କଳ୍ପତରୁ ସାହୁ
ମା' ମହାମାୟାଙ୍କ ଆବିର୍ଭାବ ସଂପର୍କରେ ଦେବୀ ପୁରାଣ, ମହାଭାରତ ଓ ଦେବୀ ଭାଗବତ ପ୍ରଭୃତି ବିଭିନ୍ନ ଶାସ୍ତ୍ର ପୁରାଣରେ ଉଲ୍ଲେଖ ରହିଛି । ଶ୍ରୀଚଣ୍ଡୀର ବର୍ଣ୍ଣନାନୁଯାୟୀ କାଳୀ ଦେବତାମାନଙ୍କର ଜନନୀ । ମା' ଏ ସକଳ ଜଗତ ସୃଷ୍ଟି କରିଛନ୍ତି, ପାଳନ କରୁଛନ୍ତି ଓ ସଂହାର ମଧ୍ୟ କରୁଛନ୍ତି। ମାର୍କଣ୍ଡେୟ ପୁରାଣ ଅନୁଯାୟୀ ମହିଷାସୁରର ସେନାପତି ରକ୍ତବୀର୍ଯ୍ୟକୁ ବଧ କରିବା ପାଇଁ ଚଣ୍ଡୀଙ୍କଠାରୁ ସାହାଯ୍ୟକାରିଣୀ ମା' କାଳୀଙ୍କର ସୃଷ୍ଟି । କାଳିକା ପୁରାଣ ଓ ଯୋଗିନୀ ତନ୍ତ୍ରରେ ବର୍ଣ୍ଣିତ କାଳୀ ଓ କାମାକ୍ଷା ଏକ ଓ ଅଭିନ୍ନ ବୋଲି ବର୍ଣ୍ଣନା କରାଯାଇଛି।
ତିନି ରୂପରେ ବିରାଜିତା
ମହାମାୟାଙ୍କଠାରେ ହିଁ ସମାଗତ ହୋଇଥାଏ- ମହାସରସ୍ୱତୀ, ମହାଲକ୍ଷ୍ମୀ ଓ ମହାକାଳୀ । କହିହେବ,ସୃଜନ କାଳରେ ଯିଏ ମହାସରସ୍ୱତୀ, ପାଳନକର୍ତ୍ତୀ ଭାବେ ସେ ମହାଲକ୍ଷ୍ମୀ ଓ ବିନାଶ କାଳରେ ତାଙ୍କ ପରିଚୟ ମହାକାଳୀ । ମହାକାଳୀ ତମ-ପ୍ରଧାନ ରୌଦ୍ରରୂପ । ଶାସ୍ତ୍ର ଓ ପୁରାଣରେ ଦେବୀଙ୍କୁ ସୃଷ୍ଟିର ଆଧାର ଭାବେ ବର୍ଣ୍ଣନା କରାଯାଇଛି । କାଳୀ ହିଁ ବିଶ୍ବର ପ୍ରସୂତି ଓ ଜୀବଜଗତର ଭକ୍ତିମୁକ୍ତି ପ୍ରଦାୟିନୀ । ଦେବୀଙ୍କ ଦଶମହାବିଦ୍ୟାର ସେ ଅନ୍ୟତମ ରୂପ । ଦେଖିବାକୁ ଅତି ଭୟଙ୍କର । ମାର୍କଣ୍ଡେୟ ପୁରାଣରେ ମହାକାଳୀଙ୍କର ଉତ୍ପତ୍ତି ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି । ପ୍ରଳୟ କାଳରେ ସଂସାର ସଂପୂର୍ଣ୍ଣ ଜଳମଗ୍ନ ଥିବା ବେଳେ ଯୋଗ ନିଦ୍ରାଭିଭୂତ ଭଗବାନ ବିଷ୍ଣୁଙ୍କ କର୍ଣ୍ଣମୂଳରୁ ମଧୁ-କୈଟଭ ନାମକ ଦୁଇ ଦାନବ ସୃଷ୍ଟି ହୋଇ ପିତାମହ ବ୍ରହ୍ମାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ସେ ଯୋଗନିଦ୍ରାଙ୍କୁ ଧ୍ୟାନ କଲେ। ପ୍ରଜାପିତା ବ୍ରହ୍ମାଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ମା' ମହାମାୟା ଭଗବାନଙ୍କ ନେତ୍ର, ମୁଖ, ନାସିକା ବାହୁ ଓ ହୃଦୟରୁ ଆବିର୍ଭୂତା ହୋଇ ଖଡ୍ଗ, ପରିଘ, ଧନୁ, ଚକ୍ର, ଗଦା, ତୀର, ଧନୁ, ଶଙ୍ଖ, ତ୍ରିଶୂଳ ଓ ନର ମୁଣ୍ଡ ଧାରଣ କରିଥିଲେ। ଯୋଗନିଦ୍ରା ବିଷ୍ଣୁଙ୍କୁ ତ୍ୟାଗ କରିଥିବାରୁ ତାଙ୍କର ନିଦ୍ରାଭଙ୍ଗ ହେଲା । ସେ ମଧୁ କୈଟଭଙ୍କ ସହିତ ଯୁଦ୍ଧକରି ତାଙ୍କୁ ବଧ କଲେ।ଦୁଷ୍ଟଙ୍କ ବିନାଶକାରିଣୀ ମହାଶକ୍ତିଙ୍କର ସୃଷ୍ଟି, ସ୍ଥିତି ଓ ପ୍ରଳୟ ତ୍ରିରୂପ ଚିନ୍ତନ ମଧ୍ୟରୁ ପ୍ରଳୟରୂପୀଙ୍କୁ ରାତ୍ରି, କାଳରାତ୍ରି ଓ କାଳୀ ନାମରେ ନାମିତ କରାଯାଇଛି । ନବରାତ୍ରିର ନବଦୁର୍ଗା କ୍ରମରେ ମା'ଙ୍କର ଏହି କାଳରାତ୍ରି ରୂପ । ଶରୀରର ରଙ୍ଗ ଘନକୃଷ୍ଣ । ମୁକ୍ତକେଶା ମା'ଙ୍କର ଗଳାରେ ଲମ୍ବିଥାଏ ନରମୁଣ୍ଡ ମାଳା । ମା' ତ୍ରିନୟନ ଧାରିଣୀ । ସପ୍ତମ ଦିବସରେ ହିଁ ଏହି କାଳରାତ୍ରିଙ୍କୁ ପୂଜା କରାଯାଇଥାଏ । ସେ ହିଁ ଦୁଷ୍ଟଙ୍କ ବିନାଶକାରିଣୀ । ଦାନବ, ଦୈତ୍ୟ, ରାକ୍ଷସ, ଭୂତ ଓ ପ୍ରେତ ଆଦି ଦୁଷ୍ଟଶକ୍ତି । ମା'ଙ୍କ ନାମ ସ୍ମରଣ ମାତ୍ରକେ ଦୂରେଇ ଯାଇଥାନ୍ତି । ମା'ଙ୍କ ଉପାସକଙ୍କୁ ଅଗ୍ନି, ଜଳ, ଜନ୍ତୁ, ଶତ୍ର ଓ ରାତ୍ରିଭୟ ମଧ୍ୟ ନ ଥାଏ । ମା' ଯାହାକୁ କୃପା କରନ୍ତି, ସେ ଭୟମୁକ୍ତ । ହୋଇ ଜୀବନଯାପନ କରେ ।
ସଂହାର କାରିଣୀ
ପୁରାଣ କହେ ଦେବତାମାନଙ୍କ ବରରେ ବଳୀୟାନ ଦାନବଗଣ ଅମିତ ପରାକ୍ରମୀ ହୋଇ ସଂସାରରେ ବିଭୀଷିକା ସୃଷ୍ଟି କଲାବେଳେ ଅସୁର ନିଧନ ନିମିତ୍ତ ଦୈବୀଶକ୍ତିର ଆବଶ୍ୟକତା ଦେଖାଦେଇଥିଲା । ଦେବତାଙ୍କ ଅପରିଣାମଦର୍ଶୀ ବର ପ୍ରଦାନ ହେତୁ ସୃଷ୍ଟି ରକ୍ଷାର୍ଥେ ଦେବୀଙ୍କୁ ବସନ ଭୂଷଣ ତ୍ୟାଗ କରି ବିବସନା ହେବାକୁ ମଧ୍ୟ ପଡ଼ିଲା । ଆଉ ସେ ପାଲଟି ଗଲେ ସଂହାର କାରିଣୀ । ମା' ଦୁର୍ଗା ମହିଷାସୁରକୁ ବଧ କରିବା ପରେ ମାତୃଶକ୍ତିର ଅବମାନନା ପାଇଁ ଦେବକୁଳର ବିନାଶ ଓ ସୃଷ୍ଟି ନାଶ ନିମନ୍ତେ ଯୋଗିନୀ କାନ୍ତାନୀମାନଙ୍କୁ ଆଦେଶ ଦେଲେ । ଦେବଦେବ ମହାଦେବ ଯୋଗରେ ଜାଣିଲେ ମା' ଦୁର୍ଗା ମହାକାଳୀ ରୂପରେ ଭ୍ରମଣ କରୁଛନ୍ତି। ଅନନୋପାୟ ହୋଇ ସେ ଦେବୀଙ୍କ ପଥରୋଧ କଲେ । ମା' ମହାଦେବଙ୍କ ବକ୍ଷ ଉପରେ ପାଦ ପକାଇ ଏ ଲୀଳା ଜାଣିପାରିଲେ ଓ ଜିଭ କାମୁଡ଼ି ଦେଲେ। ତା'ପରେ କ୍ରୋଧ ସମ୍ବରଣ କରି ଶାନ୍ତ ହୋଇ ପ୍ରସନ୍ନ ବଦନରେ ଦର୍ଶନ ଦେଲେ । ଅମାବାସ୍ୟାର ଅର୍ଦ୍ଧରାତ୍ରିରେ କାଳୀ ମା'ଙ୍କ କୋପମୂର୍ତ୍ତି ଶାନ୍ତ ହୋଇ ଉଭା ହେଲେ ।ଏହା ଦେଖି ଦେବକୁଳ ଆନନ୍ଦରେ ପୂଜାର୍ଚ୍ଚନା କଲେ । ସେହି ସ୍ମୃତିକୁ ମନେ ପକାଇବା ପାଇଁ ପୂଜା ମଣ୍ଡପ ଓ ଶକ୍ତିପୀଠମାନଙ୍କରେ ଜଗତବାସୀ ଶକ୍ତି ଓ ଶିବଙ୍କୁ । ମହାକାଳୀ ଓ ମହାଭୈରବ ରୂପରେ ପୂଜା କରାଯାଏ। ତନ୍ତ୍ରଶାସ୍ତ୍ରରେ କାଳୀଙ୍କୁ ଆଦ୍ୟାଶକ୍ତି ମହାମାୟା ରୂପେ ଉଲ୍ଲେଖ କରାଯାଇ ତାଙ୍କର ଆଠ ପ୍ରକାର ମୂର୍ତ୍ତିର ଉପାସନା ନିର୍ଦ୍ଧାରିତ ହୋଇଛି । ତନ୍ମରେ ଦକ୍ଷିଣକାଳୀ, ଭଦ୍ରକାଳୀ ଓ ଶ୍ମଶାନକାଳୀ ପ୍ରଭୃତି ବିଶେଷ ପ୍ରସିଦ୍ଧି ଲାଭ କରିଛନ୍ତି । ।
ଅସୁରେଶ୍ଵର,କଟକ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।