ଅପୂର୍ବ ଚ଼ରିତ୍ରର ଆଧାର ଏ ଚ଼ରିତ୍ର -"ଲୀଳାବତୀ"; ଯାହାର ଚ଼ରିତ୍ର ସମ୍ବଦ୍ଧେ ଶ୍ରବଣ ମାତ୍ରେ ମନ ବିସ୍ମିତ ଓ ବିଷାଦିତ । ଏକ ରାଜବଂଶରେ ଜନ୍ମ ଏ ଚ଼ରିତ୍ର "ଲୀଳାବତୀ" । ଶତ୍ରୁ ରାଜ୍ଯର ରାକ୍ଷସ ଧନ ଦୌଲତର ପ୍ରଗାଢ଼ ପ୍ରଲୋଭନ ଯୋଗୁଁ ସେମାନେ ଲୀଳାବତୀ ପିତୃ ରାଜ୍ଯର ସମ୍ପତ୍ତି ଅପହରଣ ସହିତ ଅଳ୍ପ ବୟସ୍କା ଲୀଳାବତୀକୁ ଶିଶୁ କନ୍ୟା ଭାବେ ଦେଖି ତତ୍ର ସ୍ଥାନରୁ ରତ୍ନାକର ମଧ୍ୟରେ ଥିବା ଦ୍ବୀପକୁ ଆଣି ତାଙ୍କୁ ପ୍ରତିପୋଷଣ କରିଛନ୍ତି । ଏକଦା ବରାହମିହିର ସୁପୁତ୍ରର ଦଶ ବର୍ଷରେ ମୃତ୍ୟୁ କଥା ଜାଣି ପାରି ପୁତ୍ରକୁ ପାରାବାର ମଧ୍ୟରେ ଭସାଇ ଦେଇଥିଲେ । ସେହି ରାକ୍ଷସ କୁଳଙ୍କ ଦ୍ବୀପରେ ଭାସି ଭାସି ଲାଗିଥିଲେ ବରାହମିହିରଙ୍କ ସୁପୁତ୍ର । ଜନୈକ ରାକ୍ଷସ ତାଙ୍କୁ ସିନ୍ଧୁ ଜଳରୁ ଛାଣି ଆଣି ଲୀଳାବତୀ ସମୀପେ ରଖି ଉଭୟଙ୍କୁ ପ୍ରତିପାଳନ କଲେ । ଶଶିକଳା ସମ ବଢ଼ି ଚ଼ାଲିଲେ ଦୁହେଁ ; ବର୍ଦ୍ଧିତ ସମୟୋପସ୍ଥିତିରେ ଉଭୟେ ଜ୍ଯୋତିର୍ବିଦ୍ଯା ଶିକ୍ଷାର ସୁବିଧା ପାଇ ଜ୍ଯୋତିର୍ବିଷାରଦରେ ପରିଣତ ହୋଇଗଲେ । ଶୈଶବ ଅବସ୍ଥାରୁ ଏକତ୍ର ବଢ଼ି ଥିବାରୁ ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ସେମାନେ ରାକ୍ଷସଙ୍କ ନଜରବନ୍ଦୀରେ ରହି ପିଞ୍ଜରାରେ ବନ୍ଦୀ ବୋଲି ମନେ କରୁଥିଲେ । ମୁକ୍ତାକାଶରେ ବିହରିଇବାର ଓ ସ୍ବଇଚ୍ଛାରେ ବସବାସ କରିବାର ମନସ୍ଥ କରି ସଶୁଭ ମାହେନ୍ଦ୍ର ମୁହୂର୍ତ୍ତ ଉଣ୍ଡି ବାହାରି ଗଲେ । କୌଣସି ରାକ୍ଷସ ବାଧା ନ ଦେଇ ତାଙ୍କୁ ନିଜ କାନ୍ଧରେ ବସାଇ ସମୁଦ୍ର ଅପର ପାର୍ଶ୍ବରେ ପହଞ୍ଚାଇ ଦେଇଥିଲେ ।
ସେଠାରେ ସେମାନେ ସେ ଦୁହିଁଙ୍କୁ ଆକାଶ ତତ୍ତ୍ବ, ମହୀ ତତ୍ତ୍ବ, ପାତାଳ ତତ୍ତ୍ବ ନାମକ ତିନୋଟି ପୁସ୍ତକ ପ୍ରଦାନ କରି ଏକ ଜଟିଳ ପ୍ରଶ୍ନ ପଚ଼ାରି ସଠିକ୍ ଉତ୍ତର ନ ପାଇ ପାତାଳ ତତ୍ତ୍ବ ପୁସ୍ତକଟି ଫେରାଇ ନେଇ ଚ଼ାଲି ଆସିଥିଲେ । ସେଠାରୁ ଯାଇ ଉଭୟ ପ୍ରେମୀ ଯୁଗଳ ସୁକୁମାର ରାଜ୍ଯ ଉଜ୍ଜୟିନୀରେ ପ୍ରବେଶ କଲେ । ରାଜସଭାରେ ଲୀଳାବତୀ ପ୍ରାପ୍ତ କଲେ ଅପାର ଜ୍ଞାନାଧିକାରିଣୀର ପରିଚ଼ୟ । ଲୀଳାବତୀର ଏପରି ସମ୍ମାନ ପାଇଁ ରାଜା ପ୍ରତିହିଂସା ପରାୟଣେ ତାଙ୍କ ପୁତ୍ରକୁ ନିଜର ଆଦେଶ ଦେଇ ଲୀଳାବତୀଙ୍କ ଜିହ୍ୱା ଚ୍ଛେଦନ କରିବାକୁ କହିଲେ । ଏହା ଜାଣି ପାରି ଲୀଳାବତୀ ନିଜ ସ୍ବାମୀଙ୍କୁ ଜିହ୍ୱା ଚ୍ଛେଦନ ପୂର୍ବରୁ ନିଜେ ଜାଣିଥିବା ଜ୍ଯୋତିଷ ତଥ୍ଯ ସମାଜ କଲ୍ଯାଣାର୍ଥେ ଲିଖନ ପ୍ରକ୍ରିୟା ମଧ୍ୟରେ ପୁସ୍ତକରେ ଆବଦ୍ଧ କରିବା ପାଇଁ କହିଲେ । ପରବର୍ତ୍ତୀ ସମୟରେ ଦୃଢ ସାହସ ସହିତ ପିତୃ ଆଜ୍ଞା ପାଳନ ସହିତ ଜିହ୍ୱା ଚ୍ଛେଦନ କରିବାକୁ ଅନୁରୋଧ କଲେ । ଉକ୍ତ ଦିନରୁ ଲୀଳାବତୀ ଖନା ଭାବରେ ପରିଚ଼ିତ ହେବା ସହ ତାଙ୍କ ଲିଖିତ ଅକାଟ୍ଯ ବଚ଼ନ ଖନା ବଚ଼ନ ନାମରେ ନାମିତ ହେଲା । ଲୀଳାବତୀ ଇହଲୀଳା ସମ୍ବରଣ କରିଥିଲେ ବି ଜନ ମାନସରେ ସେ ଚ଼ିରଞ୍ଜିବୀ ଏବଂ ତାଙ୍କ ଖନା ବଚ଼ନ ଓ ତାଙ୍କ ଦୃଢ ସାହସିକତା ସମସ୍ତଙ୍କୁ ଉଚ଼ିତ୍ ଶିକ୍ଷା ପ୍ରଦାନ କରୁଛି ।
ତାଙ୍କ ଖନା ବଚ଼ନରେ ଶୁଭାଶୁଭ ଫଳ ସହ କୃଷିର କେତେକ ନିୟମ ଏବଂ ସମାଜର ବିଧିବିଧାନ ମାନବ ସମାଜ ପାଇଁ ହିତୋପଦେଶ କହିଲେ ଚ଼ଳେ । ତାଙ୍କ ଲିଖିତ ଏ ପୁସ୍ତକରେ ବର୍ଣ୍ଣିତ ସମସ୍ତ କଥା ଅଦ୍ଯାବଧି ସମାଜରେ ଘଟି ଚ଼ାଲିଛି । ସେ କେବଳ ପାଣ୍ଡିତ୍ୟ ଅର୍ଜି ଥିଲେ ତାହା ନୁହେଁ ; ସେ ଜଣେ ଉତ୍ତମ ନାରୀ, ଉତ୍ତମ ପତ୍ନୀ ଓ ଉତ୍ତମ କୁଳବଧୂ ଥିଲେ । ସମାଜ କଲ୍ଯାଣାର୍ଥେ ନିଜକୁ ସମର୍ପଣ କରି ମହାନତାର ପରିଚ଼ୟ ସୃଷ୍ଟି କରିଥିଲେ । ତାଙ୍କ ଜିହ୍ୱା ଚ୍ଛେଦନର ସମସ୍ତ ବୃତ୍ତାନ୍ତ ସେ ସର୍ବ ସମ୍ମୁଖରେ ପୁସ୍ତକ ଆକାରେ ପ୍ରକାଶ କରି ଯାଇଛନ୍ତି ।
ଯଦି ଏ ସମାଜରେ ପ୍ରତ୍ଯେକ ନାରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତେ ତେବେ ଏ ସମାଜ ତାଙ୍କ ପରି ସସ୍ର ସସ୍ର ଲୀଳାବତୀଙ୍କୁ ପ୍ରାପ୍ତ କରି ପାରନ୍ତା ଏବଂ ସମାଜରେ ଜ୍ଞାନର ଭଣ୍ଡାର ମାନ ମୁଣ୍ଡ ଟେକି ଉଠନ୍ତା । ଯାହା ଫଳରେ ସମାଜରେ ଔଦ୍ଧତ୍ୟ ପୁରୁଷ ମାନେ ନାରୀର ଅପମାନ କରିପାରନ୍ତେନି କି ଅନ୍ଯାୟ ଅନୀତି ଆଉ ଆଗ ଭଳି ଦୃଶ୍ଯ ହୁଅନ୍ତାନି । ସମାଜ ବଦଳି ଯା'ନ୍ତା ରାମ ରାଜ୍ଯରେ । ହସି ଉଠନ୍ତା ଏ ଧରା, ହୁଅନ୍ତା ଶସ୍ୟ ଶ୍ଯାମଳା । ଦୁଃଖର ଛାଇ ହଟି ସୁଖର ଖରାରେ ଆଲୋକିତ ହୋଇ ଉଠନ୍ତା ଏ ମରଧାମ ।
ବାଜପୁର,କୃଷ୍ଣନଗର ପାଟଣା (କାକଟପୁର)
ଫୋ-୯୩୩୭୬୨୩୨୮୯
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।