4/09/2019

ବନୀକରଣ

କାଦମ୍ବିନୀ ଖୁଣ୍ଟିଆ (କାଜଲ)
         ଚର୍ତୁପାର୍ଶ୍ବ ପଡିଛି ଖାଲି ହୋଇ ଚୋରାବାଲି ।
ନାହିଁ ଆଉ ବଣ ଜଙ୍ଗଲ,ବନୀକରଣ ; ଖୋଜୁଛି ସେଇ ବିତେଇ ଥିବା ବୃକ୍ଷଙ୍କ ସହ ଅଲିଭା ମୂହୁର୍ତ୍ତ ।ଥରୁଟିଏ ବି ଭାବିଲନି ଆମରି କଥା। କେତେ ହସଖୁସିରେ ସମୟ ବିତଉଥିଲେ ଆମେ। ଛୋଟରୁ ନେଇ ବଡ ବୃକ୍ଷ ପର୍ଯ୍ୟନ୍ତ ସବୁଜ ପତ୍ର ହସି ହସି ପିଇ ଯାଉଥିଲେ ବିଷ ଅଙ୍ଗାରକାମ୍ଳକୁ। ଆଉ ଅମୃତର ଅମ୍ଳଜାନକୁ ପୃଥିବୀ ପୃଷ୍ଟେ ବିନା ଦ୍ବିଧାରେ ପରଶି ଦେଉଥିଲୁ। କେତେ ଆଶ୍ବାସନା ଲଭୁଥିଲା ମାଟି ମା। ଆଜି ମାଟି ମା ଉଦାର ହୃଦୟକୁ ମେଲି ଆତ୍ତ୍ରଚିତ୍କାର କରି କହୁଛି ଫେରେଇ ଦିଅ ମୋ ସବୁଜ ବନାନୀକୁ । କାହିଁ ମୋ ଅଁଳା ବୃକ୍ଷ, ମୋ ଦାରୁ ଦିଅଁ ପାଇଁ ନିମ୍ବ ବୃକ୍ଷ, ଶାଳ, ଶାଗୁଆନ୍‌, ପଟାସ୍‌ । ଘରର ସବୁ ବିପଦକୁ କରିଥିଲୁ କେତେ ପ୍ରତିବନ୍ଧକ । ଶାଳ ଚାକୁଣ୍ଡାରୁ କେତେ କରି ଆସୁଥିଲ ଖଟ-ପଲଙ୍କ ଚେୟାର-ବେଞ୍ଚ । ଚାଳଘର କରୁଥିଲ ଦେଇ ରୁଅ ବାଉଁଶ । ଚୂଲି ମୁଣ୍ଡେ ଆମେ ଆମର ପତ୍ରରୁ ଆରମ୍ଭ କରି ଡାଳ ଯାଏଁ ଜଳି ଜଳି ସୁଷମ ଖାଦ୍ୟ ଦେଉଥିଲୁ । ଅମା ଅନ୍ଧାରକୁ ଦୂର କରିବାକୁ ଯାଇ ନିଜକୁ ଜାଳି ସାଜିଥିଲୁ ଆଲୋକ ବତି। ଶୀତ ପ୍ରକୋପରୁ ରକ୍ଷା କରିବା ନିମନ୍ତେ ଆମକୁ ଜାଳି ନିଆଁ ପିଇ ଲଭୁଥିଲ କେତେ ଶାନ୍ତି । ପୂଜାରେ ଶାଳ, ଆମ୍ବ କାଠକୁ ନେଇ ହୋମ କରି ପୂଜା ଉଜ୍ଜାପନା କରୁଥିଲ ଘରର ମଙ୍ଗଳ କାମନା କରି। ସାବିତ୍ରୀ ବ୍ରତରେ ସ୍ବାମୀଙ୍କ ମଙ୍ଗଳ କାମନା ପାଇଁ ନାହିଁ ପଣଷ, ଆତ, ଆମ୍ବ, ସପୁରି, ତାଳ ଇତ୍ୟାଦି ନାହିଁ ପୁଣି ତା ସାଥିରେ ପୂଜିବା ପାଇଁ ଘଞ୍ଚ ଜଙ୍ଗଲ। ନାହିଁ କନ୍ୟାଙ୍କ ରଜ ଦୋଳି ଖେଳ। ଗାଇବା ପାଇଁ "ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ" ବର ଓସ୍ତ ବିଶାଳ ବୃକ୍ଷ। ବନ କାଇଁ ଯେ, ଡାକିବ ଗଜ। ଶୁଭୁନି ପକ୍ଷୀ ମାନଙ୍କ କିଚିରି ମିଚିରି ସୁମଧୁର ସ୍ବର । 
                           

    ଦେଖିବାକୁ ମିଳୁନାହିଁ ରଙ୍ଗ ବେରଙ୍ଗର ପକ୍ଷୀଙ୍କୁ । ମନକୁ ବୁଝେଇବାକୁ ପଡୁଛି ବହିର ଚିତ୍ରକୁ ଦେଖି। ଦେଖିବାକୁ ମିଳୁନାହିଁ ବାଘ-ଭାଲୁ-ଗଜ-ସିଂହ-ସର୍ପ-ମୟୂର - ବିଲୁଆ - ହେଟା-କୋକିଶିଆଳି - ଠେକୁଆ  ; ଲୋପ ପାଇଗଲେଣି । ବଣ ଜଙ୍ଗଲ ନ ଥିବାରୁ କାଁ ଭାଁ ଥିବା ମାଡି ଆସନ୍ତି ଘର ଆଡକୁ କେତେ ଘର ଭାଙ୍ଗି ଛିନ୍ନ ବିଛିନ୍ନ କରିଦିଅନ୍ତି। କେତେ ସରଳ ଜୀବ ବଳି ପଡିଯାଆନ୍ତି ତାଙ୍କ ନିକଟରେ। ନାହିଁ ଆଉ ଝାଉଁ ବଣ । ସମୁଦ୍ର ଲଙ୍ଘିଲାଣି କୂଳ। 

              ବୃକ୍ଷ ଆଣିଦେଉଥିଲେ ଗ୍ରୀଷ୍ମରେ ଉତ୍ତାପ, ଶୀତରେ ହାଡଭଙ୍ଗା ଶୀତ, ବର୍ଷାରେ ନାହିଁ ନଥିବା ବର୍ଷା। ଏବେ ଆଉ ନାହିଁ ଋତୁ ଅନୁସାରେ ଗ୍ରୀଷ୍ମ, ବର୍ଷା କି ଶୀତ। ବର୍ଷା ସମୟରେ ଚାଷି ପୁଅ ଚାହିଁ ରହୁଛି ବର୍ଷା ଆସିଲେ ବୁଣିଦେବ ଧାନ, ରବି ଫସଲ ପନିପରିବା। ଅପେକ୍ଷାରେ ଥାଏ ତୋଳି ନେବ ବର୍ଷକ ଆହାର ଘରକୁ। କିନ୍ତୁ ଅଦିନିଆ ବର୍ଷା ଧୋଇନିଏ ଅକ୍ଳାନ୍ତ ପରିଶ୍ରମରେ ହସୁଥିବା ଧାନ କ୍ଷେତକୁ । ଆସେ ପୁଣି ରବି ଫସଲକୁ । ବୃକ୍ଷରେ ତିଆରି ହେଉଥିଲା କେତେ କାଗଜ ବହି। ମଣିଷ ମୃତ୍ୟୁ ପରେ କୋକେଇ ପାଇଁ ଛଅ ଖଣ୍ଡ ବାଉଁଶ କାଠ ଆଉ ଦାହ ପାଇଁ କେଇ ଖଣ୍ଡ କାଠ ମିଳିବା ହେଇଯିବ ମଣିଷ ପାଇଁ  ଆଗକୁ ଦେଖିବା ସାତ ସପନ ।ଖୋକା ଭାଇଙ୍କ ସୁମଧୁର ଗୀତ- 
"ଏଇ ଯେ ବନ ଲତା ପାହାଡ,
ଆହାଃରେ ଦିଶେ କେଡେ ସୁନ୍ଦର"
ପୁଣୀ ଆଉ ଏକ ଗୀତ-
" ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ,
ଯାଇଛି ସତ ହୋଇ
    ମୁଁ ଭୁଲିବି ନାହିଁ"...।
ସତରେ କଣ ସପନ ହେଇ ରହିଯିବ ! ପୁଣି କଣ ଫେରେଇ ଆଣିପାରିବାନି ସବୁଜ ବନାନୀକୁ ! ଧରଣୀ ରାଣୀର ଓଠରେ ହସ ବୁଣି ପାରିବାନି ! ନିଶ୍ଚିତ ପାରିବା । ଏମିତି କେତେ ମହାନ ବ୍ୟକ୍ତି ମାନେ ପ୍ରକୃତିରାଣୀକୁ ଭଲ ପାଇବା ଦ୍ବାରା ଆଜି ଆମେ ଟିକିଏ ଶାନ୍ତିରେ ନିଃଶ୍ବାସ ପ୍ରଶ୍ବାସ ନେଇ ପାରୁଛେ। ଆସନ୍ତୁନା ଆମ ବସନ୍ତ ମାଆଙ୍କ ପରି ଚାରା କରି ରୋପିବା ଏକ ହାତରୁ ଅନେକ ହାତ କରିବା । ଲୋପ ପାଉଥିବା ବନ ଜଙ୍ଗଲକୁ ନୂତନ ରୂପେ ସୃଷ୍ଟି କରିବା ଦେବା ଆମେ ନାମ ବନୀକରଣ । ହସିବ ସବୁଜ ବନାନୀ,  ହସିବ ଧରଣୀ ରାଣୀ । ହସିବ ଜଗତ ଜନନୀ।
ଅରିମୂଳ, କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।