1/02/2019

କଣ୍ଢେଇ ଆଖିରେ ଲୁହ

                                                                                                           କାଦମ୍ବିନୀ ଖୁଣ୍ଟିଆ                    
କଣ୍ଢେଇ ବାପଘର ଏରୁଣ୍ଡି ଆଉ ଗାଁ ମାଟି ଡେଇଁ ଆସିବାର ଛଅ ବର୍ଷ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁ ମାଟି କି ବାପଘରେ ପାଦ ପଡିଲାନି। ଝିଅ ବିବାହର ବିଧି ଅଛି ବିବାହର ଅଷ୍ଟମଙ୍ଗଳା ଦିନ କଳସୀ ଭାଙ୍ଗି ବାପଘର ଯାଆନ୍ତି। ହେଲେ କଣ୍ଢେଇ ଭାଗ୍ୟରେ ସେତକ ନଥିଲା। କାହିଁକି ନା ସେ ଯାହାକୁ ବିବାହ କରିଛି ତାଙ୍କ ଜାତି ଗୋତ୍ରର ନୁହେଁ। କଣ୍ଢେଇ ଘର ଛାଡିଲା ପରେ କଣ୍ଢେଇର ବାପା ଝିଅକୁ ସୁଦ୍ଧି ହେଇଗଲେ।


                            ଆଉ କହିଲେ ମୋ ପାଇଁ ମୋ ପରିବାର ପାଇଁ ମରିଯାଇଛି। ସେ ଆମ ପାଇଁ ମରିଯାଇଛି । ଆମେ ବି ତା ପାଇଁ ମରିଯାଇଛୁ। ପିଲାମାନେ ଭୁଲ କଲେ ଶାସ୍ତି ଦିଆଯାଏ। କିନ୍ତୁ ଜିଇଁ ଥାଉ ଥାଉ ମାରି ଦିଆଯାଏନି। ତମେ ବାଛିଥିବା ପୁଅକୁ ବିବାହ ନ କରି ମୁଁ ବାଛିଥିବା ପୁଅକୁ ବିବାହ କଲି। ଏଥିପାଇଁ ତ! ବାପା ତମେ ମୋ ପାଇଁ ବାଛି ଥିବା ପୁଅ ତୁମ କର୍ତ୍ତବ୍ୟ ତୁଳନାରେ ଠିକ୍ ଥିଲା। ପୁଅ ସରକାରୀ ଚାକିରି କରିଥିଲା ସହରରେ ରହୁଥିଲା ହଁ ଖୁବ୍ ଚଳିଲାବାଲା ଘର। ହେଲେ ସବୁ ଭଲ ହେଇଥିଲେ ବି ମୋ ମନ ଜିଣି ପାରିନଥାନ୍ତା। କାହିଁକି ନାଁ ମୁଁ ଜଣକୁ ମନ ଦେଇସାରିଛି। 
                  ବାପା କହିଲ ଜଣକୁ ଖାଇବାକୁ ଦେଇଥିବା ଖାଦ୍ୟ ସେ ଖାଇସାରିଲା ପରେ ସେ କଣ ଆଉ ଫେରେଇ ପାରିବ? ଠିକ୍ ସେହିପରି ଜଣକୁ ଦେଇଥିବା ମନକୁ ଆଉ ଜଣକୁ କେମିତି ଦେଇଥାନ୍ତି? ବାପା ତମେ ଜନ୍ମ ଦେଇଛ କର୍ମ ଦେଇନା। ମୁଁ ବିବାହ କରି ସଂସାର କରି ସାରା ଜୀବନ ତାଙ୍କ ସହିତ ବିତେଇବି। ଯିଏ ମୋ ମନକୁ ଚିହ୍ନି ପାରୁଥିବ। ଆଉ ସାରା ଦିନର କ୍ଲାନ୍ତ ଦୂରେଇ ଦେଇ ଚେନାଏ ହସ ବୁଣି ଦେଉଥିବ। ସବୁ ଅବଶୋଷ ମିଳେଇ ଯିବ। 
                          କିଏ ମୋ ପାଇଁ ଠିକ୍ କିଏ ଭୁଲ୍? ମୁଁ କଣ ଭୁଲ କରିଛି? ଭୁଲ୍ ଠିକ୍ କି ପାପ ପୂଣ୍ୟର ହିସାବ କରିନି। ତମେ ତମ ଯିଦରେ ଅଟଳ ରହିଲ। ମୁଁ ମୋ ଯିଦରେ। ମୁଁ କେବଳ ଭଲପାଉଥିଲି। ହଁ ମୁଁ ବହୁତ ଚେଷ୍ଟା ବି କଲି ଭୁଲିଯିବା ପାଇଁ ହେଲେ ପାରିଲିନି। ତମେ ଜାତି ଗୋତ୍ର ସମାଜକୁ ଜାବୁଡି ଧରିଲ। ମୁଁ ମୋ ଭଲପାଇବାକୁ। ଏଇୟା ଭୁଲ୍ କଲି ଯାହାକୁ ଭଲ ପାଉଥିଲି ତା'ରି ହାତ ଧରି ଘର ଛାଡି ଦେଲି। କିନ୍ତୁ ସେ ଭୁଲର କ'ଣ ଏତେବଡ ଶାସ୍ତି! ଆଜିଯାଏ ତମମାନଙ୍କୁ ଝୁରୁଛି। ତମ ହାତ ଧରି କେତେ ଅଳି କରିଥିଲି। ତମେ କିନ୍ତୁ ଶୁଣିଲନି। ମୁଁ ମୋ ଭୁଲର ଦଣ୍ଡ ପାଇସାରିଲିଣି ବାପା।  
                       ବାପା ମତେ କଣ କ୍ଷମା ଦବନି ?  ସତରେ କଣ ମୋ ଭୁଲର କ୍ଷମା ନାହିଁ? ଛଅ ବର୍ଷ ବିତିଗଲାଣି ସୁଖରେ ଜୀବନ ବିତଉଥିଲେ ବି ଖାଲି ଗୋଟିଏ ଅଭାବ; ବାପା ବୋଉ ଭାଇ ଭାଉଜ ସାନ ଭାଇ ଭଉଣୀ ଝିଆରି ପୁତୁରା ମୋ ସାଙ୍ଗ ମାନଙ୍କର। ଟିକେ ଏକୁଟିଆ ହେଇଗଲେ। ଖୁବ ମନେ ପଡ ତମେ ମାନେ। ଘର ଛାଡିଲା ବେଳେ ସାଥିରେ ଗୋଟିଏ ସ୍ମୃତି ଆଣିଥିଲି। ତାକୁ ବାରମ୍ବାର ଦେଖେ। ଆଖିରେ ଲୁହ ଆପେ ଗଡି ଆସେ। 

                  ଜୀବନଠୁ ଅଧିକ ଭଲପାଉଥିବା ଦେବତା ପରି ସ୍ବାମୀଙ୍କୁ ପାଇଛି। ପାଞ୍ଚବର୍ଷର ମୋର ଝିଅ। ଝିଅ ବେଳେବେଳେ ପଚାରିଦିଏ। ମାମା ମାମା ମୋ ମାମୁଁ କାହିଁ ଆସୁନାହାନ୍ତି? ଅଜା ଆଇ ବି ଆସୁନାହାନ୍ତି। ଟିକିଲିର ମାମୁଁ ମାଉସୀ ଅଜା ଆଇ ଆସୁଛନ୍ତି। ସିଏ ବି ଯାଉଛି ତାଙ୍କ ସାଥିରେ ମାମୁଁ ଘରକୁ। ହେଲେ ମୋର କେହି ଆସୁନାହାନ୍ତି କି ମତେ କେହି ନଉନାହାନ୍ତି ମାମୁଁ ଘରକୁ। ସେତେ ବେଳେ କିଛି ଉତ୍ତର ନଥାଏ। ସବୁ ପାଇଛି ଭଲ ଘର ଭଲ ପରିବାର ମନଲାଖି ସ୍ବାମୀ କୋଳକୁ ଝିଅ। କଣ ମୋର ଅସୁବିଧା? କଣ ମୋର ଅଭାବ ଅଛି? କାହିଁକି ଏ ପାପ ବୋଧ? କାହିଁକି ଏ ଲୁହ? କାହିଁକି ଏ ପଶ୍ଚାତାପ? ଶେଷରେ ଏତିକି ଚାହୁଁଛି। 
                    ଥରୁଟେ ପିଲାବେଳେ ଯେମିତି ଡାକୁଥିଲ ନାକ କାନ୍ଦୁରି କଣ୍ଢେଇ ରାଣୀ କୁଆଡେ ଗଲୁ...? ମୁଁ ପହଞ୍ଚି ଯିବି। କାନ୍ଦିବି ମନ ଭରି କାନ୍ଦିବି ତମମାନଙ୍କ କୋଳରେ ମଥା ରଖି। ହଁ ତୁମକୁ ମୋ ପରି ଝିଅ କୋଉ ଜନ୍ମରେ ନ ମିଳୁ। କିନ୍ତୁ ତୁମ ପରି ବାପା ବୋଉ ମତେ ସବୁ ଜନ୍ମରେ ମିଳୁ। ମୁଁ ଜାଣେ ମୁଁ ଯେମିତି ଝୁରୁଛି ତୁମମାନଙ୍କୁ ତମେ ବି ମତେ ଝୁରୁଥିବ। ମୁଁ ପସନ୍ଦ କରୁଥିବା ପୁଅକୁ ତମର ପସନ୍ଦଥିଲା। ମତେ ମୁହଁ ଖୋଲି ନ କହିଲେ ବି ଜାଣିପାରୁଥିଲି ତମେ ଚାହୁଁଥିଲ କି ମୁଁ ସେଇ ପୁଅକୁ ବିବାହ କରେ ବୋଲି। 
                        ହେଲେ ଅସୁବିଧା ରହିଲା କୋଉଠି? ମୋର ସବୁ ଅଳିକୁ ପୁରଣ କରୁଥିବା ମୋର ବାପା ଶେଷ ଅଳିକୁ କାହିଁକି ପୁରଣ କରିପାରିଲନି? କଣ ଏଇ ଜାତି ଗୋତ୍ର ସମାଜ ପାଇଁ! କଣ ଜାତିରୁ ବାସନ୍ଦ କରିଦେବା ଭୟରେ? ନାଁ ଘରେ ହେଉଥିବା ଶୁଭ ଅଶୁଭ କାମରେ ସାମିଲ ନ ହେବା ଭୟରେ! ନାଁ ମୋର ଭାଇ ଭଉଣୀଙ୍କ ବିବାହରେ ଅସୁବିଧା ସମୁକ୍ଷିନ ହେବା ଭୟରେ! ମୁଁ ବାଛିଥିବା ଜୀବନ ସାଥି ସହ ବିବାହ ଦେଲନି। ଆଶୀର୍ବାଦରୁ ମତେ ବଞ୍ଚିତ କଲ। ମୁଁ ଜାଣେ ମୋ ପାଇଁ ଆସୁଥିବା ବର ଲେଉଟି ଗଲା। ସେ ଲଜ୍ୟାକୁ ସହି ନପାରି ଗାଁ ଲୋକଙ୍କ କଥାରେ ମତେ ଜିଅନ୍ତା ଶୁଦ୍ଧି ହେଲ। ବୋଉ ମୋର ସିନା ଉପରେ ଗାଳି କରୁଛି। ମୁଁ ଭଲ ଭାବେ ଜାଣେ ମତେ ସଦାବେଳେ ଝୁରୁଥିବ। ତା'ର ଶୋଇବାର ତକିଆ ଆଖିଲୁହରେ ଭିଜୁଥିବ। ମୋର ବାପା ଦୁନିଆଁ ସାମ୍ନାରେ କାନ୍ଦୁନାହାନ୍ତି ସିନା।
                  ଯିଏ ଆଡୁ ଆସି ସାଡୁ ଆସି ଡାକମାରୁଥିବା; କଣ୍ଢେଇ ରାଣୀ କଣ କରୁଛୁ ମା ପାଣି ଗ୍ଲାସ ଆଣିଲୁ। ଗାଧେଇବା ସମୟରେ ତେଲ ଆଣିଲୁ। ସଞ୍ଜ ବୁଡିଲେ ମା ଟର୍ଚ ଦେଲୁ। ଦେହ ଖରାପ ଥିଲାବେଳେ ଠିକ୍ ସମୟରେ ଔଷଧ ଦଉଥିବା ନାକ କାନ୍ଦୁରି କଣ୍ଢେଇରାଣୀକୁ ଖୋଜୁଥିବ। ତମେ କାନ୍ଦୁଥିବ ଅନ୍ତରେ ଅନ୍ତରେ। ଧେଖିବାକୁ ଭାରି ଇଛା ହେଉଛି ବାପା। ପୁଣି ଫେରିଯାଇ ତମ ସହିତ ମୁଠାଏ ପଖାଳ ଖାଇବାକୁ। ଖାଇସାରି ଧୋଇବା ହାତକୁ ବୋଉ ପଣତ କାନିରେ ପୋଛିବାକୁ। ଭାରି ମନେ ପଡୁଛନ୍ତି ମୋ ପିଲାଦିନର ସାଙ୍ଗମାନେ। ସାଙ୍ଗମାନଙ୍କ ସହିତ ଖଟା ଦଳି ବାରି ଘର ବୁଲି ବୁଲି ଖାଇବାକୁ। 
                ସତରେ କଣ ଯାଇପାରିବି ମୋ ଜନ୍ମ ମାଟିକୁ? ଫେରିପାଇବି ମୋ ବାପା ବୋଉଙ୍କୁ ମୋ ସାଙ୍ଗମାନଙ୍କୁ। ମୋ ସ୍ବାମୀଙ୍କୁ କଣ ଜ୍ବାଇଁର ସମ୍ମାନ ମିଳିବ? ମୋ ଝିଅର କଣ ତା ମାମୁଁ ଘରକୁ ଯାଇପାରିବ? ସବୁ ବେଳେ ଗାଉଥିବା ଗୀତ- ଚକା ଚକା ଭଉଁରୀ  ମାମୁଁ ଘର ଚଉଁରୀ    ମାମୁଁ ମତେ ମାଇଲେ    ମାଇଁ ମତେ ଧଇଲେ କ୍ଷୀର ଭାତ ଖୋଇଲେ     ଭଲ ପିଲା ମୁହିଁରେ     ମୋ ପରି କେହି ନାହିଁରେ....। ସତରେ କଣ ସତ ହେବ....? ଭାଇ ମୋର ଜଣା ନଥିବା ଅନ୍ୟ ଜାତିର ନେଇ ଆସିଥିବା ଝିଅକୁ ଘରର ବୋହୂ କରି ଆଣିଲେ। ତାଙ୍କୁ ଘରେ ରଖିଲ ବୋହୂର ଅଧିକାର ଦେଇ। ହେଲେ ମୁଁ ଘରୁ ପଳେଇ ଆସିଲି ବୋଲି ମତେ ଶୁଦ୍ଧି ହେଇଗଲ। 
              ଖୁସିର ମୁହୂର୍ତ୍ତରେ ଯାଇପାରିଲିନି. ହେଲେ ମୋ କକା ଯିଏ ପିଲାଟି ବେଳରୁ ଗେଲବସରରେ ବଢ଼େଇ ଥିଲେ. ତାଙ୍କ ଅନ୍ତିମ ସମୟରେ ବି ଯାଇ ପାରିଲିନି କି ଶେଷ ଦେଖା ବି ଦେଖି ପାରିଲିନି. ଯଦି ବି ଯାଇଥାନ୍ତି ତେବେ ତାଙ୍କ କ୍ରିୟା କ୍ରମରେ କେହି ଆଉ ଯୋଗ ଦେଇନଥାନ୍ତେ. ଏ ସବୁ ଭାବି କଣ୍ଢେଇ ଗଲାନି. ଏମିତି ଖୁବ୍ ଜୋରରେ କୋହକୁ ଆଉ ଅଟକେଇ ପାରିଲାନି କାନ୍ଦିଉଠିଲା. 
                     ମୁଁ କଣ ଏତେ ବଡ ଭୁଲ କରିଛି ଯେ,  ଶାସ୍ତିର ସମାପ୍ତି ନାହିଁ. ଏମିତି କଣ୍ଢେଇ କାନ୍ଦି କାନ୍ଦି ଲୁହରେ ତା'ର ପିନ୍ଧିବା ପଣତ କାନୀଟା ପୁରା ଲୁହରେ ଭିଜି ଯାଇଛି। ଆଜିବି କଣ୍ଢେଇ ଆଖିରେ ଲୁହ....। 
ଅରିମୂଳ, ଆର୍.କେ.ପାଟଣା, 
ଯମପଡା, କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।