1/31/2022

ପ୍ରତୀକ୍ଷା ନୂତନ ସକାଳର

ପଦ୍ମାଳୟା ମିଶ୍ର 

ପ୍ରାକ୍ ଐତିହାସିକ ଯୁଗରୁ ଐତିହାସିକ
ପୁରାତନରୁ ଆଧୁନିକ
ବଦଳୁନି କିଛି
ସମୟ ବଦଳିଛି ସତ
ବଦଳୁଛି ଖାଲି ଋତୁଚକ୍ର
ତିଥି ବାର ନକ୍ଷତ୍ର
ବଦଳିଛି ପୃଥିବୀର ରୂପ
ମାଡିଛି କଂକ୍ରିଟ୍‌ର ଜଙ୍ଗଲ
ହେଲେ ବଦଳିନି ମଣିଷର ଗୁଣ ଗ୍ରାମ ।।








ତ୍ରେତୟା ଦ୍ଵାପର କଳି
ସବୁବେଳେ ନାରୀ ମନର ବଳି
ମନ୍ଥରାର କୁମନ୍ତ୍ରଣା କୈକେୟୀଙ୍କ କୁଟିଳତା
ସୀତାଙ୍କ ଅଗ୍ନି ପରୀକ୍ଷା
ଦଶରଥଙ୍କ ପୁତ୍ର ମୋହ
ରାବଣର ମତିଭ୍ରମ ଓ
ବିଭିଷଣର ଦେଶଦ୍ରୋହ
କିଛି ତ ବଦଳିନି ....

ଭୀଷ୍ମଙ୍କ ପ୍ରତିଜ୍ଞା
ଧୃତରାଷ୍ଟ୍ରଙ୍କ ମୁକୁଟ ଲୋଭ
ଶକୁନିର କୁଟଚକ୍ରାନ୍ତ
ଦୁର୍ଯ୍ୟୋଧନର ଅଭିମାନ
ଦୁଃଶାସନର ଅନ୍ଧ ଆଜ୍ଞା ପାଳନ
ଗାନ୍ଧାରୀଙ୍କ ମୁଦ୍ରିତ ନୟନ
ଅର୍ଜୁନ ଓ ଅଭିମନ୍ୟୁର ପରାକ୍ରମ
ଦ୍ରୌପଦୀର କ୍ରୋଧ ଅଭିଶାପ
ନୀରବ କୁରୁସଭା
ବାସୁଦେବଙ୍କ ଧର୍ମ କର୍ଣ୍ଣଙ୍କ କର୍ମ
କୁରୁକ୍ଷେତ୍ରର ଭୟାବହ ଦୃଶ୍ୟ
କିଛି ତ ବଦଳିନି .....







ମୁଖା ପିନ୍ଧି ମନୁଷ୍ୟ ନିତି ଖେଳୁଛି
ଛଳନା କରୁଛି ଅନ୍ୟ ସହ
ଆଧୁନିକତାର ଶିଖରେ ପହଞ୍ଚି
ଭୁଲିଚି ମୂଳକୁ , ମୂଳ ଗଣ୍ଡିକୁ
ଆଧୁନିକ ସଭ୍ୟତା ଗଢିବା ନିଶାରେ
ନାଶି ଚାଲିଛି ସଂସ୍କୃତିକୁ 
ଦଳି ଚକଟି ଦେଉଛି ପରମ୍ପରାକୁ
ଠକୁଛି ନିଜକୁ ନିଜ ଆତ୍ମାକୁ
ମରୀଚିକା ପଛେ ଧାଇଁ
ନଷ୍ଟ କରୁଛି ବାସ୍ତବକୁ
ନିଜକୁ ଛଳନାର ପଥେ କଡେଇ ନେଇ
ଧ୍ଵଂସ କରୁଛି ସମାଜକୁ ।
ଯୁଗ ପରେ ଯୁଗ
ପ୍ରତୀକ୍ଷା ଏକ ନୂତନ ସକାଳକୁ ।।

ଚୁଡ଼ଙ୍ଗ ସାହି , ପୁରୀ

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।