1/31/2023

ଜଣେ ସାହିତ୍ୟିକ ବି ଜଣେ ସମାଜ ସେବୀ

                       ବସନ୍ତ କୁମାର ପଣ୍ଡା   

  'ଜଣେ ସାହିତ୍ୟିକ ବି ଜଣେ ସମାଜ ସେବୀ' କଥାଟା କିଛି ଲୋକଙ୍କୁ ଅଡୁଆ ଅଡୁଆ ଲାଗେ । ସମାଜ ସେବାରେ ସାହିତ୍ୟ ବା ସାହିତ୍ୟିକ କିପରି  ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡିତ ଏକଥା ବୁଝାଇବାକୁ ହେଲେ ଆମକୁ ସାହିତ୍ୟର ଅର୍ଥ,ସଂଜ୍ଞା,ସ୍ୱରୂପ , ପରିସର ଏବଂ ଉପଯୋଗୀତା ବିଷୟରେ ବିସ୍ତୃତ ଆଲୋଚନା କରିବାକୁ ହେବ । ଏଣୁ ସଂକ୍ଷେପରେ ସାହିତ୍ୟ କହିଲେ ଆମ ଅନ୍ତର୍ନିହିତ ଭାବନା,ଅନୁଭବ ବା ଅନୁଭୂତିକୁ ଶବ୍ଦ ବା ଭାଷା ମାଧ୍ୟମରେ ମୌଖିକ ବା ଲିଖିତ ତଥା ଅଙ୍କନ,ଗାୟନ ଓ ଅଭିନୟ ରୂପରେ ପ୍ରକାଶ କରିବାକୁ ସାହିତ୍ୟ କହିବା । ସାହିତ୍ୟ ସାରା ମଣିଷ ସମାଜକୁ ସଙ୍ଗଠିତ କରେ ।ସାମଜିକ ରୀତିନୀତି, ଧର୍ମ, ସଂସ୍କାର,ସଂସ୍କୃତି,ପରମ୍ପରା ସବୁକିଛି ଏହି ସାହିତ୍ୟରୁ ସୃଷ୍ଟି, ସୁଦୃଢ଼ ଏବଂ ସଂରକ୍ଷିତ ହୋଇଥାଏ । ଏକ ସଭ୍ୟ ଏବଂ ସୁସଙ୍ଗଠିତ ସମାଜ ଗଠନ କରିବାରେ ସାହିତ୍ୟର ଭୂମିକା ଗରୁତ୍ବପୂର୍ଣ୍ଣ । ଏଣୁ ସାହିତ୍ୟ ଦୁର୍ବଳ ହେଲେ ସମାଜ ବିଶୃଙ୍ଖଳିତ ହୋଇଯାଏ । ସାହିତ୍ୟ ବିନା କୌଣସି ଜାତି ବା ସେହି ଜାତିର ସଂସ୍କୃତି ଓ ପରମ୍ପରାକୁ କଳନା କରିବା ଅସମ୍ଭବ।ଯେଉଁ ଜାତିର ଭାଷା ସାହିତ୍ୟ ଯେତେ ଉତ୍କୃଷ୍ଟ ସେହି ଜାତି ସେତିକି ସଙ୍ଗଠିତ ଏବଂ ଶକ୍ତିଶାଳୀ । ସାହିତ୍ୟ ହେଉଛି ସାମାଜିକ ଜୀବନର ଇଚ୍ଛା ଓ ଚେତନାମୟ ରୂପର ପୂର୍ଣ୍ଣତର ଆତ୍ମିକ ଅଭିବ୍ୟକ୍ତି । ସାହିତ୍ୟରେ ମଣିଷ ଆତ୍ମତୃପ୍ତି ଲାଭ କରେ । ସାହିତ୍ୟ ପାଇଁ ସମାଜରେ ମଣିଷ  ନିବିଡ଼ତାର ଆନନ୍ଦମୟ ସୂତ୍ରରେ ବାନ୍ଧି ହେଇଯାଏ । ଏହା ଦ୍ୱାରା ଜ୍ଞାନର ପରିପ୍ରକାଶ ହେବା ସହିତ ସାରା ସମାଜରେ ବିତରଣ ହୋଇଥାଏ ।ପାରସ୍ପରିକ ସାମାଜିକ ବିଶ୍ୱାସ ମୂଳରେ ସାହିତ୍ୟ । ମାନବିକ ମୂଲ୍ୟବୋଧ ତଥା ନୈତିକତାର ବିକାଶରେ ସାହିତ୍ୟର ଭୂମିକା ସ୍ପଷ୍ଟ।ଧର୍ମ ଦର୍ଶନ ଠାରୁ ଆରମ୍ଭ କରି ବିଜ୍ଞାନ ଅର୍ଥଶାସ୍ତ୍ର ଯାଏଁ ସାମାଜର ବହୁବିଧ କ୍ଷେତ୍ରକୁ କ୍ରିୟାଶୀଳ କରିବାରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାମାଜିକ ଏକତା ପାଇଁ ସାହିତ୍ୟ ବିନା ହୁଏତ ଆଉ କିଛି ଏମିତି ଶକ୍ତିଶାଳୀ ଅସ୍ତ୍ର ଏ ଦୁନିଆରେ ଥାଇ ନପାରେ । ଏହି କ୍ରମରେ ଆମେ କେତେକ ପବିତ୍ର ଧର୍ମଗ୍ରନ୍ଥ ତଥା ବେଦ,ବାଇବେଲ, କୋରାନ, ଗୁରୁ ଗ୍ରନ୍ଥ ସାହେବ ଇତ୍ୟାଦିକୁ ଅନୁଧ୍ୟାନ କଲେ ଏହାର ପରାକ୍ରମ ସହଜରେ ଅନୁମେୟ କରାଯାଇ ପାରେ । ଈଶ୍ୱରଙ୍କ ମୁଖ ନିସୃତ ବାଣୀ ହେଉ ଅଥବା ଋଷି ମୁନୀ ମାନଙ୍କର ସାଧନା ସିଦ୍ଧ ବ୍ରହ୍ମତତ୍ତ୍ୱ ଜ୍ଞାନ । ଏଗୁଡିକର ରଚନାତ୍ମକ ବିଷୟବସ୍ତୁ  ଏତେ ଉଚ୍ଚକୋଟୀର ଯାହାକି କୋଟି କୋଟି ଜନତାଙ୍କର ବିଶ୍ୱାସକୁ କେନ୍ଦ୍ରୀଭୂତ କରି ସମସ୍ତଙ୍କୁ ଶୃଙ୍ଖଳିତ ଏବଂ ପଵିତ୍ରମୟ ଭାଵଧାରାରେ ଏକତ୍ର ବାନ୍ଧି ରଖି ପାରିଛି ।  ଆମ ଭାରତୀୟ ସନାତନ ସଂସ୍କୃତିକୁ ଲକ୍ଷ କରାଯାଉ । ଏହା ମଧ୍ୟରେ ବିଭିନ୍ନ ଧର୍ମ ଉପଧର୍ମ ଅବଲମ୍ବି ଯଥା: ଜୈନ, ବୌଦ୍ଧ,ଶୈବ ଶାକ୍ତ ଓ ବୈଷ୍ଣବ ଇତ୍ୟାଦି ବିଭିନ୍ନ ବର୍ଗୀକୃତ ଲୋକ ମାନଙ୍କର ବେଳେବେଳେ ବିପକ୍ଷବାଦୀ ଭାବଧାରା ତଥା ଧର୍ମ ଉପାସନାରେ ମତଭେଦ ରହୁଥିଲେ ମଧ୍ୟ ବେଦ, ଉପନିଷଦ,ଶାସ୍ତ୍ର ଓ ପୁରାଣ ଆଦି ଧର୍ମଗ୍ରନ୍ଥ ମାନଙ୍କର ଅଦ୍ଭୁତ, ବିଚକ୍ଷଣ ଏବଂ ଅନବଦ୍ୟ ବର୍ଣ୍ଣନା ଯୋଗୁଁ  ଭାରତୀୟ ସଂସ୍କୃତିରେ ଥିବା ବିଭିନ୍ନତାକୁ ଏକିକୃତ କରି ଏକ ବା ଅଭିନ୍ନ ସନାତନ ସଂସ୍କୃତିର ରୂପରେଖ ପ୍ରଦାନ କରିବାରେ ସଫଳ ହେଇ ପାରିଛି ।  

         ଏବେ  ରାଜନୈତିକ କ୍ଷେତ୍ରରେ ସାହିତ୍ୟର ଭୂମିକାକୁ ଆଲୋଚନା କଲେ ଆମକୁ ପୁରାଣ ବା ଇତିହାସ ପୁଷ୍ଠାର ବର୍ଣ୍ଣିତ ରାଜା ମହାରାଜା ଏବଂ ସମ୍ରାଟ  ମାନଙ୍କର ଶାସନ ବ୍ୟବସ୍ଥାରେ କବି, ଗାଳ୍ପିକ, କଥାକାର, ନାଟ୍ୟକାର, ସଂଗୀତଜ୍ଞ, ପଣ୍ଡିତ ଏବଂ ବିଦ୍ୱାନ ମାନଙ୍କୁ କିପରି ଅଗ୍ରାଧିକାର ଦିଆଯାଉଥିଲା ତାହା ସହଜରେ ଜାଣିପାରିବା । ରାଜା ମହାରାଜା ମାନଙ୍କୁ ରାଜ କାର୍ଯ୍ୟରେ ସୁପରାମର୍ଶ ଦେବା ପାଇଁ ଏବଂ ରାଜ୍ୟରେ ସୁଶାସନ ପାଇଁ  ମନ୍ତ୍ରିମଣ୍ଡଳରେ ସୁସାହିତ୍ୟିକ ତଥା କବି, ଜ୍ଞାନୀ,ଗୁଣି ବିଦ୍ୱାନ ପଣ୍ଡିତ ମାନଙ୍କୁ ସ୍ଥାନ ଦିଆଯାଉଥିଲା । ଏହା ଦ୍ୱାରା ଶାସକ ସୁଚାରୁରୂପେ ରାଜ୍ୟ ଶାସନ କରିବା ସହିତ ପ୍ରଜାମାନେ ଅତି ଆନନ୍ଦରେ କାଳାତିପାତ କରୁଥିଲେ । ଏହାଛଡା ଭାରତର ସ୍ବାଧୀନତା ସଂଗ୍ରାମରେ କେତେକ ସଂଗ୍ରାମୀ କବି ବା ସାହିତ୍ୟିକଙ୍କ ଜାତୀୟତା ବୋଧକ ତଥା ଦେଶପ୍ରେମ ମୂଳକ ବୈପ୍ଳାତ୍ମକ କବିତା,ଗଳ୍ପ,ପ୍ରବନ୍ଧ,ସ୍ଲୋଗାନ ଇତ୍ୟାଦି ରଚନା ଯୋଗୁଁ ସାରା ଭାରତ ବର୍ଷରେ ବିଦେଶୀ ଇଂରେଜ ଶାସନ ବିରୋଧରେ ଜନ ଜାଗରଣ ସୃଷ୍ଟି ହୋଇ ପାରିଥିଲା । ଯାହାର ଫଳ ସ୍ୱରୂପ ଆଜିର ଏହି ସ୍ୱାଧୀନ ଏବଂ ସ୍ୱତନ୍ତ୍ର ଭାରତ ବର୍ଷ ।

         ଜ୍ଞାନ -ବିଜ୍ଞାନ, ଆନନ୍ଦ ଐଶ୍ୱର୍ଯ୍ୟ,ସୁଖ ସ୍ୱାଛନ୍ଦ,ଆମୋଦ ପ୍ରମୋଦ, ବ୍ୟତୀତ ସାମଜିକ, ଅର୍ଥନୈତିକ,ଦାର୍ଶନିକ ତଥା ମଣିଷର ନୀତିଦିନ ଜୀବନ ଚର୍ଯ୍ୟାରେ ସାହିତ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ତେଣୁ ପ୍ରତ୍ୟେକ ମାନବ ଜାତି/ସମାଜର ଭାଷା ଓ ସାହିତ୍ୟରେ ହିଁ ସେହି ଜାତି/ସମାଜର ସର୍ବାଙ୍ଗୀନ ଉନ୍ନତି ପ୍ରତିଫଳିତ ହୁଏ । ଆମ ଭାଷା ସାହିତ୍ୟର ଇତିହାସକୁ ଆଲୋଚନା କଲେ ସିଦ୍ଧ ମୁନି ସାରଳା ଦାସଙ୍କର ସାହିତ୍ୟିକ ଅବଦାନ ଓଡ଼ିଆ ମହାଭାରତ ହିଁ ଆମ ଜାତିର ପ୍ରାଣ ସ୍ୱରୂପ ।ପରବର୍ତ୍ତୀ ସମୟ ଅର୍ଥାତ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀର ପଞ୍ଚସଖା ଯୁଗରେ ମାହପୁରୁଷ ଜଗନ୍ନାଥ ଦାସଙ୍କର ଭାଗବତ, ବଳରାମ ଦାସଙ୍କର ଓଡ଼ିଆ ରାମାୟଣ ଓ ଦାଣ୍ଡି ରାମାୟଣ , ଅଚ୍ୟୁତାନନ୍ଦ ଦାସଙ୍କର ହରିବଂଶ , ଅନନ୍ତ ଦାସଙ୍କର ହେତୁଦୟ ଭାଗବତ ଏବଂ ଯଶୋବନ୍ତ ଦାସଙ୍କର ପ୍ରେମଭକ୍ତି ବ୍ରହ୍ମଗୀତା ଇତ୍ୟାଦି ଓଡ଼ିଆ ଜାତିକୁ ଦିବ୍ୟ ଏବଂ ବ୍ରହ୍ମଜ୍ଞାନର ଏକ ତତ୍ତ୍ୱମୟ ମାର୍ଗକୁ ନେଇଯାଇ ଏକ ଶୁଦ୍ଧ, ସତ୍ୟ, ସନାତନ ସମାଜ ଗଠନ କରିପାରିଥିଲେ।ଯାହା ଫଳରେ ଏହି ଜାତି ଆତ୍ମ ସଂଯମ, ଆତ୍ମ ସଂଯୋଗ,ଆତ୍ମ ଶୁଦ୍ଧି,ଆତ୍ମ ତ୍ୟାଗ ଏବଂ ଆତ୍ମ ସନ୍ତୋଷ ଭାବାପର୍ଣ୍ଣ ହୋଇ ଆଧ୍ୟାତ୍ମିକ ସଂସ୍କୃତିର ଏକ ମହାନ ଏବଂ ସ୍ୱତନ୍ତ୍ର ସମାଜିକ ପରିଚୟ ସୃଷ୍ଟି କରିପାରିଥିଲା । ଏହାପରେ ଯେଉଁ ସାହିତ୍ୟିକ ବା କବି ତଥା ଦୀନକୃଷ୍ଟ, ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ବଳଦେବ ରଥ,ହାସ୍ୟରସିକ ଯଦୁମଣି, ଗୋପାଳକୃଷ୍ଣ ଆଦି କେତେକ ମାହାନ ସାହିତ୍ୟସାରଥୀ ମାନଙ୍କର ସୃଷ୍ଟି ଆମ ଓଡ଼ିଆ ଜାତିର ମୌଳିକ ବୈଶିଷ୍ଟ୍ୟକୁ ପୂର୍ଣ୍ଣ ପ୍ରକାଶ କରିବା ସହିତ ଆମ ଜାତିର ପ୍ରକୃତ ସଂଜ୍ଞାସ୍ୱରୂପ ପ୍ରଦାନ କରି ମଣିଷ ସମାଜରେ ଓଡ଼ିଆ ଜାତିକୁ ଏକ ପ୍ରତିଷ୍ଠିତ ସମାଜ ରୂପେ ପ୍ରତିପାଦିତ କରି ପାରିଛନ୍ତି । ପରବର୍ତ୍ତୀ କାଳ ତଥା ଉନବିଂଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ମଧ୍ୟରେ ଉତ୍କଳ ମାଟିରେ ଜନ୍ମ ଗ୍ରହଣ କରିଥିବା କେତେଜଣ ପ୍ରଜ୍ଞା ପୁରୁଷ ମାନଙ୍କ ମଧ୍ୟରେ ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର,  ଗୋପବନ୍ଧୁ ଦାସ, ନନ୍ଦକିଶୋର ବଳ, କୁନ୍ତଳା କୁମାରୀ ସାବତ, ଲକ୍ଷ୍ମୀକାନ୍ତ ମହାପାତ୍ର, ମଧୁସୂଦନ ଦାସ ,ବାଞ୍ଛାନିଧି ମହାନ୍ତି ଆଦି କବି ସାହିତ୍ୟିକ ମାନଙ୍କର କାବ୍ୟ, କବିତା, ଗଳ୍ପ, ନାଟକ, ଉପନ୍ୟାସ ଇତ୍ୟାଦି ଓଡ଼ିଆ ଜାତିକୁ ଦାର୍ଶନିକ ମନସ୍ତାତ୍ତ୍ୱିକ, ପ୍ରାକୃତିକ ଓ ସାଂସ୍କୃତିକ ଦୃଷ୍ଟିକୋଣରେ ଅଧିକ ପରିପୃଷ୍ଟ କରିବା ସହିତ ଏହି ଜାତିର ପ୍ରାଣରେ ଜାତୀୟତାବୋଧକ ଓ ଦେଶାତ୍ମବୋଧକ ଚେତନା ଉଦ୍ରେକ କରି ପାରିଥିଲେ । ଏହି ସମୟରେ ଆରମ୍ଭ ହେଇଥିଲା ଭାଷା ଆନ୍ଦୋଳନ । ଆମ ରାଜ୍ୟର ତିନି ପାର୍ଶ୍ଵରୁ ଆରମ୍ଭ ହୋଇଥିବା ପଡ଼ୋଶୀ ଭାଷାଭାଷି ଲୋକଙ୍କର କୂଟ ଚକ୍ରାନ୍ତକୁ ପଣ୍ଡ କରି ସର୍ବ ଶେଷରେ ଭାରତ ବର୍ଷରେ ଭାଷା ଭିତ୍ତିକ ପ୍ରଥମ ସ୍ୱତନ୍ତ୍ର ରାଜ୍ୟରେ ଗଢ଼ି ତୋଳିବା ପାଇଁ ଫକୀର ମୋହନଙ୍କ ଠାରୁ ଆରମ୍ଭ କରି ମଧୁସୂଦନ ଦାସ ପର୍ଯ୍ୟନ୍ତ ସାହିତ୍ୟିକ ମାନଙ୍କର ଅକ୍ଳାନ୍ତ ପରିଶ୍ରମ ଆମ ଜାତି କେମିତି ବା ଭୁଲି ପାରିବ ?

       ମଣିଷ ସମାଜ ଆଜି ବିଜ୍ଞାନକୁ ପାଥେୟ କରି ଅତ୍ୟାଧୁନିକ ଯୁଗରେ ପାଦ ଦେଇଥିବାର ଗର୍ବ କରେ । ବର୍ତ୍ତମାନ ସମାଜର ପ୍ରତି କ୍ଷେତ୍ରକୁ ଆଉଥରେ ଅନୁଧ୍ୟାନ କରଯାଉ । ଦେଖିବା ସବୁରି ମୂଳରେ ସାହିତ୍ୟ । କୃଷି ହେଉ କିମ୍ବା ଚିକିତ୍ସା, ମନୋରଞ୍ଜନ ହେଉ ଅଥବା ଧର୍ମ ଆଲୋଚନା ସମସ୍ତ ଦିଗରେ ଭାଷା ଓ ସାହିତ୍ୟର ନିବିଡ଼ ସମ୍ପର୍କ । ତେବେ ସାହିତ୍ୟ ସମାଜର ବହୁବିଧ କଲ୍ୟାଣ କରୁଥିବା ବେଳେ ସାହିତ୍ୟର ସ୍ରଷ୍ଟା ଜଣେ ସାହିତ୍ୟିକ ସମାଜର ଶ୍ରେଷ୍ଠ ସେବକ ନୁହେଁତ ଆଉ କ'ଣ ? କେତେକ କ୍ଷେତ୍ରରେ ସାହିତ୍ୟର କୁପରିଣାମ ସାମ୍ନାକୁ ଆସିଥାଏ ।ଯେତେବେଳେ ସାହିତ୍ୟ ସମାଜର ଅମଙ୍ଗଳ କରିଥାଏ ତେବେ ତାହାକୁ କୁସାହିତ୍ୟ ଏବଂ ସେହି ସାହିତ୍ୟର ସ୍ରଷ୍ଟାଙ୍କୁ କୁସାହିତ୍ୟିକ କହିବା । ତେଣୁ ଏହି କ୍ରମରେ ସମାଜର ମଙ୍ଗଳକାମନା କରି ଏତିକି ଆଶା କରିବି ଉତ୍କଳ ସାହିତ୍ୟରେ କୁସାହିତ୍ୟର କଳଙ୍କ ନଲାଗୁ ଏବଂ ସମାଜର ସର୍ବାଙ୍ଗ ଉନ୍ନତୀରେ ଅହର୍ନିଶି କାମ କରୁଥିବା କବି, ଗାଳ୍ପିକ , ଲେଖକ ,ନାଟ୍ୟକାର ସ୍ତମ୍ଭକାର ଇତ୍ୟାଦି ସାହିତ୍ୟିକ ମାନଙ୍କୁ ଶ୍ରେଷ୍ଠ ସମାଜ ସେବକ ଭାବେ ପ୍ରକୃତ ସମ୍ମାନ ମିଳିବା ସହିତ ସେମାନଙ୍କର ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ ସରକାର ଯତ୍ନବାନ ହେବା ଉଚିତ । 

  ବଇଁଞ୍ଚା,ଇରମ,ଭଦ୍ରକ
            ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।