1/31/2022

ଜଣେ ସଚେତନ ନାଗରିକର ଆହ୍ବାନ

          ଆଲୋକ ଚନ୍ଦ୍ର ନାୟକ 
 ଯଦି ଆମେରିକା ବିଶ୍ବରେ ସର୍ବ ପୁରାତନ ଗଣତନ୍ତ୍ର ରାଷ୍ଟ୍ର ହୁଏ ତେବେ ମୋ' ଦେଶ ଭାରତ ହେଉଛି ଏ ବିଶ୍ବରେ ସର୍ବ ବୃହତମ ରାଷ୍ଟ୍ର । ଏ ଦେଶ ମାତୃକାର କୋଳରେ ଜନ୍ମ ନେବା ଏକ ସୌଭାଗ୍ୟର ବିଷୟ । ଯଦି ଦେଖାଯାଏ ଆମ ପରମ୍ପରା ହେଉଛି ଏକ ଗଣତାନ୍ତ୍ରିକ ପରମ୍ପରା । ଯଦି ଦେଖାଯାଏ ଖାଲି ଆମେ ସର୍ବ ବୃହତମ ନୁହେଁ ସର୍ବ ପୁରାତନ ଗଣତନ୍ତ୍ର ବି । ଏ ଭାରତ ବର୍ଷ ଅନେକ ରାଜାଙ୍କ ଶାସନ ଦେଖିଛି ସତ କିନ୍ତୁ ତା' ଭିତରୁ ଏମିତି ବି କିଛି ରାଜା ଅଛନ୍ତି ଯେଉଁମାନେ ଶାସନ କରୁଥିଲେ ସତ , କିନ୍ତୁ ଗଣତନ୍ତ୍ର ପାଇଁ ସେମାନେ ଥିଲେ ମୂଳ ଖମ୍ବ କହିଲେ ଭୁଲ୍ ହେବନାହିଁ । ତା' ଭିତରୁ ଭରତ ଥିଲେ ଅନ୍ୟତମ । ଯିଏ କେବଳ ଗଣତନ୍ତ୍ରର ମୂଳ ଖମ୍ବ ନ ଥିଲେ , ବରଂ ଥିଲେ ପରିବାରବାଦର ଘୋର୍ ବିରୋଧୀ । ସେଥିପାଇଁ ତ ନିଜ ପୁତ୍ରକୁ ସେ ଉଚିତ ଶାସକ ମନେ କଲେନି । କହିଲେ ଏଭଳି ଦେଶରେ କିଏ ବା ଜନ୍ମ ହେଇ ଗର୍ବିତ ନ ହେବ ? ଆମେ ସମସ୍ତେ ଜଣେ ଜଣେ ଭାରତୀୟ , ବିଶ୍ବବାସୀଙ୍କ ପାଖରେ ଏତିକି ପରିଚୟ ହିଁ କାଫି । କାରଣ ଏ ବିଶ୍ବ ଗଣତନ୍ତ୍ରର ଅନେକ ସ୍ରଷ୍ଟାଙ୍କ ଜନ୍ମ ଏହିଠାରେ ; ସେ ସୁଭାଷ ହୁଅନ୍ତୁ କି ସେ ପଟେଲ , ସେ ଶାସ୍ତ୍ରୀଜୀ ହୁଅନ୍ତୁ କି ସେ ଲାଲ୍ - ବାଲ୍‌ - ପାଲ୍ । ଏ ଦେଶରେ ଜନ୍ମ ନେଇଛନ୍ତି ଖୁଦୀରାମଙ୍କ ଭଳି ମହାନ ଗଣତନ୍ତ୍ର ପାଇଁ ଜୀବନ ଦାନୀ । ଏ ଦେଶରେ ଜନ୍ମ ନେଇଛନ୍ତି ନାଥୁରାମ୍ ଭଳି ଗଣତନ୍ତ୍ରର ମହାନ ଉପାସକ । ଏଠି ଅଟଳ ଥିଲେ ଆଉ ଏଠି ବିଜୁ ବାବୁ ଥିଲେ ଏବଂ ଏଠି ଅଛନ୍ତି ନରେନ୍ଦ୍ର ମୋଦି । ଏଠି ଆଜାଦ ଥିଲେ ଓ କଲାମ୍ ଥିଲେ , ଏଠି ରହିଛି ଦୋଭାଲ୍ବ ଆଜି । ଏମାନେ ସମସ୍ତେ ହେଲେ ଏ ବିଶ୍ବ ଗଣତନ୍ତ୍ରକୁ ବଞ୍ଚେଇ ରଖିବାର ଜଣେ ଜଣେ ଗଣତନ୍ତ୍ରର ପୂଜାରୀ । ଆଉ ଏମାନଙ୍କ ମାଟିରେ ମୁଁ ବି ଜନ୍ମ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଛି । 

      ଏଇ ଖୁବ୍ କମ୍ ଦିନ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ଗଣତନ୍ତ୍ରର ମହାପର୍ବ , ସବୁ ଆକଳନକୁ ପଛରେ ପକାଇ ବହୁ ମତ ପାଇଁ ବିଶ୍ବରେ ସର୍ବ ବୃହତମ ଗଣତନ୍ତ୍ରରେ ଇତିହାସ ରଚିଥିଲେ ମୋଦି ଓ ନବୀନ ; ଜଣେ ଦେଶରେ - ଜଣେ ରାଜ୍ୟରେ । ଏଇ ଲେଖା ମାଧ୍ୟମରେ ମୁଁ ମୋ' ତରଫରୁ ଦୁହିଁଙ୍କୁ ଭାରତର ନାଗରିକ ଭାବରେ ଶୁଭ କାମନା ଜଣାଉଛି । ଆଉ ଜଣେ ଗଣତନ୍ତ୍ରର ଛୋଟିଆ ପୂଜାରୀ ଭାବରେ ଏ ଲେଖା ମାଧ୍ୟମରେ କିଛି ଉପଦେଶ ଆଉ କିଛି ଘଟଣାକୁ ନେଇ ସମାଲୋଚନା ବି କରୁଛି । ମୁଁ ମୋ' ବିଷୟକୁ ଆସିବା ପୂର୍ବରୁ ସମସ୍ତଙ୍କୁ କହି ରଖେ ମୁଁ ନିର୍ଦ୍ଧିଷ୍ଟ ଏଠି କାହା ସପକ୍ଷରେ କି କାହା ବିପକ୍ଷରେ କହିବା ପାଇଁ ଚାହୁଁ ନାହିଁ । ଯାହା କହିବି ଯାହା ଲେଖିବି ଗଣତନ୍ତ୍ରର ଜଣେ ସଚେତନ ନାଗରିକ ଭାବରେ କହିବି ଆଉ ଲେଖିବି । ଭାରତ ହେଉଛି ୧୫୦କୋଟି ଭାରତୀୟଙ୍କ ବାସସ୍ଥଳୀ । ସେ ହିସାବରେ ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ମୋ' ମତରେ ମୁଖ୍ୟତଃ କେତୋଟି କାରଣକୁ ଅନୁସରଣ  କରିବା ଆବଶ୍ୟକ । ପ୍ରଥମେ ପରିବାରବାଦର ବିଲୋପ । ଆମେ ଭାରତୀୟମାନେ କଥା କଥାରେ କହୁଛୁ ଆମେ ଭରତ ବଂଶର ଦାୟାଦ । କିନ୍ତୁ ଆମେ ଯେଉଁମାନେ ରାଜନୀତିକୁ ନିଜର ପେଶା କରିଛୁ ଓ ନିଜକୁ ଗଣତନ୍ତ୍ରର ପୂଜାରୀ ବୋଲି ବିବେଚନା କରୁଛୁ । ଆମେ ସେଇମାନେ କାର୍ଯ୍ୟ କରୁଛୁ ରାଜତନ୍ତ୍ର ଭଳି । ଆମେ ଏକ ଘୃଣ୍ୟ ବିଚାରାଧାରାରେ ଚାଲିଛୁ ଯେ ମୁଁ MLA ଅଛି ମାନେ ମୋ' ପୁଅ ପାଇଁ ବାଟ ସଫା , ମୁଁ MP ଅଛି ମାନେ ମୋ' ପୁଅ ଆଉ ସ୍ତ୍ରୀ ପାଇଁ ବାଟ ପରିଷ୍କାର । ତେଣିକି ସେ ଯାହା ହେଇଥା'ନ୍ତୁ ; ସେ ଗଣତନ୍ତ୍ରର ବିରୋଧୀ ବି ହେଲେ କିଛି କଥା ନାହିଁ । ସେ କଥା ଦୁଇପଦ ପଛେ ନ କହିପାରନ୍ତୁ କିନ୍ତୁ ମିଛ ଲୋକସେବାକୁ ଜାବୁଡି ଧରିଥା'ନ୍ତୁ ।  

      ଆଉ ଗୋଟେ କଥା ଜାଣନ୍ତି ? ମୋତେ ଲାଗୁଛି ଆମ ଏ ଗଣତନ୍ତ୍ର ଧୀରେ ଧୀରେ ଅନୁକମ୍ପାତନ୍ତ୍ର ହେଇଯାଉଛି । କାରଣ ଯଦି ଜଣେ କୌଣସି ନେତା ଚାଲି ଯାଉଛି ସେ MLA କି MP ଥିବା ସମୟରେ ତେବେ ଆମ ଭିତରେ ପ୍ରତିଯୋଗିତା ଚାଲିଥାଏ ତା' ପୁଅକୁ ticket ଦିଆଯିବ ନା ତା' ସ୍ତ୍ରୀକୁ ଦିଆଯିବ । ଆଉ ଏ କ୍ଷେତ୍ରରେ ଆମ ଓଡ଼ିଶା ତ ବହୁ ଆଗରେ । ଏଠି କେହି ଜଣେ MLA କି MP ଚାଲିଯାଉ ଶାସକ ବିରୋଧୀ ତା' ଜୁଇ ପାଖରୁ ହିଁ ଲାଗିଯିବେ ଅନୁକମ୍ପାତନ୍ତ୍ର ପାଇଁ ; ଅବଶ୍ୟ ଆଜି ଯାଏଁ ଏଥିରେ ଶାସକ ସଫଳ , ଦେଖାଯାଉ ବିରୋଧୀଙ୍କ ଭାଗ୍ୟରେ ଏ ଅନୁକମ୍ପାର କେବେ ସୂର୍ଯ୍ଯୋଦୟ ହଉଛି  । ତେଣୁ ମୋର Indian Supreme Court , ଲୋକସଭା , ରାଜ୍ଯସଭା , Election Commissionerଙ୍କୁ ଏ ଲେଖା ମାଧ୍ୟମରେ ଅନୁରୋଧ ଏଥିରେ ଟାଣି ଦିଅନ୍ତୁ ପୂର୍ଣ୍ଣଛେଦ ।

       ଦ୍ବିତୀୟ କାରଣ ଶିକ୍ଷାର ନିହାତି ଆବଶ୍ୟକତା । ମୋ' ମତରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିହାତି ଆବଶ୍ୟକ ହେଉଛି ଅତି କମ୍‌ରେ ଦ୍ୱାଦଶ ଶିକ୍ଷା ସମାପ୍ତ ନିତ୍ୟାନ୍ତ ଅପରିହାର୍ଯ୍ୟ । କାରଣ ଆଜିର ଯୁଗରେ ସମସ୍ତେ ଜ୍ଞାନୀ ଜୟାଲ୍ ସିଂ ନୁହନ୍ତି , ନବମ ପଢି ବି ଅମାପ ଜ୍ଞାନର ଥିଲେ ଅଧିକାରୀ । ସେମିତି ତ ଆଉ ସମସ୍ତେ ନୁହନ୍ତି  । ତା' ପରେ ବି ଆମେ ବର୍ତ୍ତମାନ ନୂଆ ନୂଆ Technologyରେ ପାଦ ଦେଲେଣି । ତେଣୁକରି ଏହାକୁ ବୁଝିବାକୁ ହେଲେ ଆମକୁ ଶିକ୍ଷାର ବିକାଶ ନିହାତି ଜରୁରୀ । ଅନେକ କ୍ଷେତ୍ରରେ ଦେଖା ଯାଉଛି ଆମ ଦଳମାନେ ଗଣତନ୍ତ୍ରର ନିଜର ଫାଇଦାକୁ ଦେଖି ସେ ବରଂ ଶିକ୍ଷା କ'ଣ ଜାଣି ନ ଥାଉ କି ବୁଝି ନ ଥାଉ ଭୋଟ୍ ବ୍ୟାଙ୍କ କିଛି ତା' ହାତରେ ଅଛି ମାନେ ସେ ହେଲା ଆମ ଦଳ ମାନଙ୍କର ନିର୍ବାଚନର ମୁଖ୍ୟ ପ୍ରାର୍ଥୀ । କିନ୍ତୁ ଆମ ଦଳର ମୁଖୀଆଙ୍କ ମୁଣ୍ଡରେ ଏତିକି ବି ପଶୁନାହିଁ ଯେ ଏ ଗଣତନ୍ତ୍ର ରାଷ୍ଟ୍ରରେ ହଜାର ହଜାର ଶିକ୍ଷିତ ଶିକ୍ଷିତା ବୁଲୁଛନ୍ତି ଯେଉଁମାନଙ୍କୁ ପାଥେୟ କରି ଏ ଗଣତନ୍ତ୍ର ବି ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ଆଉ ଏଥିପାଇଁ ଆଗକୁ ଆସିବା ଆବଶ୍ୟକ ରହିଛି ଆମ ଭାରତୀୟ Supreme Court  , Election Commission ଲୋକସଭା ଓ ରାଜ୍ଯସଭାକୁ । କାରଣ ଅନେକ ସମୟରେ ଦେଖାଯାଇଛି ମନ୍ତ୍ରୀ ପଦ ପାଇବା ପରେ ବି ଲୋକ School examination complete କରିଛନ୍ତି ।

         ତୃତୀୟ କାରଣ ଗଣତନ୍ତ୍ରରେ ମହିଳା ମାନଙ୍କ ଭାଗିଦାରୀ । ଏକ ଦୃଢ଼ ଗଣତନ୍ତ୍ର ଗଠନ ଦିଗରେ ଆମେ ଯେତେବେଳେ ଅଗ୍ରସର ବୋଲି ଡେଙ୍ଗୁରା ପିଟୁଛୁ ସେତେବେଳେ ଆମେ ସାରା ବିଶ୍ୱକୁ ଦେଖେଇଦେବା ଆବଶ୍ୟକ ଯେ ଆମେ ବି ଆମ ଗଣତନ୍ତ୍ରରେ ମହିଳାଙ୍କୁ ଉଚିତ ସମ୍ମାନ ଦେଉ । ଜଣେ ଭାରତୀୟ ଭାବରେ ଆମେ ଏତିକି ବୁଝିବା ଆବଶ୍ୟକ ଯେ ଏ ଦେଶର ପୁଅ ସୁଭାଷ ଯାହାଙ୍କୁ କି ଗଣତନ୍ତ୍ର ମୁଖ୍ୟ ଖମ୍ବ ମାନଙ୍କ ଭିତରେ ଗଣତି କରାଯାଏ , ସେ ସମୟରେ ସେ ବି ଦେଉଥିଲେ ମହିଳା ମାନଙ୍କୁ ପ୍ରାଧାନ୍ୟ । ସେଇଥିପାଇଁ ତ ତାଙ୍କ ଆଜାଦ ହିନ୍ଦ୍‌ ଫୌଜରେ ଥିଲା ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ । ଆମେ ମନେ ରଖିବା ଆବଶ୍ୟକ ଯେ ଗଣତନ୍ତ୍ରର ଅନ୍ୟତମ ପୂଜାରୀ ଅଟଳ ବି ଦିନେ ମହିଳାଙ୍କ ପାଇଁ ଆଗକୁ ଆସି ଇନ୍ଦିରାଙ୍କୁ ମା' ଦୁର୍ଗେ ବୋଲି ସମ୍ବୋଧନ କରିଥିଲେ । ମୁଁ ଧନ୍ୟବାଦ ଦେବି ମୋଦିଜୀଙ୍କୁ ଝିଅ ମାନେ ପଢନ୍ତୁ - ଝିଅ ମାନେ ବଢ଼ନ୍ତୁ ନାରାକୁ ଆଗକୁ ଆଣିଛନ୍ତି ଓ ଗଣତନ୍ତ୍ର ପାଇଁ ଏକ ବଡ ଉପକାର କରିଛନ୍ତି । କିନ୍ତୁ ତଥାପି ଆହୁରି ସଚେତନତାର ଆବଶ୍ୟକତା ରହିଛି  l 

       ଚତୁର୍ଥ କାରଣ ହେଲା , ଦିବ୍ୟଙ୍ଗଙ୍କୁ ସାମିଲ୍ । ଯେଉଁ ସମୟରେ ଆମେ ଏକ ଦୃଢ଼ ଓ ସୁସ୍ଥ ଗଣତନ୍ତ୍ର ପାଇଁ ଆଗକୁ ବଢ଼ୁଛନ୍ତି , ଆମର ଭାବିବା ଆବଶ୍ୟକ ଯେ ଏ ବିଶାଳ ଗଣତନ୍ତ୍ରରେ ଦିବ୍ୟାଙ୍ଗମାନେ ବି ବାସ କରୁଛନ୍ତି । ସେମାନେ ବି ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । Indian Supreme Court , ଲୋକସଭା ,ରାଜ୍ଯସଭା ଓ Election Commissioner  ସମସ୍ତଙ୍କ ପାଖରେ ମୋର ଦାବି ରହିବ ଏ ଲେଖା ମାଧ୍ୟମରେ । ଯେଭଳି ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ବ୍ୟବସ୍ଥା ହେଇଛି  , ଠିକ୍ ସେହିଭଳି ଦିବ୍ୟାଙ୍ଗ ମାନଙ୍କ ପାଇଁ  ଯେକୌଣସି ନିର୍ବାଚନ ହେଉ ନା କାହିଁକି ସବୁଥିରେ ଶିକ୍ଷିତ ଦିବ୍ୟାଙ୍ଗଙ୍କୁ ସଂରକ୍ଷଣ ଭିତ୍ତିରେ ଜାଗା ଦିଆଯାଉ । ଆପଣମାନେ ଜାଣି ଥିବେ କି ନାହିଁ ମୁଁ ଜାଣିନାହିଁ , ସାଧନ ଗୁପ୍ତା ବୋଲି ଜଣେ ଦିବ୍ୟଙ୍ଗ ଯିଏକି ଥିଲେ ଜଣେ MP । ଖାଲି ସେତିକି ନୁହେଁ । ତାଙ୍କର କୌଣସି କାମ ସେ କାହାକୁ ବି କରିବାକୁ ଦିଅନ୍ତି ନାହିଁ ।

ପଞ୍ଚମ କାରଣ ସ୍ବଚ୍ଛ ନିର୍ବାଚନ ପରିଚାଳନା । ବିଶ୍ବ ଗଣତନ୍ତ୍ରରେ ଯଦି ସ୍ବଚ୍ଛ ନିର୍ବାଚନ କଥା ଉଠେ ତେବେ ମୋତେ ଲାଗୁଛି ଆମେ ଭାରତୀୟ ବୋଧେ ଏ ମାମଲାରେ ବହୁ ପଛରେ । ବିଗତ ଦିନ ମାନଙ୍କରେ ଆମେ ଯେଉଁ ସବୁ କୃତିକଳାପ ଦେଖିଛୁ ସ୍ବଚ୍ଛତାକୁ ନେଇ , ସେଥିରୁ ଆମେ ବୁଝିବାକୁ ହେବ ଯେ ଆମ ନିର୍ବାଚନ କେତେ ସ୍ବଚ୍ଛ । ଏଠି ରାଜ୍ୟପାଳ ନାହାନ୍ତି ତାଙ୍କ ସୀମା ଭିତରେ କି ଏଠି Election Commission ନିର୍ବାଚନ ଆୟୋଗ ନାହାନ୍ତି ତାଙ୍କ ସୀମା ଭିତରେ । ନା ଆୟୋଗ ତା' ଦାୟିତ୍ୱକୁ ଠିକ୍ ଭାବେ ତୁଲାଉଛନ୍ତି ନା ଏଠି ରାଜ୍ୟପାଳ ଠିକ୍ ଭାବେ ତୁଲାଉଛନ୍ତି ତାଙ୍କ ଦାୟିତ୍ୱ । ଭୁଲି ଯାଉଛନ୍ତି ଏମାନେ ପଦ ମର୍ଯ୍ୟାଦାର ଗାରିମାକୁ । ଯଦି ଏମିତି ହୋଇ ନଥା'ନ୍ତା ତେବେ Indian Supreme Courtକୁ ବିଭିନ୍ନ ନିର୍ବାଚନ ମାମଲାରେ କେବେ ହସ୍ତକ୍ଷେପ କରି ନଥା'ନ୍ତେ ।

          ଏ ଲେଖା ମାଧ୍ୟମରେ ମୁଁ ଏଠି ଆଉ ଏକ ମତ ବି ରଖୁଛି । ଗଣତନ୍ତ୍ରର ଏ ଅସ୍ଥିରତା ପାଇଁ ଖାଲି ଆୟୋଗ କି ରାଜ୍ୟପାଳ କାହିଁକି , ଏମାନେ ଯେତିକି ଦାୟୀ ଗଣତନ୍ତ୍ରର ଆମେ ଜଣେ ଜଣେ ସଚେତନ ନାଗରିକ ଭାବରେ ବି ସେତିକି ଦାୟୀ । ଗଣତନ୍ତ୍ରର ସ୍ବଚ୍ଛତା ଆଣିବାରେ ଆୟୋଗର ଯେତିକି ଭୂମିକା ରହିବା ଆବଶ୍ୟକ ଆମ ଗଣ ମାନଙ୍କର ବି ସେତିକି ଭୂମିକା ତୁଲେଇବା ଆବଶ୍ୟକ । ଏହି ମର୍ମରେ ଆମେ ନିଜେ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ - "ସତରେ କ'ଣ ଆମେ ଗଣତନ୍ତ୍ରର ଅର୍ଥ ସାର୍ଥକ କରିଛନ୍ତି ଗଣତନ୍ତ୍ରର ଜଣେ ଜଣେ ନାଗରିକ ଭାବରେ ? ସେ MLA - MP election , Municipality Election , Panchayat election ହେଉ ସତରେ ଆମେ କ'ଣ ଆମ ନିଜ ଇଚ୍ଛାରେ କରୁଛନ୍ତି ମତଦାନ ?" ଆମେ ନିଜକୁ ପଚାରିବା ଆବଶ୍ୟକ । ପ୍ରତେକ electionରେ ଆମେ କ'ଣ ହେଉନାହୁଁ କି ଶୋଷିତ ? ଥରୁଟେ ଥଣ୍ଡା ମସ୍ତିସ୍କରେ ନିଜକୁ ପଚାରନ୍ତୁ , ପ୍ରତ୍ଯେକ ନିର୍ବାଚନରେ ଆମେ କ'ଣ ପାର୍ଥୀଙ୍କ ନିକଟରେ ହୋଇଯାଉନୁ କି ବିକ୍ରି ? ମୁଁ ଜାଣେ ଆଜିର ଦିନରେ କେବେ ବି ଆମେ ନିର୍ଭୀକ ଭାବରେ ଏସବୁ ପ୍ରଶ୍ନ ପଚାରି ପାରିବା ନାହିଁ ଆମ ମନକୁ । କାରଣ ଥରେ ନୁହେଁ ବାର ବାର ଆମେ କରି ଚାଲୁଛେ ଭୁଲ୍ ପରେ ଭୁଲ୍ । ତା'ର ଜ୍ୱଳନ୍ତ ଉଦାହରଣ ମୁଁ ଆପଣ ମାନଙ୍କ ଦଉଛି । ଏ ବିଶାଳ ଗଣତନ୍ତ୍ର ରାଷ୍ଟ୍ରରେ ମୁଁ ବାସ କରେ । (Dish TV Bhadrak constancy , dhamnagar block , Tihidi panchayat Baro) ବିକାଶର ଧାରା ଏଠି କିଭଳି ଆଗେଇଛି ତାହା ମୋତେ ଭଲ ଭାବେ ଜଣା । ଥରେ ହୋଇଥିବା ପକ୍କା ରାସ୍ତା ଯେ କେତେଥର କାମ ହୁଏ ତାହା ବି ମୋତେ ଭଲଭାବେ ଜଣା । ଏଠିକା ପାର୍ଥୀ ମାନେ ବିନା ଉଦ୍ଦେଶ୍ୟରେ କେବେ କା' ପାଖକୁ ଯାଆନ୍ତି ନାହିଁ । କେବଳ ତାଙ୍କର ମନେ ପଡେ election ପ୍ରଚାର ବେଳେ । ମୁଁ ତ କହିବି ଏ ପଞ୍ଚାୟତରେ କେହି ବି ବିକାଶ ହେଉ ବୋଲି ଚାହାନ୍ତିନି । ଏଠିକାର ୧୦୦ ରୁ ୯୯ ଭାଗ ପାର୍ଥୀ ଏକଥାକୁ ଖାତିର କରନ୍ତିନି ବିକାଶ ହିଁ ଗଣତନ୍ତ୍ରର ମୂଳମନ୍ତ୍ର ବୋଲି ।

    ଏ ପଂଚାୟତରେ ଗୋଟେ ପିଲା ବିକାଶ ପାଇଁ ଚିନ୍ତା କଲା , ଆଉ ଏକ ଛୋଟ କାରଖାନା କରିବା ପାଇଁ ବି ଆଗକୁ ପାଦ ପକେଇଲା । ଆଉ ଏଥିପାଇଁ ସେ ସହି ଚାଲିଲା ଅନେକ କଷ୍ଟ । କଷ୍ଟ ଅସହ୍ୟ ହେବାରୁ ସେ କଲା ଆମରଣ ଅନଶନ ଓ ଶେଷକୁ ସଫଳ ବି ହେଲା । ଏଠି ମୋର ଆଉ କିଛି ପ୍ରଶ୍ନ ରହିବ ଏ ଗଣତନ୍ତ୍ରର ଉଚିତ୍ ମୂଲ୍ୟ ବୁଝୁଥିବା ଲୋକ ମାନଙ୍କ ପାଇଁ । ସେହି ସମୟରେ କୁଆଡେ ଯାଇଥିଲେ ନିଜକୁ କହି ବୁଲୁଥିବା ଗଣତନ୍ତ୍ରର ଏ ସ୍ବାର୍ଥବାଦୀ ପ୍ରହରୀମାନେ ? ସେ ପିଲା ଯେଉଁ କାର୍ଯ୍ୟ ସମ୍ପାଦନ କଲା ସେଥିରେ କ'ଣ ତା'ର ଏକଲା ଲାଭ ଥିଲା କି ? ପରୋକ୍ଷ ଭାବରେ ବିଚାରକୁ ନେଲେ ଏଥିରେ ପଂଚାୟତର କ'ଣ ଲାଭ ହେବନି କି ? ବାହାଘର , ବ୍ରତଘର , ଶୁଦ୍ଧିକ୍ରିୟା , ପୁଅ - ଝିଅ ଏକୋଇଶା ଏସବୁକୁ ନ ଡାକିଲେ ବି ଯାଇ ପହଞ୍ଚି ଯାଉଛ , ସେଠିକି ଯିବା କ'ଣ କାହାର ଉଚିତ୍ ନ ଥିଲା କି ? 
 
        "ଛୋଟ ମୋର ଗାଆଁଟି - ଭୂଗୋଳ ପୋଥି ପତରେ ପଛେ ନ ଥାଉ ତା'ର ନାଆଁଟି ।" - ମୋତେ ଲାଗେ ଏ କଥାଟି ସମ୍ପୂର୍ଣ୍ଣ ଠିକ୍ ମୋ' ଗାଁ ପାଇଁ  । ସ୍ବାଧୀନତା ପରବର୍ତ୍ତୀ ଗଣତନ୍ତ୍ର ପ୍ରତିଷ୍ଠା ହବାର ବହୁ ବର୍ଷ ବିତିଗଲାଣି । ଏହାରି ଭିତରେ ମୋ' ଦେଶ - ମୋ' ରାଜ୍ୟ ପ୍ରଗତି ପଥରେ କାହିଁ କେତେ ବାଟ ଗଲାଣି । କିନ୍ତୁ ମୋ' ଗାଁ ସେଇ କାଦୁଅ ନାଲିମାଟିରେ ବି ୨୦୨୦ ଯାଏଁ ହନ୍ତସନ୍ତ ହଉଥିଲା । ହଠାତ ଆମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ମାନଙ୍କର ଆଖି ଫିଟିଗଲା ; କଳା ମେଘ ଢାଙ୍କି ଦେଇଥିବା ସୂର୍ଯ୍ୟଟା ଚକ୍‌ମକ୍ ହେଇଉଠିଲା । ଆଉ ଏକ କାମଚୋର ଦ୍ୱାରା ପିଚୁର ରାସ୍ତା ତିଆରି କରାଗଲା । ଯାହାହେଉ ଆମେମାନେ ମୁକ୍ତି ପାଇଲୁ ମାଟି କାଦୁଅରୁ । ଆଜି କିନ୍ତୁ ଦେଖିବେ ଆସନ୍ତୁ ସେ ରାସ୍ତାର ଶୋଚନୀୟ ଅବସ୍ଥାକୁ । ଏତେ ସବୁ କହିବା ପଛରେ କେବଳ ମୋର ଗୋଟିଏ ଉଦ୍ଦେଶ୍ୟ ଗଣତନ୍ତ୍ରର ପ୍ରଗତି । ଗଣତନ୍ତ୍ରର ପ୍ରଗତି ସେତେବେଳେ ସମ୍ଭବ ଯେତେବେଳେ ଗଣତନ୍ତ୍ରର ଗଣମାନେ ନିଜ ନିଜର ଉଚିତ୍ ଭୂମିକା ନିର୍ବାହ କରିବେ । ଯେତେବେଳେ ଗଣମାନେ ମଦ - ମାଂସ ନେଇ ଗଣତନ୍ତ୍ରର ମିଛୁଆଙ୍କୁ ଭୋଟ୍ ଦେବା ବନ୍ଦ କରିବେ ଓ ପ୍ରଗତି ସେତେବେଳେ ହେବ ଯେତେବେଳେ ଏ ଗଣତନ୍ତ୍ର ରାଷ୍ଟ୍ରର ପ୍ରତ୍ଯେକଟି ଗାଁ ହସି ଉଠିବ ଏକାସାଥିରେ । 

     ଲେଖା ଶେଷରେ ମୁଁ ଅନୁରୋଧ କରିବି ନିର୍ବାଚନ ଆୟୋଗଙ୍କୁ । ଆପଣ ହେଲେ ଗଣତନ୍ତ୍ର ପ୍ରଗତିର ମୁଖ୍ୟ କର୍ଣ୍ଣଧାର । ଏକ ସୁସ୍ଥ ଓ ସୁନ୍ଦର ଗଣତନ୍ତ୍ର ଗଠନ କରିବାର ଦାୟିତ୍ୱ ଆପଣଙ୍କର । ଭାରତର ସରକାର ଭାରତର ସମ୍ବିଧାନ ଆପଣଙ୍କୁ ସ୍ୱତନ୍ତ୍ର କ୍ଷମତା ଦେଇଛନ୍ତି , ଏହାକୁ ଆପଣ ନିର୍ଭୀକ ଭାବରେ ବ୍ୟବହାର କରନ୍ତୁ । ଗଣତନ୍ତ୍ରର ସୁରକ୍ଷା ପାଇଁ ବିଶେଷ ଆଇନ ଆଣନ୍ତୁ । ହଟେଇ ଦିଅନ୍ତୁ ଗଣତନ୍ତ୍ରରୁ ମିଛୁଆ ଦାଗୀ ଆଉ ତଣ୍ଟିଚିପା ପୂଜାରୀ ମାନଙ୍କୁ । ଗଣତନ୍ତ୍ରର ଗଣଙ୍କ ପାଇଁ ମୋର ଏଇ ବାର୍ତ୍ତା ରହିବ । ଗାଁକୁ ଚାଲ ଓ ଗାଁର ବିକାଶ କର - ଏ ଗଣତନ୍ତ୍ରର ସମ୍ମାନ । ଏସବୁ ସଚେତନ ନାଗରିକଙ୍କ ପାଇଁ ଗଣତନ୍ତ୍ରର ଜଣେ ସଚେତନ ନାଗରିକର ଆହ୍ବାନ । 
ଦହପାଣିଆ , ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।