ସସ୍ମିତା ମହାପାତ୍ର
କେବେ ଚିଠିରେ କେବେ ଆକାଶରେ କେବେ ପତରରେ କେବେ ପବନରେ ଲେଖନ୍ତି ।।
କେବେ ପାଣିରେ କେବେ ମନରେ କେବେ ଶୂନ୍ୟରେ କେବେ ଲୁହରେ ତ କେବେ ଲହୁରେ
ଆଉ କେବେ ଅଗ୍ନିର ଲେଲିହାନ ଶୀଖା ଉଦ୍ଗୀରଣ କରୁଥିବା ଜୁଇର କାଠଗଣ୍ଡି ଭିତରେ ।।
ପିଲାଦିନେ ପ୍ରଜାପତି ପଛରେ ଦୌଡିବାବେଳେ କ୍ଷତାକ୍ତ ହୋଇ ତାକୁ ପିଛା କରିବା ହିଁ ପ୍ରେମ ।
କଷି ଆମ୍ବ ଓ ତେନ୍ତୁଳିର ଆମ୍ବିଳିଆ ସ୍ବାଦପାଇଁ ଟଣାଓଟରା ଭିତରେ ଟାକରା ମାରିବା ବି ପ୍ରେମ ।।
କୁକୁରଛୁଆଙ୍କୁ ସେମାନଙ୍କ ମା'ର ଅନୁପସ୍ଥିତିରେ ଖୀରଭାତ ଖୋଇବା ଓ ଗେହ୍ଲା କରିବା ବି ପ୍ରେମ ।
କଅଁଳା ବାଛୁରୀର ଖଣ୍ଡିଡିଆଁ ଆଉ ବିରାଡି ଲାଞରେ ଚୁନାମାଛ ବାନ୍ଧି ତାକୁ ଘେରା ଘେରା ବୁଲାଇ ହସିବା ବି ପ୍ରେମ ।।
ବାଡିରେ ପୋତିିଥିବା ମଞିରୁ କେତେବେଳେ ଗଜା ଅଙ୍କୁରିବ ଦେଖିବା ପାଇଁ ବାରମ୍ବାର ମାଟିକୁ ଆଡେଇ ଗୁଣୁଗୁଣୁ କରି କିଛି କହିଆସିବା ବି ଏକ ପ୍ରେମ ।
ବୁଢାବୁଢୀ ଜେଜେ ଜେଜେମାଙ୍କ ସାଥିରେ ଗପିବାପାଇଁ ଏ ସାହିରୁ ଆରସାହିକୁ ଲୁଚିକି ଯିବା ଓ ଡେରିରେ ଫେରି ବୋଉମାଡ ଓ ବାପାଙ୍କଠୁ ଗାଳି ଖାଇବା ବି ଏକ ପ୍ରେମ ।।
ଶୀତଦିନିଆ ଖରାରେ ବସି ପଖାଳ କଂସାରେ ହାତ ବୁଡେଇ ରାଗୁଆ ପାଗପାଣିର ହୁ ହା ସୁ ସା ହେବାରେ ବି ରହିଛି ପ୍ରେମ ।
ସଦା ନୂଆବୋଉ ସଦେଇଭାଇକୁ ରାତିରେ ମଦ ପିଇବା ଯୋଗୁ ରୁଷିକି ନଖାଇବା ଓ ସକାଳୁ ଘସିମାଜି ପଖାଳ ଖୁଆଇ କାମକୁ ପଠେଇବା ବି ପ୍ରେମ ।।
ପୋଖରୀ ତୁଠରେ ତେଲ ହଳଦୀ ଓ ସାବୁନ ଲଗେଇ ଗାଁ ଗୋଟାକର ଗପ ଭିତରେ କାଳି ଗୋରୀ ସାବନି ଝିଅଙ୍କର ଥଟ୍ଟାତାମସା ହେବା ବି ତ ପ୍ରେମ ।
ମାମୁଁଘରୁ ପ୍ରଥମାଷ୍ଟମୀ ସାର୍ଟଟା ପୁରୁଣା ହୋଇ ଚିରିବାଯାଏଁ ସାତସିଆଁ କରି ପିନ୍ଧିକି ସାଙ୍ଗମାନଙ୍କୁ ମାମୁଁଘର ଦେଖେଇବାରେ ଅଛି ପ୍ରେମ ।।
ବାପାଙ୍କ ଓଜନ ଚାଳିଶି କେଜି ହୋଇଥିଲେ ବି ମୋ ବାପା ସବୁଠୁ ବେଶୀ ବଳୁଆ ବୋଲି କହି ବୁଲିବା ବି ପ୍ରେମ ।
ପ୍ରେମ କ'ଣ ଖାଲି ସିନେମା ଦେଖା ଯାତରା ବୁଲା ପାର୍କର ଗଛମୂଳ ନଦୀକୂଳ ଆଉ ଗୋଲାପି ଲଫାପା ଭିତରେ ଅକୁହା ଭାଷା ଆଉ ରଙ୍ଗୀନ ଅକ୍ଷରର ଖେଳରେ ହୁଏ କି ।।
ଢିଙ୍କିକୁଟାଠୁ ଛତୁଫୁଟା ଯାଏଁ, ଚାଟଶାଳୀରୁ ଅଟ୍ଟାଳିକା ଯାଏଁ, ଶାଗପଟ୍ଟାଳିରୁ ନଦୀରୁ ସାଉଁଟା ନିର୍ଜୀବ ଶାମୁକା ଗୋଟେଇବାରେ ବି ଅଛି ପ୍ରେମ ।
ମାଲିକଙ୍କ କଠୋରକଥାରୁ ନେଇ ମାସଶେଷରେ ଦପ୍ତରର କଲମମୁନରେ ମିଳୁଥିବା ଦରମାଗଣ୍ଡାକ ଯାଏ ସବୁକିଛି ପ୍ରେମ ।।
ଜନ୍ମରୁ ଯୁଇଯାଏ ପଡିଥିବା ରାସ୍ତାଟା ଯେତେ ଅଙ୍କାବଙ୍କା ହେଲେ ବି ସବୁଠି ଅଛି ପ୍ରେମ ।
ପ୍ରେମର ପରିଭାଷା ବଖାଣିଲେ ଅସରା ନିତି ବଂଚୁଥିବା ଅକୁହା କଥାର ପସରା ଚିର ସବୁଜ ଚିର ନୂତନ ଓ ସବୁଠି ବିଦ୍ୟମାନ ପ୍ରେମ ।।
ଓଲଡ୍ ଟାଉନ୍
ଭୂବନେଶ୍ବର

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।