ରୋହିତ ସେଠୀ,ଶିକ୍ଷକ
(ଛନ୍ଦ-ଚୋଖି)
ପ୍ରତ୍ୟୁଷ ପ୍ରକୃତି ଶୋଭା ଉଦୟ ଭାନୁର ଆଭା
ମୁରୁଜ ବୁଣଇ ଧରା ବକ୍ଷ ଦେଶରେ
ପୂରୁବ ଆକାଶ ରାଗ ମନେ ଜାଗେ ଅନୁରାଗ ,
ଦୃଶ୍ୟ ଦରଶନେ ଜନ ପରାଣ ହରେ ,
ସକଳ ଶକ୍ତିର ଆଧାର
ସୃଷ୍ଟିର ନିୟମେ ବନ୍ଧା ସେ ଦିନକର ।୧।
ତଡ଼ାଗେ କମଳ ଦଳ ଉତ୍ସୁକେ ଭାବ-ବିହ୍ଵଳ
ଚାତକିନୀ ସମ ଭାନୁ ଦେବଙ୍କ ଆଶେ
ସ୍ଵର୍ଣ୍ଣିମ କିରଣ ପାଇ ପାଖୁଡ଼ା ଦେବେ ମେଲାଇ
ପୀୟୂଷ ପାନ କରିବେ ହୋଇ ହରଷେ ,
ଅଭିଳାଷ ପୂରଣ ପରେ
ସୌରଭ ବିଞ୍ଚିବେ ସର୍ବେ ଚତୁଃର୍ଦ୍ଦିଗରେ ।୨।
କୋମଳ ପ୍ରକାଶ ରାଶି ସାଦରେ ଦିଅ ପରଶି
ସ୍ଥାବର ଜଙ୍ଗମ କୀଟ ତବ ପ୍ରଭାରେ
ସୁଧା-ସଂଜୀବନୀ ପାଇ ନିର୍ବିଘ୍ନରେ ଛ'ନ୍ତି ରହି
ଅହର୍ନିଶ ବିଚରନ୍ତି ଆନନ୍ଦ ଭରେ ,
ଉଦୟ ଭାନୁର କରରେ
ରୋଗ-ଶୋକ ଚାଲିଯାଏ ନିମିଷକରେ ।୩।
ସହସ୍ରାଂଶୁ ମହାଦ୍ୟୁତି- କାଶ୍ୟପ ନନ୍ଦନ ମତି
ଏକରଥେ ସପ୍ତଅଶ୍ଵେ ବିରାଜମାନ
ରଜନୀ ପାହିଲା କ୍ଷଣି ବସୁନ୍ଧରା ମଥାମଣି
ଧରଣୀ ବୁକୁରେ କର ଶୁଭାଗମନ ,
କଳୁଷ କଳଙ୍କ ବିଧ୍ଵଂସି
ତୁମ୍ଭଲାଗି ବିଶ୍ଵବାସୀ ଲଭନ୍ତି ଖୁସି ।୪।
ସ୍ନାନାଦି କରମ ପରେ ଉଦକ ଧରି ହସ୍ତରେ
ଭକ୍ତି-ଅର୍ଘ୍ୟ ଅରପୁଛି ତୁମ୍ଭ ପୟରେ
ଆୟୁଷ କାମନା କରି ସୁଖ-ଶାନ୍ତି ହୃଦେ ବରି
ତର୍ପଣ କରୁଛି ପୁଣି ଶୁଦ୍ଧ ଭାବରେ ,
ପ୍ରାଚୀମୂଳେ ହୋଇ ଉଦୟ
ଜଗତ ନିମନ୍ତେ ହୁଅ ମଙ୍ଗଳମୟ ।୫।
ଦୁତିମେଣ୍ଡି, ଖଜୁରୀପଡ଼ା,କନ୍ଧମାଳ
ସଂପର୍କ-୭୭୩୫୨୧୪୩୭୯
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।