4/30/2021

ଗରୀବର ଦୁଃଖ



ନିବେଦିତା ମହାପାତ୍ର 
       ଆଧ୍ଯାତ୍ମିକ ପରିବେଶ ସେ ମନ୍ଦିର ହେଉ ଅବା ଯଜ୍ଞସ୍ଥଳ ସବୁଠି ମନକୁ ଏକ ଅପୂର୍ବ ଶାନ୍ତି ମିଳିଥାଏ।ଦୈନନ୍ଦିନ ଜୀବନର କ୍ଲାନ୍ତି ଓ ଅବସାଦକୁ ଦୂରେଇବା ପାଇଁ ମୋ ମତରେ ଏଇ ସ୍ଥାନଟି ଉପଯୁକ୍ତ ଅଟେ।ସେଥିପାଇଁ ସମୟ ମିଳିଲେ ବେଳେବେଳେ ମନ୍ଦିର ଆଡେ ଟିକେ ବୁଲି ଅାସେ।ଆଜି ବି ସକାଳୁ ଭାରି ଇଚ୍ଛା ହେଲା ମନ୍ଦିର ଯିବାକୁ,ସେଥିପାଇଁ ବାହାରି ଆସିଲି ପାଖରେ ଥିବା ଏଇ ମନ୍ଦିରକୁ। ପାହାଡ ପାଖରେ ଥିବା ଏଇ ମନ୍ଦିରର ପାହାଚକୁ ମୁଁ ଯେତେଯେତେ ଚଢୁଥାଏ ମନରେ ଏକ ଅପୂର୍ବ ଉନ୍ମାଦନା ଖେଳି ଯାଉଥାଏ।ଲାଗୁଥାଏ ସତେ ଯେମିତି ମୁଁ ସବୁ ଦୁଃଖ, କଷ୍ଟ, ଯାତନା, ମାୟା ଓ ମୋହରୁ ଉର୍ଦ୍ଧ୍ବରେ ଚାଲୁଛି । କେବଳ ଭଗବତ୍ ସତ୍ତାକୁ ପ୍ରାପ୍ତି କରିବାର ଉଲ୍ଲାସରେ ମନ ଉଲ୍ଲସିତ ହେଇ ଯାଉଥାଏ।ମନରେ ମହାମନ୍ତ୍ରକୁ ଗାଇ ଗାଇ ମୁଁ ଅଜଣା ଦିବ୍ୟ ଆନନ୍ଦରେ ପ୍ରଫୁଲ୍ଲିତ ଚିତ୍ତରେ ଆଗକୁ ବଢି ଚାଲିଥାଏ।
         ହଠାତ୍ କିଛି ବାଟ ଯିବାରେ ମୋ ଧ୍ୟାନ ଭଗ୍ନ କଲା କିଛି ଲୋକଙ୍କର କୋଳାହଳ ମୟ ସ୍ବର।ଏମିତି ଏକ ଆଧ୍ଯାତ୍ମିକ ପରିବେଶରେ ଏପରି ଗଣ୍ତଗୋଳ ଓ ଅଶାନ୍ତି ପ୍ରତୀକର ନୁହେଁ।ଘଟଣା ସଂପର୍କରେ ଜାଣିବା ପାଇଁ ମୁଁ ପାଦ ଆଗକୁ ବଢାଇଲି।ପାଖରେ ପହଞ୍ଚି ଯାହା ଦେଖିଲି ନିଜ ଆଖିକୁ ବିଶ୍ବାସ କରି ପାରିଲିନି।କିଛି ଲୋକଙ୍କ ସହ ଜଣେ ଗେରୁଆ ବସ୍ତ୍ର ପିନ୍ଧା ସାଧୁ ମଧ୍ୟ ଗୋଟିଏ ଗରୀବ ଲୋକର ବିକ୍ରି ସାମଗ୍ରୀକୁ ଫୋପାଡୁଛନ୍ତି।
ମୋ ଆଶ୍ଚର୍ଯ୍ୟର ସୀମା ରହିଲାନି।ଜଣେ ସାଧୁଙ୍କ ଚରିତ୍ର କ'ଣ ଏପରି ହେବା ଉଚିତ୍।ନା ତ ମୁଁ କୌଣସି ପୁରାଣ,ଗଳ୍ପ,ପ୍ରବଚନରେ ଏମିତି ଉଗ୍ର ରୂପଧାରୀ ସାଧୁଙ୍କ ବିଷୟରେ ଶୁଣିନି।ସାଧୁଙ୍କ ସ୍ବଭାବ ନମ୍ର ହୋଇଥାଏ;ହେଲେ ଏ ତ !!
         ଘଟଣା ସଂପର୍କରେ ଅଧିକ ଜାଣିବା ପାଇଁ କୌତୁହଳ ବଶତଃ ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ପଚାରିଲି।ସେମାନଙ୍କ ଠାରୁ ଯାହା ଶୁଣିଲି ଖୁବ୍ ଅଜବ ଲାଗିଲା।ସେ ଗରୀବ ଲୋକ ଜଣଙ୍କ ବହୁଦିନରୁ ସେଠି ପସରା ଖୋଲି ଜିନିଷ ବିକ୍ରି କରୁଛନ୍ତି।ଖାଲି ସେତିକି ନୁହଁ ସେଥିପାଇଁ ସେ ପ୍ରତି ମାସରେ ସେ ସାଧୁଙ୍କୁ ଟଙ୍କା ବି ଗଣୁଛନ୍ତି;ହେଲେ ଅାଜି ସେମାନେ ତାଙ୍କ ଜିନିଷ ପତ୍ର ଫୋପାଡି ହଇରାଣ କରୁଛନ୍ତି।
ସେଠାରେ ଉପସ୍ଥିତ କିଛି ଲୋକ ପ୍ରତିବାଦ କରୁଥିଲେ ମଧ୍ୟ ଅନ୍ୟ କିଛି ଲୋକ କେବଳ ନିରବଦ୍ରଷ୍ଟା ସାଜିଥିଲେ।ସେ ସାଧୁ ଓ ତାଙ୍କ ଶିଷ୍ୟମାନଙ୍କ କାର୍ଯ୍ୟକଳାପକୁ ସମସ୍ତେ ଯେମିତି ଉପଭୋଗ କରୁଥିଲେ।
       ସେଦିନ କୁରୁସଭାରେ ବହୁ ଗୁଣୀ ଜ୍ଞାନୀ ଲୋକଙ୍କ ଉପସ୍ଥିତି ସତ୍ତ୍ବେ ବି ଯେପରି ଦୌପଦୀଙ୍କ ବସ୍ତ୍ରହରଣର ଘୂଣ୍ୟ କାର୍ଯ୍ୟ ରୂପାୟନ ହୋଇଥିଲା ସେପରି ଆଜି ବି ଏତେ ଲୋକଙ୍କ ଉପସ୍ଥିତି ରେ ଘଟି ଚାଲିଥିଲା ଗରୀବ ଉପରେ ଅତ୍ୟାଚାର।ପ୍ରତିବାଦ କରିବାର ଇଚ୍ଛା ଥିଲେ ବି ମୁଁ କିଛି କରି ନପାରି କେବଳ ଦେଖୁଥିଲି ବିଧାତାଙ୍କ ଦରବାରରେ ଘଟୁଥିବା ଅନ୍ୟାୟର ପ୍ରତିଛାୟାକୁ।ବେଶୀ ସମୟ ସେ ସ୍ଥାନରେ ରହି ଅନ୍ୟାୟକୁ ଦେଖି ପାପରେ ଭାଗି ହେବା ପାଇଁ ନିଜ ବିବେକ ଓ ଆତ୍ମା ମତେ ଅନୁମତି ଦେଲା ନାହିଁ।ଶେଷରେ ଭଗବାନଙ୍କ ଦର୍ଶନ ନ କରି ମୁଁ ଫେରି ଆସିଲି।
       ମୋ' ଫେରିବା ବାଟରେ ଗୋଟିଏ ପ୍ରଶ୍ନ ମୋ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା ସତରେ ଆଜିର ଏ କଳିଯୁଗରେ ନ୍ୟାୟ କ'ଣ ତା'ର ଅସ୍ତିତ୍ବ ହରେଇ ବସିଛି??ଗରୀବ ହେବା କ'ଣ ଅଭିଶାପ ନା କୌଣସି ପ୍ରାରବ୍ଧ କର୍ମର ଫଳ??
         ଶ୍ରୀକୃଷ୍ଣ ତ ନିଜେ ସେଦିନ ଗରୀବ ସୁଦାମକୁ ସ୍ବାଗତ କରିବା ପାଇଁ ରାଜ ସିଂହାସନ,ସ୍ବର୍ଣ୍ଣ ମୁକୁଟ,ପାଟ ପିତାମ୍ବରୀକୁ ତୁଚ୍ଛ କରି ଖାଲି ପାଦରେ ଧାଇଁ ଯାଇ,ନିଜ ହାତରେ ତାଙ୍କ ପାଦ ଧୋଇ ଦେଇଥିଲେ।ସେହି ଦେଶର ଲୋକ ହେଇ ଆଜି କାହିଁକି ଏ ମଣିଷ ଗରୀବଙ୍କ ପ୍ରତି ଏତେ ଅତ୍ୟାଚାର କରୁଛନ୍ତି।ତାଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି ?? ଏ ଦୁନିଆଁରେ ଗରୀବର କ'ଣ କିଛି ମହତ୍ତ୍ବ ନାହିଁ କି ??
ମୁକୁନ୍ଦ ମିଶ୍ର ନଗର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।