ଅମରନାଥ ବାରିକ
ମାନନୀୟ ଜଗନ୍ନାଥ ମାନ୍ୟ ମୋର ନେବ ,ମୋ' ଚିଠିର ପ୍ରତ୍ୟୁତ୍ତର ଯଥାଯଥ ଦେବ ।
ଲେଖୁଛି ମୁଁ ଚିଠି ଖଣ୍ଡେ ହୃଦୟ ପତ୍ରରେ ,
କାଗଜ ଲଲମ ନୁହେଁ ଆଖିର ଲୁହରେ ।
ତୁମେ ତ ମଣିମା ଜାଣ ଜଗତର ଦୁଃଖ ,
ଉଦ୍ଧାର କରିଣ ତୁମେ ବାହୁ ତଳେ ରଖ ।
ଏତେ ସୁଖ ଦେଲ ମୋତେ ରଖିବି କେଉଁଠି ?
ଦିନ ରାତି ଚାହିଁଲେ ବି ପାରୁନି ସାଉଁଟି !
ଆହା ପଦେ କହିବାକୁ ନାହିଁ ମୋର କେହି ,
ପିତା ମାତା ଦେଖୁଛନ୍ତି ସ୍ୱର୍ଗପୁରେ ରହି ।
ବାଳୁତ କାଳରୁ ନେଲ ଛଡ଼େଇ ମୋ' ଠାରୁ !
ଅନାଥ କରି ରଖିଲ ଭାବ ବନ୍ଧନରୁ ।
କାଳେ ଭୁଲିବି ତୁମକୁ ତାଙ୍କୁ ପାଇ ପାଖେ ।
ବୋଧହୁଏ ତାଙ୍କୁ ନେଇ ରଖିଲ ସେପାଖେ !
ଚାଳରେ ଦିଶୁଅଛି ପୁଣି ଉଦିଆ ଜହ୍ନ ,
ଚୂଲି ଅଛି ଜାଳ ଅଛି ନାହିଁ ମୁଠେ ଅନ୍ନ ।
ପଡ଼ିଲେ ରୋଗ ଶଯ୍ୟାରେ କିଏ ବା ଦେଖିବ ?
ମରିଯାଏ ଯଦି କେବେ କିଏ ବା କାନ୍ଦିବ ?
କାନ୍ଦିବା ଲୋକେବି ସବୁ କରିଦେଇ ପର ,
ଚାଲିଗଲେ ନିଜ ବାଟେ ହୋଇ ସାତପର ।
ବିଶ୍ୱାସ ଘାତକ ନୁହେଁ ବିଷ ଦେଇ ଗଲେ ,
ମରଣ ଯୂଇରେ ନୁହେଁ ଜିଅନ୍ତା ଜାଳିଲେ ।
ଆହୁରି ଅନେକ ସୁଖ ଦେଇଛ କାଳିଆ ,
ଲେଖିଲେ ବି ସରିବନି ମନର ଅଳିଆ ।
ଏତିକିରେ ରହୁଛି ମୁଁ ଚିଠି କରି ଇତି ,
ଉତ୍ତର ଦେବ ସାଆନ୍ତେ ଭରି ତୁମ ପ୍ରୀତି ।
_____________●◆●____________
କୟାଁ , ମଙ୍ଗଳପୁର ଯାଜପୁର
ଯୋଗାଯୋଗ - ୯୫୪୦୩୦୮୦୯୫
_____________●◆●____________
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।