3/01/2020

ମହାପୁରୁଷ ଯଶୋବନ୍ତ ଦାସ

ଅନାମ ଚ଼ରଣ ସାହୁ 

                ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କୃତ 'ଉଦୟ କାହାଣୀ' ଅନୁସାରେ ୧୪୮୭ ମସିହାରେ ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା)ର ଅଢଙ୍ଗଗଡର ନନ୍ଦୀ ଗ୍ରାମରେ ପିତା ବଳଭଦ୍ର ମଲ୍ଲ (ଅନ୍ୟ ଏକ ମତରେ ଜଗୁ ବା ଜଗନ୍ନାଥ ମଲ୍ଲ) ଏବଂ ମାତା ରେଖା ଦେବୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ । ଅବତାର ମାଳିକା ଅନୁସାରେ :-                  
  "ଚନ୍ଦ୍ର ବ‍ଂଶରେ‍‌ ଜାତ ଯଶୋବନ୍ତ।
  କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।"
                                 ଏଥିରୁ ଜଣାପଡ଼େ ସେ କ୍ଷତ୍ରିୟ କୁଳ ବଂଶଜ କିନ୍ତୁ ଅନ୍ୟ ମତରେ ସେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ।ଯଶୋବନ୍ତଙ୍କ ପିତାମାତା ବହୁ ଧର୍ମ ପରାୟଣ ଥିଲେ । ଯାହା ଯଶୋବନ୍ତଙ୍କୁ ପ୍ରଭାବିତ କରିଥିଲା । ସେ ଧନରେ ଦରିଦ୍ର ଥିଲେ । ଏକଦା ଦାରିଦ୍ର୍ୟର ତାଡ଼ନା ସହ୍ୟ କରି ନପାରି ରାତ୍ରିର ନିରୋଳା ସମୟରେ ସେ ଜମିରେ ପଶି ଚୋରି କରିବା ଅବସ୍ଥାରେ ସେ ସମୟର ଅଢଙ୍ଗଗଡର ସାମନ୍ତ ରାଜା ରଘୁରାମ ଚମ୍ପତିରାୟଙ୍କ ନଜରରେ ପଡ଼ିଥିଲେ । ସେ ସମୟର ଶାସନ ମୁତାବକ ସେ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଭକ୍ତିପୂର୍ଣ୍ଣ ଅନ୍ତରରେ ଆକୁଳ ଭାବରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଭକ୍ତର ଆକୁଳ ପ୍ରାର୍ଥନାରେ ଜଗନ୍ନାଥ ସଦୟ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରି ରଘୁରାମ ଚମ୍ପତିରାୟଙ୍କୁ ଦର୍ଶନ ଦେଇଥିଲେ । ଏହି ଚମତ୍କାରିତା ଦେଖି ରଘୁରାମ ଓ ତାଙ୍କର ପତ୍ନୀ ଯଶୋବନ୍ତଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଏବଂ ନିଜର ଭଗିନୀ ଅଞ୍ଜନା ଦେବୀଙ୍କୁ ବିବାହ ଦେଇଥିଲେ । ମାତ୍ର ୨୨ ବର୍ଷରେ ସେ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ । ସେଠାରେ ତାଙ୍କର ଶ୍ରୀ ଚୈତନ୍ୟଙ୍କ ସହ ଭେଟ ହେବା ପରେ ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ସେହି ଦିନଠାରୁ ସେ ଯଶୋବନ୍ତ ଦାସ ରୁପରେ ପରିଚିତ ହେଲେ । 

                   ଜନଶୃତିରୁ ଜଣାଯାଏ ଏକଦା ସେ ନିଜ ଶିଷ୍ୟ ମାନଙ୍କ ସହ ପୁରୀ ଯାତ୍ରା କରିବା ସମୟରେ ବାଟରେ ଏକ ବ୍ରହ୍ମରାକ୍ଷସ ସହ ଭେଟ ହୋଇଗଲା । ସେ ନିଜର ପୈଶାଚିକ ଲୀଳା ପ୍ରକଟ କରିବା ପୂର୍ବରୁ ମହାପୁରୁଷ ଯଶୋବନ୍ତଙ୍କ ଯୋଗ ପ୍ରଭାବରେ ପୈଶାଚିକ ବୃତ୍ତି ଛାଡ଼ି ପୁରୀକୁ ପଥ ଦେଖାଇବା ସହ ତାଙ୍କ ସହ ଯାତ୍ରା କରିଥିଲେ । ସେ ସମୟର ଉତ୍କଳର ରାଜା ଶ୍ରୀ ପ୍ରତାପରୁଦ୍ର ଦେବ ଏକଥା ଶୁଣି ଅଠରନଳା ପାଖରେ ରହି ତାଙ୍କୁ ଭବ୍ୟ ସ୍ଵାଗତ କରିବା ସହ ଏହି ଚମତ୍କାର ଲୀଳା ଦେଖିଥିଲେ ଏବଂ ତାଙ୍କ ଅନୁରୋଧରେ ସେହି ଦିନ ଠାରୁ ବ୍ରହ୍ମରାକ୍ଷସ ଗୁଣ୍ଡିଚା ବାଡି ଦେଖାଶୁଣା କରୁଥିଲା । କାଳକ୍ରମେ ବାବନାଭୁତ ହୋଇ ଶ୍ରୀମନ୍ଦିରେ ପୂଜା ପାଉଥିବା ଜଣାଯାଏ ।


                      ସେ ଭକ୍ତି ଯୁଗର ପଞ୍ଚସଖା ମାନଙ୍କ ମଧ୍ୟରେ ଅନ୍ୟତମ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରି ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ରଚନା ମାନଙ୍କ ମଧ୍ୟରେ ଗୋବିନ୍ଦଚନ୍ଦ୍ରଙ୍କ ଉପାଖ୍ୟାନ , ଶିବସ୍ବରୋଦୟ , ପ୍ରେମ ଭକ୍ତି ଗୀତା, ମାଳିକା ଓ ଅନେକ ସରଳ ବୋଧଗମ୍ୟ ଭକ୍ତି ରସାତ୍ମକ ରଚନା ପ୍ରଣିଧାନଯୋଗ୍ୟ । ଭଜନ ଗୁଡ଼ିକ ମୁଖ୍ୟତଃ ବ୍ରହ୍ମଜ୍ଞାନ ମୂଳକ । ସେ ତାଙ୍କର ଭବିଷ୍ୟତ ମାଳିକା ରଚନାରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାବଳୀର ଚିତ୍ର ପଦ୍ୟ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି । ଯେଉଁ ଗୁଡ଼ିକ ଆଜି ଅକ୍ଷରେ ଅକ୍ଷରେ ସତ୍ୟ ହେବାରେ ଲାଗିଛି ।

                  ମହାପୁରୁଷ ଯଶୋବନ୍ତଙ୍କ ଦେହାବସାନ ସମ୍ବନ୍ଧରେ କୋୖଣସି ପ୍ରାମାଣିକ ତଥ୍ୟ ନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତି ରହିଛି । ତାଙ୍କର ତିରୋଧାନ ଦିବସରେ ଅଢଙ୍ଗରେ ଗୋଟିଏ ବଡ ମେଳା ଅନୁଷ୍ଠିତ ହୋଇଥାଏ ।
ବିଭୁତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।