କଲମ ଚାଳନାରେ ବିଭାଗଟି ଅଧିକ ରସମୟ ଓ ରୁଦ୍ଧିମନ୍ତ ହୋଇପାରନ୍ତା । ହୁଏତ ଗତ ସପ୍ତାହରେ ପ୍ରଦତ୍ତ ଶୀର୍ଷକ ରୁଚିହୀନ ହୋଇଥାଇ ପାରେ । ତା' ସତ୍ତ୍ୱେ ଶୀର୍ଷକ ପ୍ରତି ବିମୁଖ ହେବା ପ୍ରତିଯୋଗୀ ମାନଙ୍କ ପକ୍ଷରେ ଆଦୌ ଶୋଭନୀୟ ନୁହେଁ । 

       ରମ୍ୟରଚନା କଣ (?), ଏ ସଂପର୍କରେ ସଂକ୍ଷିପ୍ତ ସୂଚନା ଦେବାକୁ ଇଚ୍ଛା କରୁଛି । ମୋ' ଦୃଷ୍ଟିରେ ରମ୍ୟରଚନା ପ୍ରବନ୍ଧ ସାହିତ୍ୟର ଏକ ଲୋକପ୍ରିୟ କଳାରୂପ । ଆଭିଧାନିକ ଅର୍ଥରେ ରମଣୀୟ ରଚନାକୁ ରମ୍ୟରଚନା କୁହାଯାଏ । ଗଳ୍ପ ଓ ଉପନ୍ୟାସକୁ ମଧ୍ୟ ରମ୍ୟ ରଚନା କୁହାଯାଇପାରେ ବୋଲି ଅନେକଙ୍କ ଧାରଣା । କିନ୍ତୁ ଗଳ୍ପ ଓ ଉପନ୍ୟାସ ରମ୍ୟ ରଚନା ନୁହେଁ । କାରଣ ଏହା କାହାଣୀ କୈନ୍ଦ୍ରିକ ରଚନା, କାଳ୍ପନିକ କଥା ବସ୍ତୁର ବିସ୍ତାର ଓ ବିନ୍ଯାସ ଗଳ୍ପ, ଉପନ୍ୟାସ ପ୍ରଧାନ ଲକ୍ଷ୍ୟ ହୋଇଥାଏ । କିନ୍ତୁ ରମ୍ୟ ରଚନାର ବିଷୟ ବସ୍ତୁ ଗଳ୍ପ ଉପନ୍ୟାସର କଥାବସ୍ତୁ ଅପେକ୍ଷା ପ୍ରବନ୍ଧର ଅଧିକ ନିକଟବର୍ତ୍ତୀ ହୋଇଥାଏ । ଏହି ଦୃଷ୍ଟିରୁ ଏହାକୁ ଲଳିତ ନିବନ୍ଧ / ମନ୍ମୟ ପ୍ରବନ୍ଧ ନାମରେ ମଧ୍ୟ ନାମିତ କରାଯାଏ । ରମ୍ୟ ରଚନାରେ ଗୁରୁ ଗମ୍ଭୀର ବିଷୟ ବସ୍ତୁଟି ଆକର୍ଷଣୀୟ ଭଙ୍ଗୀରେ, ତୀର୍ଯ୍ୟକ ଦୃଷ୍ଟିକୋଣରେ ରଚିତ ହେବା ଆବଶ୍ୟକ । ଲଘୁ ବିଷୟ ବସ୍ତୁକୁ ଶ୍ଳେଷାତ୍ମକ ଶୈଳୀରେ ପ୍ରକାଶ କରିବା ଉଚିତ୍ । ପୈାରାଣିକ, ଐତିହାସିକ, ଦାର୍ଶନିକ ତତ୍ତ୍ଵ ଠାରୁ ଆରମ୍ଭ କରି ସାମାଜିକ ସ୍ତରରେ ଘଟୁଥିବା ଘଟଣା, ସମସ୍ୟା ଏପରିକି ଜାତୀୟ ଖେଳର ବିଚାର ବିଶ୍ଳେଷଣ ମଧ୍ୟ ରମ୍ୟରଚନାର ବିଷୟବସ୍ତୁ ଭାବେ ନିଆଯାଇପାରିବ ।
   
   ଉଦାହରଣ ସ୍ୱରୂପ ରାଧାନାଥ ରାୟଙ୍କ 'ବିବେକୀ', ଫକିରମୋହନଙ୍କ 'ନନାଙ୍କ ପାଞ୍ଜି', ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ 'ଭାଗବତ ଟୁଙ୍ଗିରେ ସନ୍ଧ୍ୟା', ଗୋବିନ୍ଦ ତ୍ରିପାଠୀଙ୍କ 'ଛୋଟ କଥାଟିଏ', 'ବଟୁଆ', 'କଖାରୁ ଫୁଲ', ହରେକୃଷ୍ଣ ମହତାବଙ୍କ 'ଗାଁ ମଜଲିସ୍', ରାଧାନାଥ ରଥଙ୍କ 'ଝିଟିପିଟି କହେ', କୃଷ୍ଣ ପ୍ରସାଦ ବସ୍ତୁଙ୍କ 'ଆଖଡା ଘରେ ବୈଠକ', ଚିତ୍ତରଞ୍ଜନ ଦାସ 'ରୋହିତର ଡାଏରୀ', ଚନ୍ଦ୍ର ଶେଖର ରଥଙ୍କ 'ମୁଁ ସତ୍ୟଧର୍ମା କହୁଛି' ଆଦିକୁ ରମ୍ୟରଚନା ଭାବରେ ଗ୍ରହଣ କରାଯାଏ ।  

   ସଂକ୍ଷେପରେ କହିବି କେବଳ ଥଟ୍ଟା କି ମଜାଳିଆ କଥାରେ ରମ୍ୟରଚନା ଲେଖାଯାଏ ନାହିଁ । ସମସାମୟିକ ରାଜନୀତି, ସମାଜ ଜୀବନ, ବ୍ୟକ୍ତି ଚରିତ୍ରର ଆତ୍ମବଡିମା, ଅହଂକାର, ଦୁର୍ନୀତି ପ୍ରଭୃତିକୁ ବିଶେଷ ଢଙ୍ଗରେ, ଉନ୍ନତ କଳାତ୍ମକ ଶୈଳୀରେ, ରୁଚିକର ଶବ୍ଦ ବିନ୍ୟାସ ସହିତ ବିଷୟବସ୍ତୁର ଅନୁଶୀଳନ ଓ ଅନୁବିକ୍ଷଣ କରିପାରିଲେ ତାହା ସାର୍ଥକ ରମ୍ୟରଚନା ହୋଇପାରିବ । ଏଥିରେ ଥାଏ ସମସ୍ୟାର ସମାଧାନ, ବାଟ ହୁଡି ଯାଉଥିବା ବ୍ୟକ୍ତି ପାଇଁ ନୂତନ ଦିଶା । ତେବେ ସୂଚେଇ ଦେବାକୁ ଚାହୁଁଛି, ଏଥିରେ ଯଦି କାହାର ଦ୍ୱି-ମତ ଥାଏ, ବାଦ-ବିବାଦ ଘେରକୁ ଆସିବାକୁ ମୁଁ ଚାହୁଁ ନାହିଁ, ବରଂ ସ୍ୱାଗତ କରିବି ଆପଣମାନଙ୍କ ଅଭିମତକୁ । ରମ୍ୟରଚନା ସଂପର୍କରେ ଯାହା ମୋର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ଓ କିଛି ପୂର୍ବଜ ସମାଲୋଚକଙ୍କ ମତକୁ ଆଧାର କରି ସଂକ୍ଷେପରେ ଉଲ୍ଲେଖ କରିଛି । ଉନ୍ନତ ସାହିତ୍ୟ ସର୍ଜନା ଆମର ଲକ୍ଷ୍ୟ ହେଉ..!!!

====================
 ● " ତାରା  ନିଳୟ "
     ପ୍ଳଟ ନଂ - ୮୫୪/ ଏ , ଚାଚରା  ଶବରସାହି
     ମୁକୁନ୍ଦ ପ୍ରସାଦ ,  ଖୋର୍ଦ୍ଧା  :୭୫୩୦୦୫୫
     ଦୂରଭାଷ  : ୯୦୪୦  ୧୫୧୪  ୭୫
=========================
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।