ସିପ୍ରା ନାମତା
" ଲଭ ୟୁ ଠୁ ଡାର୍ଲିଙ୍ଗ "। ନିରାସକ୍ତ କଣ୍ଠରେ ଏତିକି କହି ମୋବାଇଲ୍ ସଂଯୋଗ ଛିନ୍ନ କରି ଫେରି ପଡୁଥିବା ବେଳେ ମଧୁଲିତା ସହିତ ଧକ୍କା ଲାଗି ଚମକି ଉଠିଲା ହିତେନ । ଖୁବ୍ ରୋମାଞ୍ଚିତ ହେଉଥିଲା ମଧ୍ୟ । ଆଜିକାଲି ମଧୁଲିତା ତା'ର ସମଗ୍ର ସ୍ଥିତିର ବଳୟ ଭିତରେ ଘୂରି ବୁଲୁଛି । ତା'ର ଶାନ୍ତ ,କମନୀୟ ମୁଖମଣ୍ଡଳ ନୀଳ କଇଁ ପରି ଢଳ ଢଳ ଆଖି ,ଅବୟବର ଦୋଳାୟମାନ ଗତି ଉପରେ ହିତେନର ଦୃଷ୍ଟି କେନ୍ଦ୍ରିଭୂତ ହୋଇ ରହୁଛି । ସାରିକା ସହିତ ସବୁ ସମ୍ପର୍କର ରଙ୍ଗ ଫିକା ପଡିଯାଉଛି ।
ଅବିବାହିତ ଅବସ୍ଥାରୁ ଏମ ବି ଏ ପଢିବା ସମୟରୁ ସାରିକା ସହ ସମ୍ପର୍କ ; ଏକତ୍ର ସହାବସ୍ଥାନ । ସମ୍ପୂର୍ଣ୍ଣ ସୁସ୍ଥ ମନରେ ,ପ୍ରାଣରେ ,ଶରୀର ରେ କାୟିକ , ବାଚିକ ,ମାନସିକ ସମ୍ପର୍କ ରକ୍ଷା କରନ୍ତି ଦୁହେଁ , କେବଳ ବୈଦିକ ରୀତିର ଗୋଟିଏ ବିଧିକୁ ଛାଡିଦେଇ ।
ସାରିକା .....ଓଃ ..ଜ୍ଜ୍ୱଳନ୍ତ ଆଗ୍ନେୟଗିରିର ଉତ୍ତାପରେ ଟକ ଟକ ଫୁଟୁଥିବା ଉଷ୍ଣତା , ଦିନ ଦ୍ଵି ପ୍ରହରର ଦୀପ୍ତିମାନ ରବିଙ୍କର ଝଲକରେ ଦାଉ ଦାଉ ଜଳୁ ଥିବା ଉଜ୍ଜ୍ୱଳ ଜ୍ୟୋତିପିଣ୍ଡ । ସତରେ ଏକ ଅଭିଶପ୍ତା ଅପ୍ସରାଟିଏ କି ? ତା' ଦେହର ସୁଗନ୍ଧ ବାୟୁମଣ୍ଡଳରେ ସବୁବେଳେ ବୁଣି ହେଉଥାଏ ଯେମିତି । କିନ୍ତୁ ଅବିଶ୍ୱସନୀୟ ଅଭିମତଟିଏ ସର୍ଵଶେଷରେ ଶୁଣିବା ପରେ ହତବାକ୍ ହୋଇ ଯାଇଥିଲା ସେ ।
---ଏଇଟା ତମର ଶେଷ ନିଷ୍ପତ୍ତି ?
ହିତେନର ପ୍ରଶ୍ନର ଉତ୍ତରରେ କହିଥିଲା ସାରିକା
----ଅଫକୋର୍ସ୍ ! ନିଜ ଇଛା ବିରୁଦ୍ଧରେ କୌଣସି ରିଲେସନ୍ ମେଣ୍ଟେନ କରିବାକୁ ମୋତେ ଭଲ ଲାଗେନି । ମ୍ୟାରେଜ ଇଜ୍ ଏ ବୋଣ୍ଡେଜ ........ଏତେ ଦାୟିତ୍ତ୍ୱ ....ଏତେ ଫର୍ମାଲିଟିଜ୍ ,ଏତେ ରାଇଚୁଆଲସ୍ !! ନିଜ ମୁକ୍ତ ପଣକୁ ବଳି ଦେଇ ଅନ୍ୟମାନଙ୍କ ଇଛାରେ ଜୀବନ ବଞ୍ଚିବା ....ଓଃ...ନୋ ଇମ୍ପୋସିବଲ୍....। ନାଓ
ଟାଇମ ଇଜ୍ ଚେଞ୍ଜଡ୍ । ଉଇ କାନ୍ ଲିଭ୍ ଉଇଦାଉଟ୍ ମ୍ୟାରେଜ୍ ।
------ଆମେ ରହୁନୁ କି ????
ଗଭୀର ଅବସାଦ ଆଉ ନୀରବ କ୍ରୋଧରେ ଜଳି ଉଠିଥିଲା ହିତେନ । ପୁରୁଷର ଅହଂଟା ଚୂନା ଚୂନା ହୋଇ ଯାଇଥିଲା । ଅନେକ ବ୍ୟଥା ମନରେ ରଖି ବାପା ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ମନୋନୀତ ପାତ୍ରୀ ସହ ବିବାହ ବନ୍ଧନରେ ଆବଦ୍ଧ ହେଲା ସେ । ବିବାହ ଉତ୍ସବରେ ସାରିକାର ଉପସ୍ଥିତି ତାକୁ ଦୁଇଗୁଣ ଅସହାୟ ,ବ୍ୟସ୍ତ ବିବ୍ରତ କରୁଥିଲା ବେଳେ ସାରିକାର ବିନ୍ଦାସ୍ ଫୋଟ ଉଠା ,ଭି ଡି ଓ ସୁଟ୍ ଇତ୍ୟାଦି ବେପରୁଆ ଭାବେ ଚାଲିଥିଲା ।ଶେଷରେ ଗୋଟେ ରୁଢ଼ି ବାକ୍ୟ ଫିଙ୍ଗି ଦେଇଥିଲା ତା' ଉପରକୁ ""ଅଵ୍ ଆୟା ଉଁଟ୍ ପାହାଡ଼୍ କେ ନୀଚେ । ""।
ବିବାହ ରୂପକ ପବିତ୍ର ବନ୍ଧନର ସ୍ୱାଦ ଆସ୍ଵାଦନ କରିବା ସମ୍ଭବ ହେଉ ନ ଥିଲା ତା' ପକ୍ଷରେ ସାରିକାର ମୋହ ତ୍ୟାଗ କରିବାଟା ଖୁବ୍ କଷ୍ଟକର ମନେ ହେଉଥିଲା । ସାରିକାର ମନସ୍ତତ୍ତ୍ୱ ଦୁର୍ବୋଧ୍ୟ ଲାଗିଲେ ବି ତା' ପ୍ରତି ଆସକ୍ତି କମେ ନାହିଁ ବରଂ ଘାଇଲା ମନର ଓରମାନ ମେଣ୍ଟାଇବାକୁ ଯାଇ ବେଳେ ବେଳେ କ୍ରୁର ହୋଇଯାଏ ସେ ସାରିକା ପ୍ରତି । ସାରିକା ସହିତ କେମିତି ଛନ୍ଦି ହୋଇ ଯାଇଥିଲା ବୁଝିପାରେନି ସେ । ନିଜ ଗାଁ ,ସହର ,ରାଜ୍ୟ ବାହାରେ କିଏ କୋଉଠି କ'ଣ କରୁଛି ସେ ଖବର ନିଜ ସମ୍ପର୍କୀୟଙ୍କ ପାଖରେ କ୍ଵଚିତ ଥାଏ ।କାହା କାହା ପାଖରେ ତ ବିଲକୁଲ ନ ଥାଏ ।
ସାରିକା ସହିତ କେମିତି ସେ ଛନ୍ଦି ହୋଇ ଗଲା , ସେକଥା ବୁଝି ପାରେନି ସେ । ହୁଏତ ଏଇଟା ହିଁ ପୁରୁଷ ଓ ନାରୀଙ୍କ ମନସ୍ତତ୍ତ୍ୱ । ପରିବେଶ ,ପରିସ୍ଥିତି ,ସମୟକୁ ଅନୁଧ୍ୟାନ କରି ନ ପାରିଲେ ମଣିଷ ହାରିଯାଏ ବୋଧ ହୁଏ । ହଁ ,ସାରିକାର ମୋହ ...ତାକୁ ଆଛନ୍ନ କରି ରଖେ ।ପାଠ ପଢା ଓ ପରେ ପରେ ଚାକିରୀ ସବୁ କିଛି ତ ରାଜ୍ୟ ବାହାରେ । ରହଣୀ ସହଣୀ ରେ ସମ୍ପୂର୍ଣ୍ଣ ଭିନ୍ନ ମାନସିକତାରେ ଜଡିତ ହୋଇ ଗଲା କେତେ ବେଳେ ....କିପରି .....ଆଉ ପଛକୁ ଫେରି ଚାହିଁବା ପାଇଁ ସାହସ ହୁଏ ନାହିଁ ହିତେନର । ବିବାହ ପରେ ପରେ ଯେଉଁ କେତୋଟି ଦିନ ବାଧ୍ୟ ବାଧ୍ୟକତାରେ ଘରେ ରହିବାକୁ ପଡିଲା ,ବିବାହିତା ପତ୍ନୀ ଶଯ୍ୟା ପାଖରେ ବସି ବସି ରାତି ପୁହାଉ ଥିବା ବେଳେ ସେ ସାରିକା ସହିତ ଚାଟିଂ ଓ ଭି ଡି ଓ କଲରେ ସମୟ ବିତାଏ । ମଧୁଲିତାକୁ ବାଆଁରେଇ ଯାଏ କୌଣସି ନା କୌଣସି କଥାରେ ......।।
^^^^^^^^^^^^^^^
ମଧୁଲିତାର ସାହସ ହୁଏ ନାହିଁ, କିଛି କହିବାକୁ ।ଯେଉଁ ମଣିଷଟା ତା' ମୁହଁକୁ ଭଲକରି ଦେଖିନି କି ଚାହିଁନି କି ପାଖକୁ ଆସିନି ,କ'ଣ ବା କହିପାରିବ ସେ ? ବୋଉ ଫୋନରେ ପଚାରେ ,,ଭଲ ଅଛି କି ନାହିଁ ? ""ହଁ ,ସବୁ ଭଲ ""ସଂକ୍ଷିପ୍ତ ଉତ୍ତର ଦେଇ କଥା ଛିଣ୍ଡେଇ ଦିଏ । ଅତି ସାଧାରଣ ଦୁର୍ବଳ ମଧ୍ୟବିତ୍ତ ପରିବାରରୁ କୌଣସି ଯୌତୁକ ନ ଆଣି ବୋହୂ ହୋଇ ଆସିଛି ଏ ଘରକୁ , ଯେତେବେଳେ ବାପା ବୋଉଙ୍କର ଅସୁମାରୀ ଖୁସିରେ କେମିତି କହିବ ସେ ଅସୁଖୀ ବୋଲି !!! କହି ବି ଲାଭ କ'ଣ ? ଏ ଯେ ତା'ର ନିଜର ଯୁଦ୍ଧ ....ସମ୍ପୂର୍ଣ୍ଣ ରୂପେ ନିଜର ବ୍ୟକ୍ତିଗତ । ସ୍ୱାମୀ ସହିତ କିଛି ସମ୍ପର୍କ ନାହିଁ .......। ସ୍ୱାମୀ ତାକୁ ଏ ଯାଏଁ ଛୁଇଁନି .....କହିଲେ ପ୍ରତିକ୍ରିୟା ହେବ ?...ଓଃ କି ଲଜ୍ଜା !!! ଅସହ୍ୟ ଅପମାନ । କେମିତି ସହିବ ? ଗଭୀର ଗ୍ଲାନି ଓ ଆତ୍ମ ଦହନରେ ଜଳିଯାଏ ମଧୁଲିତା କେତେବେଳେ କେତେବେଳେ ହିତେନର ଫୋନରୁ ଆସୁଥିବା ଚୁମ୍ବନର ଅସ୍ପଷ୍ଟ ଶବ୍ଦ ପବନରେ ଛିଟିକି ଆସେ ତା' କର୍ଣ୍ଣ କୁହରକୁ । ଏକ ଅଜଣା ଆବେଗରେ ତାଳୁରୁ ତଳିପା ଯାଏଁ ପ୍ରତିଟି ଅବୟବ ଶିର ଶିର କରି ଉଠେ । ପର ମୁହୂର୍ତ୍ତରେ ଆକଣ୍ଠ ଲଜ୍ଜାରେ ଝାଉଁଳି ପଡେ ସେ ।
^^^^^^^^^^
ବିବାହ ର ମୁହୂର୍ତ୍ତ ସବୁ ଅନାସ୍ୱାଦ ରେ ବିତିଯାଉଥିଲା । ଚାକିରୀ ସ୍ଥାନରୁ କେବେ କେବେ ଦୁଇମାସରେ ଥରେ ଆସେ ହିତେନ ଘରକୁ ବାପା ମାଆ ଙ୍କ ତାଗିଦାରେ । ସେମାନେ ମଧ୍ୟ ଥରେ ଦୁଇଥର ଯାଇ ବୁଲି ଆସିଛନ୍ତି ହିତେନ୍ ପାଖରୁ କିନ୍ତୁ କେବେ କିଛି ଅସ୍ୱାଭାବିକ ଜୀବନର ଗନ୍ଧ ପାଇ ନାହାନ୍ତି ପୁଅ ପାଖରୁ । ତେଣୁ ପୁଅ ଉପରେ ଅଛି ଅଖଣ୍ଡ ବିଶ୍ୱାସ ।ଛୁଟି ପାଉ ନ ଥିବାରୁ ପୁଅ ଆସି ପାରୁନି ଘରକୁ। ଏତିକିରେ ଢେର ଶାନ୍ତ୍ୱନା ମିଳିଯାଏ ସମସ୍ତଙ୍କୁ ।
ଆବେଗର ଅପେକ୍ଷା ନେଇ ଅନେଇ ବସିଥାଏ ମଧୁଲିତା ,ହିତେନ୍ର ଆସିବା ବାଟକୁ । ଫୁରୁସତରେ ଝରକା ଦେଇ ବଗିଚାକୁ ଚାହେଁ ,ଫୁଲ ଉପରେ ଉଡ଼ି ବୁଲୁଥିବା ପ୍ରଜାପତିଟିକୁ ...କେତେବେଳେ ଫୁଲ ଉପରେ ବସି ମଧୁ ଶୋଷିବ । ମୁହୂର୍ତ୍ତ ଗଣେ......,ଏଇ ଆଉ ଟିକିଏ ....ଆଉ ଟିକିଏ କିନ୍ତୁ ଶେଷ କ୍ଷଣରେ ସେ ପଲକ ପାତ ରେ ଉଡି ଯାଏ ଅନ୍ୟତ୍ର ।ଧଡ ଧଡ ହେଉଥିବା ଛାତିଟା ହଠାତ୍ ନିଃସ୍ପନ୍ଦ ହୋଇଯାଏ । ରାଗ ଲାଗେ ବାୟା ପବନକୁ ,ଭାରି ଦୁଷ୍ଟ ଯାଃ ..ଠେଲି ଠେଲି ନେଇଗଲା ପ୍ରଜାପତିଟିକୁ । ଓଃ ----ଇଏ ପରା ମନକୁ ବୁଝାଇବାର ବିକଳ୍ପ ପନ୍ଥା । ଆଖିରେ ଆଖିଏ ଶୂନ୍ୟତା ତା'ର ସେଇ ବାୟୁମଣ୍ଡଳର ମହାଶୂନ୍ୟତାରେ ମିଳେଇ ଯାଏ ।
ହିତେନ୍ ଆସିଲେ ଚଳଚଞ୍ଚଳ ହୋଇଉଠେ ସେ ହିତେନ୍ ପସନ୍ଦର ଶାଢ଼ୀରେ ସଜେଇ ହୁଏ ,ପସନ୍ଦର ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରେ । ତା'ର ପ୍ରତ୍ୟେକ କାମ ,ପ୍ରତ୍ୟେକ ଜିନିଷକୁ ସଜେଇ ରଖେ ଯତ୍ନର ସହିତ । ରାତି ଯେତେ ଘନେଇ ଆସେ ,ଏକ ଅନାଗତ ଭୟ ,ଆଶଙ୍କା ବ୍ୟସ୍ତ ବିବ୍ରତ କରିବା ସହ ଅବଚେତନ ମନର ମଧୁର ସ୍ବପ୍ନ ବି ଆଛନ୍ନ କରି ରଖେ ତାକୁ । କହିବ କି ,ନା..... ନା..... ଆଜି ଚାଟ୍ କରନି ,.....ମୋ ସହିତ କଥା ହୁଅ ,......ଅଟକାଇ ଦେବ କି ହାତକୁ ଧରି ନେଇ ,..ନା... ଆଜି ବାଲକୋନି କୁ ଯାଅନି ........। ପର ମୁହୂର୍ତ୍ତରେ ଏକ ଶକ୍ତ ପ୍ରତିରୋଧ ରେ ଅଟକି ଯାଏ ଦେହ, ମନ ,ପ୍ରାଣ ,,ଶୁଖିଯାଏ କଣ୍ଠ ....।ଉପଯାଚିକା ହୋଇ ଠିଆ ହେଲା ପରେ ଯଦି ପ୍ରତ୍ୟାଖ୍ୟାନ ମିଳେ ......ଓଃ କି ଭୟଙ୍କର ଅପମାନ ........ସହିପାରିବ ତ !
ସବୁ ଭାବନା ର ଜୁଆର ରେ ଭଟା ପଡିଯାଏ । ଅଭିମାନ ରେ ହୃଦୟ ଟା ଗୁମୁରି ଉଠୁଥିବା ବେଳେ କେମିତି ଏକ ଶକ୍ତ କଠୋରତା ଛାଇଯାଏ ମଧୁଲିତା ର
ସମଗ୍ର ସତ୍ତା କୁ ।----------।
^^^^^^^^^^^^^^^^^
ବିତିଯାଏ ମୁହୂର୍ତ୍ତ ,ଗଡିଯାଏ ଦିନ । ଏକତ୍ର ସହାବସ୍ଥାନ ରେ ଜନ୍ମ ନିୟନ୍ତ୍ରଣ ର ଅନେକ ଯୋଜନା କରିଥିଲେ ମଧ୍ୟ ସୃଷ୍ଟି ହୋଇଥିବା ମାତୃତ୍ବ ର ଉପକ୍ରମ ଟିକୁ ହିତେନ୍ ର ଅଜାଣତରେ ସାରିକା ଏବର୍ଟ କରିଦେଲା ପରେ ଏକ ଝଡ ସୃଷ୍ଟି ହୁଏ ତାଙ୍କ ସମ୍ପର୍କରେ ସାରିକା ର ଉଦ୍ଭଟ ଯୁକ୍ତି ଆଗ ରେ ମର୍ମାହତ
ହିତେନ୍ ।
"କେବଳ ଜନ୍ମ କରିଦେଲେ ବା କରିଦେବା ଟା ହିଁ ମାତୃତ୍ବ ବୋଲି ମୁଁ ବୁଝେନା ।ମଣିଷ ପିଲାଟିକୁ ଉପଯୁକ୍ତ ତତ୍ୱାବୋଧନ
ଓ ପରିଚୟ ଦେଇ ନ ପାରିଲେ ସେ ସମାଜ ପାଇଁ ଏକ ବୋଝ ହୋଇ ରହିଯିବ ।ଅଯଥା ଦାୟିତ୍ତ୍ୱ ନେଇ ମୁଁ ବଞ୍ଚିବାକୁ
ଚାହେଁନା । ଦରକାର ହେଲେ ଏଡପଟ କରିନେବି ।ଆମ ସମ୍ପର୍କର କଣ ସାମାଜିକତା ଅଛି ? ମୁଁ ମୋ ଲାଇଫ ଷ୍ଟାଇଲରେ ତମେ ତମ ଲାଇଫ ରେ ବେଶ ଖୁସି ଅଛୁ ।ଲିଭ ଇନ ରିଲେସନ ରେ ଏସବୁ ର ପ୍ରୟୋଜନ ଅଛି ବୋଲି ମୋତେ ଲାଗୁନି । "
ମୁକ୍ତ ଅବାଧରେ ବଞ୍ଚିବାକୁ ଚାହୁଁଥିବା ନାରୀ ର ଯୁକ୍ତି ରେ ହତବାକ ହୋଇଯାଇଥିଲା ସେ । ହଁ ,ସତ ଯେ ତାଙ୍କ ଭିତରେ କୌଣସି ଏଗ୍ରିମେଣ୍ଟ ନାହିଁ ।ତଥାପି ସେ ତା'ର ମାନସମ୍ମାନ କୁ ଖାତିର କରୁ ନ ଥିବା ବେଳେ ସାରିକା ର ଯୁକ୍ତି ତାକୁ ଉଦ୍ଭଟ ଲାଗୁଥିଲା ।ହୁଏତ ସାରିକା ର ପାରିପାର୍ଶ୍ବିକ ସ୍ଥିତି
ଏଥିପାଇଁ ଦାୟୀ ଅଥବା ଆଉ କିଛି .....ବୁଝିପାରେନି ସେ ।ପରାଜିତ ସୈନିକ ର ମନ ନେଇ ସେଦିନ ଘରକୁ ଫେରିଆସିଲା ପରେ ଗଭୀର ଆକ୍ରୋଶ ରେ ଜଳୁଥିଲା
ହିତେନ୍ । ଏକମାତ୍ର କାରଣ ସାରିକା ..।
ଦୀର୍ଘ ଚାରି ପାଞ୍ଚ ବର୍ଷ ର ସମ୍ପର୍କ ସାରିକା ସହିତ ।ଗୋଟିଏ ଛାତ ତଳେ ,ସମାଜ ର ଅନେକ ଟୁପୁର ଟାପୁର ,ଫୁସୁର ଫାସୁର ଟିପ୍ପଣୀ କୁ ଆଡେଇ ଆସିଛନ୍ତି ସେମାନେ ,ନୂଆ ନୂଆ ମହୁରତ ର ନୂଆ ନୂଆ ପୋଷ୍ଟର ପରି । ବଡ ନଗର ମାନଙ୍କ ରେ କେହି କାହା ବିଷୟରେ ଦୀର୍ଘ ସମୟ ଧରି ଚିନ୍ତା କରି ପାରନ୍ତିନି ।ଆସ୍ତେ ଆସ୍ତେ ଦେହ ସୁହା ହୋଇଯାଏ ସବୁ କିଛି ।
କର୍ତ୍ତବ୍ୟ ,ଦାୟିତ୍ୱ ବନ୍ଧନ ରୁ ମୁକ୍ତ ହୋଇ ରହିବାକୁ ଚାହୁଁଥିବା
ନାରୀ ଟିଏ ଜଣେ ପୁରୁଷ କୁ କେମିତି ସର୍ବସ୍ୱ ଦେଇ ଭଲ ପାଏ
କିନ୍ତୁ ସେଇ ପୁରୁଷ ର ଇଛା ଅନିଚ୍ଛା କିଛି କୁ ଗୁରୁତ୍ୱ ନ ରଖିବା ର ମାନସିକତା ଅତି ଅବୋଧ୍ୟ ହୋଇ ରହିଯାଏ ହିତେନ୍ ର ।
ସାରିକା ତାକୁ ଭାଙ୍ଗି ଦେଇଛି ଖଣ୍ଡ ଖଣ୍ଡ କରି ।ବିବାହ ନ କରିବାର ନିଷ୍ପତ୍ତି ରେ ଯେତିକି ଆଘାତ ସେ ପାଇଥିଲା ,ଅବାଂଛିତପିତୃତ୍ୱ କୁ ଭାଙ୍ଗି ଦେଇ ସେ ତା'କ୍ଷତ ଟିକୁ
ଦ୍ବିଗୁଣିତ କରିଦେଇଛି ।
ବଞ୍ଚିବା ର ସବୁ ସାମର୍ଥ୍ୟ ହରାଇବା ପରି ଲାଗେ ହିତେନ୍ କୁ ।ସାରିକା ସହିତ ଅବାନ୍ତର ଯୁକ୍ତି ପରେ ଭୀଷଣ ମୁଣ୍ଡ ବ୍ୟଥା ର ଶୀକାର ହୁଏ ସେ ।ଠିକ୍ ସେତିକିବେଳେ ମଧୁଲିତା ର
ସେବା ତାକୁ ଆଶ୍ୱସ୍ତ କରେ ତାକୁ ।କେମିତି ପଢିପାରେ ?ସେ ହିତେନ୍ ମୁହଁ ର ଭାବନା !!!କିନ୍ତୁ ସେ ନିଜେ .......!!ହିତେନ୍ ର ଯେମିତି ନାରୀ ମନ ର ସଂଗୋପ୍ୟ କାମନା କୁ ପଢ଼ିବାର ଯୋଗ୍ୟତା ହିଁ ନାହିଁ ,,ବୋଲି ଭାବେ ।
^^^^^^^^^^^^^^^^^^
ମଧୁଲିତା ର ଢଳ ଢଳ ନୀଳ କଇଁ ପରି ଆଖି ପୁଣି ସ୍ବପ୍ନ ଦେଖନ୍ତି ।ହିତେନ୍ କୁ ଆଉ ଚାଟ କିମ୍ବା ଭି ଡି ଓ କଲ ରେ ବ୍ୟସ୍ତ ରହିବା ଦେଖୁନାହିଁ ସେ ।କିନ୍ତୁ ସେଇ ବାଲକୋନି ରେ ଥାଇ
ସୂର୍ଯ୍ୟାସ୍ତ ଭିତରେ ହିତେନ୍ ନିମଗ୍ନ ରହୁଛି ସିଗାରେଟ ର ଧୂମ୍ର କୁଣ୍ଡଳୀ ଭିତରେ ।ସେଇ ଭିତରେ ଆସୁଥିବା ଫୋନ କଲ କୁ ଅନେକ ଥର କାଟିସାରିଲାଣି ସେ ।ମଧୁଲିତା ର ଛାତି ଭିତର ଟା ମନ୍ଥି ହୋଇଯାଏ ।କାହିଁକି ଏମିତି ନିଃଶେଷ ହେବାକୁ ବସିଛି
ହିତେନ୍ ? ବିଶେଷ କିଛି ବୁଝି ନ ପାରିଲେ ବି ବ୍ୟାପାର ଟି ନାରୀ ଜନିତ ବୋଲି ବୁଝି ପାରିଛି ସେ ।
ନା ,,....ହିତେନ୍ କୁ ସେ ସ୍ଥିତି ରୁ ବାହାର କରିବା ପାଇଁ ଆତ୍ମା ଛଟପଟ ହେଲା ମଧୁଲିତା ର ।ଅତି ବେଶୀରେ ଦିନେ ରୁ ଦୁଇଦିନ ରହୁଥିବା ହିତେନ୍ ତିନିଦିନ ହେଲାଣି ଘରୁ ଅଫିସ ଜାଗା କୁ ଯିବା ପାଇଁ ଆଦୌ ବ୍ୟସ୍ତ ହେଉନି ।ସୂର୍ଯ୍ୟ ସମ୍ପୂର୍ଣ୍ଣ ବୁଡ଼ିଗଲେଣି ,ଝାପ୍ସା ଅନ୍ଧାର ତା ସାମ୍ରାଜ୍ୟ ବିସ୍ତାର କରିବାକୁ
ଆରମ୍ଭ କରିଦେଇଛି ।ଆଉ ଗୋଟେ ସିଗାରେଟ ଓଠରେ ଚାପିଲା ହିତେନ୍ । ପଛରୁ ଶୁଣାଗଲା --""ଥାଉ ,...ସେତିକି
.....ଆଉ ନିଅନି ,ମୁଣ୍ଡ ବିନ୍ଧିବ "।
ହାତ ଟା ଅଟକି ଗଲା ।ଏଇ ପ୍ରଥମ କରି ଏକ ଲମ୍ବା ପଦ ଶୁଣିଲା ହିତେନ୍ ମଧୁଲିତା ର । ତା'ଚେହେରା ତୁଳନା ରେ କଣ୍ଠ ସ୍ୱର ଟି ବେଶୀ ମିଠା ଲାଗିଲା ତାକୁ । ଅନେକ ସାହସ କରି ଅନ୍ଧାର କୁ ସାହାରା କରି କହିଥିଲା ମଧୁଲିତା ।ହିତେନ୍ ଧୂଆଁ ଛାଡ଼ୁ ଛାଡୁ କହିଲା --"କ'ଣ ତୁମେ ବି କହିବ ମୋତେ ଭଲ ପାଉଛ " ।ଟିକିଏ ନୀରବ ରହି ,, "ମୁଁ କିନ୍ତୁ ତୁମର ଭଲ ପାଇବାର ଯୋଗ୍ୟ ନୁହଁ " ।
ଇଛା ତ ହେଉଥିଲା ମଧୁଲିତା ର ହିତେନ୍ ଛାତିରେ ମୁଣ୍ଡ ଗୁଞ୍ଜିଦେଇ ଗଭୀର ଆଶ୍ୱାସନା ରେ ବାନ୍ଧି ରଖନ୍ତା ।କିନ୍ତୁ ନା ,...ସେ ସେମିତି କିଛି କଲାନାହିଁ ....ବରଂ ମୁହଁ ଟା ଶକ୍ତ ହୋଇଗଲା ।କହିଲା --"" ଏଇଟା କ୍ଷଣିକ ଅବସାଦ ,ହୁଏତ କାଲି ସକାଳ କୁ ଏଇ ମନ୍ତବ୍ୟ ଟା ତା'ର ସତ୍ତା ହରାଇଥିବ ।"
ଚମକି ପଡିଲା ହିତେନ୍ ।ମଧୁଲିତା ପରି ଆଉଟ୍ ଡେଟେଡ଼
ଝିଅ ଏମିତି କଥା କହୁଛି ? କେମିତି କହି ପାରୁଛି ସେ ......!
ଉଃଫ .....ଅନ୍ଧାର ଟା ମାଡି ବସିଛି ,ହେଲେ ଏଇ ଅନ୍ଧାର ଟା ବେଶ ଭଲ ଲାଗୁଛି । ଆଲୁଅ ରେ ଭୟ ଲାଗିବ । ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ହିତେନ୍ ।ସିଗାରେଟ ଫିଙ୍ଗିଦେଇ ମଧୁଲିତା ର ଦୁଇ ବାହୁ କୁ ଝୀଂଯୋଡି ଦେଇ କହିଲା ----"ଜାଣିଛ ମୋ ବିଷୟରେ ? ନା .....କିଛି ଜାଣିନ .......।
ତା'ପାଟିରୁ ଛଡାଇ ନେଇ କହିଲା ମଧୁଲିତା ---"ନା ,ମୋର କିଛି ଜାଣିବା ଦରକାର ନାହିଁ ମୁଁ ଏତିକି ଜାଣେ ,ତୁମେ ମୋର ସ୍ୱାମୀ .....ମୋର ସବୁକିଛି । ତୁମ ଭଲ ମନ୍ଦ ,ହସ କାନ୍ଦ ,ଦୁଃଖ ସୁଖ ସବୁ ମୋର ।
ମଧୁ ଲିତା ର ଭାବାବେଗ ର ବନ୍ୟା ରେ ହିତେନ୍ ଏଇ ପ୍ରଥମ କରି ତା'ର ବିବାହିତା ପତ୍ନୀ କୁ ନିଜ ଛାତିରେ ଜଡାଇ ଧରିଲା ।ନୀଳକଇଁ ପରି ଆଖି ଯୋଡିକ ଆକାଶ ର ଚନ୍ଦ୍ରମା କୁ ନିବିଷ୍ଟ ଭାବରେ ଦେଖି ଆତ୍ମମଗ୍ନ ହେଉଥିଲା ବେଳେ ଓଠରେ ପ୍ରଶାନ୍ତି ର ମୃଦୁ ହସ ଖେଳି ଯାଉଥିଲା ମଧୁ ଲିତା ର ।
^^^^^^^^^^^^^^^^^^^^
ଜୀବନର ଶାନ୍ତି ପାଖରେ ଅର୍ଥ ର ମାୟା କୁ ଛୋଟ କରି ମୋଟା ଅଙ୍କ ର ଦରମା କୁ ହରାଇବାକୁ ପ୍ରସ୍ତୁତ ହୋଇଯାଏ ହିତେନ୍ । ବାହାର ରାଜ୍ୟ ଓ ସାରିକା ର ମାୟା ଠାରୁ ଦୂରେଇ ଆସେ ସେ ।ଅନେକ ଦିନ ପରେ ତା'ନୂତନ ଅଫିସ ଠିକଣା ରେ ଆସିଥିବା ଏକ ଚିଠି କୁ ବେଶ ଉତ୍ସୁକତା ର ସହ ଖୋଲିବା ପରେ ତାହା ସାରିକା ର ବୋଲି ଜାଣିବାକୁ ପାଏ ସେ ।
""ଓଃ ମାଇ ଗଡ .....!!" ଏବେ ବି ତା ହୃତ ସ୍ପନ୍ଦନ ତୀବ୍ର ହେଉଛି ସେ ନାଁ ଟିର ଉଚ୍ଚାରଣ ରେ ।ସମ୍ଭାଷଣ ଓ ଇତି କୁ ପଢ଼ିସାରିବା ପରେ ବିଷୟ ବସ୍ତୁ ଟିକୁ ଏଇମିତି ଜାଣିଲା ସେ ......। "କୈଶୋର ରୁ ଡାଡ଼ ମମ ଙ୍କୁ ହରାଇ ବୋର୍ଡ଼ିଙ୍ଗ
ସ୍କୁଲ ରୁ ପାଠ ପଢି ,ଫ୍ୟାମିଲି ର ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ ହୋଇ ,ସମ୍ଭ୍ରାନ୍ତ ଓ ଆଧୁନିକତାର ପରିବେଶ ରେ ଅଭ୍ୟସ୍ତ ହେବା, ତମ ବିଷୟରେ କିଛି ନ ଜାଣି ନ ବୁଝି ଡିପଲି ଆଟଚ
ହେବା ଓ ତମ ଠାରୁ ତମ ପରିବାର ର ଆଶା ଆଙ୍କାକ୍ଷା ଜାଣିବା ପରେ ତମକୁ ବିବାହ ନ କରିବାର ନିଷ୍ପତ୍ତି ନେବା ମୋ ପକ୍ଷ ରେ ଉଚିତ ଥିଲା ।ମାତୃତ୍ତ୍ୱ ପରି ଏକ ପବିତ୍ର କାମନା କୁ ଜଳାଞ୍ଜଳି ଦେବା ପଛରେ ଏକ ଆତଙ୍କ ଥିଲା ମୋ ଭିତରେ ।
କ'ଣ ହେବ ମୋ ସନ୍ତାନ ର ପରିଚୟ ?ଯଦି ଝିଅ ହୁଏ ? କେମିତି ହେବ ? ମୋ ପରି ......? ଆଃ ...କି ଲଜ୍ଜା ....!!କେମିତି ସହି ଥାନ୍ତି ବଞ୍ଚି ଥାଉ ଥାଉ ....?? ନା -,ସେମିତି ଏକ ଅବାଂଛିତ ପରିଚୟ ନେଇ ବଞ୍ଚିବା ଅପେକ୍ଷା ପୃଥିବୀ କୁ ନ ଆସିବା ହିଁ ଭଲ ବୋଲି ମୁଁ ଭାବିଲି । ତମେ ମୋ ସହ ସବୁ ସମ୍ପର୍କ କାଟିଦେଲା ପରେ ମୁଁ ପାଗଳ ପ୍ରାୟ ହୋଇଯାଇଥିଲି ।
କାରଣ ତମକୁ ହିଁ ମୋ ଜୀବନର ସବୁକିଛି ବୋଲି ଜାଣିଥିଲି ।
ବହୁ ଚିକିତ୍ସା ପରେ ମୁଁ ଏବେ ସାମାନ୍ୟ ସୁସ୍ଥ ହେବାରୁ ତମକୁ ଏ ଚିଠି ଦେଉଛି । ୟାକୁ ତମ ପାଖରେ ରଖିବ । ତମକୁ ବହୁତ ଭଲ ପାଏ ଆଉ ବିଶ୍ୱାସ କରେ ହିତେନ୍ । ଆଜି ଆମ ଭିତରେ ଅନେକ ଦୂରତା କିନ୍ତୁ ଦୀର୍ଘ ଛଅ ବର୍ଷ ର ସମ୍ପର୍କ କୁ ଏଇ ଦୂରତା ର ଦ୍ୱାହି ଦେଇ ଭୁଲିଯିବନି । ପ୍ଲିଜ଼ ହିତେନ୍ ମୋତେ ବିଶ୍ୱାସ କର , ମୁଁ ତମକୁ କେବେ ଆମ ନଗ୍ନ ସମ୍ପର୍କ ପାଖକୁ ଫେରିଆସିବା ପାଇଁ କହିବିନି । କେବଳ ତମ ହୃଦୟ ର ଛୋଟିଆ କୋଣ ରେ ଆମ ସ୍ମୃତିକୁ ସବୁଦିନ ପାଇଁ ସଜେଇ
ରଖିଥିବ ""। ଆଉ ଶେଷ ଆଡକୁ ""ଲଭ ୟୁ ""ସହିତ ଅନେକ ଲିପଷ୍ଟିକ ବୋଳା ଓଠ ର ଚୁମ୍ବନ ର ଚିନ୍ହ ।।
କିଛିସମୟ ପାଇଁ ସ୍ତବ୍ଧ ରହିଗଲା ହିତେନ୍ ।ତା'ପରେ ମୋବାଇଲ ଆଡକୁ ଆପେ ଆପେ ହାତ ଚାଲିଗଲା କଲ କରିବାକୁ ।କିନ୍ତୁ ଅପର ପାର୍ଶ୍ଵ ରୁ ଯାନ୍ତ୍ରିକ ସ୍ୱର ଭାସିଆସିଲା " "ଦିସ ନମ୍ବର ଇଜ଼ ନଟ ଏକଜ଼ିଷ୍ଟେଡ଼ ।"
ଯେତେ ଆଧୁନିକା ,ଉଗ୍ର ଆଧୁନିକା ହେଲେ ମଧ୍ୟ ପ୍ରତିଟି ନାରୀ ଭିତରେ ଏକ ସଙ୍କୁଚିତ ପୃଥିବୀ ବି ଥାଏ ।ସତ ରେ ମଣିଷ କେତେ ଅସହାୟ !! ସମାଜ କୁ ଯେତେ ଆଧୁନିକ ସଭ୍ୟତା ର୍ଦର୍ପଣ ଦେଖାଇଲେ ମଧ୍ୟ ସେଥିରେ ବି ଦାଗ ଦେଖାଯାଏ ।
ନିଜର ଅସହାୟତା କୁ ଲୁଚାଇବା କୁ ଯାଇ କିଛି ମାଧ୍ୟମର
ସାହାଯ୍ୟ ନେବ କି .....???? ନା ........ଆଉ ହାରିବାକୁ ଭଲ ଲାଗୁନି । ହିତେନ୍ ଚିଠି ଟି କୁ ଚଉତି ରଖିଲା ପକେଟ ରେ ।ମୁଣ୍ଡ ଉପରେ ହାତ ଛନ୍ଦି ଗଭୀର କ୍ଳାନ୍ତି ରେ ଆଖି ବନ୍ଦ କଲା ସେ ।ଆଖି ଆଗରେ ନାଚି ଉଠିଲା କଳ କଳ ,ଛଳ ଛଳ ଶାନ୍ତ ସ୍ନିଗ୍ଧ ନୀଳ କଇଁ ପରି ଆଖି ଯୋଡିକ ....ସମ୍ମୋହିତ କରୁଛନ୍ତି
ତାକୁ ।ସେ ସମ୍ମୋହନ ରେ ଅଛି ବାସ୍ତବ ଜୀବନର ଅମୃତ ର ସନ୍ଧାନ ଦିଗ ରେ ଯାତ୍ରା ....,ଏକ ସଭ୍ୟ ମଣିଷ ର ତା'ର ଉତ୍ତର
ପିଢୀ କୁ ଆଦର୍ଶ ଓ କର୍ତ୍ତବ୍ୟ ନିଷ୍ଠା ର ଅବଦାନ ର ଆନନ୍ଦ । ତା'
ପାଟିରୁ ନିଜ ଅଜାଣତରେ ଅସ୍ପଷ୍ଟ ଭାବରେ ବାହାରି ଆସୁଥାଏ ----"ଲଭ ୟୁ .......ଲଭ ୟୁ .......ମଧୁ . .. . ... ।।।।।।।।
ବାରିପଦା
ମୟୁରଭଂଜ-୭୫୭୦୦୧
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।