12/03/2018

ଖଞ୍ଜଣି

ପ୍ରାୟତଃ ସମସ୍ତେ ଏଇ ବାଦ୍ୟଯନ୍ତ୍ରଟି ଉପରେ ଅବଗତ ତ ଥିବେ ନିଶ୍ଚୟ । ଏହା ଏକ ପାରମ୍ପରିକ ଓଡ଼ିଆ ବାଦ୍ୟଯନ୍ତ୍ରଟେ । ଖଞ୍ଜଣି ବାଦନ କରି ମୁଖ୍ଯତଃ ଲୋକଗୀତ ଏବଂ ଭଜନ ଗୀତକୁ ପରିବେଷଣ କରାଯାଏ । ଏହା ଗୋଟିଏ ତାଳବାଦ୍ୟ ଅଟେ । ଏ ବାଦ୍ୟଯନ୍ତ୍ରଟି ଏକମୁହାଁ । ତିନି-ଚାରି ଆଙ୍ଗୁଳି ଚଉଡାର ଗୋଲାକାର କାଠ ବା ମୃତ୍ତିକା ବଳୟର ଏକ ପାଖରେ ଚମଡ଼ା ଛାଉଣି କରି ଏ ବାଦ୍ୟ ଯନ୍ତ୍ରଟିର ପ୍ରସ୍ତୁତି ହୁଏ ଏବଂ ଅନ୍ୟ ପାଖଟି ମୁକୁଳା ରହିଥାଏ । ଏହାକୁ ବାମ ହସ୍ତରେ ଧାରଣ କରି ଡ଼ାହାଣ ହାତରେ ବାଦନ କରାଯାଇଥାଏ ଅଙ୍ଗୁଳି ମାନଙ୍କ ସହାୟତାରେ । ଏଥିରେ ଲାଗିଥାଏ ଛୋଟ ଛୋଟ ଏକାଧିକ ଝାଞ୍ଜ । ଏହି ବାଦ୍ୟ ବାଦନ କରିବା ପ୍ରକ୍ରିୟାର ନାମ"ଖଞ୍ଜଣି ମାଡ଼"। 
     ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଗ୍ରାମ୍ୟ ଲୋକମାନେ ପ୍ରାୟତଃ ଭାଗବତ ଟୁଙ୍ଗୀରେ "ଖଞ୍ଜଣି ମାଡ଼" କରି ଭଜନ ପରିବେଷଣ କରନ୍ତି । ଆଜିକାଲି ଭାଗବତ ଟୁଙ୍ଗୀ କମିବା ସହିତ ଖଞ୍ଜଣିର ଆଦର ବି ହ୍ରାସ ପାଉଛି । କିନ୍ତୁ ବୈଷ୍ଣବ ଧର୍ମ ଅବଲମ୍ବୀ ଏବଂ ମହିମା ଧର୍ମ ଅବଲମ୍ବୀ ମାନଙ୍କ ମଧ୍ୟରେ ଖଞ୍ଜଣିର ପ୍ରସାର ଏବେ ବି ସୁଦ୍ଧା ଅଛି  । ଗାଁ ଗହଳିରେ ବା ସହରାଞ୍ଚଳରେ କିଛିକାଂଶେ ଖଞ୍ଜଣି ବାଦକ ଖଞ୍ଜଣି ବାଦନ କରି ଭିକ୍ଷା ବୃତ୍ତି କରିଥାଆନ୍ତି । ଏହି ବାଦ୍ୟର ମହତ୍ତ୍ବକୁ ବାଦକ ଏବଂ ଖଞ୍ଜଣି ପ୍ରିୟମାନେ କେବଳ ବୁଝି ପାରନ୍ତି । ଏହି ବାଦ୍ୟ ଆମ ଓଡ଼ିଶା ବ୍ୟତିତ ମଧ୍ୟ-ପ୍ରାଚ୍ୟ,କୁର୍ଦିସ୍ତାନ, ଇରାନ, ଆର୍ମେନିଆ, ତୁର୍କି, ପାକିସ୍ତାନ ସହିତ ଆଫଗାନିସ୍ତାନ ଓ କେନ୍ଦ୍ର-ଏସିଆ ଦେଶ ମାନଙ୍କରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏସବୁ ଅଞ୍ଚଳରେ ଏହାର ନାମ ଡ଼ାପ, ଡ଼ାଫ, ଡ଼ାଫଲୀ,ଟାଫ, ଡ଼େଫ ଇତ୍ୟାଦିରେ ନାମିତ  । 

    ଆଜିକାଲି ହୃତ ପ୍ରାୟ ଏ ଖଞ୍ଜଣି  ବାଦ୍ୟକୁ ପୁନର୍ଜୀବିତ କରିବା ପାଇଁ  ସଭିଙ୍କର ତଥା ଓଡ଼ିଶାର ଜନ ସାଧାରଣଙ୍କର ସର୍ବାଦୌ ଚେଷ୍ଟା ଆବଶ୍ୟକ  ।। 

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।