4/30/2021

କରୋନା ଆବେଶେ ଲଳନା

ବସନ୍ତ ମଞ୍ଜରୀ ଦାସ
ସୁଶାନ୍ତ ଉପବନେ     ପିକ ପ୍ରଶାନ୍ତ ମନେ
        ସଘନେ ତୋଳେ ମଧୁସ୍ବର
ବଧୂଲି ରୂପା ବଧୂ     ତେଜି ବିରହ ସିନ୍ଧୁ
          ବିନ୍ଦୁ ବିନ୍ଦୁ ବୁହାଏ ନୀର ।
          ପଞ୍ଚମାଳାପ କର୍ଣ୍ଣେ ଶୁଣି ;
ରସେ ମଜ୍ଜିବା ଆଶେ     ଗମେ ମଦନ ପାଶେ
            ରସିକରାଜେ ହୁଏ ଗୁଣି !
                   ସେ ପ୍ରାଣଧନ ,
             ପରବାସେ ବିତାନ୍ତି ଦିନ ।
କୋରୋନା ଆନମନା     କରିବାରୁ ଲଳନା
           ମନାଏ ମନ ଧୈର୍ଯ୍ୟ ଦ୍ବାରେ
ପାରି ଦେଇ ବସନ     କରେ ଦୀର୍ଘଶୟନ
        ତପନ ତେଜେ ଖର କରେ ।
           ସ୍ବେଦ ବୁହଇ ଝରଝର ;
 ମୋଦ ଘୁଞ୍ଚଇ ମନୁ     କ୍ଷୀଣ ହୁଅଇ ତନୁ
            ଛିନ୍ନ ହୁଅଇ କାମଶର ।
                    ଦିବା ଅନ୍ତେ ,
ଶର୍ବରୀ ଉପଗତ     ଜାଣି ବାମାର ନେତ୍ର
        ଖୋଜଇ ପରବାସେ କାନ୍ତେ ।
ପ୍ରଦୀପ ହସ୍ତେ ଘେନି     ପଣତେ ଢ଼ାଙ୍କେ ଜାଣି
          ଫଣି ସମ ପ୍ରଦୀପ ଶିଖା
ରକ୍ଷା ପାଏ ଅନିଳୁ     ଆନନ୍ଦ ଦୋଳୁ ଦୋଳୁ
           ଚିନ୍ତଇ ପାଇଗଲି ରକ୍ଷା ।
           ଭିକ୍ଷା କରଇ ନିରୀମାଖୀ ;
କେବଳ ମନପୁରେ     ମୋ' ପ୍ରାଣଧନ ଘୁରେ
           ଝୁରଇ ନିତି ରଖି ସାକ୍ଷୀ ।
                  ମା' ବୃନ୍ଦାବତୀ ,
ଘୁଞ୍ଚୁ କୋରୋନା ଦୂରେ      ଆସନ୍ତୁ ପତି ପୁରେ
            ପାହୁ ଏ ଅମା ଭରା ରାତି ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।