1/02/2019

ଶୀତ....

ଅରୁଣା କର 
ଅପୂର୍ବ ବେଶେ ଧରଣୀ ରାଣୀ                                                                ଦିଶଇ କେଡେ ଶୋଭା
କୁହୁଡ଼ି ଘେରା ଶୁଭ୍ର ବସନେ
ଲାଗଇ ମନ ଲୋଭା. ।୧।

କାର୍ତ୍ତିକ ଶେଷେ ଡଙ୍ଗାରେ ବସି
ଆସଇ ଋତୁ ଶୀତ
କାକର ଟୋପା କୋହଲା ବାଆ
ତାହାର ବଡ ମିତ । ୨।

କୁହୁକ କରେ ଶୀତ ସକାଳ
ମାଲୁଣି ବୁଢୀ ପରି
ଉଙ୍କି ମାରନ୍ତି ସୂର୍ଯ୍ୟ ଦେବତା
ଟିକିଏ କରି ଡେରି.। ୩।

ସୂର୍ଯ୍ୟ କିରଣେ ଦୁବ ଘାସରେ
ରୂପା ଶିଶିର ବିନ୍ଦୁ
ସଦ୍ୟସ୍ନାତା ତରୁଣୀଟି ପରି
ଚମକେ ତା'ର ଇନ୍ଦୁ, ।୪।

ମୁଣ୍ଡେ ପଗଡି ହାତରେ ଦାଆ
ଧରି କୃଷକ ଭାଇ
ବାହାରି ଯାଏ ଧାନ କ୍ଷେତକୁ
ଗୀତଟି ଗାଇ ଗାଇ।୫।

ଲୋକେ ବସନ୍ତି ଧାନ ଖଳାରେ
କରନ୍ତି ସୂର୍ଯ୍ୟ ସ୍ନାନ
କେହି ବା କେହି ଜଳାଇ ଧୂନୀ
କରନ୍ତି ଆସ୍ବାଦନ।୬।

ଧୂଆଁ ପତ୍ରର ପିକାକୁ ଟାଣି
ଗାଆଁ ର ଶଗଡିଆ
ଖୁସି ମନରେ ଚଳାଏ ଗାଡି 
ହୋଇଣ ବେପରୁଆ। ୭।

ଭଲ ଲାଗଇ ଖରାରେ ବସି 
ଥଣ୍ଡା ପଖାଳ ଖିଆ 
ମାଛ ଭଜାକୁ ଗରମ ଶାଗ 
କେଡେ ସୁନ୍ଦର ଆହା। ୮।

ଗଛ ପତ୍ରରୁ ଟପ ଟପ ହୋଇ 
ଝରଇ ହିମ କଣା
ଶସ୍ୟ କ୍ଷେତ୍ରରେ ମହାଲକ୍ଷ୍ମୀ ମା
ହଳଦୀ ଆଭରଣା, ।୯।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।