ଲୋରୀ ସ୍ୱାଇଁ
ବୈଶାଖର ଝାଞ୍ଜି ପବନ...ଅତିଶୟ କରି ପକାଏ ସୁକ୍ଷ୍ମ ଶରୀର ।ଆଖି ଦୁଇଟି ବିଶ୍ଳେଷଣ କରୁଥାଏ ସ୍ୱାମୀଙ୍କ ନିର୍ବାପିତ ଇତିହାସକୁ ।ହାତରେ କଲମ ଧରି ଇଛା କରେ କେଇପଦ ନୂତନ ଦୃଷ୍ଟାନ୍ତକୁ ରଙ୍ଗ ଦେବାକୁ...,ହେଲେ ପଛରୁ ଡାକ ଶୁଭେ..ହୋ ରୂପଶ୍ରୀ !ହଠାତ୍ ଚିହିଁକି ଯାଏ ଆଉ ପଛକୁ ଚାହେଁ....ଯେଉଁ ମଣିଷ ମହାଶୟା ବ୍ୟତୀତ ନାମ ଉଚ୍ଚାରଣ ଦଣ୍ଡେ ମାତ୍ର କରି ନାହାନ୍ତି ଆଜି କିପରି ଉଚ୍ଚାରଣେ "ରୂପଶ୍ରୀ" ।ବିବାହର ଅଠରବର୍ଷ ପୂରି ଗଲାଣି କିନ୍ତୁ କେବେ ନାମ ଉଚ୍ଚାରିବା ଦେଖିନଥିଲି ।ହଉ!ବିଧିର ବିଧାନକୁ କିଏ ବା ଟାଳି ପାରିବ ।।ଆଉ ମୁଁ ବି ଉତ୍ତର ପ୍ରଦାନି କୁହେଁ..ଆଜ୍ଞା! କାଇଁ ଡାକୁଛ..?ପ୍ରତିଉତ୍ତରରେ ଭାସି ଆସେ..ତୁମେ ଜଣେ ଗାଳ୍ପିକା??ତୁମେ ମୋ ଇତିହାସକୁ ରୂପ ଦିଅ ମୁଁ ଦେଖିବାକୁ ଚାହେଁ ତୁମ ସର୍ଜିତ ଗଳ୍ପର ମାଦକତା ।।ମୁଁ ହସିଦିଏ...କିନ୍ତୁ ସେ ମୋ ହସ ଦେଖି ଦୁଇ ଟୋପା କାନ୍ଦି ପକାନ୍ତି ।ପୁଣି ସେ ରୁକ୍ଷ ଓଠକୁ ଥରେଇ କୁହନ୍ତି...ଆରେ ତୁମେ ମଣିଷ ନା ପଥର !!ଅନ୍ୟର ଖୁସି ପାଇଁ କାହିଁକି ବଳି ଦେଇଛ ନିଜର ଜୀବନକୁ ।ନିନ୍ଦା ବ୍ୟତୀତ ମୁଁ କଣ ଦେଇ ପାରିଛି ତୁମକୁ । କେଉଁ ଖୁସି ପାଅ ମୋ ପରି ନିଷ୍ଠୁର ମଣିଷକୁ ନେଇ । ଚାଲିଯାଉନ କିଆଁ...? ଆଉ ମୋତେ ମାରି ଦେଉନ କିଆଁ ?? ଆରେ ଆରେ କାହିଁକି ରୁନ୍ଧି ହେଇ ପଡୁଛ? ମୁଁ ଗଳ୍ପ ଲେଖିବି ପରା...ଇତିହାସ ତ ବଖାଣ । ଚାଲିଗଲୁ ବାରି ପଛପଟ ବରଗଛ ପାଖକୁ... ତା'ରି ଚଟାଣେ ଶଉପଟିଏ ପାରି ବସିଗଲୁ ଦୁଇଜଣ ।
ପାଖରେ ଥିବା ପାଣିବୋତଲରୁ ପାଣି ଢକ୍ ଢ଼କ୍ କରି ପିଇବାକୁ ଲାଗିଲେ ସ୍ୱାମୀ । ଆଉ ଆରମ୍ଭ କଲେ..ପ୍ରଥମ ଉଚ୍ଚାରଣ "ରଜନୀ"....ମୋ ଆତ୍ମାରେ ରଜନୀ! ମୋ ପ୍ରାଣରେ ରଜନୀ ! ମୋ ରକ୍ତ ଧମନୀରେ ରଜନୀ ! ରଜନୀ ମୋର ସର୍ବସ୍ୱ...ରଜନୀ ମୋର ସ୍ୱପ୍ନ...ଆଉ ରଜନୀ ମୋର ପ୍ରତୀକ୍ଷା । ମୋ ଗ୍ରାମ ଶେଷାନ୍ତରେ ତା'ଘର । ବହୁତ ଚୁଲ୍ବୁଲି ଆଉ ଅଭିମାନିନୀଟେ..ଆଖିରେ ତା'ର ଉଙ୍କି ମାରେ ଚଞ୍ଚଳତାର ମଧୁ ଗନ୍ଧ...ଆଉ ସେ ମଧୁ ଗନ୍ଧରୁ ଅଙ୍କୁରିତ ବାସ୍ନା ମୋତେ ମତୁଆଲା କରିପକାଏ ମୋ ଜୀବନ ପରିଧିକୁ ।ଅସ୍ତବ୍ୟସ୍ତ କରିଦିଏ ମୋ ପୌରୁଷତ୍ବକୁ ।ତାକୁ ନେଇ ସ୍ୱପ୍ନ ଦେଖେ ..ମୋ ପାଟରାଣୀ ପାଇଁ ।ଭଲପାଏ ବୋଲି ପ୍ରସ୍ତାବ ଦିଏ...ସେ ବି ହସି ହସି ଗ୍ରହଣ କରିନିଏ।ଆଉ କୁହେ ମୁଁ ବି ହାର ମାନିଛି ତୁମର ବଳିଷ୍ଠ ଶରୀର ଆଗରେ....ହେଲେ ଭରସି କହିପାରେ ନାଇଁ ମୋ ଅବ୍ୟକ୍ତ ବେଦନା ।ମନେ ମନେ ଭାବୁ ଥାଏ...କେମିତି ବା କହିପରିଥାନ୍ତା...ସେ ପରା ଲଜ୍ଜ୍ୟାଳଙ୍କାରରେ ଭୂଷିତା ନାରୀଟିଏ ।ଲୋକ ଲଜ୍ୟାକୁ ସମସ୍ତେ ବସ୍ତ୍ର ଧାରଣ କରିଥା'ନ୍ତି ହେଲେ ସେ କିପରି ଆକ୍ଷେପିତ ସମାଜକୁ ସାମ୍ନା କରିଥା'ନ୍ତା ।।
ଏତିକି ଭାବି ଭିଡ଼ି ଧରେ ମୁଁ ମୋ ଶକ୍ତ ଛାତିରେ...ଭରସା ଉପରେ ଭରସା ଦେଇ ଚାଲେ ବାରମ୍ବାର ।ତୁମେ ମୋ'ର ରଜନୀ...ତୁମେ ମୋ'ର...,ମୁଁ ଆଉ କାହାର ହେବାକୁ ଦେବିନି ତୁମକୁ ।
ଏହିପରି ବିତିଗଲା ଦଶବର୍ଷ ।ଭଲ ଚାକିରୀ ଖଣ୍ଡେ ପାଇଁ ସାରା କୋଣ ଅନୁକୋଣ ଘୁରିବୁଲେ ପାଗଳଙ୍କ ପରି ।ମୁଁ କେବେ ଚାହେଁନି ସମାଜ ଓ ପରିବାରର ବିରୋଧୀ ସାଜି ତୁମକୁ ପଳାତକ ଭାବେ ଅନ୍ୟତ୍ର ନେଇ ଯିବାକୁ...ହେଲେ ତୁମେ ଜିଦ୍ ଧର ଆମେ ଦୁହେଁ ଚାଲିଯିବା ଅନିତ୍ୟ ଦୂରକୁ ।ଆଉ ମୁଁ ମୋ ଛାତିରେ ଆଉଜାଇ ଦେଇ ବୁଝେଇ ଦିଏ...ହେ ରଜନୀ! ମୁଁ ଚାହେଁନା ତୁମ ଚରିତ୍ରକୁ କିଏ ଅଙ୍ଗୁଷ୍ଠି ଦେଖାଉ ।ତୁମେ ଏତେ ବିବ୍ରତ କିଆଁ....? ତୁମକୁ ମୁଁ କଥା ଦେଉଛି ମୋତେ ଆଉ ପନ୍ଦର ଦିନ ସମୟ ଦିଅ...ମୋ ଘର ଲୋକ ତୁମ ଘରକୁ ଯିବେ ପାଣିଗ୍ରହଣ କାର୍ଯ୍ୟ ନେଇ ଆଉ ମୁଁ ଯିବି ବାଜା,ବାଣ,ରୋଷଣୀ ନେଇ ତୁମ ଅଗଣାକୁ । ତୁମ ହାତ ଧରି ତୁମ ଅଗଣାରେ ସତ୍ୟପାଠ ପୂର୍ବକ ଦଶଦିଗ ଆଉ ଆଠ କଳସ କୁ ସାକ୍ଷୀ ରଖି ଘେନି ଆସିବି ଫୁଲର ସବାରିରେ ବସେଇ ମୋ ଅଗଣାକୁ । ଆଉ ସାରା ସମାଜ ତୁମକୁ ପାଛୋଟି ନେବ ରଜନୀ ।ସତ କହୁଛି ମୋତେ ସମୟ ଦିଅ ।
କିନ୍ତୁ ଶେଫାଳି ପରି ଝରି ଯାଉଥାଏ ତା'ମନରୁ ଆତ୍ମ ବିଶ୍ୱାସ ।ବୋଧହୁଏ ସେ ଭାବିନିଏ ମୁଁ ପ୍ରଲୋଭନ ଦେଖାଇ ତା'ସହ ପ୍ରତାରଣା କରୁଚି ...ମୋ ପରିସ୍ଥିତି କୁ ବିଝେଇବା ଏତେ ଗମ୍ଭୀର ହୋଇପଡେ ଯେ...ତାକୁ ଭାଷାରେ ତୁଳନା କରିବା ମୋ ପକ୍ଷେ ଅନିର୍ବାର୍ଯ୍ୟ । ଭାଗ୍ୟର ବିଡମ୍ବନା... ମୋ ବେକାରୀ ଜୀବନ ଦେଖି ସେ ଉପହାସ କରେ ଆଉ ଧିରେ ଧିରେ ମୁହଁ ଫେରାଇନିଏ ରଜନୀ ।ହଠାତ୍ ଦିନେ ଖବର ପାଏ.. ଆର ଗାଁ ମିହିର ବାବୁଙ୍କ ପୁଅ ସହ ସେ କୁଆଡ଼େ ଅନ୍ୟତ୍ର ଚାଲିଯାଇଛି...ବିଶ୍ୱାସ ହେଉନଥାଏ ଦଶବର୍ଷର ପ୍ରେମକୁ କିପରି ସେ ଦଳିଦେଇ ଗଲା ?
ହଁ! ଏଇ ସବୁଜ ବନାନୀ ସାକ୍ଷୀ ଏଇ ସୂର୍ଯ୍ୟ ଚନ୍ଦ୍ର ବି ସାକ୍ଷୀ କେତେ ରାତି ଉଜାଗର ନ'ରହିଛି ତା ପାଇଁ । ଆଜି ବି ଏ ନିଘୁମ ରାତ୍ରୀର ଝିଙ୍କାରୀଙ୍କୁ ପଚାରିଲେ ସେ ହିଁ କହିବେ...ମୋ ଛାତିରେ ଛାତିଏ ତାତି ଉପରେ ଆଉଜି ଯାଇ କେତେ ଅଳି ନ'କରିଛି ଗପ ଶୁଣିବା ପାଇଁ ।ଏଇ ନିଃଶବ୍ଦ ଇଲାକା ହିଁ ଜାଣିଛି...
ମୋ କାମାଗ୍ନିରେ ନିଜେ ହିଁ ଜଳି ପୋଡି ପାଉଁଶ ହେଇଯାଏ।ହେଲେ ସ୍ପର୍ଶ କରେନି ତା' ମସ୍ତକ ବ୍ୟତୀତ ଅନ୍ୟ ଅଙ୍ଗକୁ । କିନ୍ତୁ ସେ ବି ବେଳେବେଳେ ଆଭିମାନ କରିବସେ ମୋ କାମାଗ୍ନିରେ ସମର୍ପି ହେବାକୁ । ହେଲେ ମୁଁ ତା' ମସ୍ତକକୁ ସ୍ନେହ ବୋଳା ଚୁମ୍ବନ ଦେଇ ବୁଝେଇ ଦିଏ....ହେ! ପାଗେଳି...! ମୁଁ ତୁମ ହୃଦୟକୁ ଭଲପାଏ ରେ...ଶରୀର କୁ ନୁହେଁ ।।
ଏହିପରି ବିଟୁଥିଲା ପ୍ରତ୍ୟେକ ମୁହୂର୍ତ୍ତ ,,ମୁଁ ବିଶ୍ୱାସ ନ'କରି ପାଗଳଙ୍କ ପରି ଖୋଜିବୁଲିଲି ପ୍ରତେକ ଗ୍ରାମ ଓ ସହର...ସବୁଠି କେବଳ ନିରାଶାର ଚିହ୍ନ ।ଏହା ଭିତରେ ଏକବର୍ଷ ଗତ ହେଇ ସାରିଥାଏ ।'
ପ୍ରତାରିତ ମନକୁ ନେଇ ବସିଥାଏ ...ଅସ୍ତରଙ୍ଗର ଜାହାନିଆ ପୀରଙ୍କ ନିକଟେ ।ପାଦ କାଇଁ ଚାଲିଗଲା ସେଠାରେ ଥିବା ସମୁଦ୍ର ବେଳା ଭୂମିକୁ ।ହଠାତ ସାମ୍ନାକୁ ଆସେ ରଜନୀ! ମନରେ ମୋର ଅପୂରନ୍ତ ଆନନ୍ଦ ..ପାଖକୁ ଯାଇ ଦେଖେ ତ କୋଳରେ ତା'ର କୁନି ପୁଅଟେ... ଆଉ ଆଗତୁରା ପରିଚୟ ଦେଇ କୁହେ..ହେଇ ଦେଖୁଛ ଏ ହେଉଛନ୍ତି ଆମ ପଡିଶାଘର ପୁଅ ମୋର ଭାଇ ହେବ.....ବାଃ ବାଃ କି ଚମତ୍କାର ନାରୀର ଲକ୍ଷଣ । ତଥାପି ନିରୋଳାରେ ପଚାରୁଥାଏ... ହେ ରଜନୀ କି ଦୋଷ କଲି ମୁଁ ? କାହିଁକି ମୋ ସହ ଛଳନା କଲ ମୋ ବିଶ୍ୱାସ କୁ କାହିଁକି ପ୍ରତ୍ୟାଖ୍ୟାନ କଲ କେଉଁ ଅପରାଧ କଲି କୁହ ? ହେଲେ ସେ ମୋ ଗାଲରେ ଶକ୍ତ ଚଟକଣି ମାରି ମୋତେ ଦର୍ଶେଇ ଦେଲା ଯେ...ମୁଁ ଜଣେ ନଂପୁଂଷକ । ବାରମ୍ବାର କହି ଚାଲିଲା ଦଶ ବର୍ଷ ପ୍ରେମରେ ମୋତେ କ'ଣ ଉପହାର ଦେଇଛ...? ହେଇ ଦେଖ ଏକବର୍ଷ ପ୍ରେମର ଉପହାର ମୋ କୋଳରେ ! ଧାର ଧାର ହୋଇ ବହି ଯାଉଥାଏ ମୋ ନେତ୍ରକୁ ଅଶ୍ରୁବାରି । ମୁଁ ଭାବୁଥାଏ...ସତରେ ମୁଁ କେଡେ ବୋକା ମଣିଷ ଟେ । ଏ ସମାଜରେ ଦେହ ଲୋଭୀ ରାକ୍ଷାସର ପ୍ରେମ ହିଁ ଶାଶ୍ୱତ ପ୍ରେମ ମୁଁ କିପରି ବୁଝି ପାରିଲିନି ? ତଥାପି ସରି ନଥାଏ ମୋ ସ୍ୱାମୀଙ୍କର କଳଙ୍କିତ ଇତିହାସ ପୃଷ୍ଠାର ଆଲୋଚନା । ହେଲେ ମୁଁ ଧର୍ଯ୍ୟ ସହକାରେ ଲେଖିଚାଲିଥାଏ.....ହଁ ମୁଁ ଜାଣେ! ରଜନୀର କ୍ଷେପଣାସ୍ତ୍ରେ ମୋ ସ୍ୱାମୀ ଜାଣି ଜାଣି ପାଲଟି ଯାଇଛନ୍ତି ନପୁଂସକ। କିନ୍ତୁ ସମାଜର ସମାଲୋଚନାରେ ମୋତେ ସଜେଇ ଦେଇଛନ୍ତି ""ବାଞ୍ଝ""। ତଥାପି ପ୍ରତିବାଦ କରିନି ସ୍ୱାମୀଙ୍କ ଅତୀତକୁ ନେଇ କି ଘୃଣା କରି ସ୍ୱାମୀଙ୍କ ଚରିତ୍ର କୁ ନେଇ। ଆଉ କେବେ ପଶ୍ଚାତାପ କରିନି ନାରୀ ହେବାର କାରଣ କୁ ନେଇ କି ଅବହେଳା କରିନି ପତିଧର୍ମ ରେ ।।
କାଲି ଦଶ ଦିଗପାଳ ଓ ଆଠ କଳସ କୁ ସାକ୍ଷୀ ରଖି କହିଥିଲି ଆଉ ଆଜି ବି କହୁଛି...ମୋତେ ଏ ନିଷ୍ଠୁର ସମାଜ ଯେଉଁ ନିକୃଷ୍ଟ ପଦରେ ବିଭୂଷିତ କରୁନା କାହିଁକି ମୁଁ ଗୋଟିଏ ଶବ୍ଦରେ ବିଭୂଷିତା ମୁଁ ହେଉଛି....."ଅର୍ଦ୍ଧାଙ୍ଗିନୀ""
ଓସ୍ତପୁର, କାକଟପୁର, ପୁରୀ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।