1/31/2023

ଟୀକା ଗୋବିନ୍ଦଚନ୍ଦ୍ର : ଏକ ଦୃଷ୍ଟିପାତ

ଡଃ. ବିଷ୍ଣୁପ୍ରିୟା ଦାସ
ଷୋଡ଼ଶ ଶତାବ୍ଦୀରେ ଉତ୍କଳର ସାଂସ୍କୃତିକ , ଧାର୍ମିକ , ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରା ତଥା ଜନ ମାନସରେ କ୍ରାନ୍ତିକାରୀ ଉଦ୍ବେଳନ ଆଣିଥିବା ଅଗ୍ରଗଣ୍ୟ ସିଦ୍ଧ ପୁଞ୍ଜ ଥିଲେ ପଞ୍ଚସଖା ଯାହାଙ୍କୁ ଉତ୍କଳୀୟମାନେ ଆଜି ବି ସେମାନଙ୍କ ଚାହାଣି, ଚଳଣି ଓ ଜୀବନଧାରାରେ ପ୍ରେମ, ଭକ୍ତି ଓ ସମ୍ମାନର ସହିତ ଉଜ୍ଜୀବିତ କରି ରଖିଛନ୍ତି । ମହାପୁରୁଷ ଅଚ୍ଯୁତାନନ୍ଦ, ଅନନ୍ତ, ଯଶୋବନ୍ତ, ଜଗନ୍ନାଥ ଓ ବଳରାମ ଆଜି ପ୍ରତି ଓଡ଼ିଆଙ୍କର ପ୍ରାତଃ ସ୍ମରଣୀୟ ନାମ ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସ୍ବଅଂଶ ଭାବରେ ନିତ୍ୟ ପୂଜିତ । ସେମାନଙ୍କ ଉଦ୍ଦେଶ୍ୟରେ ଉଚ୍ଚାରିତ ହୁଏ -

ନମସ୍ତେ ଅଚ୍ୟୁତାନନ୍ଦାୟ ନମସ୍ତେ ଜଗନ୍ନାଥାୟ ।
ନମୋ ଯଶୋବନ୍ତାନନ୍ତ ବଳରାମ ନମୋ ନମଃ ।।
      ମହାବ୍ରହ୍ମ ନିର୍ବିକଳ୍ପ ପୂର୍ଣ୍ଣାନନ୍ଦମୟ ହରି ।
 ସର୍ବ ଭୂତେ ଯଃ ଅଚ୍ଯୁତ ତସ୍ୟ ପାଦେ ନମାମ୍ୟହମ୍ ।।

ବିଷୟବସ୍ତୁର ପ୍ରାରମ୍ଭରେ ପଞ୍ଚସଖାଙ୍କ ବିଷୟରେ କିଞ୍ଚିତ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ଯେ ଅନ୍ୟତମ ପଞ୍ଚସଖା ବଳରାମ ଦାସଙ୍କ ଦ୍ୱାରା ପ୍ରଣୀତ ‘ଲକ୍ଷ୍ମୀ ପୁରାଣ’ ଯେପରି ପ୍ରତି ଓଡ଼ିଆ ଘରର ଅତି ପରିଚିତ ଏକ କାଳଜୟୀ ପୋଥି, ସେହିପରି ଅନ୍ୟତମ ପଞ୍ଚସଖା ଯଶୋବନ୍ତ ଦାସଙ୍କ ଦ୍ୱାରା ଷୋଡ଼ଶ ଶତାବ୍ଦୀରେ ପ୍ରଣୀତ ଟୀକା ଗୋବିନ୍ଦଚନ୍ଦ୍ର ଭାବ, ଭାଷା ଓ ସଂଗୀତମୟତାରେ ଋଦ୍ଧିମନ୍ତ ଏକ କାଳଜୟୀ ସାରସ୍ବତ ସ୍ଫୁରଣ । ଆଜିକୁ ଦୀର୍ଘ ପାଞ୍ଚଶହ ବର୍ଷ ପରେ ମଧ୍ୟ ଉତ୍କଳୀୟ ଜନମାନସରେ ଗୁଞ୍ଜରିତ ହୋଇ ଆସୁଛି  “ଭଜୁ କି ନା ରାମ ନାମରେ କୁମର ଜପୁ କି ନା ରାମ ନାମ / ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ” - ଟୀକା ଗୋବିନ୍ଦଚନ୍ଦ୍ରର ଆଦ୍ୟ ପଦ । ଲେଖିକାଙ୍କର ବାଲ୍ୟ ସ୍ମୃତିରେ ଝଲସି ଉଠେ ଏକ ନିତିଦିନିଆ ସାଧାରଣ ଗ୍ରାମୀଣ ଦୃଶ୍ୟ - ନିରାଡ଼ମ୍ବର ଗେରୁଆ ବସ୍ତ୍ର ପରିହିତ, ହାତରେ କେନ୍ଦରା ଓ ଲାଉତୁମ୍ବା ଧରି ଯୋଗୀ ଜଣେ ଭିକ୍ଷାର୍ଥେ ଗାଁ ଗାଁ ବୁଲୁଛନ୍ତି ଓ କେନ୍ଦରାର ମୂର୍ଚ୍ଛନାରେ ତୋଳି ଧରୁଛନ୍ତି ଟୀକା ଗୋବିନ୍ଦଚନ୍ଦ୍ରର ଲଳିତ ପଦାବଳୀ ।

ଉତ୍କଳୀୟ ଲୋକ ସାହିତ୍ୟର ଏକ ପରମ କାବ୍ୟିକ କୃତୀ ଭାବରେ ଟୀକା ଗୋବିନ୍ଦଚନ୍ଦ୍ର ଆଦୃତ । କେତେକ ସାରସ୍ବତ ରଚନା ଅତ୍ୟନ୍ତ କ୍ଷଣସ୍ଥାୟୀ । ସେଗୁଡିକ ଲୋକଙ୍କ ହୃଦୟକୁ ଛୁଇଁପାରେ ନାହିଁ । କାରଣ ଦୀର୍ଘସ୍ଥାୟୀ କାବ୍ୟିକ ସୃଷ୍ଟିର ଲକ୍ଷଣ ହେଲା ବୁଦ୍ଧିଦୀପ୍ତତା, ସଂଗୀତମୟତା ଓ ଚିତ୍ରଧର୍ମିତାର ସହାବସ୍ଥାନ । ସାହିତ୍ୟ ଜନ-ଜୀବନ ସହିତ ମାର୍ମିକ ସଂବନ୍ଧ ରଖିପାରିଲେ ତାହା ଏକ ଅନିର୍ବଚନୀୟ ଭାବ-ସଂପଦରେ ଭରା ସାଂସ୍କୃତିକ ଛନ୍ଦ ଓ ସ୍ପନ୍ଦନ ପାଲଟିଯାଏ ଯାହାର ଅସ୍ତିତ୍ୱ ଚିରସ୍ଥାୟୀ । ଏହି ହେତୁରୁ ଦୀର୍ଘ ପାଞ୍ଚଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଉତ୍କଳୀୟ ମହାଜାତିକୁ ଉଦ୍‌ବୁଧ କରି ଆସୁଥିବା ଟୀକା ଗୋବିନ୍ଦଚନ୍ଦ୍ର, ସିଦ୍ଧ ସାଧକ ପଞ୍ଚସଖା ଯଶୋବନ୍ତ ଦାସଙ୍କର ଏକ ମହାର୍ଘ କୃତି । ଏଥିରେ ଦ୍ୱିରୁକ୍ତି ନାହିଁ ।

ଆଲୋଚ୍ୟ ଯଶୋବନ୍ତ ଦାସଙ୍କ କାବ୍ୟିକ ରଚନାରେ ବର୍ଣ୍ଣିତ କଥାବସ୍ତୁ ନାଥ ସାହିତ୍ୟରେ ଥିବା ରାଣୀ ମୁକ୍ତା ଦେଈ ଓ ତାଙ୍କ ଏକମାତ୍ର ପୁତ୍ର ରାଜା ଗୋବିନ୍ଦଚନ୍ଦ୍ରଙ୍କ ପ୍ରସଙ୍ଗ ଉପରେ ଆଧାରିତ । ଏହି ପ୍ରସଙ୍ଗର କାହାଣୀ ଅନୁଯାୟୀ ବଙ୍ଗ ଦେଶର ରାଜପୁତ୍ର ହେଲେ ଗୋବିନ୍ଦଚନ୍ଦ୍ର । ତାଙ୍କର ପିତା ହେଲେ ରାଜା ମାଣିକଚନ୍ଦ୍ର । ମାତା ହେଲେ ମୁକ୍ତା ଦେଈ ଯିଏ କି ଅନେଶ୍ୱତ ଗଣ୍ଡା ରାଣୀଙ୍କ ମଧ୍ୟେ ଥିଲେ ପାଟରାଣୀ । ସବୁ ରାଣୀ ଥିଲେ ଅପୁତ୍ରିକ । ଅପୁତ୍ରିକ ନାରୀର ମୁହଁ ଚାହିଁବା ପାପ ଜାଣି ରାଜା ମାଣିକଚନ୍ଦ୍ର ଅତ୍ୟନ୍ତ କ୍ଷୁବ୍ଧ ହୋଇ ମୁକ୍ତା ଦେଈଙ୍କୁ ନିମ୍ବବଣରେ ଥିବା ଏକ ଅଶ୍ୱଶାଳାରେ ବନ୍ଦୀ ଜୀବନ ବିତାଇବା ପାଇଁ ଆଦେଶ ଦେଲେ । ରାଣୀ ବାର ହୀନସ୍ତା ହୋଇ ସମୟ ବିତାଇଲେ । ଦୁଇମୁଠା ବଗଡା ଚାଉଳର ଭାତ ଓ କଳମ ଶାଗ ଖାଇ ଜୀବନ ରକ୍ଷା କରିବାକୁ ପଡୁଥିଲା ପାଟରାଣୀଙ୍କୁ । ଗୁରୁ ଗୋରଖନାଥଙ୍କୁ ନିରନ୍ତର ସ୍ମରଣ କରି ମୁକ୍ତା ଦେଇ କାଳ କାଟିଲେ । ରାଜାଙ୍କର ଉପେକ୍ଷା ଜନିତ ମାନସିକ ଅବସାଦ ସାଙ୍ଗକୁ ଶାରୀରିକ କଷ୍ଟର ତାଡନା ବେଳୁ ବେଳ ଅସହ୍ୟ ହେବାରୁ ମୁକ୍ତା ଦେଇ ଏକ ବିଶ୍ୱସ୍ତ ଡଗର ହାତରେ ଖବର ଦେଲେ ନିଜ ମାତା ମୌନାବତୀଙ୍କ ପାଖକୁ । ମୁକ୍ତାଦେଈଙ୍କ ପିତା ହେଉଛନ୍ତି ଲାଉଚନ୍ଦ୍ର ରାଜା । ନିଜ କନ୍ୟାର ଏପରି ଦୁର୍ଦ୍ଦଶା ଜାଣି ରାଜା ଲାଉଚନ୍ଦ୍ର ଏକ ଲକ୍ଷ ମାଢ ସୁନା ମୁକ୍ତାଦେଈଙ୍କ ନିକଟକୁ ପଠାଇଲେ । ଏହି ବିପୁଳ ଧନ ଦ୍ୱାରା ମୁକ୍ତାଦେଈ ରାଜା ମାଣିକଚନ୍ଦ୍ରଙ୍କର ଉଆସ ଭଳି ଅବିକଳ ଏକ ଉଆସ ତୋଳାଇ ସେଥିରେ ସୈନ୍ୟ-ସାମନ୍ତ, ଦାସ-ଦାସୀ, ପୋଇଲି-ପରିବାରୀ, ଅଶ୍ୱ, ଗଜ ଆଦିର ବ୍ୟବସ୍ଥା କରି ପୂର୍ବ ସ୍ଥିତିକୁ ଫେରିଆସି ରାଣୀଭଳି ରହିଲେ । ଦୈବାତ୍ ରାଜା ମାଣିକଚନ୍ଦ୍ର ପାରିଧି କରିବାକୁ ଆସି ଏପରି ଉଆସର ସ୍ଥିତି ଜାଣି ବିସ୍ମିତ ହେଲେ । ମନ୍ତ୍ରୀଙ୍କ ଠାରୁ ଜାଣିପାରିଲେ ଯେ ସେ ଉଆସ ହେଉଛି ମୁକ୍ତାଦେଈଙ୍କର । ପ୍ରଶଂସା କରିବା ପରିବର୍ତ୍ତେ କୁଳଟା ବୋଲି ଭର୍ତ୍ସନା କଲେ ମୁକ୍ତାଦେଈଙ୍କୁ । ସତୀତ୍ୱର ପରୀକ୍ଷା କରିବାକୁ ଯାଇ ରାଣୀ ସାତ ଦିନ ସାତରାତି ଜଳନ୍ତା ଅଗ୍ନିକୁଣ୍ଡରେ ରହି ଅକ୍ଷୁର୍ଣ୍ଣ ଭାବରେ ସେଥିରୁ ବାହାରି ନିଜ ସତୀତ୍ୱର ପରାକାଷ୍ଠାରେ ରାଜାଙ୍କୁ ବିମୋହିତ ଓ ବିସ୍ମିତ କରିପାରିଲେ । ମହାଯୋଗୀ ଶିବ ଓ ମାତା ପାର୍ବତୀଙ୍କୁ ଆରାଧନା କରି ଗୋବିନ୍ଦଚନ୍ଦ୍ରଙ୍କୁ ପୁତ୍ର ଭାବରେ ପ୍ରାପ୍ତ ହେଲେ । କିନ୍ତୁ ବିଡମ୍ବନାର କଥା ହେଲା ଯେ ଗୋବିନ୍ଦଚନ୍ଦ୍ରଙ୍କର ଆୟୁସୀମା ଥିଲା ମାତ୍ର ଏକୋଇଶି ବର୍ଷ । ଏ କଥା ରାଣୀ ମୁକ୍ତାଦେଈ ସାକ୍ଷାତ ଯମ ଦରବାରକୁ ଯାଇ ଚିତ୍ରଗୁପ୍ତଙ୍କ ପାଞ୍ଜିରୁ ଜାଣିବାକୁ ପାଇଥିଲେ । ଏକୋଇର ବଳା ଗୋବିନ୍ଦଚନ୍ଦ୍ର ଯେ ସ୍ବଳ୍ପାୟୁ ! ଏହା ଜାଣି ତାଙ୍କର ଛାତି ଯନ୍ତ୍ରଣାରେ ବିଦୀର୍ଣ୍ଣ ହୋଇଗଲା । ୨୧ ବର୍ଷ ପୂରିବା ପୂର୍ବରୁ ଗୋବିନ୍ଦଚନ୍ଦ୍ର ଅନେଶ୍ୱତ ରାଣୀଙ୍କୁ ବିବାହ କରି ସାରିଥିଲେ । ମାତା ହିସାବରେ ମୁକ୍ତାଦେଈ ଚାହିଁଲେ ଗୋବିନ୍ଦଚନ୍ଦ୍ର ଯୋଗସିଦ୍ଧ ହୋଇ ଦୀର୍ଘାୟୁ ଆଉ ସେ ଯୋଗୀ ହୁଅନ୍ତୁ ; ଏକ ବ୍ରହ୍ମନିଷ୍ଠ ଜୀବନ ଯାପନ କରନ୍ତୁ ; ମାୟା ଫାଶକୁ ଛିନ୍ନ କରି ଅଜ୍ରାମର ହୁଅନ୍ତୁ । ମାଆ ମୁକ୍ତାଦେଈ କେବଳ ଚାହୁଁଥିଲେ ଯୋଗଶକ୍ତି ଦ୍ୱାରା ସିଦ୍ଧ ହୋଇ ଦୀର୍ଘାୟୁ ହେଉ ତାଙ୍କ ପୁତ୍ର ଯଦ୍ଦ୍ୱାରା ତାଙ୍କ ବୋହୂରାଣୀମାନଙ୍କର ମଥାରେ ସିନ୍ଦୂର ଚିରଦିନ ପାଇଁ ଝଲସିବ ।

ମାତାଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାଦର ମହିମା ଉପଲବଧି କରି ଗୋବିନ୍ଦଚନ୍ଦ୍ର ମହାସିଦ୍ଧ ଯୋଗୀ ହାଡ଼ିପାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ଆହାର-ନିଦ୍ରା, କ୍ଷୁଧା-ତୃଷା, ଭୋଗ-ବାସନା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି କୃଚ୍ଛ୍ର ସାଧନାରେ ବ୍ରତୀ ହେଲେ । ବହୁ ଅଲୌକିକ ଶକ୍ତି ଓ ଜ୍ଞାନର ଅଧିକାରୀ ହାଡିପା ଥିଲେ ନୀଚ କୁଳରେ ଜାତ ଜଣେ ଶୂଦ୍ର । ସେ ଥିଲେ ସର୍ବଜ୍ଞାତା, ମହାପୁଣ୍ୟବନ୍ତ । ଗୋବିନ୍ଦଚନ୍ଦ୍ର ଗୁରୁ ହାଡ଼ିପାଙ୍କ ସହିତ ଦୀର୍ଘ ଚାରିବର୍ଷ ଯୋଗସାଧନାରେ ଲିପ୍ତ ରହି ମହାଯୋଗୀ ହୋଇ ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ କେବଳ ଗୁରୁ-ଗୋବିନ୍ଦଙ୍କ ସେବାରେ ନିୟୋଜିତ କରି ମାନବଜାତି ପାଖରେ ସ୍ମରଣୀୟ ହୋଇ ରହି ଯାଇଛନ୍ତି ।

ପାଦୁକା ମନ୍ତ୍ରର ସାଧନା ବଳରେ ଶୂନ୍ୟରେ ଉଡ଼ିପାରୁଥିଲେ ଯୋଗୀ ଗୋବିନ୍ଦ । ଅନ୍ନପୂର୍ଣ୍ଣା ମନ୍ତ୍ରର ସାଧନା ବଳରେ ନାନା ବ୍ୟଞ୍ଜନ ପ୍ରସ୍ତୁତ କରିପାରୁଥିଲେ ଯୋଗୀ ଗୋବିନ୍ଦ । କାମନା ମନ୍ତ୍ର, ଅମର ମନ୍ତ୍ରକୁ ଆୟତ୍ତ କରି ଅମରମୂଳ ଖାଇ ଦୀର୍ଘଜୀବି ହୋଇ ପାରିଲେ ଯୋଗୀ ଗୋବିନ୍ଦ । ସାଧନା ବଳରେ ଯମପୁର, ଇନ୍ଦ୍ରପୁର, କୁବେରପୁର ଆଦି ଭ୍ରମଣ କରିଥିଲେ ଯୋଗୀ ଗୋବିନ୍ଦ । ଯୋଗ-ସାଧନାର ଅମାପ ସାମର୍ଥ୍ୟ ବିଷୟରେ ମୁକ୍ତାଦେଈଙ୍କୁ ଜ୍ଞାତ ଥିବାରୁ ଏବଂ ନିଜେ ମଧ୍ୟ ଗୁରୁ ଗୋରଖନାଥଙ୍କ ପାଖରେ ସମର୍ପିତ ହୋଇଥିବାରୁ ସେ ସ୍ଥିର ନିଶ୍ଚିତ ଥିଲେ ଯେ ତ୍ରିତାପ ଜନିତ ପ୍ରମାଦକୁ ଅତିକ୍ରମ କରିବାକୁ ହେଲେ ଯୋଗାମାର୍ଗ ହିଁ ଏକ ମାତ୍ର ଶ୍ରେୟ ବା ଶ୍ରେଷ୍ଠ ମାର୍ଗ । ତେଣୁ ଏକମାତ୍ର ପୁତ୍ର ଗୋବିନ୍ଦଚନ୍ଦ୍ରଙ୍କୁ ଯୋଗୀ ହେବା ପାଇଁ ମାଆ ହିସାବରେ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ।

ମୋଟାମୋଟି ଭାବରେ ଗୋବିନ୍ଦଚନ୍ଦ୍ରଙ୍କ ବାବଦରେ ଏଇ କାହାଣୀ ଓଡ଼ିଶାର ପୁରପଲ୍ଲୀର ଜନମାନସକୁ ରଂଜିତ କରିଆସୁଛି । ତେବେ ବିଶେଷ କରି ପଞ୍ଚସଖା ମହାପୁରୁଷ ଯଶୋବନ୍ତ ଦାସଙ୍କ ରଚିତ ଅତି ଲୋକପ୍ରିୟ ଟୀକା ଗୋବିନ୍ଦଚନ୍ଦ୍ର ଏକ ସାରସ୍ବତ ସୃଜନ ହିସାବରେ ଅନେକ ଦୃଷ୍ଟିକୋଣରୁ ବିଚାରର ଅପେକ୍ଷା ରଖେ , ଓଡ଼ିଶାର ପ୍ରାତଃ ସ୍ମରଣୀୟ ପଞ୍ଚସଖାମାନେ ଥିଲେ ସିଦ୍ଧ ଯୋଗୀ, ସାଧକ ଓ ସନ୍ଥ । ତାଙ୍କ ଦ୍ୱାରା ସୃଷ୍ଟ ସାହିତ୍ୟ ହିଁ  ସନ୍ଥ ସାହିତ୍ୟ ପର୍ଯ୍ୟାୟଭୁକ୍ତ । ଜଣେ ସନ୍ଥ କବିଙ୍କର ସ୍ବଭାବ ହେଲା ଲୋକସାହିତ୍ୟ ମାଧ୍ୟମରେ ଲୋକଚେତନାକୁ ଊଦ୍ଧ୍ୱର୍ମୁଖୀ କରି ବିଶ୍ୱର ତଥା ବିଶ୍ୱବାସୀଙ୍କର ମୁକ୍ତି କାମନା କରିବା । ଆମ ଓଡ଼ିଶାର ପଞ୍ଚସଖା ମାନଙ୍କ ଲେଖନୀରୁ ଝରିଆସିଥିବା ଅସଂଖ୍ୟ ସାରସ୍ବତ ସୃଷ୍ଟି ସମ୍ଭାର ସମାଜ-ସଂସ୍କୃତିର ସୁରକ୍ଷାରେ ତଥା ଆଧ୍ୟାତ୍ମିକ ଜାଗରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସେମାନଙ୍କୁ ବାଦ୍ ଦେଲେ ଜଣେ ଓଡ଼ିଆ ସାଂସ୍କୃତିକ, ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ନିଜର ମୌଳିକ ପରିଚୟ ହରାଇ ବସିବ ।

ଆଲୋଚ୍ୟ ଟୀକା ଗୋବିନ୍ଦଚନ୍ଦ୍ର ସନ୍ଥ ସାହିତ୍ୟର ଅନ୍ତର୍ଭୁକ୍ତ । ଏହା ଲୋକ କବିତାର ସରଳ, ତରଳ ଛନ୍ଦର ଲାଳିତ୍ୟ ବହନ କରି କାହାଣୀଧର୍ମିତାର ଆଶ୍ରୟରେ ଗତିଶୀଳ । ଆଙ୍ଗିକ ଦୃଷ୍ଟିରୁ ବିଚାର କଲେ ଏହି କବିତାଟି ଆଜିକାର କାବ୍ୟିକ ରୂପ ଓ ଧାରା ଦୃଷ୍ଟିରୁ ଅପେକ୍ଷାକୃତ ଦୀର୍ଘ । ଏଥିରେ ଅଛି ସୁଲଳିତ ସ୍ବରାବଦ୍ଧ ଅଠାବନଟି ପଦ । ପ୍ରତି ପଦରେ ଦୁଇଟି ଧାଡ଼ି । ପ୍ରତି ଧାଡ଼ିରେ ଅଛି କୋଡିଏଟି ଅକ୍ଷର । ଏହାକୁ ଏକ ଦୀର୍ଘ କବିତା ବା କ୍ଷୁଦ୍ର କାବ୍ୟ କୁହାଯାଇ ପାରିବ । ଗ୍ରାମ୍ୟ ଜୀବନର କଳାତ୍ମକ ତଥା ସାଙ୍ଗୀତିକ ମହଲରେ ଆଦୃତ ବାଦ୍ୟଯନ୍ତ୍ର ହେଲା କେନ୍ଦରା ଯାହାର ଝଙ୍କାରରେ ମୁଖ୍ୟତଃ ଏକ ଅନିର୍ବଚନୀୟ ମଧୁର-କରୁଣ ମୂର୍ଚ୍ଛନା ଝରିଆସେ । ତାହା ମନ ଓ ଆତ୍ମାକୁ ବେଶ୍ ଛୁଇଁଯାଏ । ସେଇ କେନ୍ଦରାର ଝଙ୍କାରରେ ସୁର ଓ ତାଳକୁ ବାନ୍ଧି ଯୋଗୀଟିଏ ଗ୍ରାମରୁ ଗ୍ରାମ ବୁଲି ଟୀକା ଗୋବିନ୍ଦଚନ୍ଦ୍ରର ଲଳିତ ପଦାବଳୀକୁ ଗାନ କରିବାର ଦୃଶ୍ୟ ଆଜି ବି ଉତ୍କଳୀୟ ମାନସରେ ଉଜ୍ଜ୍ୱୀବିତ ।

ପଞ୍ଚସଖା ମହାପୁରୁଷ ଯଶୋବନ୍ତ ଦାସ ନାଥ ସାହିତ୍ୟର ପ୍ରସଙ୍ଗରେ ଥିବା ଗୋବିନ୍ଦଚନ୍ଦ୍ର ବୃତ୍ତାନ୍ତକୁ ଏକ ସ୍ବତନ୍ତ୍ର ପରିପାଟୀ ପ୍ରଦାନ କରି ଟୀକା ଗୋବିନ୍ଦଚନ୍ଦ୍ର ରଚନା କରିଛନ୍ତି । ବିଷୟ ଦୃଷ୍ଟିରୁ ମୂଳ କାହାଣୀ ଅଭିନ୍ନ ହେଲେ ବି କାବ୍ଯିକ ଉପସ୍ଥାପନାର ପ୍ରତି ଛତ୍ରେ ଛତ୍ରେ ଉତ୍କଳୀୟ ଗ୍ରାମୀଣ ଧାର୍ମିକ ଚଳଣିକୁ ସ୍ଥାନିତ କରିଛନ୍ତି । ଉତ୍କଳୀୟ ନାରୀଟିଏ ସନ୍ତାନବତୀ ହେବା ପାଇଁ କେତେ ଯେ ବ୍ରତ, ଉପାସନା କରିଥାଏ ତାହାର ଏକ ନିଚ୍ଛକ ବର୍ଣ୍ଣନା କବି ପଦ ସଂଖ୍ୟା ୧୫ରୁ ୨୨ ମଧ୍ୟରେ ମାଆ ମୁକ୍ତାଦେଈଙ୍କ କଣ୍ଠରେ ପ୍ରଦାନ କରି ଗାଇଛନ୍ତି :-
ତୋହରି ପାଇଁକି କୁମର ମଣିରେ କେତେ କଷ୍ଟ କରିନାହିଁ ।
ଦାଣ୍ଡ ଖରକଇ ଚଉରା ଲିପଇ ଶତ ପୁତ୍ର ହେବାପାଇଁ ।ା ୧୫ାା
ତୋହରି ପାଇଁକି କୁମର ମଣିରେ ଚୈତ୍ର ମଙ୍ଗଳବାର ।
ବାରବର୍ଷ ପରିଯନ୍ତେ ରେ କୁମର ବସି ଜାଳଇ ଜାଗର ।ା୧୬ାା
ତୋହରି ପାଇଁକି କୁମର ମଣିରେ ଦାଣ୍ଡେ ପନ୍ଥାଇ ପୂଜିଲି ।
ତୋହରି ପାଇଁକି କୁମର ମଣିରେ ଶ୍ରୀପୁରୁଷୋତ୍ତମ ଗଲି ।ା ୧୭ାା
ତୋହରି ପାଇଁକି କୁମର ମଣିରେ ଭୁବନେଶ୍ୱରକୁ ଗଲି ।
ଭୁବନେଶ୍ୱରରେ ମରୀଚି କୁଣ୍ଡରେ ତହିଁ ସ୍ନାହାନ ସାରିଲି ।ା୧୮ାା
ସ୍ନାହାନ ସାରିଣ କୁମର ମଣିରେ ବଡ଼ଦେଉଳେ ପଶିଲି ।
ବଡ଼ଦେଉଳରେ ବଡ଼ ଲିଙ୍ଗରାଜ ତାହାଙ୍କୁ ଦର୍ଶନ କଲି ।ା୧୯ାା
ଯୋଡ଼ା ଯୋଡ଼ା କରି ଶହେ ଯୋଡ଼ା ନୀର ଈଶ୍ୱର ଶିରେ ଢାଳିଲି ।
ଲକ୍ଷେ ବେଲପତ୍ର ଦି' ଲକ୍ଷ ଗୟଶ ଶମ୍ଭୂ ଶିରେ ଚଢାଇଲି ।ା୨୦ାା
ଅରୁଆ ଚାଉଳ କଞ୍ଚାକ୍ଷୀର ଦେଇ ପାର୍ବତୀଙ୍କୁ ପୂଜା କଲି ।
ଗୋଟି ଗୋଟି କରି କୋଟି ଗୋଟି ଚମ୍ପା ଶମ୍ଭୂଶିରରେ ମୁଁ ଦେଲି ।ା୨୧ାା
ଅତି ଭକ୍ତି ଭରେ ଶୋଇଲଇଁ ମୁହିଁ ତାହାଙ୍କର ପାଦ ଗତେ ।
ଈଶ୍ୱର ପାର୍ବତୀ ଦୁହେଁ ବର ଦେଲେ ଗର୍ଭରେ ଧଇଲି ତୋତେ ।ା୨୨ାା

ସାଂସାରିକ ଜୀବନରେ ଛନ୍ଦି ହୋଇ ଉତ୍ତମ ସନ୍ତାନଟିଏ ପାଇବା ପାଇଁ ଉତ୍କଳୀୟ ନାରୀ ଆଜି ବି ଦାଣ୍ଡ ପହଁରା, ଚଉରା ପୂଜା, ପନ୍ଥେଇ ପୂଜା ଆଦି ଗ୍ରାମୀଣ ଉପାସନା ବିଧିକୁ ନିଷ୍ଠାର ସହିତ ପାଳନ କରିବା ପରଂପରା ବଜାୟ ରଖିଛି । ସାହିତ୍ୟ ଜୀବନକୁ କେମିତି ପ୍ରତିଫଳିତ କରି କାଳଜୟୀ ପାଲଟିଯାଏ ଏଥିରୁ ହିଁ ଅନୁମେୟ । ସେଥିପାଇଁ ଯଥାର୍ଥରେ କୁହାଯାଏ "ସାହିତ୍ୟ ହିଁ ସମାଜର ଦର୍ପଣ" । ପରବର୍ତ୍ତୀ ପଦ ସଂଖ୍ୟା ୨୩ରୁ ୩୨ ମଧ୍ୟରେ ମୁକ୍ତାଦେଈ ପୁତ୍ର ଗୋବିନ୍ଦଙ୍କୁ ଗର୍ଭରେ ୧୦ ମାସ ୧୦ଦିନ ଧାରଣ କରିବା ଅନୁଭୂତି ଠାରୁ ଆରମ୍ଭ କରି ପୁତ୍ରର ପଞ୍ଚୁଆତି , ଷଠୀଘର ଓ ଏକୋଇଶା ଆଦି ବିଧି ପାଳନର କଥା ବର୍ଣ୍ଣିତ ହୋଇଛି । ଉତ୍କଳୀୟ ପରିବାରରେ ଅନୁସୃତ ହେଉଥିବା ନବଜାତ ଶିଶୁ ସନ୍ତାନର ଜନ୍ମ ଜାତକ ଜନିତ ଧାର୍ମିକ ବିଧି ପରଂପରା କବି ତାଙ୍କ ବର୍ଣ୍ଣନା ଚାତୁରୀରେ ପ୍ରତିଫଳିତ କରିଛନ୍ତି । ଉତ୍କଳୀୟ ଚାହାଁଣି, ଚଳଣି ଓ ସଂସ୍କୃତିର ମୌଳିକ ସୁଗନ୍ଧକୁ କବି ତାଙ୍କ ଦୂରଦୃଷ୍ଟି ଓ କାବ୍ଯିକତା ଦ୍ୱାରା ବିଚ୍ଛୁରିତ କରିଛନ୍ତି ।

ଭାରତ ତଥା ପବିତ୍ର ଉତ୍କଳ ଭୂମି ଯତି ଓ ସତୀର ଦେଶ । ଟୀକା ଗୋବିନ୍ଦଚନ୍ଦ୍ରରେ ସର୍ବମୋଟ ତିନୋଟି ଚରିତ୍ରଙ୍କୁ ନେଇ କବି ଯଶୋବନ୍ତ ଦାସ ତାଙ୍କ କାବ୍ୟ-କୋଣାର୍କକୁ ପ୍ରାଣବନ୍ତ ଓ ମହନୀୟ କରିପାରିଛନ୍ତି । ଭାରତୀୟ ତଥା ଉତ୍କଳୀୟ ନାରୀର ଚାରିତ୍ରିକ ଦୃଢ଼ତା ସାଙ୍ଗକୁ ଯୋଗସିଦ୍ଧ ସଂକଳ୍ପରେ ସ୍ଥିରତା ପ୍ରତିବିମ୍ବିତ ହୋଇଛି ମୁକ୍ତାଦେଈଙ୍କ ଚରିତ୍ରରେ । ପଞ୍ଚସଖା ମାନଙ୍କ ସାରସ୍ବତ ସାଧନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁରୁବାଦର ପ୍ରତିନିଧିତ୍ୱ କରିଛନ୍ତି ସିଦ୍ଧ ସାଧକ, ପୁଣ୍ୟକଳ୍ପ ମହାଗୁରୁ ହାଡ଼ିପା - କାବ୍ୟର ଦ୍ୱିତୀୟ ଚରିତ୍ର ।

ପଞ୍ଚସଖା ସାହିତ୍ୟରେ ବ୍ରହ୍ମଜ୍ଞାନର ଉପାସନା ଲାଗି ଗୁରୁ ନିର୍ଦ୍ଦେଶିତ ମାର୍ଗର ସୂଚନା ରହିଛି । ଗୁରୁଦୀକ୍ଷା ଗରୁଶିକ୍ଷା ଓ ଗୁରୁକୃପା ବିନା ସାଧକର ଗତି ନାହିଁ କି ମୁକ୍ତି ନାହିଁ । ସେଥିଲାଗି ସାଧନାର ଅଗ୍ରଭାଗରେ ଗୁରୁଙ୍କର ପ୍ରଚ୍ଛଦ ଭୂମିକା ବିଦ୍ୟମାନ । ସନ୍ତାନର ଅକାଳ ମୃତ୍ୟୁ ଜନିତ ଦାରୁଣ ଦୁଃଖକୁ ବରଦାସ୍ତ କରିବା କୌଣସି ମାଆ ପକ୍ଷରେ ସମ୍ଭବ ନ ଥିବାରୁ ଜଣେ ସିଦ୍ଧ ଗୁରୁଙ୍କ ନିର୍ଦ୍ଦେଶରେ ଯୋଗସିଦ୍ଧ ସାଧନାରେ ବ୍ରତୀ ହୋଇ ନିର୍ମମ ଅକାଳ ମୃତୁ୍ୟ ଉପରେ ବିଜୟ ଲାଭ କରି ଦୀର୍ଘଜୀବି ହେବାର ସିଦ୍ଧାନ୍ତ ମୁକ୍ତାଦେଈ ନେଇଛନ୍ତି ତାଙ୍କର ଏକମାତ୍ର ପୁତ୍ର ଗୋବିନ୍ଦଚନ୍ଦ୍ର ପାଇଁ । ଗୋବିନ୍ଦଚନ୍ଦ୍ର (କାବ୍ୟର ଶ୍ରେଷ୍ଠ ଚରିତ୍ର) ନିଜ ଜ୍ଞାନଦୀପ୍ତ ତଥା ଅନୁଭବୀ ମାଆଙ୍କ କଥାକୁ ସର୍ବାନ୍ତଃକରଣରେ ସ୍ବୀକାର କରି ହାଡ଼ିପାଙ୍କର ଯୋଗ୍ୟ ଶିଷ୍ୟ ହେବାର ଗୌରବ ହାସଲ କରିପାରିଛନ୍ତି । ଅନେଶ୍ୱତ ରାଣୀଙ୍କ ପ୍ରେମ, ରାଜ୍ୟ, ରାଜ ଉଆସର ଭୋଗ ବୈଭବ ଭିତରେ ବୁଡ଼ିଥିବା ରାଜା ଗୋବିନ୍ଦଚନ୍ଦ୍ର  ଶେଷରେ ମାତାଙ୍କ ନିର୍ଦ୍ଦେଶକୁ ମଥା ପାତି ଗ୍ରହଣ କରି, ସିଦ୍ଧ ଗୁରୁ ହାଡ଼ିପାଙ୍କ ଶିଷ୍ୟତ୍ୱ ଲାଭ କରି, ଗଣ୍ଡୁକ ନଦୀର ତୀରରେ ଶ୍ରୀହରି ଭଜନରେ ନିଜକୁ ହଜାଇ ଦେଇ ଏକାକୀ ଜୀବନ ବିତାଇଲେ । ଏହି ପ୍ରମୁଖ ଚରିତ୍ରଙ୍କ କାହାଣୀ ହେଉଛି ଭୋଗରୁ ତ୍ୟାଗ ଆଡ଼କୁ ଇଚ୍ଛାକୃତ ଏକ ତପଃସିଦ୍ଧ ଯାତ୍ରା ।

 ପଞ୍ଚସଖା ସାହିତ୍ୟରେ ପ୍ରତ୍ୟେକ ସଖାଙ୍କ ରଚନାରେ ପିଣ୍ଡ ବ୍ରହ୍ମାଣ୍ଡର ବର୍ଣ୍ଣନା ଦେଖାଯାଏ । ସେମାନେ ସମସ୍ତେ ଯୋଗ ପିଣ୍ଡିତ ଶୂନ୍ୟ ନିର୍ଗୁଣ ମାର୍ଗର ଉପାସକ ପିଣ୍ଡ ଅର୍ଥାତ ଶରୀର ମଧ୍ୟସ୍ଥ ଷଡ଼ଚକ୍ରକୁ ସାଧନା ଦ୍ୱାରା ଭେଦ କରିପାରିଲେ ସହସ୍ରଦଳ ପଦ୍ମ ମଧ୍ୟରେ ଥିବା ମଣିମୟ ମଣ୍ଡପରେ ପରମବ୍ରହ୍ମଙ୍କ ସତ୍ତା ଉପଲବ୍ଧି କରାଯାଇ ପାରିବ । ଏ ଯୋଗ ସାଧନା କୁଣ୍ଡଳିନୀ ଜାଗ୍ରତ କରାଇବାର ସାଧନା । ଏହା ମୁଖ୍ୟତଃ ଅନ୍ତର୍ମୁଖୀ ସାଧନା । ଗୋବିନ୍ଦଚନ୍ଦ୍ର ସର୍ବଜ୍ଞାତା, ପୁଣ୍ୟଶ୍ଳୋକ, ସିଦ୍ଧଗୁରୁ ହାଡ଼ିପାଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ଊଦ୍ଧ୍ୱର୍କୁ ଦୃଷ୍ଟି ତୋଳି ସାକ୍ଷାତ ବ୍ରହ୍ମଙ୍କୁ ଦର୍ଶନ କରିଥିଲେ । ଏ କଥା ପଦ ସଂଖ୍ୟା ୫୦ରେ ଉଲ୍ଲେଖ କରାଯାଇଛି । କବି ଗାଇଛନ୍ତି :-
“ଆସନ ସଞ୍ଚିଣ ଗୁରୁ ସୁମରିଣ ଊଦ୍ଧ୍ୱର୍କୁ ଦୃଷ୍ଟି ଟେକିଲା
ଲୟ ଲଗାଅନ୍ତେ ଦେଖିଲା ସାକ୍ଷାତେ ବ୍ରହ୍ମଜ୍ଞାନ ଦୃଶ୍ୟ ହେଲା” ।ା 

ପୁନଶ୍ଚ ହାଡ଼ିପା ଶିଷ୍ୟ ଗୋବିନ୍ଦଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି :- “ଗ୍ରାମେ ନ ଭୁଞ୍ଜିବୁ ଯାନେ ନ ଚଢ଼ିବୁ ଶୋଷେ ନ ଭକ୍ଷିବୁ ନୀର / ଯେଉଁ ହରିନାମ ମୁକତି ପସରା ଲଭିଲେ ହୋଇବୁ ଚିର” ।ା ଏହା ସଂକେତ ଦେଉଛି ଯେ କୃଚ୍ଛ୍ର ସାଧନା ଦ୍ୱାରା ଜ୍ଞାନ ମିଶ୍ରା ଭକ୍ତିର ଆଚରଣରେ ମୁକ୍ତିର ପଥ ଉନ୍ମୋଚିତ ହୋଇ ପାରିବ । ପଞ୍ଚସଖାମାନେ ଏହି ଜ୍ଞାନମିଶ୍ରା ଭକ୍ତି ବା ପରାଜ୍ଞାନ ଭକ୍ତିର ଉପାସକ ଥିଲେ । ତେଣୁ ସେମାନଙ୍କ ତାତ୍ତ୍ୱିକ ବିଶ୍ୱାସ ସେମାନଙ୍କ ରଚନାକୁ ଋଦ୍ଧିମନ୍ତ କରିବା ସ୍ବାଭାବିକ । କାରଣ ପଞ୍ଚସଖାଙ୍କ ଦୃଷ୍ଟିରେ ଧର୍ମ ଓ ସାହିତ୍ୟ ପରସ୍ପର ଠାରୁ ବିଚ୍ଛିନ୍ନ ନୁହେଁ ।

ପଞ୍ଚସଖା ସାହିତ୍ୟରେ ‘ନାମ’କୁ ଏକାକ୍ଷର ପ୍ରଣବ ଓ ଅଜପା ଗାୟତ୍ରୀ ଭାବରେ ଗ୍ରହଣ କରାଯାଇଛି । ସେମାନେ ଦୃଢ଼ତାର ସହିତ କହିଛନ୍ତି ଯେ ନାମ ଭଜନ ହିଁ ଗତି ମୁକ୍ତିର ଏକମାତ୍ର ପଥ । ତେଣୁ ସନ୍ଥକବି ଯଶୋବନ୍ତ ଦାସ ସମସ୍ତଙ୍କୁ ନିବେଦନ କରି ଗାଇଛନ୍ତି -
ଆହେ ସାଧୁଜନ ଗୋବିନ୍ଦ ଚରିତ ମନରେ ଭାବନା କର
ଶ୍ରୀହରି ଭଜନ କର ସର୍ବ ଜନ ହେବ ଭବ କୂପୁ ପାର ।ା” 

ମୁକ୍ତାଦେଇ, ଗୋବିନ୍ଦଚନ୍ଦ୍ର ଓ ହାଡ଼ିପା ଏଇ ତିନୋଟି ଚରିତ୍ରଙ୍କ କଥୋପକଥନ ଶୈଳୀର ନକ୍ସା ଭିତରେ ଫୁଟି ଉଠିଛି ଭାବ-ଭାଷା-ସଂଗୀତମୟତା-ଆଧ୍ୟାତ୍ମିକତାର ଏକ ଲଳିତ ନାନ୍ଦନିକ ପୁଷ୍ପ ଯାହା ଉତ୍କଳୀୟ ଜନମାନସ ତଥା ସାଂସ୍କୃତିକ ଭାବ ଭୂମିରେ ଚିର ଅମଳିନ ଓ ଉଦ୍ଭାସିତ । ସୁତରାଂ ଅନେକ ଅନବଦ୍ୟ ସାରସ୍ବତ କୃତି ଭିତରେ ଆଲୋଚ୍ୟ ଟୀକା ଗୋବିନ୍ଦଚନ୍ଦ୍ର ଯେ ଏକ କାଳଜୟୀ କୃତି ଏଥିରେ ସନ୍ଦେହର ଅବକାଶ ନାହିଁ ।

ଅବସରପ୍ରାପ୍ତ ସହ-ପ୍ରାଧ୍ୟାପିକା,
ନେହେରୁ କଲୋନୀ, ତିର୍ତ୍ତୋଲ , ଜଗତସିଂହପୁର
ମୋବାଇଲ୍ ନଂ. : ୮୩୨୮୯୯୯୬୭୬

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।