ବସନ୍ତ କୁମାର ପଣ୍ଡା
କଳା ଛାଡି ପ୍ରାଚୀ ଧାରା ରୂପ ବିରାଜି ,
କାକ ଡାକିଲା ଗଭୀର ନିରବ ତେଜି l
ପୂରୁବ ନଭେ ସିନ୍ଦୁରା ହେଲା ସଞ୍ଚାର,
ଏ ବ୍ରାହ୍ମ ମୁହୂର୍ତ୍ତେ ଦିବସ ହେଲା ଅଙ୍କୁର l
ରଜନୀ ମେଲାଣି ନେଲା ଜ୍ୟୋତି ବିଭବେ,
ରୋମାଞ୍ଚ ପୂରିଲା ଉଠି ପୂରୁବ ନଭେ l
ଓଁକାର ଗାୟତ୍ରୀ ମନ୍ତ୍ର ଧ୍ୱନୀଚ୍ଚାରଣେ,
ଅମୃତ ଲଗନ ଉଭା ସାରା ଭୁବନେ l
ହାସ୍ୟ ମୁଖେ ଉଷାରାଣୀ ଚଢି ବିମାନେ,
ବିରାଜିଲା ଅରୁଣୀମା ଦିବ୍ୟ ବଦନେ l
କନକ କିରଣ ଛୁଇଁ ମନ୍ଦିର ଚୂଡ଼ା,
ଧରଣୀ ବକ୍ଷେ ସିଞ୍ଚିଲା ମୁକ୍ତା ପାଖୁଡା l
ଭୂମିରୁ ଭୁମା ଜାଗେ ନବିନା ରବି
ଧରାଙ୍ଗେ ଅଦ୍ଭୁତ ଜ୍ୟୋତି ଝଲକ ଛବି l
ଇନ୍ଦୀବର ନେତ୍ର ଖୋଲି ଫୁଟାଇ ଆଭା
ନିହାରେ ଉଚ୍ଚାଟେ ନଭେ ଚିନ୍ମୟ ଶୋଭା l
ମଧୁମକ୍ଷିକା ବ୍ୟାକୁଳେ ମଧୁ ସରାଗେ
ମଧୁମକ୍ଷିକା ବ୍ୟାକୁଳେ ମଧୁ ସରାଗେ
ଭୃଙ୍ଗ ଚିତ୍ତେ ଚତୁରତା ରସ ପ୍ରୟାସେ
ଗୁଞ୍ଜରିତ ବାଗବାନୀ ସ୍ଫୁଟି ହରଷେ l
ଜୀବନ ଚରିତାରମ୍ଭେ ଭଵ ପ୍ରାଙ୍ଗଣେ
କ୍ରମେ ଚଞ୍ଚଳତା ଲଭେ ସାରା ଭୁବନେ l
ପ୍ରକୃତି ର ମୁଗ୍ଧ ମଞ୍ଚ କି ମନୋହର
ଅମୃତ ସର୍ଜନା ବିଶ୍ୱ ବିନ୍ଧାଣୀଙ୍କର l
ନିତ୍ୟ ଚଳୁଥାଉ ପ୍ରଭୁ ନିୟତି ଧାରା
ଉଦୟ ଭାନୁ ଉତ୍ସବ ଲଭୁ ଏ ଧରା l
ବଇଞ୍ଚା,ଇରମ,ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।