ଅଧ୍ଯାପକ ଦ୍ବିଲ୍ଲୀପ କୁମାର ପ୍ରମାଣିକ
ରୁଚିଶୀଳ ପାଠକଙ୍କ ପାଇଁ ଓଡ଼ିଆ ଭାଷାରେ ପ୍ରକାଶ ପାଉଥିବା ବହୁ ନିୟମିତ ଏବଂ ଅନିୟମିତ ପତ୍ରପତ୍ରିକା ମଧ୍ୟରୁ ସୃଜନଶୀଳ ସାହିତ୍ୟ ପତ୍ରିକା ଏଯାବତ୍ ଅନ୍ୟତମ । ବର୍ଷ ୨୦୨୧ ଶାରଦୀୟ ବିଶେଷାଙ୍କର କଳେବର ନେଇ ଓଡ଼ିଶାର ବହୁ ପତ୍ରିକା ପାଠକମାନଙ୍କର ଦୃଷ୍ଟି ଆକର୍ଷକ ସାଜିଥିଲା ବେଳେ ‘ଏଯାବତ’ ତାହାର ପ୍ରାକ୍ ପୂଜାସଂଖ୍ୟା - ୨୦୨୧ ପତ୍ର ପତ୍ରିକାର ଭିଡ଼ ମଧ୍ୟରୁ ମୁକୁଳି ଦୁର୍ଗାପୂଜା ପୂର୍ବରୁ ପ୍ରକାଶ ପାଇ ଇତି ମଧ୍ୟରେ ସାଉଁଟି ସାରିଛି ବିପୁଳ ପାଠକୀୟ ଆଦୃତି । ବିବିଧ ସାହିତ୍ୟପ୍ରସ୍ଥ ସହ ବୌଦ୍ଧିକ ଆଲୋଚନାମାନ ଆଲୋଚ୍ୟ ସଂଖ୍ୟାଟିର ବିଶେଷ ଆକର୍ଷଣ । ପତ୍ରିକାଟିର ପ୍ରଚ୍ଛଦକୁ ରଙ୍ଗ ଓ ତୁଳୀରେ ରୂପ ଦେଇଛନ୍ତି ଓଡ଼ିଶାର ଚର୍ଚ୍ଚିତ କବି ତଥା ଚିତ୍ରକର ଡା ଦୀନବନ୍ଧୁ ସାହୁ । ଏ ଫୋର ସାଇଜର ୧୨୦ ପୃଷ୍ଟା ପରିମିତ ଏଯାବତ୍ ପ୍ରାକ୍ ପୂଜା ସଂଖ୍ୟା-୨୦୨୧ର ଟ୍ୟାଗ୍ ଲାଇନ୍ ରହିଛି ‘ସର୍ଜନାର ଯୋଗଯାତ୍ରା’ ।
କରୋନା ମହାମାରୀ ତୀବ୍ର ବିଭିଷୀକାରେ ସାଧାରଣ ଜନ ଜୀବନ ଅସୁରକ୍ଷିତ ହୋଇପଡ଼ିଥିଲା ବେଳେ ସ୍ରଷ୍ଟାର କଲମ ସବୁବେଳେ ବିକଳ୍ପ ଜୀବନକୁ ସଂଧାନ କରିଚାଲିଥାଏ । ସୁତରାଂ ସହିତ୍ୟ ହେଉଛି ନିଃସର୍ତ୍ତ ସାଧନା । ଏହି ପ୍ରସଙ୍ଗକୁ ନେଇ ଏଯାବତ୍ ର ସଂପାଦକ କବି ମାନସ ରଞ୍ଜନ ପଣ୍ଡା ‘ପ୍ରେମମୟ ହେଉ ପ୍ରତିଟି ପ୍ରାଣର ସ୍ପନ୍ଦନ’ ଶୀର୍ଷକରେ କହିଛନ୍ତି- “ଆଘାତ ଯେତେହୁଏ ଉତପୀଡ଼କ, ବ୍ୟଥା ଯେତେ ହୁଏ ନିବିଡ଼ ସେତିକି କାବ୍ୟମୟ ହୁଏ ତା ସୃଜନର ପ୍ରାଣସତ୍ତା । ବେଦନାର୍ଦ୍ର ଜୀବନ ହିଁ ଶୁଦ୍ଧ ସୃଜନର ଅନ୍ତସ୍ଥଳ । ଅସହାୟ ମଣିଷର ସ୍ବର, ତା କାରୁଣ୍ୟର କଳାକୃତି ସ୍ରଷ୍ଟାର କଲମକୁ ମଜଭୁତ କରେ । ହରେଇବାର ହାହାକାର ଏବଂ ଅନ୍ତରର ଶୋକାର୍ତ୍ତ ଆକୁଳତା ସୃଜନକୁ କରେ ସୂକ୍ଷ୍ମ ଓ ଶାଣିତ । କୋହର କୁହାନଳରେ ଗଢ଼ାହୁଏ ଛନ୍ଦମୟ ସ୍ବପ୍ନର ନକ୍ସା । ଜଗତର ଯାବତୀୟ ଯାତନା, ବିରହପଣ, ପ୍ରେମର ବୈଦଗ୍ଧ ଆଉ ମରଣର ମହାର୍ଣ୍ଣବ, ଏସବୁ ତ ସୃଜନର ଦୁର୍ଲଭ ସାମର୍ଥ୍ୟ ।”
ସଂଖ୍ୟାଟିର ସମସ୍ତ ବିଭାଗର ଲେଖା ସୁଚୟିତ । ପତ୍ରିକା ଭାବରେ ଏହା ନୂଆ ହେଲେ ମଧ୍ୟ ଓଡ଼ିଶାର ଯେ କୌଣସି ଆଭିଜାତ୍ୟ ପୂର୍ଣ୍ଣ ପୁରୁଣା ଓ ପ୍ରତିଷ୍ଠିତ ଓଡ଼ିଆ ପତ୍ରିକାର ଏହା ସମକକ୍ଷ ବୋଲି କୁହାଯାଇପାରେ । ଏଥି ସହିତ ଆଜି ସମୟର ଓଡ଼ିଶାର ବିଭିନ୍ନ ଆଗଧାଡ଼ିର ପତ୍ରପତ୍ରିକାଠାରୁ ଏହା ବିଭିିନ୍ନ ଦିଗରୁ ସ୍ବତନ୍ତ୍ର । ବିଶେଷତଃ ପାଠକଟିଏ ପୃଥଳକାୟ ଏବଂ ଆଗଧାଡ଼ିର ପତ୍ରିକା ବୋଲି ଦାବୀଦାର ପତ୍ରିକାମାନଙ୍କର ବାଂଛିତ ସହିତ ଅବାଂଛିତ (ଅସାହିତ୍ୟ) ବା ନିମ୍ନମାନର ଲେଖାକୁ ମଧ୍ୟ ସାମ୍ନାକରି ଭଲ ଲେଖା- ଖରାପ ଲେଖାର ଭ୍ରମ ଓ ଶଂଶୟ ଭିତରେ ପଡ଼ିଥାଏ । ସଂପାଦକ/ ପ୍ରକାଶକଙ୍କ ଲେଖା ସୁଚୟନର ଅଭାବରୁ ପାଠକ ହୁଏ ବିଭ୍ରାନ୍ତ । ନିମ୍ନମାନର ଲେଖାର ଭିଡ଼ରେ ଉଚ୍ଚମାନର ଲେଖା ହଜିଗଲା ଭଳି ପରିସ୍ଥିତି ଆଲୋଚ୍ୟ ପତ୍ରିକାରେ ନାହିଁ । ଦ୍ୱିତୀୟତଃ, ଆକାର ଓ ମୂଲ୍ୟ ଦୃଷ୍ଟିରୁ ଏହା ସବୁବର୍ଗର ପାଠକଙ୍କୁ ପତ୍ରିକାଟିଏ କିଣିନେଇ ଘରେ ସମସ୍ତେ ପଢ଼ିଲାଭଳି ନିଜର କଳେବରକୁ ଓ ମୂଲ୍ୟକୁ ରକ୍ଷା କରିପାରିଛି ।
ଏଯାବତ୍ର ଆଲୋଚ୍ୟ ସଂଖ୍ୟାଟିରେ ‘ବିଶ୍ୱାୟନ’ ସ୍ତମ୍ଭରେ ସ୍ଥାନ ପାଇଛି ବିଶ୍ୱବିଦିତ ଚିତ୍ରକର ତଥା ସାହିତ୍ୟକାର ଖଲିଲ ଜିବ୍ରାନ୍ ଉପରେ ଏକ ସ୍ବତନ୍ତ୍ର ପ୍ରତିବେଦନ । ଖଲିଲଙ୍କର ‘ଦି ପ୍ରଫେଟ’ ପୁସ୍ତକରୁ ଦୁଇଟି କବିତାର ଓଡ଼ିଆ ରୂପାନ୍ତର ସହ ଏହି ବିଶେଷ ନିବନ୍ଧରେ ଖଲିଲ ଜିବ୍ରାନଙ୍କର ସଂକ୍ଷିପ୍ତ ଜୀବନ ଓ ସାହିତ୍ୟ ତଥା ଚିତ୍ରକଳାକୃତି ବାବଦରେ ହୋଇଛି ଆଲୋଚିତ । ସଂଖ୍ୟାଟିର ପ୍ରବନ୍ଧ ବିଭାଗରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଅନନ୍ୟ ଓ ଅନୁପମ କୃତି ଓଡ଼ିଆ ଭାଗବତ ଉପରେ ପ୍ରାବନ୍ଧିକ ସମାଲୋଚକ ଡ ବିରଞ୍ଚି କୁମାର ସାହୁ ବିସ୍ତୃତ ଆଲୋଚନା ରଖିଥିଲା ବେଳେ ‘ଶବ୍ଦବାଦ’ ପ୍ରସଙ୍ଗରେ ନକୁଳ ଚନ୍ଦ୍ର ସାହୁଙ୍କର ସ୍ବତନ୍ତ୍ର ଆଲୋଚନା ପାଠକଙ୍କୁ ମୁଗ୍ଧ କରିବ ନିଶ୍ଚୟ । ସେହିପରି ଔପନ୍ୟାସିକ ବିଭୁତି ପଟ୍ଟନାୟକଙ୍କର ଦୁଇଟି ଭ୍ରମଣ ଉପନ୍ୟାସ ‘ତୀରେ ତୀରେ ତୀର୍ଥ’ ଏବଂ ‘ଦ୍ୱାରକା ଦର୍ଶନ’କୁ ନେଇ ଗବେଷିକା ପ୍ରତ୍ୟାଶା ଧଳ ଆଲୋଚନା କରିଥିଲା ବେଳେ ସୁପରିଚିତା ତେଲଗୁ ସାହିିତ୍ୟିକା ପପୁରି ଲଳିତା କୁମାରୀଙ୍କ ‘ଭଲ୍ଗା’ ଗଳ୍ପ ପୁସ୍ତକରେ ରାମାୟଣର ସୀତାଦେବୀ ଚରିତ୍ରକୁ ନେଇ ବାମାଦେବୀ ଚେତନାର ନିଷ୍କର୍ଷକୁ ଆଲୋଚନାରେ ଆଣିଛନ୍ତି ପ୍ରାବନ୍ଧିକ ଡ. ଲକ୍ଷ୍ମଣ ସାହୁ ।
ସଂଖ୍ୟାଟିର କବିତା ବିଭାଗରେ ଡ. ଜୟନ୍ତ ମହାପାତ୍ର, ବଂଶୀଧର ଷଡଙ୍ଗୀ, ରମାକାନ୍ତ ରଥ, ହରପ୍ରସାଦ ଦାସ, ଡଃ ହିମାଂଶୁ ପଟ୍ଟନାୟକ, ସୌଭାଗ୍ୟବନ୍ତ ମହାରଣା, ଅକ୍ଷୟ ବେହେରା, ବିମଳ ଜେନା, ସୈରିନ୍ଧ୍ରୀ ସାହୁ, ଚି ରଞ୍ଜନ ନାୟକ, କମଳ କୁମାର ମହାନ୍ତି, ସୁଶାନ୍ତ ଦାଶ, ଯଶୋଧରା ଦାସ, ସରୋଜ ବଳ, ମନୋଜ କୁମାର ମିଶ୍ର, ଯଶୋବନ୍ତ ସେଠୀ, ମନୋଜ ମେହେର, ଡ. ଶୁଭଶ୍ରୀ ଲେଙ୍କା, ଶ୍ୱେତା ରାଉତ ପ୍ରମୁଖ ୩୭ଜଣ ପ୍ରତିଷ୍ଠିତ ଏବଂ ପ୍ରତିଶୃତି ବଦ୍ଧ କବିଙ୍କର କବିତା ସ୍ଥାନ ପାଇଥିଲା ବେଳେ ଗୀତିକବିତା ବିଭାଗରେ ରହିଛି ମନୋଜ ପଟ୍ଟନାୟକ, ମନୋଜ ମହାନ୍ତି, ସତ୍ୟ ପଟ୍ଟନାୟକ, ମିଶ୍ର ସତ୍ୟନାରାୟଣ, ସୁରଞ୍ଜନ ପାତ୍ର, ମନୋରଞ୍ଜନ ମୁଦୁଲି, ଏବଂ ସନ୍ତୋଷିନୀ ଦାଶଙ୍କର ମନୋଜ୍ଞ ଗୀତିକବିତା ସମୂହ । ସେହିପରି ଥିମ୍ କବିତାର ଆଦ୍ୟଭାଷଟି କବି ତଥା ସଂଯୋଜକ ସତ୍ୟ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ବେଳେ ‘କବିତାର କାଠଗଡ଼ାରେ ଜୀବନର ଜମାନବନ୍ଦୀ’ ଥିମ୍ କୁ ନେଇ ସୁଚେତା ମିଶ୍ର, ଅୟସକାନ୍ତ, ଲିପିକା ଦାସ, ଅଧ୍ୟାପକ ଦିଲ୍ଲୀପ ପ୍ରମାଣିକ, ପିନାକୀ ମିଶ୍ର, ଅଜିତ୍ କୁମାର ସାବତ, ଲକ୍ଷ୍ମୀନାରାୟଣ ହୋତା, ମୁକୁଲ ମିଶ୍ର, ମିତା ପଟ୍ଟନାୟକ, ମମତା
ପ୍ରିୟଦର୍ଶନୀ ସାହୁ, ରାଇରଞ୍ଜନ ନନ୍ଦ, ତ୍ରିନାଥ ସିଂହ, ପଦ୍ମଜା ଶରଣ, ସୁଧା ଦାଶ ଓ ପ୍ରଦୀପ ବନ୍ଧଙ୍କର କବିତା ସାହୁ ପାଠକଙ୍କ ପାଇଁ ବିଶେଷ ଆକର୍ଷଣ ନିଶ୍ଚୟ । ଅନୁବାଦ କବିତା ବିଭାଗରେ ସଦଗୁରୁ (ପ୍ରତିଷ୍ଠାତା, ଈଷା ଫାଉଣ୍ଡେସନ)ଙ୍କର ମୂଳ ଇଂରାଜୀ କବିତାର ଓଡ଼ିଆ ରୂପାନ୍ତରରେ ପ୍ରତିଭା ପ୍ରିୟଦର୍ଶନୀ ରହିଥିଲା ବେଳେ ସର୍ବିଆ (ବେଲଗ୍ରେଡ)ର କବୀ ମିଲ୍କା ଜୋଭାନସ୍ ଭିକ୍ ସୋଲଜାଙ୍କର ଦୁଇଟି ମୂଳ ଲାଟିନ୍ କବିତାର ଓଡ଼ିଆ ଅନୁବାଦରେ ଅଛନ୍ତି ରାଗିଣୀ ଦତ୍ତ ।
ଏଯାବତ୍ ପ୍ରାକ୍ ପୂଜା ସଂଖ୍ୟା- ୨୦୨୧ର ‘ଗଳ୍ପ’ ବିଭାଗରେ ପ୍ରକାଶିତ ହୋଇଛି ପବିତ୍ର ପାଣିଗ୍ରାହୀ (ମିଛଘର), ଇଂ ବିଷ୍ଣୁସାହୁ (ପୁଣ୍ଡରିକ ଉପାଖ୍ୟାନ) ଭୀମପୃଷ୍ଟି (ଘର ଭିତରେ ଘର) ସ୍ନେହଲତା ଦାସଲେଂକା (ଗପପରି କିଛି) ଏବଂ ବିବିଧ ବିଶ୍ୱ (ଧୂଆଁ ଘେରରେ ଯଯାତି) ପ୍ରମୁଖ ପ୍ରତିଷ୍ଠିତ ଗାଳ୍ପିକ ଓ ଗାଳ୍ପିକାଙ୍କର ସୁଖପାଠ୍ୟ ଗଳ୍ପସମୂହ । ଅନୁବାଦ ଗଳ୍ପ ବିଭାଗରେ ଏଥର ପାଠକ ଭେଟିବେ ରାଜୀବ କୁମାର, ବାଳକୃଷ୍ଣ ଗୁପ୍ତା ଏବଂ ମୀରା ଜୈନଙ୍କର ତିନୋଟି ହିନ୍ଦୀ ଲଘୁକଥାର ଓଡ଼ିଆ ରୂପାନ୍ତରରେ ଅନୁବାଦକ ବିନୟ କୁମାର ଦାସଙ୍କୁ । ଗଳ୍ପ, କବିତା ଓ ପ୍ରବନ୍ଧ ଆଲୋଚନା ସହ ଏଯାବତ୍ ପ୍ରାକ ପୂଜାସଂଖ୍ୟାଟିର ସ୍ବତନ୍ତ୍ର ପ୍ରସ୍ତୁତି ଯଥା- କାବ୍ୟବ୍ୟକ୍ତିତ୍ୱ, ଗଳ୍ପ ବ୍ୟକ୍ତିତ୍ୱ, ଭଲ ଗପର ସଂଜ୍ଞା ଓ ବହି ସମୀକ୍ଷା ଇତ୍ୟାଦି ସାହିତ୍ୟ ଦସ୍ତାବିଜ୍ ନିରୋଳା ସାହିତ୍ୟ ପାଠକଙ୍କ ପାଇଁ ଆକର୍ଷଣୀୟ ଓ ସୁଖପାଠ୍ୟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଏ । ସୃଜନ ଦାମ୍ପତ୍ୟ ବିଭାଗରେ ଓଡ଼ିଶାର ସୁପରିଚିତ ସାରସ୍ବତ ଦମ୍ପତି ଅଧ୍ୟାପକ ହରେକୃଷ୍ଣ ଦାସ ଏବଂ ଅଧ୍ୟାପିକା ଈପ୍ସିତା ଷଡଙ୍ଗୀଙ୍କୁ ସମାନ ପ୍ରଶ୍ନରେ ସାମ୍ନାସାମ୍ନି ଉତ୍ତର, ଗଳ୍ପ ବ୍ୟକ୍ତିତ୍ୱ ବିଭାଗରେ ବରିଷ୍ଠ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ସହ ପ୍ରଶ୍ନୋତ୍ତର ଏବଂ କାବ୍ୟବ୍ୟକ୍ତିତ୍ୱ ସ୍ତମ୍ଭରେ ବାଲେଶ୍ୱରର କବି ଶ୍ରୀଦେବଙ୍କ ସହ ପ୍ରଶ୍ନୋତ୍ତର ଏଯାବତ୍- ପ୍ରାକ୍ ପୂଜାସଂଖ୍ୟା ୨୦୨୧ ସଂଖ୍ୟାକୁ ଅନ୍ୟାନ୍ୟ ପତ୍ରପତ୍ରିକାଠାରୁ ସ୍ବତନ୍ତ୍ର ପର୍ଯ୍ୟାୟକୁ ନେଇଯାଇଛି । ସେହିପରି ‘ଭଲଗପଟିଏର ସଂଜ୍ଞା’ ବିଭାଗରେ ଭଲଗପର ସଂଜ୍ଞା ଆକଳିତ ହୋଇଛି ମହାଶ୍ୱେତା ସାହୁ, ଦେବଯାନୀ ଦାସ, ସୁପ୍ରିୟା ପାଲ, ପ୍ରଫୁଲ୍ଲ ତ୍ରିପାଠୀ ଏବଂ ପାର୍ଥସାରଥି ପ୍ରଧାନଙ୍କ ଦ୍ୱାରା । ବହି ସମୀକ୍ଷା ପର୍ବର ଆଲୋଚ୍ୟ ସଂଖ୍ୟାରେ ସ୍ଥାନ ପାଇଛି ଶୈବାଳିନୀ ସାହୁଙ୍କର କବିତା ପୁସ୍ତକ ‘ଶବ୍ଦରେ ଶବ୍ଦରେ ଶୈବାଳିନୀ’, ଡ. ହରିଶ୍ଚନ୍ଦ୍ର ବେହେରାଙ୍କର ‘ହସ ବିକୁଥିବା ଝିଅ’, ଡ. ଦିଲ୍ଲୀପ ରଥଙ୍କର ଏକପଦୀ କବିତା ସଂକଳନ ‘ସଞ୍ଜ ନଇଁଗଲେ’ ଏବଂ ଅଧ୍ୟାପିକା ପ୍ରମିଳା ଶତପଥୀଙ୍କର କବିତା ପୁସ୍ତକ ‘ଆଶ୍ଳେଷା ନକ୍ଷତ୍ରର ନାରୀ’ ବାବଦରେ ଡଃ ଶିରୀଶ ଜେନା, ମୀନକେତନ ଦାସ, ଡ. ଶତୃଘ୍ନ ପାଣ୍ଡବ ପ୍ରମୁଖ ଆଲୋଚକଙ୍କର ମୂଲ୍ୟବାନ ସମୀକ୍ଷା ଆଲୋଚନା ।
ନିର୍ଭୁଲ ମୁଦ୍ରଣ, ଆକର୍ଷଣୀୟ ଫଟୋଗ୍ରାଫି, ଉନ୍ନତମାନର କାଗଜ, ରଙ୍ଗୀନ ପ୍ରଚ୍ଛଦ ଏବଂ ସୁଚୟିତ ଲେଖାକୁ ନେଇ 'ଏଯାବତ୍ ପ୍ରାକ୍ ପୂଜା ସଂଖ୍ୟା - ୨୦୨୧’ ରୁଦ୍ଧିମନ୍ତ । ପତ୍ରିକାଟିର ମାର୍ଗଦର୍ଶକ ତଥା ଓଡ଼ିଶାର ଖ୍ୟାତନାମା କବି ଡ. ଫନୀ ମହାନ୍ତି ଏହି ସଂଖ୍ୟାର ମାର୍ଗଦର୍ଶନ ପୃଷ୍ଠାରେ କହିଛନ୍ତି- “ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ଆମ କାବ୍ୟ କବିତା ହଜାର ବର୍ଷରୁ ଉଦ୍ଧ୍ୱର୍କାଳ ଧରି ନିରବଚ୍ଛିନ୍ନ ପ୍ରମୁଖ ସ୍ଥାନ ଅଧିକାର କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ସୁଦୃଢ ପରମ୍ପରାକୁ ନଷ୍ଟ କରିବାର ନୈତିକ ଅଧିକାର କାହାର ନାହିଁ । ଯନ୍ତ୍ରଣା ଜର୍ଜର ଗୋଟେ କୃତ୍ରିମ ଜୀବନର ଚିତ୍ରଅଂକନ ଓଡ଼ିଆ କାବ୍ୟ କବିତାରେ ବିଧିନିର୍ଦ୍ଦିଷ୍ଟ ଭାଗ୍ୟ ନୁହେଁ । ପର ବୁଦ୍ଧିରେ ଘୋଡ଼ା ଚଢ଼ିବା ଅପେକ୍ଷା ନିଜ ବୁଦ୍ଧିରେ ଘାସ କାଟିବା ଯଥାର୍ଥ ନୁହେଁ କି ?” ଡ ମହାନ୍ତିଙ୍କ ଏହି ଶାଣିତ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଭିତରେ ଓଡ଼ିଆ ଭାଷା ସାହିତ୍ୟରେ ନିଜର ଦାୟବଦ୍ଧତାକୁ ପ୍ରମାଣ କରିବା ପାଇଁ ଓଡ଼ିଶାର ସମସ୍ତ ଲେଖକ, କବି ଓ ପତ୍ରପତ୍ରିକା ସଂପାଦକଙ୍କ ପାଇଁ ରହିଛି ସିଧାସଳଖ ଆହ୍ୱାନ । ପରିଚୟ ପରିଚିତି ଏବଂ ପ୍ରତିଷ୍ଠିତ ଲେଖକଙ୍କ ସହ ବ୍ୟକ୍ତିଗତ ସଂପର୍କର ଆଧାରରେ ପତ୍ରିକାଟିଏ ପ୍ରକାଶ କରିଦେବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ପ୍ରବୀଣ ଏବଂ ନବୀନ ଲେଖକଙ୍କୁ ଗୋଟିଏ ପତ୍ରିକାରେ ସୁସାମଞ୍ଜସ୍ୟ ରକ୍ଷାକରି ପାଠକମାନଙ୍କ ପାଖରେ ପହଞ୍ଚାଇ ପାରିବା ଆଜି ସମୟର ସବୁଠାରୁ ବଡ଼ ଆହ୍ୱାନ । ବିଶେଷକରି ପତ୍ରପତ୍ରିକାକୁ କେବଳ ଲେଖକଗୋଷ୍ଠୀ ମଧ୍ୟରେ ସୌଜନ୍ୟକପି ଆଦାନ ପ୍ରଦାନ ଆଧାରରେ ସୀମାବଦ୍ଧ ରଖିବା ବଦଳରେ ବୃହତ୍ ପାଠକ ସମାଜ ନିକଟକୁ ପ୍ରତିଷ୍ଠିତ ପ୍ରିୟ ଲେଖକଙ୍କର ସମୟୋଚିତ ଲେଖା ଏବଂ ଅନାବିଷ୍କୃତ ଅସଲ ପ୍ରତିଭାଧାରୀ ଲେଖକଙ୍କର କଲମକୁ ପହଞ୍ଚାଇପାରିବା ଭିତରେ ଯେ କୌଣସି ପତ୍ରିକାର ଗୁରୁତ୍ୱ ଏବଂ ସ୍ଥାୟୀତ୍ୱ ପ୍ରତିପାଦିତ ହୋଇପାରିବ । ତେବେ ଓଡ଼ିଶାର ଝଂକାର ଓ ଇସ୍ତାହାର ପରି ନିରୋଳା ସାହିତ୍ୟ ପତ୍ରିକା ତାଲିକାରେ ‘ଏଯାବତ’ ସ୍ଥାନ ପାଇ ନିରୋଳା ସାହିତ୍ୟ ପାଠକ ଓ ସାହିତ୍ୟ ପ୍ରେମୀଙ୍କୁ ପଠନାନନ୍ଦ ପ୍ରଦାନ କରି ଚାଲିବ, ଏଭଳି ଆଶା ଏଯାବତ୍ ପତି୍ରକାର ପାଠକମାନେ ନିଶ୍ଚୟ ରଖିବେ ବେଲି କୁହାଯାଇପାରେ ।
‘ସଭାପତିଙ୍କ ଶେଷସ୍ପର୍ଶ’ ପୃଷ୍ଠାରେ ଏଯାବତ୍ ପତ୍ରିକା ତଥା ପରିଷଦର ସଭାପତି ପେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ ନିଜସ୍ବ ସଂକ୍ଷିପ୍ତ ଆଲୋଚନା ‘ସମଷ୍ଟି-ଶହେ ଆଠ ପଦ୍ମ’ ଶୀର୍ଷକରେ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି “ବୃହତ୍ତର ପାଠକସମାଜକୁ ଉନ୍ନତ ଓ ରୁଚିଶୀଳ ଲେଖା ପ୍ରତି ଆକୃଷ୍ଟ କରଇବା ଏବଂ ପ୍ରତିଭାଧାରୀ ସ୍ରଷ୍ଟାଙ୍କୁ ପାଠକଙ୍କର ନିକଟ ପରିଚିତ କରାଇବା ପାଇଁ କେବଳ ଏହି ‘ଏଯାବତ୍’ ପତ୍ରିକା ଯଥେଷ୍ଟ ବା ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ଆବଶ୍ୟକ ପ୍ରତ୍ୟେକଟି ଓଡ଼ିଆପ୍ରାଣ ବ୍ୟକ୍ତିବିଶେଷଙ୍କର ମାତୃଭୂମି ଓ ମାତୃଭାଷା ପ୍ରତି ଅଖଣ୍ଡ ଅନୁରାଗ । ଆମେ କେବଳ ସାହିତ୍ୟର ‘ସମଷ୍ଟିଗତ ଯାତ୍ରା’ ବା ‘ସର୍ଜନାର ଯୋଗଯାତ୍ରା’ ଉପରେ ଆସ୍ଥାବାନ ହୋଇ ନମୁନାଟିଏ ପ୍ରସ୍ତୁତ କଲୁ ଯାହା ।”
ସର୍ବଶେଷରେ ଗୋଟିଏ ଉତ୍କୃଷ୍ଟ ମାନର ପତ୍ରିକା ବାବଦରେ ଜନ ଓକାରୀ ଦେଇଥିବା ମନ୍ତବ୍ୟକୁ ଗ୍ରହଣ କରାଯାଇପାରେ । ଯଥା - Magazine is a foroum of intelletuals but it is meant for public & society to gather the harmony, brotherhood and peace for world.
---୦---
ଶିକ୍ଷାବିଭାଗ,
ଆର୍ ଡି ଏସ୍ ଡିଗ୍ରୀ ମହାବିଦ୍ୟାଳୟ ,
କୁଣ୍ଡାବାଇ , ମୟୂରଭଞ୍ଜ
ମୋ : ୯୪୩୮୪୫୫୬୬୦
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।