ଦୁଇ ନିଆଁର ମଝିରେ ଦୁନିଆ ଏପାଖେ ଏନ୍ତୁଡ଼ି ସେପାଖେ ଜୁଇ
ଜୀବନ ଖେଳୁଛି ମଝିରେ ତାହାର
ମୋହ ମାୟାକୁ ସାଥିରେ ନେଇ। ୧
ଜନମ ଲଭିଲୁ ଏନ୍ତୁଡି ଶାଳରେ
ଆସିଲୁ ତୁ କାନ୍ଦି କୁଆଁ କୁଆଁ
ଆନନ୍ଦିତ ହେଲେ ଘର ପରିବାର
ସଭିଁଙ୍କୁ ତୁ କରିଦେଲୁ କିମିଆଁ। ୨
ବଳୁତ କାଳରେ ସାଙ୍ଗସାଥି ମେଳେ
ଧୂଳିଘର କରି ଖେଳିଲୁ ଖେଳ
ବାନ୍ଧିଲୁ ସଭିଙ୍କୁ ମମତା ବନ୍ଧନେ
ଯୌବନେ ଲାଗିଲା ପୀରତିର ଛୁଆଁ
ମନ ତୋହର ହେଲା ଅମାନିଆ
ଭୁଲିଯାଇ ବାପା ମା' ସ୍ନେହପ୍ରୀତି
ଭାଙ୍ଗିଲୁ ତାଙ୍କର ବିଶ୍ବାସ କୁଡିଆ। ୪
ପତ୍ନୀ ସନ୍ତାନଙ୍କ ମୋହରେ ପଡି
ପର କରିଦେଲୁ ନିଜ ବାପା ମା
ବୃଦ୍ଧାବସ୍ଥାରେ ହାତ ଛାଡି ଦେଇ
କରିଲୁ ତାଙ୍କୁ ତୁ ହୀନିମାନିଆ। ୫
ପାସୋରି ଦେଇଛୁ ମାନବିକତା ଗୁଣ
ନାହିଁ ତୋପାଖେ ଆତ୍ମୀୟତା ପଣ
ପରିବାର ବନ୍ଧୁ ଆତ୍ମୀୟ ସ୍ବଜନ
ସଂପର୍କର ମୂଲ୍ୟ ପଡିଛି ମଳିନ। ୬
ଲୋଭ ସମ୍ରାଜ୍ୟରେ କରିଛୁ ଘର
ସ୍ବାର୍ଥରେ ସଜେଇଛୁ ନିଜ ନଅର
ବାନ୍ଧି ଆଖିରେ ତୋର ଅନ୍ଧପୁଟୁଳି
ବିବେକକୁ ତୋର ଦେଇଛୁ ବଳି। ୭
ଅନ୍ଯାୟରେ ଲିପ୍ତ ରହିଛୁ ତୁହି
ଭଲ-ମନ୍ଦ ତତେ ଦିଶଇ ନାହିଁ
ଲୋଭାସକ୍ତ ହୋଇ କରୁ ଅତ୍ୟାଚାର
ଦୟା-କ୍ଷମାର ତୋ ପାଖେ ନାହିଁ ବିଚାର। ୮
ଅସତ୍ ଉପାୟେ ଅର୍ଜିଲୁ ସଂପତ୍ତି
ତୋ ପାଇଁ ସାଜିଲା ସେ ମହାବିପତ୍ତି
ଜ୍ଞାତିକୁଟୁମ୍ବଙ୍କ ସଙ୍ଗେ ହେଲୁ ବାଦି
ଭୁଲିଗଲୁ ସବୁ ଭାବ ପୀରତି। ୯
ଜୀବନଟା ସାରା କଲୁ କୁକର୍ମ
ମାନିଲୁ ନାହିଁ ତୁହି ଧର୍ମ-ଅଧର୍ମ
ଶେଷ ଜୀବନରେ କଲେ ଅନୁତାପ
କମିଯିବ କଣ ତୋହରି ପାପ । ୧୦
ପଢିଲୁ ନାହିଁ ଗୀତା ଭାଗବତ
କରିଲୁ ନାହିଁ କେବେ ଜପତପ
ପରନିନ୍ଦାରେ ତୋର କଟିଲା ଦିନ
ସତସଂଗ କରିବାରେ ନଦେଲୁ ମନ। ୧୧
ସରିତ ଗଲାଣି ତୋହରି ଖେଳ
ଶ୍ମଶାନ ଯିବାକୁ ହେଲାଣି ବେଳ
ତଥାପି ମନରେ ବାନ୍ଧିଛୁ ଆଣ୍ଟ
ବଞ୍ଚି ରହିବାକୁ ଆଉ କିଛିଦିନ। ୧୨
ଏନ୍ତୁଡି ନିଅାଁର ପାଖରେ ଆରମ୍ଭ
ଜୁଇ ନିଆଁରେ ଜୀବନ ଶେଷ
ପ୍ରାଣ ଛାଡିଗଲେ ନଶ୍ବର ଶରୀର
ବୋଲିବେ ତୋତେ ସେ ମୃତ। ୧୩
ଜ୍ଞାତି ପରିଜନ ଛାଡି ଚାଲିଯିବେ
ତୋ ସାଥେ ଯିବେନି କେହି
ଅର୍ଜିଲା ସଂପତ୍ତି ରହିଯିବ ସବୁ
କର୍ମଫଳ ଏକା ତୋର ସାଥି। ୧୪
ଅମର ନୁହଁଇ କେହି ଏଭୁବନେ
ମୃତ୍ଯୁ ଯେ ଅଟଇ ଧ୍ରୁବସତ୍ୟ
ଏକଥା ମନରେ ଧରି କର୍ମକଲେ
ସରଳ ହୋଇବ ସବୁ ପଥ। ୧୫
ମୁକୁନ୍ଦ ମିଶ୍ର ନଗର,ପୁରୀ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।