ବ୍ୟଙ୍ଗ ଗୋସେଇଁ -ଅମ୍ଳାନ ପ୍ରହରାଜ
ଦଉଡି ଯାଉଛି ମୁଇଁ।
ନିଜ ମାଆ ବୁଢ଼ୀ ଜର ରେ କମ୍ପିଲେ
ମୁହଁ ତାର ଚାହୁଁ ନେଇଁ।
ଏମିତି ହଉଚି କାଇଁ,
ଲୋକେ ବୋଲୁଛନ୍ତି ମାଇପ ବୋଲିଆ
ଗଲିଣି କୁଆଡେ ହୋଇ।
ନିଜ ଭାଇ ଯେବେ ବେକାର ବସିଲା
କରିଦେଲି ତାକୁ ଭିନ୍ନ।
ଶଳା ଟା କୁ ମୋର ଚାକିରୀ ମିଳୁନି
ଚିନ୍ତା ମୋର ରାତିଦିନ।
ଏମିତି କାଇଁକି ମନ,
ଲୋକେ ବୋଲୁଛନ୍ତି ମାଇପ ବୋଲିଆ
ଗୁଣ ବଢେ ଦିନୁଁ ଦିନ।
ବତିଶି ବର୍ଷିଆ ଭଉଣୀ ବସିଛି
ଘରେ ଅଭିଆଡୀ ହୋଇ।
ଶାଳୀ ଟା କୁ ମୋର ଅଠର ପୂରିଲା
ଆଖିରେ ମୋ ନିଦ ନାଇଁ।
ତା ପେଇଁ ଖୋଜୁଛି ଜୋଇଁ,
ଲୋକେ କହୁଛନ୍ତି ମାଇପ ବୋଲା ଙ୍କ
ଚରମ ଲକ୍ଷଣ ଏଇ।
ବୁଢା ବାପା ଟା କୁ ବ୍ରେନ ଟିଉମର
ଜମା ନିଘା ନାଇଁ ମୋର।
ଶଶୁର ଙ୍କୁ ମୋର ପାଇଲିସ ହୋଇଛି
ଖୋଜେ ଏଫ.ଆର.ସି ଡାକ୍ତର।
ଦେଖି ମତିଗତି ମୋର,
ଲୋକେ ବୋଲୁଛନ୍ତି ମାଇପ ବୋଲିଆ
କଲୋନୀ ରେ ମୋର ଘର।
ଭାଉଜ ଟା ମୋର ଘରେ ଖଟି ଖଟି
ପିନ୍ଧେ ସାତ ସିଆଁ ଶାଢ଼ୀ।
ଶଳା ଭାଉଜ ମୋ ଅଟୋ ରେ ଯାଉଚି
ଦୁଃଖ ପଡୁଅଚି ମାଡି।
କିଣିଦେବି ସ୍କୁଟି ଗାଡି,
ଲୋକେ ବୋଲୁଛନ୍ତି ମାଇପ ବୋଲିଆ
ହେବା ପାଇଁ ସଦା ରେଡି।
ବାହା ହେଲା ପରେ ନିଜ ଘର ଦୁଃଖ
ସୁଖେ ହୁଏ ନାହିଁ ଭାଗୀ।
ଶଶୁର ଘର ଟା ଗୋଟାକ ନିଜର
କୁତ୍ତା ପରି ଅଛି ଜଗି।
ଈଶ୍ୱର ଙ୍କୁ ବରମାଗି,
ଶାଶୁ,ଶଳା,ଶାଳୀ ଶଶୁର ବୁଢ଼ାଙ୍କୁ
ଘଣ୍ଟ ଘୋଡାଇବା ଲାଗି।
ଶଶୁର ଆଖିରେ ଆଦର୍ଶ ଜ୍ବାଇଁ ମୁଁ
ବାପ ଆଗେ କୁଳାଙ୍ଗାର।
ଭାରିଜା ମତରେ ମୋତେ ଯେ ଖୁଣିବ
ସେଟା ନପୁଂସକେ ସାର।
ବୋଉ କହେ ବାରମ୍ବାର,
ମୁଁ କାଇଁପାଇଁ ଝିଅ ହେଲିନେଇଁ
ଦୁଃଖ ଘୁଞ୍ଚିଥାନ୍ତା ତା'ର ?
ଡ଼ିଆ, ନିରାକାରପୁର, ଖୋର୍ଦ୍ଧା


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।