1/02/2019

ସେଇ ଅସହାୟ ବାପା

ଚିଣ୍ଟୁ ସେଠୀ
ରାସ୍ତାରେ ଯାଉଥିବା ସବୁ ଲୋକଙ୍କ ମୁହଁରେ ଅନ୍ୟମନସ୍କତାର ଛାୟା ଥିଲା ,ହେଲେ ତା ମୁହଁରେ ମିଛ ହସ ଟିକିଏ ଥିଲା । ରାସ୍ତାରେ ସମସ୍ତେ ଚଳ ଚଞ୍ଚଳ ଥିଲେ,ହେଲେ ସେ ଏକୁଟିଆ ସ୍ଥିର ଥିଲା । ତା'ର ସେଇ ହସିବା ପଛରେ ବି କାରଣ ଥିଲା ଆଉ ଥିଲା ବି ସେଇ ହସ ତଳେ ଏକ ବିରାଟ ଦୁଃଖର ପାହାଡ଼ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ବୋଲି ଚଳ ଚଞ୍ଚଳ ଥିଲେ ହେଲେ ସେ ନିଜ କାମ ପାଇଁ ଆଉ ଭଗବାନଙ୍କ ଦୟାରୁ ନିଜ ଗୋଡ଼ ନ ଥିବା କାରଣରୁ ସ୍ଥିର ଥିଲା.....
            ବାବୁ..... ମା......ଗୋଟେ ନିଅନ୍ତୁ ବାବୁ.....ଗୋଟେ ନିଅନ୍ତୁ ମା...... ଏମିତି କହୁ କହୁ ବସିଥିବା ଜାଗାରୁ ଘୋଷାରି ହେଇ ଚାଲି ଆସୁଥାଏ ସେ ।। ବୟସ ପାଖାପାଖି 60 ବର୍ଷ ହେବ,ମୁହଁରେ ଦାଢ଼ି ଭର୍ତ୍ତି କେଉଁ ବର୍ଷରୁ କଟା ହେଇଥିଲା ତା ର ଠିକଣା ନାହିଁ । ଆଉ ମୁଣ୍ଡ ବାଳ ପବନରେ ଫୁରୁ ଫୁରୁ ହେଇ ଉଡୁଛି ଯାହାକୁ ସେ ହାତରେ ପହଁରି ଆଣୁଚି ନିଜ ମୁହଁ ଉପରୁ......
            ବୟସ ର ଅପରାହ୍ନରେ ବି ସେ ଭିକ ମାଗିବାକୁ ପେଶା ନ କରି ହାତରେ କିଛି କଲମ ଧରି ବିକିବା ର ପ୍ରୟାସ କରୁଥାଏ ସେ । ହାତରେ ଆଶା ବାଡ଼ି ଦୁଇଟି ଧରି ସେ ସକାଳୁ ବାହାରି ପଡେ ନିଜ ଚିର ପରିଚିତ ସେଇ ଛକ ଜଗାଟିକୁ... ଯେଉଁଠି ସେ ସକାଳୁ ସନ୍ଧ୍ୟା ଯାଏ ବସି କଲମ ବିକ୍ରି କରିବାର ମିଛ ପ୍ରୟାସ କରି ଚାଲିଥାଏ ...।। ଯଦି କେହି ସହୃଦୟ ଲୋକ କଲମ କିଣେ ତେବେ ସେ ଦିନ ତା'ର ଆଉ ତା ପୁଅର ଭୋକିଲା ପେଟରେ  କିଛି ଦାନା ପଡେ...।। ନିଜର କହିଲେ କେବେଳ ସେଇ 12 ବର୍ଷର ରୋଗୀଣା ପୁଅ ଟିଏ ଛଡା ଆଉ କେହି ନାହିଁ ତା ର....
         ବୁଧବାର ଦିନ... ସମୟ ପ୍ରାୟ ୧୨. ୩୦ ହେବ,ସେଦିନ ତା ପାଖରୁ କେହି ବି କଲମ କିଣି ନାହାନ୍ତି । ଦୁଇ ଦିନ ହେବ ପିଲାଟା ତା ର ଭୋକରେ ଅଛି ହେଲେ ତା ପାଖରେ ଖାଦ୍ୟ ପାଇଁ ପଇସାଟିଏ ବି ନାହିଁ । ଖରାରେ ବସି ନିଜ ଭାଗ୍ୟ କୁ ନିନ୍ଦୁ ଥାଏ ସେ .....
          ଟ୍ରାଫିକ ବତୀକୁ ଅନାଉଥାଏ ସେ.... କେତେବେଳେ ନାଲି ବତୀ ଜଳିବ ଆଉ ଗାଡି ସବୁ ଠିଆ ହେବେ । ହୁଏତ ସେତେବେଳେ କେହି ଜଣେ ତା ପାଖରୁ କଲମ କିଣି ନେବ.....। ଚାଲିବାକୁ ବି ଶକ୍ତି ପାଉନଥାଏ ତା ର, ରାସ୍ତାକୁ ଘୋଷାରି ହେଇ ଆସିବା ବେଳକୁ ଦୂରରୁ ଟ୍ରାଫିକ ପୋଲିସ ଡାକ ଛାଡ଼ୁଛି ଆଉ ଗାଳି କରି ନିଜ ଜାଗାରେ ବସିବାକୁ କହୁଛି...।।
           ଖରାରେ ବସି ବସି ତା ମୁଣ୍ଡ ବୁଲେଇବାକୁ ଲାଗିଲାଣି, ତାକୁ ସବୁ କିଛି ଅନ୍ଧାର ଦେଖା ଯାଉଚି..... ଆଶା ବାଡ଼ି ସାହାଯ୍ୟ ରେ ସେ ଠିଆ ହେବାକୁ ଚେଷ୍ଟା କଲା ଆଉ ଠିଆ ହେଇ ଗୋଟେ ପାଦ ଆଗକୁ ପକେଇଲା, ଯାହାକି ତା ଜୀବନ ର ଶେଷ ଚଲା ପାଦ ଥିଲା ତା ପାଇଁ...... ।। ଟ୍ରାଫିକ ପୋଲିସ ଡାକ ଦେଉ ଦେଉ ଦୂରରୁ ଦ୍ରୁତ ଗତିରେ ଆସୁଥିବା ଗାଡିଟିଏ ତାକୁ ମାଡ଼ିଦେଇ ଚାଲି ଯାଇଥିଲା ତାକୁ ଆଉ ତା ର ସେଇ ନିର୍ଜୀବ ଦେହ ଟି ଛିଟିକି ପଡିଥିଲା ତା ବସିବା ଜାଗାକୁ...।। 
        ଭୋକ ବିକଳରେ ତା'ର ସେଇ ରୋଗୀଣା ପୁଅଟି ଘରୁ ବାହାରି ଆସିଥିଲା ନିଜ ବାପାଙ୍କୁ ଖୋଜିବାକୁ । ଦୂରରୁ ସେ ତା ବାପାକୁ ଶୋଇଥିବାର, ଆଉ ତାଙ୍କର ସେଇ ମୂଲ୍ୟବାନ ପ୍ଲାଷ୍ଟିକ କଲମ ଗୁଡାକ ଚାରିଆଡେ ବିଛାଡି ହେଇ ପଡିଥିବାର ଦେଖିବାକୁ ପାଇଲା । ବାପା ପାଖରେ ଆସି ବସି ପଡ଼ିଲା ପିଲାଟି ଆଉ ଆଖିରୁ ଲୁହ ଝରି ଯାଉଥିଲା ତା'ର ହେଲେ ମୁହଁରୁ କିଛି ବି ଶବ୍ଦ ବାହାରୁ ନଥିଲା....।।
          ସବୁଦିନ ପରି ଆଜି ବି ସେଇ ନାଲି ବତୀଟି ଜଳୁଥିଲା ଆଉ ବନ୍ଦ ହେଉଥିଲା । ଗାଡି ସବୁ ଆସୁଥିଲେ ଠିଆ ହେଉଥିଲେ ପୁଣି ଚାଲି ବି ଯାଉଥିଲେ । ସବୁଦିନ ପରି ଲୋକ ମାନେ ସେଇ ବୁଢା କଲମ ବେପାରୀଟିକୁ ଦେଖି ବି ନ ଦେଖିଲା ପରି ଚାଲି ଯାଉଥାନ୍ତି । ଆଉ ସବୁଦିନ ପରି ରାସ୍ତାର ସମସ୍ତେ ଚଳ ଚଞ୍ଚଳ ଥିଲେ ଆଉ ସେଇ ୬୦ ବର୍ଷର ବୁଢ଼ାଟି ଥିଲା ସ୍ଥିର ହେଲେ ଏତିକି ଫରକ ଥିଲା ସବୁଦିନ ପରି ସେଇ ବୁଢା ବାପାଟି ର ମୁହଁରେ ସେଇ ମିଛ ହସ ଟିକକ ଆଉ ନ ଥିଲା.......
          ପରଦିନ ସକାଳେ ଲୋକମାନେ ଦେଖିବାକୁ ପାଇଲେ ରାସ୍ତା କଡରେ ଦୁଇଟି ଶବ ପଡିଛି ଆଉ ପାଖରେ କଲମ ସବୁ ବିଛାଡି ହେଇ ପଡିଛି । ଆଜିବି ସେଇ ରାସ୍ତାଟି ଚଳ ଚଞ୍ଚଳ ଥିଲା ଆଉ ରାସ୍ତା କଡରେ ଆଜି ସେଇ ବାପା ପୁଅଙ୍କ ନିର୍ଜୀବ ଦେହ ମାନ ସ୍ଥିର ରହିଥିଲା, ଆଉ ଦୂରରୁ ମୁନିସିପାଲିଟି ଗାଡ଼ି ଆସୁଥିବାର ଦେଖା ଯାଉଥିଲା.......
ମାର୍ଶାଘାଇ,କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।