ସେଦିନ ଥିଲା ୧୪ ପେବ୍ରୁଆରୀ ୨୦୧୯, ଭାଲେଣ୍ଟାଇନସ୍ ଡ଼େ । ଅତି ଆନନ୍ଦ ଉଲ୍ଲାସର ସହିତ ସାରା ବିଶ୍ୱ ପାଳନ କରୁଥିଲା ପ୍ରେମର ଦିବସ । କେହି କେହି ନିଜ ନିଜ ଅତି ପ୍ରିୟ ମାନଙ୍କୁ ନେଇ ପାର୍କରେ ତ ଆଉ କେହି କେହି ଖୋଲା ମଇଦାନରେ ନିଜ ନିଜର ଆନ୍ତରିକ ଭଲପାଇବାକୁ ପରସ୍ପର ମଧ୍ୟରେ ଆବଣ୍ଟନ ଚ଼ାଲିଥାଏ । ଦୂର ଦୂରାନ୍ତରେ ଥିବା କିଛି ଲୋକ ମୋବାଇଲ ଫୋନ ମାଧ୍ୟମରେ ନିଜର ମନ କଥାକୁ ମନର ମଣିଷ ପାଖରେ ବ୍ଯକ୍ତ କରି ଖୁସି ଜାହିର କରୁଥା'ନ୍ତି । ହଠାତ ଖେଳି ଗଲା ଏକ ଲୋମହର୍ଷକ ଚ଼ାଞ୍ଚଲ୍ଯ ଖବର ; କାଶ୍ମୀରର ପୁଲଵାମାରେ ସନ୍ତ୍ରସବାଦୀ ଆକ୍ରମଣରେ ୪୩ ଜଣ ସୈନିକଙ୍କ ମହାପ୍ରୟାଣ । ପବନ ବେଗରେ ବହିଗଲା ସାରା ଭାରତବର୍ଷରେ ବିରାଟ ଏକ ଘୂର୍ଣ୍ଣିବାତ୍ୟା, ଦେଇଗଲା ଅନେକ ଆଖିରେ ଅଶ୍ରୁର ବନ୍ଯା । କ୍ଷଣିକ ମାତ୍ରକେ ସ୍ତବ୍ଧ ହେଇ ଗଲା ଦେଶ ; କାନ୍ଦି ଉଠିଲା ପ୍ରତ୍ଯେକଟି ପ୍ରାଣର ପଞ୍ଚାତ୍ମା । ବଦଳି ଗଲା ଭାରତବାସୀଙ୍କ ମନର ଭୌଗୋଳିକ ଚ଼ିତ୍ର ।
ନିପଟ ମଫସଲ ଗାଁ ବଉଳପୁର । ସେଇ ଗାଁରେ ଓକିଲ ମନୋଜ ବାବୁଙ୍କର ଘର । ମନୋଜ ବାବୁ, ସ୍ତ୍ରୀ ତନୁଜା ଏବଂ ପୁଅ ଦୀପୁ,ତିନି ଜଣଙ୍କୁ ନେଇ ତାଙ୍କର ଛୋଟ ପରିବାର । ସେଦିନ ଦୀପୁ ଦେହ ଖରାପ ଯୋଗୁଁ ସ୍କୁଲକୁ ଯାଇ ନଥାଏ ।ଦୀପୁଙ୍କର ଦେହ ଖରାପ ଯୋଗୁଁ ମା' ମାନସିକ ବ୍ୟସ୍ତତା ଭିତରେ ଥାଆନ୍ତି । ସେ ବାପାଙ୍କ ଆସିବା ବାଟକୁ ଚାହିଁ ରହିଥାଆନ୍ତି, କାରଣ ବାପା କୋର୍ଟରୁ ଫେରିଲେ ଦିପୁଙ୍କୁ ଡାକ୍ତରଙ୍କ ପାଖକୁ ନେଇଯିବେ । ତନୁଜା ଦେବୀ ରୋଷେଇ ଘରେ କ'ଣ କିଛି କରୁଥା'ନ୍ତି । ଦୀପୁ ଟେଲିଭିଜନ ଦେଖୁଥାଏ । ସମୟ ଠିକ ୩ଟା ବାଜି ୨୦ ମିନିଟ ;ଏତିକି ବେଳେ ଚିତ୍କାର ଶୁଭିଲା.......
ମାଆ.........!
ଡାକ ଶୁଣିଲେ ତନୁଜା ଦେବୀ ।ହଠାତ ସେ ରୋଷେଇ ଘରୁ ବାହାରି ଆସି ଦୀପୁଙ୍କୁ ଦେଖନ୍ତେ,ଦୀପୁ କ୍ଷିପ୍ର ଗତିରେ ଦଉଡି ଦଉଡି ବିଦ୍ୟାଳୟ ଆଡକୁ ଯାଉଥାଏ । ତନୁଜା ଦେବୀ ମଧ୍ୟ ପଛରୁ "ଦୀପୁ..ଦୀପୁ ...
କଣ ହେଲା...
ରହିଯା ....."କହୁଥାନ୍ତି ।
ହେଲେ ଦୀପୁ ଶୁଣୁ ନଥାଏ । ତନୁଜା ଦେବୀ ପିଛା କରୁଥା'ନ୍ତି ଦିପୁଙ୍କର । ରାସ୍ତାରେ ଗାଁ ଲୋକ ଯିଏ ବି ଦେଖା ହେଉଥାନ୍ତି, ତନୁଜା ଦେବୀ ତାଙ୍କୁ ମଧ୍ୟ ସାଙ୍ଗରେ ଆସିବାକୁ ଅନୁରୋଧ କରୁଥାଆନ୍ତି । ମାତ୍ର କିଛି ବାଟ ଗଲା ପରେ ରାସ୍ତା ପାର୍ଶ୍ଵରେ ଦୀପୁ ପଡି ଯାଇଥିବାର ଦେଖିଲେ ଲୋକମାନେ । ଦେହ ମୁହଁ ଛିଡି ରକ୍ତ ଜୁଡୁବୁଡୁ ହୋଇ ଯାଇଥାଏ । କିଛି କଥା କହିବା ପାଇଁ ସମର୍ଥ ନଥିଲା ଦୀପୁ । ମାତ୍ର ଡାହାଣ ହାତରେ ଟେକି ଧରିଥିଲା ଏକ ପଲିଥିନ ପେପରରେ ତିଆରି ଆମ ଦେଶର ଜାତୀୟ ପତାକା ।
ତନୁଜା ଦେବୀ ଏବଂ ଗାଁର ଅନ୍ୟ ଲୋକମାନେ ମିଳିମିଶି କୋଳାଇ ଆଣିଲେ ଦିପୁଙ୍କୁ । ତନୁଜା ଦେବୀ,ଦିପୁଙ୍କ ଦେହ ପା' ନିଜ ପଣତରେ ପୋଛିପାଛି ଦେଲେ ।
ଜାନୁଆରୀ ୨୬ ତାରିଖ ଦିନ ବିଦ୍ୟାଳୟରେ ପାଳନ କରାଯାଇଥିଲା ଗଣତନ୍ତ୍ର ଦିବସ । ପିଲାମାନେ ସମସ୍ତେ ଗୋଟିଏ ଗୋଟିଏ ଜାତୀୟ ପତାକା ଧରି ଆସିଥିଲେ । ଗାଁ ସାରା ପିଲାମାନେ ବାଞ୍ଛାନିଧି ମାଷ୍ଟ୍ରେଙ୍କ ତତ୍ତ୍ବାବାଧାନରେ ପ୍ରଭାତ ଫେରି କାର୍ଯ୍ଯ କରିଥିଲେ । ପତାକା ଉତ୍ତୋଳନ ହୋଇଥିଲା ଏବଂ ଜାତୀୟ ସଙ୍ଗୀତ ବି ଗାନ ହୋଇଥିଲା । ତା'ପରେ ଭାଷଣ ଏବଂ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ହୋଇଥିଲା ।ବାଞ୍ଛାନିଧି ମାଷ୍ଟ୍ରେ ମଧ୍ୟ ଆମ ଦେଶ,ଆମର ଜାତୀୟ ପତାକା ଏବଂ ଗଣତନ୍ତ୍ର ଦିବସ ଉପରେ ବହୁତ ସରଳ ଭାବରେ ମର୍ମସ୍ପର୍ଶୀ ବକ୍ତୃତା ଦେଇଥିଲେ । କାର୍ଯ୍ୟକ୍ରମଟି ଦିପୁଙ୍କର ହୃଦୟକୁ ପୂର୍ଣ୍ଣ ମାତ୍ରାରେ ସ୍ପର୍ଶ କରିଥିଲା ।ସେହିଦିନ ଠାରୁ ଦିପୁଙ୍କ ଠାରେ ଜାଗ୍ରତ ହୋଇଥିଲା ଦେଶଭକ୍ତି ; ତାଙ୍କ ମନରେ ସେହିଦିନ ଦେଶପ୍ରେମର ଦ୍ବୀପଶିଖା ପ୍ରଜ୍ବଳିତ ହେଇଥିଲା ।
ସେଦିନ କାର୍ଯ୍ୟକ୍ରମ ସରିବା ପରେ କେହି ଜଣେ ସହପାଠୀ ଏହି ପଲିଥିନ ପେପରରେ ତିଆରି ଜାତୀୟ ପତାକାଟିକୁ ରାସ୍ତା କଡରେ ଫିଙ୍ଗି ଯାଇଥିଲା । ଦୀପୁ ଏହାକୁ ବହୁତ ଦିନ ଆଗରୁ ଦେଖି ଥିଲେ । ତାଙ୍କର ମନ ସବୁବେଳେ କଷ୍ଟ ହୁଏ,କିନ୍ତୁ ଏହାକୁ ଉଠାଇ ପାରୁ ନଥିଲେ ।କାରଣ, ଦିନେ ବାପାଙ୍କ ସହିତ ମାର୍କେଟ ବୁଲିବାକୁ ଯାଇଥିଲେ ଦୀପୁ ରାସ୍ତା ପାର୍ଶ୍ଵରେ ଗୋଟିଏ ଭଙ୍ଗା ଖେଳଣା ପଡିଥିବାର ଦେଖି ଦୀପୁ ତାହାକୁ ଉଠାଇ ଆଣିଥିଲେ । ତୁରନ୍ତ ବାପାଙ୍କ ନଜରରେ ପଡ଼ିଗଲେ । ବାପା ତାଙ୍କ ଉପରେ ରାଗି ଗଲେ ଏବଂ ନାଲି ଆଖିକରି କହିଲେ- "କେବେ ବି ତଳେ ପଡି ଯାଇଥିବା ଜିନିଷକୁ ଉଠାଇବ ନାହିଁ ।" ସେଥିରେ ଅସଂଖ୍ୟ ରୋଗ ଜୀବାଣୁ ଥିବେ । ତୁମ ଦେହ ସଂସ୍ପର୍ଶରେ ଆସିଲେ ତୁମକୁ ରୋଗ ହେବାର ସମ୍ଭାବନା ଅନେକାଂଶରେ ଅଛି । ତେଣୁ ସିହିଦିନ ଠାରୁ ବାପାଙ୍କ କଥା ମାନି ତଳେ ପଡିଥିବା କୌଣସି ଜିନିଷ ଦୀପୁ ଉଠାନ୍ତି ନାହିଁ । ସେଦିନ କିନ୍ତୁ ଦୀପୁ ସହି ପାରିନଥିଲେ, ଟେଲିଭିଜନରୁ ସନ୍ତ୍ରାସବାଦୀ ଆକ୍ରମଣ ଏବଂ ଏହି ଆକ୍ରମଣରେ ଆମ ଦେଶର ବୀର ସୈନିକ ମାନଙ୍କର ପ୍ରାଣ ଯିବା କଥା ଶୁଣି ସେ ନିଜକୁ ଆଉ ଅଟକାଇ ପାରି ନଥିଲେ ।ତାଙ୍କ ହୃଦୟରେ ସୃଷ୍ଟ ଦେଶପ୍ରେମର ଉନ୍ମାଦନା ତାଙ୍କୁ ଟାଣି ନେଇ ଯାଇଥିଲା ସେହି ଜାତୀୟପତାକା ପାଖକୁ । ଏତିକି କମ ବୟସରେ ଦୀପୁଙ୍କ ଠାରେ ଯେପରି ଦେଶପ୍ରେମର ଲାଭା ଉଦ୍ଗିରଣ ହେଉଥିଲା, ଏହାର କାରଣ କଣ ହେଇପାରେ ?
ସମ୍ପୂର୍ଣ ଆଲୋଚନାକୁ ତର୍ଜମା କଲେ ସହଜରେ ଅନୁମେୟ ହେଇଯାଏ । ଆପଣମାନେ ଯାହା ବି ଭାବନ୍ତୁ କିନ୍ତୁ ମୋ ମତରେ ବିଦ୍ୟାଳୟର ବାଞ୍ଛାନିଧି ମାଷ୍ଟ୍ରେଙ୍କର ଭୂମିକା ଏବଂ ତାଙ୍କର ଦେଶାତ୍ମବୋଧକ ଭାଷଣ ଓ ତାଙ୍କର ପିଲାମାନଙ୍କ ପ୍ରତି ଯେଉଁ ଦେଶଭକ୍ତି ଉଜ୍ଜୀବିତ କରିବାର ଚେଷ୍ଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ମୁଁ କହିବାକୁ ଚାହେଁ, ସାରା ଭାରତବର୍ଷ ତଥା କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟ ମାନଙ୍କରେ ଦେଶପ୍ରେମ ଜାଗରଣ କରିବା ପରି ବିଷୟବସ୍ତୁ ପାଠ୍ୟ ପୁସ୍ତକରେ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ଏହାଛଡା ମାଦ୍ରାସାଦି ମାନଙ୍କରେ ପଢ଼ା ଯାଉଥିବା ବିଷୟ ଗୁଡିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ପିଲା ମାନଙ୍କର ମାନସିକତାକୁ ବିକାର କରୁଥିବା ତଥ୍ୟ ବା ରୀତିନୀତିକୁ ଦୂରେଇ ରଖା ଯାଇ ଦେଶଭକ୍ତି ମୂଳକ ବିଷୟବସ୍ତୁ ଗୁଡିକୁ ସ୍ଥାନ ଦିଆଗଲେ ଭାରତବର୍ଷରେ ଏକ ସୁନ୍ଦର ଏବଂ ଦୃଢ ଦେଶପ୍ରେମୀ ଭବିଷ୍ୟତ ଗଢା ଯାଇପାରନ୍ତା ।
ସୁ ସ୍ଵାଗତଂ
ReplyDelete