ମୈତ୍ରେୟୀ କମଳା
ଭାଇ ! "ହଁ ମୁ ସତ କହୁଛି ଏ ବର୍ଷ ଆଖିର ଲୁହରେ ରାକ୍ଷୀ ଭିଜୁଛି ; ସେଥିପାଇଁ ରାକ୍ଷୀ ପଠେଇନି। ଯଦି ସମ୍ପର୍କର ଡୋର ଏମିତି ସ୍ନେହ ମମତାରୁ ହଟି ସମ୍ପତି ଘରବାରି ଜାଗାରେ ପହଞ୍ଚିବ ସେଠି ଏ ସାମାନ୍ୟ ରେଶମ ସୂତାଟା କ'ଣ ତାକୁ ବାନ୍ଧି ରଖି ପାରିବ"! ସମୃଦ୍ଧିର କଥାରେ ବେଶ୍ କିଛିଟା ଗମ୍ଭୀର ଦେଖା ହେଲେ ପିତାମ୍ବର। ଘରର ବଡ଼ ପୁଅ ହିସାବରେ ଆଜି ଯାଏଁ ସବୁ ଦାୟିତ୍ୱ ସୂଚାରୁ ରୂପେ ତୁଲେଇ ଆସୁଛନ୍ତି , ଆଉ ଆଜି ମୁହଁରେ ଜବାବ ଦେଇ ଦେଲା ସାନ ଭଉଣୀ । ଭାବିଥିଲେ ବାପାଙ୍କ ପରେ ବରଗଛ ସାଜି ସମସ୍ତଙ୍କୁ ନିଜ ଛାଇ ତଳେ ସୁରକ୍ଷିତ ରଖିବେ ।ପୈତୃକ ସମ୍ପତିରୁ କିଛି ଅଂଶ ବିକିବାକୁ ଚାହିଁ ସମୃଦ୍ଧିର ଦସ୍ତଖତ ମାଗିଥିଲେ । "ମୋ' ବାପାଙ୍କ ସମ୍ପତ୍ତି ମୁ ଚ଼ାହିଁଲେ ଦସ୍ତଖତ କରିବି ନହେଲେ ନାହିଁ । ତୁମେ କ'ଣ ଭାବିଛ ସବୁ ବେଳେ ସାନ ହୋଇ ରହିଥିବି ଆଉ ତୁମଠୁ ଗାଳି ଶୁଣି କାନ୍ଦୁଥିବି କଇଁ କଇଁ ? ଏବେ ମୋ' ପିଲାଙ୍କ ପାଇଁ ମୁଁ ମାଆ , ଯଥେଷ୍ଟ ବଡ଼ ହେଲେଣି ; ସେମାନଙ୍କର ବୁଝିବା ବୟସ ହେଲାଣି , ଭଲମନ୍ଦ କ'ଣ ବୁଝି ପାରୁଛନ୍ତି । ତୁମେ ଆଉ ମୋତେ ଛୋଟ ଛୋଟ କଥାରେ ନାକ କାନ୍ଦୁରୀ ଭାବି କନ୍ଦେଇ ପାରିବ ନାହିଁ ।" ଏତେ ସବୁ କଥା ହେଉଥିଲେ ଭାଇ ଭଉଣୀ ଫୋନରେ । ସମୟଟା ଟିକେ ରହିଯିବା ପରି ଲାଗୁଥିଲା ସେଇଠି ।
ବାଡ଼ିରେ ଆମ୍ବ ଜାମୁକୋଳି ପଣସ ପିଜୁଳି ସବୁ ଗଛ ଭର୍ତ୍ତି । ସ୍କୁଲରୁ ଆସିଲେ ଏକା ଡିଆଁରେ ବାଡ଼ିରେ ହାଜର ସବୁ ।ଏମାନେ ଦୁଇ ଭାଇ ଗୋଟେ ଭଉଣୀ ଆଉ ଗାଁଟା ସାରା ପିଲା ମାଙ୍କଡ଼ ଭଳି ଗଛରେ ଝୁଲୁଥିବେ । କିଏ ବାଉଁଶଟେ ଧରିଥିବ ତ ଆଉ କିଏ ଦେଖୁ ଦେଖୁ ଗଛ ଉପେରେ । "ଏ ଭାଇ ଦେଖୁନୁ ସିଏ ସବୁ ଆମ୍ବ ତା' ଗାମୁଛାରେ ପୁରେଇଛି ।ତାକୁ ଟିକେ କହ ।" ସାନଭଉଣୀ କଥାରେ ସେଇଠି ହଟହଟା ଲାଗିଯା'ନ୍ତି , ଛଡେଇ ଆଣି ଦି'ଟା ଆମ୍ବ ତା' ହାତରେ ଧରେଇ ଦିଅନ୍ତି । ସେତେବେଳେ ବାପା ଚାକିରୀ କରୁଥିଲେ କୋଲ୍କାତାରେ । ଆସିବା ବେଳକୁ ଭଳିକି ଭଳି ମିଠା ମିକ୍ସଚର ଆହୁରି କେତେ କ'ଣ ଜିନିଷ ଘରକୁ ନେଇ ଆସୁଥିଲେ । ସମୃଦ୍ଧିର ମାଆ ବିଶାଖା ଦେବୀ ସବୁ ଛୁଆଙ୍କୁ ସମାନ ଭାବରେ ବାଣ୍ଟିବା ପରେ ସାଇପଡ଼ିଶାର ଛୁଆଙ୍କୁ ଦେଇଥା'ନ୍ତି । ମନେ ଅଛି ସେଦିନ ଝୁଲଣ ପୂର୍ଣ୍ଣିମାକୁ ଦିନୁଟେ ଅଛି , ଠାକୁର ସଜେଇ ହୋଇ ଦୋଳିରେ ଝୁଲୁଥା'ନ୍ତି । ବାପା ଆସି ପହଞ୍ଚିଲେ , ହାତରେ ବ୍ୟାଗ୍ଟା ଭାଇ ଧରି ଧରି ଆସୁଥିଲା । ବାପା ପାଖକୁ ଡାକି କହିଲେ - "ଦେଖ୍ , ସମୁ ତୋ' ପାଇଁ ରାକ୍ଷୀ ଆଣିଛି ।"
- ଇସ୍ କେତେ ବଡ଼ ବଡ଼ ସୁନେଲି ଜରି ତା' ଉପେରେ ରଙ୍ଗୀନ ଭେଲ୍ଭେଟ ଫୁଲ ! ଭାଇ ତୋତେ ଏଇ ବଡ଼ ଫୁଲଟି ବାନ୍ଧିବି । ଆଉ ଟିକୁଲୁକୁ ଏଇ ହଳଦିଆଟା ।
ସେଦିନ ରାତିରେ ଦୁଇ ଭାଇ ଖୁସିରେ ଗୋଡ଼ କଚାଡୁ ଥିଲେ କେମିତି ରାତିଟା ପାହିବ ସମୁ ରାକ୍ଷୀ ବାନ୍ଧିବ । ସକାଳୁ ଥାଳିରେ ସବୁ ସଜେଇ ସମୁ ରାକ୍ଷୀ ବାନ୍ଧି ମିଠା ଖୁଏଇ ଥିଲା , ଭାଇ ତାକୁ ଆଠଣିଟେ ବଢ଼େଇ ଦେଇ କହିଲା - "ଏଇଟା ରଖିଥା' , ବଡ ହେଲେ ବେଶୀ ପଇସା ରୋଜଗାର କରିବି ତ ତୋତେ ମନପସନ୍ଦ ଜିନିଷ ଦେବି । କି ଖୁସି ସେ ଆଠଣି ପାଇ , ଆଜି ମନେ ପକେଇ ଲୁହ ଦି' ଥୋପା ଗଡି ଗଲା ସମୃଦ୍ଧିର । ସାନଭାଇଟା ବେଶି ପାଠ ପଢି ପାରିନି ବୋଲି ଦୋକାନରେ ବସିଲା । କେତେ ବା ରୋଜଗାର ତା'ର ! ଟିକେ ଦୟା ହେଲାନି ତା' ଉପେରେ ; ସେଇଟା ବାପାଙ୍କ ଜାଗା କହି ତାକୁ ଆଉ ଘରୁ କିଛି ସମ୍ପତ୍ତି ଦେଲନି । ଏବେ ବହାରିଚ ଜମି ବିକ୍ରି କରି ପୁଅକୁ ପାଠ ପଢେଇବ । ଦସ୍ତଖତ କଲେ ସିନା ଜମି ବିକ୍ରି ହବ ।
ଏହି ସମୟରେ ସମୃଦ୍ଧିର ପୁଅ ସାନୁ ପାଟି କରି କହିଲା - ମାମା ! ଦେଖିବ ଆସ , ରୋହିତ ଭାଇ (ବଡ ଭାଇ ପୁଅ)ଙ୍କୁ ଲିଟିଲ୍ ଦିଦି (ସାନଭାଇ ଝିଅ ) ରାକ୍ଷୀ ବାନ୍ଧି ଫେସବୁକ୍ରେ ଫୋଟୋ ଛାଡିଛନ୍ତି । ସମୃଦ୍ଧି ସେ ଫୋଟ ଭିତରେ ନିଜକୁ ଦେଖିବାକୁ ଚେଷ୍ଟା କରୁଥା'ନ୍ତି ; ହେଲେ ସବୁ କିଛି ଅସ୍ପଷ୍ଟ ଦେଖା ଯାଉଥିଲା ଆଖିର ଲୁହରେ ..., ଭାଇର ହାତ ......ଆଉ ......ରାକ୍ଷୀ ।
🌼🌼🌼🌼🌼ନାଭି ମୁମ୍ବାଇ🌼🌼🌼🌼🌼
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।