4/14/2023

ମମତାମୟୀ ମାଆ

  କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 
     ସମ୍ପାଦକ - ଉଦୟ ଭାନୁ 

ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ                     
ମାଆ ଲୋ ତୁ ସ୍ନେହମୟୀ , ମାଆ ଲୋ ତୁ କୃପାମୟୀ । 
ଦେଇଛୁ ତୁ କେତେ ସ୍ନେହ , କେବେ ମୁଁ ଭୁଲିବି ନାହିଁ 
ତୁ ପରା ଦେବୀ ମୋ' ପାଇଁ , ପୂଜିବି ତୋତେଲୋ ମୁହିଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୧

ସହିଛୁ କେତେ ଯାତନା , ଶୁଣିଛୁ କେତେ ଗଞ୍ଜଣା
ପାଇଛୁ କେତେ ତାଡ଼ନା , ସ୍ନେହରେ କରିନୁ ଉଣା ।
ଅଶ୍ରୁ ନିର୍ଝର ଝରାଇ , ପାଳିଛୁ ମୋତେ ଲୋ ତୁହି 
ଦୁଃଖେ ମୋ' ଢ଼ାଳିଛୁ ଲୁହ , ମୋ' ସୁଖେ ହସିଛୁ ତୁହି । 
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୨

ଗର୍ଭେ ଧରି ଦଶମାସ , ଦଶଦିନ ପରିଯନ୍ତ
ଜନମ ଦେଇଛୁ ମାଆ , ସହି କେତେ ଦୁଃଖ କଷ୍ଟ ।
ଛୋଟରୁ କରିଛୁ ବଡ଼ , ଲହୁକୁ ଲୁହ ସଜେଇ 
ସେବା ତୁ କରିଛୁ ମୋର , କେତେ ରାତି ଚେଇଁ ଚେଇଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୩

ନିଜେ ରହି ଉପବାସ , ମୋତେ ତୁ ଦେଲୁ ଆହାର 
ଥନୁ ତୋର ସୁଧା ଦେଇ , ଧରଣୀଠୁ ହେଲୁ ବଡ଼ ।
ସୁଝି ମୁଁ ପାରିବି ନାହିଁ , ଋଣ ତୋର କେବେ ମୁହିଁ 
କଥା ମୁଁ ଦଉଛି ତୋତେ , ଲୁହ ତୋ' ଝରିବ ନାହିଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୪

ମତେ ତୁ ନିଏ କୋଳେଇ , ରଖ ପଣତ ଘୋଡ଼ାଇ 
କେବେ ନଦେବୁ ଦୂରେଇ , ଯେତେ ଝଡ଼ ଯାଉ ବହି ।
ମାଆ ତୋର ସ୍ନେହ ପାଇ , ଜଗତ ଜିତିବି ମୁହିଁ 
ପ୍ରତିଜ୍ଞା କରୁଛି ମାଆ , ତୋ' ଶ୍ରୀପାଦ ଛୁଇଁ ମୁହିଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ 
ମାଆ ଲୋ ତୁ ସ୍ନେହମୟୀ , ମାଆ ଲୋ ତୁ କୃପାମୟୀ ।୫

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।