3/01/2020

କିଏ ଦେବ ଉତ୍ତର

ଜ୍ଯୋତ୍ସ୍ନା ପୃଷ୍ଟି 


ସକାଳୁ ସକାଳୁ ଡାମରା କାଉ'ଟାର- କା - କା - ଶବ୍ଦରେ ଗଗନ ପବନ କମ୍ପମାନ । କେଜାଣି କିଏ ଆସିବ ନା କଣ ? ଗ୍ରୀଲ ପାଖରେ ଠିଆ ଠିଆ କେତେ ବେଳୁ ଭାବନା ଭିତରେ ବୁଡ଼ିଯାଇଛି "ସୁମତି"। ହାତରେ କଫି କପ୍ , ଧୂମାୟିତ ଧୂଆଁର ବାସ୍ନା ନିଆରା ଆଉ ସତେଜ , ଖୋଲା ଆକାଶରେ ଖଣ୍ଡ ବାଦଲଙ୍କର ଧୀର ମନ୍ଥର ଗତି , ଥୁଣ୍ଟାଖୁଣ୍ଟ ଉପରେ ମାଛରଙ୍କା'ର ନୀଳପଙ୍ଖ ଝଡ଼ା ,ପାଚେରୀ ସେପାଖ କାମିନୀ ଗଛ ଡାଳପତ୍ର ଉହାଡ଼ରେ ଟିକି ଟିକି ଚଢେଇଙ୍କର କଳରାଵ । ଦଳଦଳ ପାରା ଏବଂ ବଗ ଖାଦ୍ୟ ଅନ୍ଵେଷଣରେ ଉଡାଣ ଭରୁଛନ୍ତି ।ଆମ୍ବଗଛରେ କୋଇଲିର କୁହୁତାନ । ବଉଳ ମଞ୍ଜରୀ ମହାକିବା ବେଳ । ବହଳ ରାସ୍ତାରେ ଚହଳ ପକାଇ କିଛି ଯାନବାହନଙ୍କ ପେଁ -ପାଁ ଶବ୍ଦ ଭାସି ଆସୁଛି ।



     ଦୃଶ୍ୟ ବିଭୋରତା ମଧ୍ୟରେ ପୂର୍ଣ୍ଣଛେଦ ଟାଣି କଲିଂ ବେଲ୍ ବାଜିବାରୁ ପ୍ରକୃସ୍ଥିତ ହୋଇ କବାଟ ଖୋଲି ଦେଇ ଦେଖେତ "କେତି" ଉଭା । ବୋଧହୁଏ ଆଗୁଆ ନେଇ ଥିବା ଟଙ୍କା ସରି ଯାଇଥିବ । ତେଣୁ ସପ୍ତାହ ପରେ କାର୍ଯ୍ୟକ୍ଷେତ୍ର ମନେ ପଡ଼ିଲା । କୁନ୍ଦୁରି ଖିଆ ମୁହଁ ତଳକୁ ପୋତି ସିଧାସଳଖ ରୋଷେଇ ଘରେ ହାଜିର୍ ।ଧଡ଼ଧାଡ଼ ବାସନ ଗୁଡାକ ତରବରିଆ ବାସନଝୁଡ଼ିରେ ଗୋଟେଇ ନେଲା । ଅଗଣାରେ ନଳଟାକୁ ଖୋଲି ହଦ୍ ହଦ୍ ପାଣି ଢ଼ାଳି ଚ଼ପା ଗଳାରେ ଗୁଡ଼ାଏ ଗାରୁଗାରୁ ହେଉଛି । 



      "ସୁମତି" ନୀରବରେ ଥାଇ ସବୁ ଦେଖିବା ଶୁଣିବା ଛଡ଼ା କ'ଣ ବା କହିବ । ବାରମ୍ବାର ବାରଣ କରି ଆସୁଛି ପାଣି ନଷ୍ଟ ନ କରିବା ପାଇଁ । ଶୁଣିଲେ ତ । ତା'ର କି ଯାଏ । ଝାଳବୁହା ସ୍ଵପ୍ନମରା ଅର୍ଥ ତଣ୍ଡ ଗଣି ଦିଆ ଯାଉଥିବା କରରେ ମାଗଣାରେ ଘର , ପାଣି ,ବିଜୁଳି , ରାସନ ଇତ୍ୟାଦି ମିଳେ ତେଣୁ ଅନ୍ନ ଜଳ ପ୍ରତି ବେପରୁଆ ନୀତି ଧରିଲେ କିଛି ଅସୁବିଧା ନାହିଁ । କିଏ ଅଛି କହିବାକୁ ।ପ୍ରକୃତ ସ୍ଵାଧୀନତାର ସୁଆଦ ଯେ ଭାରି ଚିକ୍କଣ ଓ ଶସ୍ତା ବୋଲି ବେସ୍ ଜଣା । ବେଳେବେଳେ ଏମିତି ଲାଗେ କାହାର ଉଦାରପଣରୁ ସଠିକ୍ ଫାଇଦା କେମିତି ଉଠାଯାଏ ଏହାରି ଠାରୁ ଶିଖିବା କଥା ।


    "ସୁମତି "ଏକ ଲମ୍ବା ଦୀର୍ଘ ନିଃଶ୍ବାସ ପକାଇ ଆଗକୁ ପାଦ ବଢ଼ାଇ ରୋଷେଇ ଘରୁ ବହାରି ଆସିଲା । ଅଚ଼ାନକ ମେଘ ଘୋଡେଇ ଆସିଲାଣି । ହୁଏତ କିଛି ସମୟ ପରେ ବର୍ଷା ହେବ । ବାଲ୍‌କୋନି ତାରରେ ଶୁଖୁଥିବା ଲୁଗାପଟା ତୋଳି ଆଣି ଚଉତାଉ ଥିବା
ବେଳେ ଅତୀତର ସ୍ମୃତିପୃଷ୍ଠା ଓଲଟାଇ ନିଜକୁ ଦେଖୁଥିଲା । ସେଦିନ ଗୁଡିକରେ କେମିତି ଦୈନିକ କେତେ ଯୁଝିବାକୁ ହେଉଥିଲା , ଏହି ପାଣି ମୁନ୍ଦେ ପାଇଁ କେତେ ଡହଳ ବିକଳ ଅବସ୍ଥା ହେବାକୁ ପଡ଼ିଥିଲା । ଜନ୍ମଭୂମିରୁ ଦୂର ବନ ପାହାଡ଼ ଘେର ମଧ୍ୟରେ ଟେଢାମେଢା ଦୁର୍ଗମ  ପଥ ଅତିକ୍ରାନ୍ତ ପରେ କୋଇଲା ଖାଦାନ ପରିବେଷ୍ଟିତ ସ୍ଥାନରେ ସଂଘର୍ଷ । ଲୌହ ଦାନବଙ୍କ ଭଳି ମାଳମାଳ ଟ୍ରକ ,ଡ଼ମ୍ଫର୍ ,ହଲପେକ୍ ସହ ସାୱଏଲ ଯନ୍ତ୍ରପାତିଙ୍କର ରାଜୁତି । ଦିନକୁ ଦୁଇ ତିନିଥର ଡିନାମାଇଟ୍ ବିସ୍ଫୋରଣରେ ଘର ଗୁଡିକ ଦୋହଲି ଉଠେ । ପ୍ରତିଦିନ ପାଣି ମିଳିବା ପ୍ରାୟ ଦିବା ସ୍ଵପ୍ନ କହିଲେ ଚଳେ । ଖରାଦିନେ ସପ୍ତାହରେ ଥରେ ପାଣି ଦିଆଯାଏ କି ନ ଯାଏ । ଯଦି ମିଳେ ବଡ଼ ଭାଗ୍ୟ , ତାହା ବି କୋଇଲା ଖାଦାନର । ଅବଶ୍ୟ ଛୋଟିଆ ନଦୀଟିଏ ସେହି ଅଞ୍ଚଳ ଦେଇ ପ୍ରବାହିତ ହେଉଥାଏ  । ହେଲେ ଜଳଧାରା ବିହୀନ ଶୁଖିଲା ଠୋ ଠୋ । କୌଣସି ପ୍ରକାରେ ତା' ଉପରେ ଅସ୍ଥାୟୀ ବନ୍ଧଟିଏ ବନ୍ଧା ହୋଇଥାଏ । ବର୍ଷା ଦିନେ ଯେଉଁ ପାଣି ବଣ୍ଟନ ହୁଏ , ସେହି ଅଞ୍ଚଳର ଏକମାତ୍ର "ବବୁଆ'' ଚା'ଦୋକାନର ବାରମ୍ବାର ଫୁଟା ହୋଇଥିବା ଢ଼ଙ୍କ ନାଲି ଚା' । ତାକୁ ଗିଲାସରେ ନେଇ ଗିଲାସ ତଳି ଦେଖିବା ଅସମ୍ଭବ । ଛାତ ଉପର ଟାଙ୍କିରେ ପାଣି ଚଢ଼ିଲେ ସେଥିରେ ଫିଟିକିରି ଦେଇ ,ରାତିଏ ଛାଡ଼ିଦେଲେ ତଳିରେ ପ୍ରାୟ ଚାଖଣ୍ଡେ ମୋଟ ବହଳ ମାଟିଆ କଳା କିଚିମିଚି ମଣ୍ଡ ବସିଥିବ । ରାତି ପାହିଲେ କୋଇଲା ଚୁଲିରୁ ଝାମ୍ପ ହଟାଇ ,ଝାଡ଼ି ,ସେଥିରେ ପୋଡ଼ା କୋଇଲା ନଦି ଗୋଟେ ବଡ଼ ସିଲିଭର ଡେକେଚି ମୁହଁରେ ସାଧା ସଫା ସୂତା କନାରେ ସେହି ପାଣିକୁ ଛାଣି ଫୁଟାଇ ଥଣ୍ଡା କରି ଫିଲ୍ଟରରେ ଢ଼ାଳିଲେ ଯାଇ ,ପିଇବା ଯୋଗ୍ୟ  । ନ ହେଲେ ଦୂରରେ ଥିବା ଝରଣାର କ୍ଷୀଣ ସ୍ରୋତ ହିଁ ଅପହଞ୍ଚ ଇଲାକାରେ ସାହାରା ।



    ରୋଷେଇ ଘରେ ଜଗିରଖି ଚାଉଳଧୁଆ ପରିବାଧୁଆ ଯାବତୀୟ ପାଣି ବଞ୍ଚେଇ ଗଛପତ୍ର ଗୁଡ଼ିକରେ ଦେବା ନିତିଦିନିଆ କଥା ।ସେଥିରେ ପୁଣି ଟିକିଏ ବ୍ୟତିକ୍ରମ ହେଲେ ଶାଣିତ କଟାକ୍ଷ ଶୁଣିବାଟା ଥୟ । ପ୍ରୀତ ହୁଅ କି ଅପ୍ରିତ ଯେକୌଣସି ପରିସ୍ଥିତି ସାମନା କରିବାକୁ ପ୍ରସ୍ତୁତ ରହିଥାଅ । ତୀର ଭଳି ବାକ୍ୟବାଣ ଗୋଟିଏ ଫାଙ୍କା ଯିବ ନାହିଁ କି ତଳେ ପଡ଼ିବ ନାହିଁ । ସତେ ଯେମିତି ପାହାଡ଼ ଭାଙ୍ଗେ କି ଆକାଶ ଛିଡ଼ି ପଡ଼େ । "କିଛି ତ କାମ ନାହିଁ ଦିନସାରା ବସି କ'ଣ କର କେଜାଣି " ଇତ୍ୟାଦି ଇତ୍ୟାଦି । ସେବେ ବିଚାରିର ଲୁହ ଝରି ଆପେ ଆପେ ଶୁଖୁଥିଲା ସିନା ।  କେହି ସାହା ଥିଲେ ନା ଭରସା । କିଏ କାହିଁ କେତେ ଶୁଣୁଥିଲେ । ଖାଲି ଭଗବାନ ଭରସାରେ ଚଳିବା ଛଡ଼ା ଉପାୟ ନ ଥିଲା ।



        ଆଉ ଏବେ ପାଣି ନଷ୍ଟ ହେଉଥିବା ଦେଖି ତାଗିଦ କଲେ ଓଲଟା ଜବାବ ମିଳେ :

- ଓହଃ - କିଛି ନ କହିଲେ କ'ଣ ଚଳିବନି ! ପାଣି ନଷ୍ଟ କରୁଛି ତ କରୁ ,ସରିଯିବନି ।
-ହଁ , ସତ କଥା ; ମୋ'କହିବା ଉଚିତ ନୁହେଁ । 



ମୋ' ମତରେ :

  "ଯିଏ ଯେତେ କରେ ଜଳ ନଷ୍ଟ , 
                      ସିଏ ସେତେ ନିଶ୍ଚେ ପାଏ କଷ୍ଟ " ।। 



            ଜାଣିବାକୁ ଚାହେଁ ଏ କେଉଁ ପ୍ରକାର ନ୍ୟାୟ ? 

ଏମିତି କାହିଁକି ? ଆପଣଙ୍କ ବିଚାର ମତାମତରେ , ଟିକିଏ କହିବେ କି ?
             (ଟିକିଏ କହିବେ କି -?)



ସୌଭାଗ୍ୟ ନଗର ,ଭୁବନେଶ୍ବର

ଜୟ ସାହିତ୍ୟ, ଜୟ ସମାଜ

1 comment:

  1. ବହୁତ ସୁନ୍ଦର ପ୍ରାସଙ୍ଗିକ ସଚେତନ ବାର୍ତ୍ତା ବହନ କରୁଥିବା ଗଳ୍ପ । ଲେଖିକାଙ୍କୁ ହୃଦୟରୁ ଶୁଭ ଆଶିଷ ।

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।